Unknown

 

 

 

 

 

 

 

 

 

 

 

ମଧୁଲଗ୍ନ

ସାତକଡ଼ି ହୋତା

 

ମୁଖବନ୍ଧ

 

ଏହା ମୋର ନବମ ଗଳ୍ପ ସଂକଳନ । ଗଳ୍ପ ସାହିତ୍ୟର ପ୍ରସାର ସହିତ ଗଳ୍ପ ଲେଖା ବି ବଢ଼ିଚାଲିଛି । ଗଳ୍ପ ସାହିତ୍ୟର ପ୍ରସାର ପତ୍ରପତ୍ରିକାମାନଙ୍କ ମାଧ୍ୟମରେ ହେଉଥିବାରୁ ଗଳ୍ପ ସଂକଳନ ପ୍ରକାଶ ପାଇବାପୂର୍ବରୁ ଲେଖକମାନଙ୍କର ଗଳ୍ପ ସବୁ ପତ୍ରିକାମାନଙ୍କରେ ପ୍ରକାଶିତ ହୋଇସାରିଥାଏ-। ଏହି ପୁସ୍ତକରେ ସନ୍ନିବେଶିତ ଗଳ୍ପଗୁଡ଼ିକ ମଧ୍ୟ ପୂର୍ବରୁ ଝଙ୍କାର, ଆସନ୍ତାକାଲି ପ୍ରଭୃତି ବିଭିନ୍ନ ପତ୍ରିକାମାନଙ୍କରେ ପ୍ରକାଶିତ ହୋଇଥିଲା । ଏହି ଅବସରରେ ସେହି ପତ୍ରିକାମାନଙ୍କର ସଂପାଦକମାନଙ୍କୁ କୃତଜ୍ଞତା ଜଣାଉଛି ।

 

କାହାଣୀର ପ୍ରାଧାନ୍ୟ ଗଳ୍ପମାନଙ୍କରୁ ହ୍ରାସ ପାଉଛି । ଇମ୍ପ୍ରେସନ ଏବଂ ସିମ୍ୱଲ କବିତା ପରି ଗଳ୍ପକୁ ମଧ୍ୟ ପ୍ରଭାବିତ କରିଚି । ସମ୍ୱିଲ (ପ୍ରତୀକ)କୁ ପ୍ରାଧାନ୍ୟ ଦେଇ ପ୍ରକାଶିତ ଗଳ୍ପରେ କାହାଣୀ ଯେ ରହେନାହିଁ ଏହା ନୁହେଁ, କିନ୍ତୁ ଏହି ଗଳ୍ପଗୁଡ଼ିକ କାହାଣୀ ପ୍ରଧାନ ନୁହନ୍ତି । ପ୍ରତୀତି (ଇମ୍ପ୍ରେସନ) ସଂପର୍କରେ ସେହି କଥା କୁହାଯାଇପାରେ । ଯେଉଁ ଗଳ୍ପରେ ପ୍ରତୀତି ଏବଂ ରୂପକ ଅଧିକ ସଫଳତାର ସହିତ ପ୍ରୟୋଗ କରାଯାଇପାରିଚି ସେହି ଗଳ୍ପଗୁଡ଼ିକ ଅଧିକ ଶକ୍ତିଶାଳୀ ବୋଲି ସମାଲୋଚକମାନଙ୍କ ମତ । କିନ୍ତୁ ଏହା ସତ୍ତ୍ୱେ କାହାଣୀକୁ ବାଦ୍‌ଦେଇ ଗଳ୍ପର କଳ୍ପନା କରାଯାଇନପାରେ । ଏହି ପୁସ୍ତକରେ ସନ୍ନିବେଶିତ ସବୁ ଗଳ୍ପରେ କାହାଣୀର ପ୍ରାଧାନ୍ୟ ଥିଲେ ମଧ୍ୟ ଏଗୁଡ଼ିକ ପାଠକମାନଙ୍କଦ୍ୱାରା ବେଶ୍‌ ଆଦୃତ । ପାଠକର କିଞ୍ଚିତ୍‌ ପ୍ରଶଂସା ମଧ୍ୟ ଲେଖକଙ୍କୁ ଅନୁପ୍ରାଣିତ କରିଥାଏ ।

 

ଗଳ୍ପରଚନାରେ ଆଙ୍ଗିକ ଓ ଆତ୍ମିକ ପରିବର୍ତ୍ତନ ବିଶେଷ ଦୃଷ୍ଟିଗୋଚର ହୋଇନଥିଲେ ମଧ୍ୟ, ଫକୀରମୋହନଙ୍କ କାହାଣୀଠାରୁ ଗୋପୀନାଥ ମହାନ୍ତିଙ୍କ କାହାଣୀ ଅନେକ ଭିନ୍ନ, ପୁଣି ଗୋପୀନାଥଙ୍କଠାରୁ ଚନ୍ଦ୍ରଶେଖର ରଥଙ୍କ କାହାଣୀ ଆହୁରି ସ୍ୱତନ୍ତ୍ର । ପାଠକର ରୁଚି ଓ ବୌଦ୍ଧିକ ଉତ୍କର୍ଷତା ସହିତ ତାଳ ଦେଇ ଗଳ୍ପର ବିଷୟବସ୍ତୁ, ଶୈଳୀ, ଆଭିମୁଖ୍ୟ ଏବଂ ନିବେଦନ ମଧ୍ୟ ତଦନୁରୂପ ହେଉଛି । ଏଣୁ ଆଜି ଗଳ୍ପ ସାହିତ୍ୟ ଏତେ ବାସ୍ତବ, ଜୀବନଧର୍ମୀ ଏବଂ ବର୍ଣ୍ଣାଢ଼୍ୟ ।

 

ଏଥିରେ ସନ୍ନିବେଶିତ ଗଳ୍ପଗୁଡ଼ିକୁ ପୁସ୍ତକାକାରେ ପ୍ରକାଶ କରି ପ୍ରକାଶକ ବଂଧୁ ଶ୍ରୀ ଅଭିରାମ ମୋତେ କୃତଜ୍ଞତା ପାଶରେ ଆବଦ୍ଧ କରିଛନ୍ତି । ତାଙ୍କର ଆଗ୍ରହ ଓ ଉଦ୍ୟମ ପାଇଁ ଶ୍ରଦ୍ଧା ଜଣାଉଛି । ଗଳ୍ପଗୁଡ଼ିକୁ ସଜାଡ଼ିବାରେ ସହାୟତା କରିଥିବାରୁ ମୋର ଜ୍ୟେଷ୍ଠା କନ୍ୟା ସୌମ୍ୟା ଏବଂ କନିଷ୍ଠା କନ୍ୟା ସୁଚେତାକୁ ମୁଁ ଆଶୀର୍ବାଦ କରୁଛି । ସର୍ବୋପରି ମୋର ସହଧର୍ମିଣୀ ଶ୍ରୀମତୀ ଗୀତା ହୋତାଙ୍କର ଉଦ୍ୟମ ଏଥିପାଇଁ ଖୁବ୍‌ ଅନୁକୂଳ ଓ ଉତ୍ସାହଜନକ..... ଇତି ।

 

ସାତକଡ଼ି ହୋତା

☆☆☆

 

 

 

 

 

 

 

 

 

 

 

 

ମୋର ସାନଭାଇ ଶିଶିର (କାହ୍ନୁ) ଏବଂ ଭ୍ରାତୃବଧୂ ନିରୁପମାଙ୍କୁ ସ୍ନେହୋପହାର ।

 

ନନା

☆☆☆

 

ସୂଚୀପତ୍ର

 

୧.

ପୃଥିବୀର ଲୁହ

୨.

ସର୍ବହରା

୩.

ଝଡ଼ିପୋକ

୪.

ଚିଡ଼ିଆଖାନାରେ ରହିବା ପାଇଁ

୫.

ନିଃଶବ୍ଦ ପ୍ରତିବାଦ

୬.

ଦୁଇଟି ଆଖିର ଦୃଷ୍ଟି

୭.

ପାପ-ପୁଣ୍ୟ

୮.

ପ୍ରତିଶ୍ରୁତି ପୂର୍ଣ୍ଣକରି

୯.

ସାନ୍ତ୍ୱନା

୧୦.

ନିଃସଙ୍ଗ ପୃଥିବୀ

୧୧.

ମରୀଚିକା

୧୨.

ମଧୁଲଗ୍ନ

୧୩.

ହଜିଲା ଦିଗନ୍ତ

୧୪.

ପତାକାବାହକ

୧୫.

ଭୋଜି

☆☆☆

 

ପୃଥିବୀର ଲୁହ

 

ଜଣ ଜଣ କରି ସମସ୍ତେ ଚାଲିଗଲା ପରେ ସେ ଅଶେଷ ଧୈର୍ଯ୍ୟର ସହିତ ବସି ରହିଲା-। ବ୍ୟସ୍ତତା ନାହିଁ, ଚଞ୍ଚଳତା ନାହିଁ । ପ୍ରତିଦିନ ସେ ଏହିପରି ଆସେ, ଡାକ୍ତର ବାବୁଙ୍କ ଘର ଆଗରେ ବସେ ଏବଂ ସମସ୍ତେ ଚାଲିଯିବା ପରେ ପଦେ ଅଧେ ଯାହା ପାରେ କେହି ଶୁଣୁ ବା ନଶୁଣୁ ନିବେଦନ କରି ଧୀରେ ଧୀରେ କେନାଲ କୂଳର ରାସ୍ତାଧରି ଫେରିଯାଏ । ଦଶଦିନ ତଳେ ମଧୁ ଗାଆଁରୁ ଆସିଥିଲା, ବଡ଼ ଡାକ୍ତରଖାନାରେ ସ୍ତ୍ରୀକୁ ଭର୍ତ୍ତିକରିବା ପାଇଁ । ଗାଁର ଲୋକ । ନିୟମ କାନୁନ ଜାଣେନାହିଁ ବୋଲି ବସ୍‌ରୁ ଓହ୍ଲାଇ ସିଧା ଯାଇ ପହଞ୍ଚିଥିଲା ବଡ଼ ଡାକ୍ତାଖାନାରେ-। ସେତେବେଳକୁ ଦିନ ୧୧ଟା ହେବ ବୋଧହୁଏ । ଖୁବ୍‌ ଭିଡ଼ ଜମିଥାଏ ବଡ଼ ଡାକ୍ତରଖାନାରେ-। ପଚରା ଉଚରା କରି ଠିକଣା ସ୍ଥାନରେ ସ୍ତ୍ରୀ ସହିତ ପହଂଚି ଅପେକ୍ଷା କଲା ସେ । ସେହିଠାରେ ୩ଟା ବାଜିଲାଣି । ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଥାଏ ଯମୁନା । ଆଉଟ୍‌ ଡୋର୍‌ ପାଖରେ ଗୋଟେ ପାଣିକଳରୁ ଦୁଇଥର ପାଣି ପିଆଇ ଆଣିଥିଲା ସେ । ତିନିଟା ପରେ ଜାଗାଟା ଶୂନ୍‌ଶାନ୍‌ ହୋଇ ଆସିବାରୁ ସେ ପଚାରିଲା ଜଣକୁ । ବେହେରା ତା କଥା ଶୁଣିସାରି ମୁରୁକି ହସି ବୁଝେଇଦେଲା ତାକୁ । ତୁ ପାଗଳ ହୋଇନଥିଲେ ଏଇ ଗୋଟେ ସ୍ଥାନରେ ୧୧ଟାବେଳୁ ୩ଟାଯାଏ ଗୋଡ଼ ହାତ ବାନ୍ଧି ବସିଥାଆନ୍ତୁ ଡାକରା ପାଇଁ । ବସିବା ଲୋକକୁ ଏଠାରେ କେହି ଡାକେନାହିଁ-। ଚିଟାଉ ଖଣ୍ଡକ ରୋଗୀ ଏବଂ ରୋଗର ବିଶଦ ବିବରଣୀ ଦିଏନାହିଁ । ଧାଁ ଧପଡ଼ କର । ଡାକ୍ତରଙ୍କୁ ଧର । ମିଛଟାରେ ଅପେକ୍ଷାକରି ଲାଭ ନାହିଁ । ଏଇ ଭିଡ଼ରେ ତୋ କଥା ନିରୋଳାରେ ଶୁଣିବା ପାଇଁ ସମୟ କାହିଁ ? ବରଂ ତୁ ତାଙ୍କ କ୍ଳିନିକ୍‌କୁ ଯା’ । କେନାଲ କୂଳର ମନ୍ଦିର ପାଖରେ ତିନିମହଲା କୋଠାଟା ସମସ୍ତଙ୍କ ଆଖିକୁ ଦିଶେ । ଉପରେ ସିନା ଡାକ୍ତରବାବୁ ରହନ୍ତି, ତଳେ ରୋଗୀ ଦେଖିବା ପାଇଁ ବ୍ୟବସ୍ଥା ଅଛି ।

 

ତା’ ପରଦିନଠାରୁ ଆଉ ଡାକ୍ତରଖାନା ନ ଆସି ସେଇଠାକୁ ଗଲା ମଧୁ । ପ୍ରଥମ ଦିନ ସମସ୍ତେ ଚାଲିଯିବା ପରେ ଡାକ୍ତରବାବୁ ଭିତରକୁ ଡକେଇଲେ । ଡାକରା ପାଇ ଖୁସିହୋଇ, ତାଙ୍କ ଆଗରେ ଛିଡ଼ାହୋଇ ନିବେଦନ କରିଥିଲା ନିଜର ଗୁହାରି । ଯୁମନାର ତଳପେଟର ଯନ୍ତ୍ରଣା ଦିନକୁଦିନ ବଢ଼ୁଛି, କିଛିରେ ଉପଶମ ହେଉନାହିଁ । ଜିଭକୁ କିଛି ଭଲ ଲାଗୁନି । ନ ଖାଇ କେତେଦିନ ବଞ୍ଚିବ ମଣିଷ ? ବ୍ଳକ୍‌ ଡାକ୍ତରଖାନାକୁ ନେଇଥିଲା ଚିକିତ୍ସା ପାଇଁ । ଛେଳି ଦୁଇଟା ବିକିଦେଇ ସେଇ ଟଙ୍କା ଖର୍ଚ୍ଚକରି ଔଷଧ କିଣିଥିଲା, ପଥିର ବ୍ୟବସ୍ଥା ବି କରିଥିଲା; କିନ୍ତୁ ସେଇ ଚିକିତ୍ସାଦ୍ୱାରା ଉପଶମ ହେଲାନାହିଁ । କବିରାଜି ବି କିଛିଦିନ କରିଥିଲା । ଚିକିତ୍ସାର ଖର୍ଚ୍ଚ ଚାରୋଟି ହଂସ-ବିକ୍ରି-କରି ତୁଲେଇଥିଲା; କିନ୍ତୁ ସବୁ ବିଫଳ । ଦିନରାତି ଲୋଟଣୀପାରା ପରି କାମରେ ଲାଗିଥିବା ମଣିଷଟା ହଠାତ୍‌ ଅଶକତରେ ନଇଁପଡ଼ିଛି । ଅସମର୍ଥ ହୋଇଯାଇଚି ଯେ ନିଜର ଶରୀରକୁ ନିଜେ ବୋହି ନେଇ ପାରୁନାହିଁ ।

 

ଯମୁନା କିନ୍ତୁ ନିଜର କଷ୍ଟକୁ ନୀରବରେ ସହିଯାଏ । ମୁହଁ ଫିଟାଇ କିଛି କହେ ନାହିଁ । ସଦାପ୍ରସନ୍ନ ମୁହଁଟି ଉପରେ ଯନ୍ତ୍ରଣାର ଚିହ୍ନ ସୁସ୍ପଷ୍ଟ ! ସବୁ କଷ୍ଟକୁ ନିର୍ବିକାର ଭାବରେ ସହିଯାଏ ସେ-। ଯେପରି କିଛି ହୋଇନାହିଁ । ପଶୁର ନିର୍ବୋଧ ଭାଷା ପରି ତା’ ମୁହଁ ଦେଖି କିଛି ବୁଝି ହୁଏନାହିଁ-

 

ଡାକ୍ତରବାବୁ ଧୈର୍ଯ୍ୟର ସହିତ ସବୁ ଶୁଣିଲେ । ବେମାରି ସହଜ ନୁହେଁ । ଜଟିଳ ହୋଇଯାଇଚି ରୋଗ । ସମୟ ସାପେକ୍ଷ ହେଲେ ମଧ୍ୟ ଚିକିତ୍ସା ଅଛି । ସବୁ ରୋଗ ପାଇଁ ଔଷଧ ଅଛି, ସବୁ ରୋଗର ଚିକିତ୍ସା ଅଛି । ଯମୁନାର ଚିକିତ୍ସା କିଛି ବଳେଇଯିବ ନାହିଁ । ମଧୁ ଭରସା ପାଇ କହିଲା, କାଲି ସକାଳୁ ଆଣିବି ଯେ ଟିକିଏ ଭଲକରି ଦେଖିବେ । ଆଜି ରାତି ଏତେ ହେଲାଣି । ହଜୁରେ ତରତର ହଉଚନ୍ତି । ଡାକ୍ତରବାବୁ ଚେମ୍ୱର ଭିତରୁ ବାହାରିଯିବାବେଳେ କହିଗଲେ, ସବୁ ବ୍ୟବସ୍ଥା କର । ମୁଁ ସବୁ ଠିକ୍‌ କରିଦେବି ।

 

ଚେମ୍ୱର ଛାଡ଼ି ସେ ଘର ଭିତରକୁ ଚାଲିଯିବା ପରେ କମ୍ପାଉଣ୍ଡର ବାବୁଙ୍କଠାରୁ ସବୁ ବୁଝିଲା ମଧୁ । ସେ ବି ସେଇ କଥା କହିଲେ । ସବୁ ବ୍ୟବସ୍ଥା କର । ସବୁ ଠିକ୍‌ ହୋଇଯିବ । ମଧୁ ଟିକେ ବୋକା, ନୋହିଲେ ଏଇ କଥାର ମର୍ମ ଠିକ୍‌ ବୁଝିପାରିଥାଆନ୍ତା । ତିନିଦିନ ଯିବା ପରେ କମ୍ପାଉଣ୍ଡର ତାକୁ ବିରକ୍ତ ହୋଇ ବୁଝେଇଦେଲେ କଥାଟା । କେବଳ ସକାଳୁ ସନ୍ଧ୍ୟା ଡାକ୍ତରବାବୁଙ୍କ ଚେମ୍ୱର ସାମ୍ନାରେ ଧାରଣାଦେଲେ ଆପେ ଆପେ ବ୍ୟବସ୍ଥା ହୋଇଯାଏନାହିଁ । ବ୍ୟବସ୍ଥାଟା ନିଜକୁ କରିବାକୁ ହୁଏ । ଏଥିପାଇଁ ପକେଟରୁ କିଛି ଖର୍ଚ୍ଚ କରିବାକୁ ହୁଏ । ବିନା ଖର୍ଚ୍ଚରେ କୋଉଠି ଚିକିତ୍ସା ହୁଏନାହିଁ । ସଦାବର୍ତ୍ତ ଖୋଲିନାହାନ୍ତି ଡାକ୍ତରବାବୁ ଯେ ମାଗଣାରେ ଚିକିତ୍ସା କରିବେ ? ପାଣି ପରି ହଜାର ହଜାର ଟଙ୍କା ଖର୍ଚ୍ଚ କରି ବିଲାତରୁ ବଡ଼ ଡିଗ୍ରୀ ପାଇ ବିଶେଷଜ୍ଞ ହୋଇ ଫେରିଚନ୍ତି । ତାଙ୍କ ଆସନ ଚାହିଁ ବ୍ୟବସ୍ଥା ନ କଲେ ସମ୍ମାନରେ ଆଞ୍ଚ ଆସିବ । ବେଶି ନୁହେଁ, ତିନିଶହ ଟଙ୍କା ଦେଲେ ଡାକ୍ତରଖାନାରେ ଭର୍ତ୍ତି କରିଦେବେ । ତା’ପରେ ପଥି ଓ ଔଷଧ ପାଇଁ ଯାହା ଖର୍ଚ୍ଚ । ତେବେ ତଳେ ଶୋଇବା ଏବଂ ଖଟ ଉପରେ ଶୋଇବା, ବ୍ୟବସ୍ଥା ଉପରେ ନିର୍ଭର କରେ । ଖଟ ପାଇବା ପାଇଁ ଉପଯୁକ୍ତ ପାରିଶ୍ରମିକ ବି ଲୋଡ଼ା ।

 

ହଲକ ଶୁଖିଲା ମଧୁର । ବଡ଼ ଡାକ୍ତରଖାନାରୁ ବାହାରୁ ଦେଖିଦେଇ ସେ ଯମୁନାକୁ ସାହସ ଦେଇଥିଲା । ଏଠାରେ ସବୁ ରୋଗର ପ୍ରତିକାର କରାହୁଏ ବୋଲି ତାକୁ ନିଶ୍ଚିନ୍ତ କରାଇଥିଲା । କମ୍ପାଉଣ୍ଡର ବାବୁଙ୍କଠାରୁ ସେଇ ଡାକ୍ତରଖାନାର ବିବରଣୀ ପାଇ ତାର ତଣ୍ଟି ଶୁଖିଗଲା । ସେ ପୁଣି ବଡ଼ ଡାକ୍ତରଖାନା ଆଡ଼କୁ ଅନେଇ ମନକୁ ମନ କହିଲା, ଚିକିତ୍ସା ପାଇଁ ରୋଗୀକୁ ସବୁ ବ୍ୟବସ୍ଥା ଯଦି କରିବାକୁ ହବ, ତା’ହେଲେ ଏଇ ବଡ଼ କୋଠାଟା ତୋଳା ହେଲା କାହିଁକି, ଏତେ ବଡ଼ ବଡ଼ ଡାକ୍ତର ଏବଂ ଚକଚକିଆ ଯନ୍ତ୍ରପାତି ଖଞ୍ଜାହେଲା କାହିଁକି ?

 

ସେ ବଡ଼ ସାହସ କରି ସ୍ତ୍ରୀକୁ ଆଣିଥିଲା ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଇବା ପାଇଁ-। ସହରରେ ଅନେକ ପ୍ରକାର ଖର୍ଚ୍ଚ । ବସ୍‌ଭଡ଼ା ବାଦ୍‌ ଯାଇ ଯାହା ଅଛି ସେଥିରୁ ସବୁ ଖର୍ଚ୍ଚ ତୁଲେଇବାକୁ ହବ । ଘରୁ ଚୂଡ଼ା, ଚାଉଳ, ପାଏ ହବ ମୁଗଡ଼ାଲି, କଖାରୁ ଖଣ୍ଡେ ବୋହି ଆଣିଥିଲା-। ଗାଆଁର ରଘୁ କିଲଟରୀରେ ପିଆଦା । ତାହାରି ଛୋଟିଆ ବସାରେ ସ୍ଥାନ ଟିକେ ବାଛି ନେଇଥିଲା ମଧ୍ୟ । ଧର୍ମଶାଳାରେ ରହିବାକୁ ହେଲାନାହିଁ । ଅଜଣା ସ୍ଥାନ । ବିପଦ ଆପଦକୁ ସେଠାରେ ସାହା ଭରସା ହବାପାଇଁ ଲୋକ ପାଇବନାହିଁ ।

 

ଘରଡ଼ିହ ଖଣ୍ଡିକ ବଂଧକ ଦେଇ ତିନିଶହ ଟଙ୍କ ଆଣିଥିଲା ମଧୁ । ବସ୍‌ ଭଡ଼ା ଦବା ପରେ ଆଉ ଏଯାଏ କିଛି ଖର୍ଚ୍ଚ ହୋଇନାହିଁ । ଏଇ ଟଙ୍କା ଯଥେଷ୍ଟ ହବ ବୋଲି ସେ କଳନା କରିଥିଲା; କିନ୍ତୁ କମ୍ପାଉଣ୍ଡର ବାବୁଙ୍କ ବାଣୀ ଶୁଣିବା ପରେ ତଟସ୍ଥ ହୋଇଯାଇଥିଲା ସେ । ଏତେ ଟଙ୍କା କୋଉଠୁ ପାଇବ ସ୍ତ୍ରୀର ଚିକିତ୍ସା ପାଇଁ । ସରକାର ସବୁ ମାଗଣାରେ ଦିଅନ୍ତି ବୋଲି ଯେଉଁ କଥାଟା ସଭିଏଁ କହନ୍ତି, ସେଇଟା ତା’ହେଲେ ଖାଲି ଗୁଜବ । ଏତକ ଯଦି ମୂଳରୁ ଜାଣି ଥାଆନ୍ତା, ଘରଡ଼ିହଟା ବନ୍ଧକ ନଦେଇ ବିକି ଦେଇଥାଆନ୍ତା । ଯମୁନା ବଞ୍ଚିଲେ ସେ ଗଛମୂଳେ ରହିପାରିବ । ସବୁ ଯେପରି ଗୋଳମାଳ ହୋଇଗଲା, ସବୁ ହିସାବ ଗୋଳମାଳ ହୋଇଗଲା । ମଧୁ ପ୍ରତିଦିତନ ରଘୁର ବସାରୁ ଡାକ୍ତରବାବୁଙ୍କ କ୍ଳିନିକ୍‌ ଏବଂ କ୍ଳିନିକ୍‌ରୁ ରଘୁର ବସାକୁ ଯିବା ଆସିବା କଲା ଦୁଇଓଳି; କିନ୍ତୁ କିଛି ବ୍ୟବସ୍ଥା କରିପାରିଲା ନାହିଁ । ଦିନେ ସାହସକରି କମ୍ପାଉଣ୍ଡର ବାବୁଙ୍କ ହାତରେ ଦୁଇଶହ ଟଙ୍କା ଗୁଞ୍ଜିଦେଇ କହିଲା, ଏତକରେ ପାରିକରି ଦିଅନ୍ତୁ ବାବୁ ! ଡାକ୍ତରବାବୁଙ୍କୁ କୁହନ୍ତୁ ଟିକେ । ମୁଁ ନିମକହାରାମ ହେବିନାହିଁ । ଲୁଣ ଖାଇ ଗୁଣ ଗାଉଥିବି । ଯମୁନାକୁ ଟିକେ ଚିକିତ୍ସା କରନ୍ତୁ । ମରଣ ମୁହଁରୁ ଫେରିଆସୁ ସେ । କମ୍ପାଉଣ୍ଡରବାବୁ ହାତ ଛିଞ୍ଚାଡ଼ିଦେଇ ଚାଲିଯାଇଥିଲେ । ନିଜ ଟଙ୍କା ଫେରାଇ ମଣି ମହାଶୂନ୍ୟକୁ ଚାହିଁଥିଲା ମଧୁ ।

 

ଦଶଦିନ ହେଲା ସକାଳ ସନ୍ଧ୍ୟା ଦଉଡ଼ୁଚି । ଆଉ କଥା-ଭାଷା କରେନାହିଁ ସେ । ଗୁଣୁ ଗୁଣୁ ହୋଇ ଭାଗବତରୁ ପଦେ ଅଧେ ବୋଲେନାହିଁ ସେ । ଡାକ୍ତରବାବୁଙ୍କ ଯିବା ଏବଂ ଆସିବା ସମୟକୁ ଜଗି ସାଷ୍ଟାଙ୍ଗ ପ୍ରଣାମ କରେ । ଦେଖି ନଦେଖିବା ପରି ସେ ଆଡ଼ ହୋଇ ଚାଲିଯାଆନ୍ତି; ତଥାପି ହତାଶ ହୁଏ ନାହିଁ ମଧୁ । କାଳେ ଯଦି ଡାକ୍ତରବାବୁଙ୍କ ଦୟା ହୁଏ, ଆଡ଼ ନୟନରେ ଥରେ ଦେଖି ନିଅନ୍ତି । ଅସମର୍ଥ ଭାର୍ଯ୍ୟାକୁ ଖରାରୁ ଉଠାଇ ଗଛର ଛାଇରେ ବସେଇ ସାନ୍ତ୍ୱନା ଦେଇ କହେ ମଧୁ, ବଡ଼ଦାଣ୍ଡର ଗୁହାରି ବ୍ୟର୍ଥ ହୁଏନାହିଁ ଲୋ ଯମୁନା । ବଡ଼ ଠାକୁର ଦିନେ ହେଲେ ଶୁଣିବେ । ଦିନେ ନିଶ୍ଚୟ ବଡ଼ ଡାକ୍ତରଖାନାରେ ଜାଗା ମିଳିବ, ବଡ଼ ଡାକ୍ତର ଚିକିତ୍ସା କରିବେ । ତୁ ଭଲ ହୋଇଯିବୁ । ପୁଣି ସାଙ୍ଗ ହୋଇଫେରିବା ଘରକୁ ।

 

ଯମୁନା ସବୁ ଯନ୍ତ୍ରଣାକୁ ସାଇତି ରଖି ନୀରବରେ ବସିରହେ । ଚାଲିବାକୁ ଆଉ ବଳ ପାଏନାହିଁ । ଦିନକୁ ଦିନ ଯନ୍ତ୍ରଣା ବଢ଼ୁଚି, ବଳ କମୁଚି । ଅଣ୍ଟା ଉପରେ ଯେପରି କିଏ ପାହାଡ଼ ଲଦି ଦେଉଚି । କୁଜ ହୋଇଗଲାଣି । ସିଧା ହୋଇ ଛିଡ଼ା ହେଲେ କଷ୍ଟ ହୁଏ । ଏଇ ଦେହ ସୁସ୍ଥ ସମର୍ଥ ଥିବାବେଳେ ସେ ଏତେ କାମ କରୁଥିଲା, ସମସ୍ତଙ୍କ କଥା ବୁଝୁଥିଲା । ଆଜି ସେ ଅସମର୍ଥ । ସେ କାହାରି କଥା ବୁଝିପାରେ ନାହିଁ, ସ୍ୱାମୀକୁ ଭଲ କରି ମୁଠାଏ ଖୁଆଇ ପାରେନାହିଁ, ବରଂ ସେ ତା’ କଥା ବୁଝନ୍ତି, ତାକୁ ଖୁଆଇ ଦିଅନ୍ତି ।

 

ଅନେକ ଲୋକ ଯିବା ଆସିବା କରନ୍ତି । ଗଛମୂଳେ ବସି ବସି ସେମାନଙ୍କୁ ଦେଖେ ଯମୁନା । ଏତେ ରୋଗ ଦୁନିଆରେ । ଏତେ ଯନ୍ତ୍ରଣା ସହିବା ପାଇଁ ଜନମ ହୁଏ ମଣିଷ ! ଘରୁ ଆସିବାର ଦଶଦିନ ହୋଇଗଲା । ଏ ଯାଏ କିଛି ବ୍ୟବସ୍ଥା ହୋଇ ପାରି ନଥିବାରୁ ମନଟା ଦବିଯାଏ ଯମୁନାର । ତାକୁ ବୋଧହୁଏ ସବୁଠାରୁ ବେଶି ଶକ୍ତ ବେମାର ହୋଇଚି, ନୋହିଲେ ଡାକ୍ତରବାବୁ ଦେଖନ୍ତେନି ? ବୋଧହୁଏ ଏହାର ଚିକିତ୍ସା ପାଇଁ ଆହୁରି ବଡ଼ ଡାକ୍ତର, ଆହୁରି ବଡ଼ ଡାକ୍ତରଖାନା ଦରକାର । ନିରୁପାୟ ହୋଇ ସେ ଅନାଏ ସ୍ୱାମୀ ଆଡ଼କୁ । ମଧୁ ହାତ ଦେଖାଇ କହେ ଧୈର୍ଯ୍ୟ ଧରିବା ପାଇଁ ।

 

ଅସୀମ ଧୈର୍ଯ୍ୟ ମଣିଷର । ନୋହିଲେ ଜୀବନର ଅମାପ ଯନ୍ତ୍ରଣାକୁ ଅଙ୍ଗୀଭୂତ କରି ସେ ଚାଲିପାରନ୍ତା ନାହିଁ । ବୋଝ ବୋହିବାର ସାମର୍ଥ୍ୟ ଥାଉ ବା ନଥାଉ ସେ ଚେଷ୍ଟା କରେ ବୋହିବା ପାଇଁ; ନିଜେ ଅକ୍ଷମ ହେଲେ ଆଉ କାହାକୁ କହେ ବୋଝଟାକୁ ଉଠେଇ ଦବା ପାଇଁ, ଟିକେ ହାତ ଲଗାଇଦବା ପାଇଁ । ତା’ପରେ ମଥା ଉପରେ ବୋଝ ବୋହି ଅଣନିଃଶ୍ୱାସୀ ହୋଇଚାଲେ ସେ । କପାଳରୁ ଝାଳ ପୋଛି ପାରେନାହିଁ ବୋଲି ଜିଭରେ ଲାଗେ । ଝାଳ ଜିଭରେ ଲାଗିଲେ ଥୁ ଥୁ କରେ । କେତେଦିନ ଆଉ ଅଣନିଃଶ୍ୱାସୀ ହୋଇ ଜୀବନର ବୋଝ ବୋହୁଥିବ ଯମୁନା ? ଆଉ ସାହସ କୁଳାଏନାହିଁ । ସ୍ୱାମୀ ବିଚାରା ତାହାରି ଯୋଗୁଁ ଅକର୍ମା ହୋଇଗଲାଣି । ତାକୁ କିଛି କହିଲେ ସେ କାନ ନଦେଇ କହେ, ବ୍ୟସ୍ତ ହୁଅନା ସବୁ ବ୍ୟବସ୍ଥା ହୋଇଯିବ । ଡାକ୍ତରବାବୁ ବିଚକ୍ଷଣ । ସେ କଥା ଦେଇଛନ୍ତି ସବୁ ରୋଗର ଔଷଧ ଅଛି, ସବୁ ରୋଗୀର ଚିକିତ୍ସା ଅଛି । କେବଳ ଟିକେ ଧୈର୍ଯ୍ୟ ଲୋଡ଼ା ।

 

ଆଉ କେତେଦିନ ସକାଳ ସଂଧ୍ୟା ଧୈର୍ଯ୍ୟ ଧରି ଅପେକ୍ଷା କରିବ ଯମୁନା ? ସେହି ବ୍ୟବସ୍ଥା କାହିଁକି ହୋଇ ପାରୁନାହିଁ ବୋଲି ସେ ମନକୁ ପ୍ରଶ୍ନ ପଚାରେ । ମଧୁ ବି ସବୁ କଥା ଫିଟେଇ କହେନାହିଁ । ହସଖୁସିର ମଣିଷଟି ଶୁଣିଯାଇଚି ଜୀବନ ଯନ୍ତ୍ରଣାରେ । ସେଥିରୁ ଟିକେ ଭାଗ ନେଇ ପାରିଲେ ଯଦି ଯମୁନାର କଷ୍ଟ ଲାଘବ ହୁଅନ୍ତା, ତାହା ହେଲେ ମଧୁ ପଛନ୍ତା ନାହିଁ । ସଂସାରଟା ଏହିପରି । ଜଣେ ସହ୍ୟ କରେ, ଆଉମାନେ ହନ୍ତସନ୍ତ ହୁଅନ୍ତି କେବଳ ।

 

ମଧୁ ଅପେକ୍ଷା କରୁଥିଲା । ଡାକ୍ତରବାବୁଙ୍କ ପାଖରେ ଆଉ କେହି ରୋଗୀ ନଥିଲେ । କମ୍ପାଉଣ୍ଡରବାବୁ ଅନ୍ୟ କେଉଁ କାମରେ ଭିତରକୁ ଯାଇଥିଲେ । ସୁଯୋଗ ଦେଖି ଭିତରକୁ ପଶିଗଲା ମଧୁ । ଡାକ୍ତରବାବୁ ତାକୁ ଦେଖି ଚିଡ଼ିଯାଇ କହିଲେ, ଏତେ ସମୟ ଭିତରେ ତୁମର ସୁବିଧା ହେଲାନାହିଁ, ବ୍ୟବସ୍ଥା କରି ପାରିଲାନାହିଁ ?

 

ମଧୁ ହାତ ଯୋଡ଼ି କିଛି କହିବା ପାଇଁ ଚେଷ୍ଟାକଲା । ଖନି ବାଜିଗଲା ତୁଣ୍ଡ । ତା’ପରେ ସାହସ କରି କହିଲା, ବ୍ୟବସ୍ଥା କରିଚି ହଜୁର । ଏତେ ଲୋକ ଥିଲେ ବୋଲି କହିପାରିନଥିଲି ।

 

ଡାକ୍ତରବାବୁ ନିର୍ଲିପ୍ତ ପରି କହିଲେ—ହଁ, କହିଦିଅ କ’ଣ ବ୍ୟବସ୍ଥା କରିଚ ।

 

ଘରଡ଼ିହ ଖଣ୍ଡକ ବନ୍ଧକ ତିନିଶହ ଟଙ୍କା ଆଣିଥିଲି ସ୍ତ୍ରୀର ଚିକିତ୍ସା ପାଇଁ । ବସ୍‌ ଭଡ଼ା ପ୍ରଭୃତିରେ ତିରିଶ ଟଙ୍କା ଖର୍ଚ୍ଚ ହୋଇଯାଇଚି ହଜୁର । କୋଡ଼ିଏଟି ଟଙ୍କା ଅସମୟ ପାଇଁ ପାଖରେ ରଖି ଏଇ ଅଢ଼େଇଶହ ଟଙ୍କା ହଜୁରଙ୍କ ପାଇଁ ଆଣିଚି । ନବା ହଉ ହଜୁର । ଯମୁନା ଖୁବ୍‌ ଭୋଗିଲାଣି, ତା’ ପ୍ରତି ଟିକେ ଦୟା ହେଉ, ତାକୁ ଭଲ କରିଦିଅନ୍ତୁ ।

 

ସବୁ କାମ ସାରି ସାବୁନ ଲଗାଇ ହାତ ଧୋଇଲେ ଡାକ୍ତରବାବୁ । ସାବୁନର ଫେଣ ତାଙ୍କ ହାତକୁ ଫୁଲିପରି ଘୋଡ଼େଇ ପକେଇଥାଏ । ହଠାତ୍‌ ଇମିତି ସାବୁନ ମାଖି ଗାଧୋଇବା ପାଇଁ ଇଚ୍ଛାହେଲା ମଧୁର । ମନକୁ ରୋକିନେଇ ପୁଣି ଥରେ କହିଲା, ଟିକେ ଦୟା କରନ୍ତୁ ହଜୁର ।

 

କମ୍ପାଉଣ୍ଡରବାବୁ ଆସି ସାରିଥାଆନ୍ତି ସେତେବେଳକୁ । ହାତ ଧୋଇସାରି ସଫା ତଉଲିଆରେ ହାତ ପୋଛିଲା ଡାକ୍ତରବାବୁ । କେତେ ରୋଗୀ, କେତେ ରୋଗ । ରୋଗର ବୀଜାଣୁମାନେ କିଲିବିଲ୍‌ ହଉଥିବେ ରୋଗୀର ଦେହରେ । କାଳେ ଯଦି ହାତରେ ଲାଗି ଚରିଯିବେ ଚାରିଆଡ଼େ ! ସାବୁନ ଦେଇ ହାତ ସଫା କରି ଡେଟଲ ପାଣିରେ ହାତ ଧୋଇଲେ ଏ ଭୟ ରହେନାହିଁ ।

 

କମ୍ପାଉଣ୍ଡର କହିଲେ, ଇଏ ମାଛ ହାଟ ନୁହେଁ, ଦର କଷାକଷି ଚଳେନି ଏଠାରେ । ତିନିଶହରୁ ଗୋଟେ ପଇସା କମ୍‌ ହେଲେ ଚଳିବ ନାହିଁ । ପଇସା ନାହିଁ ତ ଅନ୍ୟ କାହା ପାଖକୁ ଯାଅ । ଡାକ୍ତର ଅନେକ ଅଛନ୍ତି । ଗୋଟିଏ ଜାଗାରେ ଭିଡ଼ କାହିଁକି ?

 

କମ୍ପାଉଣ୍ଡରଙ୍କ ହାତ ଦୁଇଟି ଧରିପକେଇ ମଧୁ କହିଲା, ଭଲ ହୋଇ ବାହୁଡ଼ିଲେ ବାକିତକ ଆଣି ଭରଣା କରିଦେବି । ଟିକେ ସମୟ ଲୋଡ଼ା । ଯମୁନା ଟିକେ ଭଲ ହୋଇଯାଉ..... ।

 

ଏତେ ଶସ୍ତାରେ ଏପରି ରୋଗ ଭଲ ହୁଏନି । ବ୍ୟବସ୍ଥା ନକଲେ ଅବସ୍ଥା ସୁଧୁରେ ନାହିଁ-। ମାଗଣାରେ ରୋଗ ଛଡ଼େଇବା ପାଇଁ ଆଉ ଜାଗା ପାଇଲୁନାହିଁ ? ଆରେ....

 

ମଧୁ କାକୁସ୍ଥ ହୋଇ ଗୋଡ଼ତଳେ ପଡ଼ିଗଲା । ତାକୁ ଡେଇଁ ଡାକ୍ତରବାବୁ ଚେମ୍ୱର ଭିତରୁ ବାହାରିଗଲେ । କମ୍ପାଉଣ୍ଡର ଲାଥିଏ ମାରି କହିଲା, ମିଛଟାରେ ଅଧିଆ ପଡ଼ି ସମୟ ନଷ୍ଟ କରନା । ଘରକୁ ଯାଇ ସବୁ ବ୍ୟବସ୍ଥା କରି ଲେଉଟିଆ । ସବୁ ଠିକ୍‌ ହୋଇଯିବ । ଚାରିଆଡ଼େ ଅନ୍ଧାର ଦିଶୁଥିଲା ତାକୁ । ଧୀରେ ଧୀରେ ଡାକ୍ତରବାବୁଙ୍କ ଚେମ୍ୱର ଭିତରୁ ବାହାରି ଆସିଲା ମଧୁ । ଗଛ ଉପରେ ଆଉଜି ଶୂନ୍ୟକୁ ଅନେଇଥିଲା ଯମୁନା । ତା’ ପାଖରେ ବସିପଡ଼ିଲା ମଧୁ । କିଛି କହିଲାନାହିଁ । ଯମୁନାରେ ଶେତା ପଡ଼ିଯାଇଥିବା ହାତଟାକୁ ଧରି କହିଲା, ଚାଲ ଯିବା ।

 

ଯମୁନା ସବୁ ବୁଝିବା ପାଇଁ ଚେଷ୍ଟା କଲେ ବି ପାରେନାହିଁ । ବେଶି ସମୟ ଗୋଟିଏ କଥା ଭାବିଲେ ମଥାଟା ଝିମ୍‌ ଝିମ୍‌ କରେ । ଆଗରୁ ଟିକେ ସାହାଯ୍ୟ କଲେ ଗୋଟେ ଗୋଟେ ଚାଲି ଆସୁଥିଲା । ଏବେ ଆଉ ପାରୁନାହିଁ । ଧରିଦେଲେ ଉଠେ, ବସେଇଦେଲେ ବସେ । ଟାଣି ଓଟାରି ଚାଲିଚି ଜୀବନ । କୋଉ ମୁହୂର୍ତ୍ତରେ କେଉଁଠି ଅଟକିଯିବ କିଏ ଜାଣେ । ବଡ଼ ଲୋକମାନଙ୍କୁ ବୋହିନବା ପାଇଁ ସିନା ଯାନବାହନର ପର୍ଯ୍ୟାପ୍ତ ବ୍ୟବସ୍ଥା; କିନ୍ତୁ ଗରିବକୁ ବୋହିନବା ପାଇଁ ତାର ନିଜର ପାଦ ଦୁଇଟି । ସେତକ ନଥିଲେ ତାର ବଞ୍ଚିବା ନିରର୍ଥକ । ପାଦରେ ଚାଲି, ହାତରେ କାମ କରି ଜୀବନଟାକୁ ଆଗେଇନିଏ ସେ । ତା’ ପାଇଁ ତ କବର ଗଢ଼ା ହୁଏନାହିଁ, ସ୍ମୃତିସ୍ତମ୍ଭ ନିର୍ମାଣ ହୁଏନାହିଁ । ଜୀବନଟା ଧୂଳି ମାଟି ସହିତ ମିଶିଯାଇ ପୃଥିବୀର ସମ୍ପଦ ହୋଇଯାଏ । ତା’ର ଦୀର୍ଘଶ୍ୱାସ ଠୁଳହୋଇ ଅଣଚାଶ ପବନ ବୋହିଯାଏ । ଧନୀର ଦୁନିଆର ରଙ୍ଗ ଅନେକ । ଗରିବର ଦୁନିଆରେ ରଙ୍ଗଟା କେବଳ ଧୂସର । ରଙ୍ଗ ବଦଳେନାହିଁ ସେଠାରେ ।

 

ଯମୁନା ସ୍ୱାମୀ ଉପରେ ଭରାଦେଇ ଉଠିବାକୁ ଚେଷ୍ଟାକଲା । ମଧୁ ତାକୁ ଉଠେଇନେଲା ପିଠି ଉପରେ । ଯମୁନା ଡାକ୍ତରବାବୁଙ୍କ ତିନିମହଲା କୋଠାଟିକୁ ଦେଖିଲା ମନଦେଇ । ପୂର୍ବଜନ୍ମର ତପସ୍ୟାର ଫଳ । ପ୍ରାରବ୍‌ଧ ଭୋଗୁଚି ସେ । ମଧୁ ତାକୁ ସାନ୍ତ୍ୱନା ଦବା ଭଙ୍ଗୀରେ କହିଲା, ସାହସ ହରାନା ଯମୁନା ! ସାହସ କମିଗଲେ ରୋଗ ମାଡ଼ିବସେ । ଚିକିତ୍ସା ସାହାଯ୍ୟ କରେ ଲଢ଼ିବା ପାଇଁ ରୋଗ ସହିତ । ଯୁଝିବାର ଇଚ୍ଛାଟା ନିଜର । ହତାଶ ହ’ନା ଲୋ ଯମୁନା । ସାଙ୍ଗ ହୋଇ ସଂସାର ଆରମ୍ଭ କରିଥିଲେ, ସାଙ୍ଗ ହୋଇ ରୋଗ ସାଙ୍ଗରେ ଲଢ଼ିବା ।

 

ଯମୁନାକୁ ପିଠିରେ ପକେଇ ଆଗେଇ ଚାଲେମଧୁ ।

 

ବସାକୁ ଫେରି ଯମୁନାକୁ ଶୁଆଇଦେଇ ଭାତ ମୁଠେ ପାଇଁ ପାଣି ବସେଇଲା ଚୁଲିରେ । ପେଟ ବୋଲି ମାନେନା ମୁଠେ ନ ଖାଇଲେ । ଘରୁ ଚାଉଳ କିଛି ଆଣିଥିଲା । ସେଇତକ ସରିନାହିଁ-। ଶାଗ କେରାଏ ବା ବାଇଗଣ ଯୋଡ଼େ ପୋଡ଼ିଦେଲେ ଭାତ ଉଠିଯାଏ । ଯମୁନା ପେଟକୁ ଦାନା ଯାଏ ନାହିଁ ବୋଲି ସାଗୁଦାନାର କ୍ଷୀରି ବା ପେଜରୁ ଟିକେ ଖୁଆଇଦିଏ ମଧୁ । ଏତକରେ ହଉନାହିଁ, ଦିନକୁ ଦିନ ଶୁଖି ଯାଉଚି ଯମୁନା ।

 

ରଘୁ କିଲଟରୀ ଅଫିସରୁ ଫେରି ମଧୁକୁ ସାହସ ଦିଏ । ଫଳମୂଳ ଭଲ ମଣିଷ ଆଣି ଯମୁନକୁ ଖୁଆଇବା ପାଇଁ ପ୍ରବର୍ତ୍ତାଏ । ମଧୁ କହେ, ଆମ୍ୱ, ସପୁରି, ପଣସ, ପିଜୁଳି, କିଛି ତ ପେଟକୁ ସହୁନାହିଁରେ ରଘୁ ! ଜିଭଟା ସିଝିଗଲାଣି, ସବୁ ଅରୁଚି ।

 

ରଘୁ ମୁରବିପଣିଆ ଦେଖେଇ କହେ, ଏଗୁଡ଼ା ଦେଶୀ ଫଳ । ବିଲାତି ଫଳ ଖାଇବାକୁ ଦେ । ଆପେଲ, ଅଙ୍ଗୁର, କମଳା, ମୁସମ୍ୱି, ବେଦାନା ନ ଖାଇଲେ ଦେହରେ ରକ୍ତ ହବନାହିଁ । ଭିତରଟା ଖାଇ ଶୁଖିଯିବ ।

 

ଅଙ୍ଗୁର ଆପେଲ କେବେ ଖାଇନାହିଁ ମଧୁ । ବେଦାନା ଚିହ୍ନେ ନାହିଁ । ଡାଳିମ୍ୱ କଥା ଶୁଣିଚି । ବାଡ଼ିରେ ଗୋଟେ ଗଛ ଅଛି ଯେ ଫୁଲ ଫୁଟି କସି ଧରିଚି ଏବେ । କମଳାଗୁଡ଼ାକ ଟଙ୍କାକୁ ଦୁଇଟା । ତଥାପି ସକାଳହେଲେ ଟଙ୍କାକର କମଳା ଆଣି ଯମୁନା ମୁହଁରେ ରସଦେବ ଟିକେ । ଜିଭକୁ ଭଲ ଲାଗିବ ଖଟାମିଠାର ସୁଆଦ ।

 

ଖାଇସାରି ଯମୁନା ଉପରେ ଚଦରଟାଏ ଘୋଡ଼େଇ ଦେଇ ପାଖରେ ଦଣ୍ଡେ ବସେ ମଧୁ-। ଯମୁନା ଶୋଇପଡ଼ିଲେ ସେ ପିଣ୍ଡାତଳକୁ ଯାଇ ଆକାଶକୁ ଅନାଏ । ତା’ ଓଠ ଥରିଉଠେ-। ସେ ମନକୁ ମନ ପ୍ରାର୍ଥନା କରେ, ହେ ଈଶ୍ୱର ! ହେ ଦୟାମୟ ! ଯମୁନାକୁ ଲଢ଼ିବା ପାଇଁ ବଳ ଦିଅ...ଭଲ ହୋଇଯିବା ପାଇଁ ଔଷଧ କହିଦିଅ.... ।

 

ଯମୁନାର ହାତ ଧରି ଦଶବରଷ ତଳେ ବାହାହୋଇଥିଲା ମଧୁ । କୋଳରେ କେହି ରହିଲେ ନାହିଁ । ଦୁଇଥର ଗର୍ଭ ନଷ୍ଟ ହୋଇଗଲା ପରେ ଭାଙ୍ଗପଡ଼ିଲା ଯମୁନା । ତା’ପରେ ଏଇ ରୋଗ । ଯମୁନା ଏତେ ଭଲ, ସବୁ କାମକୁ ବାଘୁଣୀ; ଅଥଚ ତାକୁ ରୋଗରେ ଶୁଖାଇଦେଲେ ଭଗବାନ । ମଧୁ ହାତଯୋଡ଼ି ଅଦୃଶ୍ୟଶକ୍ତିକୁ ମିନତି କରେ ଥରକୁ ଥର ।

 

ଡାକ୍ତରବାବୁଙ୍କ ବଢ଼ତି ହଉ । ଧନଜନ ଗୋପଲକ୍ଷ୍ମୀ ଚତୁର୍ବର୍ଗ ଫଳ ପ୍ରାପ୍ତି ହଉ । ହାତଯଶ ଅକ୍ଷୁଣ୍ଣ ରହୁ । ତାଙ୍କୁ କୋଟି ପରମାୟୁ ଦିଅନ୍ତୁ ଭଗବାନ । ସେ କେତେ ଲୋକଙ୍କର ଚିକିତ୍ସା କରୁଚନ୍ତି, କେତେ ରୋଗ ଭଲ କରୁଚନ୍ତି । ଯମୁନାକୁ ବି ସେ ଭଲ କରିଦେବେ । ରୋଗମୁକ୍ତ ହୋଇ ଆଉ ଥରେ ନୂଆକରି ଦୁନିଆକୁ ଦେଖିବ ଯମୁନା, ଜୀବନର ଜଞ୍ଜାଳଗୁଡ଼ାକୁ ହସି ଖେଳି ଘୋଷାରିନବ ରାସ୍ତାରେ ।

 

ବାହା ବେଦିରେ ଯମୁନାର ଆଙ୍ଗୁଳିରେ ଆଶୀର୍ବାଦ ସନ୍ତକ ରଖି ସନା ମୁଦିଟିଏ ପିନ୍ଧେଇଦେଇଥିଲା ମଧୁର ବାପ । ଘଷି ମାଜି ହୋଇ ସେଇ ମୁଦିଟା ପତଳା ହୋଇଗଲାଣି । ମୁଦିଟା ଉପରେ ଖୁବ୍‌ ଲୋଭ ଯମୁନାର । କେବେ ଖୋଲେନାହିଁ ଆଙ୍ଗୁଳିରୁ । ପଅରଦିନ ତାର ଖାଲି ଆଙ୍ଗୁଳି ଦେଖି ଆଶଙ୍କାରେ ଶିହରି ଉଠିଥିଲା ମଧୁ । ବହୁ ଖୋଜାଖୋଜି ପରେ ପିଣ୍ଡାତଳୁ ଗୋଟେଇ ଆଣିଥିଲା ସେ । ରୋଗ ସହି ଦେହ ଶୀର୍ଣ୍ଣ ହୋଇଯାଇଚି ବୋଲି ହୁଗୁଳା ହୋଇଯାଇଚି ମୁଦିଟା । କାଳେ ହଜିଯିବ ବୋଲି ତା’ ହାତକୁ ବଢ଼େଇଦେଇ କହିଲା ଯମୁନା, ଯତ୍ନ କରି ରଖିଦିଅ ।

 

ସେଇ ମୁଦିଟାକୁ ଛୋଟିଆ ଟିଣ ବାକ୍‌ସ ଭିତରେ ସାଇତି ରଖିଚି ମଧୁ । ମୁଦିଟା ଠିକ୍‌ ଜାଗାରେ ଅଛି କି ନାହିଁ ପୁଣି ଆଉଥରେ ଅଣ୍ଡାଳି ଅଣ୍ଡାଳି ଦେଖିନେଲା ସେ । ମୁଦିଟାକୁ ଯଥାସ୍ଥାନରେ ରଖିଦବା ପରେ ସାହସ ବଢ଼ିଗଲା । ହଠାତ୍‌ ବୁଦ୍ଧି ଦେଖାଗଲା । ସେଇ ମୁଦିଟା ବିକିଦେଲେ କେତେ ଟଙ୍କା ନିଶ୍ଚୟ ମିଳିଯିବ । ତା’ବାପ ଶହେ ଟଙ୍କାରେ କିଣିଥିଲା । ଘଷି ମାଜି ସରୁ ହୋଇଯାଇଥିଲେ ବି ଦର ବଢ଼ିଥିବା ଯୋଗୁ ସେତିକି ଆହୁରି ବେଶି ଦାମ ହବ । ମନରେ ଗୋଟିଏ ଯୋଜନା କଲା ମଧୁ । ଯମୁନାକୁ ନ କହି ବଣିଆ ଦୋକାନରେ ମୁଦିଟାକୁ ବିକିଦେଇ ଟଙ୍କା ଆଣି ଡାକ୍ତରବାବୁଙ୍କ ପୂରା ଟଙ୍କାଟା ଦବାପାଇଁ ନିଷ୍ପତ୍ତି ନେଲା ।

 

ଯମୁନାର ଅବର୍ତ୍ତମାନକୁ ସେ କଳ୍ପନା କରିପାରେନାହିଁ । ତାକୁ ଛାଡ଼ି ଦେଇ ଯମୁନାକୁ ଚାଲିଯିବା ପାଇଁ ସେ ଦବନାହିଁ । ଯମୁନା ତା’ଠାରୁ ବୟସରେ ସାତ ବରଷର ସାନ । ଏଇ ଅଳ୍ପ ବୟସରେ ସଂସାର ଛାଡ଼ି କେହି ଯାଏ ? ମଧୁ ମନକୁ ଖୁବ୍‌ ଟାଣ କରେ, ଛାତି ତଳର ଜମାଟବନ୍ଧା କୋହକୁ ଚାପି ରଖ ଅନ୍ଧାରରେ ଯମୁନାର ଦେହ ଉପରେ ହାତ ବୁଲାଇଆଣେ । ତା’ ନାକ ପାଖରେ ହାତ ରଖି ପବନର ଗତି ବୁଝେ, ଛାତି ଉପରେ କାନ ଲଗାଇ ସ୍ପନ୍ଦନ ଶୁଣେ । ନିଃଶ୍ୱାସ ପ୍ରଶ୍ୱାସ ରହି ରହି ଯିବା ଆସିବା କରେ ବୋଲି ସଂଶୟ ହୁଏ ମନରେ । କାଳେ ଯମୁନା ଏକା ହୋଇଯିବ ବୋଲି ଅନିଦ୍ରାରେ ତା’ ବିଛଣା ଉପରେ ବସି ରୁହେ ।

 

କିନ୍ତୁ କେତେବେଳେ ଆଖିପତା ଯେ ମୁଦି ହୋଇଯାଏ ତା’ ଜାଣିପାରେ ନାହିଁ ମଧୁ ।

 

ପୃଥିବୀ ବି ଶୋଇଯାଏ ଟିକେ । ଅସଂଖ୍ୟ ଦୁଃଖୀ, ଦୁର୍ବଳ, ଅକ୍ଷମ ମଣିଷମାନଙ୍କର ରହି ରହି ଯିବା ଆସିବା କରୁଥିବା ଶ୍ୱାସ ପ୍ରଶ୍ୱାସର କରୁଣ ଝଙ୍କାର ପୃଥିବୀକୁ ଆହୁରି ଭୟଙ୍କର କରିଦିଏ-। ପ୍ରତି ମୁହୂର୍ତ୍ତରେ ଯନ୍ତ୍ରଣାରେ ଅସ୍ଥିର ସେହି ମଣିଷମାନଙ୍କର ଦୀର୍ଘଶ୍ୱାସର ସାଇଁ ସାଇଁ ଶବ୍ଦ ଭାସିବୁଲେ ପବନରେ । ଜୀବନ ସହିତ ଲଢ଼ୁ ଲଢ଼ୁ ହାରିଗଲେ ସେମାନେ କାନ୍ଦନ୍ତି ନାହିଁ ବୋଲି ସେମାନଙ୍କ ଚିତାଗ୍ନି ହୁ-ହୁ ହୋଇ ଜଳେ । ଯେଉଁମାନଙ୍କ ମୋହ ବେଶି, ସେମାନଙ୍କର ଶବକୁ ପୋଡ଼ିବା ପାଇଁ ଚନ୍ଦନ କାଠ, ଧୂପ, ଝୁଣା, ଗୁଆ ଘିଅର ପ୍ରୟୋଜନ ହୁଏ ।

 

ନିଦ ଭାଙ୍ଗିଯାଏ ମଧୁର ବୁଲା କୁକୁରର ଶବ୍ଦ ଶୁଣି । ବିଲେଇ ଦୁଇଟା କଳିକରି ମାଡ଼ି ଆସନ୍ତି ଆଗକୁ । ହ୍ୟାତ୍‌ ହ୍ୟାତ୍‌ କରି ହଟେଇଦିଏ ସେମାନଙ୍କୁ । ତା’ପରେ ଯମୁନାର ଛାତି ଉପରେ ଛେପ ଥୁକି ହାତ ବୁଲେଇ ଆଣେ ତା’ ଉପରେ ।

 

ଆଉ ନିଦ ହୁଏନାହିଁ । କେଜାଣି କାହିଁକି ଆଶଙ୍କାରେ ଶିହରି ଉଠେ ହୃଦୟ । ସେ ଦୁର୍ବଳ ହୋଇଯାଏ । କପାଳରୁ ଝାଳ ଝରେ । ଗାମୁଛାରେ ମୁହଁ ପୋଛି ଯମୁନା ଉପରେ ଗାମୁଛାଟା ପଙ୍ଖାକଲା ଭଙ୍ଗୀରେ ବୁଲାଇଦିଏ କେତେ ଥର । ଯମୁନା ଗରମରେ ଶୋଇପାରେ ନାହିଁ । ଟିକେ ପବନ ବାଜିଲେ ଆରାମ ଲାଗିବ ଦେହକୁ ।

 

ଯମୁନା ସେହିପରି ଶୋଇ ରହେ । ନିର୍ବାକ୍‌ ନିଦ୍ରିତା ପୃଥିବୀର ନିଃସହାୟ ରୂପକୁ ଦେଖେ ମଧୁ । ସମସ୍ତେ ଯେପରି ମୂକ, ଅର୍ଥବ, ଅକ୍ଷମ ହୋଇ ଯାଇଚନ୍ତି । ଧନୀ, ଗରିବ, ବୁଢ଼ା, ପିଲା, କେହି ନିଜ ଆୟତ୍ତରେ ରହନ୍ତିନାହିଁ । ନିଦ ବୋଧହୁଏ ମୃତ୍ୟୁ ପରି । ଚେଇଁଥିବା ମଣିଷ ହିଁ ଜୀବନ । ତାହାରି କୋଳାହଳରେ ପୂର୍ଣ୍ଣ ହୁଏ ପୃଥିବୀ, ବ୍ୟସ୍ତତାଦ୍ୱାରା ଭିଡ଼ ଜମେ ରାସ୍ତା ଉପରେ, ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ପ୍ରତିଯୋଗିତା କରେ ।

 

ମଧୁ ଯମୁନା ସହିତ ପଛରେ ପଡ଼ିଯାଇଚି ବୋଲି କ୍ଷୋଭ କରେନାହିଁ । ସବୁ ସଜାଡ଼ି ନବାପାଇଁ ଏବେ ବି ଅନେକ ସମୟ ଅଛି । ସକାଳ ହବାପରେ ଯମୁନାକୁ ଘରେ ଛାଡ଼ି ବଜାରକୁ ଚାଲିଲା ମଧୁ । ଫେରୁ ଫେରୁ ଟିକେ ଡେରି ହୋଇଗଲା । ସେଦିନ ଆଉ କାନ୍ଧରେ ବା ପିଠି ଉପରେ ଯମୁନାକୁ ବୋହି ନ ନେଇ ଗୋଟେ ରିକ୍‌ସାରେ ଦୁହେଁ ବସିଲେ । ଯମୁନା ପ୍ରସନ୍ନ ହୋଇ କହିଲା, ଲୋକେ ଦେଖିଲେ କିଛି ମନେ କରିବେ ନାହିଁ ?

 

ତା ପିଠି ଉପରେ ହାତ ବୁଲାଇ ଆଣି କହିଲା ମଧୁ, ଆମେ ତ ମେଳା ମଉଛବକୁ ଯାଉନୁ । ଆଉ ଗଲେ ବା କ୍ଷତି କଅଣ ଯେ ? ଦେଖୁନୁ, ବାବୁ ବାବୁଆଣୀମାନେ କିମିତି ହାତ ଧରାଧରି ହୋଇ ଦେହକୁ ଦେହ ଲଗେଇ ଚାଲିଚନ୍ତି ରାସ୍ତାରେ । ଆଜି ଦିନଟା ଖୁବ୍‌ ମନେ ରହିବ ଲୋ ଯମୁନା ।

 

ଯମୁନାକୁ ଲାଜ ଲାଗୁଥାଏ ସ୍ୱାମୀ ସହିତ ରିକ୍‌ସାରେ ବସି ଯିବା ପାଇଁ । ତା’ ଓଠର ସରସତା ଟିକକ ଦେଖି ମଧୁର ଅନ୍ତର ଭିରତଟା କୁରୁଳି ଉଠିଲା । ସେ ଖୁସି ହୋଇ କହିଲା, ସହରକୁ ତୋତେ ଆଣିଲି ସିନା, ହେଲେ କିଛି ଦେଖାଇ ପାରିଲିନାହିଁ, କିଛି ଖୁଆଇ ପାରିଲିନାହିଁ ।

 

ଯମୁନା କହିଲା, ଭଲ ହୋଇଯାଏ; ବଜାରରୁ ଗୁଡ଼, ନଡ଼ିଆ ଆଣିବ ଯେ ପୁର ମଣ୍ଡା କରି ଖୁଆଇବି, ରଘୁ ଭାଇଙ୍କୁ ବି ଖୁଆଇବ ।

 

ରିକ୍‌ସା ପରି ମଧୁର ସଂସାରଟା ହଠାତ୍‌ ଦୌଡ଼ିବା ପାଇଁ ଆରମ୍ଭ କରିଦେଲା ।

 

ଡାକ୍ତରବାବୁଙ୍କ ଚେମ୍ୱର ଆଗରେ ଯମୁନାକୁ ରିକ୍‌ସାକୁ ଓହ୍ଲାଇ ରିକ୍‌ସାବାଲା ହାତରେ ଆଠଅଣିଟିଏ ଗୁଞ୍ଜିଦେଇ ଯମୁନାକୁ ବୋହିଆଣି ଏକାବେଳକେ ବାରନ୍ଦାରେ ବସେଇଲା । ତା’ପରେ କମ୍ପାଉଣ୍ଡର ବାବୁଙ୍କ କାନରେ ଫିସ ଫିସ୍‌ କରି କହିଲା ମଧୁ, ସବୁ ବ୍ୟବସ୍ଥା କରିଚି ବାବୁ । ଆଜି ଡାକ୍ତରବାବୁଙ୍କୁ କହି ଯମୁନାକୁ ଟିକେ ଦେଖେଇଦିଅ ।

 

ତା ମୁହଁକୁ ଚାହିଁଦେଇ ତା’ ହାତରୁ ପୁଟୁଳାଟି ନେଇ ଚେମ୍ୱର ଭିତରକୁ ପଶିଗଲେ କମ୍ପାଉଣ୍ଡର । ତା’ପରେ ଚେମ୍ୱର ଭିତରକୁ ଯମୁନାକୁ ନେଇଗଲା ମଧୁ । ଗଡ଼ ଜିଣିବା ପରି ମନେହେଉଥାଏ ତାର ।

 

ଡାକ୍ତରବାବୁ ସବୁ ଶୁଣିଲେ, ହାତରେ ରବରର ଖୋଳ ଲଗାଇ ପେଟ, ପିଠି, ଜିଭ ସବୁ ଦେଖିଲେ । ତା’ପରେ କହିଲେ–

 

ସବୁ ରୋଗର ଔଷଧ ଅଛି, ସବୁ ରୋଗୀର ଚିକିତ୍ସା ଅଛି । ସବୁ ଠିକ୍‌ ହୋଇଯିବ । ଭର୍ତ୍ତି କରିଦିଅ ଡାକ୍ତରଖାନାରେ । ଟ୍ୟୁମ୍‌ର । ଅପରେସନ ନ କଲେ କ୍ୟାନସର ହୋଇଯିବ । ଶୀଘ୍ର ଶୀଘ୍ର ସବୁ ବ୍ୟବସ୍ଥା କର ।

 

କାଗଜରେ ନିଦାନ ଲେଖିଦେଲେ । ଡାକ୍ତରଖାନାରେ ଭର୍ତ୍ତି ହବାପାଇଁ ଆଦେଶପତ୍ର ବି ଦେଲେ । ମଧୁ କୃତକୃତ୍ୟ ହୋଇ କହିଲା, କୋଟି ପରମାୟୁ ଦିଅନ୍ତୁ, ଈଶ୍ୱର, ହାତଯଶ ଆହୁରି ବଢ଼ୁ, ଆହୁରି ବଢ଼ତି ହେଉ.... ।

 

ମଧୁ ଆଉ ପାଦରେ ଚାଲି ଚାଲି ନ ଫେରି ଯମୁନାକୁ ପୁଣି ଗୋଟେ ରିକ୍‌ସାରେ ବସେଇ ଫେରିଲା ବସାକୁ । ଆଜି ସେ ଅନୁଭବ କରୁଥିଲା ଯେ ରାସ୍ତାଟା ଖୁବ୍‌ ପ୍ରଶସ୍ତ ଏବଂ ମସୃଣ-। କେତେବେଳେ ରାସ୍ତା ଶେଷ ହୋଇ ରଘୁର ଘର ଆଗରେ ପହଞ୍ଚିଗଲା ଜାଣି ବି ପାରିଲା ନାହିଁ-

 

ତା’ପରଦିନ ବଡ଼ ଡାକ୍ତରଖାନାରେ ଯମୁନାକୁ ଭର୍ତ୍ତି କରି ଗଡ଼ ଜିଣିବାର ଆନନ୍ଦ ପାଇଲା ମଧୁ । ଖଟ ନ ମିଳୁ, ଭୂଇଁ ଉପରେ ଜାଗା ଖଣ୍ଡେ ମିଳିଚି ତ ! ତଳେ ଶୋଇବା ପାଇଁ କଅଣ କମ୍‌ ପ୍ରତିଯୋଗିତା ! ଆହୁରି କେତେଜଣ ବି ତଳେ ଶୋଇଥିଲେ । ଜାଗାଟି ସଫା କରି ସତରଞ୍ଜି ପକେଇ ଯମୁନାକୁ ଶୁଆଇଦେଲା ମଧୁ । ଟିକେ ଦୂରରେ ରୋଗୀମାନଙ୍କର ପରିତ୍ତ୍ୟକ୍ତ ଆହାର ଭୋଜନକରି ଅଳସରେ ହାଇ ମାରୁଥିଲା ବୁଲା କୁକୁରଟିଏ ।

 

ଖଟ ଉପରେ ଶୋଇଥିବା ରୋଗୀମାନଙ୍କୁ ନିରେଖି ନିରେଖି ଦେଖିଲା ମଧୁ, ଭାଗ୍ୟବାନ ସେମାନେ, ଆଗରୁ ଆସି ଜାଗା ଦଖଲ କରି ନେଇଚନ୍ତି ।

 

ରୋଗୀମାନଙ୍କ ପରି ରୋଗର ବି ଅନେକ ନାମ । ଡାକ୍ତରଖାନାର ପ୍ରତି ଅନ୍ଧିସନ୍ଧିରେ ମରଣ ସହିତ ଲଢ଼େଇ ଚାଲେ ଜୀବନର । ରୋଗରେ ସଢ଼ି ବି ହାର ନମାନି ଲଢ଼େ ମଣିଷ ।

 

ରୋଗୀମାନଙ୍କୁ ଦେଖି ଶଙ୍କିଗଲା ମଧୁ । କାହା ନାକରୁ ନଳ ଲାଗିଥିଲା ତ ଆଉ କାହାର ଅଣ୍ଟା ପାଖରେ ଛୁଞ୍ଚି ଫୋଡ଼ା ହୋଇ ଟଙ୍ଗା ହୋଇଥିବା ବୋତଲ ସହିତ ଯୋଡ଼ି ଦିଆଯାଇଥିଲା । କାହାର ସର୍ବାଙ୍ଗରେ ପ୍ଳାଷ୍ଟର । ଆଉ କିଏ ନିଭିଆସୁଥିବା ଜୀବନର ଜ୍ୟୋତିକୁ ନିରୀକ୍ଷଣ କରି ଆଶଙ୍କା ଏବଂ ଆକୁଳତାରେ ବିବର୍ଣ୍ଣ ଦିଶୁଥିଲା ।

 

ମଧୁ ଯମୁନା ପାଖରେ ବସିପଡ଼ି ପଚାରିଲା, ଡର ଲାଗୁଚି ?

 

ଯମୁନା ମୁହଁ ହଲାଇ ନାଁ କଲା । ତା’ପରେ ମଧୁ ତାକୁ ସାହସ ଦେଇ କହିଲା, ରାତିରେ ମୋତେ ଏଇ କୋଠରିରେ ରହିବାକୁ ଦେବେନି ଲୋ ଯମୁନା । ସେଇ ବାରନ୍ଦାରେ ଅପେକ୍ଷା କରିବି ମୁଁ । ଦେହଟା ସିନା ଥିବ ସେଠାରେ, ମନଟା ଥିବ ତୋହରି ପାଖରେ । ଦରକାରବେଳେ ତୁଣ୍ଡ ଶୁଣେଇବୁ । ଦିନରାତି ହଜିଯାଏ ବଡ଼ ଡାକ୍ତରଖାନାର ବାରନ୍ଦାରେ । କେତେ ଯିବା ଏବଂ ଆସିବା । କିଏ ଫେରେ ଘରକୁ ତ ଆଉ କେହି ଯାଏ ମଶାଣିକୁ ।

 

ଯମ ସହିତ ଦେଖାହେଲେ ସେ ସହଜରେ ତାକୁ ଛାଡ଼ନ୍ତାନାହିଁ । ସେ ଜୀବନରେ କାହାକୁ ଠକିନାହିଁ କି ଭଣ୍ଡିନାହିଁ । ପର ସମ୍ପଦ ଉପରେ କେବେ ଆଖି ପକେଇ ନାହିଁ । ନିଜ ପାଦରେ ଚାଲୁଥିଲା ସେ । ତାକୁ ଅଡ଼ୁଆରେ ପକେଇ ଦେଇ ଲାଭ କଅଣ ପାଇବ ?

 

ମଧୁ ସବୁ ରୋଗୀଙ୍କୁ ଅନାଏ, ସଭିଙ୍କ ପାଇଁ ଈଶ୍ୱରଙ୍କ ପାଖରେ ମିନତି କରେ । ଯମୁନା ଭଲହୋଇଯାଉ, ସମସ୍ତେ ଭଲ ହୋଇଯାଆନ୍ତୁ । ନିରାମୟ ପୃଥିବୀର ଶୁଦ୍ଧ ସୁବର୍ଣ୍ଣ ପରି ରୂପ । ସେଇ ରୂପଟିକୁ ଦେଖିବା ପାଇଁ ବଡ଼ ବ୍ୟାକୁଳ ହୁଏ ହୃଦୟ ।

 

ଡାକ୍ତରବାବୁ ୱାର୍ଡ଼ ଭିତରକୁ ଆସି ସବୁ ରୋଗୀଙ୍କ ଉପରେ ଆଖି ବୁଲେଇଗଲେ । ଯମୁନା ପାଖରେ ବି ମୁହୂର୍ତ୍ତେ ଛିଡ଼ାହୋଇ ସାନ ଡାକ୍ତରଙ୍କୁ କଅଣ କହିଲେ । ସେ ଚାଲିଯିବାପରେ ପାଖକୁ ଆସି କହିଲା ମଧୁ, ତୋ ପାଇଁ ଅଧିକ ଯତ୍ନ ନଉଚନ୍ତି ଲୋ ଯମୁନା, ତୁ ଶୀଘ୍ର ଭଲହୋଇଯିବୁ ।

 

ଭରସା ପାଇ କଡ଼ ଲୋଉଟାଏ ଯମୁନା ।

 

ତଳେ ଶୋଇଥିବା ରୋଗୀମାନଙ୍କ ଥାଳିରେ ଖାଦ୍ୟ ପରଶିବାବେଳକୁ କୁକୁରଟା ହାଉଁ ହାଉଁ କରେ । ଆଉ ଦୁଇଟା ବୁଲାକୁକୁର ବି ଦଉଡ଼ି ଆସନ୍ତି ସମୟ ଉଣ୍ଡି । ଝଗଡ଼ା ଲାଗିଯାଏ ସେମାନଙ୍କ ମଧ୍ୟରେ । ହଠାତ୍‌ ତା’ ଆଡ଼କୁ ମାଡ଼ି ଆସୁଥିବା କୁକୁରଟାକୁ ଦେଖି ହାଉଳି ଖାଇ ରଡ଼ି ଛାଡ଼େ ଯମୁନା । ଧାଈ ପହଞ୍ଚିଯାଇ କୁହେ, ଏଡ଼େ ଯୁଆନ ପିଲାଟାଏ, କୁକୁରଟାକୁ ଦେଖି ଡରିଯାଉଚି ? ଛି, ଛି.... ।

 

ମଧୁ ସାହସ ଦିଏ ଯମୁନାକୁ । ବୁଲାକୁକୁର ହେଲେ ବି କାମୁଡ଼ା କୁକୁର ନୁହେଁ । ଅଇଁଠା ଖାଇ ପୋଷା ମାନିଚି ।

 

ମଣିଷ ସହିତ କୁକୁର, ମୂଷା, ଅସରପା ସହାବସ୍ଥାନ କରନ୍ତି ଡାକ୍ତରଖାନାର ୱାର୍ଡ଼ ଭିତରେ । ଏକା ଆହାରରେ ଚଳିଯାଏ ସମସ୍ତଙ୍କର । ମଣିଷମାନେ ସିନା ରୋଗ ଯନ୍ତ୍ରଣାରେ ମୁହଁମାଡ଼ି ପଡ଼ି ରହନ୍ତି, ସେମାନେ କିନ୍ତୁ ନିର୍ଭୟ ଓ ନିଶ୍ଚିନ୍ତ ହୋଇ ବିଚରଣ କରନ୍ତି ସେଠାରେ ।

 

ମଧୁ ଅସ୍ଥିର ହୁଏ । ଯମୁନାର ଅପରେସନ ପାଇଁ ଦିନ ନିର୍ଦ୍ଦିଷ୍ଟ ହୋଇପାରୁନଥିବା ଯୋଗୁଁ ଶିଥିଳ ହୋଇଯାଏ ମନ । ଗୋଟିଏ ତିନୋଟି ଅପରେସନ ତାରିଖ ଚାଲିଗଲା । ଯମୁନା ଯନ୍ତ୍ରଣାରେ ଅପେକ୍ଷା କରି ରହିଲା ରୋଗରୁ ନିଷ୍କୃତି ପାଇଁ । ମଧୁ ଦଉଡ଼ିଲା ଡାକ୍ତରବାବୁଙ୍କ ପାଖକୁ-। ତାଙ୍କ ପାଦ ଦୁଇଟିକୁ ଜାବୁଡ଼ି ଧରି ନିବେଦନ କଲା । ଡାକ୍ତରବାବୁ ବିରକ୍ତିମିଶା ସ୍ୱରରେ କହିଲେ, ଏତେ ବ୍ୟସ୍ତ କାହିଁକି ? ସବୁ ବ୍ୟବସ୍ଥା ସାରିନିଅ । ସମୟ ତ ପଳେଇ ଯାଉନାହିଁ ।

 

ମଧୁ କିଛି କହି ପାରେନାହିଁ । ତଣ୍ଟି ଶୁଖିଯାଏ, ଜିଭ ଅଠା ଲାଗେ । ମଧୁ ସେଦିନ ବି ଡାକ୍ତରବାବଙ୍କୁ ଭେଟିଲା । ଗାଡ଼ି ଭିତରକୁ ପଶିଯିବା ଆଗରୁ ଦରଜା ପାଖରେ ତାଙ୍କ ପାଦ ଧରି ପକେଇ କାନ୍ଦି ପକେଇଲା । ସମୟ ନଥିଲା ଡାକ୍ତରବାବୁଙ୍କର । ଧୂଆଁ ଛାଡ଼ି ଗାଡ଼ି ଚଳେଇ ଚାଲିଗଲେ ସେ ।

 

ମଧୁକୁ ଉଠେଇ ତା’ କାନ୍ଧ ଉପରେ ହାତ ରଖି କହିଲା ଗୋଟେ ପାଗଳ, ଇମିତି ଭକୁଆ ହୋଇ ଚାହିଁଚି ଯେ.... । ବୁଝିପାରିଲ ନାହିଁ ? ବ୍ୟବସ୍ଥା କର । ତାଙ୍କ ପାଉଣା ହଜାରେ ଟଙ୍କାଟା ଆଗ ଉଠେଇଦିଅ ତାଙ୍କ ହାତକୁ । ବ୍ୟବସ୍ଥା କରିବା ପାଇଁ ଯେତିକି ଡେରି କରିବ ସେତିକ ଗୋଟିଏ ପରେ ଗୋଟିଏ ଅପରେସନର ତାରିଖ ତମାଦି ହୋଇଯିବ ।

 

ନିଜ କାମକୁ ବିଶ୍ୱାସ କରି ନ ପାରି ମଧୁ କହିଲା, ହଜାରେ ଟଙ୍କା ?

 

ସେଇ ପାଗଳର ପୁଅ ବି ଅପେକ୍ଷା କରୁଥିଲା ଡାକ୍ତରଖାନାରେ । ଦିନ ପରେ ଦିନ ଗଡ଼ି ଚାଲିଚି; କିନ୍ତୁ ଅପରେସନ ତାରିଖ ପଡ଼ୁନାହିଁ । ସମୟ ସାଙ୍ଗରେ ତାଳ ଦେଇ ବଢ଼ି ବଢ଼ି ଚାଲିଚି ସେଇ ପିଲାଟିର ପ୍ଳୀହା । ଆଉ ବୋଧେ ବଂଚିବ ନାହିଁ; କିନ୍ତୁ ମୃତ୍ୟୁ ନିଶ୍ଚିତ ଜାଣି ବି ସେ ତ ପଳେଇଯାଇ ନାହିଁ । ଭଲ ଲୋକଟା ପୁଅ ପାଇଁ ପାଗଳ ପରି ବୁଲୁଚି । ସେ ବି ଅପେକ୍ଷା କରୁଚି ପୁଅର ଅନ୍ତିମ ଯାତ୍ରା ଦେଖିବା ପାଇଁ ।

 

ରୁଦ୍ଧଶ୍ୱାସ ହୋଇ ଅପେକ୍ଷା କରୁଥିଲା ମଧୁ । ଡାକ୍ତରଖାନାର ସିମେଣ୍ଟ କାନ୍ଥରେ ମଥା ବାଡ଼େଇ ଈଶ୍ୱରଙ୍କୁ ଜଣାଉଥିଲା ସେ, ହେ ଭଗବାନ ! ଯମୁନା ଭଲ ହୋଇଯାଉ, ପାଗଳର ପୁଅ ଭଲ ହୋଇଯାଉ..... ସମସ୍ତେ ଭଲ ହୋଇଯାଆନ୍ତୁ । ମୁଁ ସେ ମୂଳ ସବୁ ପରିଶୋଧ କରିଦେବି । କିଛି ବାକି ରଖିବିନାହିଁ ।

 

ଭଗବାନ ବୋଧହୁଏ ବଡ଼ ଡାକ୍ତରଖାନା ପରି ସବୁ ଦେଖନ୍ତି; ଅଥଚ କିଛି ଶୁଣନ୍ତି ନାହିଁ । ସବୁ ହାହାକାର, ଦୀର୍ଘଶ୍ୱାସ ହଜିଯାଏ ସେଇ ବଡ଼ କୋଠା ଭିତରେ । ମଧୁ ଅନେଇ ଅନେଇ ଦେଖେ ରୋଗୀ ପାଖରେ ଥିବା ଯନ୍ତ୍ରଗୁଡ଼ାକ । ଆହା, ଏମାନଙ୍କର କେଡ଼େ ଦୟା ? ପାଖ ଛାଡ଼ି ଯାଉନାହାନ୍ତି !

 

ୱାର୍ଡ଼ ଭିତରେ କିଏ ଭୋ-ଭୋ ହୋଇ କାନ୍ଦି ଉଠିଲା । ଯମୁନାକୁ ଦେଖି ଆସିବା ପାଇଁ ଦୌଡ଼ିଲା ମଧୁ । ବେହୋସ ହୋଇଯାଇଥାଏ ଯମୁନା । ମଧୁର ଛାତି ଭିତରଟା କରତି ହୋଇଗଲା-। ପାଖ ଖଟରେ ଶୋଇଥିବା ପାଗଳର ପୁଅର ପ୍ଳୀହାଟା ଫାଟିଯାଇଥିଲା ବୋଲି ଚିକିତ୍ସାର ଅପେକ୍ଷା ନ ରଖି ସେ ଚାଲିଗଲା ଅନ୍ୟ ଦେଶକୁ । ସେଇ ପାଗଳାଟାର ଆଖିରେ ଏତେ ଲୁହ ଥିଲା ବୋଲି ଆଗରୁ କେବେ ସନ୍ଦେହ ବି କରିନଥିଲା ମଧୁ ।

 

ଯମୁନାର ମୁହଁ ପାଖରେ ଲଗାଇ କହିଲା ମଧୁ, ଶୁଣ୍‌ ଯମୁନା ଶୁଣ୍‌ । ମୁଁ ପାଖରେ ଅଛି, ଚାଲିଯାଇ ନାହିଁ.....

 

ଯମୁନା ଶୁଣୁଥିଲା କି ନାହିଁ କେଜାଣି । ନୀରବ ନିଶ୍ଚଳ ଦେହଟା ଉପରେ ହାତ ବୁଲାଇଆଣି ପୁଣି କହିଲା ମଧୁ, ଏ ସଂସାରଟା ତୋହରି ପାଇଁ ଏତେ ବଡ଼ ଲୋ ଯମୁନା ! ତୁ ଭଲ ହୋଇଯିବୁ..... ।

 

ତା’ ହାତରେ ଗୋଟେ ଇଂଜେକ୍‌ସନ ଭର୍ତ୍ତି କରିଦେଲା ନର୍ସ । ମଧୁକୁ ସାନ୍ତ୍ୱନାର ସ୍ୱରରେ କହିଲା ସେ । ଅପରେସନର ଦିନଯାଏ ଅପେକ୍ଷା ନରଖି, ତା ଆଗରୁ କରିନିଅ । ବିଚାରୀ ଖୁବ୍‌ ଭୋଗୁଚି ।

 

ମଧୁପାଗଳ ପରି ଛୁଟିଲା ଡାକ୍ତରବାବୁଙ୍କ ଘରକୁ । ଚେମ୍ବର ଭିତରୁ ବାହାରିବାବେଳକୁ ରାତି ହୋଇଯାଇଥାଏ । ଡାକ୍ତରବାବୁ ତା’ ସାଙ୍ଗରେ ନ ଆସି କହିଲେ ଏତେ ଛାନିଆ ହଉଚ କାହିଁକି ? ସବୁ ବ୍ୟବସ୍ଥା କର । ଆସନ୍ତା ଶନିବାର ଅପରେସନ କରିଦେବି । ସବୁ ଠିକ୍‌ ହୋଇଯିବ-

 

ସାହସ ପାଇ ଫେରି ଆସିଲା ମଧୁ; କିନ୍ତୁ ହଠାତ୍‌ ଯମୁନା ପାଖକୁ ଯିବା ପାଇଁ ଡରଲାଗିଲା ତାକୁ । କଅଣ କହିବ ତାକୁ ? ବିଚାରୀ କିଛି କୁହେଁ ନାହିଁ ସିନା; କିନ୍ତୁ ତାର ଅବୋଧ୍ୟ ଅପ୍ରକାଶ୍ୟ ଭାଷା ଏତେ ପ୍ରାଞ୍ଜଳ ଯେ କହିବାପାଇଁ କିଛି ଆଉ ବାକି ରହେ ନାହିଁ ।

 

ଶନିବାର ପର୍ଯ୍ୟନ୍ତ ଆଉ ଅପେକ୍ଷା ନକରି ଶୁକ୍ରବାର ସକାଳେ ଶୁଖିଲା ଫୁଲ ପରି ଝଡ଼ିପଡ଼ିଲା ଯମୁନା । କାନ୍ଦିଲାନାହିଁ ମଧୁ । ଯମୁନାର ଛାତି, ମୁହଁ ହାତ ଉପରେ ହାତ ବୁଲାଇଆଣି କେବଳ ଥଙ୍ଗେଇ ଥଙ୍ଗେଇ କହିଲା ତୁ ଚାଲିଗଲେ ବି ପୃଥିବୀର କିଛି ଯାଏ ଆସେନି ଲୋ ଯମୁନା । ଯମିତି ସବୁ ଚାଲୁଥିଲା ଠିକ୍‌ ସେମିତି ସବୁ ଚାଲିଚି । ତୁ ଅଭିମାନ ନକରି ଶୋଇଥା ।

 

ଡାକ୍ତରଖାନାର ନିୟମର ଅବମାନନା ନକରି ନିଜ କାନ୍ଧରେ ଯମୁନାର ଶବକୁ ବୋହି ଶ୍ମଶାନଆଡ଼କୁ ପାଦ ବଢ଼େଇଲା ମଧୁ । ଯିବା ବାଟରେ ଡାକ୍ତରବାବୁଙ୍କ ଚେମ୍ୱର ଆଗରେ ଦଣ୍ଡେ ଛିଡ଼ା ହୋଇ କହିଲା ମଧୁ-ଯମୁନାର ସଲାମ୍‌ ନବା ହଉ । ହଜୁରଙ୍କ ହାତଯଶ ଆହୁରି ବଢ଼ୁ..... ଆହୁରି ବଢ଼ତି ହଉ....

 

ଶୁକ୍ରବାର ସକାଳର ଘାସମାନଙ୍କ ଉପରେ ଠୁଳହୋଇଥିବା ସହସ୍ର ଶିଶିରବିନ୍ଦୁ ପୃଥିବୀର ନା ଯମୁନାର ଲୁହ ଜାଣିବା ପାଇଁ ନଇଁପଡ଼ି ଘାସ ଉପରେ ହାତ ବୁଲେଇନେଲା ମଧୁ ।

☆☆☆

 

ସର୍ବହରା

 

ଘରେ ଏକା ଥିଲେ କାନ୍ଥରେ ଝୁଲୁଥିବା ଗାନ୍ଧି ଏବଂ ଲେନିନ୍‌ ଉଭୟଙ୍କର ପ୍ରତିକୃତିକୁ ଥରକୁ ଥର ଶୁଭଙ୍କର । ଦୁହେଁ ପରିପୂର୍ଣ୍ଣ ଏବଂ ସମୃଦ୍ଧ ମଣିଷର ସ୍ୱପ୍ନ ଦେଖିଥିଲେ ବି ଉଭୟଙ୍କର ନୀତି ଏବଂ ମାର୍ଗର ଭିନ୍ନତା ମନକୁ ଦୋହଲାଇଦିଏ । ସେ ଗାନ୍ଧିପାଖରୁ ଲେନିନପାଖକୁ ଯାଇ, ପୁଣି ଗାନ୍ଧିପାଖକୁ ଫେରିଆସିଛି; ପୁଣି ଯେ ଗାନ୍ଧିଙ୍କୁ ଛାଡ଼ି ଆଉ କାହାପାଖକୁ ନଯିବ ସେ କଥା ବି ଗ୍ୟାରେଣ୍ଟି ଦେଇ କହିପାରିବନାହିଁ । ତା’ର ଜୀବନ ଏବଂ ଯାତ୍ରାକୁ ଏହି ଦୁଇ ମହାପୁରୁଷ ଆଦର୍ଶବୋଧ ଏବଂ ତ୍ୟାଗଦ୍ୱାରା ଅନୁପ୍ରାଣିତ କରିଥିଲେ । ସାଧାରଣ ମଣିଷର ଜୀବନରୁ ନିର୍ଯାତନା ଏବଂ ନିଃସହାୟବୋଧକୁ ଦୂର କରିବାପାଇଁ ଦୁହେଁ ଆଜୀବନ ସଂଗ୍ରାମ କରିଯାଇଛନ୍ତି ନିଜ ନିଜର ଉଦ୍‌ଘୋଷିତ ମାର୍ଗରେ । ମନରେ ଆଦର୍ଶ ପ୍ରତି ଅଟଳ ବିଶ୍ୱାସ, ନଗଣ୍ୟକୁ ଗଣ୍ୟରେ ପରିଣତ କରିବାପାଇଁ ପ୍ରବଳ ଉଦ୍ୟମ ଉଭୟଙ୍କୁ ସାଧାରଣ ମଣିଷର ଅତିପ୍ରିୟ ଏବଂ ରାଜରାଜେଶ୍ୱର କରିଥିଲା । ସେମାନଙ୍କର ପାଦତଳେ ପ୍ରଣାମ କରିବାର ଗୌରବ ପାଇନାହିଁ ବୋଲି ନିଜକୁ ହତଭାଗ୍ୟ ମନେକରେ ସେ । ଭଗବାନଙ୍କୁ ସେ ଦେଖିନାହିଁ । ସେଥିପାଇଁ ତାଙ୍କୁ ଦେଖିଥିବା ଜଣଙ୍କର ପ୍ରତିକୃତି ରଖିଚି ପାଖରେ । ସିଏ ବିବେକାନନ୍ଦ ।

 

ତଥାପି ଶୁଭଙ୍କର ସେମାନଙ୍କର ଜୀବନୀ ଅଧ୍ୟୟନ କରେ, ସେମାନଙ୍କ ପ୍ରଦର୍ଶିତ ମାର୍ଗ ଓ ନୀତି ସମ୍ପର୍କୀୟ ଆଲୋଚନାରେ ଯୋଗ ଦିଏ ଏବଂ ନିଜକୁ ସେମାନଙ୍କ ପ୍ରଦର୍ଶିତ ମାର୍ଗରେ ଚାଲିବାପାଇଁ ପ୍ରେରଣା ଦିଏ । ମନ୍ଦିରରେ ଯେପରି ଏକକୁ ଆଶ୍ରୟ କରି ବହୁ ମତବାଦର ମୂକସାକ୍ଷୀ ଭାବରେ ବିଭିନ୍ନ ଦେବଦେବୀ ପୂଜା ପାଆନ୍ତି, ମଣିଷର ନିଜସ୍ୱ ରାଜ୍ୟରେ ତାକୁ ଭିତ୍ତି କରି ପ୍ରଚାରିତ ନୀତି ଏବଂ ଆଦର୍ଶର ପ୍ରବକ୍ତା ଅନେକ; କିନ୍ତୁ ସେଥିରେ ଶୁଭଙ୍କରର କିଛି ଯାଏ ଆସେ ନାହିଁ । ସେ ନୂଆ ନିୟମ ଲେଖିଯିବା ପାଇଁ ଜନ୍ମିନାହିଁ; ନିୟମ ନୀତିକୁ ପାଳନ କରିବାପାଇଁ ଜନ୍ମିଛି । ଆଦର୍ଶବାଦର ଅରଣ୍ୟ ଭିତରେ ବାଟବଣା ହେଲେ ସେ ଗାନ୍ଧିଙ୍କର ସେହି ଅବିସ୍ମରଣୀୟ କଥା ପଦକ ମନେ ପକାଏ । ବିଚାରରେ ସଙ୍କଟ ବା ମନରେ ସଂଶୟ ସୃଷ୍ଟି ହେଲେ, ଯାହା କରୁଛ ତାହା ସର୍ବାପେକ୍ଷା ଦରିଦ୍ର ଏବଂ ଅସହାୟ ବ୍ୟକ୍ତିର ଉପକାରରେ ଆସୁଛି କି ନାହିଁ ଚିନ୍ତାକରି ନିଜର ସିଦ୍ଧାନ୍ତରେ ଉପନୀତ ହୁଏ । ଲେନିନ୍‌, ମାର୍କସ, ଗାନ୍ଧି, ବିବେକାନନ୍ଦ ସମସ୍ତେ ସେହି ଗୋଟିଏ କଥାକୁ କେତେ ପ୍ରକାରରେ କହିଥିଲେ ବି ସମସ୍ତଙ୍କର ଉଦ୍ଦେଶ୍ୟ ଏକ, ଅର୍ଥ ଅଭିନ୍ନ । ତା’ହେଲେ ସେହି ଦୁଃଖୀ, ଦରିଦ୍ର ନିର୍ଯାତିତ ଏବଂ ନିପୀଡ଼ିତଙ୍କୁ ନେଇ ଏତେ ବାଦବିବାଦ କାହିଁକି ? ଆଦର୍ଶବାଦର ଏତେ ବିରୋଧ କାହିଁକି ? ବୁଝିବା ପାଇଁ କଷ୍ଟ ହୁଏ ଶୁଭଙ୍କରର । ସେଥିପାଇଁ ରାସ୍ତାରେ ଶୋଭାଯାତ୍ରାଟିଏ ଯାଉଥିବାର ଦେଖିଲେ, ସେ କେଉଁ ଦଳର ବା ଗୋଷ୍ଠୀର ତାହା ବିଚାର ନକରି ସେମାନଙ୍କ ସହିତ ମିଶିଯାଏ, ସେମାନଙ୍କ ସହିତ ତଣ୍ଟିଫଟେଇ ସ୍ଳୋଗାନ୍‌ ଦିଏ, ସେମାନଙ୍କର ପତାକା ବୋହି ଆଗେଇ ଚାଲେ । ଯଦି ନିଃସହାୟ ନଗଣ୍ୟର ସେଥିରେ କୌଣସି ଉପକାର ହୁଏ ବା କୌଣସି ଉଦ୍ଦେଶ୍ୟ ସାଧିତ ହୁଏ, ତା’ହେଲେ ସେମାନେ କେଉଁ ଦଳ, ଉପଦଳ ବା ନୀତିର ଲୋକ ବୋଲି ପଚାରିବ କାହିଁକି ? ସେମାନେ ସମସ୍ତେ ଗାନ୍ଧି, ଲେନିନ୍‌, ବିବେକାନନ୍ଦ ବୋଲି ତାର ମନେହୁଏ । ମନେହୁଏ ସେମାନେ ସଭଁଏ କାଳଜୟୀ ଜୀବନ-ପ୍ରବାହର ପ୍ରବର୍ତ୍ତକ । ସେମାନଙ୍କର ଜୟ ହେଉ । ସାଧାରଣ ଅର୍ବାଚୀନ ମଣିଷ ସୁଖୀ ହେଉ ।

 

ଶୁଭଙ୍କର ସେମାନଙ୍କର ପ୍ରତିକୃତି ପାଖରେ ମଥା ନୁଆଁଏ, ସୋମନଙ୍କର ନାମ ସ୍ମରଣ କରି ବାହାରିଯାଏ ଘରୁ । ରାସ୍ତାରେ ଯିବାବେଳେ ସେ ଭୁଲିଯାଏ କେଉଁଠାକୁ କେଉଁ ଉଦ୍ଦେଶ୍ୟରେ ଯାଉଛି, ମନେପଡ଼େ ନାହିଁ ତାର ଗନ୍ତବ୍ୟ ପଥ କେତେ ଦୂର, ପାଖରେ ପାଥେୟ ଅଛି କି ନାହିଁ ଏବଂ ତାର ପ୍ରୟୋଜନ କେତେ ? ସେ ଘରେ ସ୍ଥିର ହୋଇ ରହିପାରେ ନାହିଁ ବୋଲି ବାହାରିପଡ଼େ-। ବାହାରିପଡ଼ିବାଟା ଯେପରି ଜୀବନର ମାର୍ଗ ଏବଂ ଅତି ସ୍ୱାଭାବିକ ଘଟଣା । ଘର ଭିତରେ ସ୍ଥାଣୁ ପରି ବସି ରହି ଗତାନୁଗତିକ ଜୀବନର ପ୍ରବାହକୁ ଲକ୍ଷ୍ୟ କରିବାରେ ଆନନ୍ଦ ବା ଉତ୍ତେଜନା ନାହିଁ; ବରଂ କ୍ଳାନ୍ତି ଅଛି, ଅବସାଦ ଅଛି । ସେଥିରେ ଘାରି ନହୋଇ ଶୁଭଙ୍କର ଚପଲହଳକ ପାଦରେ ଗଳାଇଦେଇ ସଡ଼କ ଉପରକୁ ଚାଲିଯାଇ କୁହେ, ଚାଲ ଚାଲ, ଆଗକୁ ଚାଲ-। ଆଉ ସମସ୍ତଙ୍କୁ ଡାକ-। ଆହୁରି ଲମ୍ୱା ହଉ ଶୋଭାଯାତ୍ରା, ଆହୁରି ତୀବ୍ର ହଉ ସ୍ଳୋଗାନ-

 

ଶୁଭଙ୍କର କ୍ୟାଣ୍ଟିନରେ କାମ କରେ । ସକାଳ ଛଅରୁ ରାତି ଦଶ । ଷୋହଳ ଘଣ୍ଟାରୁ ଦୁଇ ଘଣ୍ଟା ବାଦ୍‌ଦେଇ ଚଉଦ ଘଣ୍ଟା କାମ କରେ । ଏହି ଦୁଇ ଘଣ୍ଟା ସେ ଘରକୁ ଯାଇନପାରିଲେ ବି ଧୁଆଧୋଇ ହୋଇ ଖାଇବା ପରେ ଟୁଲ୍‌ ଉପରେ ବସି ବସି ଢୁଳାଏ ବା ବେଞ୍ଚ ଉପରେ ଶୋଇପଡ଼େ । ଏଇ ଢୁଳେଇବାଟା ବି ସବୁଦିନ ନିର୍ବିଘ୍ନରେ ହୁଏନାହିଁ । ସମୟ ପାଇଲେ ବି ସେ ନିଶ୍ଚିନ୍ତରେ ଶୋଇପାରେ ନାହିଁ । ଏକୋଇଶ ବର୍ଷ ବୟସ ତାକୁ ସାବାଳକର ଭୋଟଦବା ମର୍ଯ୍ୟାଦା ଦେଇଥିଲେ ବି ସେ ଭୋଟ ଦେଇ ପାରିନାହିଁ; କାରଣ ଭୋଟ ଦବାଦିନ ସଫା ଜାମାଲୁଗା ପିନ୍ଧି ମୁଣ୍ଡ କୁଣ୍ଡେଇ, ମନଫୁଲେଇ ସେ ଭୋଟ କେନ୍ଦ୍ରକୁ ଯାଇଥିଲେ ବି ଭୋଟର ଲିଷ୍ଟ୍‌ରେ ତା’ ନାମଟାକୁ ନଦେଖି ନିରାଶ ହୋଇ ଫେରିଆସିଥିଲା । ମନଟା ସତରେ ଖରାପ ହୋଇ ଯାଇଥିଲା । ପ୍ରଥମ ଭୋଟ ଦବାର ସୁଯୋଗଟା ଏପରି ଅପଚୟ ହୋଇଯିବାର ଦେଖି ତା ମନରେ ଖୁବ୍‌ କ୍ରୋଧ ହେଲା ଏବଂ କୌଣସି କାରଣ ବା ଉତ୍ତେଜନା ନଥାଇ ରାସ୍ତା ଉପରେ ଚାଲିଯାଉଥିବା ବସ୍‌ ଉପରକୁ ଗୋଟେ ପଥର ଫିଙ୍ଗି କାଚ ଖଣ୍ଡେ ଭାଙ୍ଗିଦେଇଥିଲା । ଆହୁରି ପାଞ୍ଚ ବର୍ଷ ପରେ ପୁଣି ସୁଯୋଗ ଆସିବ; କିନ୍ତୁ ଏଇ ପାଞ୍ଚ ବର୍ଷ କଅଣ କମ ? ଜୀବନରେ କେତେଥର ଏହିପରି ସୁଯୋଗ ଆସିବ ଯିବ, ତାହା ମୋଟାମୋଟି ଭାବେ ଗଣନାକରି ସେ ମନକୁ ମନ କହିଲା, ଏତେ ବଡ଼ ଦେଶଟାରେ କିଏ କହିବ ମୁଁ କେହି ନୁହେଁ, କିଏ କହିବ ମୋର ମୁଣ୍ଡ ଗଣତି ହବନାହିଁ ବୋଲି !

 

କ୍ୟାଣ୍ଟିନ୍‌ଟା ବଡ଼ ନହେଲେ ବି ଛୋଟ ନୁହେଁ । ସେଇ କ୍ୟାଣ୍ଟିନ୍‌ରେ କାମ କରିବାର ସାତବର୍ଷ ହୋଇଗଲା । ଠିକ୍‌ ଚଉଦବର୍ଷ ବୟସରେ ସ୍କୁଲ ଛାଡ଼ି ପରିବାରର ପ୍ରତିପାଳନରେ ସାହାଯ୍ୟ କରିବାପାଇଁ ସେ ଗାଁରୁ ଆସିଥିଲା ସହରକୁ । ସହରଟା ଖୁବ୍‌ ଲୋଭନୀୟ ହୋଇ ଉଠିଥିଲା ଶୁଭଙ୍କର ପାଖରେ । ଏତେ ବଡ଼ ବଡ଼ କୋଠାବାଡ଼ି, ଗାଡ଼ିଘୋଡ଼ା, ଚକମକିଆ ପୋଷାକପରିଚ୍ଛଦ ଏବଂ କେତେ ଅଜସ୍ର ସାମଗ୍ରୀ । ଜୀବନରେ ଏତେ ଜିନିଷ ମଣିଷର ପ୍ରୟୋଜନ ହୁଏ ବୋଲି ଜାଣି ସେ ଅବାକ୍‌ ହୋଇଗଲା । ସେତେବେଳେ ତାର ଅନୁକଂପା ହୋଇଥିଲା ଗାଁର ଲୋକମାନଙ୍କ ଉପରେ । ଅହର୍ନିଶ ଜୀବନସଂଗ୍ରାମରେ ଲିପ୍ତ ଥିବା ଏଇ ସହସ୍ର ସହସ୍ର ଲୋକମାନଙ୍କର ସମୟ ହୁଏନି କାମ ନକରି ପାଞ୍ଚଦିନ ଆରାମ କରିବାପାଇଁ, ସୁଯୋଗ ମିଳେନି ରୋଗ, କୁସଂସ୍କାର ଏବଂ ଦାରିଦ୍ର୍ୟ ଭିତରୁ ବାହାରି, ବାହାରେ ପଡ଼ିଥିବା ଏତେ ବଡ଼ ଜଗତର ଝଲମଲ ରୂପକୁ ଦେଖିବା ପାଇଁ । ସେହିପରି ଜୀବନଟାକୁ ଛାଡ଼ିଦେଇ ଆସି ଟିକେ ଆସ୍ୱସ୍ତ ହେଲା ସତ; କିନ୍ତୁ ନିଷ୍ଠୁରତା, ଶଠତା ଏବଂ ସ୍ୱାର୍ଥପରତା ଦେଖି ସତରେ ସେ ଭୟ ପାଇଗଲା । ତାର ମନେହେଲା ଯେ ସେ ଖୁବ୍‌ ଏକାକୀ, ଏମାନଙ୍କ ସହିତ ତାର କୌଣସି ସଂପର୍କ ନାହିଁ ଏବଂ ଏମାନଙ୍କ ସୁଖଦୁଃଖରେ ସେ ଅଂଶ ଗ୍ରହଣ କଲେ ବି ସେମାନେ କେବେ ତାକୁ ସେମାନଙ୍କ ମଧ୍ୟରୁ ଜଣେ ବୋଲି ପରିଚୟ ଦେବେନାହିଁ ।

 

ଶୁଭଙ୍କର ଗୋଟିଏ ପରିସ୍ଥିତିରୁ ନିଷ୍କୃତ ପାଇବା ପାଇଁ କ୍ୟାଣ୍ଟିନରେ ଚଉଦବର୍ଷ ବୟସରେ ଚାକିରି ଆରମ୍ଭ କଲା ସିନା; କିନ୍ତୁ ଏତେ ଶୀଘ୍ର ଶୀଘ୍ର ସମୟର ପ୍ରବାହ ଯେ ବହିଯିବ, ସେତେବେଳେ ସେ ତାହା ଆଦୌ ଜାଣିନଥିଲା । ଦିନକୁ ଚଉଦ ଘଣ୍ଟା କାମକରିବା ପରେ ନିଜ ସଂପର୍କରେ ଭାବିବା ପାଇଁ ସେ ମୋଟେ ସମୟ ପାଉନଥିଲା । ତେଣୁ କେତେବେଳେ କୈଶୋରଟି ଚପଳତା ହଜାଇଦେଇ ଯୌବନରେ ପାଦ ଦେଲା, ତାହା ସେ ଜାଣି ବି ପାରିଲାନାହିଁ । କୈଶୋର ପରି ଯୌବନ ବି ନିରର୍ଥକ ତା’ ପକ୍ଷରେ । ଚଉଦଘଣ୍ଟାର ହାଡ଼ଭଙ୍ଗା ପରିଶ୍ରମ ପରେ ଝାଳ ଜମି ଗନ୍ଧଉଥିବା ଦେହଟାକୁ ମସିଣା ଉପରେ ଲୋଟାଇଦବାବେଳେ ସେ ପଥ ଖୋଜେ ନିଷ୍କୃତିର; କିନ୍ତୁ ହାୟ ! ସେହି ପଥ ଆବିଷ୍କାର କରିବା ପୂର୍ବରୁ ସେ ଶୋଇପଡ଼େ । ତାର ଯୌବନ ଓଦାମାଟିର ପରଶ ପାଇ ସଙ୍କୁଚିତ ହୋଇଯାଏ ।

 

ଦିନେ ହଠାତ୍‌ କାମକରିବା, ଖାଇବା, ଶୋଇବା ମଧ୍ୟରେ ସେ ଗୋଟିଏ ନୂଆ କଥା ଶୁଣିଲା । ଅକସ୍ମାତ୍‌ ନିଜ ସଂପର୍କରେ, ପରିବେଶ ଏବଂ ସମାଜ ସଂପର୍କରେ ଭାବିବା ପାଇଁ ତାକୁ ଯେପରି ମନ୍ତ୍ର ଦେଇ ଜଣାଇଦେଲା । ରାସ୍ତାରେ ଚାଲିଥିବା ସତ୍ୟାଗ୍ରହୀମାନଙ୍କୁ ଦେଖି ସେମାନଙ୍କ ସହିତ ଚାଲିବାକୁ ଲାଗିଲା । ସତ୍ୟାଗ୍ରହର କାରଣ ଜାଣିନଥିଲେ ବି ତାହା ନିବୃତ୍ତ, ନିରୁତ୍ସାହିତ କରିପାରିଲା ନାହିଁ ।

 

ସତ୍ୟାଗ୍ରହୀମାନଙ୍କର ଧୈର୍ଯ୍ୟ, ସହ୍ୟଶକ୍ତି ଏବଂ ସଂଯମ ଦେଖି ସେ ବିସ୍ମୟରେ ବିମୂଢ଼ ହୋଇଗଲା । ସେହି ନିରୀହ ଲୋକମାନଙ୍କ ଉପରେ ନିର୍ମମ ଅତ୍ୟାଚାର ହବାର ଦେଖି କାହିଁକି କେଜାଣି ତା’ କଣ୍ଠଫଟାଇ ଛାତିଦୋହଲାଇ ଗୋଟେ ତୀବ୍ର ପ୍ରତିବାଦ ଭାସି ଆସିଲା । ସେହିଦିନ ସେ ପ୍ରଥମେ ପ୍ରତିବାଦ କଲା ଏବଂ ଖୁବ୍‌ ଜୋର୍‌ରେ ଚିତ୍‌କାର କରି କହିଲା, ବନ୍ଦ କର, ବନ୍ଦ କର । ତାର ସ୍ୱରରେ କ’ଣ ଥିଲା କେଜାଣି, ସତ୍ୟାଗ୍ରହୀମାନଙ୍କୁ ବାଡ଼ଉଥିବା ଲୋକଗୁଡ଼ା ହଠାତ୍‌ ସେଥିରୁ ନିବୃତ୍ତ ହୋଇ ତା’ ଆଡ଼କୁ ଅନେଇଲେ ଏବଂ ପରେ ପରେ ସେମାନଙ୍କର ଗୋଇଠା ବିଧା ଖାଇ ସେ ଭୂଇଁ ଉପରେ ମୁହଁମାଡ଼ି ପଡ଼ିଗଲା ସିନା; କିନ୍ତୁ ପରେ ଏଇ ଘଟଣାଟା ତାକୁ ଆହୁରି ସେପରି କାମ କରିବାପାଇଁ ପ୍ରେରଣାର ଉତ୍ସ ହୋଇ ରହିଲା । ଅନ୍ୟାୟ-ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାର ସାହସ ଆପେ ଆପେ ଆସିଗଲା । ନିଜ ଶକ୍ତି ଏବଂ ସାମର୍ଥ୍ୟର ପରିଚୟ ପାଇ ନିଜେ ଶୁଭଙ୍କର ଅବାକ୍‌ ହୋଇଗଲା ।

 

ସେହିଦିନଠୁ ସେ ଶୋଭାଯାତ୍ରା ଦେଖିଲେ କାରଣ ନ ପଚାରି ସେଥିରେ ଯୋଗ ଦେଲା-। ବିପ୍ଳବର ଅର୍ଥ ନ ବୁଝି ବିପ୍ଳବର ଜୟଗାନ କଲା ଏବଂ ତା’ ମନରେ ଗୋଟିଏ ଅପୂର୍ବ ବିସ୍ତୃତି ଖେଳିଗଲା । ସେ ଅତ୍ୟାଚାରକୁ ମୂକ ଭାବରେ ସହି ନ ପାରି ବିଦ୍ରୋହୀ ହୋଇଉଠିଲା । ହଠାତ୍‌ ଦିନେ ଜଣେ ମହିଳାକୁ ନିର୍ଯ୍ୟାତନା ଦଉଥିବାର ଦେଖି ସେ ଜଣେ ନିମ୍ନତମ ପଦାଧିକାରୀର ଗାଲରେ ଦୁଇ ଚାପୁଡ଼ା ବସେଇଦେଲା ଏବଂ ଆହୁରି ଆଶ୍ଚର୍ଯ୍ୟର କଥା ଯେ, ତାର ଏହି ପ୍ରତିବାଦସୂଚକ କର୍ମଦ୍ୱାରା ସେହି ମହିଳାଟି ନିଜର ମର୍ଯ୍ୟାଦା ରକ୍ଷା କରିପାରିଲା । ଅହିଂସା ଏକ ଅସ୍ତ୍ର ଭାବରେ ତା ମନରେ ତୀବ୍ରତାକୁ ବଢ଼ାଇ ନପାରି ବରଂ ତାକୁ କ୍ଳୀବ କରିଦେଲା-। ପ୍ରତିଶୋଧରେ ସ୍ପୃହା ଖୁବ୍‌ ତୀବ୍ର ହୋଇଉଠିଲା । ଧୀରେ ଧୀରେ ଗାନ୍ଧିଙ୍କର ଫଟୋ ପାଖରେ ସେ ଲେନିନଙ୍କର ଫଟୋ ବି ଆଣି ରଖିଲା ।

 

ଶୁଭଙ୍କର କିନ୍ତୁ କୌଣସି ଗୋଟିଏ ନିଶ୍ଚିତ ସିଦ୍ଧାନ୍ତରେ ପହଞ୍ଚି ପାରିଲାନାହିଁ । ଗାନ୍ଧି, ଲେନିନ୍‌ ଉଭୟେ ସମାନ ଭାବରେ ଭିନ୍ନ ଭିନ୍ନ ପରିବେଶରେ ତାକୁ ଶକ୍ତି ଏବଂ ପ୍ରେରଣା ଯୋଗାଇଲେ । ମନର ଶକ୍ତି ଓ ସଂଯମ, ଦେହର ଶକ୍ତି ଏବଂ ସଂଗଠନ ଉଭୟେ ତା ପାଖରେ ପ୍ରଶଂସନୀୟ ହୋଇଉଠିଲେ । ମଣିଷ ଯେ ନିଜେ ନିଜର ଅଧିନାୟକ, ସେହି କଥାଟା ବୟସ ବଢ଼ିବା ସଙ୍ଗେ ସଙ୍ଗେ ମନେ କରିବାକୁ ଲାଗିଲା; କିନ୍ତୁ ଦିନେ ପ୍ରବଳ ଶୀତରେ ଗଛମୂଳେ ନିର୍ବିକାର ଚିତ୍ତରେ ସକାଳର ପ୍ରତୀକ୍ଷା କରୁଥିବା ଜଣେ ଗୈରିକବସ୍ତ୍ରପରିହିତ ବାବାଜିଙ୍କୁ ଦେଖି ସେ ଆଉ ନିଜର ଶାରୀରିକ ଶକ୍ତି ଉପରେ ସଂପୂର୍ଣ୍ଣ ବିଶ୍ୱାସ କରିପାରିଲା ନାହିଁ । ବସନ୍ତର ଚାରଣ ଗୀତ ଗାଇ ଗାଇ କୋକିଳ ଉଭା ହେଲାପରି ତାର ମନକୁ ପ୍ରଶାନ୍ତ କରିଦେଇ ମନ ଭିତରେ ହଠାତ୍‌ ଓହ୍ଲେଇ ଆସିଲା ଏକ ନୂତନ ପ୍ରଶାନ୍ତି ନବ ଜାଗୃତିର ଏକ ଅଭିନବ ଚେତନାବୋଧ ।

 

ସେ ଆଉ କ୍ଷିପ୍ତ ନହୋଇ, କ୍ଷୋଭ ନକରି ନିଜର ବ୍ୟକ୍ତିତ୍ୱର ମହିମାରେ ନିଜେ ଉଦ୍ଭାସିତ ହେବାକୁ ଲାଗିଲା । ଏପରି ଏକ ପରମ ଶୁଭ ଲଗ୍ନରେ ଦିନେ କ୍ୟାଣ୍ଟିନ୍‌କୁ ଜଳଖିଆ ଖାଇବାକୁ ଆସି ତାକୁ ଆବିଷ୍କାର କରି ଜଣେ ନେତା ତାକୁ ସାଙ୍ଗରେ ନେଇଗଲେ ବୃହତ୍ତମ କାର୍ଯ୍ୟରେ ନିଯୁକ୍ତ କରିବାପାଇଁ । ଏତେଦିନର ଚାକିରିଟାକୁ ଛାଡ଼ିଦେବାପାଇଁ ପ୍ରଥମେ ସେ ରାଜି ହଉନଥିଲା । ପରେ ତାଙ୍କର ପ୍ରତିଶ୍ରୁତିରେ ପ୍ରଭାବ ତାକୁ ରାଜି କରାଇଥିଲା । ସେଥିରେ ଶୁଭଙ୍କର କର୍ମୀଭାବରେ ଯୋଗଦେଲା ଗୋଟିଏ ଦଳରେ ।

 

ଏତେଦିନ ଧରି ନୂଆ ନୂଆ ଲାଗୁଥିବା ଧ୍ୱନିଗୁଡ଼ାକ ମୁଖସ୍ଥ ହୋଇଗଲା । କଥା ବାହାରୁନଥିବା ତୁଣ୍ଡରୁ ବାଚାଳ ପରି ବକିବାରେ ଅଭ୍ୟସ୍ତ ହୋଇଗଲା । ସେ ଆହୁରି ବେଶି ନିର୍ଭୀକ ହୋଇଗଲା ଏବଂ ତାର ମନେହେଲା ଯେ ସେ ନିଜର ନିଷ୍ଠା, ସତ୍ୟତା ଏବଂ ପରିଶ୍ରମଦ୍ୱାରା ସାଧାରଣଙ୍କ ମଧ୍ୟରେ ନିଜର ସ୍ଥାନଟି ସୁନିର୍ଦ୍ଦିଷ୍ଟ କରିଦେବ ।

 

ତାର ନିଷ୍ଠା ଏବଂ ସରଳତାରେ ମୁଗ୍‌ଧ ହୋଇ ନେତାଜୀ ତାକୁ ପୋଷ୍ୟପୁତ୍ର କରିନେଲେ । ଦେଶ ଓ ଦଶ ପାଇଁ ଜୀବନକୁ ଉତ୍ସର୍ଗ କରିଥିଲେ ନେତାଜୀ । ସଂସାର କରିବା ପାଇଁ ସମୟ ବା ସୁବିଧା ହୋଇନଥିଲା । କେବଳ ସେବା, ସେବା, ସେବା । ଜନସାଧାରଣଙ୍କ ସେବକ ଭାବରେ ସେ ନିଜକୁ ଉତ୍ସର୍ଗ କରିଥିଲେ । ତାଙ୍କ ସଂପର୍କରେ ଆସି ଶୁଭଙ୍କର ସତରେ ଖୁବ୍‌ ଖୁସି ହେଲା । ତାଙ୍କର ସ୍ୱାର୍ଥତ୍ୟାଗରେ ଅଭିଭୂତ ହୋଇ ସେ ବାଟଖୋଜିଲା ନିଜର ସ୍ୱାର୍ଥକୁ ହେୟ ମଣିବାପାଇଁ ।

 

ନେତାଜୀ ଦିନେ ତାକୁ ଆଶ୍ୱାସନେ ଦେଇ କହିଲେ ଯେ ନୂତନ ଯୁଗ ଆସିବା ପାଇଁ ଆଉ ବେଶି ଡେରି ନାହିଁ । ତାହା ଆଗତପ୍ରାୟ; କିନ୍ତୁ ସେଥିପାଇଁ ଯେଉଁ ପ୍ରସ୍ତୁତି ଲୋକମାନଙ୍କ ମଧ୍ୟରେ ହବା ବାଞ୍ଛନୀୟ, ତାହା ହୋଇପାରିନାହିଁ । ସେଥିପାଇଁ ପ୍ରବଳ ଉଦ୍ୟମ ଲୋଡ଼ା । ଯୁବକ, ଯୁବତୀ, ଛାତ୍ର ଓ ଶ୍ରମିକ ସମସ୍ତେ ସେହିପରି ଏକ କର୍ମଯଜ୍ଞରେ ନିଜକୁ ଆହୁତି ନଦେଲେ କେବଳ ସମୟ ସରିଯିବ ତାହା ନୁହେଁ, ପଛେଇ ଯାଇଥିବା ଘଣ୍ଟାର କଣ୍ଟାଟାକୁ ଆଉ ଆଗେଇ ଦେଇ ହବନାହିଁ ।

 

ଶୁଭଙ୍କର ଡେଇଁପଡ଼ିଲା ସେହି କର୍ମଯଜ୍ଞକୁ । ଶୋଭାଯାତ୍ରାର ଆଗେ ଆଗେ ଚାଲିଲା, କଣ୍ଠଫଟାଇ ସ୍ଳୋଗାନ ଦେଲା, ବିପ୍ଳବ ସହିତ ନେତାଜୀଙ୍କର ଦୀର୍ଘ ଜୀବନ କାମନା କଲା, ପତାକା ବୋହିଲା, ମାଇକ୍‌ ଖଞ୍ଜିଲା, ସତରଞ୍ଜି ପକେଇଲା ଏବଂ ଉଠେଇଲା, ଫୁଲମାଳ ସଂଗ୍ରହ କଲା, ଭାଷଣ ମଝିରେ ଠିକ୍‌ ସ୍ଥାନରେ କରତାଳି ଦେଇ ବକ୍ତାଙ୍କ ପଏଣ୍ଟ୍‌କୁ ପ୍ରୋତ୍ସାହିତ କଲା ଏବଂ ସଭାରେ ଲୋକଙ୍କ ଭିଡ଼ ବଢ଼େଇବା ପାଇଁ ସିନେମା ସଙ୍ଗୀତ, ଆତସବାଜି, ଘୋଡ଼ାନାଚ ପ୍ରଭୃତିର ବ୍ୟବସ୍ଥା ବି କଲା । ସବୁ କାର୍ଯ୍ୟରେ ତାକୁ ଆଗୁଆ ସୈନିକ ଭାବରେ ରଖି ଦେଶକାମରେ ବେଶ୍‌ ଆଗେଇଲେ ନେତାଜୀ ! ତାଙ୍କର କାନ୍ଧରୁ ଅନେକ ବୋଝ କମିଗଲା । ସେ ଜଣେ ବିଶ୍ୱସ୍ତ ଓ ଅନୁଗତ କର୍ମୀ ପାଇ ତାକୁ ପୋଷ୍ୟପୁତ୍ର ଆଖ୍ୟାଦେଇ ସେ ଯେ ଦିନେ ତାଙ୍କର ଯୋଗ୍ୟ ଉତ୍ତାଧିକାରୀ ହୋଇପାରେ, ଏହାର ଉଜ୍ଜ୍ୱଳ ସମ୍ଭାବନା ସଂପର୍କରେ ମଧ୍ୟ ସୂଚନା ଦେଲେ ।

 

କ୍ୟାଣ୍ଟିନ୍‌ରୁ ବାଧ୍ୟ ହୋଇ ଚାକିରିଟା ଛାଡ଼ିଥିଲା ଶୁଭଙ୍କର । ଚାକିରି କରିବାର କଷ୍ଟ ସହିତ ତୃପ୍ତି ବି ଥିଲା । ନିଜେ ରୋଜଗାର କରିପାରୁଥବାରୁ ଗର୍ବ ହଉଥିଲା ମନରେ; କିନ୍ତୁ ନେତାଜୀ କହିଲେ, ଚାକିରିଟା ଛାଡ଼ିଦେଇ କର୍ମୀ ହୋଇଯିବା ପାଇଁ । ଦଳରେ କର୍ମୀ ହବାକୁ ଚାକିରି କଲେ ଚଳେନାହିଁ । ଚାକିରି ଛାଡ଼ି ଛାତିରେ ସର୍ବହରାର ଛାପମାରି ସେ ଦାଣ୍ଡକୁ ବାହାରି ଆସିଲା ନେତେଜୀଙ୍କ ସହିତ ବିପ୍ଳବକୁ ଚିରସ୍ଥାୟୀ କରିବାପାଇଁ ।

ତାଙ୍କରି ଘରେ ରହିବା ଏବଂ ଖାଇବାର ବ୍ୟବସ୍ଥା ହେଲା । ଦଳରେ କାମ କରୁଥିବାରୁ ଅନ୍ୟ ଖର୍ଚ୍ଚ ପାଇଁ ମୋଟା ଟଙ୍କା ମିଳିଲା । ନେତାଜୀଙ୍କ ଭାଷଣ ଶୁଣି ତାଙ୍କୁ ନଥିଲାବାଲା ବୋଲି ମନରେ କଳ୍ପନା କରିଥିଲା । ଥିଲାବାଲାଙ୍କ ବିରୁଦ୍ଧରେ ସେ ଯେପରି ବିଷୋଦ୍‌ଗୀରଣ କରୁଥିଲେ, ଲାଭଖୋର ବ୍ୟବସାୟୀ, ଲାଞ୍ଚ ନଉଥିବା ସରକାରୀ କର୍ମଚାରୀ ଏବଂ ନ୍ୟସ୍ତସ୍ୱାର୍ଥର ବଡ଼ପଣ୍ଡାମାନଙ୍କୁ ତଳିତଳାନ୍ତ ଏବଂ ଧ୍ୱଂସ କରିଦେବାପାଇଁ ସେ ଯେପରି ଚେତାବନୀ ଶୁଣାଉଥଲେ, ସେଥିରୁ ଅନ୍ୟାୟ, ଅତ୍ୟାଚାର ଦୁର୍ନୀତି ବିରୁଦ୍ଧରେ ତାଙ୍କର କଠିନ ରୂପଟି ବାହାରକୁ ବେଶ୍‌ ପ୍ରକାଶ ପାଉଥିଲା । ତାଙ୍କ ଘରକୁ ଆସି ଶୁଭଙ୍କରର ମୋହଭଙ୍ଗ ହେଲା ଯେପରି ।

ନେତାଜୀ କହିଲେ, ଛାତିରେ ଲେବେଲ ମାରି ସର୍ବହରା ବୋଲି ପରିଚୟ ଦବାର ପ୍ରୟୋଜନ ସରିଯାଇଚି । ମନରେ ସର୍ବହରା ପ୍ରତି ମାୟା ରଖ । ତା’ ପାଇଁ ଲଢ଼ । ତାର ସଂଗ୍ରାମକୁ ବଳଶାଳୀ କର । ନେତାଜୀ ଦଳ ଗଠନ କଲାଦିନୁଁ ନିଜକୁ ଭୁଲି କେବଳ ସେହିମାନଙ୍କୁ ମନେ ପକେଇ ଆସିଛନ୍ତି । ସକାଳ ସାତଟାରୁ ରାତି ଏଗାରଟାଯାଏ, ସେମାନଙ୍କ ଦୁଃଖସୁଖ ସହିତ ଏକାତ୍ମ ହୋଇଚନ୍ତି; କିନ୍ତୁ ଏତିକି ଗୁଣଦ୍ୱାରା କର୍ମୀ ହବା ସମ୍ଭବ, ନେତା ନୁହେଁ । ଗୁଡ଼ାଏ ଲୋକଙ୍କୁ ଉଚ୍ଚ ଅଭିଳାଷ ଏବଂ ପ୍ରତିଶ୍ରୁତି ଦେଇ ମୋହଗ୍ରସ୍ତ କରି ନ ପାରିଲେ ନେତୃତ୍ୱ ରହେନାହିଁ । ସର୍ବହରା ହୋଇ ଶୁଭଙ୍କର ରାସ୍ତାରେ ଚାଲିଲା, ସ୍ଳୋଗାନ୍‌ ଦେଲା, ଫୁଲମାଳ ଠୁଳକଲା ।

ରାତି ଏଗାରଟା ପରେ ବସାକୁ ଫେରିଲେ ନେତାଜୀଙ୍କ ସେବାକରିବା ଆବଶ୍ୟକ ହୁଏ-। କ୍ଳାନ୍ତ ଏବଂ ବିପର୍ଯ୍ୟସ୍ତ ତାଙ୍କ ଦେହରେ ହାତ ବୁଲାଇଦବା ପାଇଁ ନଳିନୀ, ଚମ୍ପା, ଉଷା ଯିଏ ହେଲେ ତତ୍ପର ହୋଇରହନ୍ତି । ଚାଉଳ ବ୍ୟବସାୟୀ ମଦନଲାଲ, ତେଲ ବ୍ୟବସାୟୀ ମଦନମୋହନ ସର୍ବହରାର ଭକ୍ତ ବୋଲି ନେତାଜୀଙ୍କର ଘରଦ୍ୱାର ଖବର ବୁଝନ୍ତି । ଏସବୁ କାମ ଶୁଭଙ୍କର ହାତରେ ନ୍ୟସ୍ତ କରି ଆଶ୍ୱସ୍ତ ହେଲେ ନେତାଜୀ । ତାକୁ ବୁଝେଇଦେଲେ ଯେ ତିତିକ୍ଷା ଏବଂ ତ୍ୟାଗ ମନର ବସ୍ତୁ । ଏଥିପାଇଁ କଷ୍ଟ କରି ଶରୀରକୁ ଦଣ୍ଡଦବା ଉଚିତ୍‌ ନୁହେଁ ।

ଶୁଭଙ୍କର ବିଚଳିତ ହୁଏ ।

ଚମ୍ପା, ନଳିନୀ ବା ଉଷା ପରି ଆହୁରି ଅନେକ ଆସନ୍ତି । ମଦନଲାଲ ସେମାନଙ୍କୁ ପଠେଇ ଦିଅନ୍ତି ପାଳିକରି । କ୍ଳାନ୍ତି ଏବଂ ବିପର୍ଯ୍ୟସ୍ତ ଦେହ ଓ ମନକୁ ଶାନ୍ତ ଶୀତଳ କରି ଆଗାମୀ ସଂଗ୍ରାମ ପାଇଁ ଉପଯୁକ୍ତ କରି ରଖିବାପାଇଁ ପାନ ଓ ଭୋଜନର ବ୍ୟବସ୍ଥା କରନ୍ତି ମଦନମୋହନ । ମଦନାନନ୍ଦ ମୋଦକ ପରି ନେତାଜୀଙ୍କ ମନଟା ହଠାତ୍‌ ଗୋଟିଏ ବିନ୍ଦୁରେ ଠୁଳ ହୋଇଯାଏ ।

ଶୁଭଙ୍କର ଶିହରିଉଠେ ।

ସେ ନିଜ କୋଠରି ଭିତରେ ଲେନିନ୍‌ ଏବଂ ଗାନ୍ଧିଙ୍କ ପ୍ରତିକୃତି ପାଖରେ ଗୁଣୁଗୁଣୁ ହୋଇ କଅଣ କହେ । ବିବେକାନନ୍ଦଙ୍କ ପ୍ରତିକୃତି ପାଖରେ ମଥାରଖି ଶକ୍ତି ସଂଚୟ କରେ । ତାର ଶ୍ୱାସରୁଦ୍ଧ ଅବସ୍ଥାଟା କମି ଆସେ । ନିଃଶ୍ୱାସ ପ୍ରଶ୍ୱାସ ସ୍ୱାଭାବିକ ହୁଏ । ଝାପ୍‌ସା ଆଖିର ଦୃଷ୍ଟିରେ ଲେନିନ୍‌ ଆଡ଼କୁ ଚାହିଁ ସେ ପଚାରେ, ବିପ୍ଳବୀ କିପରି; ତାର ସ୍ୱରୂପ କଅଣ ଏହିପରି, ତାର ସିଦ୍ଧି କେଉଁଠି ? ଗାନ୍ଧିଙ୍କ ପାଖରେ ନଇଁପଡ଼ି ସେ କହେ, ଅହିଂସାଦ୍ୱାରା କଅଣ ହିଂସାର ମୁକାବିଲା କରିହବ, ସତ୍ୟାଗ୍ରହଦ୍ୱାରା ଚଳାଇହବ ସଂଗ୍ରାମ ? ସେହି ସତ୍ୟାଗ୍ରହର ସଂଜ୍ଞା ଏବଂ ଲକ୍ଷ୍ୟ କଅଣ-? ଶାନ୍ତ କେଉଁଠାରେ ? ବିବେକାନନ୍ଦଙ୍କ ପାଖରେ ମିନତି କରେ ଶୁଭଙ୍କର, ସବୁଠାରୁ ତଳେ ଥିବା ଲୋକ କେବେ ସୁଖୀ, ସମୃଦ୍ଧି ହେବ ? ଈଶ୍ୱରଙ୍କର ସୃଷ୍ଟିରେ ଅନ୍ୟାୟ, ଅନୀତି ଦୃଢ଼ ହୁଏ କିପରି-?

ଉତ୍ତର ପାଇବା ଆଗରୁ ଶୋଇପଡ଼େ ଶୁଭଙ୍କର । ନେତାଜୀଙ୍କୁ ସ୍ୱପ୍ନ ଦେଖେ । ତା କାନ୍ଧରେ ହାତରଖି ସ୍ନେହସିକ୍ତ କଣ୍ଠରେ କହନ୍ତି ସେ, ଆଗେଇ ଚାଲ ଶୁଭଙ୍କର । ସଂଗ୍ରାମୀ ହୁଅ । ସର୍ବହରାର ନାୟକ ହବାପାଇଁ ସର୍ବହରା ହବାର କିଛି ଆବଶ୍ୟତା ନାହିଁ । ଅନ୍ୟମାନଙ୍କୁ ନେତୃତ୍ୱ ଦେଇ ଗୋଟିଏ ପଥରେ ଚଳେଇନବା ନାୟକର ଅନ୍ତର୍ନିହିତ ସଦ୍‌ଗୁଣ । ତାହା ତ୍ୟାଗ, ତିତିକ୍ଷାଦ୍ୱାରା ଆସେନାହିଁ, ଆସେ ସଂଗଠନର ଶକ୍ତି, ପ୍ରତିଶ୍ରୁତି ଦବାର କାଏଦା ଏବଂ ଗୀତ ବୋଲି ସାପକୁ ମୁଗ୍‌ଧ କଲାପରି ଅଗ୍ନିମୟ ଭାଷଣ ଏବଂ ନ୍ୟସ୍ତସ୍ୱାର୍ଥ ବିରୁଦ୍ଧରେ ଜ୍ୱାଳାମୟ ସ୍ଳୋଗାନ ଦବାଦ୍ୱାରା । ଉପରେ ଯେଉଁମାନଙ୍କ ବିରୁଦ୍ଧରେ ବଜ୍ର କଠିଣ, ଭିତରେ ସେମାନଙ୍କ ପ୍ରତି ବି ଟିକେ ଦରଦ ରଖ, ସବୁ ଦରଜା ବନ୍ଦ କରିନଦେଇ ସେମାନଙ୍କର ଯିବାଆସିବା ପାଇଁ ଛିଦ୍ର ପଥରଟିଏ ରଖ ।

ଶୁଭଙ୍କର ହାତରେ ଗୋଟେ ବ୍ୟାଗ୍‌ ଦେଇ ଦିନେ କହିଲେ ମଦନମୋହନ, ଏଇଟା ନେତାଜୀଙ୍କୁ ଏକାନ୍ତରେ ଦେଇଦେବ । ଆଉ ଏହି କାମଟି ପାଇଁ ତା’ ପକେଟରେ ଶହେଟଙ୍କାର ନୋଟ୍‌ଟିଏ ଭର୍ତ୍ତିକରି ଦେଇ କହିଲେ, ବିଶ୍ୱାସେ ମିଳଇ ହରି । ବିଶ୍ୱାସ ରଖ । ନେତାଜୀ ତୁମକୁ ଯେପରି ବିଶ୍ୱାସ କରନ୍ତି, ତୁମେ ତହିଁର ଅବମାନନା ନକର ।

ଶୁଭଙ୍କର ଟଙ୍କା ଦରକାର ହୁଏନାହିଁ । ଯାହା ପ୍ରୟୋଜନ ନେତାଜୀ ଦିଅନ୍ତି ତାକୁ ମାଗିବା ଆଗରୁ । ଘରକୁ ମାସକୁ ପଚାଶ ଟଙ୍କା ଦେଲେ ଯଥେଷ୍ଟ । ମୁଠେ ଖାଇ ବଞ୍ଚିବା ପାଇଁ ଏତିକି ନଅଣ୍ଟ ହୁଏନାହିଁ । ଘରେ ମା’ ଏକା, ଆଉ ଅଧିକ ଲୋଡ଼ା କୋଉଥିପାଇଁ ? ମଦନମୋହନଙ୍କୁ ମନାକରିବା ବେଳକୁ ସେ କହନ୍ତି, ଆରେ ଏଇଟା ରଖ । ଟଙ୍କାଟା ପାଖରେ ଥାଉ, ଦରକାରବେଳେ କାର୍ଯ୍ୟରେ ଆସିବ ।

ସମୀହା କରି କହେ ଶୁଭଙ୍କର, ବିନା ପରିଶ୍ରମରେ ଉପାର୍ଜନ କରିବା ଉଚିତ୍‌ ନୁହେଁ ଶେଠଜୀ । ମୁଁ ତ କିଛି କରିନାହିଁ । ଆପଣ ମୋତେ ଦେବେ କାହିଁକି ? ଶେଠଜୀ ତା କାନ୍ଧ ଉପରେ ହାତ ରଖି କହନ୍ତି, ତୁମ ପାଖରେ କାମ ଅଛି । ଆଜି ତୁମେ କର୍ମୀ, ପରେ ପୁଣି ପାହାଚ ଅତିକ୍ରମ କରି ଉପରକୁ ଉଠିବ, ନେତା ହବ । ତୁମେ ସେତେବେଳେ ମୋ କଥା ଆଉ ପାସୋରି ପାରିବ ? ସେଥିପାଇଁ ନେତାମାନଙ୍କର ଚର୍ଚ୍ଚା କଲାବେଳେ କର୍ମୀମାନଙ୍କର କଥା ପାସୋରି ହୁଏନାହିଁ । ଭବିଷ୍ୟନିଧି ପରି ଏହା ସଞ୍ଚିତ, ଏଥିରେ ଲାଭ ବ୍ୟତୀତ କ୍ଷତି ନାହିଁ ।

ଶୁଭଙ୍କର ସଙ୍କୁଚିତ ହୋଇଯାଏ । ମଦନମୋହନଙ୍କ ଗାଡ଼ିରୁ ବିଲାତି ମଦର ପ୍ୟାକେଟ୍‌ଟା ନେଇ ଘର ଭିତରେ ରଖିଆସେ । ତା’ପରେ ପଛ ସିଟ୍‌ରେ ଅପେକ୍ଷା କରୁଥିବା ରମଣୀକୁ ଦେଖେଇ କହନ୍ତି ମଦନ, ଏଯାଏ ଫେରି ନାହାନ୍ତି ନେତାଜୀ ? ଇମିତି ପରିଶ୍ରମ କଲେ ଦେହ ରହିବ ? ଦେଶ ତାଙ୍କ ପାଖରୁ ଅନେକ ଆଶା କରେ, ଜନତା ତାଙ୍କ ମୁହଁକୁ ଅନେଇ ବସିଛନ୍ତି-। ଠିକ୍‌ ଅଛି । ତୁମେ ଟିକେ ନଜର ରଖ । ତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅ । ଆଉ ଇଏ ରହିବେ ଆଜି-। ନେତାଜୀ ଫେରିବା ତାରିଖଟା ନିଜେ କହିଦେବେ । ଭିତରେ ପହୁଞ୍ଚାଇ ଦିଅ ।

 

ରମଣୀଙ୍କୁ ପଥଦେଖାଇ ନେଇଗଲା ଶୁଭଙ୍କର । ଗୋଟେ ତୀବ୍ର ସୁବାସ ଚାରିଆଡ଼େ ମହମହ ହୋଇ ଭାସିଗଲା । ଶାଢ଼ିଟା ଏତେ ପତଳା ଯେ ଦେହର ଅନେକାଂଶ ଫୁଟି ଦିଶୁଥିଲା ଆଖିକୁ । ମୁହଁ ଉପରେ ପ୍ରସାଧନର ବାହୁଲ୍ୟ । ଓଠରେ ଲାଲ ରଙ୍ଗ ସହିତ ଚାପା ହସ । ଥଣ୍ଡା ପାଣି ଗିଲାସେ ମାଗିଲା ସେ । ଫ୍ରିଜ୍‌ରୁ ପାଣି ଗିଲାସେ ଦେଇ ତା ହାତକୁ ବଢ଼ାଇ ଦବାବେଳେ ତା’ ଆଙ୍ଗୁଳିକୁ ମୁହୂର୍ତ୍ତେ ଚାପି ରଖି ଗିଲାସଟା ଧୀରେ ଧୀରେ ଉଠେଇନେଲା ରମଣୀ । ଶୁଭଙ୍କରର ସର୍ବାଙ୍ଗରେ ନିଆଁର ଝାସ ଲାଗିଗଲା ଯେପରି । ସେ ଝାଳେଇଯାଇ ପଳେଇଯିବାକୁ ବସିଲା । ବାହାରେ ମୁକ୍ତ ପବନ । ଶାନ୍ତ ଶୀତଳ ପରିବେଶ । ସେଥିରୁ ମେଞ୍ଚାଏ ଦେହରେ ଲାଗିଲେ ସେ ହୁଏତ ସୁସ୍ଥ ଅନୁଭବ କରିବ । ତା’ ହାତଟିକୁ ଧରିପକେଇ କହିଲା ରମଣୀ, ମୋତେ ଏକା ଛାଡ଼ି ଚାଲିଯାଉଚ ଯେ ?

 

ଶୁଭଙ୍କର ନିର୍ବାକ୍‌ ହୋଇଗଲା ।

 

ନଖରୁ ତାଳୁପର୍ଯ୍ୟନ୍ତ ଗୋଟିଏ ଅଗ୍ନିମୟ ଅନନୁଭୂତ ଶିହରଣ ତାକୁ ଚଞ୍ଚଳ କରିଦେଲା । ରମଣୀକୁ ସୋଫା ଉପରେ ବସେଇଦେଇ ସେ ବାହାରେ ଅପେକ୍ଷା କଲା । ବାହାରଟା ବୋଧହୁଏ ଭିତର ଅପେକ୍ଷା ଅଧିକ ନିରାପଦ ।

 

ରାତିରେ କେତେବେଳେ ଫେରନ୍ତି ନେତାଜୀ ଦିନେ ଦିନେ ଜାଣିପାରେ ନାହିଁ ଶୁଭଙ୍କର-। ରମଣୀ ଅପେକ୍ଷା କରେ । ଅନ୍ୟ କିଛି ପ୍ରୟୋଜନ ହୁଏନାହିଁ । ଏଇ କେତେ ଦିନ ହେଲା ନେତାଜୀଙ୍କ ସହିତ ଖୁବ୍‌ ବ୍ୟସ୍ତ ଥିଲା ଶୁଭଙ୍କର । ମ୍ୟୁନିସିପାଲିଟି ନିର୍ବାଚନ । ସମ୍ମାନର ଲଢ଼େଇ-। ନେତୃତ୍ୱର ଅଗ୍ନି ପରୀକ୍ଷା । ସକାଳୁ ବାହାରିଗଲେ ଫେରୁ ଫେରୁ ରାତିଅଧକରୁ ଟପିଯାଏ । ଧ୍ୱନି ଦେଇ ଦେଇ ଗଳାର ସ୍ୱରଟା ମୋଟା ହୁଏ ।

 

ସେଦିନ ନେତାଜୀ ଶେଠଜୀଙ୍କ ବଗିଚା ଘରେ ରହିଲେ । ଏତେ ରାତିରେ ଫେରିବାର ଅର୍ଥ ନାହିଁ । ପୁଣି ସକାଳ ହେଲେ କାମ । ଶୁଭଙ୍କର ଫେରିଆସିଲା ଏକାକୀ ।

 

ଗାଡ଼ି ଭିତରୁ ଫୁଲମାଳଗୁଡ଼ା ଉଠେଇନେଇ ନେତାଜୀଙ୍କ ବୈଠକଖାନାରେ ସଜେଇଦେଇ ସେ ଫେରୁଥିଲା ନିଜ କୋଠରିକୁ ।

 

ହାତକୁ ଧରିପକେଇ ଆଗରେ ଛିଡ଼ା ହୋଇଗଲା ରମଣୀ ।

 

ପଲକହୀନ ଆଖିରେ ଅନେଇ ରହିଲା ଶୁଭଙ୍କର ।

 

ଲୁଚିଲୁଚି ପଳେଇଯାଉଛ ଯେ ? ପଚାରିଲା ରମଣୀ ।

 

ରାତି ବହୁତ ହେଲାଣି । ନେତାଜୀ ରହିଗଲେ ବାହାରେ । କ୍ଳାନ୍ତିରେ ଅବଶ ଲାଗୁଚି ଦେହ । ଟିକେ ଶୋଇପଡ଼ିବି ଯାଇ । କହିଲା ଶୁଭଙ୍କର ।

 

ତୁମେ ଶୋଇପଡ଼ିବ ଆଉ ମୁଁ ଏକାକୀ ଅପେକ୍ଷା କରୁଥିବି ? କହିଲା ରମଣୀ ।

 

ଶୁଭଙ୍କରର ହାତଟିକୁ ଦୁଇହାତରେ ଚାପିଧରି ଚାପା କଣ୍ଠରେ କହିଲା; ଏଇ ଶୁଭଲଗ୍ନ ପାଇଁ ଆଜିଯାଏ ଅପେକ୍ଷା କରୁଥିଲି ମୁଁ । ଆଜି ଆଉ ତୁମକୁ ଛାଡ଼ିଦେଇ ପାରିବିନାହିଁ । ତୁମେ କଅଣ ସବୁଦିନ କର୍ମୀ ହୋଇ ରହିଯିବ, ନାୟକ ହବନାହିଁ ।

 

ଶୁଭଙ୍କରର କଣ୍ଠରୁ କୌଣସି କଥା ସ୍ଫୁରିଲାନାହିଁ ।

 

ଉଠୁ ଉଠୁ ଅନେକବେଳ ହୋଇଯାଇଥିଲା । ଘର ଭିତରେ ରାଶି ରାଶି ଆଲୋକ ଦେଖି ସେ ମନେପକାଇଲା ଗତ ରାତିର କଥା ।

 

ସାମ୍ନାରେ ଲେନିନ, ଗାନ୍ଧି, ବିବେକାନନ୍ଦ ।

 

ବାଷ୍ପାକୁଳ ହୋଇ ଛିଡ଼ାହୋଇଗଲା ଶୁଭଙ୍କର । ବିପ୍ଳବର ପଥ, ସତ୍ୟାଗ୍ରହର ଶିହରଣ, ଐଶ୍ୱରିକ ଚେତନାର ମାଧୁର୍ଯ୍ୟ ଅନ୍ତରାଳର କେଉଁ ଗୁପ୍ତପଥରେ ଅଣ୍ଡାଳି ହଉଥିଲା ପଥ ନପାଇ ।

 

ସଜଳ ଦୃଷ୍ଟି ଝାପ୍‌ସା ହୋଇଆସିଲା ।

 

ଏଇ ପ୍ରଥମ ନିଜକୁ ସର୍ବହରା ମନେକଲା ଶୁଭଙ୍କର ।

 

ଆଉ ତା’ର ନିଜସ୍ୱ ହୋଇ କିଛି ରହିଲାନାହିଁ । ସେ ପଥ ନପାଇ ଚକର ଅଖ ପରି କେବଳ ଘୂରିବାକୁ ଲାଗିଲା ।

 

କବାଟ ନ ଖୋଲି ପୁଣି ଆଉଥରେ ବିଛଣା ଉପରେ ଶୋଇପଡ଼ିଲା ଶୁଭଙ୍କର ।

☆☆☆

 

Unknown

ଝଡ଼ିପୋକ

 

ସାତଦିନ ହେଲା ଧାରାଶ୍ରାବଣ ଝରୁଚି । ବର୍ଷା, ବର୍ଷା, ଖାଲି ବର୍ଷା । ଏତେ ବର୍ଷା କୋଉଠି ଥାଏ, ଏତେ ପାଣି କୋଉଠୁ ଆସେ ? ଏତେ ପାଣି ମେଘଦେହରେ ଠୁଳହୁଏ କିପରି ? କେବଳ ବର୍ଷା ହେଲେ ବି ଏତେ ବାଧି ନ ଥାନ୍ତା । ବର୍ଷା ସାଙ୍ଗକୁ ଦୁଲୁକା ପବନ । ଝଡ଼ି ପାଗ । କୁଆ କୋଇଲି ବାହାରିବାର ଉପାୟ ନାହିଁ । ନୀଡ଼ ଭିତରେ ଜାକିଜୁକି ହୋଇ ବସିବା ଛଡ଼ା ଆଉ କଅଣ କରାଯାଇପାରେ ? ଯାହାର ନୀଡ଼ ଭାଙ୍ଗିଯାଇଛି ସେ ତିନ୍ତୁଛି ଝଡ଼ିବର୍ଷାରେ । କେତୋଟି ଚଢ଼େଇ, ଗୋଟେ କୁଆକୁ ଗଛମୂଳେ ମରି ପଡ଼ିଥିବାର ଦେଖିଚି ଗୋବିନ୍ଦ ।

 

ଟିକେ ବର୍ଷା କମିଗଲେ ଝଡ଼ିପୋକମାନେ ଖେଦିଯାଆନ୍ତି । ସେମାନଙ୍କର ଅଭିଯାନ ଦେଖି ମେଘ ବୋଧହୁଏ ପଛଘୁଞ୍ଚାଦିଏ କିଛି ସମୟ ପାଇଁ । ତା’ପରେ ଅଚାନକ ଆକ୍ରମଣ କରିବା ପାରି ମାଡ଼ିଆସେ ଆକାଶ ଉପରୁ ଯେ ଝଡ଼ିପୋକ ସବୁ ମିଶିଯାଆନ୍ତି ପାଣିରେ, ନିଶ୍ଚିହ୍ନ ହୋଇଯାଏ ସେମାନଙ୍କର ସତ୍ତା । ଝଡ଼ଠାରୁ ଆହୁରି କ୍ଷଣସ୍ଥାୟୀ ଝଡ଼ିପୋକମାନଙ୍କର ଜୀବନ ।

 

ଝୋଟକଳର ଚାରିପାଖରେ ପ୍ରହରୀଭଳି ଛିଡ଼ାହୋଇଚି ପାଚେରି । ମଝିରେ ଫାଟକ । ପାଚେରି ନଥିଲେ ସୁରକ୍ଷା ସମ୍ଭବ ହବନାହିଁ ବୋଲି ଏହି ବ୍ୟବସ୍ଥା । ଝୋଟକଳର ଫାଟକ ଆଗରେ କୋଟିପତିଙ୍କ ଉଆସ । ଝୋଟକଳ ତାଙ୍କରି ମସ୍ତବଡ଼ କୋଠା । ଚାରିପଟେ ପାଚେରି । କାଳେ କିଏ ପାଚେରି ଡେଇଁ ଭିତରକୁ ଚାଲିଯାଇପାରେ ବୋଲି ସେହି ସମ୍ଭାବନାକୁ ନଷ୍ଟକରି ପାଚେରି ଉପରେ କାଚ ଗୁଣ୍ଡ ବିଛେଇ ଦିଆଯାଇଛି । ଲୁହାର ଫାଟକକୁ ଜଗି ପହରାଦିଏ ନେପାଳୀ ଦରୱାନ୍‌, କାନ୍ଧରେ ବନ୍ଧୁକ ।

 

ଝୋଟକଳ ପାଚେରିର ପଶ୍ଚିମ କୋଣର ବାହାର ପଟକୁ ଗୋବିନ୍ଦର କୁଡ଼ିଆ । ପାଚେରି କାନ୍ଥକୁ ଆଶ୍ରାକରି ପୁରୁଣା ପଟିଆ, ଛିଣ୍ଡା କନ୍ଥା, ତାଳବରଡ଼ା ଏବଂ ପୁରୁଣା ଛିଣ୍ଡା ଚଟଦ୍ୱାରା ଛପର ତିଆରି ପାଚେରୀ କାନ୍ଥରୁ ତଳକୁ ଓହଲାଇ ଦେଇଥିଲା ସେ । କୁଡ଼ିଆର ଠିକ୍‌ ସାମ୍ନାରେ ନର୍ଦ୍ଦମା । ଝଡ଼ିବର୍ଷା ଯୋଗୁ ଉଛୁଳିପଡ଼ୁଥିଲା ନର୍ଦ୍ଦମାର ପଚା ପାଣି । ମାଛି, ମଶା, ଡାଆଁଶମାନେ ସର୍ବଦା ଜାଗ୍ରତ । ନର୍ଦ୍ଦମାର ଉଛୁଳା ପାଣି ସଡ଼କର ଦୁଇ ପାଖରେ ରହୁଥିବା ବର୍ଷା ପାଣି ସହିତ ମିଶି ଖେଳିଯାଇଥିଲା ରାସ୍ତା ଉପରେ । ସେଇ ନର୍ଦ୍ଦମା ପାଣିରେ ଆଣ୍ଠୁ ଭିଜାଇ ରିକ୍‌ସା ଟାଣି ବାବୁମାନଙ୍କୁ ପାରିକରି ଦଉଥିଲା ଗଫୁର ରିକ୍‌ସାବାଲା ।

 

ନର୍ଦ୍ଦମାର ପାଣିକୁ ରୋକିଦବା ପାଇଁ ବାଲି ଓ କାଦୁଅର ଛୋଟ ହିଡ଼ଟିଏ ପକେଇ ବନ୍ଧ ବାନ୍ଧିଥିଲା ଗୋବିନ୍ଦ । ମାଲିକଙ୍କ ଉଆସକୁ ସବୁଗାଡ଼ି ଏଇ ବାଟ ଦେଇ ଯିବାଆସିବା କରେ । ପାଣି ବେଶି ହବାରୁ ଟ୍ୟାକ୍‌ସି ସିନା ଆଉ ଯିବାଆସିବା କରିପାରିଲା ନାହିଁ, ଟ୍ରକ୍‌ଗୁଡ଼ା ଯିବାଆସିବା ବନ୍ଦ କଲେନାହିଁ । ଗୋଟେ ଟ୍ରକ୍‌ ଚାଲିଗଲେ ପାଣି ଚହଲିଯାଇ ମାଡ଼ିଯାଉଥିଲା ଦୁଇ କଡ଼କୁ । ସେ ଚହଲାପାଣି ହିଡ଼ ଡେଇଁ ପଶି ଯାଉଥିଲା ଗୋବିନ୍ଦର କୁଡ଼ିଆ ଭିତରେ । ଭିତରେ ପାଣିପଶିବା ଦେଖି ଚିରଚିରେଇ ଉଠନ୍ତି ପିଲାମାନେ । ଗୋବିନ୍ଦର ମାଇପ ମଇଳା କନ୍ଥା ଏବଂ ଲୁଗା କେଇକଣ୍ଡକୁ ରକ୍ଷା କରିବାକୁ ଯାଇ ସେଗୁଡ଼ାକୁ ଗୋଟେଇନବା ଆଗରୁ ଅଧା ଭିଜିଗଲା ସବୁ । ଶୁଖିଲା ଲୁଗା କେଇଖଣ୍ଡ ଭିଜିଯିବାର ଦେଖି ବିକଳ ହୋଇପଡ଼ିଲା ଗୋବିନ୍ଦର ସ୍ତ୍ରୀ । ପିଲାଗୁଡ଼ାକୁ ଏଇ ଦୁଲୁକା ପବନରୁ ରକ୍ଷାକରିବ କିପରି, ବୁଦ୍ଧି ଦିଶିଲାନାହିଁ ।

 

ତିନିଦିନ ହେଲା ରନ୍ଧା ହୋଇନଥିଲା । ଘରେ ଚୁଡ଼ା, ଚାଉଳ ଯାହା ଥିଲା ସବୁ ସରିଯାଇଥିଲା ଆଗରୁ । ଅଭାବି ସଂସାର । ପୁରୁଣା କାଗଜ ଗୋଟେଇ ସେସବୁକୁ ବିକ୍ରିକରି ଯାହା ପାଉଥିଲା, ସେଥିରେ ତିନୋଟି ପିଲା ଓ ସ୍ୱାମୀ ସ୍ତ୍ରୀର ସଂସାର ଚଳେନାହିଁ । ଓଳିଏ ଖାଇଲେ ଓଳିଏ ଓପାସ । ବର୍ଷା ଯୋଗୁଁ ଘରୁ ବାହାରି ପାରିନାହିଁ । ଉପାର୍ଜନ ନାହିଁ ବୋଲି ଚୁଡ଼ା ଚାଉଳ କିଛି କିଣି ଆଣିପାରିନାହିଁ । ଗହମ କିଲେ ହବ ପଡ଼ିଥିଲା ଯେ ସେଥିରୁ କେଇ ପୋଷ ଭିଜେଇ ଦେଇଥିଲା ପିଲାଙ୍କ ପାଇଁ । ପେଟରେ ଆହାର ନପଡ଼ିଲେ ଛୋଟ ପିଲାଗୁଡ଼ା ଆଉ କେତେଦିନ ବଞ୍ଚିବେ ? ସେଇ ଭିଜା ଗହମରୁ କିଛି କିଛି ଚୋବାଉଥିଲେ ଦୁଇ ପୁଅ । ଛୋଟ ଝିଅଟା ମାତ୍ର ତିନି ମାସର । ମାଆର ସ୍ତନକୁ ଚୁଷୁଥାଏ ଯେ ବେଳେବେଳେ ବିରକ୍ତ ହୋଇ ତା ମୁହଁଟାକୁ ଜବରଦସ୍ତ ଠେଲିଦିଏ ଗୋବିନ୍ଦର ସ୍ତ୍ରୀ । ଖାଲି କାଗଜ ବିକି ସଂସାର ଚଳାଇ ପାରେ ନାହିଁ ବୋଲି ଗୋବିନ୍ଦର ଭାର୍ଯ୍ୟା ଦୁଇଟା ପୁଅ ସହିତ ଟିକିଏ ଫୁରୁସ୍‌ତ ପାଇଲେ ସଡ଼କ କଡ଼ରେ ଗଦା ହୋଇଥିବା ଆବର୍ଜନା ଭିତରୁ ଛିଣ୍ଡା କାଗଜ, ପୁରୁଣା ଡିବା ଓ ବୋତଲ ଏବଂ ଅଧାଜଳା ଅଙ୍ଗାର ଖଣ୍ଡସବୁ ସଂଗ୍ରହ କରୁଥିଲେ । ଛିଣ୍ଡାକାଗଜ ବିକ୍ରି ହୋଇଯାଉଥିଲା । ପୁରୁଣା ଡିବା ଓ ବୋତଲଗୁଡ଼ାକୁ ଧୋଇ ପୋଛି ଖୁବ୍‌ ଶସ୍ତା ଦରରେ ବିକି କିଛି ପାଇଲେ ଗୋବିନ୍ଦର ଆୟ ସହିତ ମିଶାଇ ଦଉଥିଲା ତାର ସ୍ତ୍ରୀ । ଅଧାଜଳା ଅଙ୍ଗାରଗୁଡ଼ାକ ନହେଲେ ଚୁଲି ଜାଳିବ କିପରି ? କୋଇଲା କିଣିବାକୁ ଏତେ ପଇସା ପାଇବ କୋଉଠୁ ?

 

ଗୋବିନ୍ଦ ସହିତ ତାର ସ୍ତ୍ରୀ ଏବଂ ପିଲାମାନେ ନିଃସହାୟ ପରି ଛିଡ଼ାହୋଇ କେବଳ ଅନାଉଥିଲେ ବାହାରକୁ । ଝଡ଼ିବର୍ଷା ଯେପରି ଆଉ ବନ୍ଦ ହବନାହିଁ । ସାତଦିନ ହେଲା ସୂର୍ଯ୍ୟର କିରଣ ପଡ଼ିନାହିଁ ବୋଲି ସନ୍ତସନ୍ତିଆ ଓଦାମାଟି ଓ ପଚାପାଣିର ଗନ୍ଧ ଏକାକାର ହୋଇ ଖେଳି ବୁଲୁଥିଲା ଚତୁର୍ଦ୍ଦିଗରେ । ବଡ଼ ପୁଅଟା ଛଅ ବରଷର । କାଗଜ ଖଣ୍ଡେ ପାଇଲେ ଡଙ୍ଗା ତିଆରିକରି ଭସାଇଦବ ବୋଲି ଖୋଜୁଥିଲା ଘର ଭିତରେ ଯେ ଗୋବିନ୍ଦ ତାକୁ ଧରିଆଣି ତା ଗାଲ ଓ ପିଠିରେ ଦୁଇଟା ବସେଇଦେଲା ଓରମାନ ମେଣ୍ଟାଇବା ପାଇଁ । ସାନଟା ବଡ଼କୁ ମାଡ଼ ହବାର ଦେଖି ତୁଚ୍ଛାକୁ କାନ୍ଦିଉଠିଲା ଭେଁ ଭେଁ କରି । ଚାରିବର୍ଷର ସାନ ପିଲାଟା, ସାହସ ହେଲାନାହିଁ ପଳେଇଯିବା ପାଇଁ । ମନମାରି ପିଲାଦୁଇଟା ବି ଚାହିଁ ରହିଥିଲେ ପଦାକୁ । ଆକାଶରୁ ଏତେ ପାଣି ଝରି କୁଆଡ଼େ ଯାଉଥିଲା ବୋଲି କଳନା କରୁଥିଲେ ଦୁହେଁ ।

 

ଶେଠ୍‌ଜୀଙ୍କ କୋଠିର ଫାଟକ ଜଗି ନେପାଳୀ ଦରୱାନ୍‌ଟା ସବୁଦିନ ଛିଡ଼ା ହୁଏ । ଆଜି ବି ହୁଏତ ଛିଡ଼ା ହୋଇଥିବ ଭାବି ସେ ଆଡ଼କୁ ଚାହିଁଲା ଗୋବିନ୍ଦ । ବର୍ଷାରେ ଓଦା ହୋଇଯିବ ବୋଲି ମଥାଠାରୁ ପାଦଯାଏ ବର୍ଷାତି ଘୋଡ଼ିହୋଇ ବିଚିତ୍ର ପ୍ରକାର ଦିଶୁଥିଲା ସେ । କେବଳ ଆଖିଯୋଡ଼ିକ ଏବଂ ମୁହଁଟି ଜୁଳୁଜୁଳୁ ହୋଇ ଦିଶୁଥିଲା ବାହାରକୁ । ତାକୁ ଗୋବିନ୍ଦ ଦେଖିଲେ ବି ସେ ଗୋବିନ୍ଦକୁ ଦେଖିପାରିଲାନାହିଁ ।

 

ରାତିରୁ ଭିଜେଇଥିବା ଗହମରୁ ପୋଷେ ନେଇ ଗୋବିନ୍ଦ ବି ଚୋବେଇବାକୁ ଲାଗିଲା । କାଗଜରେ ନିଆଁ ଲଗାଇ ବିନା ଚିନି ଓ ଦୁଧରେ ନାଲି ଚା’ ତିଆରି କରିଥିଲା ଗୋବିନ୍ଦର ସ୍ତ୍ରୀ । ସେଇଥିରୁ କେତେ ଢୋକ ପିଇଦେଲେ ସ୍ୱାମୀ ସ୍ତ୍ରୀ । ପିଲା ଦୁଇଜଣଙ୍କ ମୁହଁରେ ବଳକାତକ ଢାଳିଦେଇ କହିଲା ତାର ସ୍ତ୍ରୀ, ଭଗବାନ ଦାଉସାଧିଲେ ରଖିବ ଆଉ କିଏ ?

 

ପିଲା ଦୁଇଟାର ଆଖି ପଶିଯାଇଥିଲା କୋଟର ତଳେ । ଦେହର ହାଡ଼ ଚାହୁଁଥିଲା ବାହାରକୁ । ବର୍ଷାଛିଟା ଲାଗିଥିଲା ଦେହରେ । ଦୁଲୁକା ପବନରେ ଶିହରି ଉଠୁଥିଲା ଦେହର ଲୋମ-। ଥରୁଥିଲେ ଦୁହେଁ । ଘୋଡ଼େଇ ଦବାପାଇଁ କମିଜ ଆଉ ନଥିଲା ଘରେ । ମାଗିଅଣା ଛିଣ୍ଡା କମିଜଗୁଡ଼ା ଭିଜି ଯାଇଥିଲା ଛପରରୁ ପାଣି ଗଳି । ଗୋଟେ ଅଧାଭିଜା ଲୁଗାକୁ ସେମାନଙ୍କ ଉପରକୁ ଫିଙ୍ଗିଦେଇ କହିଲା ଗୋବିନ୍ଦର ସ୍ତ୍ରୀ, ଘୋଡ଼ି ହୁଅ...... ।

 

ଅଧାଓଦା ଲୁଗାଟାକୁ ଘୋଡ଼େଇହୋଇ ବସିରହିଲେ ଦୁଇ ପୁଅ । ଛପର ଗଳି ପାଣି ପଡ଼ୁଥିଲା ଘର ଭିତରେ । ପିଲା ଦୁଇଟିଙ୍କ ସେତା ମୁହଁକୁ ଚାହିଁ ସେମାନଙ୍କ ଉପରେ ଟିକେ ଆଗରୁ ହାତ ଦେଇଥିବାରୁ ଅନୁତାପ କଲା ଗୋବିନ୍ଦ । ତିନିଦିନ ହେଲା ଗରମ ପେଜୁଆ ଭାତ ମୁଠେ ଖାଇନଥିଲେ ବୋଲି ଶୁଖି ଯାଇଥିଲେ ଦୁହେଁ । ଉଧାର କରି ଚାଉଳ କିଲେ ଆଣିପାରନ୍ତା କି ସେ ।

 

କିନ୍ତୁ ତାକୁ ଉଧାରଦବ କିଏ ? ଗୋବିନ୍ଦ ଯେ ଏ କଥାଟି ଜାଣେନାହିଁ ତାହା ନୁହେଁ । ତଥାପି ପିଲାଙ୍କୁ ସାନ୍ତ୍ୱନା ଦବା ଭଙ୍ଗୀରେ କହିଲା, ଚାଉଳ ମିଳିଗଲେ ପେଜ ଟିକେ ଟିକେ ପିଇବ, ଭାତ ମୁଠେ ବି ଖାଇବ । କିନ୍ତୁ କହିସାରି ନୀରବ ହୋଇଗଲା ପୁଣି । ଚାଉଳ କିଣିବା ପାଇଁ ସେ ଯେ ଟଙ୍କା ଯୋଗାଡ଼ କରି ପାରିବନାହିଁ ଏହା ଜାଣିଥିଲା; କିନ୍ତୁ ପିଲାମାନେ ଅନାହାରରେ ଆଉ କେତେଦିନ ବଞ୍ଚିବେ ? ସାନ ଝିଅଟି ମାଆ ସ୍ତନରୁ କ୍ଷୀର ଖାଏ ନୋହିଲେ ତାକୁ ରକ୍ଷା କରିବାର ଉପାୟ ନଥିଲା ତା’ ପକ୍ଷରେ ।

 

ପ୍ରକୃତିର ଇଚ୍ଛା କିଏ ବୁଝିବ ? ପ୍ରଳୟ ନହେଲେ ରକ୍ଷା ! କିନ୍ତୁ ଗୋବିନ୍ଦର ପ୍ରଳୟ ହବାକୁ ଆଉ ବାକି ନାହିଁ । କୁଡ଼ିଆ ଭିତରକୁ ନର୍ଦ୍ଦମାର ପାଣି ମାଡ଼ିଯାଇଥିଲା ଯେ ଭୂଇଁଟା ଓଦା ହୋଇଯାଇଥିଲା । ଓଦାମାଟି ଉପରେ ଛିଣ୍ଡା କାଗଜ ବିଛେଇ ତା’ ଉପରେ ମସିଣା ପାରି ଶୋଇଲେ ବି ଦେହକୁ ଥଣ୍ଡା ଲାଗେ । ଉପରୁ ପାଣିଗଳି ଭିଜିଯାଏ ଦେହ । ଏପରି ଅବସ୍ଥାକୁ ସେମାନେ ସିନା ସହିଯିବେ, ପିଲା ତିନୋଟି ସହିବେ କିପରି ? ଅସହାୟ ଭାବରେ ବାହାରକୁ ଅନାଇ ରହିଲା ଗୋବିନ୍ଦ । ଟିକେ ଶୁଖିଲା ଜାଗା ମିଳନ୍ତା କି !

 

ଗୋଟେ ବଡ଼ ଟ୍ରକ୍‌ ମିଲ୍‌ ଭିତରୁ ବାହାରି ସେହି ରାସ୍ତାଦେଇ ଚାଲିଗଲା । ଗାଡ଼ି ଚାଲିବା ଯୋଗୁ ପାଣି ଚହଲି ଲହରି ଖେଳାଇ ପଶିଗଲା ଗୋବିନ୍ଦର କୁଡ଼ିଆ ଭିତରେ । ଚିରିଚିରେଇ ଉଠିଲେ ପିଲା ଦୁଇଟା । ଛୋଟ ଝିଅକୁ ତଳେ ଶୁଆଇ ଛପରରୁ ଗଳୁଥିବା ପାଣିକୁ ଅଟକାଇବା ପାଇଁ ଛିଣ୍ଡା କାଗଜ ଗୁଞ୍ଜା ଦଉଥିଲା ଗୋବିନ୍ଦର ସ୍ତ୍ରୀ । ସାନ ଝିଅଟିକୁ ଉଠେଇନବା ଆଗରୁ ତା’ ଦିହ ପାଣି ଲାଗି ଭିଜି ଯିବାରୁ ସେ କାନ୍ଦିଉଠିଲା । ପୋଛିପୋଛି ଦେଇ ଗୋବିନ୍ଦ ପାଖରେ ଛିଡ଼ାହୋଇ କହିଲା ସେ, ଶେଠଜୀଙ୍କର ଏତେ ଘର । ଘୋଡ଼ାଶାଳର ଶୁଖିଲା ଜାଗାଟି ଆମକୁ ଦୁଇଦିନ ରହିବାପାଇଁ ଦିଅନ୍ତେ କି ! କୁହନ୍ତନି ଟିକେ !

 

କଥାଟା ଗୋବିନ୍ଦର ମନକୁ ପାଇଲା । ହେଲେ ସେ ଭରସିକରି ହଁ କି ନା କିଛି କହିଲାନାହିଁ । ଆଶା କରି ନିରାଶ ହବାଟା ଇମିତି ସ୍ୱାଭାବିକ ହୋଇଯାଇଚି ଯେ ଏତେଟା ଆଶା କରିବା ଯେପରି ଉଚିତ ନୁହେଁ ବୋଲି ସେ ଭାବିଲା । ତଥାପି ତାର ଇଚ୍ଛାହେଲା ଟିକେ ଚେଷ୍ଟା କରିବାପାଇଁ । ମଥାଉପରେ ଗାମୁଛଟା ଗୁଡ଼େଇଦେଇ ସେ ଆଗେଇଲା ଶେଠଜୀଙ୍କ ଫାଟକ ଆଡ଼କୁ ।

 

ଦରୱାନ ପ୍ରତିବାଦ କଲାନାହିଁ, ଛାଡ଼ିଦେଲା ଭିତରକୁ । ଗୁମାସ୍ତା ଆଗରେ ଛିଡ଼ାହୋଇ କହିଲା ଗୋବିନ୍ଦ, ପାଣିରେ ଭିଜୁଚନ୍ତି ପିଲାଗୁଡ଼ା, ମୁଣ୍ଡ ଗୁଞ୍ଜିବାପାଇଁ ଥାନ ଟିକେ ନାହିଁ । ଘୋଡ଼ାଶାଳଟା ଖାଲି ପଡ଼ିଚି; ଦୁଇଦିନ ରହିଯିବା ପାଇଁ ଅନୁମତି ଯଦି ଦିଅନ୍ତେ..... ।

 

ଅସମ୍ଭବ କଥା ଶୁଣି ମଣିଷ ଚମକି ଉଠିବାପରି ଚମକିପଡ଼ିଲା ଗୁମାସ୍ତା । ଘୋଡ଼ା ନଥାଉ ଘୋଡ଼ାଶାଳ ଅଛି ତ ! ଶେଠଜୀଙ୍କ ଘୋଡ଼ାଶାଳ ଉପରେ ଆଖିଥିବାରୁ ରାଗିଯାଇ କହିଲା ଗୁମାସ୍ତା, ବଢ଼ି ବଢ଼ି କଥା କହୁଚୁ, ମୁହଁରେ ବାଡ଼ବତା ଲାଗୁନି । ଏତେ ଜାଗା ପଡ଼ିଚି ତୋ ଆଖିକୁ ଦିଶିଲାନାହିଁ ଯେ ଶେଠଜୀଙ୍କ ଘୋଡ଼ାଶାଳଟା ଆଖିକୁ ଦିଶିଗଲା ?

 

ଗୋବିନ୍ଦ ଶଙ୍କିଗଲା ଟିକେ । ତା’ପରେ ଢୋକଗିଳି ମୁଣ୍ଡକୁଣ୍ଡାଇ କହିଲା, ଶେଠଜୀଙ୍କ କେତେ ବଡ଼ ଉଆସ । ଘୋଡ଼ାଶାଳଟା ଖାଲି ପଡ଼ିଚି । ଝଡ଼ିବର୍ଷା ଲାଗିରହିଚି ଯେ ବାହାରକୁ ଯାଇପାରୁନାହିଁ । ରୋଜଗାର ବନ୍ଦ । ପେଟରେ ଦାନା ନ ପଡ଼ୁ ଟିକେ ଶୁଖିଲା ଜାଗାରେ ଦୁଇଦିନ ରହିଯାଇ ପାରିଲେ ବଞ୍ଚିଯାଆନ୍ତେ ପିଲାଗୁଡ଼ା ।

 

ଗୁମାସ୍ତା କହିଲା, ଘୋଡ଼ାଶାଳ ଉପରେ ଯେବେ ଆଖି ପଡ଼ିଲାଣି ଉଆସ ଭିତରେ ଆଖି ପଡ଼ିବାକୁ ବେଶି ସମୟ ଲାଗିବ ନାହିଁ । ଚୋର ଡାକୁଙ୍କୁ ଆଣି ଘର ଭିତରେ ସ୍ଥାନ ଦବାପାଇଁ ଉପଦେଶ ଦଉଚୁ ମୋତେ ?

 

ଗୋବିନ୍ଦ ଆଉ ଭରସିକରି ଉତ୍ତର ଦେଇପାରିଲା ନାହିଁ । ଜିଭ କାମୁଡ଼ି ଲମ୍ୱହୋଇ ଗୋଡ଼ତଳେ ପଡ଼ିଗଲା ସେ । ପାଦ ଘୁଞ୍ଚେଇନେଇ କହିଲା ଗୁମାସ୍ତା, ଯା, ପଳା ଏଠୁ.....

 

ଗୋବିନ୍ଦ ଖନେଇ ଖନେଇ କହିଲା, ଆପଣ ମା-ବାପ....

 

ଆହୁରି ରାଗିଗଲା ଗୁମାସ୍ତା । ଗୋବିନ୍ଦକୁ ଯିବାକୁ କହି କହିଲା, ଶଳାର ସାହସ କେତେ ଦେଖୁଛ.... ଘୋଡ଼ାଶାଳର ଶୁଖିଲା ଜାଗାଟା ପାଇଲେ ମାଇପ ସହିତ ସୋହାଗକରିବ..... ।

 

ଗୋବିନ୍ଦ ଉଠିପଡ଼ିଲା । ଧୀରେ ଧୀରେ ଫେରିଯିବାବେଳେ ଘୋଡ଼ାଶାଳ ଆଡ଼େ ତେରେଛେଇ ଚାହିଁଦେଲା । ଇସ୍‌ ! ଜାଗାଟା ବର୍ଷାରେ ବି ଶୁଖିଲା ଅଛି । କେଡ଼େ ଆରାମରେ ଶୁଅନ୍ତେ ପିଲାମାନେ ।

 

ଘୋଡ଼ାଶାଳରେ ଆଉ ଘୋଡ଼ା ରହୁନଥିଲେ ବି ପୁରୁଣା ନାମଟା ରହି ଯାଇଚି । ଘୋଡ଼ାଗାଡ଼ି ଚଢ଼ି ଶେଠଜୀଙ୍କ ବାପା ବୁଲୁଥିଲେ । ଏବେ ଘୋଡ଼ାଗାଡ଼ି ନଚଢ଼ି ମୋଟରଗାଡ଼ି ଚଢ଼ୁଚନ୍ତି ଶେଠଜୀ । ଦୁଇଟା ମୋଟରଗାଡ଼ି ପାଇଁ ଦୁଇଟା ଅଲଗା ଗ୍ୟାରେଜ୍‌ ଅଛି । ଗାଡ଼ିର ଦାମ୍‌ ମଣିଷର ଦାମ୍‌ଠାରୁ ଅନେକ ବେଶି ।

 

ଗୋବନ୍ଦର ଫେରନ୍ତାପଥକୁ ଅନେଇ ବଡ଼ ଆଗ୍ରହରେ ଅପେକ୍ଷା କରୁଥିଲା ତା’ର ସ୍ତ୍ରୀ କାଞ୍ଚନ । ସେ ଭିତରକୁ ପଶି ଆସିବାକ୍ଷଣି ତାକୁ ପଚାରିଦେଲା କାଞ୍ଚନ, ରାଜିହେଲେ ଶେଠଜୀ ? ଉତ୍ତର ଶୁଣିବାପାଇଁ ଉତ୍‌କର୍ଣ୍ଣ ହୋଇ କାନ ଡେରିଥିଲେ ଦୁଇ ପୁଅ ।

 

ଗୋବିନ୍ଦ ଦୁଲୁକା ପବନପରି ଥଣ୍ଡା ସ୍ୱରରେ କହିଲା, ନା—ଘୋଡ଼ାଶାଳଟା ଆମପାଇଁ ନୁହେଁ ଲୋ କାଞ୍ଚନ...... ଆମ ଦାମ୍‌ ଏତେ ବଢ଼ାଯାଇନାହିଁ ଯେ ସେଠାରେ ସ୍ଥାନ ମିଳିବ ଆମକୁ ।

 

ଓଦାମସିଣା ଉପରେ ବସିପଡ଼ି ଗୁମୁରି ଉଠିଲା ଗୋବିନ୍ଦ—ମୁଁ ମନା କରୁଥିଲି ଯିବାପାଇଁ—ତୁ ବାଧ୍ୟକରି ପଠେଇଲୁ । ଓରମାନ ମେଣ୍ଟିଲା ଏଥର ? ଘୋଡ଼ାଶାଳରେ ଶୋଇବାପାଇଁ ସଉକ ହଉଥିଲା ଶାଳୀର.... ହାରାମଜାଦୀ.....

ଇମିତି ଗାଳିମାଡ଼ କାଞ୍ଚନର ଦେହସୁହା ହୋଇଯାଇଥିଲା । ଅଭାବ ପଡ଼ିଲେ, ଅକ୍ଷମ ହେଇଗଲେ ରାଗିଯାଏ ଗୋବିନ୍ଦ । ମାଇପ ବା ପିଲାମାନଙ୍କୁ, ଯାହାକୁ ଆଗରେ ପାଏ ସେତେବେଳେ ତା ଉପରେ ବିଧାଏ ଚାପୁଡ଼ାଏ ବସେଇଦିଏ ।

ପିଲାଦୁଇଟା ପାଚେରୀକୁ ଆଉଜି ଜୁଳୁଜୁଳୁ ହୋଇ ଚାହିଁଥିଲେ ।

ଝୋଟକଳର ଫାଟକପାଖରେ ବରାଗୁଲୁଗୁଲା ଦୋକାନରେ ଭିଡ଼ ଜମିଥିଲା । ବର୍ଷାପାଗରେ ଗରମବରା ସହିତ ଗିଲାସେ ଗରମ ଚା ପାଇବାପାଇଁ ଭିଡ଼ ଜମିଥିଲା ଦୋକାନରେ-। ବରା ଛାଣୁଥିଲା ଦୋକାନୀ । ପୋଡ଼ାତେଲର ସୁଆଦିଆ ଗନ୍ଧଟା ସଞ୍ଚରି ଯାଇଥିଲା ବାୟୁମଣ୍ଡଳରେ । ବେକ ଲମ୍ୱେଇଥିଲେ ପିଲାଦୁଇଟା । ଗୋବିନ୍ଦର ନାକରେ ବି ବାଜିଲା ପୋଡ଼ାତେଲର ଗନ୍ଧ ।

ଆଗରେ ଉଚ୍ଚପାଚେରୀ ସେପାଖରେ ଜୀବନର ସୁଆଦଟା ଆହୁରି ସୁନ୍ଦର । ପାଚେରୀକୁ ଆଶ୍ରାକରି ଏ ପାଖରେ ଥାଇ କେବଳ ଗନ୍ଧ ଶୁଂଘେ ନିରାଶ୍ରିତ ମଣିଷ । ଭୋକିଲାପେଟ ମୋଡ଼ି ହୋଇଯାଏ ସେଇ ଗନ୍ଧରେ । ଭୋକରେ ଆଉଟପାଉଟ ହୁଏ ମନ ।

ଶେଠଜୀଙ୍କ ଉଆସ ଚାରିପାଖରେ ପାଚେରୀର ପ୍ରଧାନ ଫାଟକ ପାରିହୋଇ ଛିଣ୍ଡା ଓ ପୁରୁଣା କାଗଜ ଗୋଟେଇବା ପାଇଁ ଅନୁମତି ନେଇଯାଏ ଗୋବିନ୍ଦ । ଏଇ କେତେଦିନ ହେଲା ଆଉ ଯାଇନାହିଁ । ଝଡ଼ିବର୍ଷାରେ କାଗଜ ଆସିବ କୋଉଠୁ ? ଠୁଙ୍ଗାତିଆରି ଦୋକାନରେ କାଗଜତକ ବିକିଦେଇ ଯାହା ପାଏ ସେଥିରେ କିଲେ ଚାଉଳ ହୁଏ ନାହିଁ । ତଥାପି ସେଇ କାମ ଛାଡ଼ି ଅନ୍ୟ କାମକୁ ହାତ ବଢ଼ାଇପାରେନି ସେ ।

ଗରମବରା ଗୋଟେ ଦଶପଇସା ଦେଇ କିଣିଦେଲେ ଦୁଇ ଭାଇ ଭାଗ ଭାଗ କରି ଖାଆନ୍ତେ; କିନ୍ତୁ ଦଶଟା ପଇସା ଏଇ ମହର୍ଗ ସମୟରେ ତାକୁ ଦବ କିଏ ? ହାତଗୋଟେଇ ବସିରହିଲା ଗୋବିନ୍ଦ ।

ଦରୱାନଟା ମନ୍ଦ ଲୋକ ନୁହେଁ । ବେଳଅବେଳରେ ଧାରଉଧାର ଦିଏ । ସମୟବେଳେ ସୁଖଦୁଃଖ ବି ହୁଏ । ନେପାଳର ତରାଇ ଇଲାକାରେ ଗୋଟେ ଛୋଟ ଗାଁଆରେ ଘର । ସ୍ତ୍ରୀ, ଦୁଇଟି ଝିଅ ଏବଂ ଗୋଟିଏ ପୁଅକୁ ଗାଆଁରେ ଛାଡ଼ି ସେ ଚାକିରୀ କରେ ଏଇ ବିଦେଶରେ । ମାସକୁ ପଚାଶ ଟଙ୍କା ପଠାଏ । ଦୁଇ ତିନି ବର୍ଷରେ ଥରେ ଗଲେ କିଛି ଲୁଗାପଟା ନେଇଯାଏ ସାଙ୍ଗରେ । ଯିବାଆସିବା ବାଟଖର୍ଚ୍ଚପାଇଁ ଶହେ ଟଙ୍କା ଅଣ୍ଟେନାହିଁ । ଦରୱାନର ବାପ ଘରଡ଼ିହ କିଣିବାପାଇଁ ଯେଉ ଟଙ୍କା ଋଣ କରିଥିଲା, ମରିବା ଆଗରୁ ସେତକ ପରିଶୋଧ କରିପାରି ନଥିଲା । ବ୍ରିଟିଶ ଫୌଜରେ ପନ୍ଦର ବର୍ଷ କାମକରି ବିଦେଶରେ ଯୁଦ୍ଧକରି ଘରକୁ ଫେରିଥିଲା ପଙ୍ଗୁହୋଇ । ଚାକିରୀ କାଳର ଟଙ୍କାରେ ସାତପୁରୁଷ ଚଳି ପାରନ୍ତିନାହିଁ । ସେଇ ପିତୃଋଣକୁ ପରିଶୋଧ କରିବାପାଇଁ ମହାଜନ ପାଖକୁ ଅଲଗା ପଚାଶ ଟଙ୍କା ପଠାଏ ଦରୱାନ୍‌ । ନିଜ ଗୁଜୁରାଣ ମେଣ୍ଟାଇସାରିବାପରେ ଦଶପନ୍ଦର ଯାହା ବଳେ ସାଇତିରଖେ । ସେଇଥିରୁ ଗୋବିନ୍ଦ ପରି ପାଞ୍ଚ ଜଣ ଧାରଉଧାର ନିଅନ୍ତି । କିଛି ସୁଧ ମିଳେ ସେଥିରୁ ।

ଦରୱାନ ପାଖରୁ ଆଉ ଉଧାର ମାଗିବାପାଇଁ ସାହସ ହୁଏନାହିଁ । ଗୋବିନ୍ଦର । ଯଦି ପରିଶୋଧ କରି ନ ପାରେ !

ବର୍ଷାଟା ଟିକିଏ କମିବାବେଳକୁ ଝଡ଼ିପୋକମାନେ ଛାଇଗଲେ ପାଚେରୀ ଉପରେ । ବରାଗୁଲୁଗୁଲା ଦୋକନରେ ଭିଡ଼ଜମିଲା ଗରମ ଚା’ ସହିତ ଗରମ ବରା ଖାଇବାପାଇଁ । ପିଲାମାନେ ଅନେଇଥିଲେ ସେଇ ଦୋକାନଆଡ଼କୁ । ଖାଇସାରି ଅଇଁଠା ପତର ପକଉଥିଲା ଜଣେ ଗରାଖ ।

 

ରାସ୍ତା କଡ଼ର ନଳାରେ ପାଣିର ସୁଅ ବଢ଼ୁଥିଲା । ଧାରାଶ୍ରାବଣର ବର୍ଷାପାଣି ସବୁ ଆବର୍ଜନାକୁ ଧୋଇନେଇ ଛୁଟୁଥିଲା ଚାରିଦଗରୁ । ଟିକେ ଆଗରେ ନଳା ଉପରେ ଗୋଟିଏ ଶଙ୍ଖ । କୁଟାଝଟା ଜମି ଶଙ୍ଖଟା ବନ୍ଦ ହୋଇଯାଇଥିଲା ବୋଲି ସହଜ ଭାବରେ ପାଣି ବହି ଯାଇପାରୁ ନଥିଲା । ପାଣି ଜମି ଶେଷରେ ଶଙ୍ଖ ଉପରେ ଉଛୁଳିପଡ଼ିଲା ପାଣି । ସେଇ ଉଛୁଳାପାଣିର ସୁଅ ମାଡ଼ିଆସିବା ଦେଖି କାଞ୍ଚନ ଭଙ୍ଗାହିଡ଼ଟାରେ ବୁଜା ଦବାବେଳକୁ ଆହୁରି କେତେ ଜାଗା ଧୋଇହୋଇ ପଶିଆସିଲା ପାଣି । ବାହାର ଓ ଭିତର ମଧ୍ୟରେ ଆଉ ଫରକ ରହିଲା ନାହିଁ ।

 

କାଞ୍ଚନ ହତାଶ ହୋଇ ଚାହିଁଲା ଶେଠଜୀଙ୍କ ଘୋଡ଼ାଶାଳଆଡ଼କୁ । ଦୁଇ ଦିନ ରହିବା ପାଇଁ ଦେଇଥିଲେ ଜାଗାଟା ମାରା ହୋଇଯାନ୍ତାନାହିଁ । ତିନି ମାସର ଝିଅଟା କୋଳରେ । ସାନପୁଅକୁ କାଲି ରାତିରେ ଜ୍ୱର ଆସିଥିଲା ଯେ ଏଯାଏ ତାତି ଯାଇନି ଦେହରୁ । ଆଖିଆଗରେ ପିଲାଗୁଡ଼ାକ ନିଃସହାୟ ହୋଇ ଭୋଗିବେ, ଏହା ଆଉ ସହ୍ୟ ହଉ ନଥିଲା ।

 

ଗୋବିନ୍ଦ ନୀରବରେ ବସିଥିଲା ।

 

ତା’ ପାଖରେ ଛିଡ଼ାହୋଇ କହିଲା ସେ, ମୋତେ ଗାଳିମନ୍ଦ କଲେ କଅଣ ହବ । ମୁଁ ନିଜପାଇଁ ଶୁଖିଲା ଜାଗା ଟିକେ ଖୋଜୁନଥିଲି । ସାନପୁଅକୁ ଜ୍ୱର, ଏଯାଏ କହିନଥିଲି ତୁମକୁ । କାଳେ ଯଦି ବେଶି ହବ । ଝିଅର ଦେହଟା ଉଷୁମ ଲାଗୁଚି । କଅଣ ହବ କିଏ ଜାଣେ ?

 

ଗୋବିନ୍ଦ ହାତ ବୁଲେଇଆଣିଲା ସାନପୁଅର କପାଳରେ । ବେଶ୍‌ ତାତି ଥିଲା ଦେହରେ-। ତାକୁ ଉଠେଇଆଣି କାଖକଲା ଗୋବିନ୍ଦ । ସେଇ ଦୋକାନଆଡ଼କୁ ଅନେଇଥିଲା ପିଲାଟା ଭୋକିଲା ଆଖିରେ । ଦରୱାନ୍‌ ସହିତ ଦୃଷ୍ଟି ମିଶିଯିବାରୁ ପଚାରିଦେଲା ସେ, ଏଇ ଝଡ଼ିବର୍ଷାରେ କାଉକୋଇଲି ବସାରୁ ବାହାରୁ ନାହାନ୍ତି, କିପରି ଚଳୁଚରେ ଗୋବିନ୍ଦ ?

 

ଗୋବିନ୍ଦ ସହସା କିଛି କହିପାରିଲା ନାହିଁ । ତା’ ଆଗରେ ଘୂରୁଥିଲା ପୃଥିବୀ, କୂଳକିନାରା କିଛି ପାଉନଥିଲା ସେ । ସବୁ ଦୁର୍ବିପାକ ଏବଂ ଦୁଃଖକଷ୍ଟ ସହି ପଡ଼ିରହିଚି ମଣିଷ । ସେଇ ମଣିଷକୁ କୋଳରେ ଧରି ମୁହୂର୍ତ୍ତେ ଗତିପଥରୁ ବିଚ୍ୟୁତି ନହୋଇ ଘୂରୁଚି ପୃଥିବୀ । ଅହର୍ନିଶି ଚାଲିବାଟା ହିଁ ଜୀବନ, ଅହର୍ନିଶି ଘୂରିବାଟା ହିଁ ସତ୍ୟ । ଜୀବନର ସେହି ଘୂର୍ଣ୍ଣନରେ ପେଷି ହୋଇଯାଏ ମଣିଷ ।

 

ଦରୱାନ୍‌ ପଚାରିଲା, ଚୁପ୍‌ ହୋଇ ରହିଲୁ ଯେ ଗୋବିନ୍ଦ !

 

କାଞ୍ଚନ ତାକୁ ହଲାଇଦେଇ ସଚେତନ କରିଦେଲା । ତା’ କାନପାଖରେ କଅଣ କହିଲା-। ତା’ପରେ ପାଣିସୁଅ କାଟି ଦରୱାନ୍‌ ପାଖକୁ ଚାଲିଲା ଗୋବିନ୍ଦ ।

 

ଫାଟକ ଭିତରକୁ ଚାହିଁଲା ଗୋବିନ୍ଦ । ସାମ୍ନାରେ ଶେଠଜୀଙ୍କ ଉଆସ । ଇସ୍‌, କେତେ ବଡ଼ ଉଆସଟା ! ବଡ଼ ସୁଖରେ ଆତଯାତ ହଉଥିବେ ଶେଠଜୀ, ପିଲା ଏବଂ ଚାକରବାକର ।

 

ଗୋବିନ୍ଦକୁ ଦେଖି ଦରୱାନ୍‌ ହସିଦେଇ କହିଲା, ଗୋବିନ୍ଦ ଯେ....ଝଡ଼ିପୋକ ପରି ଉଡ଼ିଆସିଲୁ ପରା !

 

ଦରୱାନ୍‌ ଦରଦୀ ଲୋକ । ତା’ ପାଖରେ ମନକଥାଟି ଖୋଲି କହିଦବା ପାଇଁ ତୁଣ୍ଡ ଖଲଖଲ ହେଲା । ଆଉ ବିଳମ୍ୱ ନକରି କହିପକେଇଲା ଗୋବିନ୍ଦ, ଆମେ ତ ଆଉ ମଣିଷ ନୋହୁଁ ଦରୱାନ୍‌ଜୀ, ଆମେ ଝଡ଼ିପୋକ ।

 

ସାହସ ପାଇ କହିଲା ଗୋବିନ୍ଦ, ହଁ, କଷ୍ଟଗୁଡ଼ା ଅଭ୍ୟାସ ହୋଇଗଲାଣି । ସାନପୁଅଟା ଜ୍ୱର । କୋଳର ପିଲାଟାର ଦେହ ବି ତାତିଛି । କଅଣ ହେବ କେଜାଣି ।

 

ଦରୱାନ୍‌ ମୁହଁଟି ଶୁଖିଗଲା । ସେ ଗୋବିନ୍ଦର ସହିତ ଥଟ୍ଟାପରିହାସ କରିବାପାଇଁ କେତୋଟି କଥା ସାଇତି ରଖିଥିଲା । ସେତକ ପେଟଭିତରେ ରହିଗଲା, ଆଉ ବାହାରିଲା ନାହିଁ । ସେ ସରୁ କଣ୍ଠରେ କହିଲା, ଟିକେ ମାଲିସ୍‌ କର ଗୋବିନ୍ଦ, ଥଣ୍ଡା ଲାଗିଛି ।

 

ମାଲିସରେ କୌଣସି ଲାଭ ହବନାହିଁ ଦରୱାନ୍‌ଜୀ । ବାହାର ଓ ଭିତରେ ପ୍ରଭେଦ ଆଉ କିଛି ତ ନାହିଁ । ଶେଠଜୀଙ୍କ ଘୋଡ଼ାଶାଳଟା ଶୁଖିଲା ପଡ଼ିଛି । ଦୁଇଦିନ ପାଇଁ ଅନୁମତି ମିଳିଗଲେ ପିଲାଗୁଡ଼ା ବଞ୍ଚଯାଆନ୍ତେ..... ।

 

ଦରୱାନ୍‌ ବୁଝେଇଲା । ଇଏ ଏତେ ସହଜ ନୁହେଁ । ଘୋଡ଼ାଶାଳରେ ଘୋଡ଼ା ନାହିଁ ସତ କିନ୍ତୁ ଶେଠଜୀଙ୍କ ବୋଝେଇ ଗାଡ଼ିଗୁଡ଼ା ବର୍ଷାରେ ଭିଜୁଚି । ଦୁଇଟାଗାଡ଼ିସିନା ଗ୍ୟାରେଜ ଭିତରେ, ଅନ୍ୟ ଗାଡ଼ିଗୁଡ଼ା ଏବେ ବି ବାହାରେ । ତା’ପରେ...

 

ତା’ପରେ ଆକାଶଟା ଖୁବ୍‌ ଭୟଙ୍କର ମନେହେଲା ଗୋବିନ୍ଦକୁ । ମେଘମାନ ଠୁଳହେଉଥିଲେ ପୁଣି ଥରେ ପୃଥିବୀ ଉପରେ ଆଉ ଗୋଟିଏ ଅଭିଯାନ ଚଳେଇବା ପାଇଁ । ହୁଏତ ମୂଷଳଧାରାରେ ଗର୍ଜି ଉଠିବ ମେଘ । ସେହି ବର୍ଷାର ଭାର ବହନକରିସାରି ଖସିପଡ଼ିବ ଛପର, ଭୂଇଁରେ ଲୋଟିଯିବେ ଛିଣ୍ଡା କନ୍ଥା, ପୁରୁଣା ଚଟ ଏବଂ କାଗଜର କୁଡ଼ିଆ ।

 

ଦରୱାନ୍‌ର ବୋଧେ ଦୟାହେଲା । ପକେଟରୁ କେତୋଟି ଦଶପଇସି ବାହାରକରି କହିଲା, ଆଉ ବେଶି ଥିଲେ ଦେଇଥାଆନ୍ତି ଗୋବିନ୍ଦ । ଆଜି ପରା ଅଠେଇଶ ତାରିଖ । ପହିଲା ହବାକୁ ଆହୁରି ତିନିଦିନ ବାକି ।

 

ପଇସାଗୁଡ଼ାକୁ ଗଣିଲା ନାହିଁ ଗୋବିନ୍ଦ । ସଲାମ ଠୁଙ୍କି ସେ ତରତର ହୋଇ ଫେରିଗଲା କୁଡ଼ିଆଆଡ଼କୁ । ସାନପୁଅଟା ସେତେବେଳକୁ ଥରୁଥିଲା ଜ୍ୱରର ପ୍ରକୋପରେ । କାଞ୍ଚନ ହାତକୁ ପଇସାଗୁଡ଼ା ବଢ଼େଇଦେଇ କହିଲା ଗୋବିନ୍ଦ, ଚଳେଇନେଇପାରିବୁ ଆଜି ଦିନଟା ?

 

ନଅଟା ଦଶପଇସି-ନଅ ଟଙ୍କା ପରି ମନେକଲା କାଞ୍ଚନ । ଖାଲିହାତଟା ପୂର୍ଣ୍ଣ ହୋଇଗଲା ଯେପରି । ଦଶପଇସିଗୁଡ଼ାର ସମବେତ ଆବାଜ୍‌ କାନରେ ବାଜିଲା ଆସି । ସେ ସ୍ୱାମୀକୁ ସୋହାଗକଲା ସ୍ୱରରେ କହିଲା, ଏତେଗୁଡ଼ା ପଇସା ଦେଇଥିଲା ଦରୱାନଜୀ ?

 

ଗୋବିନ୍ଦ କିଛି ଉତ୍ତର ନଦେଇ ପ୍ରସଙ୍ଗ ପକେଇ କହିଲା, ଚାହାପତି ଘରେ ଅଛି, ଚୂଲି ଧରେଇ ଗରମ ଚାହାଟିକେ ତୁଣ୍ଡରେ ଦେଲେ ଦେହଟା ସତେଜ ଲାଗନ୍ତା । ଚିନି, ଦୁଧ ଦରକାର ନାହିଁ, ସେସବୁ ଆମପାଇଁ ନୁହେଁ ।

 

କାଞ୍ଚନ ସାନଝିଅକୁ ଦୁଧ ଖୁଆଉଥିଲାବୋଲି ବସିପଡ଼ି ଚୂଲୀ ଲଗାଇବାର ଉପକ୍ରମ କଲା ଗୋବିନ୍ଦ । ଚୂଲିଧରେଇ ଚାହାକରି ସେଥିରେ ତଣ୍ଟି ଭିଜେଇ ଦଉଡ଼ିଯାଇ ଅଧକିଲେ ଖୁଦ କିଣିଆଣିଲେ ଗରମ ପେଜୁଆ ଭାତ ସାଷ୍ଟାମ ହୁଅନ୍ତେ ପିଲାମାନେ । ସେ ଆଉ ବିଳମ୍ୱ କଲାନାହିଁ । ଓଦା ହୋଇଯାଇଥିଲା ବୋଲି କାମରେ ଲାଗିନାହିଁ ବୋଲି ବରାଦୋକାନରୁ ନିଆଁଟିକେ ମାଗିଆଣି ଚୂଲୀଧରେଇ ଚାହାକଲା । ତା’ପରେ ମଥା ଉପରେ ଗାମୁଛା ଗୁଡ଼େଇ ବାହାରିଗଲା ଖୁଦ ଆଣିବାପାଇଁ ।

 

ପିଲାଗୁଡ଼ା ଗରମ ପେଜୁଆଭାତ ତୁଣ୍ଡରେ ଦେବେବୋଲି ଅନେକ ସମୟ ଅପେକ୍ଷା କରି ଶୋଇପଡ଼ିଲେ ଶେଷରେ । ପାଚେରୀ ଉପରେ କ୍ଳାନ୍ତଦେହଟାକୁ ଆଉଜାଇଦେଇ ଆଖିବୁଜି ବସିରହିଲା କାଞ୍ଚନ ।

 

ମୁହଁଅନ୍ଧାରରେ ଶେଠଜୀଙ୍କର ଗୋଦାମଘରୁ ଚୋରୀ ହେଲାବୋଲି ଧାଁଧପଡ଼ି ଲାଗିଗଲା ଚାରିଆଡ଼େ । ସନ୍ଦେହୀମାନଙ୍କ ସହିତ ଅଭିଯୁକ୍ତ ହୋଇ ରାସ୍ତାରୁ ହାଜତକୁ ଚାଲିଗଲା ଗୋବିନ୍ଦ ।

 

ତିନିଦିନ ପରେ ଖୁଦ ଅଧକିଲେ ଧରି ଫେରିବାବେଳକୁ ଅନେକ ଡ଼େରି ହୋଇଯାଇଥିଲା ।

 

ସାନପୁଅକୁ କାନ୍ଧରେ ପକେଇ ଶେଷକୃତ୍ୟ ସାରି ଆସିବାପାଇଁ ଶ୍ମଶାନ ଆଡ଼କୁ ତରତର ହୋଇ ଧାଇଁଲା ଗୋବିନ୍ଦ ।

 

ଝଡ଼ିବର୍ଷା ଶେଷ ହୋଇ ଯାଇଥିଲେ ବି ଏବେ ବି ଶହ ଶହ ଝଡ଼ିପୋକ ପଡ଼ିରହିଥିଲେ ମାଟି ଉପରେ ।

☆☆☆

 

ଚିଡ଼ିଆଖାନାରେ ରହିବାପାଇଁ

 

ସନିଆ ମନକୁ କଥାଟା ପାଇଲା । ଗାଡ଼ିରେ ଯିବ ଏବଂ ଗାଡ଼ିରେ ଫେରିବ, ଭଡ଼ାଦବାକୁ ପଡ଼ିବ ନାହିଁ; ଦୁଇ ବକତ ଜଳଖିଆ ଆଉ ବକତେ ଖିଚୁଡ଼ି ମିଳିବ ମାଗଣାରେ । ନୂଆ ରାଜଧାନୀ ଦେଖିନାହିଁ, ଏଇ ମୌକାରେ ଦେଖି ଆସିବ ! ଏପରି ସୁବିଧା କିଏ ଛାଡ଼େ ? ଦିନକର ମଜୁରୀ ମାରାଯିବ ସିନା, ହେଲେ ଭୁବେନେଶ୍ୱର ଦେଖିଆସିବ । କାମଧନ୍ଦା କିଛି କରିବାକୁ ହବନାହିଁ । କେବଳ କେତେଗୁଡ଼ା ବୋଲିକୁ ଦୋହାରାଇବ । ବୋଲିଗୁଡ଼ା ବି ତା’ ମନକୁ ପାଇଲା । ‘ଲଙ୍ଗଳ ଯାହାର ଜମି ତାହାର’, ‘କାଟିବ ଯିଏ ନବ ସିଏ’, ‘ଭୋକରେ କେହି ରହିବେ ନାହିଁ, ରୋଗରେ କେହି ମରିବେ ନାହିଁ, ‘ଚାଷୀ ମଜଦୁର ଭାଇ ଭାଇ’ ।

 

ମନଟା ଚଞ୍ଚଳ ହେଲା । ରାତି ପାହିବାବେଳକୁ ଗାଆଁ ଦାଣ୍ଡରେ ପଚିଶ ତିରିଶ ଜଣ ରୁଣ୍ଡ ହୋଇଗଲେ । ସହଳ ସହଳ ପାଞ୍ଚ ମାଇଲ ପାଦରେ ଚାଲି ନଗଲେ ରେଳଗାଡ଼ି ମିଳିବ ନାହିଁ । ସନିଆ ସହରକୁ ଆଉ କେବେ ଯେ ଯାଇ ନଥିଲା ଏପରି ନୁହେଁ; ହେଲେ ରାଜଧାନୀକୁ ଯିବା ଏଇ ପ୍ରଥମ । ସେ ଗାଆଁ ଲୋକଙ୍କ ସବା ଆଗରେ ଚାଲିଲା । ଗୋଟିଏ ଛୋଟ ପଟୁଆର ଖାଲଢ଼ିପ ଡେଇଁ ବିଲ ରାସ୍ତା ପାରହୋଇ ଆଗେଇବାବେଳେ ସନିଆ ଶିଖିଥିବା ବୋଲିରୁ ଗୋଟେ ଦୁଇଟା ଦୋହରାଇଲା । ତା’ ସହିତ ସ୍ୱରମିଳାଇ ଅନ୍ୟମାନେ ବି ଧ୍ୱନି ଦେଲେ ।

 

ସନିଆ ହାତରେ ଗୋଟିଏ ପତାକା ଧରିଥିଲା । ଗତକାଲି ସହରରୁ ଆସିଥିବା ବାବୁମାନେ ଏଇ ପତାକାଖଣ୍ଡକ ତା’ ହାତରେ ଧରାଇ ଦେଇଥିଲେ । ଏଇ ପତାକା ତଳେ ସନିଆ, ଗୁରୁବା, ଚଉଁରା, ନବା, ରାଘବ ଏକଜୁଟ ହୋଇ ଚାଲିଲେ ପତାକା ଫରଫର ହୋଇ ଉଡ଼ିବବୋଲି ସେମାନେ କହିଥିଲେ । ପତାକା ହିଁ ସବୁ । ବଡ଼ଦେଉଳର ଚୂଡ଼ା ଉପରେ ଫରଫର ହୋଇ ଉଡ଼ୁଥିବା ବାନା ପରି ସାଧାରଣ ମଣିଷ ହାତରେ ଜୀବନର ଜୟଗାନ କରି ଉଡ଼େ ଏଇ ବାନା । ଏଇ ପତାକାତଳେ କୁଆଡ଼େ ଏକଜୁଟ ହେଲେ ସବୁ ସମସ୍ୟାର ସମାଧାନ ହୋଇଯିବ; ରୋଗ, ଭୋକ, ଶୋଷ, ଦାରିଦ୍ର୍ୟ ଲୋପ ପାଇଯିବ । ଏଇ ପତାକା କେବଳ ଦୁଇହାତ ଲମ୍ୱ, ଦୁଇହାତ ଚଉଡ଼ାର ଗୋଟେ କପଡ଼ା ନୁହଁ; ଏହା ପବିତ୍ର, ସବୁ ଆଶାଭରସାର ପ୍ରତୀକ । ସନିଆ ପତାକାର ମହିମା ଶୁଣିବା ପରଠୁ ନିଜେ ପତାକା ଧରି ସମସ୍ତଙ୍କ ଆଗେ ଆଗେ ଚାଲିବ ବୋଲି ସ୍ଥିର କଲା । ଏତେ ବଡ଼ ସୁଯୋଗ କାହାକୁ ମିଳେ ? ବାପ ଗୋସେଇଁବାପର ଧର୍ମ ଯୋଗୁଁ ସେ ଆଜି ପୁଣ୍ୟ କାମଟିଏ କରୁଥିବାର ମନକୁ ପାଇଲା । ପତାକାକୁ ଗୋଟିଏ ବାଉଁଶ ଦଣ୍ଡରେ ଲଗାଇ କାନ୍ଧରେ ପକେଇ ଆଗେ ଆଗେ ଚାଲିଲା । ଘରୁ ବାହାରିବାବେଳେ ମାଇପ ତା’ କଥା ନଶୁଣି ପିନ୍ଧାଲୁଗାର ଗୋଟିଏ କାନିରେ ଚାରିଅଣା ପଇସା ବାନ୍ଧି ଦେଇଥିଲା । ବିଦେଶ ଯାଗା । ସଭିଏଁ ଅଚିହ୍ନା । ବିପଦଆପଦରେ କିଏ ପିଠିରେ ପଡ଼ିବ ? ପାଖରେ ପଇସା ଥିଲେ ମନ ବେପାରୁଆ ହୁଏ । ମାଇପ ପଇସା ଗଣ୍ଠେଇ ଦବାବେଳେ ସନିଆ କହୁଥାଏ, ସେମାନେ ସବୁ ବ୍ୟବସ୍ଥା କରିଚନ୍ତି । ଯିବାଆସିବା, ଖାଇବାପିଇବା । ଆମ ହାତରୁ କାଣିକଉଡ଼ିଟିଏ ବି ଖର୍ଚ୍ଚ ହବନାହିଁ; ତଥାପି ଜବରଦସ୍ତି ବାନ୍ଧିଦଉଛୁ ତ ଦେଇଥା, ମନା କରିବି ନାହିଁ । ସଭା ସାରି ଫେରିବାବେଳେ ତୋ ପାଇଁ ନାଲି କାଚ ଦୁଇପଟ ନେଇ ଆସିବି । ସୁଲି କିନ୍ତୁ ତା’ କଥାରେ ବିଶ୍ୱାସ ନକରିବା ପରି ମୁହଁ କରି କହୁଥାଏ, ରେଳଗାଡ଼ିରେ ବିନାଟିକେଟରେ ବସିବୁ ନାହିଁ, ମାମୁଁଘରକୁ ଧରି ନେଇଯିବେ । ଏତେ ଲୋକଙ୍କର ଶ୍ୱଶୁର ଘର ସହରରେ ନାହିଁ ଯେ ପଖାଳ ଶୁଖୁଆପୋଡ଼ା ଧରି ଅନେଇ ବସିଥିବେ ସେମାନେ । ବିପଦଆପଦ ଅଛି, ସାଙ୍ଗରେ ପଇସାଥିଲେ ଦରକାରରେ ଆସିବ ।

 

ସୁଲି କୁଞ୍ଚକାନିରେ ବାନ୍ଧିଦେଇଥିବା ଚାରିଅଣା ପଇସାକୁ ମନେପକାଇ ମନେ ମନେ ହସିଦିଏ ସନିଆ । ସୁଲିଟା ନିହାତି ଗାଉଁଲୀ, ନୋହିଲେ ଏତେ ଡରନ୍ତା ନାହିଁ । ବାବୁମାନେ ପଢ଼ୁଆ ଲୋକ । ଗହୀର ଜମିରେ ସେମାନଙ୍କର ଚାଷ । ସେମାନେ ମିଛ କହିବେ ? ଲୋକଙ୍କୁ ନେଇଯିବେ ସହରକୁ ? ସେମାନଙ୍କର ଲାଭ କଅଣ ? ସେଦିନ ଗାଆଁ ଭାଗବତଘର ଆଗରେ ଯୋଉ ସଭା ହେଲା, ସେଥିରେ ସେମାନେ ଯାହା କହିଲେ ସବୁ ତ ଗରିବଦୁଃଖୀଙ୍କ ପାଇଁ । ଗରିବ ଚାଷୀମୂଲିଆ ଏକଜୁଟ ହେଲେ ସବୁ ସମସ୍ୟାର ସମାଧାନ ହୋଇଯିବ । ଆଜିଯାଏ ବଡ଼ଲୋକର ଶାସନ ଚାଲିଚି-। ଗରିବର ଶାସନ ପ୍ରତିଷ୍ଠିତ ହେଲେ ଆଉ ଅଭାବଅସୁବିଧା ରହିବ ନାହିଁ, ରୋଗବୈରାଗ ହବ ନାହିଁ । ସମସ୍ତେ ସମାନ ହୋଇଯିବେ ।

 

ସନିଆ ଯୋରକରି ଧ୍ୱନି ଛାଡ଼ିଲା: ଗରିବ ଦୁଃଖୀ ଏକଜୁଟ ହୁଅ ।

 

ଅନ୍ୟମାନେ ଏକସ୍ୱରରେ ଦୋହରାଇଲେ । କାନ୍ଦିଉଠିଲା ଗ୍ରାମାଞ୍ଚଳ । ଧୀରେ ଧୀରେ ଷ୍ଟେସନଆଡ଼କୁ ଆଗଉଥିବା ପଟୁଆରକୁ ମୁହଁବୁଲାଇ ଦେଖିନେଇ ମନକୁ ମନ କହିଲା ସନିଆ, ବାବୁମାନଙ୍କର କଥା ସତ ହବ, ସତ୍ୟ ଯୁଗ ଆସିବ; ରୋଗ, ଦୁଃଖ, ଅଭାବ ଆଉ ରହିବ ନାହିଁ । ବାବୁମାନେ ଏ ଯୁଗର ମଣିଷ ନୁହଁନ୍ତି, ସତ୍ୟ ଯୁଗର । ନୋହିଲେ ନିଜ ନିଜର ସୁଖରେ ଅଏସରେ ନରହି ଧୂଳିମଳି ହୋଇ ଏଇ ନିପଟମଫସଲକୁ ଆସନ୍ତେ ସେମାନେଙ୍କର ହାନିଲାଭ ବୁଝିବା ପାଇଁ-। ଆହା ! ଏପରି ପୁଣ୍ୟବନ୍ତ ପୁରୁଷ ନଥିଲେ ବାସୁକୀ ପୃଥିବୀର ଭାର ବହନକରିପାରନ୍ତା-?

 

ସନିଆ ପାଦପକଉଥିଲା ଲମ୍ୱେଇ ଲମ୍ୱେଇ । ଷ୍ଟେସନଟା ଆଖି ଆଗରେ ଦିଶିଯାଉଛି । ରେଳଗାଡ଼ି ଚଢ଼ି ଆଜି ସହରକୁ ଯିବ । ଚିଡ଼ିଆଖାନା, ଦୋକାନବଜାର ଦେଖିବ । ଏପରି ସୁବିଧା ସହଜରେ ମିଳେ ନାହିଁ । ବାପ, ଗୋସେଇଁବାପ ପୁଣ୍ୟ ଅର୍ଜନ କରିଥିଲେ, ସେ କିନ୍ତୁ ଭୋଗକରୁଚି ତାର ଫଳ । ଆହା ସେମାନେ ଯଦି ବଞ୍ଚିଥାଆନ୍ତେ ।

 

ସୂର୍ଯ୍ୟଦେବତା ଆକାଶ ଉପରକୁ ଉଠିବାବେଳକୁ ଧୂଆଁ ଛାଡ଼ି ରେଳଗାଡ଼ିଟା ଆସି ଛିଡ଼ାହେଲା ଷ୍ଟେସନରେ । ସେଠାରେ ବାବୁ ଜଣେ ଅପେକ୍ଷା କରୁଥିଲେ । ପାଞ୍ଚଟି ଗାଆଁର ପ୍ରାୟ ଶହେ ଲୋକଙ୍କୁ ଗାଡ଼ିରେ ଉଠାଇଦେଇ କହିଲେ, ନିର୍ଭୟରେ ବସିଥାଅ । ଏ ଗାଡ଼ି ଆମର । ଟିକଟ କରିବାକୁ ପଡ଼ିବ ନାହିଁ । ଟିକଟ ମାଗିବାକୁ କେହି ଆସିଲେ ପତାକାଟିକୁ ଦେଖେଇଦବ, ଏଇ ପତାକା ଆମର ଟିକଟ । ମୁଁ ଅନ୍ୟକୋଠରୀକୁ ଯାଉଛି, ସେଠାରେ ବସିଥିବା ଲୋକଙ୍କର ଖବର ଟିକେ ବୁଝେ ।

 

ସେ ଅନ୍ୟ ଡବାକୁ ଚାଲିଗଲା ପରେ ଗାଡ଼ି ଛାଡ଼ିଦେଲା । ଗୋଟିଏ ଡବାରେ ଠେସାଠେସି ହୋଇ ବସିପଡ଼ିଲେ ସଭିଏଁ ।

 

ରେଳଗାଡ଼ି ତାଳଦେଇ ଚାଲିଲା । ଆଖିଆଗରେ ଅଦୃଶ୍ୟ ହୋଇଗଲା ନିଜର ଗାଆଁ, ତୋଟାମାଳ । ସନିଆକୁ ସବୁ ନୂଆପରି ଲାଗୁଥାଏ । ଆଜିଯାଏ ସେ ଯେପରି ଏକା ଥିଲା, ଏବେ ସେ ଆଉ ଏକା ନୁହେଁ, ଅନେକ ମୁଣ୍ଡଗଣତି ହେବା ଭଳି ସେ ଜଣେ ଲୋକ । ବାବୁ ଜଣକ ସତ୍ୟ ଯୁଗର ମଣିଷ । ନୋହିଲେ ପର ପାଇଁ ଏତେ କଷ୍ଟ ସହି ଏଇ ଛୋଟ ଷ୍ଟେସନରେ ସେମାନଙ୍କୁ ଅନିଶା କରି ନଥାନ୍ତେ । ସନିଆ ତାଙ୍କର ଶୁଭ ମନାସିଲା । ବଡ଼ତି ହଉ । କୋଟିପରମାୟୁ ଦିଅନ୍ତୁ ଠାକୁରେ । ଦଣ୍ଡମୁଣ୍ଡର ମାଲିକ ହୁଅନ୍ତୁ ସେ ।

 

ଭୁବନେଶ୍ୱରରେ ରେଳଗାଡ଼ି ପହଞ୍ଚିଗଲା ବୋଲି ତରତର ହୋଇ ଉହ୍ଳେଇ ପଡ଼ୁଥିଲା ସନିଆ । ବାବୁ କହିଲେ, ଖବରଦାର, କେହି ଉହ୍ଲେଇବ ନାହିଁ, ଯିଏ ଯେଉଁଠି ଅଛ, ସେହି ସ୍ଥାନ ଛାଡ଼ନାହିଁ ।

 

କଳା କୋଟ୍‌ପିନ୍ଧା କେତେଜଣ ଲୋକଙ୍କ ସହିତ ଯୁକ୍ତିତର୍କ ଲାଗିଥାଏ ତାଙ୍କର । ସେମାନେ କହୁଥାଆନ୍ତି, ଏ ସରକାରୀ ଗାଡ଼ି, ବସିଲେ ମାସୁଲ ଦବାକୁ ହୁଏନାହିଁ, ଏ କୋଉ ଦେଶର କଥା ? ସରକାରୀ ରାଜସ୍ୱ ଛାଡ଼ିଦବୁ କିପରି ? ପଇସା ଦେଇଦିଅନ୍ତୁ, ନୋହିଲେ ଉହ୍ଲେଇଯାଆନ୍ତୁ ।

 

ବାବୁ ଜିଦ୍‌ ଧରି ବସିଲେ କେହି ଉହ୍ଲେଇବେ ନାହିଁ, ସମସ୍ତେ ରାଜଧାନୀକୁ ଯିବେ । ପ୍ରଜାମାନଙ୍କର ରାଜକୋଷର ଖର୍ଚ୍ଚରେ ଚାଲେ ଏଇ ଗାଡ଼ି । ପ୍ରଜାମାନେ ଗାଡ଼ିର ମାଲିକ । ମାଲିକ ନିଜଗାଡ଼ି ଚଢ଼ିବା ପାଇଁ ଭଡ଼ା ଦିଏନାହିଁ, ଏ ସବୁ ଅନ୍ୟାୟ ଚଳିବନାହିଁ ।

 

ସନିଆର ମନକୁ କଥାଟା ପାଇଲା । ସେ ଗାଡ଼ିକୁ ମାଲିକ ବୋଲି ଆଗରୁ କେବେ ଜାଣି ନଥିଲା । ଆଜି ସେହି କଥାଟି ଜାଣିପାରି ଖୁବ୍‌ ଆଶ୍ୱସ୍ତ ହେଲା । ତାର ସାହସ ବଢ଼ିଗଲା । ସେ ଡବା ଭିତରୁ ହାତ ବାହାରକରି କହିଲା ଏ ଗାଡ଼ି ଆମର । ଆମେ ମାଲିକ । ମାଲିକକୁ ନିଜଗାଡ଼ି ଚଢ଼ିବା ପାଇଁ ଭଡ଼ାଦବାକୁ ହୁଏ, ଇଏ କେଉଁ ଦେଶର ନିୟମ ?

 

କିନ୍ତୁ ସବୁ ଯୁକ୍ତତର୍କ ବୃଥା ହେଲା । କଳାକୋଟପିନ୍ଧା ଲୋକମାନଙ୍କ ସହିତ କିଛି ପୁଲିସବାଲା ବି ଆସିଥିଲେ । ଅଗତ୍ୟା ଅନ୍ୟ ଉପାୟ ନ ଦେଖି ସମସ୍ତଙ୍କୁ ଗାଡ଼ିରୁ ଉହ୍ଲେଇ ପଡ଼ିବା ପାଇଁ କହିଲେ ବାବୁ ! ଅନିଚ୍ଛା ସତ୍ତ୍ୱେ ଉହ୍ଲେଇ ପଡ଼ିଲା ସନିଆ । ତାକୁ ଖରାପ ଲାଗିଲା । ତା’ ଇଜ୍ଜତରେ ଲାଗିଲା । ସେ ଯେପରି ଛୋଟ ହେଇଗଲା ।

 

ସେଠାରୁ ଭୁବନେଶ୍ୱର ପାଞ୍ଚ କୋଶ । ପାଦରେ ଚାଲିବାପାଇଁ ଆରମ୍ଭ କଲେ ସମସ୍ତେ । ବାବୁ ବୁଝେଇଲେ; ଏଥିକୁ ପରଓ୍ୱା କରନା । କଷ୍ଟ ନ କଲେ କୃଷ୍ଣ ମିଳେନାହିଁ । ସହର ଦେଖିବା ପାଇଁ ଲୋକେ କେତେ କଅଣ ଖର୍ଚ୍ଚ କରନ୍ତି । ତୁମେ ସବୁ ବିନାଖର୍ଚ୍ଚରେ ଏଯାଏ ଚାଲିଆସିଲ ।

 

ସନିଆ କହିଲା, ଚିଡ଼ିଆଖାନା ଟିକେ ଦେଖେଇଦବ ବାବୁ ? ଏତେ ଦୂରରୁ ଆସିଛୁ, ଆଉ କେବେ ଆସିବୁ କିଏ ଜାଣେ ? ଚିଡ଼ିଆଖାନା, ଲିଙ୍ଗରାଜ ମନ୍ଦିର, ରାଜଭବନ..... ।

 

ବାବୁ ସେମାନଙ୍କୁ ପ୍ରତିଶ୍ରୁତି ଦେଲେ । ସେ କଥା ଦେଇଛନ୍ତି ଯେତେବେଳେ ତାର ଖିଲାପ କରିବେନାହିଁ । ନଦୀକୂଳରେ ଚୁଡ଼ାଗୁଡ଼ ଖାଇ ନଦୀରୁ ପାଣି ପିଇ ସାଷ୍ଟାଙ୍ଗ ହେଲେ ସମସ୍ତେ । ସନିଆ ରାଜଧାନୀଆଡ଼କୁ ଅନାଇ କହିଲା, ଆଉ କେତେ ଦୂର ?

 

ସାଇଁ ସାଇଁ ହୋଇ ଦଉଡ଼ି ଆସୁଥିବା ମୋଟରଗାଡ଼ିମାନଙ୍କୁ ଦେଖେଇ କହିଲେ ନେତା ବାବୁ, ଏଇ ପହଞ୍ଚିଗଲୁ । ସନିଆରେ, ଦେଖୁନୁ ମୋଟରଗାଡ଼ି କିମିତି ଛୁଟୁଚି ରାଜଧାନୀରୁ । ସନିଆର ମନଟା ଉଲୁସି ଉଠିଲା । ସେ ବିଡ଼ି ଗୋଟେ ଲଗେଇ କଳେ ଧୂଆଁଛାଡ଼ି ସାଙ୍ଗମାନଙ୍କୁ କହିଲା, ସହର ପାଖହେଲା, ଯେ ଯାହାର ପତାକାକୁ ଧର, ଧ୍ୱନି ଦିଅ..... ।

 

ରାଜଧାନୀରେ ପହଞ୍ଚିବାବେଳକୁ ତିନିଟା ବାଜି ଯାଇଥାଏ । ସେମାନଙ୍କ ପରି ଆହୁରି କେତେଦଳ ଲୋକଙ୍କୁ ଚାଲୁଥିବାର ଦେଖିଲା ସନିଆ । ସେମାନେ ବି ସ୍ଳୋଗାନ୍‌ ଦଉଥିଲେ । ସନିଆର ଗର୍ବହେଲା ମନରେ ଯେ ସେ ଆଉ ନିପଟ ମଫସଲର ସନିଆ ତନ୍ତୀ ନୁହେଁ, ଦଶଜଣରେ ଗଣତି ହଉଥିବା ସେ ବି ଜଣେ ଲୋକ । ତା’ ମୁଣ୍ଡର ମୁଲ ଅଛି, ତା’ ବୋଲିର ମର୍ଯ୍ୟାଦା ଅଛି; ନୋହିଲେ ତାକୁ ଆଉ ପଚାଶଜଣଙ୍କର ଦାୟିତ୍ୱ ନେଇ ନେତା ଆସିନଥାନ୍ତେ ଗାଆଁରୁ ।

 

ସମସ୍ତ ମିଳିମିଶି ଧାଡ଼ିବାନ୍ଧି ଚାଲିଲେ । ପତାକା ଫରଫର ହୋଇ ଉଡ଼ୁଥାଏ । ସ୍ଳୋଗାନ୍‌ ଦେଇ ନେତା ଚାଲୁଥାଆନ୍ତି ଆଗରେ । ସବା ଆଗରେ ହାତୀ, ତା’ଉପରେ ଦଳର ସଭାପତି, ତାଙ୍କ ପଛକୁ ବ୍ୟାଣ୍ଡ ପାର୍ଟି, କେତେ ମଧୁର ସ୍ୱରର ମୂର୍ଚ୍ଛନା ।

 

ସତ୍ୟଯୁଗଟା ଏତେଦିନ ଧରି ରାଜଧାନୀର ଗଳିକନ୍ଦି ଏବଂ ପଡ଼ିଆରେ କୋଣାର୍କର ସୂର୍ଯ୍ୟୋଦୟ ପରି ଲୁଚି ରହିଥିଲା ବୋଲି ସେ ଜାଣିନଥିଲା । ଏଡ଼େ ସହଜରେ ଚାଷୀମୂଲିଆ ଏକଯୁଟ ହୋଇ ରାମରାଜ୍ୟ ପ୍ରତିଷ୍ଠା କରିବେ ବୋଲି ସେ ଯଦି ଆଉ ଟିକେ ଆଗରୁ ଜାଣିଥାଆନ୍ତା, ସୁଲି ଏବଂ ଗାଆଁର ଆଉ ଦଶଜଣଙ୍କୁ ମଧ୍ୟ ଡାକି ଆଣିଥାଆନ୍ତା । ସତ୍ୟଯୁଗ ଆସିବାରେ ଆଉ ଡେରି ନାହିଁ । ସମସ୍ତେ ସମାନ ହୋଇଯିବେ । ନେତା କହିବା ଅନୁସାରେ ସନିଆ ବି ରାଷ୍ଟ୍ରପତି ହୋଇପାରିବ ।

 

ଶୋଭାଯାତ୍ରାଟା ପରେଡ଼ ପଡ଼ିଆ ପାଖରେ ପହଞ୍ଚିବାବେଳକୁ ଅନେକ ଲୋକ ରୁଣ୍ଡ ହୋଇଥିଲେ ସେଠାରେ । ଲୋକମାନଙ୍କ ରୋକିବା ପାଇଁ ବାଉଁଶବାଡ଼ ପାଖରେ ଅଟକାଇଥାଏ ପୁଲିସ । ସମସ୍ତଙ୍କ ସହିତ ଛିଡ଼ା ହୋଇଗଲା ସନିଆ । ନେତା କହିଥିଲେ ସେମାନେ ସର୍ବେସର୍ବା, ସେମାନଙ୍କ ଗତିକୁ ପୁଣି କିଏ ରୋକିଲା ବୋଲି ପ୍ରଶ୍ନକଲା ସନିଆ । ତହିଁର ଉତ୍ତର ଡାକବାଜି ଯନ୍ତ୍ରରେ ଭାସି ଆସିଲା କର୍କଶ ସ୍ୱରରେ—ହୁସିଆର୍‌ । ଆଉ ଆଗକୁ ଆସନାହିଁ । ଆଇନ୍‌ ଅମାନ୍ୟ କରନାହିଁ । ଶାନ୍ତିଶୃଙ୍ଖଳା ରକ୍ଷାକର ।

 

ଗର୍ଜି ଉଠିଲେ ନେତା । ଏ ଆଇନ ମାନିବୁ ନାହିଁ, ଆଗକୁ ଯିବା ଆମର ମୌଳିକ ଅଧିକାର । ରାସ୍ତା ଖୋଲିଦିଅ; ନୋହିଲେ ବାଡ଼ଭାଙ୍ଗି ଚାଲିଯିବୁ ।

 

ସନିଆ ବୁଝିପାରୁଥାଏ ବିବାଦଟା କେଉଁଠି । ଆଗକୁ ଯିବ ନା ନଯିବ ସ୍ଥିର କରିବା ପୂର୍ବରୁ ତାକୁ ଠେଲିଦେଇ ନେତା କହିଲେ, ଧସେଇ ଚାଲ । ଜଲଦି କାମ ଫତେକଲେ ରାଜଧାନୀ ଦେଖିବ, ଖିଚୁଡ଼ି ଖାଇବ..... ।

 

ଧସେଇ ପଶିଲେ ସଭିଏଁ । କେହି ବୋଲ ମାନିଲେନାହିଁ । ଅରଣାମଇଁଷି ପରି ତରକିଗଲେ । ବାଉଁଶବାଡ଼ଟା ସମ୍ଭାଳିଲାନି । ଭାଙ୍ଗିଗଲା । ସୁଅ ପରି ମଣିଷମାନେ ବୋହିଗଲେ ବାଡ଼ ଆରପାଖକୁ । ହୈ ଚୈ ଭିତରେ ହାମୁଡ଼ି ପଡ଼ିଲେ କେତେ ଜଣ । କଅଣ ଗୋଟେ ଫାଟିଲା ଶବ୍ଦକରି । ତା’ପରେ ଧୂଆଁ.... ଧୂଆଁ.... । ନିଆଁ ଲାଗିଗଲା ବୋଧେ । ସନିଆରେ ଆଖି ପୋଡ଼ିଲା, ଲୁହ ଝରିଲା ଆଖିରୁ । ସେ ଭଲକରି ଅନେଇ ନପାରି ଗାମୁଛାରେ ଆଖିପୋଛିଲା ।

 

ଆହୁରି ଗୋଟେ ଫୁଟିଲା । ଆହୁରି ଧୂଆଁ, ଆଖି ଖୋଲିନପାରି ପଛଘୁଞ୍ଚା ଦେଲା ସନିଆ । ପ୍ରାଣବିକଳରେ ଛିନ୍‌ଛତ୍ର ହୋଇଥିବା ଶୋଭାଯାତ୍ରାକାରୀମାନେ ଦଉଡ଼ିଲେ । ପରସ୍ପର ଦେହରେ ବାଡ଼େଇହୋଇ କିଏ ପଡ଼ିଗଲା ତ କିଏ ଉଠିପଡ଼ି ଅଣ୍ଡାଳି ଅଣ୍ଡାଳି ଆଗେଇଲା । ସେଇ ଠେଲାପେଲାରେ କିଏ ଜଣେ ହାତବଢ଼ାଇ ସନିଆରେ ଅଣ୍ଟା ଅଣ୍ଡାଳି ନେଲା । ଭାଗ୍ୟକୁ ସୁଲି ଚାରିଅଣିଟି ଲୁଗା କାନିରେ ଗଣ୍ଠେଇ ନାହିତଳେ ଖୋସି ଦେଇଥିଲା । ନୋହିଲେ ସେତକ ହାତଛଡ଼ା ହୋଇଯାଇଥାନ୍ତା ନିଶ୍ଚୟ ।

 

ସନିଆ କଷ୍ଟର ଆଖିଖୋଲି ଚାହିଁବାବେଳକୁ ଦେଖିଲା ଯେ ଠେଲିପେଲି ହୋଇ ଗୋଟିଏ କୋଠା ଭିତରକୁ ପଶିଆସିଛି । ସଂଧ୍ୟା ହୋଇ ଯାଇଥିବାରୁ ରାସ୍ତାରେ ଆଲୁଅ ଜଳୁଛି । ଆଖି ପୋଡ଼ୁଥାଏ ବୋଲି ଚାହିଁ ନପାରି ବଗିଚାରୁ ପାଣି ଆଞ୍ଜୁଳାଏ ମୁହଁରେ ଛାଟିଲା ସନିଆ ।

 

ହଠାତ୍‌ ତା’ ହାତଧରି ଜଣେ କହିଲା, ତୁ କିଏ, କୋଉଠୁ ଆସିଛୁ ?

 

ମୋ ନାମ ସନିଆ । ରାଜଧାନୀ ଦେଖିବା ପାଇଁ ଆସିଥିଲି; କୋଉଠି ନିଆଁ ଲାଗିଛି, ଏତେ ଧୂଆଁ କୋଉଠୁ ଆସିଲା ? —କହିଲା ସନିଆ ।

 

ସେହି ଲୋକଟି ତାକୁ ଧରି ଗୋଟିଏ ମୋଟରଗାଡ଼ିରେ ଚଢ଼େଇ ଆଉ ଦଶଜଣଙ୍କ ସହିତ ଦଶକୋଶ ଦୂରରେ ଛାଡ଼ିଦେଲା । ରାତି ବେଶି ହୋଇନଥିଲେ ବି ଅନ୍ଧାର ଭିତରେ ପରସ୍ପରକୁ ପାଖରେ ପାଇ କହିଲା ସନିଆ, ଆମେ ଚିଡ଼ିଆଖାନା ଦେଖିବା ପାଇଁ କହିଥିଲୁ, ରାତିଟାରେ ଚିଡ଼ିଆଖାନା ଖୋଲାଥାଏ ।

 

ମୋଟରଟା ଛାଡ଼ିବା ଆଗରୁ ବହକାଏ ହସିଦେଇ କହିଲା କନେଷ୍ଟବଳ, ଚିଡ଼ିଆଖାନା ଆଉ ବେଶି ଦୂର ନୁହେଁ । ନନ୍ଦନକାନନ ଏଇ ଆଗରେ । ତୁମେ ସବୁ ଏଇଠି ରହ ଯେ କାଲି ଯେଉଁମାନେ ଆସିବେ, ସେମାନେ ତୁମକୁ ଏବଂ ଚିଡ଼ିଆଖାନାର ବାଝଭାଲୁଙ୍କୁ ଏକାଠି ଦେଖିବେ ।

 

ସବୁ ଗୋଳମାଳ ହୋଇଗଲା । ସନିଆ ଚାଲିଯାଉଥିବା ମୋଟରଗାଡ଼ିର ପୋଡ଼ାତେଲର ଗନ୍ଧ ଶୁଙ୍ଘି କହିଲା, ଆମେ ଆସିଲେ । ରାମରାଜ୍ୟ ପ୍ରତିଷ୍ଠା ହବ ବୋଲି କୁହାଯାଇଥିଲା । ଚାଷୀମୂଲିଆର ରାଜତ୍ୱ ହବ ବୋଲି ଶୁଣିଥିଲୁ । ରାଜଧାନୀ, ଚିଡ଼ିଆଖାନା, ରାଜଭବନ ନଦେଖିଲୁ ନାହିଁ, ଏଇ ଅନ୍ଧାରରେ ଜଙ୍ଗଲଟା ଭିତରେ ପଡ଼ିଥିବୁ ରାତିସାରା ?

 

କେହି ଉତ୍ତର ଦେଲେନାହିଁ । ତା’ ସାଙ୍ଗରେ ଗାଆଁରୁ ଆସିଥିବା ଲୋକମାନେ କହିଲେ, ଚିଡ଼ିଆଖାନାରେ ରଖିବାପାଇଁ ଆମକୁ ଭୁଲେଇ ନେଇ ଆସିଚନ୍ତିରେ ସନିଆ ! ଖିଚୁଡ଼ି, ହାତଖର୍ଚ୍ଚ ଆଉ ମିଳିବନାହିଁ । ଚାଲ, ସମସ୍ତେ ପୁଣି ଆମର ଅଜଣାଅଶୁଣା ସେଇ ଛୋଟଗାଆଁଟିକୁ ଫେରିଯିବା..... ।

 

ସନିଆ ଏତେବେଳେ ବୁଝିଲା ଯେ ସେ ଆଉ ପତାକା ଧରି ଆଗଉନାହିଁ, ଧ୍ୱନି ଦଉନାହିଁ, ସେ ଅନ୍ଧାରରେ ନିଜକୁ ହଜେଇଦଉଛି..... ।

 

ନନ୍ଦନକାନନରେ ବାଘ ଗୁମୁରି ଉଠିଲା । ହାତଧରାଧରି ହୋଇ ସଡ଼କ ଉପରେ ବସିରହିଲେ ସେମାନେ ସକାଳ ପର୍ଯ୍ୟନ୍ତ । ଆହା ! ଚିଡ଼ିଆଖାନାର ପଶୁମାନେ କେଡ଼େ ଭାଗ୍ୟବାନ୍‌-! ସେମାନଙ୍କୁ କେହି ଭୁଲଉନାହିଁ, ହାତୀଦେବି, ଘୋଡ଼ାଦେବି କହି ପେଁକାଳି ବଜେଇ ଦଉନାହିଁ ।

 

ସନିଆ ମନକୁ ମନ କହିଲା, ଚିଡ଼ିଆଖାନାରେ ଆମକୁ ବି ରଖିନିଅ..... ।

☆☆☆

 

ନିଃଶବ୍ଦ ପ୍ରତିବାଦ

 

ଶୁକ୍ରା ମାଝି ଜମିରୁ ମାଟିମୁଠେ ଉଠେଇନେଇ ମୁଣ୍ଡରେ ଛୁଆଁଇଲା । ଏଇ ମାଟି ତାର ମା’ । ଏହାରି ଶସ୍ୟ, ଫଳମୂଳ ଖାଇ ସେ ବଡ଼ ହୋଇଚି । ଏଇ ମାଟିର ରସପିଇ ସବୁଜ ଧାନ, ସୋରିଷ, ମୁଗ, ବିରି, କୋଳଥ କ୍ଷେତ ଚହଟି ଉଠେ । ଗଛବୃଚ୍ଛ ଏଇ ମାଟିର ରସପିଇ ବୃଶାଳ ହୁଅନ୍ତି । ଆଉ ମଣିଷ କଅଣ ବାଦ୍‌ ପଡ଼ନ୍ତା ! ପିଲାଦିନୁ ମାଟି ସହିତ ତାର ଅଭିନ୍ନ ସମ୍ପର୍କ । ସମୟ ହେଲେ ପୋଖରୀରେ ଗାଧୋଇବାବେଳେ ମାଟିମାଖି ଦେହଟାକୁ ପରିଷ୍କାର କରିନିଏ । ମାଟିର ମହକ ଶୁଙ୍ଘି ନିଦେଇପଡ଼େ ନିଘୋଡ଼ ନିଦରେ । ବର୍ଷାଭିଜା ମାଟିର ବାସ୍ନା ଶୁଙ୍ଘିବା ପାଇଁ ସେ ବରଗଛ ମୂଳେ ବସିରହେ ଅନେକ ସମୟ । ବରପତ୍ରରୁ ଝରି ପଡ଼ୁଥିବା ବର୍ଷାଧାରକୁ ଧରିବା ପାଇଁ ହାତବଢ଼େଇ ଓଦା ହୁଏ ।

 

ଶୁକ୍ରା ମାଝିର ମନଟା ମରିଯାଇଥିଲା ଗତ ସନ । ଅକାଳ ପଡ଼ିଲା ଯେ ବର୍ଷା ହେଲାନାହିଁ । ପାଣି ଅଭାବରୁ ବିଲଫାଟି ଦୁଇଫାଳ ହୋଇଗଲା । ପୋଖରୀର ପାଣି ଶୁଖିଗଲା ଯେ ଗୋରୁ ଗାଈ, ଛେଳି, ଘୁଷୁରୀମାନଙ୍କୁ ନେଇ ଗାଆଁ ଲୋକେ ପାଞ୍ଚ କୋଶ ଦୂରରେ ଥିବା ଝରଣା କୂଳକୁ ଚାଲିଗଲେ । ଗାଆଁଟା ପଦା ହୋଇଗଲା । ଯେଉଁ ଦାଣ୍ଡ ମଣିଷଙ୍କ ଶବ୍ଦରେ କମ୍ପିଉଠୁଥିଲା ସେହି ଦାଣ୍ଡ ଶୂନଶାନ୍‌ ହୋଇଗଲା । ବୁଲାକୁକୁର କେତୋଟି ପାଣି ଅଭାବରୁ ଶୋଷରେ ମରିଗଲେ । ମଣିଷର ଜୀବନ ଏଡ଼େ ସହଜ ନୁହେଁ । ବୁଦ୍ଧି ଖେଳେଇ ବଞ୍ଚିଗଲେ ସେମାନେ, ହେଲେ ସେମାନଙ୍କର ମେରୁଦଣ୍ଡ ଭାଙ୍ଗିଗଲା । ଓପାସ ରହି ପିଲାମାନେ ଶେତା ଦିଶିଲେ, ଟୋକାମାନେ କାମ କରିବାକୁ ବଳ ପାଇଲେନାହିଁ । ତଥାପି ଶାଗ, ଫଳ, ମୂଳ ଯାହା ମିଳିଲା ସେତକ ଖାଇ ବଞ୍ଚିଗଲେ ସେମାନେ ଭଲ ସମୟ ଆସିବା ଆଶାରେ ।

 

ଭଲ ସମୟ ଆସିଛି ଏବର୍ଷ । ଶସ୍ୟଶ୍ୟାମଳା ହୋଇଛି ପୃଥିବୀ । ଅରଣ୍ୟର ସବୁଜିମା, ଶସ୍ୟକ୍ଷେତର ଶ୍ରୀ ଆକର୍ଷଣ କରେ ମନକୁ । ପାଚିଲା ଧାନକିଆରୀ ପାଖରେ ଦଣ୍ଡେ ବସିଯାଇ ଧାନକେଣ୍ଡାକୁ କପାଳରେ ଛୁଆଁଇ ମନକୁ ମନ କୁହେ ଶୁକ୍ରା, ସୁନା ଫଳିଛି ଜମିରେ । ମାଲିକର ଖମାର ଭର୍ତ୍ତି ହୋଇଯିବ । ଆଉ କେତେଦିନ ପରେ ଧାନକଟା ଆରମ୍ଭ ହୋଇଯିବ । ବେଙ୍ଗଳା ପଡ଼ିବ ଖଳାରେ । କାଳେ ପାଚିଲା ଧାନର ଶିଷା ଚୋରୀ ହୋଇଯିବ, ମଞ୍ଚା ବାନ୍ଧି ରାତିରେ ଫସଲ ଜଗେ ଶୁକ୍ରା ।

 

ସଂଧ୍ୟା ଆସିବା ସଙ୍ଗେ ସଙ୍ଗେ ଶିଆଳମାନଙ୍କର ହୁକେ ହୋ ଶବ୍ଦ ଶୁଣି ସଜାଗ ହୋଇଯାଆନ୍ତି ସମସ୍ତେ । ରାତି ସମାଗତ । ଆକାଶର ଏତେ ଆଲୋକ ସତ୍ତ୍ୱେ ପୃଥିବୀର ଅନ୍ଧକାର ଘନୀଭୂତ ହୁଏ । ଝିଣ୍ଟିକାର ସିଁ ସିଁ ଶବ୍ଦ ସଙ୍ଗୀତ ସୃଷ୍ଟିକରେ । ବିଲ ମଝିରୁ କୁହାଟ ଛାଡ଼େ ଶୁକ୍ରା, ହୁସିଆର୍‌..... । ତାହାରି ପରି ଆହୁରି ଅନେକେ ଫସଲ ଜଗନ୍ତି ମାଲିକମାନଙ୍କ ପାଇଁ । ଯେଉଁମାନଙ୍କର ଜମି ଅଛି ସେମାନେ ମାଲିକ, ଜମି ନଥିବା ଲୋକେ ମୂଲିଆ । ସେପାଖରୁ ଜବାବ ଦେଇ ଆଉ ଜଣେ ଉତ୍ତର ଦିଏ, ହୁସିଆର୍‌ ।

 

ଶୁକ୍ରା ମାଝି ଜମିର ମାଲିକ ହବାପାଇଁ କେବେ ସ୍ୱପ୍ନ ଦେଖିନାହିଁ । ତା’ ବାପ ଗୋସେଇଁବାପ, ଚଉଦପୁରୁଷ ଜମିର ମାଲିକ ହୋଇନଥିଲେ । ସେ ନହେଲେ କ୍ଷତି ନାହିଁ; କିନ୍ତୁ ମାଟିର ମୋହ ଅନେକ ବେଶି । ମାଲିକର ଜମିକୁ ସେ ନିଜର ଜମିପରି ଭଲପାଏ, ଦେହର ସବୁଶକ୍ତିଦେଇ ସେଇ ଜମିକୁ ଉଠିଆ କରେ । ଖରା, ବର୍ଷା, ଶୀତ, କାକର ନମାନି ସେ କାମ କରେ ଜମି ଉପରେ । ପରିଶ୍ରମର ଫଳସ୍ୱରୂପ ଭଲ ଫସଲ ଅମଳ ହେଲେ ତା ଛାତି ହୁଏ କୁଣ୍ଢେମୋଟ । ସେ ଆହୁରି ଚଞ୍ଚଳ ହୋଇ କାମକରେ, କାଳେ ପାଚିଲା ଧାନ ଚୋର କାଟିନବ ବୋଲି ରାତି ଅନିଦ୍ରା ରହି ପହରାଦିଏ; ଏବଂ ହିଡ଼ ଉପରେ ନଇଁପଡ଼ିଥିବା ଧାନଶିଷାକୁ ଉଠାଇଦେଇ କହେ, ମାଲିକର ଖଳାରେ ଏବର୍ଷ ଜାଗା ହବନାହିଁ । ଇମିତି ଭଲ ଅମଳ ହୁଅନ୍ତା କି ପ୍ରତିବର୍ଷ ।

 

ଶୁକ୍ରା ମାଝିର ଘରଡ଼ିହ ଖଣ୍ଡେ ବି ନାହିଁ । ମାଟି ସହିତ କାମ କରୁଥିବା ଏଇ ଲୋକଟାର ଦଶହାତ ଜମି ଅକ୍ତିଆରରେ ନାହିଁ । ମୋର ବୋଲି କୌଣସି ଜମିକୁ ସେ କହିପାରିବ ନାହିଁ । ଯେଉଁ ପତିତ ଜମି ଉପରେ ସେ ଏବଂ ସାଙ୍ଗଭାଇମାନେ କୁଡ଼ିଆ ତୋଳନ୍ତି, ତାହା କାହାର ସେମାନେ ଜାଣନ୍ତିନାହିଁ । ସୂର୍ଯ୍ୟଚନ୍ଦ୍ର ଅଛନ୍ତି । ପାଣିପବନ ଶେଷ ହୋଇଯାଇନାହିଁ । ଜମିର ମାଲିକ ହୋଇ ନିଜର ଇଲାକାକୁ ଛୋଟ କରିଦେବ କାହିଁକି ? ଆଖିଆଗରେ ଯାହା ଦେଖାଯାଏ ସେହି ଅଞ୍ଚଳଟା ସବୁ ଶୁକ୍ରା ମାଝିର । ସେଇଟା ତାର ସାମ୍ରାଜ୍ୟ । ସବୁଜ ଅରଣ୍ୟ; ଅରଣ୍ୟ ତଳେ ଲମ୍ୱି ଯାଇଥିବା ସମତଳ ଅଞ୍ଚଳ ସବୁ ତା’ ଆଖିଆଗରେ । ଯେଉଁଠି ଇଚ୍ଛା ସେଠାରେ ସେ ଘର ତୋଳିବ, ଜଣେ ମାଲିକକୁ ଛାଡ଼ି ଆଉ ଜଣକ ଘରେ କାମ କରିବ । ସେଥିପାଇଁ ସେ କେବେ ଗୋଟିଏ ଜାଗାରେ ପଡ଼ି ରହିନାହିଁ । ପିଲାଦିନେ ଅରଣ୍ୟ ଭିତରେ ବଢ଼ିଥିଲା । ଅରଣ୍ୟ ଶେଷହୋଇ ଆସିବାରୁ ପାହାଡ଼ ତଳୁ ପାଞ୍ଚକୋଶ ଦୂର ସମତଳ ଇଲାକାକୁ ଚାଲି ଆସିଥିଲା କାମପାଇଁ, ଆଉ ଫେରିନାହିଁ । ଫେରିବ କାହିଁକି, ଇଏ କଅଣ ତା’ ନିଜର ଜାଗା ନୁହେଁ କି ?

 

ଶୁକ୍ରା ମାଝିର ପିଲାମାନେ କିନ୍ତୁ ବୁଝନ୍ତିନାହିଁ । ତା ତିରିଲା ବି ଅବୁଝାହୁଏ । ସେମାନେ ଦଳବାନ୍ଧିଚନ୍ତି ଯେପରି । ଦିନେ ସମସ୍ତେ ମିଶି ଶୁକ୍ରା ପାଖକୁ ଆସି କହିଲେ, ଆମେ ଆଉ କେତେକାଳ ଯାଯାବର ପରି ବୁଲୁଥିବୁ । ନିଜର ଜମିଜାଗା ଟିକେ ଥିଲେ କଖାରୁ, ପୋଇ ଦୁଇଟା ଲଗାନ୍ତେ; କୋଳଥ, ମକା ବି କିଛି ହୁଅନ୍ତା । ମୂଲିଆ ହୋଇ ସବୁଦିନ ରହିଯିବା ?

 

ଶୁକ୍ରା ଅବାକ୍‌ ହୋଇଗଲା ସେମାନଙ୍କର କଥା ଶୁଣି । ସେ ଫୁଟୁକିମାରି ସେମାନଙ୍କ କଥାକୁ ସେଦିନ ଉଡ଼େଇଦେଇ କହିଲା, ହଁ, ମୂଲିଆ ହୋଇ ସବୁଦିନ ରହିଯିବା । ସେଥିରେ ହାନି କିଛି ଅଛି ବୋଲି ମୋ ଆଖିରେ ପଡ଼ୁନାହିଁ । ଖଟିଖାଇବା ଲୋକଙ୍କର ଜମି ଦରକାର ନାହିଁ । ଜମି ଖଣ୍ଡେ ହାତରେ ଥିଲେ ମାଲିକ ହବାପାଇଁ ମନ ହବ । ମାଲିକମାନେ କିମିତି ଅଶାନ୍ତ, ଅସ୍ଥିର ଦେଖୁନାହୁଁ । ରାତିରେ ନିଦ ନାହିଁ, ଦିନରେ ଚଞ୍ଚଳ, ବ୍ୟସ୍ତ । ମାଲିମୋକଦ୍ଦମା, ଝଗଡ଼ା, ମୁଣ୍ଡ ଫଟାଫଟି । କୋଉ ଦୁଃଖରେ ଶାନ୍ତିଛାଡ଼ି ଅଶାନ୍ତିରେ ପଶିବା ?

 

ଭର୍ଯ୍ୟା ଆଉ କିଛି ନକହି ଚୁପ୍‌ ହୋଇଗଲା । ସାନ ପୁଅ ଝିଅ ପଳେଇଗଲେ ଘର ଭିତରକୁ । ମଝିଆଁ ଓ ବଡ଼ ପୁଅ କିନ୍ତୁ ସାହସ କରି କହିଲେ, ଆଗେ ଶୀତ ଲାଗୁନଥିଲା । ଏବେ ଅନ୍ୟମାନଙ୍କ ଦେହରେ ଏତେ ଲୁଗା ଦେଖି ଆମକୁ ମଧ୍ୟ ଶୀତ ଲାଗେ । ଅନ୍ଧାରରେ ବଣବିଲରେ ବୁଲି ଗୋଡ଼ ଖଣ୍ଡିଆଖାବରା ହୁଏ, କିନ୍ତୁ ମାଲିକମାନଙ୍କର ପିଲାମାନେ ଆଲୁଅ ଜାଳି ଚାଲନ୍ତି । ଆମର ସେ ସବୁ ଦରକାର ହୁଏନାହିଁ ? ଆଉ ଏଇ ଗୋଟିଏ କୋଠରୀ ଭିତରେ ସଭିଏଁ କେତେକାଳ ରହିବା ? ଆମର ବୟସ ବଢ଼ୁ ନାହିଁ ? ଥିଲାବାଲାମାନଙ୍କର ଏତେ ଭୋକ ଯେ ଦିନକୁ ଚାରିଥର ଖାଆନ୍ତି । ଆମେ ଥରେ ପେଟପୂରେଇ ଖାଇବା ନାହିଁ ?

 

ଶୁକ୍ରା ମାଝି ନିରୁତ୍ତର ହୋଇଗଲା । ପୁଅମାନେ ଏତେ କଥା ଜାଣିଲେ କିପରି ? ତାଙ୍କୁ ଏସବୁ କିଏ ଶିଖେଇଲା ବୋଲି ମନକୁ ମନ ପ୍ରଶ୍ନ କଲା ସେ । ତା’ ମନରେ ଏଇ ପ୍ରଶ୍ନଗୁଡ଼ା କେବେ ଉଠିନଥିଲା । ଯାହା ଅଛି, ସେଥିରେ ସନ୍ତଷ୍ଟ ଥିଲା ସେ । ସେଥିପାଇଁ ଭୋକଓପାସ ସହି ମଧ୍ୟ ସେ ପାଟି ଫିଟାଇନାହିଁ, ଭିକମାଗିବାକୁ ଯାଇନାହିଁ । ତା’ର ଓସାରିଆ କାନ୍ଧ ଉପରେ ଦୁଇଗୁଣ ବୋଝ ବୋହିନେଇ ମାଲିକାଣୀ ମୁହଁକୁ ଅନିଶା କରିଚି କେଇ ଆଞ୍ଜୁଳା ମୁଢ଼ି ପାଇଁ, ଜଙ୍ଗଲରୁ କାଠ ବୋହିଆଣି ସେମାନଙ୍କ ଘରେ ବିକିଦେଇ ଧାନଚାଉଳ ଯାହା ପାଇଛି ସଂଗ୍ରହ କରି ଆହାର ଯୋଗାଇଦେଇଛି ପିଲାମାନଙ୍କୁ । ଅଳିଅର୍ଦ୍ଦଳି କିମ୍ୱା ଆଣ୍ଠୁ ଭାଙ୍ଗି କାହାରି ଦୟା ପାଇଁ ଛିଡ଼ା ହୋଇନାହିଁ । ସେ କାମିକା ମଣିଷ । ତା’ ଦିହରେ ଶକ୍ତି ଥିବାଯାଏ ସେ ଅନ୍ୟର ଦାନ ନବ କିପରି-? କାମ କରି ଯାହା ରୋଜଗାର କରେ ସେଇତକ ତାର ପ୍ରାପ୍ୟ । ସେତିକି ତା ସଂସାର ପାଇଁ ଯଥେଷ୍ଟ ହଉନାହିଁ ବୋଲି ସେ ତ ଚୋରି କରିପାରିବନାହିଁ ।

 

ପୁଅମାନେ କହିଥିବା କଥାଗୁଡ଼ାକୁ ସେତେବେଳେ ସିନା ଉଡ଼େଇ ଦେଇଥିଲା, ଆଜି କିନ୍ତୁ ଗୁଡ଼େଇ ତୁଡ଼େଇ ହୋଇ ସେଇ କଥାଗୁଡ଼ା ପୁଣି ମନକୁ ବିଚଳିତ କଲା । ଗତବର୍ଷର ମରୁଡ଼ି ଯୋଗୁଁ କମ୍‌ ଭୋଗିଲେ ସେମାନେ ? ସାନ ଝିଅଟା ଭୋକ ସହି ସହି ଇମିତି ଶୁଖିଯାଇଚି ଯେ ଯାହା ଖାଇଲେ ବି ହଜମ ହଉନାହିଁ । ସାନ ପୁଅଟା ବର୍ତ୍ତିଗଲା ସିନା; କିନ୍ତୁ ରାତିରେ ତା’ ଆଖିକୁ କିଛି ଦିଶେନାହିଁ । ତା’ ତିର୍ଲାକୁ କି ରୋଗ ଗ୍ରାସିଛି ଯେ ଜ୍ୱର ଆଉ କାଶ ପ୍ରାୟ ଲାଗି ରହିଛି । ଠେକା ଠେକା ମାଟି ବୋହିନଉଥିବା ମଣିଷଟା ଏବେ ଧାନକୁଲାଏ ପାଛୁଡ଼ି ସାରି ହାଲିଆ ହୋଇ ବସିରହୁଚି । ତା’ର ଜମି ଖଣ୍ଡେ ଥିଲେ କିଛି ଫସଲ ସେ ବି ପାଇଥାଆନ୍ତା ନିଶ୍ଚୟ । ଏ ବର୍ଷ ଜମିରେ ସୁନା ଫଳିଛି ଯେପରି । ସ୍ୱୟଂ ଦେବତା ବିଜେ ହୋଇଚନ୍ତି କ୍ଷେତରେ ।

 

ଧାନକଟା ଆରମ୍ଭ ହୋଇଗଲା । ଶୁକ୍ରା, ତା’ ସ୍ତ୍ରୀ ଏବଂ ପୁଅମାନେ ଲାଗିଗଲେ କାମରେ-। ସକାଳୁ ସଞ୍ଜ ଖିଆପିଆ ଭୁଲି ଧାନକାଟି ମାଲିକର ଖଳାକୁ ବୋହିବା ଏବଂ ଚୋରକୁ ଜଗିବା କାମରେ ସମୟ ସରିଯାଏ । ସମସ୍ତେ କାମ ପାଆନ୍ତି ବୋଲି ପେଟଭରି ଖାଇବାକୁ ମିଳେ; କିନ୍ତୁ ମକର ପରେ କଅଣ କରିବେ କିଛି ବୁଦ୍ଧି ଦିଶୁନାହିଁ । ତେଣିକି ଆଉ କାମ ହାତରେ ରହେନାହିଁ-। ଜମିରେ ବି କାମ ନଥାଏ । କେନାଲ ବା ନଦୀ ନାହିଁ ଯେ ପାଣି କାଟି କ୍ଷେତ କରିବେ-। କେବଳ ଇନ୍ଦ୍ର ଦେବତା ସାହାଭରସା ।

 

ପୁଅମାନେ ବଡ଼ ହେଲେଣି । ବଡ଼ ପୁଅଟା ବିଭା ହବାପାଇଁ ଚାହୁଁଚି । ଘନ ମାଝିର ମଝିଆଁ ମଥାରେ ସିନ୍ଦୂର ଘଷିଚି ବୋଲି ସେ ଆଉ ଥୟ ଧରୁନି । ଧାନକଟା ଶେଷହେଲେ ମକର ଦିନ ବିଭାକରାଇଦବ ବୋଲି କଥା ଦେଇଛି । ବଡ଼ ପୁଅ କିନ୍ତୁ ଏକା ଜିଦ୍‌ ଧରି ବସିଛି ଯେ ଆଉ ଗୋଟେ ଘର ନହେଲେ ସେ ବିଭା ହବନାହିଁ । ବାପ, ମା’, ଭାଇ, ଭଉଣୀ ସାଙ୍ଗରେ ନୂଆ ମାଇପକୁ ନେଇ ଗୋଟିଏ କୋଠରି ଭିତରେ ଶୋଇବ କିପରି ।

 

ବହୁତ ଭାବେ ଶୁକ୍ରା । ସେ ବଡ଼ ଅସହାୟ ମନେକରେ ନିଜକୁ । ସମୟଟା ଖୁବ୍‌ ଶୀଘ୍ର ଶୀଘ୍ର ବଦଳି ଯାଉଛି । ସମୟ ବଦଳିବା ସହିତ ପାଦମିଳେଇ ସେ ବଦଳି ପାରୁନାହିଁ । ଦୁନିଆରେ ଅଭାବଗୁଡ଼ା ହାଉଯାଉ ହଉଚନ୍ତି । ପୂର୍ବର ସେ ସହଜ ସରଳ ଭାବ ଉଭେଇଗଲାଣି । ଲୋକଗୁଡ଼ା ଜଟିଳ ହୋଇଗଲେଣି । ଏପରିକି ମାଲିକ ମୂଲ ଦବାବେଳେ ଇମିତି ଘଷରା ପାଇଟାରେ ଧାନ ମାପେ ଯେ ଘରେ ନେଇ ପରଖିବା ବେଳକୁ ତିନିଜଣର ମୂଲ ଦୁଇଜଣର ମୂଲ ସହିତ ସମାନ ହୁଏ-। ଜଣକର ମୂଲ ଧାନ ଶୂନ୍ୟେ ଶୂନ୍ୟେ ଉଡ଼ିଯାଇ ଠୁଳ ହୁଏ ମାଲିକର ଖମାର ଭିତରେ-। ତାଙ୍କ ପେଟ ଅପୋଷା ରହୁନଥିବା ବେଳେ ସେ ଅନ୍ୟ ପେଟରେ ନ୍ୟାଯ୍ୟ ମୂଳରୁ କାଟିରଖନ୍ତି ଆହୁରି ବଡ଼ ହବାପାଇଁ । ଶୁକ୍ରା ତା’ହେଲେ ବଣର ଗଛବୃଚ୍ଛ ପରି ଶୁଖିଯିବ ? ତା’ ପୁଅଝିଅ ସରି ଆସୁଥିବା ବଣର ବାଘଭାଲୁ ପରି ଦିନେ ନିଶ୍ଚିହ୍ନ ହୋଇଯିବେ ?

 

ଶୁକ୍ରା ଧାନ ବିଡ଼ାଗୁଡ଼ାକୁ ଖଳାରେ ସଜାଇ ରଖିବାବେଳେ ମାଲିକକୁ ଏକା ପାଖରେ ପାଇ କହିଲା, ଏବର୍ଷ ସୁନା ଫଳିଛି । ପ୍ରତିବର୍ଷ ହଉଥିଲେ ଦୁଃଖ ରହନ୍ତାନାହିଁ..... ।

 

ମାଲିକ ତାର ପ୍ରଶଂସା କରି କିଛି କହିବ ବୋଲି ଭାବିଥିଲା ଶୁକ୍ରା । ଯେତେହେଲେ ସେ ଏବଂ ତା’ ପୁଅ ଓ ଭାରିଯା ସମସ୍ତେ ମିଶି ହାଡ଼ ମାଉଁସ ମିଳେଇ ଜମିରେ ଖଟି ନଥିଲେ ଇମିତି ଫସଲ ହୁଅନ୍ତାନାହିଁ । ଟିକେ ଦରଦିଆ କଥାର ସେ କଅଣ ଯୋଗ୍ୟ ନୁହେଁ, ଟିକେ ମନଉଲୁସା କଥା ତାର କଅଣ ପ୍ରାପ୍ୟ ନୁହେଁ ?

 

ମାଲିକ କହିଲେ, ଏ ବର୍ଷ ଅନେକ ଖର୍ଚ୍ଚ ହୋଇଗଲାରେ ଶୁକ୍ରା । ଖର୍ଚ୍ଚକୁ ଚାହିଁ ଅମଳ ଆଉ କେତେ ହେଲା ?

 

ଶୁକ୍ରାର ମନଟା ନଇଁଗଲା । ସେ ତଥାପି ଭରସିକରି କହିଲା, ଖୁବ୍‌ ମେହେନତ କରିଥିଲି, ଯାହା ମିଳିଛି ଯଥେଷ୍ଟ ନହେଲେ ବି କମ୍‌ ନୁହେଁ ।

 

ମାଲିକ କହିଲେ, ଚାଷ ଉପରେ ଭରସା । ଭଲ ଫସଲ ନ ହେଲେ ଦିନକୁ ଦିନ ବଢ଼ୁଥିବା ଖର୍ଚ୍ଚ ତୁଲେଇବି କିପରି ? ବଜାରରେ ଘରଟା ତୋଳା ହଉଚି ଯେ କାମ ଆଗେଇ ପାରୁନାହିଁ । ଏବର୍ଷ ଧାନ ବିକି ସେଇ କାମଟା ସାରି ନଦେଲେ ଚଳିବନାହିଁ । ପିଲାମାନେ ତୀର୍ଥ ଯିବେ ଲଗେଇଚନ୍ତି । ବଳଭଦ୍ର ଚକର ଧାନତକ ସେମାନଙ୍କ ତୀର୍ଥଦର୍ଶନରେ ଶେଷ ହୋଇଯିବ ।

 

—ମୋ ବଡ଼ ପୁଅ ଲଗେଇଚି ବାହା ହବାପାଇଁ । ଧନୁ ମାଝିର ମଝିଆଁ ଝିଅ ମୁଣ୍ଡରେ ସିନ୍ଦୂର ଦେଇଛି । ମକର ଦିନ ବାହାଘର ।

 

ମାଲିକ କଅଣ ଭାବି କହିଲେ, ବାହାଘର ପାଇଁ ମୂଲରୁ କିଛି ସଂଚି ରଖ ଶୁକ୍ରା, ନୋହିଲେ ଆଉ ଗୋଟେ ଅଧିକ ପେଟକୁ ଚଳେଇବୁ କିପରି, ବାହାଘର ଖର୍ଚ୍ଚ ଆସିବ କୋଉଠୁ ?

 

ଶୁକ୍ରା ଅନ୍ୟ କଥା ଆଶା କରିଥିଲା । ଏବର୍ଷ ଏତେ ଫସଲ ହୋଇଚି ଯେ ଖଳାରେ ଜାଗା ଧରୁନାହିଁ । ଏଥିରେ ତାର କରାମତି ପଣିଆ କିଛି କମ୍‌ କାମ କରିନାହିଁ । ଖୁସିହୋଇ ତା’ ପୁଅର ବିଭାଘର ଖର୍ଚ୍ଚ ତୁଲାଇବା ପାଇଁ ଧାନ ଦୁଇଗଉଣୀ ଅଧିକ ଦେବେ ବୋଲି ଆଶା କରି ସେ କହିଥିଲା । ସେ ଆଶାଟି ମଉଳିଗଲା । ଧାନ ଦୁଇଗଉଣୀ ନହେଲେ ଭାତକୁ ଅଣ୍ଟିବନାହିଁ, ହାଣ୍ଡିଆ ହବନାହିଁ ।

 

ଶୁକ୍ରାର ମନଟି ମଉଳିଗଲା । ସେ ହଠାତ୍‌ ଚିନ୍ତିତ ହୋଇପଡ଼ିଲା । ଧାନଗଦା ଉପରୁ ଚାହିଁଲାବେଳକୁ ବେଳ ରତରତ । ସୂର୍ଯ୍ୟଦେବତା ପାହାଡ଼ର ଚୁଳତଳେ ଲୁଚିଯିବା ପାଇଁ ତରତର ହଉଥିଲେ । ଲଗାଲଗି ହୋଇ ଅନ୍ୟମାନଙ୍କର ଖଳା । ସବୁରି ଖଳାରେ ବଡ଼ ବଡ଼ ଧାନବିଡ଼ାର ଗଦା ।

 

ଏତେ ଜମି ଚାଷକରି ଲୁହଲହୁ ଢାଳି ଯେଉଁ ଫସଲ ଅମଳ ହେଲା, ସେଥିରେ ସେମାନଙ୍କର କିଛି ଭାଗ ନାହିଁ । ସେମାନେ ମାଲିକ ନୁହଁନ୍ତି ବୋଲି ସବୁଦିନ ମୂଲିଆ ହୋଇ ରହିଯିବେ ? ସବୁଦିନ ବଞ୍ଚିତ ହୋଇ ମଧ୍ୟ ନିଜର ଉଚିତ ପାଉଣା ଦାବି କରିବାପାଇଁ ସାହସ କରିବେ ନାହିଁ ?

 

ଶୁକ୍ରାର ଆଖିଆଗରେ ଅବିର ବୋଳି ଲୁଚିଯାଉଥିଲେ ଅସ୍ତଗାମୀ ସୂର୍ଯ୍ୟ । ଗଛପତ୍ର, ଧାନଗଦା ଉପରେ ଅବିରର ହୋରିଖେଳ ।

 

ଛାତିତଳର ସ୍ପନ୍ଦନ ସହିତ ତାଳ ରଖି କିଏ ଯେପରି କହିଲା, ଏଇ ଧାନଗଦାରେ ତୋର ବି ଭାଗ ଅଛି ରେ ଶୁକ୍ରା, ଅନ୍ୟକୁ ଆହାର ଯୋଗେଇ ତୁ କଅଣ ଓପାସ ରହିବୁ ?

 

ଶୁକ୍ରା ମାଲିକ ମୁହଁକୁ ଚାହିଁଲା । ତାଙ୍କ ଉପରେ ଅବିର ରଙ୍ଗର ସୂର୍ଯ୍ୟ କିରଣ ପଡ଼ିନଥିଲା । ସେ ଛାଇରେ ଛିଡ଼ା ହୋଇଥିଲେ । ତଥାପି ଶୁକ୍ରା ଭାବିଲା, ତାଙ୍କ ଧମନୀର ରକ୍ତ ନିଶ୍ଚୟ ଲାଲ । ସେଇ ରକ୍ତ ବି ଉଷୁମ ଏବଂ ଲୁଣିଆ । ତା’ହେଲେ ଫରକ କେଉଁଠି ? କାହିଁକି ସବୁଦିନ ମୁହଁ ବୁଜି ଘରସମ୍ଭାର ନଥାଇ ପଡ଼ିଥିବ ସେ, ସହୁଥିବ ସବୁ ଗଞ୍ଜଣା, ଦେଖୁଥିବ ପିଲାମାନଙ୍କର ଆଖିବୁଜା କଷ୍ଟ ?

 

ଶୁକ୍ରା ଉପାୟ ଖୋଜିଲା । ମାଲିକ ଯିବା ପରେ ଧାନଗଦା ଉପରୁ ତଳକୁ ଓହ୍ଲେଇଆସି ମଥା ନୁଆଇଁ ଦୋଷ ମାଗିନେଲା । ଯେତେହେଲେ ମହାଲକ୍ଷ୍ମୀ ! ତାଙ୍କରି ଉପରେ ଛିଡ଼ାହେଲେ ଅଧର୍ମ ହୁଏନାହିଁ ?

 

ଧର୍ମ ଅଧର୍ମ କିଛି ମାନୁନାହାନ୍ତି ଲୋକେ । ପୁରୁଣାକାଳିଆ ବୁଝିଲା ସମଝିଲା ଲୋକମାନଙ୍କ ସଂଖ୍ୟା ଲମ୍ୱା ବୃଶାଳ ଶାଳଗଛ ପରି କମିଆସୁଛି । ଚାରିଆଡ଼େ ମଣିଷ ବଦଳିଯାଉଚି । ବଣର ନଣ୍ଡା ବନସ୍ପତି ପରି ଏକାଳର ଲୋକଗୁଡ଼ା କେଡ଼େ ଛୋଟ, କେଡ଼େ ଅସୁନ୍ଦର ।

 

ଦୂର ପାହାଡ଼ ତଳେ ସୂର୍ଯ୍ୟଦେବତା ଡୁବିଗଲେ । ପାଖ ମାଝି ସାହି, କୋହ୍ଲ ସାହିରୁ ମାଦଳର ପ୍ରଥମ ଶବ୍ଦ ଭାସିଆସିଲା ଶିଆଳର ହୁକେ ହୋ ଶବ୍ଦ ସହିତ । ଶୁକ୍ରା ସବୁ ଧାନବିଡ଼ାକୁ ସଜେଇ ରଖି ଖଳାରୁ ବାହାରିଆସି ତାଟି ଲଗାଇ ମାଲିକ ପାଖକୁ ଗଲା ।

 

ବାରନ୍ଦାରେ ବସି ଚାହା ପିଉଥିଲେ ମାଲିକ । ତାଙ୍କ ନାତିନାତୁଣୀ ମୁଆଁ ଖାଉଥିଲେ । ନୂଆ ଧାନର ମୁଆଁ ଖୁବ୍‌ ସୁଆଦ ଲାଗେ ଖାଇବାପାଇଁ । ସେ ଜୀବନରେ ଦୁଇଥର ଖାଇଥିଲା, ସେତିକି । ତା’ ବଡ଼ପୁଅ ନୂଆଖଇର ମୁଆଁ ହାଟରୁ ଆଣିଥିଲା ଯେ ଭାଇଭଉଣୀ ସମସ୍ତେ ଭାଗବାଣ୍ଟି ଖାଇଥିଲେ । ଧାନ କିଛି ହାତରେ ରହିଲେ ଖଇଫୁଟେଇ ମୁଆଁ କରନ୍ତା । ନୂଆ ଗୁଡ଼ର କଡ଼ା ପାଗରେ ଖଇକୁ ମିଶେଇ ଗୋଲାକାର କଲେ ଭଲ ମୁଆଁ ହୁଏ ବୋଲି ତାର ଧାରଣା । ତା’ ଭାର୍ଯ୍ୟା ଜାଣେନି ଏସବୁ । ସେ ବି ଜାଣେନାହିଁ; କିନ୍ତୁ ଦେଖି ଶିଖି ବୁଝିଛି । ମୁଆଁ କେତୋଟି ଯଦି କିଣିଆଣି ପିଲାଙ୍କ ମୁହଁରେ ଦେଇପାରନ୍ତା !

 

ଶୁକ୍ରାର ମନଟା ଛନଛନ ହେଲା । ପୁଅର ବାହାଘର କଥା ଆହୁରି ମନକୁ ଆସିଲା । ମକରକୁ ଆଉ ମାସେ । ମାଲିକ ମଜୁରି ଠିକ୍‌ ଦଉଥିଲେ ବକତେ ଖାଇବା ପରେ କିଛି ବଳକା ରୁହନ୍ତା । ତିନିଜଣ ଖଟୁଛନ୍ତି ଦିନରାତି; କିନ୍ତୁ ମାପିବା ପାଇଟାକୁ ଏତେ ଛୋଟ କରିଦେଇଚନ୍ତି ଯେ ଯାହା ମିଳୁଛି ତାହା କେବଳ ଦୁଇ ଜଣଙ୍କର ରୋଜଗାର । ସେଦିନ ମାଲିକଙ୍କୁ କିଛି କହିବା ପାଇଁ ଛିଡ଼ାହେଲା ଶୁକ୍ରା ।

 

ଚାହାଗିଲାସ ମୁହଁରୁ ଉତାରି ରଖି କହିଲେ ସେ; ସବୁ କାମ ସରିଗଲାରେ ଶୁକ୍ରା ! ରାତି ଜଗିବାକୁ ଆସିବୁ । ଟିକେ ଶୀଘ୍ର ଆସିବୁ, ଆଜିକାଲି କାହାକୁ ବିଶ୍ୱାସ ଅଛି କହ ?

 

ଶୁକ୍ରା କହିଲା, ଆଜି ଦିହଟା ଭଲ ଲାଗୁନି । ପୁଅକୁ ପଠେଇଦେବି । ସେ ଜଗିବ ।

 

ମାଲିକ ବୋଧହୁଏ ଅପ୍ରସନ୍ନ ହେଲେ । ସେ ଟିକିଏ ରହିଯାଇ କହିଲେ, ପେଟ ପୂରିଯାଉଛି ତ ସେଥିପାଇଁ ଏତେ ଦିହ ଅସୁଖ । ପେଟ ପୂରୁନଥିବା ସମୟରେ ରୋଗବଇରାଗ ହୁଏନାହିଁ, ଆପେ ଆପେ କାମ ଖୋଜିବୁଲେ ମଣିଷ ।

 

ଶୁକ୍ରା ଉତ୍ତର ଦେଲାନାହିଁ—ସେ କେବେ ଉତ୍ତର ଦେଇନାହିଁ । ମୁହଁବୁଜି ସବୁ ଶୁଣିଛି, ବାଛବିଚାର ନକରି ସବୁ ଆଦେଶ ତାଲିମ୍‌ କରିଛି ଏବଂ ମାଲିକର ମନ ଜଗି ଚଳିଛି । ମାଲିକର ସୁଖ ଓ ସୁବିଧା ଯୋଗାଇବାକୁ ଯାଇ ସେ ନିଜର ଏବଂ ପିଲାକବିଲାଙ୍କ କଥା ଭୁଲିଯାଇଛି ।

 

ଗୋଟିଏ ସମୟ ଆସେ, ଶୋଇଥିବା ମଣିଷ ବି ଚେଇଁ ବସେ । ସୁ ସୁ ହୋଇ ବହି ଆସୁଥିବା ଶୀତଦିନର ଥଣ୍ଡା ପବନର ସ୍ୱରରେ କଅଣ ଥାଏ କେଜାଣି, ନିଆଁ ଜାଳି ତା’ ଚାରିପାଖରେ ମାଦଳ ବଜେଇ ନାଚନ୍ତି ସଭିଏଁ । ସେଇ ମାଦଳର ଶବ୍ଦ ସହିତ ଭାସିଯାଏ ମଣିଷର ଦୃପ୍ତ ପଦଧ୍ୱନି । ସେଇ ଧ୍ୱନିଟା ଆଜି ବି କାନରେ ବାଜିଲା ଶୁକ୍ରାର । ତା’ ଦିହରେ ତାତିଲା ରକ୍ତର ପ୍ରବାହ ଖେଳିଗଲା । ଥରିଗଲା ସେ । ଅନ୍ଧାର ରାତିରେ ବେପରବାୟ ହୋଇ ବାଟ ଚାଲିବା ବେଳେ ଗୋଟେ ଗୋଡ଼ି ଆଙ୍ଗୁଳିସନ୍ଧିରେ ଗଳିଯିବାରୁ ସେଟାକୁ ବାହାର କରିବାକୁ ଯାଇ ଆଙ୍ଗୁଳିରେ ରକ୍ତ ଲାଗିବାରୁ ଶୁକ୍ରା ପ୍ରଥମ ଥର ପାଇଁ ଲହୁରୁ ଟୋପାଏ ନେଇ ମଥାରେ ଲଗାଇଦେଇ କହିଲା, ଏଇ ଲହୁ ବି ଲାଲ, ଏୟା ଜାଣନ୍ତେ କି ସମସ୍ତେ ।

 

ସେଦିନ ପୁଅକୁ ପଠେଇଦେଇ ଘରେ ରହିଲା ଶୁକ୍ରା । ସତରେ ମନଟା ଭଲ ନଥିଲା ବୋଲି ଦେହଟା ବି ଭଲ ଲାଗୁନଥିଲା । ସେ ଶୋଇବାକୁ ଚେଷ୍ଟା କଲା; କିନ୍ତୁ ଶୋଇପାରିଲାନାହିଁ । ତା’ ଭାରିଯା ତା’ପାଖରେ ବସି କହିଲା, ଏବର୍ଷ ଏତେ ଫସଲ ହୋଇଛି, ମୂଲ କିଛି ବଢ଼େଇଦେବେନି ମାଲିକ ?

 

ଶୁକ୍ରା ନୀରବ ହୋଇ ବସିଥିଲା । ତା’ପରେ କହିଲା, ମୁଁ ବି ସେୟା ଭାବୁଛି । ଫସଲ ଭଲ ହୋଇଛି; କିନ୍ତୁ ଆମ ଭାଗ ତ ଆଗ ପରି । କିଛି ବଢ଼େଇଦେଲେ ଅଭାବ ଅନେକ କମିଯାଆନ୍ତା ।

 

ନିଜ ମନକୁ କେହି ମଜୁରି ବଢ଼ାଇ ଦିଏନି । ତୁମେ ଜାତିଭାଇଙ୍କୁ ନେଇ କହୁନ ?

 

ଶୁକ୍ରା କହିଲା, ମେଳି କରିବାକୁ କହୁଚୁ ? ମୋ ପିଲାଦିନେ ମୋ ବାପ, ଗୋସେଇଁବାପ, ଗାଆଁ ଓ ଆଖପାଖର ଶହ ଶହ ଆଦିବାସୀ ମେଳି କରିଥିଲେ ନ୍ୟାୟ ପାଇଁ । ସେହି ନ୍ୟାୟ କଅଣ ଓ କିପରି କେହି ଜାଣିନଥିଲେ । କେବଳ ମୁହଁରେ ଦୋହରାଉଥିଲେ ନ୍ୟାୟ ମିଳୁ, ଆମ ଇଲାକାରେ ଆମର ବସତି ବଢ଼ୁ । ସେଇ ମେଳିକୁ କିନ୍ତୁ ଭାଙ୍ଗିଦିଆଗଲା । ଆମ ବସତି ବଢ଼ିଲେ ଅନ୍ୟମାନଙ୍କର କ୍ଷତିହବ ବୋଲି କହି ଆମକୁ ଚୁପ୍‌ କରିଦିଆଗଲା ।

 

ଆଉ ଥରେ ଚେଷ୍ଟା କର, ଆଉ ଥରେ କୁହ—କହିଲା ଶୁକ୍ରାର ଭାର୍ଯ୍ୟା ।

 

ଶୁକ୍ରା କହିଲା, ତୁ ଶୋଇପଡ଼, ମୁଁ ଭାବି ଦେଖେ ।

 

ସମସ୍ତେ ଶୋଇପଡ଼ିବା ପରେ ଅନ୍ଧାର ରାତିରେ ପାଦ ଚିପି ଚିପି ଘରୁ ବାହାରିପଡ଼ିଲା ଶୁକ୍ରା । ପୁଷମାସର ହାଡ଼ଥରା ଶୀତ । ଫୁଙ୍ଗୁଳା ଦେହ । ଅଣ୍ଟାରେ ଚାରିହାତି ଗାମୁଛାଟାଏ । ସେଇ ଶୀତରେ ବରଡ଼ାପତ୍ର ପରି ଥରୁଥିବା ଥିବାବାଲାଙ୍କର ଧାନଗଦାମାନଙ୍କୁ ଅନେଇଲା ଶୁକ୍ରା । ଅନ୍ଧାର ଯୋଗୁଁ କିଛି ଦିଶୁନଥିଲେ ବି ସେମାନଙ୍କର ଉଚ୍ଚତା କଳନା କରିପାରୁଥିଲା । ଛୋଟ ଛୋଟ ଆଦିବାସୀମାନେ ସେଇ ଧାନଗଦା ପରି ବଡ଼ ବଡ଼ ଦିଶିଲେ । ଶାଳଗଛ ପରି ଗୋଟେ କିଏ ଛିଡ଼ାହେଲା ତା ଆଗରେ । ସେ ମଣିଷ କି ଛାଇ କିଛି ଜାଣିପାରିଲା ନାହିଁ ଶୁକ୍ରା-। ପଚାରିବା ପାଇଁ ମନ ହେଲାନାହିଁ । ବେପରୁଆ ସେ । ବଣର ବାଘ ଭାଲୁ ସହିତ ଆଜୀବନ ଯୁଝିଆସିଥିବା ଲୋକ ମଣିଷକୁ ଯେପରି ଡରେ ନାହିଁ, ଛାଇକୁ ବି ପରୁଆ କରେନାହିଁ । ବରଂ ଆଉ ଜଣେ ତା’ ସାଙ୍ଗରେ ଅଛି ବୋଲି ମନ ଉଷତ ହେଲା; ସେ ଯେ ଏକା ନୁହେଁ, ଅନେକ, ଏୟା ଭାବି ଆଶ୍ୱସ୍ତ ହେଲା ।

 

ଅଧରାତିର ନିସ୍ତବ୍‌ଧତା ଭାଙ୍ଗି ଶୁକ୍ରା ମାଝି ଗାଆଁ ଦାଣ୍ଡରେ କୁହାଟ ଛାଡ଼ିଲା—ହୁସିଆର... ।

 

କିଏ ଶୁଣିଲା କି ନାହିଁ କେଜାଣି କିନ୍ତୁ ସବୁ ଧାନଗଦାରେ ସେଇ ସ୍ୱର ବାଜି ପ୍ରତିଧ୍ୱନି ହୋଇ ଫେରିଆସିଲା, ହୁ ସି ଆ ର...

 

ଗାଆଁ ଦାଣ୍ଡରେ ଲୋକ ଜମିଲେ । ନିଆଁ ଜାଳି ଛିଡ଼ାହେଲେ ଶୁକ୍ରା, ସନିଆ, ମନୁ, ଦୁଃଖୀ ସମସ୍ତେ ।

 

ଗାଆଁର ମୁଖିଆ ଓ ମାଲିକମାନେ ନିଦ ମଳ ମଳ ଆଖିରେ ମନ୍ଦିର ପାଖର ବେଦୀ ଉପରେ ଛିଡ଼ାହୋଇ କହିଲେ, ଏତେ ରାତିରେ ଏତେ ହଟ୍ଟଗୋଳ କାହିଁକି, ଚୋରି କିଏ କଲା, ଚୋର କିଏ ?

 

ଏହାର ଉତ୍ତର ଶୁଣିବା ପାଇଁ ସମସ୍ତ ନୀରବ ହୋଇଗଲେ ।

 

ଶୁକ୍ରା ଖୁବ୍‌ ସ୍ପଷ୍ଟ ଭାଷାରେ କହିଲା, ଚୋରି କେହି କରିନାହିଁ । କେହି ଚୋର ନୁହେଁ । ଆମେ କେବଳ ନ୍ୟାୟ ଚାହୁଁ ।

 

ଗର୍ଜି ଉଠିଲେ ପଧାନେ । ଏଇ ଶୁକ୍ରା ତାଙ୍କର ମୂଲିଆ । ପିଠିରେ ବିଧାଏ ଦେଲେ ମୁହଁରୁ ଚୁଁ ଶବ୍ଦଟିଏ ବାହାରିବ ନାହିଁ, ଅଇଚ ଏତେ ଲୋକଙ୍କ ସାମ୍ନାରେ ମଝିରାତିରେ ସେ ଦାବି କରୁଚି ନ୍ୟାୟ । ନ୍ୟାୟ କଅଣ ମିଳୁନାହିଁ ଯେ ମଝିରାତିରେ ଏତେ ହଟ୍ଟଗୋଳ ।

 

ଖୁବ୍‌ କର୍କଶ କଣ୍ଠରେ କହିଲେ ପଧାନେ, ନ୍ୟାୟ ଅନ୍ୟାୟର ପ୍ରଶ୍ନ କାହିଁ ? ମୂଲିଆ, ମଜୁରିଆମାନେ କାମ କରିବେ, ମଜୁରି ନେବେ । ସେମାନଙ୍କର ଆଉ କିଛି ଅଧିକାର ନାହିଁ । ଅନ୍ୟାୟ ହଉନାହିଁ । ସବୁ ନ୍ୟାୟରେ ଚାଲିଚି ।

 

ଶୁକ୍ରା କହିଲା, ଏ ବର୍ଷ ଏତେ ବେଶି ଫସଲ ହୋଇଚି । ଗତ ସନ ମରୁଡ଼ି ହୋଇଥିଲା ବୋଲି ଭୋକଓପାସରେ ରହି ତୁମ ସମସ୍ତଙ୍କୁ ବଞ୍ଚେଇଛୁ ଆମେ । ଏବର୍ଷ ଅମଳରୁ ଦୁଇ ଗୌଣୀ କରି ସମସ୍ତ ମଜୁରିଆଙ୍କୁ ଦେଲେ ସରିଯିବ ନାହିଁ, ବଢ଼ିବ । ଆମେ । ଲହୁଲୁହ ଢାଳି ଆହୁରି କାମକରିବୁ, ଆଉରି ଅଧିକ ଫସଲ ଅମଲ କରିବୁ ।

 

ଖବର ରଟିଗଲା ଗୁଜବ ପରି । ଦଳ ବଳ ବାନ୍ଧି ସହରରୁ ଫୌଜ ଆସିଲେ ମେଳି ଭାଙ୍ଗିବାପାଇଁ ।

 

ସକାଳର ଶିଶିରଭିଜା ଘାସ ଉପରେ ପ୍ରଥମେ ସୂର୍ଯ୍ୟକିରଣର ପରଶ ପଡ଼ି ଚକ୍‌ ଚକ୍‌ କରୁଥିବା ଶହ ଶହ ମୁକ୍ତାବିନ୍ଦୁକୁ ଅନେଇ ଦାରୋଗା ବାବୁଙ୍କୁ କହିଲା ଶୁକ୍ରା, ଏଇ ପୁଷ ମାସର ଶୀତରେ ବି ଆମ ଦେହ ଥରୁନାହିଁ; କିନ୍ତୁ ଏତେ ଘୋଡ଼ିଘାଡ଼ି ହୋଇ ବି ଏମାନେ ଥରୁଛନ୍ତି । ଟିକେ ନିଆଁ ଜାଳେ ବାବୁ, ସବୁ ଠିକ୍‌ ହୋଇଯିବ ।

 

ଶୁକ୍ରାର ନିରୀହ ମୁହଁ ଏବଂ ସୂର୍ଯ୍ୟକିରଣ ପଡ଼ି ଦୁବଘାସ ଉପରେ ଚକ୍‌ ଚକ୍‌ କରୁଥିବା ଶିଶିରବିନ୍ଦୁ ମାନଙ୍କୁ ଅନାଇଲେ ଦାରୋଗାବାବୁ ।

☆☆☆

 

ଦୁଇଟି ଆଖିର ଦୃଷ୍ଟି

 

ମଧ୍ୟାହ୍ନଭୋଜନ ପରେ ସମସ୍ତେ ବୈଠକଖାନାରେ ବସି ଆସର ଜମାଇଥିଲେ । ଢେଙ୍କାନାଳରୁ ଢିଙ୍କି ଶାଳଯାଏ ସବୁ ବିଷୟ ସେହି ଆଲୋଚନାର ପରିସରଭୁକ୍ତ ହୋଇଥିଲେ ବି ସେଥିରେ ଅଂଶ ଗ୍ରହଣ ନକରି ବାରନ୍ଦାରେ ଏକା ଚୁପ୍‌ହୋଇ ବସିଥିଲା ଉମା । ସମସ୍ତଙ୍କ ସାଙ୍ଗରେ ମିଶିବାପାଇଁ ମନହେଲେ ବି ସେ ମିଶିପାରେ ନାହିଁ । ସେମାନଙ୍କ ଆସରକୁ ଆହୁରି ମନୋରଞ୍ଜନ କରିବାପାଇଁ ତା’ର ସବୁ ଇଚ୍ଛା ଶେଷରେ କାମରେ ପରିଣତ ହୋଇନପାରି ନିଜ ଭିତରେ ମଉଳିଯାଏ । କାହିଁକି ଯେ ସେ ସମସ୍ତଙ୍କ ସହିତ ଏକହୋଇ ସମବେତ ହସଖୁସିରୁ ଅଂଶ ଗ୍ରହଣ କରିପାରେ ନାହିଁ, ଏହାର କାରଣ ଖୋଜିବାପାଇଁ ଯାଇ ସେ ନିରାଶ ହୁଏ । ସେହିଭଳି ଏକ ନୈରାଶ୍ୟ ତାକୁ ଅବସାଦଗ୍ରସ୍ତ କରିଥିବା ବେଳେ ସେ କାନ୍ଥରେ ଗୋଟିଏ ପତ୍ରିକାର କେତେଗୁଡ଼ିଏ ଛବି ଉପରେ ଦୃଷ୍ଟି ରଖିବାର ଛଳନାକରି କେବଳ ଚାହିଁଥାଏ ସିନା, ତା’ ଆଖିକୁ କିଛି ଭଲଭାବରେ ଦୃଷ୍ଟିଗୋଚର ହେଉନଥାଏ । ସେହି ସିନେମା ପତ୍ରିକାଟିରେ ନାୟକନାୟିକାମାନଙ୍କର ସ୍ୱାଭାବିକ ଜୀବନଯାତ୍ରା ତା’ ଆଖିଆଗରେ କିପରି ଅସ୍ୱାଭାବିକ ଦିଶେ । ସେ ଗୋଟିଏ ଅର୍ଥପୂର୍ଣ୍ଣ ଲୟରେ ଅପେକ୍ଷା କରିଥିବା ନାୟିକାର ମୁହଁକୁ ଅନାଇଦେଇ ଆଖିଦୁଇଟା ଫେରାଇ ନେଲାବେଳେ କାନରେ କେହି ଜଣେ ତା’ ସମ୍ପର୍କରେ କିଛି କହୁଥିବାର ଶୁଣି ଚକମିପଡ଼ିଲା ।

 

ପ୍ରସଙ୍ଗଟି ସ୍ପଷ୍ଟ ନହେଲେ ବି ସେମାନେ ଯେ ତା’ ସମ୍ପର୍କରେ କଥାଭାଷା ହଉଥିଲେ ଏହା ସେ ଜାଣିପାରି ଟିକେ ଡରିଗଲା । ତା’ ସମ୍ପର୍କରେ ଅନ୍ୟ କେହି ଭାବୁ, ଏହା ସେ ଚାହୁଁନଥିଲା-। କାରଣ ଜଣେ ଅନ୍ୟଜଣକ ବିଷୟରେ ଭାବିବାଟାକୁ ସେ କାହିଁକି କେଜାଣି ସହ୍ୟ କରିପାରୁନଥିଲା-। ସେଥିପାଇଁ ଜଣକ ତୁଣ୍ଡରେ ତା’ ନାମର ଉଚ୍ଚାରଣ ଶୁଣି ସେ କେବଳ ଯେ ଚମକିପଡ଼ିଲା ତାହା ନୁହେଁ, ତା’ ଛାତିତଳର ସ୍ପନ୍ଦନଟା ଆହୁରି ଅନେକ ବଢ଼ିଗଲା । ଯେପରି ତାର ଗୋପନୀୟ କଥାଟି ଏହି ଅଳ୍ପକ୍ଷଣ ମଧ୍ୟରେ ସମସ୍ତେ ସହସା ଜାଣିଯିବେ । ତାର ଅନ୍ତର ଭିତରେ ଅତି ଯତ୍ନରେ ଲାଳିତ ମାନସ-ପୁରୁଷଟିକୁ ସମସ୍ତେ ଦେଖି ପକେଇବେ ଏବଂ ଯାହାକୁ ସେ ଅତି ଗୋପନୀୟ ଏବଂ ଏକାନ୍ତ ବ୍ୟକ୍ତିଗତ ବୋଲି ଭାବୁଥିଲା ସେହିସବୁ ହଠାତ୍‌ ଆଉ ତାର ଏକାନ୍ତ ବ୍ୟକ୍ତିଗତ ସମ୍ପଦ ନରହି ସର୍ବସାଧାରଣଙ୍କ ସମ୍ପଦ ହୋଇଯିବାର ଆଶଙ୍କାରେ ସେ ଶିହରି ଉଠିଲା । ଏକା ଥିବାବେଳେ ସେ ଦୁନିଆ ଆଖିରେ ସିନା ନିଜକୁ ଗୋଟେଇନିଏ କଚ୍ଛପ ପରି; କିନ୍ତୁ ସେତେବେଳେ ସେ ହୁଏ ନିଜର ଅଲୌକିକ ଏକ ବିଶାଳ ସାମ୍ରାଜ୍ୟର ଅଧିଶ୍ୱରୀ । ସେହି ସମୟ ଟିକକ ତା ପକ୍ଷରେ ଖୁବ୍‌ ମୂଲ୍ୟବାନ୍‌ ଏବଂ ଆଦରଣୀୟ ।

 

ଉମା କାନଦେଇ ଶୁଣିବାକୁ ଚେଷ୍ଟାକଲା । ହଁ; ସେମାନେ ତାହାରି ବିଷୟରେ କଥାଭାଷା ହେଉଥିଲେ । ସେ ନିଃସନ୍ଦେହ ହେବାପରେ ଖୁବ୍‌ ଆତଙ୍କିତ ହୋଇଉଠିଲା । ସେମାନେ କାହିଁକି ଦୁନିଆରେ ଏତେ ବିଷୟ ଥାଉ ଥାଉ ତା’ ବିଷୟରେ ଚର୍ଚ୍ଚା କରୁଥିଲେ—ସେ କିଛି ବୁଝିପାରିଲାନାହିଁ । ମନରେ କ୍ରୋଧ ହେଲା । ଦଉଡ଼ିଯାଇ ତା’ ନାମ ଉଚ୍ଚାରଣ କରୁଥିବା ମହିଳାର କଣ୍ଠକୁ ଚିପି ଧରିବାପାଇଁ ଇଚ୍ଛାହେଲା; କିନ୍ତୁ କିଛି କରିନପାରି ଅସହାୟର ବେଦନାକୁ ନିଜ ଅଙ୍ଗରେ ଅନୁଭବ କରି ଆହୁରି କାତର ହୋଇପଡ଼ିଲା ।

 

ଠିକ୍‌ ଏତିକିବେଳେ ଜଣେ କେହି କହିଲା ଯେ ସେ କୁଆଡ଼େ ଖୁବ୍‌ ଅସୁନ୍ଦରୀ । ତାକୁ ବାହାଦେବା ପାଇଁ ପରିବାରର ସବୁଚେଷ୍ଟା ବ୍ୟର୍ଥ ହୋଇଯାଇଛି । ଏହି କଥାଟା ନିହାତି ସତ ହେଲେ ବି ତା’ କାନକୁ ଖୁବ୍‌ କଟୁ ଏବଂ ବେଦନାଦାୟକ ମନେହେଲା । ସେ ଯେ ଏଡ଼େ ଅସୁନ୍ଦରୀ ନୁହେଁ ତାହା କାହିଁକି କେଜାଣି ବାରମ୍ୱାର ସେ ନିଜକୁ ନିଜେ କହିଲା ଏବଂ ସେହି ମହିଳାଟି ଏହି କଥାକୁ ବାଢ଼େଇକରି କହୁଥିବାରୁ ସେ ଖୁବ୍‌ ରାଗିଗଲା । କବାଟ ଗୋଟିକୁ ଖୁବ୍‌ ଯୋର୍‌ରେ ବାଡ଼େଇଦେଲା ବନ୍ଦକରିବାର ବାହାନାକରି । ହଠାତ୍‌ କବାଟ ବାଡ଼େଇହବାର ଶବ୍ଦ ଶୁଣି ସେମାନେ ଟିକେ ଶଙ୍କିତ ହୋଇଗଲେ । ପବନରେ ଖୋଲା କବାଟଟା ବାଡ଼େଇ ହୋଇଗଲା ବୋଲି ଜଣେ ମନ୍ତବ୍ୟ ଦେଇ ଉଠିଆସିଲା ଭଙ୍ଗା ଇଟା ଖଣ୍ଡେ ଜାକିଦବାପାଇଁ । ଟିକେ ଦୂରକୁ ଉମା ଘୁଞ୍ଚିଯାଇ ନଥିଲେ ସେ ନିଶ୍ଚୟ ତାକୁ ଦେଖି ପକାଇଥାନ୍ତା ।

 

ଏହି ଅବସରରେ ସେ ଦଉଡ଼ି ପଳେଇ ଯିବାପାଇଁ ଇଚ୍ଛା କରି ବି ପଳେଇ ଯାଇପାରିଲାନାହିଁ । ତା’ ପାଦ ଉଠିଲାନାହିଁ ଏବଂ ସେ ଶକ୍ତିହୀନତା ଅନୁଭବ କଲା । ଏହିପରି ଅସହାୟ ହୋଇପଡ଼ିଲେ ସେ ଖୁବ୍‌ କଷ୍ଟପାଏ ବୋଲି ଏଭଳି ପରିସ୍ଥିତିକୁ ସେ ଏଡ଼ାଇ ଯିବାପାଇଁ ଚେଷ୍ଟା କରୁଥିଲା; କିନ୍ତୁ ସେତକ ନ ହବାରୁ କାନ୍ଥ ଉପରେ ଆଉଜି ସେ ଅଥର୍ବ ପରି ନିରୂପାୟ ହୋଇ କେବଳ ଶୁଣିବାକୁ ଲାଗିଲା ।

 

ରମା ତାହାରି କଥା କହୁଥିଲା । ଏକମାଆର ପେଟରୁ ଜନ୍ମହୋଇ ସେ କିପରି ଏତେ ଅସୁନ୍ଦରୀ ହେଲା, ସେଥିରେ ବିସ୍ମୟ ପ୍ରକାଶକରି ସେ କହୁଥିଲା ଯେ ଏଥିପାଇଁ ବାପା, ମା’ ସମସ୍ତେ ଚିନ୍ତିତ, ସୁଖରେ କେହି ଶୋଇ ପାରୁନାହାନ୍ତି । ରମା ଛୋଟହୋଇ ବି ବିଭା ହୋଇଯାଇଚି, ଅଥଚ ଉମାକୁ କେହି ବୋହୂ କରି ନବାପାଇଁ ଆଗେଇ ଆସୁନାହାନ୍ତି ।

 

ଉମା ଆଉ ଶୁଣି ପାରୁନଥିଲା । ରମା ତା ନିଜର ସାନ ଭଉଣୀ । ପିଲାଦିନୁଁ ତା’ ସହିତ କେତେ ସାଙ୍ଗସୁଖ ଏବଂ ସ୍ନେହମମତା । ରମା ଦେଖିବାପାଇଁ ଭଲ ବୋଲି କେବଳ ବାପା, ମା ଏବଂ ଅନ୍ୟମାନେ ଯେ ଅଧିକ ସ୍ନେହ କରୁଥିଲେ ତାହା ନୁହେଁ ସେ ନିଜେ ବି ସାନ ଭଉଣୀକୁ କମ୍‌ ଆଦର କରୁନଥିଲା । ସାନ ଭଉଣୀକୁ ନିଜ ଥାଳିରୁ ଉଠାଇ ଦଉଥିଲା ଗୋଟେ ଅଧିକ ମାଛଭଜା, କେବେ କେମିତି ତା’ ଭାଗରେ ପଡ଼ିଥିବା ଫାଳେ ଆମ୍ୱରୁ ଅଧଫାଳେ ରମା ମୁହଁରେ ଗୁଂଜି ଦଉଥିଲା । ରମା ଆଉ ଟିକେ ବେଶି ଖାଇ ଏବଂ ଆଦର ପାଇ ଯଦି ଆହୁରି ଭଲ ଦିଶନ୍ତା ! ରମାର ପ୍ରଶଂସାଗୁଡ଼ା ଯେପରି ତାହାରି ନିଜର । କେହି ରମାର ରୂପ ବା ଗୁଣର ପ୍ରଶଂସା କଲେ ଉମାର ଅନ୍ତର ଭିତରଟା ଗର୍ବରେ ଫୁଲିଉଠୁଥିଲା । ଏପରି ସାନଭଉଣୀ ପାଇଛି ବୋଲି ମନରେ ଗୌରବ ହେଉଥିଲା ।

 

ସେହି ରମା ବୋଧେ ଆଉ ତାକୁ ସୁଖପାଏ ନାହିଁ । ନୋହିଲେ ନିଜ ବଡ଼ ଭଉଣୀ ବିଷୟରେ ଯେତେ ସତ ହେଲେ ବି ଏଇ ଅପ୍ରିୟ କଥାଗୁଡ଼ାକ ସେ ଅନ୍ୟମାନଙ୍କ ଆଗରେ କହିଦେଇ ପାରନ୍ତା ! ଉମା ସଂକୁଚିତ ହୋଇଗଲା । ତାର ଖର୍ବକାୟ ବ୍ୟକ୍ତିତ୍ୱ ଯେପରି ଆହୁରି ଖର୍ବ ହୋଇଗଲା । ସେଠାରେ ଠୁଳ ହୋଇଥିବା ସାଙ୍ଗସାଥୀମାନଙ୍କ ମେଳରେ ବସିବାପାଇଁ ସେ ଯେ ଉପଯୁକ୍ତ ନୁହେଁ ଏବଂ ତାହାରି ଅପୂର୍ଣ୍ଣତା ସେମାନଙ୍କର ଆଲୋଚନାର ବିଷୟ ହୋଇଛି, ଏହା ଭାବି ଉମାର ଅନ୍ତର ଭିତରଟା ଆର୍ତ୍ତନାଦରେ ହାହାକାର କରି ଉଠିଲା । ଝାଳେଇଗଲା ଉମା । ହଠାତ୍‌ ସର୍ବାଙ୍ଗ କାହିଁକି ଝାଳେଇଗଲା ସେ ବୁଝିପାରିଲା ନାହିଁ । ମୁହଁଟାକୁ ପଣତକାନିରେ ପୋଛିବାକୁ ଯାଇ ରହିଗଲା, ହାତ ଚଳିଲା ନାହିଁ । କପାଳର ଝାଳ ଗାଲ ଉପରଦେଇ ଗଡ଼ିପଡ଼ିଲା ଭୂଇଁ ଉପରେ ।

 

ରମା ଏବଂ ତା’ର ସାଙ୍ଗମାନେ ହଇହଲ୍ଲା କରି ସଦରଦରଜା ଦେଇ ଚାଲିଗଲେ । ରମା ବି ସେମାନଙ୍କ ସହିତ ବୋଧେ ଚାଲିଗଲା । ହଠାତ୍‌ ନୀରବ ନିଶ୍ଚଳ ହୋଇଗଲା ଜାଗାଟା । ବାପା ବାହାରକୁ ଯାଇଛନ୍ତି । ମା’ ଶୋଇଥିବେ ଭିତର ଘରେ । ଉମା ଏକୁଟିଆ ରହିଗଲା । ତାର ମନେ ହେଲା ଯେଏହି ବିରାଟ ପୃଥିବୀରେ ସେ ଏକା, ଅତି ଏକା । ଏତେ ବଡ଼ ଉପଗ୍ରହଟା ନିଶୂନ ଏବଂ ନିର୍ଜୀବ ହୋଇଗଲା ବୋଲି ସେ ଅବାକ୍‌ ହେଲା; କିନ୍ତୁ ଏହି ନୀରବ ନିଶ୍ଚଳ ନିର୍ଜନ ଅବସ୍ଥାଟି ତାକୁ ଭଲ ଲାଗିଲା । ଟିକେ ଆଶ୍ୱସ୍ତ ହେଲା ସେ ।

 

କେତେ ସମୟ ବସିରହିଲା ନୀରବରେ, ସେ ବି ମନେ ରଖି ପାରିଲାନାହିଁ । କ୍ରମଶଃ ଆଖିପତା ଓଜନିଆ ମନେହେଲା ଏବଂ ସେ କାନ୍ଥରେ ଆଉଜି ଶୋଇପଡ଼ିଲା ।

 

ଡାକପିଅନ କଡ଼ା ନାଡ଼ିଲା । ଚାକରପିଲାଟା ଶୋଇଥିଲା ବୋଧେ । ବାରମ୍ୱାର ଠକ ଠକ ଶବ୍ଦ କାନରେ ବାଜିବାରୁ ନିଦ ଭାଙ୍ଗିଗଲା । ସେ ଅନିଚ୍ଛା ସତ୍ତ୍ୱେ ଉଠି ବସି ଦରଜା ପାଖକୁ ଯାଇ ଦରଜା ଖୋଲିଲା ଏବଂ ଚିଠି ଆଣିଲା । ଦୁଇଟା ଚିଠି, ଗୋଟେ ରମାର ଏବଂ ଆଉ ଗୋଟେ ବାପାଙ୍କର । ରମାର ଚିଠି ଉପରେ କଲିକତାର ମୋହର ବସିଥିଲା । କଲିକତାରୁ ସ୍ୱାମୀକୁ ଛାଡ଼ି ବାପଘରକୁ ଆସିବାର ପାଞ୍ଚଦିନ ହୋଇନାହିଁ । ଏ ଭିତରେ ମହେଶଙ୍କ ଚିଠି ଆସିଗଲା । ରମାକୁ ସେ ଖୁବ୍‌ ଖୋଜୁଥିବେ ନିଶ୍ଚୟ, ତାକୁ ଏଠାକୁ ପଠାଇଦେଇ ସେ ଶୂନ୍ୟ ଅନୁଭବ କରୁଥିବେ । ତାଙ୍କ ସଂସାରକୁ ରମା ପୂର୍ଣ୍ଣ କରିଦେଇଛି ବୋଲି ତା’ରି ଅଭାବଟା ଏଡ଼େ ଶୂନ୍ୟ ମନେ ହେଉଛି । ମଣିଷ ପୂର୍ଣ୍ଣ ହେବାପାଇଁ ଆଉ ଜଣେ ମଣିଷକୁ ଲୋଡ଼େ । ଏଥିପାଇଁ ଜଣକ ପାଖରେ ଆଉ ଜଣକର ପ୍ରୟୋଜନ ବେଶି ଅନୁଭୂତ ହୁଏ । ପରସ୍ପର ପାଖରେ ମଣିଷର ଏହି ପ୍ରୟୋଜନ ତାକୁ ଚଞ୍ଚଳ କରେ । ସେ କର୍ମବ୍ୟସ୍ତ ହୋଇ ଦିଶେ ସୁନ୍ଦର । ଅନ୍ୟ ପାଖରେ ନିଜର ପ୍ରୟେ ଜନୀୟତା ତାକୁ କରେ ଲୋଭନୀୟ ଏବଂ ଆକର୍ଷଣୀୟ ।

 

ଉମାକୁ କେହି କେବେ ଚିଠି ଲେଖିନାହାନ୍ତି । କାହାରି ପ୍ରୟୋଜନ ହୁଏନାହିଁ । ତାର ବି ଆବଶ୍ୟକ ହୁଏନି । ଯେଉଁମାନେ ଜଣାଶୁଣା, ସେମାନଙ୍କୁ ନିତି ଦେଖେ ନିଜ ଚାରିପାଖରେ । ଯେଉଁମାନଙ୍କୁ ପ୍ରତିଦିନ ଦେଖୁଥିବାର ସୁବିଧା ନାହିଁ, ସେମାନେ ହଜିଯାଆନ୍ତି ତା’ ଦୃଷ୍ଟିରୁ । ଉମା ନିଜକୁ ବି ହଜାଇଦିଏ ନିଜ ପାଖରେ । ଏଇ ହଜିଯିବାଟା ତା’ ପକ୍ଷରେ ଖୁବ୍‌ ସ୍ୱସ୍ତି, ଖୁବ୍‌ ସୁଖକର ମନେହୁଏ ତାକୁ ।

 

ପୃଥିବୀର ମଳିନତା କମ୍‌ ନୁହେଁ । ଏତେ ସୌନ୍ଦର୍ଯ୍ୟ ଭିତରେ କଅଣ କମ୍‌ କଦର୍ଯ୍ୟ ଅଛି ଏଠାରେ । ରାଶି ରାଶି ଆବର୍ଜନା ଭିତରୁ ମଥାଟେକି ଗୋଟେ-ଦୁଇଟା ନାମହୀନ ଗଛରେ ଫୁଲ ଫୁଟିଲେ, ଫଳ ଧରିଲେ ହଠାତ୍‌ ସମସ୍ତ ପରିବେଶ ଶୋଭାରେ ଚମକି ଉଠେ । ପୃଥିବୀର ନିଦ୍ରାଭଙ୍ଗ ହୁଏ ଯେପରି । ଏତେଦିନ ଧରି ପଡ଼ୁଥିବା ସୂର୍ଯ୍ୟକିରଣ ଆଖିରେ ପଡ଼ୁନଥିଲେ ବି ଆଜି ହଠାତ୍‌ ସୂର୍ଯ୍ୟରଶ୍ମିର ଅପର୍ଯ୍ୟାପ୍ତ ଆଲୋକ ସେହି ଅରମା, ଅଜଣା ଜାଗାଟି ସହିତ ଦେଖିବା ଲୋକର ଦେହ ଓ ମନକୁ ଉଦ୍ଭାସିତ କରି ଦେଇଯାଏ ।

 

ଉମା କେଜାଣି କାହିଁକି ମନକୁ ମନ ଗୁଣୁଗୁଣୁ ହେଲା । ଚିଠି ଦୁଇଟାକୁ ଏପାଖ ସେପାଖ କରି ଦେଖିଲା ଏବଂ ଯଥାସ୍ଥାନରେ ରଖିଦେଇ କୋଠରିର ଦରଜା ବନ୍ଦକରି କାନ୍ଥରେ ଟଙ୍ଗା ହୋଇଥିବା ଦର୍ପଣ ଆଗରେ ଛିଡ଼ା ହୋଇପଡ଼ିଲା; କିନ୍ତୁ ସାହସ ହେଲାନାହିଁ ମୁହଁଟିକୁ ଅନାଇବା ପାଇଁ କେଉ ମୁହୂର୍ତ୍ତ ଏକଲୟ ଅଥଚ ଶୂନ୍ୟଦୃଷ୍ଟିରେ ଚାହିଁରହିବା ପରେ ସେ ନିଜ ହାତ ଦୁଇଟିକୁ ଦେଖିଲା, ନଖଗୁଡ଼ାକୁ ଏପାଖ ସେପାଖ କରି ନିରେଖିଲା ଏବଂ ପାପୁଲିର ପରଶ ନରମ କି କଠିନ ପରଖିନେବାପାଇଁ ନିଜ ଗାଲରେ ଛୁଆଁଇଲା । ସେତିକିବେଳେ ତା’ ଆଖିଯୋଡ଼ିକୁ ସେ ଅନୁଭବ କଲା । ସେଇ ଆଖିଯୋଡ଼ିକ ଅନ୍ୟମାନଙ୍କର ଆଖିଠାରୁ ସ୍ୱତନ୍ତ୍ର ବୋଲି ଶୁଭଦତ୍ତ ଦେଇଥିବା ମନ୍ତବ୍ୟ ତାର ମନେପଡ଼ିଲା ଏବଂ ସେ ଦୁରୁ ଦୁରୁ ଛାତିରେ ଗୁରୁ ଗୁରୁ ମନରେ ଦର୍ପଣ ଆଗରେ ଛିଡ଼ାହୋଇ ନିଜର ଦୁଇଟି ଆଖିକୁ ବାରମ୍ବାର ଦେଖିଲା । ଶୁଭଦତ୍ତର ବର୍ଣ୍ଣନାଠାରୁ ଆଖିଯୋଡ଼ିକ ଆହୁରି ସୁନ୍ଦର ଦିଶିଲେ ତାକୁ । ଆଖିର ସୂକ୍ଷ୍ମ କଟାକ୍ଷ, ଡୋଳାର ଉଜ୍ଜ୍ୱଳତା ସବୁର ସ୍ୱତନ୍ତ୍ରତା ଥିବାର ଲକ୍ଷ୍ୟକଲା ସେ । ଶୁଭଦତ୍ତ ପରି ଏହି ସତ୍ୟଟିକି ଆବିଷ୍କାର କରିବାରେ ଅନ୍ୟମାନଙ୍କର ଅସାମର୍ଥ୍ୟ ତା’ ଆଗରେ ପରିଷ୍କାର ଭାବରେ ଧରାଦେଲା ଏବଂ ସେ ମନେକଲା ଯେ ଏହି ପୃଥିବୀରେ ଏତେ ଲୋକଥିବା ସତ୍ତ୍ୱେ କେବଳ ଶୁଭଦତ୍ତ ହିଁ ତାର ପ୍ରକୃତ ଗୁଣଗ୍ରାହୀ, ସେହି ଏକା ତାର ସଚ୍ଚୋଟ ଶୁଭାକାଂକ୍ଷୀ । ସେ ଏକା ସୁପୁରୁଷ ।

 

ଶୁଭଦତ୍ତ ସହିତ ଆଉ ସାକ୍ଷାତ୍‌ ହୋଇନାହିଁ । ସେ ରମାର ସ୍ୱାମୀ ସାଙ୍ଗରେ ଆସିଥିଲା ବୁଲିବା ପାଇଁ ତାଙ୍କ ଘରକୁ । କୋଉ କଲେଜରେ ଅଧ୍ୟାପନା କରେ ବୋଲି କହୁଥିଲା ଶୁଭଦତ୍ତ । ସେହି କଲେଜରେ ନାମଟା କିନ୍ତୁ ତାର ମନେପଡ଼ିଲା ନାହିଁ । ତଥାପି ଶୁଭଦତ୍ତ ଯେ ଉଚ୍ଚଶିକ୍ଷିତ ଏବଂ ସଫଳ-ମଣିଷ ଏହା ତା’ ଆଖି ଆଗରେ ଅଗ୍ନିଶିଖା ପରି ପ୍ରଜ୍ଜ୍ୱଳିତ ହୋଇଉଠିଲା । ଶୁଭଦତ୍ତର ବ୍ୟକ୍ତିତ୍ୱର ଆଲୋକ ତାକୁ ମଧ୍ୟ ଆଲୋକିତ କଲା । ତାର ଉତ୍ତାପ ତାକୁ ମଧ୍ୟ ସଂକ୍ରମିତ କଲା ।

 

ଉମାର ମନରେ ପ୍ରଥମଥର ପାଇଁ ଗୋଟିଏ ଆକାଂକ୍ଷା ଜାତହେଲା । ସର୍ବାଙ୍ଗରେ ଏକ ଅନନୁଭୂତ ଶିହରଣ ଖେଳିଗଲା । ସେ ହଠାତ୍‌ ନିଜ ଦେହର ସୁବାସରେ ମହକିଉଠି ଝରକାଦେଇ ବାହାରକୁ ଚାହିଁଲା । ବଗିଚାରେ କେତେ ସପ୍ତାହ ପୂର୍ବରୁ ଲଗାଇଥିବା ରଜନୀଗନ୍ଧା ଗଛରେ ପ୍ରଥମଫୁଲ ସେତେବେଳକୁ ଦୋହଲୁଥିଲା ପବନରେ । ମୁଗ୍‌ଧ ହୋଇଗଲା ଉମା । ସେ ଅନେକ ଯତ୍ନକରି ରଜନୀଗନ୍ଧା ଗଛକୁ ଲଗାଇଥିଲା ବଗିଚାରେ । ସେହି ଗଛରେ ଏତେ ଶୀଘ୍ର ଫୁଲଫୁଟି ତାକୁ ଚମକାଇଦବ ଏହା ଆଦୌ ଭାବିନଥିଲା ସେତେବେଳେ ।

 

ରମା ଥାଆନ୍ତା କି ପାଖରେ । ତା ଜୁଡ଼ାରେ କେରାଏ ରଜନୀଗନ୍ଧା ଖୋଷିଦେଇ ସେ ତାକୁ ଆହୁରି ସୁନ୍ଦରୀ କରିଦିଅନ୍ତା । ରମାକୁ ସଜାଇବା ପାଇଁ ଖୁବ୍‌ ମନହୁଏ ତାର । ତା’ ପାଇଁ ଭଲ ଶାଢ଼ିଟିଏ ବାପା ଆଣିଲେ ବି ରମାକୁ ଆଗ ନ ପିନ୍ଧାଇ ସେ ପିନ୍ଧିପାରେ ନାହିଁ । ରମାକୁ ଦେଖି ସେ ନିଜକୁ ଦେଖେ ଯେପରି । ରମା ପାଖରେ ନଥିଲା ବୋଲି ଟିକିଏ କ୍ଷୋଭହେଲା ମନରେ ।

 

ଉମା ଘର ଭିତରୁ ବାହାରିଆସି ବଗିଚାରେ ବୁଲିବାକୁ ଲାଗିଲା । ଚାରିଆଡ଼େ ହସର ଢେଉ ଖେଳୁଥିଲା ଯେପରି । ତାକୁ ଖୁବ୍‌ ଭଲ ଲାଗିଲା । ଯୌବନର ପ୍ରଥମ ଇଚ୍ଛାକୁ ପୂର୍ଣ୍ଣ କରିବାପାଇଁ କେରାଏ ରଜନୀଗନ୍ଧା ତୋଳି ନେଇ ସେ ନିଜ ଜୁଡ଼ାରେ ଖୋଷିଦେଲା ସମସ୍ତଙ୍କ ଅଲକ୍ଷ୍ୟରେ । ସେହି ମୁହୂର୍ତ୍ତରେ ମନଭିତରେ କିଏ ଯେପରି ସ୍ୱଗତୋକ୍ତି କଲାଶୁଭଦତ୍ତ ଥାଆନ୍ତା କି ପାଖରେ ।

 

ରମାର ଚିଠି ଆସିଥିବା କଥାଟା ମନେପଡ଼ିଲା । ପାଞ୍ଚଦିନ ପୂରି ନାହିଁ ଆସିବାର । ଏ ଭିତରେ ଏତେ କଅଣ ଘଟି ଥାଇପାରେ ଯେ ଏଡ଼େ ଓଜନିଆ ଚିଠିଟା ଲେଖିଛନ୍ତି ମହେଶ । ଉମା ଭାବିବାକୁ ଯାଇ ଅଟକିଗଲା । ସେଇ ଚିଠିଟି ଖୋଲି ପଢ଼ିବାପାଇଁ ଇଚ୍ଛାହେଲା । କଅଣ ବୋଲି ସମ୍ୱୋଧନ କରିଥିବେ ରମାକୁ ? ଏତେ କଅଣ ଲେଖିଥିବେ ସେ ତା’ ପାଖକୁ ? କିନ୍ତୁ କାଳେ ଯଦି ରମା ଜାଣିନିଏ, ଅମଣ ଭାବିବ ବୋଲି ଚିଠି ଖୋଲିବାପାଇଁ ସାହାସ କଲାନାହିଁ ।

 

ସେ କାହାରି ଚିଠି ପାଏନାହିଁ । ତାକୁ କେହି କେବେ ଚିଠି ଲେଖନ୍ତି ନାହିଁ । ରମାର ଚିଠିରେ ବା ବାପାଙ୍କ ଚିଠିରେ ମହେଶ ତା’ ସମ୍ପର୍କରେ ଲେଖନ୍ତି ବୋଲି ରମା କହେ, ବାପା କି କହନ୍ତି; କିନ୍ତୁ କାହିଁ, ଦିନେହେଲେ ସ୍ୱତନ୍ତ୍ର ଭାବରେ ସେ ତ ଲେଖିଲେ ନାହିଁ ଗୋଟିଏ ଚିଠି ? ଶୁଭଦତ୍ତଟା ଖୁବ୍‌ ଲାଜୁଆ । ଖାଲି ଆଖିଯୋଡ଼ିକୁ ନଦେଖି ଯଦି ତାର ଅନ୍ତର ଭିତରଟାକୁ ଦେଖିପାରିଥାନ୍ତା, ନିଶ୍ଚୟ କବିହୋଇ କବିତା ଗୋଟେ ଲେଖିପକେଇ ପଠେଇ ଦେଇଥାନ୍ତା ଚିଠି ଭିତରେ । ପୁରୁଷର ମାଇଚିଆପଣିଆ ଦେଖିଲେ ଦେହ ଜଳିଯାଏ ଉମାର । ବୀରତ୍ୱ କେବଳ ଇତିହାସର କଥାରେ ରହିନଯାଇ ପୌରୁଷରେ ପ୍ରତିଫଳିତ ହେବା ଆବଶ୍ୟକ, ତାହାହେଲେ ପୁରୁଷ ଆହୁରି ସୁନ୍ଦର, ଶୁଭଦତ୍ତ ଆହୁରି ଚମତ୍କାର ଦିଶିବ ।

 

ରମା ସେତେବେଳକୁ ଫେରିଆସିଲା । ଚିଠିଟାକୁ ତା’ ହାତକୁ ବଢ଼ାଇ ଦେବାପାଇଁ ତରତର ହୋଇ ଚାଲିଗଲା । ରମା ଚିଠିଟାକୁ ରଙ୍କୁଣୀ ପରି ଛଡ଼ାଇନବାବେଳେ ତା’ ମୁହଁ ଉପରେ ଲଜ୍ଜାର ପାଟଳିମା ଚହଟି ଉଠିବାର ସ୍ପଷ୍ଟ ଦେଖିପାରିଲା । ସେ ସ୍ୱାମୀର ଚିଠିଟା ପାଇବାରେ ଲଜ୍ଜା କ’ଣ ଥାଇପାରେ ବୋଲି ମନକୁ ମନ ପ୍ରଶ୍ନ କଲା ? ରମା ଚିଠିଟାକୁ ଏକାକୀ ନିରୋଳାରେ ପଢ଼ିବା ପାଇଁ କୋଠରି ଭିତରକୁ ଯାଇ କବାଟ କିଳିଦେଲା । ସେ ଯେତେ ଡାକିଲେ ବି କବାଟ ଖୋଲିଲାନାହିଁ । ଅନେକ ସମୟ ଅପେକ୍ଷା କଲା ଉମା । ଏତେ ସମୟ ଧରି ରମା ସେଇଚିଠିଟା ପଢ଼ୁଥିବାରୁ ସେ ସତରେ ଆବାକ୍‌ ହୋଇଗଲା ।

 

ସେ କବାଟଖୋଲି ବାହାରକୁ ଆସିବାବେଳକୁ ତା ମୁହଁଟା ଠିକ୍‌ ଫୁଟିଲା ରଜନୀଗନ୍ଧା ପରି ଦିଶୁଥିଲା । ଉମା ତା’ ନିଜ ଖୋଷାରୁ ରଜନୀଗନ୍ଧାର କେରାଏ ଫୁଲି ଉଠେଇନେଇ ରମାର ଜୁଡ଼ାରେ ଖୋଷିଦେଲା । ମାତ୍ର ଦୁଇମାସ ହବ ରମା ବାହାହୋଇଥିଲା । ଏ ଭିତରେ ସେ ଅନେକ ବଦଳିଯାଇଥିବାର ଲକ୍ଷ୍ୟ କଲା ଉମା । ଆଗରୁ ସଭିଙ୍କ ବିଷୟରେ କଥାକହିବା ପାଇଁ ତା’ ମୁହଁରେ ବାଟୁଳି ବାଜୁନଥିଲା । ଏବେ ସେ ଯେ ଅନ୍ୟମାନଙ୍କ ବିଷୟରେ କହୁନାହିଁ ତାହା ନୁହେଁ କିନ୍ତୁ କଥାଭାଷାରେ ଭାବଭଙ୍ଗୀରେ ମହେଶକୁ ପୃଥିବୀର ସର୍ବଶ୍ରେଷ୍ଠ ନାୟକ ଭାବରେ ଉପସ୍ଥାପିତ କରିବାକୁ ଚାହିଁଛି ସେ । ମହେଶ ଯେପରି କୋଟିଏ ମଧ୍ୟରେ ଗୋଟିଏ ପୁରୁଷ, ଆଉ ସମସ୍ତେ ଭୀରୁ, କାପୁରୁଷ ଏବଂ ନପୁଂସକ ।

 

ଅଥଚ ଶୁଭଦତ୍ତ କୌଣସି ଗୁଣରେ କମ୍‌ ନୁହେଁ । ବରଂ ମହେଶଠାରୁ ଦେଖିବାକୁ ବେଶି ସୁନ୍ଦର । ମହେଶଙ୍କ ଦେହରେ ମେଦ ସୁସ୍ପଷ୍ଟ ଯାହାକି ଶୁଭଦତ୍ତ ପାଖରେ ବିରଳ । ଖେଳାଳୀର ଦେହ ବେଶ୍‌ ଉତ୍‌ଫୁଲ୍ଲ ଏବଂ ଚିକ୍‌କଣ । ଶୁଭଦତ୍ତ ଆଉଥରେ ଆସନ୍ତେ କି ?

 

ରମା ସଜହୋଇ ପୁଣି ବାହାରିଲା ବୁଲିଯିବାପାଇଁ ।

 

ଉମାର ବି ମନହେଲା ତା’ ସାଙ୍ଗରେ ଯିବାପାଇଁ । ଲୁଗାବଦଳାଇ ସେ ଅପେକ୍ଷା କଲା ରମାକୁ । ରମା କିନ୍ତୁ ହଠାତ୍‌ ବାହାରିପଡ଼ି କହିଲା, ମା’ ଏକା ଅଛି, ପାଖରେ ଥା, ମୁଁ ଏଇନେ ଫେରିଆସିବି ଯେ.... ।

 

ବେଣୀ ଦୋହଲାଇ ସୁବାସଉଡ଼େଇ ଚାଲିଗଲା ରମା । ପଛରେ ଛିଡ଼ାହୋଇ ରହିଲା ଉମା ।

 

ରମା କାହା ଘରକୁ ଗଲା ବୋଲି ଜାଣିବା ପାଇଁ ଇଚ୍ଛାହେଲା । ସେ ଫାଟକ ପର୍ଯ୍ୟନ୍ତ ଯାଇ ଅନେଇଲା । ରମା ଜୀବନବାବୁଙ୍କ ଫାଟକ ଖୋଲି ଅଦୃଶ୍ୟ ହୋଇଯିବାର ଦେଖିଲା । ସହସା ମନଟା ଜଳିଉଠିଲା ଉମାର । ଜୀବନବାବୁଙ୍କ ସ୍ତ୍ରୀ ନଥିବା ଜାଣି ମଧ୍ୟ ନିଶ୍ଚୟ ତାଙ୍କର ସତୁରୀ ବର୍ଷର ବୁଢ଼ୀମାଆଙ୍କ ସାଙ୍ଗରେ ସନ୍ଧ୍ୟାଟା କଟାଇଦବା ପାଇଁ ରମା ଯାଇନାହିଁ ବୋଲି ସେ ନିଶ୍ଚିତ ହୋଇଗଲା । ରମା ବାହାହୋଇ ସ୍ୱାମୀଘରକୁ ଚାଲିଯିବା ଆଗରୁ ତାକୁ ଜୀବନବାବୁ କେତୋଟି କବିତା ଉପହାର ଦେଇଥିବାର ସେ ନିଜେ ଦେଖିଥିଲା, ସେତେବେଳେ ତାହା ସରଳ ମନେ ହୋଇଥିଲେ ବି ଆଜି ଯେପରି ତହିଁର ବିଶଦ ଅର୍ଥ ବୁଝିପାରିଲା ଉମା ।

 

ରମା ଯେ ଭଲକାମ କରୁନାହିଁ, ଏହା ବାରମ୍ବାର ଯୁକ୍ତିକଲା ମନରେ । ବଡ଼ଭଉଣୀ ଭାବରେ ତାକୁ ଜୀବନବାବୁଙ୍କ ଘରକୁ ଯିବାରୁ ସେ କାହିଁକି ନିବୃତ୍ତ କଲା ନାହିଁ ବୋଲି ଧିକ୍‌କାରିଲା ନିଜକୁ । ତା’ ପରେ ଆଉ ସମ୍ଭାଳି ନ ପାରି ସେ ବି ଧୀରେ ଧୀରେ ଚାଲିଲା ତାଙ୍କ ଘରଆଡ଼କୁ ।

 

ଜୀବନବାବୁଙ୍କ ଫାଟକ ପାଖରେ ଅନ୍ଧାର ଠୁଳ ହୋଇଥିଲା ସେତେବେଳକୁ । କୋଠରି ଭିତରକୁ ଆଲୁଅ ଛିଟିକିପଡ଼ିଥିଲା ବାହାରେ । ଅନେକ ସମୟ ଏକାକୀ ଛିଡ଼ାହୋଇ ରହିଲା ଫାଟକ ପାଖରେ । ଝରକାର ଫର୍ଦ୍ଦାଟା ଚହଲିଗଲା ଟିକେ । ସେଇ ସମ୍ୟକ୍‌ ଆଲୋକରେ ରମାର ମୁହଁ ପାଖରେ ଜୀବନବାବୁଙ୍କ ମୁହଁଟା ଲାଗିଯାଉଥିବାର ଦେଖି ସେ ଚିତ୍କାରକରି ଉଠିଲା ।

 

ତା’ ପରେ ଆଉ ତାର କିଛି ମନେ ପଡ଼ିଲାନାହିଁ । ତାର ଚେତନାହୀନ ଦେହଟାକୁ ବିଛଣା ଉପରେ ଲୋଟାଇଦେଇ ଆଖିରେ ମୁହଁରେ ପାଣି ଦେଇ ପଙ୍ଖା କଲାପରେ ସେ ଚେତା ଫେରିପାଇଲା ସିନା; କିନ୍ତୁ ତା’ ମୁହଁରୁ କୌଣସି ଶବ୍ଦ ବାହାରିଲା ନାହିଁ । ଯେପରି ସେ ସ୍ତବ୍‌ଧ ହୋଇଯାଇଥିଲା ରମାକୁ ପାଖରେ ନଦେଖି ସେ ବୋଧେ ଖୋଜିଲା ତାକୁ ।

 

ଏତିକିବେଳେ ବାପା ଫେରିଆସି ମାଆକୁ ଶୁଣେଇ ଶୁଣେଇ କହୁଥିବାର ଶୁଣିଲା ଯେ, ତାକୁ ବାହା ହବା ପାଇଁ ରାଜିହୋଇଚି ଶୁଭଦତ୍ତ ।

 

ହସି ନପାରି କଇଁକଇଁ ହୋଇ କାନ୍ଦି ପକାଇଲା ଉମା । ସମଗ୍ର ପୃଥିବୀରେ ଶୁଭଦତ୍ତ କେବଳ ଜଣେ ପୁରୁଷ, ଜଣେ ନାୟକ ବୋଲି ମନକୁ ମନ ଯୁକ୍ତି କରୁଥିଲା ସେ । ତା’ର ଆଖିଯୋଡ଼ିକ ସତରେ ତା’ହେଲେ ଏତେ ସୁନ୍ଦର, ଏତେ ଲୋଭନୀୟ ! !

☆☆☆

 

Unknown

ପାପ ପୁଣ୍ୟ

 

ସ୍ୱାମୀ ଚାଲିଗଲା ପରେ ସବୁ ଶୂନ୍ୟ ଦିଶିଲା ଚେତନାକୁ । ଅପ୍ରତ୍ୟାଶିତ ଥିଲା ତାଙ୍କର ଚାଲିଯିବା । ରୋଗ ବିରାଗ କିଛି ନାହିଁ । କାମିକା ଲୋକଟି ହଠାତ୍‌ ଘରକୁ ଫେରି ଠୋ’କିନା ମରିଗଲେ । ଏଇ ଦାରୁଣ ଆଘାତ ମୂକକରି ଦେଇଗଲା ଚେତନାକୁ । ମୁଁହରେ ଭାଷା ନଥିଲା, ଛାତି ତଳେ ସରିଯାଇଥିଲା କୋହ । ତାକୁ କାନ୍ଦିବା ପାଇଁ ମିନତି କରି ବି ସାଙ୍ଗମାନେ ତା’ ଆଖିରୁ ଲୁହ ଝରାଇ ପାରିଲେ ନାହିଁ । ସେ ସ୍ତବ୍‌ଧ ହୋଇ ଯାଇଥିଲା । ଜମାଟବନ୍ଧା ଦୁଃଖର ବରଫ ତରଳି ନପାରି ଛାତି ଉପରେ ହିମାଳୟ ପର୍ବତପରି ମାଡ଼ିବସିଥିଲା । ସେଇ ଓଜନର ଚାପରେ ଚେତନା ନଇଁପଡ଼ିଲା ସିନା; କିନ୍ତୁ ସଂଗ୍ରାମୀ ମନଟା ତାକୁ ଭାଙ୍ଗି ଦେଲା ନାହିଁ ।

 

ହୁଏତ ସେ ବି ଯଦି ମରିଯାଇଥାଆନ୍ତା, ତା’ହେଲେ ଅନେକ ଦାୟିତ୍ୱରୁ ମୁକ୍ତି ପାଇଥାଆନ୍ତା; କିନ୍ତୁ ସେ ମଲାନାହିଁ କି ମରିପାରିଲା ନାହିଁ । ଜଳି ବି ପାରିଲା ନାହିଁ, କେବଳ କୁହୁଳିବା ପାଇଁ ରହିଗଲା । କୁହୁଳା ନିଆଁ ର ଧୁଆଁରେ ନିଶ୍ୱାସ ଅଟକିଯାଏ, ଦମ୍‌ ବନ୍ଦ ହୋଇ ଆସେ । ସବାତଳର ନିଆ ଟିକକ ଉପରକୁ ଲେଲିହାନ ଶିଖା ଟେକି ଉଠି ନପାରି ତିଳ ତିଳ କରି ଖାଏ, ଉପରେ ଜାଣିହୁଏ ନାହିଁ ।

 

ଚେତନାର ଅନ୍ତର ଭିତରଟା ଜଳିପୋଡ଼ି ଯାଉଥିବାବେଳେ ସେ ସେଇ ନିଆଁର ଝାସକୁ ଅଙ୍ଗରେ ବହନ କରି ଦାଣ୍ଡରେ ଚାଲିଲା ଅଣ୍ଟାରେ ପଣତ ଭିଡ଼ି । ଭିତରର ସବୁ କୋହ, ସବୁ ମୋହକୁ ଚାପିରଖି ସେ କେବଳ ପ୍ରକାଶିତ ହେଲା ଅନ୍ୟ ରୂପରେ । ପୁଅଟାକୁ କୋଳରେ ଛାଡ଼ି ସ୍ୱାମୀ ଚାଲିଗଲେ ବୋଲି ମାଆ ହୋଇ ତ ସେ ଆଉ ତାକୁ ନଦୀରେ ଭସାଇ ଦିଅନ୍ତାନାହିଁ । ସୁଖର ସଂସାର ଭଳି ଦୁଃଖର ଦୁନିଆଟା ମୁହଁ ଚାହିଁ ବସିଥାଏ । ସାହସ କରି ଦ ଲଢ଼ିଲେ ଦୁଃଖର ଦୁନିଆରେ ପୋଡ଼ିଯିବା ହିଁ ସାର ହୁଏ, ମଥା ଟେକି ଚାଲି ହୁଏନାହିଁ ।

 

ସ୍ୱାମୀଙ୍କର ଶବକୁ ମାଲଭାଇମାନେ ଘରୁ କାଢ଼ି ନେବାବେଳେ ପୁଅକୁ ଜାବୁଡ଼ି ଧରି ତାହାରି ଦେହରେ, ଗାଲରେ, ହାତରେ ଏବଂ ଗୋଡ଼ରେ ମୁହଁ ଘଷି ମଥାରେ ସିନ୍ଦୂର ନିଭାଇଦବାବେଳେ, ସେ ଅନ୍ତରର ଅନ୍ତରତମ ପ୍ରଦେଶରେ ପରମ ଆକୁଳତାରେ କହି ଉଠିଥିଲା, ତୁମର ଆଶାକୁ ମୁଁ ତାହାରି ଭିତରେ ସାକାର କରିବି, ତାକୁ ଦେଖି ତୁମକୁ ମନେ ପକେଇବି । ତାହାରି ଭିତରେ ତୁମେ ବଞ୍ଚିରୁହ । ତୁମରି ଇଚ୍ଛା ପୂର୍ଣ୍ଣ କରିବାପାଇଁ ମୋତେ ବଞ୍ଚିବାକୁ ଦିଅ ।

 

ବଞ୍ଚିବାକୁ ହୁଏ ବୋଲି ମଣିଷ ସହଜରେ ମରିପାରେ ନାହିଁ । ଏହି ପୃଥିବୀର ଆକର୍ଷଣ କମ୍‌ ନୁହେଁ । ଜୀବନର ଆହ୍ୱାନ ଅସୀମ ।

 

ଛୋଟ ଚାକରଟିଏ କରୁଥିଲେ ନିବାରଣ । ତାହା ଥିଲା ପରିବାର ପ୍ରତିପୋଷଣ କରିବାର ଏକମାତ୍ର ସମ୍ବଳ । ସେ ଚାଲିଗଲା ପରେ ସେତକ ଚାଲିଗଲା । ଅନ୍ଧାର ଦିଶିଲା ଚେତନାକୁ । ସଂଚୟ ସେପରି ନଥିଲା ଯେ ବସି ବସି ଚଳିଯିବ । ପାରିବାରିକ ପୈତୃକ ସମ୍ପତ୍ତି କିଛି ନଥିଲା ସାହାଯ୍ୟ କରିବାପାଇଁ । ଏଭଳି ପରିସ୍ଥିତିରେ ସଂସାର ଚଳାଇବାର ସମର୍ଥ ଦବାପାଇଁ ଯେଉଁ ଆତ୍ମବିଶ୍ୱାସର ପ୍ରୟୋଜନ ହୁଏ, ତାହା ସଂଗ୍ରହ କରିବାପାଇଁ ସେ ପ୍ରାର୍ଥନା କଲା ଈଶ୍ୱରଙ୍କ ପାଖରେ । ସେ ଏକା ନୁହେଁ; ଆଉ ଜଣେ ଅଛି । ପୁଅର ପ୍ରୟୋଜନ ତା’ଠାରୁ ଆହୁରି ବେଶି । ତାକୁ ମଣିଷ କରିବାର ପଣ କରି ଦାଣ୍ଡକୁ ପାଦ ବଢ଼ାଇଲା ଚେତନା । ଯେପରି ହେଉ କିଛିଗୋଟେ କରିବାକୁ ହେବ । ସ୍ୱାମୀ କେତେଥର ସ୍ୱପ୍ନମଖା କଥାଗୁଡ଼ାକ କହିବା ବେଳେ କହୁଥିଲେ, ତୁମପରି ବା ମୋ’ପରି ହତଭାଗ୍ୟ ନ ହୋଇ ଭାଗ୍ୟବାନ୍‌ ହେବ ସେ । ଭଲ ସ୍କୁଲରେ ପାଠପଢ଼ି ଭଲ ଚାକିରି କରିବ । ତୁମ ମୋ ପରି ପାଦରେ ନଚାଲି ମୋଟରଗାଡ଼ି ଚଢ଼ିବ ।

 

ସେଇ କଥାଗୁଡ଼ା ଏକ ମନୋରମ ଅନାଗତର କଥା । ସ୍ୱାମୀଙ୍କର ସ୍ୱପ୍ନ ଯଦି ସତ୍ୟ ହୁଏ-। ଚେତନା ପୁଅକୁ କୋଳ ଉପରକୁ ଟେକିନେଇ କୁହେଁ, ତୁ ଭଲ ଭାବରେ ପାଠପଢ଼ି ବଡ଼ ହୋ ବାପା, ସାଇକଲ୍‌ ନୁହଁ, ରିକସା ନୁହଁ, ମୋଟର ଚଢ଼ିବୁ । ମଧୁବାରିଷ୍ଟର ପରି ହବୁ । ମା’ କୋଳରୁ ଡେଇଁପଡ଼ି ସାଙ୍ଗମାନଙ୍କ ସହିତ ଖେଳିବା ପାଇଁ ଦଉଡ଼ି ପଳାଏ ସେ ।

 

ସମୟଟା ବି ଦୌଡ଼େ । ସମୟର ଆବଶ୍ୟକତାକୁ ପୂରଣ କରିବାପାଇଁ ପାରୁପର୍ଯ୍ୟନ୍ତ ଚେତନା ବି ଦୌଡ଼େ ।

 

ଅନେକ କଷ୍ଟରେ ଯୋଗାଡ଼ କରିଥିଲା ଡାକ୍ତରଖାନାରେ ଧାଈ କାମ । ମନକୁ ବେଶ୍‌ ପାଏ । ହସ ଖୁସି ମଧ୍ୟରେ କାମ କରିଯାଏ ଚେତନା । ପୁଆତି କୋଳରୁ ପୁଅକୁ ନେଇ ଶୁଆଇ ଦବା ଠାରୁ, ବିଛଣା ଚଦର ବଦଳାଇବା ପର୍ଯ୍ୟନ୍ତ ନାନାଦି କାମ କରିଯାଏ । ଗର୍ଭ-ଯନ୍ତ୍ରଣା ଭୋଗୁଥିବା ନାରୀ ପାଖରେ ଛିଡ଼ା ହୋଇ ପେଟ ପିଠି ଆଉଁସିଦିଏ, ସାହସ ଦିଏ । ଆଠ ଘଣ୍ଟାର ଡିଉଟି ସରିଯାଇ କେତେବେଳେ ଦଶ ଘଣ୍ଟା ହୋଇଯାଏ । ସେ ଜାଣିପାରେ ନାହିଁ । ସେତକ କାମସାରି ସେ ଯଦି ଚାଲିଯାଇ ପାରୁଥାଆନ୍ତା, ତା’ହେଲେ ଅସୁବିଧା ନଥିଲା । ଯେଉଁ ରୋଗୀମାନଙ୍କର ଆତ୍ମୀୟ ସ୍ୱଜନ କେହି ପାଖରେ ନଥାନ୍ତି, ସେମାନଙ୍କର ଫରମାସ ଖାଟିବାବେଳକୁ ଆହୁରି ଡେରି ହୋଇଯାଏ । କାହା ପାଇଁ ପାନ ଦୁଇଖଣ୍ଡ, ଆଉ କାହାପାଇଁ ଫଳ ଗୋଟେ ବା ସାବୁନ ଖଣ୍ଡେ ଆଣିଦବା ପାଇଁ ସେ ଆଗ୍ରହରେ ସହିତ ବାହାରିପଡ଼େ । ଏ ସବୁ ଶେଷକରି ଫେରୁ ଫେରୁ ରାତି ହୋଇଯାଏ । ସେତେବେଳକୁ ଶୋଇପଡ଼ିଥାଏ ପୁଅ । ଧୁଆଧୋଇ ସାରି ତାକୁ ଖୁଆଇ ପୁଣି ଶୁଆଇଦିଏ ଚେତନା । ତା’ପରେ ସମୟ ପାଏ ନିଜ କଥା ବୁଝିବା ପାଇଁ । ପୃଥିବୀର ଅନେକ କଥା ଭାବୁ ଭାବୁ ଅନାଗତର ଏକ ସ୍ୱର୍ଣ୍ଣାଭ ସ୍ୱପ୍ନ ଦେଖିବା ପାଇଁ ପୁଅକୁ କୋଳରେ ଜାକି ସ୍ୱାମୀ ସହିତ ଶୋଉଥିବା ସେଇ ପୁରୁଣା ଅଥଚ ପରିଚିତ ଖଟ ଉପରେ ଶୋଇପଡ଼େ ଚେତନା । ରାତି ଶେଷ ହୋଇ କେତେବେଳେ ସକାଳ ହୁଏ ଜାଣି ବି ପାରେନା ।

 

ନିଜ କଥା ଭାବିବା ପାଇଁ ବା ନିଜର ଯତ୍ନ ନବା ପାଇଁ ସମୟ ନଥାଏ ହାତରେ, ପ୍ରୟୋଜନ ବି ହୁଏନାହିଁ । ସେଦିନ କିନ୍ତୁ ଡାକ୍ତରବାବୁଙ୍କ କଥା ଶୁଣି ଚମକିପଡ଼ିଲା ଚେତନା । ତାକୁ ନିଜ କୋଠରିକୁ ଡାକିନେଇ କହିଲେ ସେ, ସବୁ କାମ ସରିଗଲା ଚେତନା ? ତା’ପରେ ତା’ ଉତ୍ତରକୁ ଅପେକ୍ଷା ନରଖି କହିଲେ, ଏତେ କାମ କର କାହିଁକି, ସମସ୍ତଙ୍କର ଏତେ ଫରମାସ ଖାଟିବାର ପ୍ରୟୋଜନ କଅଣ ? ତୁମ ନିଜ ପାଇଁ ଟିକେ ସମୟ ଦିଅ ।

 

ସେଦିନ ଚେତନା ସତରେ ଚମକି ପଡ଼ିଥିଲା । ଭାବୁନଥିବା ଦେହଟା ହଠାତ୍‌ ଦାବି ଜଣାଇଲା ଟିକେ ଯତ୍ନ ପାଇଁ । ଆତ୍ମସଚେତନ ହୋଇ ନିଜ ଦେହ ଉପରେ ଆଖି ବୁଲେଇ ନେଇଥିଲା । ଘରକୁ ଫେରି ଗାଧୋଇ ସାରି ମଥା କୁଣ୍ଡେଇବା ବେଳେ ଦର୍ପଣରେ ମୁହଁ ଦେଖି ଶିହରି ଉଠିଲା । ଯତ୍ନ ନ ପାଇ ବି ଏତେ ଲାବଣ୍ୟ କିପରି ଢେଉ ଭାଙ୍ଗେ ଦେହରେ ? କୋଉଠୁ ଆସେ ଏଇ ସୌନ୍ଦର୍ଯ୍ୟ ? ଅଲୋଡ଼ା, ଅଖୋଜା ଜୀବନରେ ଏତେ ରୂପ କିଏ ଭରିଦିଏ ଅଲକ୍ଷ୍ୟରେ-?

 

ଡାକ୍ତରବାବୁଙ୍କୁ ଶ୍ରଦ୍ଧା କରେ ଚେତନା । ବୟସ ହେଲେ ବି ଖୁବ୍‌ ପରିଶ୍ରମ କରନ୍ତି ବୋଲି ସମ୍ମାନ କରେ । ପରିଶ୍ରମ ହିଁ ପୁରୁଷର ଭୂଷଣ । ଯେତିକି କାମ ସେତିକି ବ୍ୟସ୍ତତା ଜୀବନରେ । ଏହା ନଥିଲେ ଜୀବନଟା ନୀରସ, ଶୁଷ୍କ ହୋଇଯାଆନ୍ତା । ଡାକ୍ତରବାବୁଙ୍କୁ ଦେଖି ସେ ଉତ୍ସାହ ପାଏ, ଆହୁରି ଚଞ୍ଚଳ କାମଗୁଡ଼ାକୁ ସାରି ଦେଇ, ଆଉ ନୂଆ କାମପାଇଁ ହାତ ବଢ଼ାଏ ।

 

ତାକୁ ପ୍ରାୟ ପ୍ରତିଦିନ ଡାକନ୍ତି ଡାକ୍ତରବାବୁ । ପ୍ରଶଂସା କରି କୁହନ୍ତି, ଖୁବ୍‌ ଭଲକାମ କରୁଛ ଚେତନା ! ସେଦିନ ତୁମେ ଯେ ଧାଈକାମ କରିପାରିବ ଏହା ମୋର ବିଶ୍ୱାସ ହଉନଥିଲା; କିନ୍ତୁ ମୋତେ ଚମକାଇ ଦେଇଛ ତୁମେ । ତୁମକୁ ଚାକିରିଟିଏ ଦେଇ ମୁଁ ଠକି ଯାଇନାହିଁ । ସମସ୍ତଙ୍କ ମେଳରେ ତୁମେ ବାରି ହୋଇପଡ଼ୁଛ ।

 

ମନଟା ଖୁସି ହୁଏ । କାମ କରିବାକୁ ଆହୁରି ଉତ୍ସାହ ପାଏ ଚେତନା । ସେ ବସି ଲଜ୍ଜିତ କଣ୍ଠରେ କୁହେ, ଆପଣ ଏତେ କାମ କରନ୍ତି, ଆମେ ସବୁ ବସି ରହିଲେ ଆପଣଙ୍କ ସୁନାମ ବଢ଼ନ୍ତା-? ଡାକ୍ତରବାବୁ ହସି ଦିଅନ୍ତି ତା’ କଥା ଶୁଣି ।

 

ରାତି ଡିଉଟି ପରେ ସେଦିଦ ସକାଳେ ଝଡ଼ବର୍ଷା ଯୋଗୁଁ ଘରକୁ ଯିବାପାଇଁ ଅନେକ ଡେରି ହୋଇଗଲା । ଡିଉଟି ପରେ ଅପେକ୍ଷା କରୁଥିଲା ବର୍ଷା କମିଲେ ଘରକୁ ଫେରିବା ପାଇଁ । ପିଲାଟା ଏକା ଏକା କଅଣ କରୁଥିବ କେଜାଣି । ଡର ଲାଗୁଥିଲା ଚେତନାକୁ । ଆକାଶର ବିଜୁଳି ଚମକିଲେ ତା’ ଅନ୍ତର ଭିତରଟା ବି ଚମକି ଉଠୁଥିଲା । ଯଦି ପଡ଼ୋଶୀ ଘରୁ କେହି ଆସି ପାଖରେ ବସି ନଥିବ, ସତରେ ଖୁବ୍‌ ଡରୁଥିବ ପିଲାଟା; କିନ୍ତୁ ପ୍ରତ୍ୟାଶାର ଏଗାର ବର୍ଷ ହେଲେ କଅଣ ହବ, ସାହସ ଅନେକ । ମନେ ମନେ ପ୍ରଭୁଙ୍କୁ ପ୍ରାର୍ଥନା କରେ ଚେତନା ।

 

ତାକୁ ବାରନ୍ଦାରେ ଅପେକ୍ଷା କରୁଥିବାର ଦେଖି, ଡାକ୍ତରବାବୁ କହିଲେ ଏ ଯାଏ ଯାଇନ-? ନଅଟା ବାଜିଲା, ଅଥଚ ଡିଉଟି ସାରିଚ ସେଇ ସାତଟାରେ ।

 

ଚେତନା କହିଲା, କାମ ସରିବାବେଳକୁ ଆଠଟା ବାଜିଗଲା । ତା’ପରେ ଏଇ ଝଡ଼ର୍ବଷା-। ପାଦ ଉଠେଇ ବାହାରକୁ ଯିବାର ଉପାୟ ନାହିଁ ସାର୍‌ !

 

ଗ୍ୟାରେଜ୍‌ ଭିତରୁ ଗାଡ଼ିଟି ବାହାର କରି ଡାକ୍ତରବାବୁ କହିଲେ, ଆସ, ଏଇ ଗାଡ଼ିରେ ବସିପଡ଼ । ତୁମ ଘର ଆଗରେ ଓହ୍ଲେଇ ଦେବି ।

 

କାନକୁ ବିଶ୍ୱାସ କରିପାରିଲା ନାହିଁ ସେ । ଡାକ୍ତରବାବୁ ତାକୁ କହିଲେ, ନା ଆଉ କାହାକୁ କହୁଥିଲେ, ସେ ବୁଝିନପାରି ଏଣେତେଣେ ଚାହିଁଲା । ଡାକ୍ତର ବାବୁ କହିଲେ, ଆଉ କାହାକୁ ଖୋଜୁଚ ? ଜଲଦି ଆସ ।

 

ଡାକ୍ତରବାବୁ ତାକୁ ଡାକୁଥିବାର ନିଶ୍ଚିତ ହୋଇ ଅନିଶ୍ଚିତର ଅଚିହ୍ନା ଦିଗରେ ପାଦ ବଢ଼ାଇଲା ଚେତନା । ବସ୍‌ରେ ବହୁବାର ଯିବା ଆସିବା କରିଥିଲେ ମଧ୍ୟ କାର୍‌ରେ ସେ କେବେ ଚଢ଼ି ନଥିଲା । ଗାଡ଼ି ଭିତରକୁ ଯାଇ ନରମ ଗଦିରେ ବସିବାକ୍ଷଣି ତାର ମନଟା ଉଲ୍ଲସି ଉଠିଲା । ସ୍ୱାମୀ ଏଥିପାଇଁ କହୁଥିଲେ ପ୍ରତ୍ୟାଶା ପାଠପଢ଼ି ମଣିଷ ହୋଇ ଗାଡ଼ି ଚଢ଼ିବା । ମୋଟର ଗାଡ଼ିଟା ସଡ଼କ ଉପରେ ଦୁଇ ପାଖକୁ ପାଣି ଛାଟି ଯାଉଥିବାବେଳେ ସାମ୍ନା କାଚକୁ ସଫା କରୁଥିବା ଯନ୍ତ୍ରଟାକୁ ଲକ୍ଷ୍ୟ କରୁଥିଲା ଚେତନା ।

 

ଘର ସାମ୍ନାରେ ଓହ୍ଲେଇବା ସମୟରେ ମୁହୂର୍ତ୍ତେ ତାର ହାତଟିକୁ ଜାକି ରଖି କହିଲେ ଡାକ୍ତରବାବୁ, ଝଡ଼ ବର୍ଷା ତୁମକୁ ଭଲଲାଗେ ଚେତନା ?

 

ସେ ଏହାର କୌଣସି ଉତ୍ତର ନଦେଇ ହାତକୁ ମୁକ୍ତ କରି ଧୀରେ ଧୀରେ ଉଠିଗଲା ପିଣ୍ଡା ଉପରକୁ । ଝଡ଼, ବର୍ଷାର ସୁଅରେ ତାର ମନୋରମ ଜୀବନ ସହିତ ବର୍ତ୍ତମାନ ଏବଂ ଭବିଷ୍ୟତର ସହସ୍ର ଭାବନା ମଧ୍ୟ ଭାସିଯାଇଥିଲା । ଯାହା ଥିଲା ସବୁ ରିକ୍ତ । ରିକ୍ତକୁ ନେଇ ବଂଚିହୁଏ ନାହିଁ ବୋଲି ମଣିଷ ସ୍ୱପ୍ନ ଦେଖେ । ସ୍ୱପ୍ନ ଦେଖି ସେ ସହିଯାଏ ଅସୀମ କଷ୍ଟ, ଅଶେଷ ଯନ୍ତ୍ରଣା । ଅନାଗତର ସମ୍ଭାବ୍ୟ ଆଗମନ ଏବଂ ସାବକତାର ଭାବନା ତାକୁ ଅଳ୍ପ ସମୟ ପାଇଁ ହେଲେ ମଧ୍ୟ ପୁଲକିତ କରେ ।

 

ଡାକ୍ତରବାବୁଙ୍କ ହାତରେ ସ୍ପର୍ଶ ଶୀତଳ ନହୋଇ ଉଷୁମ ଥିବାରୁ ତା’ ଦିହରେ ନିଁଆର ଝାସ ଲାଗିଲା ଯେପରି । ଘର ଭିତରକୁ ପଶିଯାଇ ଫେରି ଚାହିଁବାର ସମୟ ନରଖି ସେ କବାଟ ବନ୍ଦ କରିଦେଲା ।

 

ଭଲହବା ପାଇଁ ଚେଷ୍ଟା କର ଚେତନା । ନିଜର ପ୍ରସାରିତ ଅତୀତ ଭିତରେ ବର୍ତ୍ତମାନକୁ ସଂକୁଚିତ କରି ରଖେ । ମଥାରେ ସିନ୍ଦୂର ପୋଛିଦେବା ପରେ ବୟସ ଥିଲେ ବି ଅଏସ କରିବାପାଇଁ କାଳେ ମନଟା ଉଚ୍ଚାଟ ହେବ, ଏହି ଭୟରେ ପୁରୁଷ ମୁହଁକୁ ଚାହେଁ ନାହିଁ, ସଙ୍ଗୀତ ଶୁଣେ ନାହିଁ, ଫୁଲ ସହିତ ଖେଳେ ନାହିଁ, ରଙ୍ଗରେ ଅନୁରାଗ ରଖେନାହିଁ । ସବୁଥିରୁ ବଞ୍ଚିତ କରି ସେ ଏକ ନିଗୃହୀତ ନିକାଞ୍ଚନ ଜୀବନକୁ ଭୋଗକରେ; ଯେଉଁଠାରେ ପ୍ରସାରଣ ଅପେକ୍ଷା ସଂକୋଚନର ଆଦର ଅଧିକ ।

 

ଡାକ୍ତରବାବୁଙ୍କ ଗାଡ଼ିଟା ଚାଲିଯିବାର ଶବ୍ଦ ସ୍ପଷ୍ଟ ଶୁଣିପାରିଲା ସେ; କିନ୍ତୁ ଆଉ ତାଙ୍କ ଆଡ଼କୁ ଚାହିଁବା ପାଇଁ ସାହସ ହେଲାନାହିଁ । ବନ୍ଦ ଦରଜାର ଏ ପାଖରେ ଚେତନା ଛିଡ଼ା ହୋଇଥିଲା ଜଡ଼ସଡ଼ ହୋଇ । କିଛିସମୟ ଅତିବାହିତ ହୋଇଗଲା । ହାତରେ ଲାଗିଥିବା ଉଷୁମ ପ୍ରଲେପ ଅପସରିଗଲା । ଗାଧୁଆଘରକୁ ଯାଇ ଗାଧୋଇ ଆସିଲା ଚେତନା । ଅନେକଟା ଶାନ୍ତ, ଶୀତଳ ହେଲା ଦେହ ଓ ମନ ।

 

ବାହା ହୋଇ ସ୍ୱାମୀ ଘରକୁ ଆସିବାବେଳେ ଆଣିଥିବା ବଡ଼ ଦର୍ପଣଟା ଆଗରେ ମଥା କୁଣ୍ଡାଇବାବେଳେ ତା’ର ଆଲୁଳାୟିତ ରୂପଟି ଭାସିଉଠିଲା ଆଖି ଆଗରେ । ପରିପୂର୍ଣ୍ଣ ନିଟୋଳ ଅଭାଗିନି ରୂପଟି ବହୁତ ଦିନରୁ ଏପରି ସୁନ୍ଦର ଭାବରେ ଧରାଦେଇ ନଥିଲା ଆଖି ଆଗରେ । ସାହସ ହେଲାନି ଚାହିଁ ରହିବା ପାଇଁ, କାଳେ ପ୍ରତ୍ୟାଶା କଅଣ ଭାବୁଥିବ ବୋଲି ଦର୍ପଣ ଆଗରୁ ଚାଲିଆସି ତାକୁ କହିଲା, ଆ, ତୋ ମଥାଟା ଭଲକରି କୁଣ୍ଡେଇଦିଏ, ସ୍କୁଲ ଯିବୁ ପରା ।

 

ପ୍ରତ୍ୟାଶା ତା ଜେଗାରୁ ଝୁଲିପଡ଼ି କହିଲା, ତୁମେ ଖୁବ୍‌ ସୁନ୍ଦର ନା ମା.... ?

 

ଚେତନା ହତବାକ୍‌ ହୋଇଗଲା । ଛାତିତଳର ସ୍ପନ୍ଦନ ଦୃଢ଼ତାର ହେବାକୁ ଲାଗିଲା । ତାକୁ ଜୋର୍‌କରି ଠେଲିଦେଇ ସେ କହିଲା, ଯେତିକି ବୟସ ବଢ଼ୁଚି ସେତିକି ଚଗଲା ହଉଛୁ ନା !

 

ଟିକେ ବାଧାପାଇ ଦବିଗଲା ପ୍ରତ୍ୟାଶା ମା’ ସାଙ୍ଗରେ ଗେଲ ହବା ପାଇଁ, ତା’ର ମୁହଁଟି ଶୁଖିଯିବାର ଲକ୍ଷ୍ୟ କଲା ଚେତନା । ତାକୁ ସଜକରି ସ୍କୁଲକୁ ପଠାଇଦେବା ପରେ ବସି ବସି ପ୍ରତ୍ୟାଶାର ସେଇ କଥାପଦକୁ ଦୋହରାଇଲା ବାରମ୍ବାର ।

 

ପରଦିନ ଡରି ଡରି ଡିଉଟିକୁ ଗଲା ସେ । ଡାକ୍ତରବାବୁଙ୍କ ଦୃଷ୍ଟିରେ ନ ପଡ଼ିବା ପାଇଁ ସଚେତନ ହୋଇ ଜଗି ଜଗି କାମ କଲା । ମଧ୍ୟାହ୍ନ ଭୋଜନ ସରିବା ପରେ ରୋଗୀମାନେ ବିଶ୍ରାମ କରନ୍ତି ଟିକେ । କର୍ମ ତତ୍ପରତାର ବିରତି ହୁଏ କିଛି ସମୟ ପାଇଁ । ସେତିକିବେଳେ ସେ ଏକାକୀ କୋଠରୀ ଭିତରେ ଥିବାବେଳେ ଭିତରକୁ ପଶିଆସି ତା ଚିବୁକ ଛୁଇଁଦେଇ କହିଲେ ଡାକ୍ତରବାବୁ, ତୁମକୁ ପରମାନେଣ୍ଟ କରିଦେଲି ଚେତନା ! ଚାକିରି ନେଇ ଆଉ ଭୟ ବା ଭାବନା ନାହିଁ । ପ୍ରମୋସନର ଚାନ୍‌ସ ବି ଅନେକ ।

 

ଚେତନା କିନ୍ତୁ ସବୁଦିନ ପରି ଆଜି ଆଉ ସହଜ ଭାବରେ ଡାକ୍ତରବାବୁଙ୍କ ସହିତ କଥାଭାଷା କରିପାରିଲାନାହିଁ । ପଥ ଖୋଜୁଥିଲା ନିଷ୍କୃତି ପାଇବା ପାଇଁ । ତା’ ହାତଟିକୁ ଚାପିଦେଇ କହିଲେ ସେ ଦେହଟା ଭଲ ଯାଉନାହିଁ । ଘରଆଡ଼େ ଟିକେ ଆସନ୍ତନି ଚେତନା !

 

ତାଙ୍କ ଦେହ ଭଲ ନଥିଲେ ଦେଖାଶୁଣା କରିବା ପାଇଁ ଅନ୍ୟ ଲୋକେ ଅଛନ୍ତି ନିଶ୍ଚୟ । ସେ ଯାଇ କଅଣ କରିବି ବୋଲି ପଚାରିବା ପାଇଁ ଇଚ୍ଛା ହେଲେ ବି ପଚାରି ପାରିଲାନାହିଁ ଚେତନା-। ତାକୁ ନୀରବ ରହିଯିବାର ଦେଖି ସେ ପୁଣି କହିଲେ, ଆଉ ତ ନାହାନ୍ତି କେହି, ଯିବନାହିଁ-?

 

ସେଦିନ ସଂଧ୍ୟାରେ ଡିଉଟି ସାରି ଫେରିବାବେଳେ ଡାକ୍ତରବାବୁଙ୍କ ଘର ହୋଇଆସିଲା ଚେତନା । ତା’ ହାତରେ କେତେଗୁଡ଼ାଏ ଔଷଧ ଦେଇଥିଲେ ଡାକ୍ତରବାବୁ ଘରେ ପହୁଞ୍ଚାଇ ଦବାପାଇଁ; କିନ୍ତୁ ଚେତନା ଆସି ତାଙ୍କ ଘରେ ପହଞ୍ଚିବା ବେଳକୁ ତାକୁ ସ୍ୱାଗତ କରିବାପାଇଁ ନିଜେ ଡାକ୍ତରବାବୁ ଛିଡ଼ା ହୋଇଥିଲେ । ଅବାକ୍‌ ହୋଇଗଲା ସେ । ତାକୁ ଭିତରକୁ ପାଛୋଟି ନେଇ ଔଷଧଗୁଡ଼ା ତା ହାତରୁ ନେଇ ଟେବୁଲ ଉପରେ ରଖିଦେଲେ ଡାକ୍ତରବାବୁ । ଘରର ନିର୍ଜନତା ମାଡ଼ିପଡ଼ୁଥିଲା । ସେ କାହିଁକି ଏକାକୀ ଆସିଲା ବୋଲି ଧିକ୍‌କାର କଲା ନିଜକୁ । ସମୟ ନଥିଲା ଡାକ୍ତରବାବୁଙ୍କର । ସେ ତାକୁ ଆଦର କରିବାକୁ ଲାଗିଲେ । ଏତେବଡ଼ ଘରଟାର ଗୋଟିଏ ସ୍ୱଳ୍ପଲୋକିତ କୋଠରୀ ଭିତରେ ସେହିଦିନ ସଜ ଦେହଟାକୁ ବାସିଲୁଗାପାରି ଛାଡ଼ିଦେଇ ଆସିଲା ଚେତନା । ପ୍ରତିବାଦ କରିପାରିଲାନାହିଁ, ପ୍ରତିରୋଧ ପାଇଁ ଶକ୍ତି ପାଇଲାନାହିଁ । ମୂକ ହୋଇ ଯାଇଥିଲା ସେ । ଶିଥିଳ ହୋଇ ଯାଇଥିଲା ତା’ର ସର୍ବାଙ୍ଗ ।

 

ଘରକୁ ଫେରି ଆଉ ପୁଅକୁ ଖୁଆଇବା ପାଇଁ ଉଠାଇଲା ନାହିଁ ଚେତନା । ରାତିରେ ମଥା ଧୁଏନି ସେ; କିନ୍ତୁ ବ୍ୟତିକ୍ରମ ହେଲା ସେଦିନ । ମଥା ଧୋଇ ଅନେକ ସମୟ ଗାଧୋଇବା ପରେ ଲୁଗା ବଦଳାଇ ଅଭୁକ୍ତ ଦେହଟାକୁ ବିଛଣାରେ ଲୋଟାଇଦେଇ ଶିଶୁପରି କାନ୍ଦିବାକୁ ଲାଗିଲା ଚେତନା ।

 

ଶୋଇବାଘରର କାନ୍ଥରେ ଝୁଲୁଥିଲା ସ୍ୱାମୀଙ୍କର ଫଟୋ । ସତେ ଯେପରି ତାହାରି ଆଡ଼କୁ ଜଳଜଳ କରି ଅନେଇଥିଲେ ସେ । ଡରିଯାଇ ମୁହଁ ଢାଙ୍କିଲା ଚେତନା । କେଉଁ ସାହସରେ ଆଉ ଚାହିଁବ ତାଙ୍କଆଡ଼େ ? କେଉଁ ସୋହାଗ ପାଇଁ ତାଙ୍କ ଆଗରେ ମେଲିଦବ ପାପାସକ୍ତ ଦେହଟାକୁ ? ଜୀବନଯୁଦ୍ଧରେ ହାରି ନଯିବା ପାଇଁ ପଣ କରିଥିଲା ସେ । ପୁଅକୁ ଯୋଗ୍ୟ କରିବା ପାଇଁ ସ୍ୱାମୀଙ୍କ ଆଗରେ ଶପଥ ନେଇଥିଲା ସେ । ଚାକିରିଟା ନଥିଲେ ସେତକ କରିବା ପାଇଁ ସମ୍ବଳ ରୁହନ୍ତ ନାହିଁ ବୋଲି ସେ ଦୁର୍ଦ୍ଦିନରେ ଏଇ ଚାକିରିଟି ବାଛି ନେଇଥିଲା । ଅନେକ ଦ୍ୱାର ବୁଲିଥିଲା ଟିକେ ସହାୟତା ପାଇଁ । ହାତ ପାତିଥିଲା ଅନେକଙ୍କ ଆଗରେ ଟିକେ ଅନୁକମ୍ପା ପାଇଁ । କେହି ଦେଇନଥିଲେ କିଛି ଅଯାଚିତ ଭାବରେ । ସବୁଠାରେ ସେ ଲକ୍ଷ୍ୟ କରିଥିଲା ପାଇବାର ଲାଳସା । ସେମାନଙ୍କର ପାଇବାର ଲାଳସାରେ ନିଜକୁ ଆହୁତି ନ ଦବାପାଇଁ ଚାକିରି କରି ନିଷ୍କୃତି ପାଇବା ପାଇଁ ସିଦ୍ଧାନ୍ତ ନେଇଥିଲା ସେ । ପ୍ରତ୍ୟାଶା ତା’ର ସର୍ବସ୍ୱ । ସେ ତା’ର ଉତ୍ତରାଧିକାରୀ । ତାହାରି ମୁହଁରେ ଦେଖେ ସେ ଉଜ୍ଜ୍ୱଳ ଓ ମୁଖର ନିଜର ସଂଜୀବନି ଅତୀତକୁ । ବର୍ତ୍ତମାନ ଏବଂ ଭବିଷ୍ୟତକୁ ରକ୍ଷା କରିବା ପାଇଁ ତାକୁ ଏତେ ମୂଲ୍ୟ ଦବାପାଇଁ ପଡ଼ିବ ବୋଲି ସେ ଯଦି ଜାଣିଥାଆନ୍ତା ତା’ହେଲେ ଏଇ ପଥରେ ବି ଆଗେଇ ନଥାନ୍ତା ନିଶ୍ଚୟ । ସେ ନିଜକୁ ହତ୍ୟାକରି ହୁଏତ ସବୁ ସମସ୍ୟାରୁ ମୁକ୍ତ ପାଇଯାଇଥାଆନ୍ତା ।

 

ପ୍ରତ୍ୟାଶା ?

 

ସେ ଫୁଟିବାର ମୁହୂର୍ତ୍ତକୁ ଅପେକ୍ଷା କରି ହୁଏତ ଶୁଖିଯାଇଥାଆନ୍ତା ଶୁଖିଲା କଳିକାପରି; କିନ୍ତୁ ତାକୁ ଶୁଖିଯିବା ପାଇଁ ଦେଇ ପାରିବ ନାହିଁ ବୋଲି ଜନନୀର ସର୍ବଂସହା ଜୀବନ ଦେଇ ରହିଗଲା ଚେତନା । ସବୁ ସହିବ । ସବୁ ନିର୍ଯ୍ୟାତନା ମଥାପାତି ସହିନବ । ଜୀବନକୁ ତିଳ ତିଳ କରି ଶେଷ କରିଦବ । ପ୍ରତ୍ୟାଶା ପାଇଁ ସବୁକିଛି ଜଳାଞ୍ଜଳି ଦବାପାଇଁ ପ୍ରସ୍ତୁତ ହୋଇଥିଲା ସେ ।

 

ତଥାପି ପୁଣ୍ୟ ଅର୍ଜନ ନକରୁ ପଛକେ ପାପଠାରୁ ଦୂରେଇ ରହିବାପାଇଁ କେତେ ପ୍ରଯତ୍ନ କରିନଥିଲା ଚେତନା ! ଜୀବନର ଆଦର୍ଶକୁ ସପ୍ତବ୍ୟୂହ ଭିତରେ ଗୁଡ଼େଇ ରଖିଚି ପାପ । ସପ୍ତବ୍ୟୂହ ଭେଦ କରି ପୁଣ୍ୟର-ଲୀଳା କମଳଟିକୁ ପ୍ରତ୍ୟକ୍ଷ କରିବା ପାଇଁ କାହା ଭାଗ୍ୟରେ ଯୁଟେ ? ଦେହଟା ହିଁ ଜୀବନର ସର୍ବସ୍ୱ ହୋଇ ରହିଚି; ହୃଦୟର ଖବର ବାହାରଜଗତକୁ ପହଁଚୁନାହିଁ । ନିଜକୁ ପ୍ରଦକ୍ଷିଣ କରୁ କରୁ ସମୟ ସରିଯାଉଛି, ହୃଦୟକୁ ପ୍ରଦକ୍ଷିଣ କରିପାରୁନାହିଁ, ବିବେକର ବାଣୀ କାନକୁ ଶୁଭୁନାହିଁ । ଦେହ ଭିତରେ ବସା ବାନ୍ଧି ଫଣା ଟେକି ସୁଯୋଗର ଅପେକ୍ଷା କରେ କଳାନାଗ ଚୋଟ ମାରିବା ପାଇଁ । ସବୁ ବିଷ ଢାଳିଦେଇ ଦଂଶନ କରିବାପାଇଁ ଅପେକ୍ଷା କରେ ସେ । ତାହାରି ଚୋଟ ଖାଇ, ବିଷର ଜ୍ୱାଳାରେ ଜର୍ଜରିତ ହୁଏ ଚେତନା । ତାର କଟି, ବୁକୁ ଏବଂ ସର୍ବାଙ୍ଗକୁ ବେଷ୍ଟନ କରି ଡାକ୍ତରବାବୁଙ୍କ ସୋହାଗିଆ ଉଷମ ହାତଟି ବୁଲି ଆସିଲା ବେଳେ ନାଗ ସାପ ଗୁଡ଼େଇ ହୋଇଯିବାର ଭୟରେ ନିଶ୍ଚେତନ ହୋଇଯାଏ ସେ । ନିର୍ବାକ୍‌ ନିସ୍ପନ୍ଦ ଦେହଟା ପଡ଼ିରହେ । ମନର ଖବର ନ ନେଇ ସେଇ ନିରୁତ୍ତର ଦେହଟା ସହିତ ଖେଳ ଖେଳନ୍ତି ଡାକ୍ତରବାକୁ । ତା କାନ ପାଖରେ ଭିଜିଲା କଣ୍ଠରେ କୁହନ୍ତି, ମୁଁ ତୁମକୁ ଖୁବ୍‌ ଭଲ୍‍ପାଏ ଚେତନା !

 

ଚେତନା କିନ୍ତୁ ସେଇ ସ୍ୱର ଶୁଣିପାରେ ନାହିଁ । ମଥା ତୋଳି ଖୋଜୁଥିବା କଳାନାଗର ହିସ୍‌ ହିସ୍‌ ଶବ୍ଦରେ ଆତଙ୍କରେ ସେ ପଡିରହେ ନିଃଶବ୍ଦରେ । ପ୍ରତ୍ୟୁତ୍ତର ନାହିଁ, ପ୍ରତ୍ୟୁତ୍ତରର ଭାଷା ନାହିଁ । ଏଇଟାକୁ ସମ୍ମତିର ଲକ୍ଷଣ ବୋଲି ବୋଧେ ଧରିନିଅନ୍ତି ଡାକ୍ତରବାବୁ । କାଠର କଣ୍ଢେଇକୁ ଖେଳେଇବା ପରି ଚେତନାକୁ ଖେଳାନ୍ତି ସେ ।

 

ତାଙ୍କଠାରୁ ନିଷ୍କୃତି ପାଇ ଅଣନିଃଶ୍ୱାସୀ ହୋଇ ଦୌଡ଼େ ସେ ନିଜ ଘରକୁ । ସ୍ନାନ ଶେଷ କରି ଶୋଇପଡ଼େ । ସ୍ୱପ୍ନ ଦେଖିବା ଆଗରୁ ସକାଳ ହୋଇଯାଏ ।

 

ଦିନ ଓ ରାତିର ପୁନରାବୃତ୍ତି ଦେଖିବା ପାଇଁ ନିସ୍ପୃହ ଭାବରେ ପଡ଼ିରହେ ସେ, ଆଗ୍ରହ ରହେ ନାହିଁ । କ୍ରମଶଃ ତାର ରୂପଟା ଯେପରି ଆହୁରି ଲୋଭନୀୟ ହୋଇ ଉଠୁଛି, ଏଇୟା ଲକ୍ଷ୍ୟ କରେ ଚେତନା । ଏଇ ରୂପଟାକୁ ଲୁଚେଇ ରଖିବା ପାଇଁ ଶତ ଉଦ୍ୟମ ସତ୍ତ୍ୱେ ତାହା ଲୁଚେନାହିଁ; ବରଂ ଆହୁରି ବେଶି ପ୍ରସ୍ଫୁଟିତ ହୁଏ । ମହୁଫେଣା ଚାରିପାଖରେ ମହୁମାଛି ଗୁଞ୍ଜନ କଲାପରି, ତା ଚାରିପାଖରେ ପ୍ରଶସ୍ତିର ସ୍ୱର ଶୁଣି ଶିହରି ଉଠେ ଚେତନା ।

 

ପଡ଼ୋଶୀ ଘରର ଲିଲି ଅପାର ପୁଅ ଯୋଗ୍ୟ ହୋଇଚି । ପଢ଼ିସାରି ଭଲ ଚାକିରିଟିଏ ବି ପାଇଚି । ସେ ନଥିଲେ ପ୍ରତ୍ୟାଶା ପାଠ ପଢ଼ାରେ ହୁଏତ ଏତେ ଆଗେଇ ପାରନ୍ତା ନାହିଁ । ପୁଅକୁ ଟିଉସନ୍‌ ଦବା ପାଇଁ ଏତେ ସମ୍ବଳ ନାହିଁ ଚେତନାର । ସ୍ନେହ ଓ ସହଯୋଗର ସମାଜଟି ଅତି ସୁନ୍ଦର । ଲିଲି ଅପା ପଠେଇ ଦିଅନ୍ତି ପୁଅକୁ ।

 

ଲିଲି ଅପା ଖୁବ୍‌ ଭଲ ମଣିଷ । ଅନ୍ୟର ଦୁଃଖରୁ ଅଂଶ ନବାପାଇଁ ତାଙ୍କର ଦରଦୀ ହାତଟି ପ୍ରସାରିତ ହୁଏ । ଅଭାବ ଅସୁବିଧା ସମୟରେ ସାହାର୍ଯ୍ୟ ବି କରନ୍ତି । ସଂସାରରେ କିଛି ପାଇବାର ଆଶା ନ ରଖି ଯେଉଁମାନେ କେବଳ ମୁଠା ମୁଠା ଦେଇଯାଆନ୍ତି, ସେମାନେ ମଣିଷ ନୁହଁନ୍ତି; ଦେବତା ହୋଇଥିବେ ।

 

ସେଦିନ ନିରୋଳାରେ ଶୋଇଥିଲା ସେ । ହଠାତ୍‌ କାହାର ପରଶ ପାଇ, ପ୍ରତ୍ୟାଶା ହୋଇଥିବ ଭାବି ପଡ଼ିରହିଥିଲା ପୁଅର ଆଦର ପାଇବା ପାଇଁ; କିନ୍ତୁ କେଇ ମୁହୂର୍ତ୍ତ ପରେ ଉଷ୍ମ ହାତର ପରଶ ରଡ଼ନିଆଁ ପରି ଚିଆଁ ଦେଲା ଦେହରେ ଧଡ଼୍‌ପଡ଼୍‌ ହୋଇ ଉଠି ବସିବାବେଳକୁ ଲିଲି ଅପାର ପୁଅକୁ ପାଖରେ ଦେଖି ସ୍ତବ୍‌ଧ ହୋଇଗଲା ଚେତନା । ଆର୍ତ୍ତନାଦ କରି ଆକାଶ-ବତାସ ଫଟାଇଦବା ପାଇଁ ଇଚ୍ଛା ହେଲା । ଧରିତ୍ରୀ ବିଦୀର୍ଣ୍ଣ ହେଲେ ତା’ ଭିତରେ ଆତ୍ମଗୋପନ କରିବାପାଇଁ ବ୍ୟାକୁଳତାରେ ହୃଦୟ କ୍ରନ୍ଦନ କରି ଉଠିଲା । ହାୟ ! ହାୟ ! ସେଥିରୁ କିଛି ନହୋଇ ଲିଲି ଅପାର ପୁଅ ପାଖରେ ସେ ଧରାଦେଲା ଶେଷରେ ।

 

ତା’ ଚାହାଣିରେ କଅଣ ଥିଲା କେଜାଣି ଧୀରେ ଧୀରେ ଅଦୃଶ୍ୟ ହୋଇଗଲା ସୁଧାଂଶୁ ।

 

ଆଉ କାହା ଉପରେ ବିଶ୍ୱାସ ରହିଲା ନାହିଁ ଚେତନାର । ନିଜ ଉପରେ ଆଉ ବିଶ୍ୱାସ ରହିଲା ନାହିଁ । ଛି, ଛି, ଲଜ୍ଜାରେ ପୋଡ଼ିଯାଉଥିଲା ଚେତନା । ଲିଲି ଅପା ଯଦି ଜାଣିବେ ଏଇ କଥା, ପ୍ରତ୍ୟାଶା ଯଦି ବୁଝିପାରିବ ଏଇ କଥା ! ସୁଧାଂଶୁ କାହିଁକି ଭୁଲ୍‌ ବୁଝିଲା ତାକୁ । ସେ ତ ସ୍ନେହ ଦେଇଥିଲା ତାକୁ । କାହିଁକି ତାକୁ ପ୍ରତ୍ୟାଖ୍ୟାନ କରି ପ୍ରେମ କରିବାପାଇଁ ଦଉଡ଼ିଆସିଲା ସେ । ନିଜ ଦେହକୁ ଅନାଇଲା ଚେତନା ।

 

ସେଇ ଦେହଟାରେ ସ୍ୱାଗତିକାର ସ୍ୱର ନଥିଲେ ଜଣକ ପରେ ଜଣେ ଆଗେଇ ଆସନ୍ତେ କାହିଁକି ? ନିଜକୁ ସମ୍ଭାଳି ନପାରି ଦେହକୁ କ୍ଷତବିକ୍ଷତ କରିବାକୁ ଲାଗିଲା ଏବଂ ନିଜର ଜ୍ୱାଳାରେ ନିଜେ କାନ୍ଦିବାକୁ ଲାଗିଲା ଚେତନା ।

 

ପାପର ସିଡ଼ିରେ ତଳକୁ ଯିବାର ପଥଟା କେଡ଼େ ସୁଗମ ସତରେ ! ହାତ ଧରି ଗେଲ କରି କିଏ ଯେପରି ଉହ୍ଲେଇ ନେଇଯାଏ । ଉହ୍ଳେଇ ସାରି କିନ୍ତୁ ଆଉ ଉଠି ହୁଏନାହିଁ । ସିଡ଼ିଟା ଅପସରିଯାଏ, ପଥ ରୁଦ୍ଧ ହୋଇଯାଏ । ପାପର ସଂକୀର୍ଣ୍ଣ ଅନ୍ଧକାରପୂର୍ଣ୍ଣ ସୁଡ଼ଙ୍ଗ ଭିତରେ ପୋକ ଓ ପତଙ୍ଗ ପରି କିଲ୍‌ବିଲ୍‌ ହୁଏ ମଣିଷ ।

 

ବଡ଼ ବ୍ୟାକୁଳ ହୁଏ ଚେତନା । ବେଦନା-ବିଦଗ୍‌ଧ ହୃଦୟରେ ଏକ ଅଦ୍ଭୁତ ଭୟ ଘନୀଭୂତ ହୁଏ । ନିଜକୁ ଦର୍ପଣରେ ଦେଖିବା ପାଇଁ ସାହସ ହୁଏ ନାହିଁ । ପୁଅ କାଳେ ତା’ ଉପରେ ଢଳିପଡ଼ି ଗେଲ ହବାପାଇଁ ତା’ ମୁହଁ ପାଖରେ ମୁହଁ ରଖିବ ବୋଲି ସେ ଆଡ଼ ହୋଇ ଚଳେ । ଉଚ୍ଛିଷ୍ଟ ଦେହ । ମୁହଁ ଉପରେ ପାପର ବିଷ ଚରିଯାଇଛି । ସେ ଦେହଟାକୁ ପୁଅ ପାଖରେ ତୋଳି ଧରନ୍ତା କିପରି ?

 

ବାର, ବ୍ରତ କେବଳ ବାହାର ଦୁନିଆ ପାଇଁ । ନିଃଶ୍ୱାସରେ ନାଗସାପର ବିଷ । ଡରି ଡରି ଠାକୁରଙ୍କ ଉପରେ ଫୁଲ ଚଢ଼ାଏ, ତୁଳସୀ ମୂଳେ ପାଣି ଦିଏ । ଏହି ପାପର ଶେଷ ନାହିଁ । ସେଇ ପାପର ବିଷପାନ କରି ସେ ଯଦି ନିଶ୍ଚିହ୍ନ ହୋଇଯାଆନ୍ତା, କ୍ଷୋଭ ନଥିଲା; କିନ୍ତୁ ସେଇ ପାପର କ୍ଷୟ ହବା ପାଇଁ ବଞ୍ଚିବାକୁ ଆଉ ସହ୍ୟ କରିପାରୁନଥିଲା ଚେତନା ।

 

ଅନେକେ ପେଟ ପୋଷିବା ପାଇଁ ହାତପାତି ଭିକ ମାଗନ୍ତି । କେହି କେହି ପେଟର ଜ୍ୱାଳା ସହି ନପାରି ଆତ୍ମହତ୍ୟା କରନ୍ତି । ଏଥିରୁ ଗୋଟିଏ ବାଛି ନେଇଥିଲେ ଚଳିଥାଆନ୍ତା । କିନ୍ତୁ ବଞ୍ଚିବାର ପ୍ରବଳ ବାସନା ପାଇଁ ଏତେ ମୂଲ୍ୟ ଦବାକୁ ହୁଏ ବୋଲି ଯଦି ସେ ଆଗରୁ ଜାଣିଥାଆନ୍ତା !

 

ଅନ୍ତର୍ଦ୍ୱନ୍ଦ୍ୱରେ କ୍ଷତବିକ୍ଷତ ଚେତନା ଆଉ ସହ୍ୟ କରିପାରିଲା ନାହିଁ । ସେଦିନ ଡାକ୍ତରବାବୁଙ୍କ ଘରୁ ନିଜ ଘରକୁ ନଫେରି ସିଧା ଚାଲିଗଲା ରେଳଲାଇନ୍‌ ଉପରକୁ ! କିନ୍ତୁ ଠିକ୍‌ ମରିଯିବା ଆଗରୁ ଭିକାରୁଣୀଟା କୋଉଠି ଲୁଚି ରହିଥିଲା କେଜାଣି, ତାକୁ ଓଟାରି ଆଣିଲା ଲାଇନ୍‌ ଉପରୁ ।

 

ମୃତ୍ୟୁ ପାଖରୁ ଫେରିଆସି ନିଜକୁ ପୁଣି ଫେରିପାଇଲା ଚେତନା । ଏଇ ଦେହଟା ସର୍ବସ୍ୱ ନୁହେଁ । ଧୋଇ ପୋଛି ଦେଲେ ଶରୀରଟି ଶାଳଗ୍ରାମଭଳି ଶୁଦ୍ଧ ହୋଇ ନଯିବ କାହିଁକି ? ମନର ନିଶ୍ଚେତନ ଜଗତରେ ଅନ୍ୟ ହାତରେ ଖେଳେଇ ହେଲେ ସର୍ବସ୍ୱ ଶେଷ ହୋଇଯିବ କାହିଁକି ? ପୁଣ୍ୟର ମହିମା ଗାଇ ଗାଇ ନିଜର ଚାରିପାଖରେ ପ୍ରଦକ୍ଷିଣ କରିହୁଏ; କିନ୍ତୁ ପୃଥିବୀର ଚାରିପାଖ ଅଜଣା ରହିଯାଏ । ପୃଥିବୀରେ ଜୀବନର ଜୟଗାନ ଶୁଣିବା ପାଇଁ ବଞ୍ଚିବା କେଡ଼େ ଲୋଭନୀୟ ।

 

ହଠାତ୍‌ ଏକ ନୂତନ ଦିଗନ୍ତ ଉଦ୍ଭାସିତ ହୋଇଗଲା ଚେତନା ଆଗରେ । ସେ ଡରି ଡରି ଚାହିଁଲା ସେଇଆଡ଼େ ।

ପ୍ରତ୍ୟାଶା ଦୌଡ଼ିଆସି ମା’ ବେକରେ ଝୁଲିପଡ଼ି କହିଲା, ତୁମେ ଖୁବ୍‌ ସୁନ୍ଦର ଦିଶୁଚ ମା’-!

 

କିଛି ଉତ୍ତର ନଦେଇ କେବଳ ଅଭିଭୂତ ହୋଇ ଛିଡ଼ା ହୋଇ ରହିଲା ଚେତନା । ପାପ ଓ ପୁଣ୍ୟର ପୃଥିବୀ ଠୁଳ ହେଉଥିଲା ଆଖି ଆଗରେ ।

 

ଘର ସାମ୍ନାରେ ଥିବା ଖତଗଦାର ମଇଳା ପାଣି ଭିତରୁ ମଥା ଟେକି ଉପରକୁ ଉଠୁଥିଲା ଗୋଟିଏ ନୀଳ କଇଁ ।

 

ସେ ପ୍ରତ୍ୟାଶାକୁ କୋଳ ଉପରକୁ ଟେକିନେଇ କୋହରେ ଫାଟିପଡ଼ି କହିବାକୁ ଲାଗିଲା.... ତୁ ବଡ଼ ହୋ; ତୁ ଭଲ ହୋ.... ମୁଁ ତୋ ପାଇଁ ସବୁ ସହି ସେହି ଶୁଭଦିନର ଅପେକ୍ଷା କରିବି ବାପା !

 

ମାଆର ଆଖିର ଲୁହରେ ଭିଜିଯାଉଥିଲା ପ୍ରତ୍ୟାଶା ।

☆☆☆

 

ପ୍ରତିଶ୍ରୁତି ପୂର୍ଣ୍ଣକରି

 

ଯେଉଁଦିନ ଗଛ ଉପରୁ, ଗୁମ୍ପା ଭିତରୁ, ଅଗମ୍ୟ ଅରଣ୍ୟ କୋଳରୁ ସମତଳଭୂମି ଉପରକୁ ଉହ୍ଲାଇ ଆସିଲା ମଣିଷ ସେହି ତାରିଖଟା ଦୁନିଆ ଭୁଲି ଯାଇଥିଲେବି ସେ ଭୁଲି ଯାଇନାହିଁ-। ସେହି ଦିନଟା ଏବେ ବି ମନେଅଛି ମନୁର । କିଏ ଯେପରି ଡାକିଲା । କାହାର ଧ୍ୱନି ଯେପରି ଖେଳିଗଲା ପାହାଡ଼ ପର୍ବତ, ନଦନଦୀ ଏବଂ ବନପ୍ରାନ୍ତରରେ । ପକ୍ଷୀମାନଙ୍କର କାକଳି ସହିତ ଆକାଶର ପୂର୍ବ ଦିଗରୁ ଉହ୍ଲେଇ ଆସିଲା ଆଲୋକ । ବରଫାଚ୍ଛାଦିତ ଅଞ୍ଚଳ ତରଳିବାକୁ ଆରମ୍ଭ କଲା ଉଷ୍ମ କିରଣ ପାଇ । ଘନ ଅରଣ୍ୟ ଭିତରେ ଧ୍ୱନି ପ୍ରତିଧ୍ୱନି ହୋଇ ଫେରିଆସିଲା ମଣିଷ ପାଖକୁ ।

ମଣିଷ ସମତଳଭୂମି ଉହ୍ଲେଇ ଆସିଲା ଏକ ପରମ ଶୁଭ ଲଗ୍ନରେ । ଉଦାତ୍ତ କଣ୍ଠରେ କିଏ ଜଣେ ଆନନ୍ଦମୟ ପୁରୁଷ କହିଲେ, ହେ ଅମୃତର ପୁତ୍ରଗଣ, ତୁମେ ସମସ୍ତେ ଶୁଣ.... ।

ସେହି ଅବିସ୍ମରଣୀୟ ମୁହୂର୍ତ୍ତଟି ଇତିହାସର ପୃଷ୍ଠାରୁ ନିଭିଯାଇନାହିଁ । ସେହି ଉଦାତ୍ତ କଣ୍ଠସ୍ୱର ପୃଥିବୀକୁ ହଜିଯାଇନାହିଁ । ସେଇ ଆନନ୍ଦମୟ ପୁରୁଷ ବାରମ୍ୱାର ଅବତରଣ କରିଛନ୍ତି ମଣିଷକୁ ଗୋଟିଏ ପ୍ରତିଶ୍ରୁତି ଦବାପାଇଁ....

ତୁମେ ସମସ୍ତେ ଅମୃତର ପୁତ୍ର । ତୁମେ ସମସ୍ତେ ଆନନ୍ଦ, ଆଲୋକ ଏବଂ ଚୈତନ୍ୟର ଦାୟାଦ । ହରିଣ୍ୟଗର୍ଭ ପରି ସମୟର ଗର୍ଭରେ ଲୁଚିରହିଛି ଅନନ୍ତ, ଉଜ୍ଜ୍ୱଳ ସମ୍ଭାବନା । ସମୟର ସେହି ସମ୍ଭାବନାମୟ ଭଣ୍ଡାର ଘରେ ତାଲା ଲଗାଇ ଜଗିରହିଚି ଦେବତା । ସେହି ଘର ଭିତରେ ରାଶି ରାଶି ମଣି, ମୁକ୍ତା ଓ ବୈଦୁର୍ଯ୍ୟ ସହିତ ଅଛି ଅସୀମ ସୁଖ, ସନ୍ତୋଷ, ସମୃଦ୍ଧି ଓ ପରିତୃପ୍ତି । ସତ୍ୟାଶ୍ରୟୀ ଚେତନା ହିଁ ପୂର୍ଣ୍ଣ ଆଲୋକ, ତାହାହିଁ ଆନନ୍ଦ । ସେଥିରେ କ୍ଷୟ ନାହିଁ, ଖର୍ଚ୍ଚ କରି ମଧ୍ୟ ତାହା ଶେଷ ହୁଏ ନାହିଁ । ତାହା ଅକ୍ଷୟ ଏବଂ ଅବ୍ୟୟ ।

ତୁମେ ସମସ୍ତେ ସାଧନାବଳରେ ସେହି ପରସୁଖରେ ଲାଭକର, ଯୋଗ୍ୟତାବଳରେ ସମ୍ପଦର ଅଧିକାରୀ ହୁଅ ।

ଏହି ଦ୍ୟାବ୍ୟା ପୃଥିବୀ ତୁମର । ପୁରୁଷକାରକୁ ପ୍ରଦୀପ୍ତ କର । ସବୁ ପ୍ରାପ୍ତି ସାଧନସାପେକ୍ଷ । କର୍ମ କର । ଉଠ, ଜାଗ, ବର ଲାଭ ନକରିବା ପର୍ଯ୍ୟନ୍ତ ନିବୃତ୍ତ ହୁଅ ନାହିଁ ।

ପ୍ରତିଶ୍ରୁତିର ସେହି ତାରିଖଟା ନିଭିଯାଇନାହିଁ । ମଣିଷ ସିନା ପଢ଼ିବାକୁ ଚେଷ୍ଟା କରେ ନାହିଁ, ତାହା କିନ୍ତୁ ତାର କପାଳରେ ଲେଖା ହୋଇ ରହିଚି । ସେ ଟିକେ ଉଦ୍ୟମ କଲେ, ନିଷ୍ଠା ଏବଂ ସତତାର ସହିତ ସେହି ତାରିଖଟିକୁ ଜାଣିବା ପାଇଁ ଚେଷ୍ଟାକଲେ ତାହା ଆଉ ଅଜଣା ହୋଇ ରହିବ ନାହିଁ । ବରଂ ସେହି ତାରିଖଟି ସହିତ ଆଉ ଗୋଟେ ତାରିଖ ବି ଜଳଜଳ ହୋଇ ଉଦ୍ଭାସିତ ହୋଇଉଠିବ ।

ସେହି ତାରିଖଟି ଭାଗ୍ୟ ସହିତ ମଣିଷର । ସେହି ତାରିଖଟିକୁ ସୁନାପେଡ଼ି ଭିତରେ କେଡ଼େ ଯତ୍ନରେ ସାଇତି ରଖିଚି ମହାକାଳ । ସେହି ପେଡ଼ିଟାକୁ ଅକ୍ତିଆର କରିବା ପାଇଁ ଏବେ ବି ଚାଲିଚି ମନୁ । ପଥ ଅସରନ୍ତି । ଉଦ୍ୟମ କେତେବେଳେ ପ୍ରବଳ ହୋଇଚି ତ କେବେବେଳେ ଶିଥିଳ ହୋଇଚି; କିନ୍ତୁ କେବେହେଲେ ବନ୍ଦ ହୋଇଯାଇନାହିଁ । ମୃତ୍ୟୁକୁ ଜୟ କରିପାରିନାହିଁ ବୋଲି ସେ ଫେରିଆସିଚି ଜନ୍ମିବା ପାଇଁ । ଲକ୍ଷ୍ୟସ୍ଥଳରେ ପହଞ୍ଚିନଥିବା ମଣିଷ ପକ୍ଷରେ ଜନ୍ମ ପରି ମୃତ୍ୟୁ ବି କେଡ଼େ ନିଶ୍ଚିତ । ପୁଣି ଜନ୍ମିବା ବି ଯେପରି ଅବଧାରିତ !

 

କୋଉଠି ମଣିଷ ପଥଭ୍ରଷ୍ଟ ହେଲା ତାହା ଜାଣିବା ପାଇଁ ଇଚ୍ଛା ହୁଏ ମନକୁ । ମନୁ ସ୍ମରଣ କରିବା ପାଇଁ ଚେଷ୍ଟା କରେ । ଆନନ୍ଦ ଏବଂ ଆଲୋକପ୍ରାପ୍ତ ହୋଇ ଆୟୁଷ୍ମାନ୍‌ ପୁରୁଷ ହବା ଆଗରୁ ସେ ରାସ୍ତାର କେଉଁ ଦୋଛକିରେ ଅନ୍ଧକାରକୁ ବରଣ କରିନେଲା ତାହା ଆବିଷ୍କାର କରିବା ପାଇଁ ଚେଷ୍ଟା କରେ । ଅନ୍ଧକାରର ପଥଟା ବଡ଼ ଲୋଭନୀୟ ବୋଲି ଋଷିମାନଙ୍କ ପାଖରୁ ଶୁଣିଥିଲା ମନୁ-

ସେହି ଅନ୍ଧକାରର ସୁଡ଼ଙ୍ଗ ଭିତରେ ସେ ବି ପଶିଗଲା । ମୁହଁକୁ ମୁହଁ ଦିଶେନି ସୁଡ଼ଙ୍ଗ ଭିତରେ । କେବଳ ପରିବ୍ୟାପ୍ତ ଅନ୍ଧକାର । ସେହି ରାଜ୍ୟରେ ପାଦ ପକେଇ ଶିହରି ଉଠିଲା ମନୁ । କିନ୍ତୁ କାମ ଶେଷ ନକରି ଫେରିଯିବ କିପରି ?

ସୁଡ଼ଙ୍ଗ ଭିତରେ ମଣିଷ ସହିତ ସହାବାସ୍ଥାନ କରନ୍ତି ସରୀସୃପ, କୀଟ ପତଙ୍ଗ ଓ ଉଦ୍ଭିଦ-। ସେମାନଙ୍କ ମଧ୍ୟରେ ପ୍ରବଳ ପ୍ରତିଯୋଗିତା ସ୍ଥାନ ଦଖଲ ପାଇଁ । ଯୋଜନ ଯୋଜନ ରାଜ୍ୟ ପଡ଼ିଥିଲେ ମଧ୍ୟ ଅନ୍ଧକାର ଯୋଗୁଁ ମୁହଁକୁ ମୁହଁ ଦେଖି ପାରୁନଥିବା ପ୍ରାଣୀମାନେ ପରସ୍ପରର ଚାରିପାଖର ପରିବେଶକୁ ଦେଖନ୍ତେ କିପରି ? ସ୍ଥାନ ସଂକୀର୍ଣ୍ଣ ବୋଲି ମନେହୁଏ । ନିଜର ସ୍ଥିତି ପାଇଁ ସ୍ଥାନ ଟିକେ ସଂରକ୍ଷଣ ନକଲେ କାଳେ ସ୍ଥାନଚ୍ୟୁତ ଉଲ୍‌କାପରି କେବଳ ପତନ ଆଡ଼କୁ ଅଗ୍ରଗତି କରିବ ବୋଲି ସ୍ଥାନ ଦଖଲ କରିବାପାଇଁ ଆପ୍ରାଣ ଉଦ୍ୟମ ।

ବଞ୍ଚିବା ପାଇଁ ସ୍ଥାନ ସଂରକ୍ଷଣର ଏହି ସଂଗ୍ରାମ ଭିତରୁ ସ୍ୱାର୍ଥ, ଛଳନା, ଅବିଶ୍ୱାସ, ଘୃଣା ଓ ପାପର ଜନ୍ମ । ଶ୍ୱାସରୁଦ୍ଧ ହୋଇ ସେହି ଅନ୍ଧକାର ରାଜ୍ୟରେ ସତ୍ୟାନୁସନ୍ଧାନ ପାଇଁ ଉଦ୍ୟମ କରେ ମନୁ । ଅନେକକାଳ ଅତିବାହିତ ହୋଇଯାଏ । ପୂର୍ଣ୍ଣତା ଆଡ଼କୁ ଅଗ୍ରସର ହଉଥିବା ମଣିଷଟା ହଠାତ୍‌ ଅପୂର୍ଣ୍ଣତାର ରାସ୍ତାରେ ଦୌଡ଼ିବା ପାଇଁ ଲାଗିଲା । ପଛରୁ କିଏ ଡାକିଲା, ରହିଯାଅ, ଟିକେ ଅଟକିଯାଅ; କିନ୍ତୁ ଛିଡ଼ାହବାପାଇଁ ସମୟ ନଥିଲା ହାତରେ । ସେ ଦୌଡ଼ିବାକୁ ଲାଗିଲା । ପଥ ଅବରୋଧ କରିବା ନାମରେ ଜ୍ଞାତି, ବନ୍ଧୁ, ପରିଚିତ ଓ ଅପରିଚିତ ଅନେକଙ୍କୁ ହତ୍ୟା କଲା । ପଥରେ ଶଙ୍କାର କାରଣ ହେବା ଯୋଗୁଁ ଅନେକ ସରୀସୃପ, ଶ୍ୱାପଦଙ୍କୁ ସେ ନିଜ ବାହୁ ଓ ବୁଦ୍ଧି ବଳରେ ଧ୍ୱଂସ କଲା ।

ମନୁ ଦୌଡ଼ିବାକୁ ଲାଗିଲା । ଏକାକୀ ଆଉ କେତେଦୂର ଦୌଡ଼ିବ ? କାହା ସହିତ କଥା କହିବ, କିଏ ଟିକେ ଶାନ୍ତି ଓ ସାନ୍ତ୍ୱନା ଦବ ? କିଏ ତାର କ୍ଳାନ୍ତ ଦେହକୁ ଝାଡ଼ିଝୁଡ଼ି ଦେଇ କହିବ, ଚାଲ ଚାଲ, ପଥ ଆଉ ବେଶି ନାହିଁ..... ।

ମଣିଷ ବ୍ୟାକୁଳ ହୋଇ ବୁଲିଲା ସାଥୀଟିଏ ପାଇଁ । ଅନେକ ଖୋଜିଲା । ଅନେକ ଦେଶ ବୁଲିଲା । ହଠାତ୍‌ ଅନ୍ଧାର ଭିତରେ କିଏ କହିଲା, ତୁମର କ୍ଷୁଧା ଓ ପିପାସାର ପରିତୃପ୍ତି କେବଳ ଆହାର ଦ୍ୱାରା ସମ୍ଭବ ନୁହେଁ । ମୁଁ ତୁମକୁ କେବଳ ସଙ୍ଗ ଦେବିନାହିଁ, ସ୍ୱପ୍ନ ଦେବି; ଏବଂ ସୃଷ୍ଟି କରିବି ଉତ୍ତର ପୁରୁଷ । ଆମ ପରେ ଅନ୍ୟମାନେ କାଳେ ଆମ ସିଂହାସନ ଦଖଲ କରିନେବେ ସେଥିପାଇଁ ଆମେ ରଖିଥିବା ବଂଶଧର । ଆମର ସଂଭୋଗରୁ ଜାତ ହୋଇ ପୃଥିବୀକୁ ଭୋଗ କରିବେ ସେମାନେ ।

ପୁରୁଷ ଅଣ୍ଡାଳି ଅଣ୍ଡାଳି ସେହି ସ୍ୱର ଆଡ଼କୁ ଅଗ୍ରସର ହେଲା ।

ସେ କହିଲା, ମୋତେ ବିନାସର୍ତ୍ତରେ ପାଇବ ନାହିଁ ।

ପୁରୁଷ କହିଲା, ସେହି ସର୍ତ୍ତଟି କଅଣ ?

 

ସେ କହିଲା, ବୀର ହୁଅ । ବସୁନ୍ଧରାକୁ ଭୋଗ କରିବା ପାଇଁ ବାହୁବଳର ପ୍ରୟୋଜନ । ସାହସୀ ହୁଅ । ବୀର ହୁଅ ।

 

ପୁରୁଷ ବ୍ୟାକୁଳ ହୋଇ ଜବାବ ଦେଲା, ହିଁ ସେହିସବୁ ସର୍ତ୍ତକୁ ମୁଁ ପାଳନ କରିବି । ଯେଉଁମାନେ ଆମ୍ଭମାନଙ୍କର ପଥରୋଧ କରିବେ ସେମାନଙ୍କୁ ମୁଁ ହତ୍ୟା କରିବି ।

 

ସେ କହିଲା, କେବଳ ବଂଶବୃଦ୍ଧି କଲେ ସେମାନେ ବଂଚିବେ କିପରି ? ସମ୍ପଦ, ଖାଦ୍ୟ ଓ ବାସସ୍ଥାନର ପ୍ରୟୋଜନ ।

 

ପୁରୁଷ କହିଲା—ମୁଁ ଅନ୍ୟମାନଙ୍କର ଭଣ୍ଡାର ଲୁଣ୍ଠନ କରିବି, ଗଛର ଫଳମୂଳ ପର୍ଯ୍ୟପ୍ତ ନହେଲେ ଶିକାର କରିବି, ମୃତ୍ତିକା କର୍ଷଣ କରି ଶସ୍ୟ ଉତ୍ପାଦନ କରିବି । ବାସସ୍ଥାନ ପାଇଁ ଭୂମିର ଅଭାବହେଲେ ଅନ୍ୟ ରାଜ୍ୟ ଜୟ କରିବି ।

 

ସେ କହିଲା, ତୁମର ବାହାଦୁରୀ ଦେଖି ମୁଁ ସନ୍ତୁଷ୍ଟ; କିନ୍ତୁ ସମ୍ପଦ ରକ୍ଷା କରିବ କିପରି ? ମୋର, ତୁମର ଏବଂ ବଂଶଧରମାନଙ୍କର ସୁରକ୍ଷା ସହଜ ନୁହେଁ । କେବଳ ତୁମର ବାହୁବଳଦ୍ୱାରା ଏହା ସମ୍ଭବ ନୁହେଁ ।

 

ପୁରୁଷ କହିଲା, ଆମର ଏବଂ ସମ୍ପଦର ସୁରକ୍ଷା ପାଇଁ ବୃଦ୍ଧି ଏବଂ ବୀର୍ଯ୍ୟ ବଳରେ ମୋର କବଳିତ ଲୋକମାନଙ୍କୁ ନେଇ ମୁଁ ଦଳ ଗଠନ କରିବି । ଶାସନର କର୍ତ୍ତୃତ୍ୱ ରହିବ ମୋର ହାତରେ ।

 

ସେ କହିଲା, ତୁମେ ବୁଦ୍ଧିମାନ୍‌; କିନ୍ତୁ ଏହି ରାଜ୍ୟ କଅଣ ସମସ୍ତ ସମୃଦ୍ଧି ପାଇଁ ଯଥେଷ୍ଟ-? ସ୍ଥାନାଭାବର ଆଶାଙ୍କା ନାହିଁ ଏଠାରେ ?

 

ପୁରୁଷ କହିଲା—ଅଛି । ସେଥିପାଇଁ ମଧ୍ୟ ମୋର ଯୋଜନା ଅଛି ।

 

ସେ କହିଲା, କହ ।

 

ପୁରୁଷ କହିଲା, ମୁଁ ଦଳ ଗଠନ କରିବି । ଦଳପତିକୁ ରକ୍ଷାକରିବା ଦଳର କର୍ତ୍ତବ୍ୟ । ଦଳପତିର ଆଦେଶ ପାଳନ କରିବା ବାଧ୍ୟତାମୂଳକ । ମୋର ଅନୁଗତମାନେ ରାଜ୍ୟ ଜୟକରି ସାମ୍ରାଜ୍ୟ ସୃଷ୍ଟି କରିବାରେ ମୋର ସହାୟକ ହେବେ ।

 

ସେ କହିଲା, ତୁମେ ହିଁ ପ୍ରକୃତ ପୁରୁଷକାର । ତୁମେ ମୋତେ ଭୋଗକରିବା ପାଇଁ ସମର୍ଥ । ଆସ, ଆମେ ପରସ୍ପରକୁ ଉପଭୋଗ କରିବା ।

 

ସେଇ ଅପରିଚିତାର ଶରୀର ଏବଂ ଉଷ୍ମ ନିଃଶ୍ୱାସର ସ୍ପର୍ଶ ପାଇ ହଠାତ୍‌ ଏକ ଅନନୁଭୂତ ଶିହରଣଦ୍ୱାରା ଦିଗହରା ହୋଇଗଲା ପୁରୁଷ । ସେ ଆତ୍ମସମର୍ପଣ କରିବା ଆଗରୁ କହିଲା, ‘‘ମେତେ ତୁମର ପରିଚୟ ଦିଅ...... ତୁମେ କିଏ ?’’

 

ଅନ୍ଧାରର ବକ୍ଷ ବିଦୀର୍ଣ୍ଣକରି ଗୋଟାଏ ହସର ଲହରୀ ଭାସିଗଲା । ପୁରୁଷ ଦେହରେ ଜଡ଼ିଯାଇ କାନ ପାଖରେ କହିଲା ସେ, ମୁଁ ର....ମ...ଣୀ । ମୁଁ ତୁମର ସଙ୍ଗିନୀ ।

 

ପୃଥିବୀର ଚତୁର୍ଦ୍ଦିଗରେ ଖେଦିଗଲା ମଣିଷ । ସେ ଅନ୍ୱେଷଣ କଲା ନୂତନ ଦ୍ୱୀପ, ନୂତନ ଦେଶ । ସଂଗ୍ରହ କଲା ନୂତନ ସମ୍ପଦ । ଯେତିକି ପାଇଲା ଆହୁରି ସେତିକ ଚାହିଁଲା ସେ । ଲୋଭ ଲେଲିହାନ ଶିଖା ପରି ବଢ଼ିବାକୁ ଲାଗିଲା । ସମ୍ପଦ ଓ କ୍ଷମତା ପାଇଁ ସେ କଲା ଯୁଦ୍ଧ, ପ୍ରୟୋଗ କଲା କୂଟବୁଦ୍ଧି ।

 

ମନ ଅବାକ୍‌ ହୋଇଗଲା ସେହି ଜୀବନ-ଯୁଦ୍ଧ ଦେଖି । ଏତେ ବଡ଼ ପୃଥିବୀ ଥିବା ସତ୍ତ୍ୱେ ପାଞ୍ଚଟି ମାତ୍ର ଗ୍ରାମ ଦେବାକୁ ରାଜି ହେଲାନାହିଁ ଦୁର୍ଯ୍ୟୋଧନ । କୃଷ୍ଣଙ୍କୁ ଶେଷ ଜବାଦ ଦେଇ କହିଲା ସେ, ପାଞ୍ଚଟି କଅଣ, ସୂଚ୍ୟଗ୍ର ମେଦିନୀ ମଧ୍ୟ ଦେବି ନାହିଁ ।

 

ଅନନ୍ୟୋପାୟ ହୋଇ ନ୍ୟାୟକୁ ସମର୍ଥନ କରିବା ପାଇଁ ଯୁଦ୍ଧ କ୍ଷେତ୍ରରେ ଛିଡ଼ାହଲେ ଅର୍ଜ୍ଜୁନ । ହାତରେ ଗାଣ୍ଡିବ; କିନ୍ତୁ ସମ୍ମୁଖରେ ଜ୍ଞାତି, କୁଟୁମ୍ୱ, ବଂଧୁ ଓ ମିତ୍ରଙ୍କୁ ଦେଖି ବିଷଣ୍ଣ ହେଲା ତାଙ୍କର ଚିତ୍ତ । ବିମର୍ଷ ଚିତ୍ତରେ ସେ କହିଲେ ଶ୍ରୀକୃଷ୍ଣଙ୍କୁ, ଏମାନେ ମୋର ପରିଚିତ, ଜ୍ଞାତି ଓ କୁଟୁମ୍ୱ-। ଏହି ବନ୍ଧୁ ବାନ୍ଧବ ମାନଙ୍କୁ ନିହତ କରି ରାଜ୍ୟ ଜୟ କରି ମୁଁ ସୁଖ ପାଇବି ନାହିଁ । ସେମାନେ ଆତ୍ମୀୟ । ସେମାନଙ୍କୁ ହତ୍ୟା କରିପାରିବି ନାହିଁ । ଏମାନଙ୍କୁ ହତ୍ୟାକରି ମୁଁ ବା କେଉଁ ସୁଖ ପାଇବି-? ସ୍ୱଜନ ନିଧନ ବୀରତ୍ୱର ପରାକାଷ୍ଠା ବଢ଼ାଏ ନାହିଁ । ମୁଁ ଅସମର୍ଥ ମଣୁଛି ନିଜକୁ । ମୋର ମନ ଉଦାସ, ହୃଦୟ ଅବସାଦରେ ପୂର୍ଣ୍ଣ ।

 

ଏହା କହି ଗାଣ୍ଡିବକୁ ତଳେ ପକାଇଦେଇ ବସିପଡ଼ିଲେ ଅର୍ଜ୍ଜୁନ । ତାଙ୍କ କାନ୍ଧରେ ହାତରଖି କହିଲେ ପାର୍ଥ-ସାରଥି, ତୁମେ ଜ୍ଞାନୀ ବୋଲି ମୁଁ ଜାଣିଥିଲି, କିନ୍ତୁ ଏ ତ ଜ୍ଞାନର କଥା ନୁହେଁ । ତୁମେ ନିର୍ବୋଧ ପରି କଥା କହୁଛ । ତୁମେ ଭୁଲିଯାଉଛ ଯେ ତୁମେ କେହି ନୁହଁ, କେବଳ ନିମିତ୍ତ ମାତ୍ର । ଏମାନେ ନିଜ ନିଜ କର୍ମଦ୍ୱାରା ନିଜର ଭାଗ୍ୟ ସ୍ଥିର କରି ସାରିଚନ୍ତି । ଏମାନେ ମୋ ଆଖିରେ ନିହତ ହୋଇସାରିଚନ୍ତି । ତୁମେ କେବଳ ଅସ୍ତ୍ରଧାରଣ କରି ଲୌକିକ କର୍ତ୍ତବ୍ୟ ସଂପାଦନ କର । କର୍ମରେ ତୁମର ଅଧିକାର; ଫଳରେ ନୁହେଁ । ଯୋଗସ୍ଥ ହୋଇ କର୍ମକର ।

 

ରଣ ଦୁନ୍ଦୁଭି ବାଜିଉଠିଲା । ଯୁଦ୍ଧ ଲାଗିଗଲା । ଦୁଇ ପାଖରେ ସେନା ଏବଂ ସେନାପତିମାନେ ପରସ୍ପରକୁ ନିଃଶେଷ କରି ନିଜର ପତାକା ଉଡ଼ାଇଦବା ପାଇଁ ଝାସଦେଲେ ରଣକ୍ଷେତ୍ରରେ ।

 

ସୂଚ୍ୟଗ୍ର ମେଦିନୀ ଦବାପାଇଁ ରାଜି ହଉନଥିବା ମଣିଷଟା ହଠାତ୍‌ ନିଜ ପାଇଁ ଟିକେ ନିରାପଦ, ନିର୍ଭୟ ସ୍ଥାନ ସଂରକ୍ଷିତ କରିନପାରି ପଦ୍ମାଳୟାଙ୍କ କୋଳରେ ଆଶ୍ରୟ ନେଲା ଯାଇ; କିନ୍ତୁ ରଣ ଦୁନ୍ଦୁଭି ଶୁଣି ରହିପାରିଲା କୋଉଠି ?

 

ଦୁର୍ଯ୍ୟୋଧନର ଊରୁଭଙ୍ଗ ପରେ ଭୂଇଁ ଉପରେ ପଡ଼ିଯାଇ ମାଟିର ଗନ୍ଧକୁ ଆଘ୍ରାଣ କଲା ମହାମାନୀ ।

 

ଏଡ଼େ ସୁନ୍ଦର ବସୁନ୍ଧରା ଗନ୍ଧ । ଏହି ମାଟିକୁ ଛାଡ଼ି ସେ ଯାଇ ପାରିବ ସ୍ୱର୍ଗକୁ ? ନା, ନା, ନା ।

 

ସେ କହିଲା, ମୋତେ ଥରେ ନୁହଁ ବହୁବାର ଆସିବାକୁ ହବ ଏହି ପୃଥିବୀକୁ । ଏହାର ଆକର୍ଷଣ ଦୁର୍ଲଂଘ୍ୟ, ପ୍ରଲୋଭନ ଅସୀମ ।

 

ଥରେ ନୁହେଁ, ସହସ୍ରବାର ଜନ୍ମହେଲା ଦୁର୍ଯ୍ୟୋଧନ । ସହସ୍ରବାର ତାର ମୃତ୍ୟୁବି ହେଲା-

 

କିନ୍ତୁ ଜନ୍ମ ଏବଂ ମୃତ୍ୟୁ ମଧ୍ୟରେ ସୀମାବଦ୍ଧ ହୋଇ ରହିଲା ନାହିଁ ଏହି ଇତିବୃତ୍ତ । ଇତିହାସ ହୋଇଗଲା ସବୁ । ଇତିହାସର କଥା ଓ ଚରିତ୍ରଗୁଡ଼ିକ ମନେଦେଇ ପଢ଼େ ମନୁ ଏବଂ ମନକୁ ମନ ମଣିଷକୁ ସବୁ କାଳରେ, ସବୁ ସମୟରେ ଦିଆଯାଇଥିବା ଗୋଟିଏ ପ୍ରତିଶ୍ରୁତିକୁ ମନେପକାଇ କହେ, ମଣିଷ କେବେ ସୁଖୀ, ସମୃଦ୍ଧ ଏବଂ ସମ୍ପୂର୍ଣ୍ଣ ହେବ, ସେହି ପଥ ଆହୁରି କେତେ ଦୂର, ସେହି ସମୟ ଆସିବା ପାଇଁ ଆହୁରି କେତେ କାଳ ବାକି !

 

ରାତି ବହଳ ହବାକୁ ଲାଗିଲା । ସୁଡ଼ଙ୍ଗ ଭିତରେ ଅନ୍ଧକାର । ଆଲୋକର କୌଣସି ସଂକେତ ପାଇଲାନାହିଁ ମନୁ । ଅଣନିଃଶ୍ୱାସୀ ହୋଇ ଧାଇଁଲା ସେ । କେତେ ଦେଶ ଅତିକ୍ରମ କଲା, କେତେ ନଦନଦୀ, ପାହାଡ଼ ଓ ପର୍ବତ ପାରିହେଲା; କିନ୍ତୁ ସେହି ଆନନ୍ଦ ଏବଂ ଆଲୋକର ରାଜ୍ୟରେ ପହଞ୍ଚି ପାରିଲା ନାହିଁ ।

 

କିଏ ଯେପରି ଡାକୁଥିଲା । କାନଡ଼େରି ଶୁଣିବାକୁ ଚେଷ୍ଟା କଲା ସେ । ଅସ୍ପଷ୍ଟ ହେଲେ ବି କାହାର କଣ୍ଠସ୍ୱର ଭାସି ଆସୁଥିଲା ଅନ୍ଧକାରର ଗର୍ଭରୁ । କିଏ ଆବୃତ୍ତି କରୁଥିଲା—ଏଇ ଅନ୍ଧକାର ପରେ ଆଲୋକ ଓ ଆନନ୍ଦର ରାଜ୍ୟ । ଶୁଣ ଅମୃତର ପୁତ୍ରଗଣ ! ତୁମ୍ଭମାନଙ୍କ ସମ୍ମୁଖରେ କର୍ମବନ୍ଧନ ଏବଂ କର୍ମମୁକ୍ତିର ଦୁଇଟି ପଥ । ଗୋଟିଏ ଅନିଶ୍ଚିତ ଓ ଅବସାଦପୂର୍ଣ୍ଣ; କିନ୍ତୁ ଅନ୍ୟଟି ପ୍ରଦୀପ୍ତ ଏବଂ ନିଶ୍ଚିତ, ନୈରାଶ୍ୟବର୍ଜିତ । ଗୋଟିକୁ ନିର୍ବାଚନ କର ।

 

ବାହାରକୁ ଯିବାର ପଥ ନପାଇ ମଣିଷ ପଚାରିଦେଲା, ପଥ କାହିଁ ? ପଥ କାହିଁ ? ସେହି ପଥ କେଉଁଠାରେ, ସେହି ଲକ୍ଷ୍ୟସ୍ଥଳ କୋଉଠି ?

 

ସେହି ପଥ ଦେଖାଇଦବା ପାଇଁ ଅନେକ ଆଚାର୍ଯ୍ୟ ଆସିଲେ । ହାତ ଧରି କଢ଼େଇ ନବାପାଇଁ ଜନ୍ମନେଲେ ଅନେକ ଗୁରୁ, ସନ୍ଥ, ଜ୍ଞାନୀ, ଗୁଣୀ ଓ ଦାର୍ଶନିକ ।

 

କେହି କିନ୍ତୁ ମାନବ ମନର ରହସ୍ୟ ମୋଚନ କରିପାରିଲେ ନାହିଁ । ସେ ପୂର୍ବାପେକ୍ଷା ଅଧିକ ରହସ୍ୟାବୃତ, ଅଧିକ ଜଟିଳ ହୋଇ ରହିଗଲା । ଅନେକ ଦର୍ଶନ, ଅନେକ ମାର୍ଗ ଆଖିଆଗରେ ପ୍ରହେଳିକା ସୃଷ୍ଟି କଲା ।

 

ତ୍ୟାଗରେ ହିଁ ମୁକ୍ତି—ଘୋଷଣା କଲା ଜଣେ ।

 

ଭୋଗରେ ହିଁ ଶାନ୍ତି—ଆଉ ଜଣେ କହିଲା ।

 

ଟିକିଏ ଶାନ୍ତି ପାଇଁ ଦଉଡ଼ୁଥିବା କ୍ଳାନ୍ତ ମଣିଷ ହଠାତ୍‌ ଉନ୍ମତ୍ତ ପରି ଧାଇଁଲା ଟିକେ ଭୋଗକରି ଟିକେ ଶାନ୍ତି ପାଇବାପାଇଁ । କୀଟ, ପତଙ୍ଗ ପରି ସମୟ ଓ ଋତୁର ଅପେକ୍ଷା ନକରି ସଂଭୋଗ ଉଲ୍ଲାସରେ ସେ ଦେଖିଲା ସୃଷ୍ଟିର ସୁଷମା । ସଂଖ୍ୟା ବଢ଼ି ଚାଲିଲା । ସଂଯମ, ଶୃଙ୍ଖଳା ତ୍ୟାଗକରି ମୁକ୍ତଭୋଗରେ ପରମ ଶାନ୍ତିର ଠାବକରିବା ପାଇଁ ପାଗଳ ପରି ସେ ଛୁଟିଲା ।

 

ଶାନ୍ତି ସ୍ଥାୟୀ ନା ଅସ୍ଥାୟୀ, ଚିରନ୍ତନ ନା ଅଳୀକ, ସତ୍ୟ ନା ଛଳନା, ଦୃଷ୍ଟ ନା ଅଦୃଷ୍ଟ ? ସେହି ଶାନ୍ତିର ଉତ୍ସ କେଉଁଠାରେ ? ସେହି ସତ୍ୟ କେଉଁଠି, ତାର ସ୍ୱରୂପ କଅଣ ? ସତ୍ୟ ଓ ଶାନ୍ତିକୁ ଅର୍ଜନ କରିବା ପାଇଁ ମଣିଷକୁ ଆଉ କେତେଦିନ ଦୁର୍ଗମ ପଥ ଚାଲିବାକୁ ହେବ, ପ୍ରଲୋଭନକୁ ଏଡ଼ି ପ୍ରହେଳିକା ପଛରେ ଗୋଡ଼େଇବାକୁ ପଡ଼ିବ ? କିଏ କହିଦବ ସେହି ଆଗାମୀ ସମ୍ଭାବନାର କଥା ? ସେହି ସମ୍ଭାବନାକୁ ସମ୍ଭବ କରିବା ପାଇଁ କିଏ କରିବ ଉଦ୍ୟମ, ତ୍ୟାଗ ଏବଂ ତପସ୍ୟା ?

 

ଅନେକ ବାଦ, ଅନେକ ବିବାଦ ।

 

ମୂହ୍ୟମାନ ହୋଇ ମୁହିଁମାଡ଼ି ପଡ଼ିରହେ ଅତି ସାଧାରଣ ମଣିଷ ।

 

ମନରେ ନିଜର ସ୍ଥିତି ବିଷୟରେ ସଂଶୟ ହୁଏ । ସେ ମନକୁ ମନ ପଚାରେ, ମଣିଷ ସତ୍ୟ ନା ମିଥା । ଜଗତ ସତ୍ୟ ନ କଳ୍ପନା ?

 

ଏପରି ଏକ ଅନୁପମ ଅନିର୍ବଚନୀୟ ଲାବଣ୍ୟମୟ ବିଶ୍ୱଜଗତ କଅଣ ମିଥ୍ୟା ? ସତ୍ୟ କଅଣ ମିଥ୍ୟାକୁ ସୃଷ୍ଟି କରିପାରେ ? ମିଥ୍ୟ କଅଣ ସତ୍ୟକୁ ଆଶ୍ରୟ କରି ବୃଦ୍ଧିପାଏ ? ନା, ନା, ନା–ଅସମ୍ଭବ–ସବୁ ତର୍କ, ସବୁ ତର୍ଜମା ଅବାନ୍ତର ।

 

ସବୁ ବାଦର ଅନ୍ତର୍ବିବାଦରେ ମୂହ୍ୟମାନ ପୃଥିବୀ ।

 

ମଣିଷ ସତ୍ୟ ନା ମିଥ୍ୟା ?

 

ଏହି ଚରାଚର ସୁନ୍ଦର ବିଶ୍ୱଜଗତ କଅଣ ମିଥ୍ୟା, ଏହା କଅଣ ଛଳନା ? ମିଥ୍ୟାକୁ କିଏ ସୃଷ୍ଟିକଲା ! ସତ୍ୟ କଅଣ ମିଥ୍ୟାର ଜନକ ? ଅସମ୍ଭବ ।

 

ବଡ଼ ଗୋଳମାଳରେ ପଡ଼ିଗଲା ମନୁ । କିଛି ସ୍ଥିର କରିପାରିଲା ନାହିଁ । କେଉଁ ପଥଟା ଭୁଲ୍‌ ଏବଂ କେଉଁଟା ଠିକ୍‌ କିଏ କହିଦବ ? ଏହି ଅନ୍ଧାର ଭିତରୁ ବାହାରକୁ ଯିବାପାଇଁ ପଥ ଦେଖାଇ କିଏ ଆଲୋକବର୍ତ୍ତିକାଟିଏ ଜାଳିଦବ ?

 

ମନ୍ଦିର, ମସ୍‌ଜିଦ୍‌, ଗୀର୍ଜୀ ପାଖରେ ଛିଡ଼ାହୋଇ ପାଗଳ ପରି ପ୍ରଶ୍ନ କରେ ସେ, ଏଡ଼େ ସୁନ୍ଦର ଐଶ୍ୱର୍ଯ୍ୟମୟ ବିଶ୍ୱ ଥିବାବେଳେ ତୁମେ ଏଇ ଘେରି ଭିତରେ ବନ୍ଦି ହେଲ କାହିଁକି ? ତୁମର ଦେଖା ଏବଂ ସଙ୍ଗ କଅଣ ଏହି ବେଢ଼ା ଭିତରେ ଆବଦ୍ଧ ? ତୁମ ସହିତ ସାକ୍ଷାତ ପାଇଁ ଭେଟି, ଧୂପ-ଦୀପ ଏବଂ ଅନୁମତିପତ୍ରର ପ୍ରୟୋଜନ ?

 

ସେହି ଭେଟି ମୁଁ କୋଉଠୁ ଆଣିବି ?

 

ସେହି ଅନୁମତିପତ୍ର ମୋତେ କିଏ ଦେବ ?

 

ଗୋଟିଏ କଣ୍ଠ ଘୋଷଣା କଲା, ମୁଁ ବଞ୍ଚିବାର ମନ୍ତ୍ର କହିଦେବି, ତୁମେ ମୋତେ ଅନୁସରଣ କର ।

 

ମନୁ କହିଲା, ତୁମେ କିଏ ? ତୁମର ପରିଚୟ କଅଣ ?

 

ସେ ବନ୍ଧୁତ୍ୱର ହାତ ବଢ଼ାଇଦେଇ କହିଲା, ମୋତେ ଆଜିଯାଏ ଚିହ୍ନିନ ? ମୁଁ ତୁମର ପ୍ରତିନିଧି । ମୁଁ ତୁମର ନେତା । ତୁମେ ଅନ୍ଧାର ଭିତରେ ସଢ଼ୁଛ, ଦାରିଦ୍ର୍ୟ ସହି ସହି ମରୁଛ, ବଞ୍ଚିବାର ସ୍ୱପ୍ନ ଦେଖି ଦାସତ୍ୱ ବରଣ କରୁଛ । ମୁଁ ଏ ସବୁଥିରୁ ତୁମକୁ ମୁକ୍ତ କରିବି । ତୁମେ ମୋ ନାମ ସ୍ମରଣ କର, ମୋ ପତାକା ଧରି ଚାଲ, ମୋର ଜୟଧ୍ୱନି କର । ମୋର ବିଜୟରେ ତୁମର ବିଜୟ । ତୁମର ଅଧିକାରକୁ ସାବ୍ୟସ୍ତ କରିବା ମୋର କର୍ତ୍ତବ୍ୟ । ତୁମକୁ ସୁଖୀ ଓ ସମୃଦ୍ଧ କରିବା ପାଇଁ ମୁଁ ଅଙ୍ଗୀକାରବଦ୍ଧ । ତୁମର ସ୍ୱାଧୀନତାକୁ ଅକ୍ଷୁଣ୍ଣ ରଖିବା ମୋର ନୀତି । ତୁମର ଚେତନା ଏବଂ କର୍ତ୍ତବ୍ୟବୋଧ ହିଁ ମୋର ଶକ୍ତି । ତୁମେ ନିଃସଙ୍କୋଚରେ ସଂଶୟ ନରଖି ମୋତେ ଅନୁସରଣ କର-

 

ମନୁ ତା ସାଙ୍ଗରେ ଆଗେଇଯିବା ପାଇଁ ପାଦ ବଢ଼ାଇବା ବେଳକୁ ତାକୁ ରୋକିନେଇ ଆଉ ଜଣେ କହିଲା, ସଂଖ୍ୟାଗରିଷ୍ଠର ଦାସ ହୋଇ ରହିବ ନା ସର୍ବହରା ପ୍ରଭୁତ୍ୱ ଭୋଗ କରିବ ? ସର୍ବହରା ହିଁ ଶକ୍ତିର ଉତ୍ସ । ସେହି ସର୍ବଶକ୍ତିମାନ୍‌ । ଶୋଷଣମୁକ୍ତ ସମାଜ ପାଇଁ ତୁମର ସମ୍ପୂର୍ଣ୍ଣ ସମର୍ପଣ ଲୋଡ଼ା । ଲକ୍ଷ୍ୟସାଧନ ପାଇଁ ଅକୁଣ୍ଠ ଏବଂ ଏକାଗ୍ର ବିଶ୍ୱାସ ଆବଶ୍ୟକ । ତର୍କ ନକରି ତୁମେ ମୋ କଥା ମାନିନିଅ । ମୋର ଘୋଷଣା ବେଦବାକ୍ୟ ପରି ସତ୍ୟ । ମୁଁ ତୁମର ସାଥୀ, ମୋତେ ଶକ୍ତି ଦିଅ । ସମର୍ଥନ କର । ମୋର ପତାକା ତୁମର ପତାକା । ବିପ୍ଳବ ମୋର ବୀଜମନ୍ତ୍ର ।

 

ମନୁ ଭ୍ରମରେ ପଡ଼ିଗଲା ।

 

ଗୋଟିଏ ପାଖରେ ସ୍ୱାଧୀନତା ଏବଂ ସମୃଦ୍ଧିର ପ୍ରତିଶ୍ରୁତି, ଅନ୍ୟ ପାଖରେ ସମୃଦ୍ଧି ଏବଂ ସର୍ବହରାର ସାମ୍ରାଜ୍ୟ । କେଉଁଟି କାମ୍ୟ ? କେଉଁଠାରେ ତାର ଚରମ ବିକାଶ ନିହିତ । କେଉଁଟି ଠିକ୍‌ ଏବଂ କେଉଁଠି ଭୁଲ୍‌ ?

 

ସେ ନିର୍ଭୁଲି ସିଦ୍ଧାନ୍ତରେ ଉପନୀତ ହବାପାଇଁ ଅନେକ ବହି ଅଧ୍ୟୟନ କଲା, ବହୁ ଦର୍ଶନର ତର୍ଜମା କଲା । ବହୁ କର୍ମଶାଳାରେ ଯୋଗଦେଲା ।

 

ସାତସାଗରେ ତେରନଦୀରେ ବୁଦ୍‌ବୁଦ ସୃଷ୍ଟିକରି ଦୁନ୍ଦୁଭି ବଜାଇଲା ଆର୍ଯ୍ୟପୁତ୍ର ।

 

ଏଇ ବସୁନ୍ଧରା କେବଳ ଆର୍ଯ୍ୟପୁତ୍ରର । ଅନାର୍ଯ୍ୟର ବଞ୍ଚିବାର ଅଧିକାର ନାହିଁ । ସବୁ ରାଜ୍ୟ, ସବୁ ସଂପତ୍ତି ଆର୍ଯ୍ୟର ସମ୍ଭୋଗ ପାଇଁ । ଆର୍ଯ୍ୟ ହିଁ ଶୁଦ୍ଧ ଲାଲ ଶୋଣିତର ଅଧିକାରୀ ଆଉ ସବୁ ଶୋଣିତ ପୀତ, ଅପରିଷ୍କୃତ ।

 

ଗଣତନ୍ତ୍ର, ସମାଜବାଦ ମଧ୍ୟରେ ଚାଲିଥିବା ଦ୍ୱନ୍ଦ୍ୱ କିଛି ସମୟ ପାଇଁ : ନୀରବ ହୋଇଗଲା ।

 

ରଣଦୁନ୍ଦୁଭି ବଜାଇ ଅଟ୍ଟହାସ୍ୟ କରି ଆଗେଇ ଚାଲିଲା ସର୍ବାଧିନାୟକ ।

 

ରାଜ୍ୟ ପରେ ରାଜ୍ୟ ଟଳିପଡ଼ିଲେ । ଶାସନ ପରେ ଶାସନ ଶରଣ ପଶିଲେ । ମଣିଷ ସୁଖ ଓ ସମୃଦ୍ଧି ପାଇଁ ତିଆରି ହୋଇଥିବା ଅନେକ କୋଠାବାଡ଼ି, ରାସ୍ତାଘାଟ, ଚିକିତ୍ସାଳୟ, ବିଦ୍ୟାଳୟ ଏବଂ ପ୍ରମୋଦ ଭବନ ଏବଂ ପରମାର୍ଥ ସଦନ ଧୂଳିସାତ୍‌ ହୋଇଗଲା ।

 

ହାତରେ ହତିଆର ଧରି ଆଉ ସଂଗ୍ରାମ ହେଲାନାହିଁ । ଯନ୍ତ୍ର ସାହାର୍ଯ୍ୟରେ ଜଳ, ସ୍ଥଳ, ଆକାଶ ତିନି ଲୋକରେ ଲଢ଼ିଲା ମଣିଷ । ଆର୍ତ୍ତନାଦ କରି ନିଜର ଲୁହକୁ ନିଜେ ଚାଖିଲା ସାଧାରଣ ମଣିଷ ।

 

ମନୁ କ୍ଳାନ୍ତି ଅପନୋଦନ ପାଇଁ ଟିକେ ଶୋଇବା ପାଇଁ ନିରୋଳା ଜାଗାଟିଏ ଖୋଜିଲା, ପାଇଲାନାହିଁ ।

 

ନିର୍ଦୋଷ, ନିର୍ଭେ ଜାଲ ମୁଠେ ଖାଦ୍ୟ, ଆଞ୍ଜୁଳାଏ ପାଣି ଖୋଜିଲା, ପାଇଲା ନାହିଁ ।

 

ନିର୍ମଳ, ମୁକ୍ତବାୟୁ ସେବନ କରିବାପାଇଁ ଗୋଟେ ଖୋଲା ଜାଗା ପାଇଲା ନାହିଁ ।

 

ସବୁଠାରେ ଯୁଦ୍ଧ, ସବୁଠାରେ ଯୁଦ୍ଧର ପ୍ରସ୍ତୁତି; ସବୁଠାରେ ଛଳନା ଅବିଶ୍ୱାସ, ଶତ୍ରୁତା, ଘୃଣା ଏବଂ ଶଠତାର ବିସ୍ତୃତି ।

 

ସବୁ ଖାଦ୍ୟ ସରିଯିବ ବୋଲି ଗୋପନରେ ଗନ୍ତାଘରେ ସାଇତି ରଖିଲା ମଣିଷ । ସବୁ ଦୁଧ ସରିଯିବ ବୋଲି ତହିଁର ପାଣି ମିଶାଇଦେଲା ।

 

ଚାଉଳ ସହିତ ଗୋଡ଼ି, ଅଟା ସହିତ ମକାଗୁଣ୍ଡ; ଔଷଧ ସହିତ ପାଣି ମିଶାଇ ଚଳାଇଦେଲା ବଜାରରେ ।

 

କେବଳ ସାମ୍ରାଜ୍ୟ ନୁହେଁ, ଅର୍ଥ ମଧ୍ୟ ପ୍ରୟୋଜନ । ଆବଶ୍ୟକ ପ୍ରତିପତ୍ତି ।

 

ଯୁଦ୍ଧ ଭୂଇଁରେ ମରୁ ମରୁ ବଞ୍ଚିଯାଇଥିବା ମଣିଷମାନଙ୍କର ଲୋଭ, ଶଠତା, କ୍ରୂରତା ଦେଖି ଅବାକ୍‌ ହୋଇଗଲା ମନୁ ।

 

ଯୁଗ ଯୁଗ ଧରି ମଣିଷକୁ ଦିଆଯାଇଥିବା ନୀତି ଓ ନିୟମ ହଠାତ୍‌ ଯୁଦ୍ଧର ଧ୍ୱଂସସ୍ତୂପ ତଳେ ଚାପି ହୋଇଗଲା । ଦୟା, କ୍ଷମା ଦାନ, ତପ ସ୍ନେହ ଓ ପ୍ରେମ ପ୍ରଭୃତି ସୁକୁମାର ସଦ୍‌ଗୁଣଗୁଡ଼ିକ ଧ୍ୱନିରେ ମିଶିଗଲେ । ପ୍ରତ୍ୟେକ ସ୍ଥାନରେ କ୍ରୁଶବିଦ୍ଧ ହେଲା ନଗଣ୍ୟ ନଗ୍ନ ପଥଚାରୀ-

 

କୋଟି କୋଟି ମଣିଷଙ୍କର ଦୀର୍ଘଶ୍ୱାସ ତାକୁ ଅଟକାଇ ଦେଲା ଯେପରି । ଅଗ୍ରଗତିରେ ବାଧାପଡ଼ିଲା ଆର୍ଯ୍ୟପୁତ୍ରର ।

 

ଆର୍ଯ୍ୟ ସାମ୍ରାଜ୍ୟ ସିନା ପ୍ରତିଷ୍ଠା ହୋଇପାରିଲାନାହିଁ, ଅନାର୍ଯ୍ୟମାନଙ୍କୁ ମଧ୍ୟ ନିସ୍ତାର ମିଳିଲାନାହିଁ ।

 

ବିପ୍ଳବର ଜୟଗାନ କରି ଦଳ ଦଳ ନାରୀ ଓ ପୁରୁଷ, ବୃଦ୍ଧ ଓ ଯୁବକ, ଶ୍ରମିକ ଓ ଛାତ୍ର ଆଗେଇ ଆସିଲେ ଟାଣୁଆ ଖରାରେ, ଝଡ଼ବର୍ଷାରେ ଏବଂ ପ୍ରବଳ ଶୀତରେ ।

 

ଡାକବାଜି ଯନ୍ତ୍ରରୁ କିଏ ଜଣେ ଘୋଷଣା କଲା, ମୋତେ ଚିହ୍ନିପାରୁନ ? ମୁଁ ମରିନାହିଁ; ମୁଁ ଆହତ ହେଲେ ବି ମରିନାହିଁ । ମୁଁ ଗଣତନ୍ତ୍ର । ତୁମର ଶୁଭାକାଂକ୍ଷୀ । ମୋର ପଥ ହିଁ ତୁମର ପଥ-। ମୋ ସାଙ୍ଗରେ ଗଲେ ତୁମର ଲକ୍ଷ୍ୟ ପୂର୍ଣ୍ଣ ହେବ । ସବୁ ପ୍ରତିଶ୍ରୁତି ପାଳନ କରାଯିବ । ତୁମେ ହବ ମୁକ୍ତ, ମାର୍ଜିତ ଓ ସମୃଦ୍ଧ ମଣିଷ । ତୁମର ନିଜସ୍ୱ ମହିମାରେ ତୁମେ ପ୍ରଦୀପ୍ତ ହବ । ତୁମେ ଆଉ ରୁଗ୍‌ଣ, ଅଥର୍ବ, ଅସହାୟ ହୋଇ ରହିବନାହିଁ । ରାଷ୍ଟ୍ର ତୁମର ସୁଖ ପାଇଁ ଉତ୍ସର୍ଗ କରିବ ନିଜକୁ-। ତୁମର ଚାଳିତ ନହୋଇ ଚାଳକ ହବ । ତୁମେ ହିଁ ଶକ୍ତିର ଉତ୍ସ । ଉଠ, ଅଗ୍ରସର ହୁଅ । ମୁଁ ତୁମର ନେତା, ତୁମେ ମୋର ଜୟନାଦ କର ।

 

ପାର୍କ ସେପାଖର ରାସ୍ତାରେ ବିରାଟ ପଟୁଆର । ମାର୍ଚ୍ଚ କରୁଛନ୍ତି ଦଳେ ଯୁବକ । ଡାକବାଜି ଯନ୍ତ୍ର ଯୋଗେ ଘୋଷଣା କରୁଚି ଆଉ ଜଣେ, ଏହି ଗଣତନ୍ତ୍ର ଶୋଷଣର ଏକ ଅସ୍ତ୍ର, ଏଥିରେ ଶୋଷକର ସମୃଦ୍ଧି, ଶୋଷିତର ନୁହେଁ । ଆଗରେ ଆମର ସାମ୍ରାଜ୍ୟ, ସୁଖ, ସମୃଦ୍ଧି ଏବଂ ସାମ୍ୟ ଅପେକ୍ଷା କରୁଚି ସେଠାରେ । ମଶାଲ ଜଳୁଚି ଦେଖ । ସେହି ଦିଗକୁ ଆଗେଇ ଆସ ।

 

ମନୁ ଏପାଖ ସେପାଖ ହୋଇ ହଠାତ୍‌ ଗୋଟେ ପଟୁଆରରେ ମିଶିଗଲା । ସେ ସେମାନଙ୍କ ସହିତ ସ୍ଲୋଗାନ ଦେଲା, ମୁଁ ତୁମକୁ ଅନୁସରଣ କରିବି, ତୁମର ପତାକା ବୋହିବି, ତୁମର ଜୟ ହେଉ, ତୁମେ ଅମର ହୁଅ..... ।

 

ସେହିଦିନୁ ପତାକା ବୋହି ଚାଲିଚି ମନୁ, ପଥ ସରୁ ନାହିଁ, ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିନାହିଁ । ପଟୁଆର ଆହୁରି ଲମ୍ୱ ହୋଇଚି, ସ୍ଲୋଗାନର ସଂଖ୍ୟା ବୃଦ୍ଧି ପାଇଚି । ଅଜସ୍ର ଶୋଭାଯାତ୍ରା । ଗୋଟିକରେ ଚାଲୁଁ ଚାଲୁଁ ଆଉ ଗୋଟିକରେ ପାଦ ପଡ଼ିଯାଇଚି ।

 

ଏହି ଶୋଭାଯାତ୍ରାର ଶେଷ ନାହିଁ ।

 

ଏହି ପଟୁଆରର ଅନ୍ତ ନାହିଁ ।

 

ମଣିଷ ଚାଲିଚି ଗୋଟିଏ ଲମ୍ୱ, ଅଖଣ୍ଡ ଶୋଭାଯାତ୍ରାରେ । ପ୍ରାଗ୍‌ ଐତିହାସିକ ଯୁଗଠାରୁ ଆରମ୍ଭ ହୋଇଥିବା ସେହି ଶୋଭାଯାତ୍ରା ପ୍ରସ୍ତର ଓ ଅଗ୍ନିଯୁଗ ଅତିକ୍ରମ କରି ଅଗ୍ରସର ହୋଇଚି ସିନା, ଏଯାଏ କଳ୍ପିତ ସାମ୍ରାଜ୍ୟରେ ପହଞ୍ଚି ପାରିନାହିଁ ।

 

ଶୋଭାଯାତ୍ରା ଚାଲିଚି ।

 

ନୂଆ ନୂଆ ସ୍ଲୋଗାନରେ କମ୍ପି ଉଠୁଚି ଆକାଶ ।

 

ଅସଂଖ୍ୟ ମଣିଷଙ୍କର ଶୋଭାଯାତ୍ରା ।

 

ରାସ୍ତା ଆହୁରି ସରୁନାହିଁ କାହିଁକି ? ଆହୁରି କେତେଦୂର ଯିବାକୁ ହେବ ? ଆହୁରି କେତେ ଶ୍ରମ, ନିର୍ଯାତନା ଏବଂ ଦୁର୍ଭୋଗ ଭୋଗ କରିବାକୁ ହେବ ? କେବେ ସେ ବଞ୍ଚିତ ନହୋଇ ବଞ୍ଚିବ ସୁସ୍ଥ, ସୁଖୀ ଏବଂ ସମ୍ପୂର୍ଣ୍ଣ ଭାବରେ ?

 

କେନ୍ଦେରା ବଜାଇ ଯୋଗୀ ଜଣେ ଗୀତ ଗାଇ ଗାଇ ଚାଲି ଯାଉଥିଲା ଏ ମାର୍ଗର ବି ସୀମା ଅଛି, ଏହାର ବିଶେଷ ଅଛି । ଏଥିରେ ବି ଅପୂର୍ଣ୍ଣତା ଅଛି । ଅନ୍ୱେଷଣ କର—ଆଗରେ ଆହୁରି ଏକ ଉଜ୍ଜ୍ୱଳ ଏବଂ ଆଲୋକିତ ନୂତନ ସାମ୍ରାଜ୍ୟ । ତାହା ସମ୍ପୂର୍ଣ୍ଣ ଏବଂ ସମନ୍ୱିତ ମଣିଷର । ତୁମେ ଅଗ୍ରସର ହୁଅ ।

 

କ୍ଳାନ୍ତିସତ୍ତ୍ୱେ କ୍ରମଶଃ ଉତ୍ତେଜିତ ହୋଇଥିଲା ମନୁ । କେତେ ହଜାର ବର୍ଷ ତଳେ ଯେଉଁ ତାରିଖରୁ ସେ ଯାତ୍ରାରମ୍ଭ କରିଥିଲା ଏକ ଅମୃତ ଲଗ୍ନରେ, ସେ ଯାତ୍ରା ଶେଷ ଏଯାଏ ହେଉନାହିଁ । ଗ୍ରହରୁ ଗ୍ରହାନ୍ତର ସେ କେବଳ ଭ୍ରମୁଛି ମାତ୍ର । ଭ୍ରମରେ ଭ୍ରମିବା କଅଣ ଅମୃତପୁତ୍ରର ଶେଷ ପରିଣତି ? ଏହାହିଁ ତାହେଲେ ସେହି ପ୍ରଥମ ପ୍ରତିଶ୍ରୁତି ଶେଷଧ୍ୱନି ?

 

ଦୈର୍ଘ୍ୟର ସୂଚନା ଦେଇ ରାସ୍ତାକଡ଼ରେ ନିର୍ଦ୍ଦିଷ୍ଟ ସ୍ଥାନରେ ଥିବା ମାଇଲଖୁଣ୍ଟ ପରି ମଣିଷର ମହାନ୍ ଯାତ୍ରାପଥରେ ଅନେକ ଗୁଡ଼ିଏ ଛାଡ଼ି ମାଇଲ ଖୁଣ୍ଟର ଅବସ୍ଥିତି ଜଣାଇ ଉଜ୍ଜ୍ୱଳି ଉଠିଛି ଇତିହାସପୃଷ୍ଠାରେ କେତେଗୁଡ଼ିଏ ଅବିସ୍ମରଣୀୟ ତାରିଖ ।

 

ଶେଷ ତାରିଖ ପାଖରେ ଝୁଣ୍ଟିପଡ଼ିଲା ମନୁ । ହୁଏତ ପଡ଼ିଯାଇ କ୍ଷତବିକ୍ଷତ ହୋଇଥାଆନ୍ତା—କିନ୍ତୁ ବର୍ତ୍ତିଗଲା ସେ । ଜଗନ୍ନାଥଙ୍କ ବଳିଆରଭୁଜ ତୋଳିନେଲା ତାକୁ ଗୋଟେ ଫୁଲପରି ।

 

ପରମ ଆଶ୍ୱାସନାରେ ଆଖି ମୁଦିଲା ମନୁ । ପିଆନୋର କୋମଳ, ସୁକୁମାର ରାଗଟିଏ ଧୀରେ ଧୀରେ ସଞ୍ଚିରିଗଲା ମାତୃବନ୍ଦନା ଗାଇ ଗାଇ । ସୁଡ଼ଙ୍ଗର ଶେଷ ପ୍ରାନ୍ତରୁ ଚେନାଏ ଆଲୋକ ସହିତ ଭାସି ଆସୁଥିଲା ଏହି ବନ୍ଦନା । ସେ ଉତ୍କଣ୍ଠାର ସହିତ ଅନାଇଲା ସେହି ଦିଗକୁ ।

 

ତାକୁ ଝାଡ଼ିଝୁଡ଼ି ଦେଇ ତା’ ପିଠିରେ ସ୍ନେହର ପରଶ ଦୋଇ ମାତୃକଣ୍ଠରୁ ଝରିପଡ଼ିଲା ଅମୃତମୟ ବାଣୀ । ଶୁଭଲଗ୍ନରେ ଯେଉଁ ଯାତ୍ରା ଆରମ୍ଭ ହୋଇଚି ତାର ଶେଷ ହୋଇନାହିଁ ସତ; କିନ୍ତୁ ମଣିଷ ନିର୍ଭୁଲ ପଥରେ ଆସି ନାହିଁ ବୋଲି ଏତେ ନୈରାଶ୍ୟ ଓ ଅବସାଦ, ଅପୂର୍ଣ୍ଣତା ଏବଂ ନିର୍ଯ୍ୟାତନା । ସବୁ ପ୍ରକାଶ ଶୋଷଣ, ବୈଷମ୍ୟକୁ ଦୂରକରି ଅତିମାନସର ଅନିର୍ବଚନୀୟ ଶକ୍ତିଦ୍ୱାର ସମ୍ପୁଟିତ ହୋଇ ସମ୍ପୂର୍ଣ୍ଣ ମଣିଷ ସ୍ୱର୍ଗରାଜ୍ୟର ଆବିଷ୍କାର କରିଚି । ଏହି ଧୂଳି, ମାଟିର ପୃଥିବୀ ଏବଂ ଏଥିରେ ଆଜିଯାଏ ବାସ କରୁଥିବା ଆଦିମ ମଣିଷର ରୂପାନ୍ତର କରି ଯେଉଁ ସମ୍ପୂର୍ଣ୍ଣତା, ଶାନ୍ତି, ସମନ୍ୱୟର ସୁଷମା ଝରିବ, ତାକୁ ଧରଣକରିବା ପାଇଁ ଶକ୍ତି ସଂଗ୍ରହ କର । ସେହି ଶକ୍ତି ସାଧନାସାପେକ୍ଷ । ସେହି ସାଧନା ଅସ୍ପୃହା, ସାଧନା ଏବଂ ସମର୍ପଣଦ୍ୱାରା ସମ୍ଭବ । ଏହାହିଁ ଶକ୍ତିର ଉତ୍ସ । ପ୍ରତିଶ୍ରୁତିଦ୍ୱାରା ଆଉ ତୁମକୁ କେହି ଭୁଲାଇବ ନାହିଁ । ସମସ୍ତ ପ୍ରତିଶ୍ରୁତିକୁ ପ୍ରତିପାଳନ କରିବା ପାଇଁ ଆରମ୍ଭ ହୋଇଚି । ସେହି କାର୍ଯ୍ୟକୁ ତ୍ୱରାନ୍ୱିତ କର ।

 

ମନୁ ସର୍ବାଙ୍ଗରେ କମ୍ପନ ଅନୁଭବ କଲା । ଦ୍ୱନ୍ଦ୍ୱରୁ ମୁକ୍ତ ଏକ ପରମ ପ୍ରଶାନ୍ତି ତାର ମନ ଓ ହୃଦୟକୁ ଆଲୋକିତ କରିଦେଲା ।

 

ଅର୍ଜ୍ଜୁନର ଆଉ ବିଷାଦ ରହିଲାନାହିଁ । ପାର୍ଥସାରଥିଙ୍କର ପ୍ରତିଶ୍ରୁତି ଶୁଣିବା ପରେ ମନରୁ ସମସ୍ତ ସଂଶୟ ଦୂରକରି ସେ ଗାଣ୍ଡିବକୁ ତୋଳିନେଲା ହାତରେ, ଆରମ୍ଭ ହେଲା ନିଷ୍କାମ କର୍ମଯୋଗ-

 

ସେହି କର୍ମଯୋଗରେ ଝାସଦେଲା ମନୁ ।

 

ଭବିଷ୍ୟତ ଗର୍ଭକୁ ଲମ୍ଫ ପ୍ରଦାନକରି ନିଜକୁ ଭାଗ୍ୟବାନ୍‌ ମନେକଲା ସେ ।

 

ସେହି ଭବିଷ୍ୟତର ଗର୍ଭ ହିଁ ହିରଣ୍ୟଗର୍ଭ । ତାହାହିଁ ସଂଭାବନାମୟ ସମୃଦ୍ଧ, ସମ୍ପୂର୍ଣ୍ଣ ମଣିଷ ପ୍ରସାରିତ ସାମ୍ରାଜ୍ୟ ।

 

ମନୁ ପୁଣି ଉଦାତ୍ତ କଣ୍ଠରେ ଆବୃତ୍ତି କଲା, ହେ ଅମୃତର ପୁତ୍ରଗଣ ! ଆଳସ୍ୟ, ଅବସାଦ, ଲୋଭ, କାମ, ମାତ୍ସର୍ଯ୍ୟ ତ୍ୟାଗକରି ଏହି କର୍ମଯଜ୍ଞରେ ଝାସଦିଅ । ଅତିମାନସ ଆଉ ଅନାଗତ ହୋଇ ରହିନାହିଁ । କାର୍ଯ୍ୟ ଆରମ୍ଭ ହୋଇଚି । ପ୍ରତିଶ୍ରୁତି ପୂର୍ଣ୍ଣକରି ଜନ୍ମ ନଉଚି ନୂତନ ପରିପୂର୍ଣ୍ଣ, ପରିତୃପ୍ତ ମଣିଷ । ପରିବର୍ତ୍ତିତ ହେଉଚି ପୃଥିବୀ ।

 

ସବୁ ବାଦବିସମ୍ୱାଦ ଭୁଲିଗଲା ମନୁ । ଯେତିକି ପ୍ରୟୋଜନ ସେତିକି ପାଖରେ ରଖି ଆଉ ସବୁ ସାମଗ୍ରୀ ଅନ୍ୟମାନଙ୍କୁ ଦେଇଦେଲା । ସମସ୍ତଙ୍କ ମଧ୍ୟରୁ ସେ ଜଣେ, ଅଲଗା ନୁହେଁ । ସମସ୍ତଙ୍କ ସହିତ ପାଦକୁ ପାଦ ମିଳାଇ କାନ୍ଧକୁ କାନ୍ଧ ଲଗାଇ ଏକ ମନ ଏବଂ ଏକ ହୃଦୟ ହୋଇ ପରମ ସିଦ୍ଧି ଆଡ଼କୁ ସେ ଅଗ୍ରସର ହେଲା ।

 

ଅନ୍ଧକାର ଅପସରି ଯାଉଥିଲା । ଶେଷ ହୋଇ ଆସୁଥିଲା ସୁଡ଼ଙ୍ଗ ।

 

ବାହାରେ ରଖି ରାଶି ଆଲୋକ, ଅସରନ୍ତି ଆନନ୍ଦ ।

☆☆☆

 

ସାନ୍ତ୍ୱନା

 

ଦାଶରଥି ବାବୁଙ୍କୁ ଦେଖିଲେ ପାଗଳ ପରି ମନେହୁଏ । ବେଶଭୂଷାର ଠିକ୍‌ ନାହିଁ, ଅଣ୍ଟାରେ ଗାମୁଛାଖଣ୍ଡେ ଗୁଡ଼େଇ ହୁଅନ୍ତି ତ ମଥାରେ ପାଗ ଭିଡ଼ନ୍ତି ଆଉ ଗୋଟାକରେ । ଖାଲିଦେହ, ନଗ୍ନପାଦ । ନୁଖୁରା ବେଶ । ମୁହଁରେ କିନ୍ତୁ ହସଟି ଲିଭେନାହିଁ । ଛୋଟ ପିଲା କେହି ଥଟ୍ଟାକରିବା ପାଇଁ ଦଉଡ଼ି ଆସିଲେ ସେ ଖୁସିରେ ମିଶିଯାଆନ୍ତି ସେମାନଙ୍କ ସାଙ୍ଗରେ । ଧୂଳି ଖେଳନ୍ତି, ଦେଉଳ ତୋଳନ୍ତି ବାଲିରେ ପିଲାଙ୍କ ସାଙ୍ଗରେ । କେହି କେହି ଥଟ୍ଟା କରି କହିପକାନ୍ତି, ଲାଜ ନଥିଲେ ଲୋକେ ଏପରି ହୁଅନ୍ତି । ସତରେ ଲାଜସରମ ବୋଲି କିଛି ନାହିଁ ତାଙ୍କର । ସେ ଯେପରି ଜିତେନ୍ଦ୍ରିୟ । ଲାଜସରମ କରିବେ କାହିଁକି ଏବଂ କାହାକୁ ? ବୟସ ତ କମ୍‌ ନୁହେଁ, ସତୁରି ଟପିଲାଣି । ଦାନ୍ତ ନାହିଁ । ପାକୁଆ ପାଟିର ହସଟି ଛୋଟ ଶିଶୁର ଦରୋଟି ପରି କେତେ ଚିକ୍‌କଣ, ମନଛୁଆଁ ।

 

ମୁଁ ତାଙ୍କୁ ଯେଉଁଦିନ ଦେଖିଲି ସେହି ତାରିଖଟି ଆଉ ମୋର ମନେ ନାହିଁ; କିନ୍ତୁ ସେ ମନେ ରଖିଚନ୍ତି । ସେ କହନ୍ତି ଯେ ନୂଆ ଲୋକକୁ ଦେଖିଲେ ସମୟ ଏବଂ ତାରିଖଟା ତାଙ୍କ ମନରେ ଛାପି ହୋଇଯାଏ । ତାହା ସହିତ ଛାପି ହୋଇଯାଏ ସେହି ନୂଆ ଲୋକର ମୁହଁ, ପରିଚୟ ଏବଂ ବନ୍ଧୁତ୍ୱ । ସେ ପଚାରୁ ବା ନପଚାରୁ ସେହି ଲୋକଟିକୁ ଆଉଥରେ କୌଣସିଠାରେ ଦେଖିଲେ ଦାଶରଥି ବାବୁ ଆଗ ଓଳଗ ହୋଇ କହନ୍ତି, ନମସ୍କାର ନବା ହୁଅନ୍ତୁ । ଭଲ ଅଛନ୍ତି ତ ? ମୋତେ ଦିନେ ଏପରି କହିଦେଇ ସେ ବଡ଼ ଅଡ଼ୁଆରେ ପକେଇ ଦେଇଥିଲେ । ମୋ ସହିତ ତାଙ୍କର ଚିହ୍ନା ପରିଚୟ ହୋଇଥିଲା ଗୋଟିଏ ସଭାରେ । ମୁହୂର୍ତ୍ତକର ଦେଖାସାକ୍ଷାତ । ମୋର ମନେ ନଥିଲା । ସେ କିନ୍ତୁ ଭୁଲିନଥିଲେ । ତା’ ପରେ ଦୁଇ ତିନି ମାସ ପରେ ରାସ୍ତା ଯେତେବେଳେ ଦେଖାହୁଏ, ଅଚିହ୍ନା ଲୋକ ବୋଲି ମୁଁ ବାଟ କାଟି ଚାଲି ଯାଉଥିବାବେଳେ ସେ ଆଗକୁ ଆସି ଓଳଗି ହୋଇ କହିଲେ, ନମସ୍କାର ନବା ହୁଅନ୍ତୁ, ଭଲ ଅଛନ୍ତି ତ ? ମୁଁ ତଟସ୍ଥ ହୋଇଛିଡ଼ା ହୋଇଗଲି, ମନେ ପକେଇବାକୁ ଯାଇ ହାବୁଡ଼ିପଡ଼ି କହିଲି, କିଛି ମନେ କରିବେ ନାହିଁ । ଠିକ୍‌ କୋଉଠି ଦେଖିଥିଲି ମନେ ପଡ଼ୁନାହିଁ । ସେ କିଛି ମନେ ନକରି ମୋର ହାତ ଦୁଇଟିକୁ ଧରିପକେଇ କହିଲେ, ସେ ଦିନଟା ଭୁଲିବାର ନୁହଁ । ଆପଣଙ୍କ ପରି ଯୋଗ୍ୟଲୋକଙ୍କ ସହିତ ସବୁବେଳେ ତ ଦେଖାହୁଏନି, ଆଉ ଯଦି ଦୈବାତ୍‌ ବିଭୁକୃପାରୁ ସାକ୍ଷାତ ହୋଇଯାଏ, ସେ କଥା ମନରେ ଛାପି ହୋଇଯାଏ । ଆପଣ କିମିତ ଅଛନ୍ତି, ଆଉ ପିଲାମାନେ ? ସବୁ ଭଲଥିବେ ନିଶ୍ଚୟ ।

 

ମୁଁ ଛୋଟ ହୋଇଯାଇ କହିଲି ହଁ, ସମସ୍ତେ ଭଲ ଅଛନ୍ତି । ଆପଣଙ୍କ ପରି..... । ସେ କଥା ଛଡ଼ାଇନେଇ କହିଲେ, କେତେ କାମ, କେତେ ବ୍ୟସ୍ତତା ମୋ ପରି କେତେ ଲୋକଙ୍କୁ ଭେଟୁଥିବେ, ସମସ୍ତଙ୍କୁ ମନେରଖିବା କଅଣ ସମ୍ଭବ ? କିନ୍ତୁ ମୁଁ ବାରବୁଲା, ସତୁରି ବର୍ଷରୁ ବୁଢ଼ା । ପାଚିଲା ପତର । ଏଇନେ ଅଛି, ଏଇନେ ନାହିଁ । ଆପଣଙ୍କୁ ଭୁଲନ୍ତି କିପରି କହନ୍ତୁ ତ ? ମୋର କଡ଼େ ସୌଭାଗ୍ୟ ଯେ । ଆପଣ, ଏତେ ସମୟ ପାଆନ୍ତି ସମସ୍ତଙ୍କ କଥା ଭାବିବା ପାଇଁ, ସାନବଡ଼ ଗରିବ ଦୁଃଖୀଙ୍କ କାହାଣୀକୁ ଭାଷାରେ ରଙ୍ଗଦବା ପାଇଁ । ମୁଁ ଅକର୍ମା । କିଛି କରିପାରିଲି ନାହିଁ ।

 

ଦାଶରଥି ବାବୁଙ୍କ ସହିତ ଏଇ ସାମାନ୍ୟ ପରିଚୟରୁ କ୍ରମଶଃ ସମ୍ପର୍କ ଦୃଢ଼ ହେଲା । ଅନ୍ତରଙ୍ଗତା ବି ବଢ଼ିଲା । କ୍ରମଶଃ ମୁଁ ଜାଣିବାକୁ ପାଇଲି ଯେ ସେ ପାଗଳ ନୁହଁନ୍ତି, ଯଦିବା ତାଙ୍କର ଢଙ୍ଗଢ଼ାଙ୍ଗ ଦେଖିଲେ ପାଗଳ ବୋଲି ମନେ ହୁଏ, ସେ ଖୁବ୍‌ ଦରଦୀ । ଦେଖା ହେଲେ ଅଜଣା ଲୋକକୁ ନିଜର କରି ପକେଇ କୁହନ୍ତି, ଏତେ ଦିନ କୋଉଠି ଲୁଚି ରହିଥିଲ ଯେ.... । ମୁଁ ହତଭାଗା-। ନୋହିଲେ ଆଗରୁ ଚିହ୍ନି ନଥାନ୍ତି !

 

ଦାଶରଥି ବାବୁଙ୍କ ଘର ଠିକଣା କେହି ସଠିକ ଭାବରେ ଜାଣନ୍ତି ନାହିଁ । ତାଙ୍କୁ ପଚାରିଲେ ସେ ଆକାଶକୁ ଏବଂ ଭୂଇଁକୁ ଦେଖାଇ କୁହନ୍ତି, ଉପରେ ଆକାଶ ଆଉ ତଳେ ପୃଥିବୀ । ଏତେ ବଡ଼ ଜାଗା ପଡ଼ିଛି ମୁଣ୍ଡ ଗୁଞ୍ଜିବାପାଇଁ । ଭଗବାନଙ୍କ ରାଜ୍ୟରେ ଜନ୍ମ ନେଲେ ଆହାରବିହାରର ଅସୁବିଧା ହୁଏ ନାହିଁ । ଯିଏ ସୃଷ୍ଟି କରେ ସେ ଏ ସବୁର ଆୟୋଜନ ବି କରେ । ତାଙ୍କ କଥା ଶୁଣି ସଭିଏଁ ଆଶ୍ଚର୍ଯ୍ୟ ହୁଅନ୍ତି, ତାଙ୍କ ଠିକଣା ଜାଣିବାକୁ ଯାଇ ନିଜ ଠିକଣା ତାଙ୍କ ନୋଟବହିରେ ଲେଖିଦେଇ ଆସନ୍ତି । ସେ କହନ୍ତି, ବାରବୁଲା ବୁଢ଼ା ମୁଁ, ମୋର ଠିକଣା ମୋତେ ଅଜଣା; ବରଂ ତୁମ ଠିକଣାଟି ଦିଅ ଯେ ମୁଁ ଦରକାର ବେଳେ ଠିକ୍‌ ପହଞ୍ଚିଯିବି । ସେତେବେଳେ ଦୁଆର ବନ୍ଦ କରିଦବ ନାହିଁ ତ ?

 

ଦାଶରଥି ବାବୁ କାହାର ଦୁଆର ବନ୍ଦ ବା ଖୋଲା ଅଛି ତାହା ଦେଖିବାକୁ ଅପେକ୍ଷା କରନ୍ତି ନାହିଁ । ଦୁଆର ବନ୍ଦ ଥିଲେ ଖୋଲିବା ପାଇଁ ବେଶି ସମୟ ତ ଲାଗେନି; ବରଂ ସେ ଖୋଲିବା ପାଇଁ ଡାକ ଛାଡ଼ନ୍ତି । ଦରଜା ଖୋଲିଗଲେ ହସି ଦେଇ କହନ୍ତି, ଟିକେ ଶୋଇଥିଲ ପରା, ନିଦ ଭାଙ୍ଗିଦେଲି । କଅଣ ଆଉ କରନ୍ତି ଯେ.... । ବାଟରେ ଭିକାରିଟିଏ ପଡ଼ିଚି । ରୋଗ ଭୋଗୁଚି । କିଏ ପଚାରୁଚି କୁହ । ଯିଏ ଯାହା ଦୁଃଖରେ ଧାଇଁଚନ୍ତି । ମୋ ହାବୁଡ଼ରେ ପଡ଼ିଗଲା । ମୋତେ ଇମିତି ଅସହାୟ ଦୃଷ୍ଟିରେ ଅନେଇଲା ଯେ ମୁଁ ଆଉ ମୁହଁ ମୋଡ଼ିଦେଇ ଚାଲିଯାଇପାରିଲି କୁଆଡ଼େ-। ଶୀତ ଦିନ । ଦେହରେ କିଛି ନାହିଁ । ଥରୁଚି ବିଚରା ।

 

ନିଦ ମଳମଳ ଆଖିରେ ଦରଜା ଖୋଲିଥିବା ଲୋକଟି ଗାଳିଦେଇ ନପାରି କୁହେ, ଇମିତି ଦଉଥିଲେ ସବୁ ସରିଯିବ । ଏତେ ଲୁଗା ଆସିବ କୋଉଠୁ ? ଦବ କିଏ ? ଦାଶରଥି ବାବୁ ଦବିଯିବାର ଲୋକ ନୁହଁନ୍ତି । ସେ କୁହନ୍ତି, ଆମ ପାଖରେ ଅନେକ ବେଶି ଅଛି । ସେଇଥିରୁ ଟିକେ ଦେଇଦେଲେ ଆମର କ୍ଷତି ହବନାହିଁ; ବରଂ ସେ ବଞ୍ଚିଯିବ । ଗୋଟେ ଚଦର କି କନ୍ଥା ଦିଅନ୍ତନି ?

 

ଦାଶରଥି ବାବୁଙ୍କୁ ଚାହିଁ ଗରଗର ହୁଏ ସିନା ଲୋକଟି; କିନ୍ତୁ ମନା କରି ପାରେନାହିଁ । ଘର ଭିତରକୁ ପଶିଯାଇ ଗୋଟେ ମଇଳା ଚଦର ବା ଧୋତି ତାଙ୍କ ହାତକୁ ବଢ଼ାଇ ଦେଇ କୁହେ, ନିଅ, ନିଅ..... । ଏଇଥିରେ କିନ୍ତୁ ସବୁ ମାଘର ଶୀତ ଯିବନି.... ଆହୁରି ବେଶି ଦରକାର ହବ । ସେତେବଳେ ?

 

ଦାଶରଥି ବାବୁ ଉତ୍ତରଦବା ପାଇଁ ଅପେକ୍ଷା ନକରି ତାଙ୍କ ଶୁଭକାମନା କରି ଦଉଡ଼ନ୍ତି ସେଇ ଭିକାରଟି ପାଖକୁ । ଆହା ! କେତେ ଦୁଃଖ ଭୋଗୁଚି ବିଚରା । ଘର ବଖରାଏ ନାହିଁ ଆରାମରେ ଟିକେ ଶୋଇବାପାଇଁ । ଖାଇବାକୁ ଦାନା, ପିନ୍ଧିବାକୁ କନା ଖଣ୍ଡେ ନାହିଁ । ହୁଏତ ଆଉ ବଞ୍ଚବ ନାହିଁ । ଆଜି ରାତିର ହାଡ଼ଭଙ୍ଗା ଶୀତରେ ମରିଯିବ..... ତରିଯିବ.... ।

 

ତାପରେ ଭିକାରି ଉପରେ ଚାଦରଟିକୁ ଘୋଡ଼େଇଦେଇ ହଠାତ୍‌ କଇଁ କଇଁ ହୋଇ ପିଲାପରି କାନ୍ଦିଉଠନ୍ତି ଦାଶରଥି ବାବୁ । ନିଜ କପାଳରେ କର ବାଡ଼େଇ ନିଜକୁ କେବଳ ଅଭିଶାପ ଦିଅନ୍ତି । ସେତିକିବେଳେ କେହି ବାଟରେ ଯାଉଥିଲେ ତାଙ୍କୁ ଦେଖିପକେଇ ପାଗଳ ବୋଲି ଡରିଯାଏ । ପିଲାମାନେ ଦେଖିଲେ ଗୋଡ଼ି ଗୋଟେ ବା କାଦ ମେଞ୍ଚେ ଫୋପାଡ଼ି ଦିଅନ୍ତି ଉପରକୁ । ବାଜେ ତାଙ୍କ ଦେହରେ । ବେଳେବେଳେ ଖଣ୍ଡିଆଖାବରା ହୁଅନ୍ତି ସେ; କିନ୍ତୁ ରାଗନ୍ତି ନାହିଁ, ଗାଳି ଦିଅନ୍ତି ନାହିଁ; ବରଂ କୁହନ୍ତି, ଏ ପିଲେ ! ଭିକାରି ବୁଢ଼ାଟା ପାଇଁ କିଛି ଆଣରେ... ମୁଢ଼ି ମୁଠେ, ପାଣି ଗିଲାସେ.... । ପିଲାମାନେ ତାଙ୍କୁ ଚାହିଁ ଖତେଇ ହୋଇ କୁହନ୍ତି, ଭିକାରି ପାଇଁ ନା ତୋ ପାଇଁ ? ଦାଶରଥି ବାବୁ ପାକୁଆପାଟି ଆଁ କରି ଚାହିଁ ରହନ୍ତି ମୁହୂର୍ତ୍ତେ । ତାପରେ ହସି ଦେଇ କୁହନ୍ତି, ହଉ ମୋତେ ହେଲେ କିଛି ଦିଅ ।

 

ସେଦିନ ଦାଶରଥି ବାବୁଙ୍କ ସହିତ ବିଧାନସଭା ଆଗରେ ଦେଖା ହୋଇଗଲା । ବିଧାନସଭା ଆଗରେ ଉତ୍କଳମଣି ଗୋପବନ୍ଧୁଙ୍କ ଯେଉଁ ପୂର୍ଣ୍ଣାବୟବ ପ୍ରତିକୃତି ସ୍ଥାପିତ ହୋଇଚି ତାଙ୍କୁ ନିର୍ନିମେଷ ନୟନରେ ଅନେଇଥିଲେ ସେ । ମୁଁ ପଛରୁ ଆସି ଛିଡ଼ାହେଲି । ସେ ଏତେ ତନ୍ମୟ ଥିଲେ ଯେ କିଛି ଜାଣିପାରିଲେ ନାହିଁ । କିଛି ସମୟ ସେହିପରି ନୀରବ ଛିଡ଼ାହୋଇ ରହିଲି । ତା’ପରେ ଅବାକ୍‌ ହୋଇ ଶୁଣିଲି ଦାଶେ ଆପଣେଙ୍କ ସହିତ ତାଙ୍କ କଥାଭାଷା । ସେ କହୁଥାଆନ୍ତି; ଦାଶେ ଆପଣେ ଖାଲି ଶୁଣୁଥାଆନ୍ତି । ସେ କଥା କେଡ଼େ ହୃଦୟଛୁଆଁ, ସରୁନଥାଏ ।

 

ଏତେ କାମ ଥାଉଁ ଥାଉଁ ତୁମେ ଠକିଦେଇ ଚାଲିଗଲେ । ଆମେ ତୁମପରି ଏତେ କାମ କରିପାରିବୁ ? ଆମଠି ତ୍ୟାଗ କାହିଁ, ସତତା ହିଁ ଯେ ଲୋକେ ଶୁଣିବେ ଆମ କଥା ? ଆମ ମନ ତ ଲୋଭ, ମୋହ, ମାତ୍ସର୍ଯ୍ୟରେ ପୂର୍ଣ୍ଣ । ଯାହା ଆଖିରେ ପଡ଼ୁଛି ମନେ ହଉଛି ଲୁଟିନବା ପାଇଁ । ଦୁନିଆର ରଙ୍ଗବେରଙ୍ଗ ଜିନିଷ ଦେଖି ଆଖି ଝଲସି ଯାଉଚି । ଏତେ ଲୋଭ ସମ୍ଭାଳି ହଉଚି କାହିଁକି-? ତୁମେ ଟିକେ ଶିଖେଇଲ ନାହିଁ, ଆମ ମନରୁ ଏଇ ଅସୁରଟାକୁ ତଡ଼ିଦେଇ ପାରିଲ ନାହିଁ-? ଶଠତା, ଛଳନା, ନିଷ୍ଠୁରତା ପାଖରୁ ଆମକ ରକ୍ଷା କରିପାରିଲ ନାହିଁ ? ତୁମେ ଏଡ଼େ ଦଗାଦିଆ-। ଏତେ ଲୋକ ଅଛନ୍ତି; କିନ୍ତୁ ସେଇ ଭିକାରିଟା କଥା କିଏ ବୁଝୁଚି ? ମରୁଡ଼ି ପଡ଼ିଚି ବୋଲି ମୟୂରଭଞ୍ଜର ସାନ୍ତାଳମାନେ ଘାସ ଚରିଗଲେ ଆପଣେ.... । ତୁମେ ଓହ୍ଳେଇ ଆସିପାରିଲ ନାହିଁ-? ତୁମେ ଆସିଲେ ବି ଆଉ କଅଣ କରନ୍ତ ଯେ ? ମୋ ପରି ଲୋକ ଥାଉଁ ଥାଉଁ ଆଉ ଅଧିକ ଭଲ କଅଣ ବା ହବ ଆପଣେ ?

 

ତାପରେ ମୋତେ ଆହୁରି ଅବାକ୍‌ କରି ସେ ନିଜ ଗାଲରେ ଚାପୁଡ଼ା ମାରିଲେ, ଥରେ ନୁହେଁ ଅନେକ ଥର । ଗୋପବନ୍ଧୁଙ୍କ ପାଦ ଉପରେ ମଥା ଠୁକି କହିବାକୁ ଲାଗିଲେ, ମୋତେ ବାଟ ଦେଖାଅ, ଏ ଜାତିକୁ ବାଟ ଦେଖାଅ.... ଆମକୁ ଅବାଟରୁ ହାତଧରି ଉଠେଇନିଅ ଆପଣେ ।

 

ମୁଁ ତାଙ୍କ ହାତ ଧରିପକେଇ କହିଲି, ଏ କଅଣ କରୁଛନ୍ତି । ଜୀବନ ରହିବ ଏଡ଼େ ଜୋର୍‌ରେ ମଥା ବାଡ଼େଇଲେ ? ସେ ମୋତେ କୁଣ୍ଢେଇ ପକେଇ ବାହୁନିବାକୁ ଲାଗିଲେ ଅବୋଧ ଶିଶୁ ପରି । ମୁଁ ତାଙ୍କୁ ଶାନ୍ତ ଶୀତଳ କଲାପରେ ସେ ମୋ ହାତ ଧରିପକେଇ କହିଲେ, ମଣିଷଗୁଡ଼ା ଘାସ ଚରିଗଲେ, ତୁମେ କିଛି କରିପାରିଲ ନାହିଁ ?

 

ମୁଁ ଅପରାଧୀ ପରି ଛିଡ଼ାହୋଇ ରହିଲି ।

 

ସେ କିନ୍ତୁ ନିରସ୍ତ୍ର ହେଲେ ନାହିଁ । କହିବାକୁ ଲାଗିଲେ—ତୁମେ ମାଛତିଅଣ ନହେଲେ ଖାଅ ? ଶୀତ ହେଲେ କୋଟ୍ ପ୍ୟାଣ୍ଟ ପିନ୍ଧ ନାହିଁ ? ବିଭା-ବ୍ରତରେ ମାଉଁସ, ପଲଉ, ପୁରୀ, କ୍ଷିରୀ ଦଶରକମର କର ନାହିଁ ? ସକାଳୁ ଉଠି ଅଧୁଆ ମୁହଁରେ ଚା’, ନପିଇ ଉଠ ତୁମେ ? କିନ୍ତୁ ସେଇ ମୟୂରଭଞ୍ଜର ସାନ୍ତାଳମାନେ, ଷ୍ଟେସନ ପାଖର କୁଷ୍ଠରୋଗୀମାନେ, ଏଇ ସଡ଼କ ଧାରରେ ଶୋଇ ଶୋଇ ମରଣକୁ ଅପେକ୍ଷା କରୁଥିବା ଭିକାରିଟା କଥା କେହି ଭାବିଚନ୍ତି ? ସେମାନେ..... ସେମାନେ ଯିବେ କୁଆଡ଼େ ? କିଏ ଚାହିଁବ ସେମାନଙ୍କ ମୁହଁକୁ ?

 

ମୁଁ ତାଙ୍କ ହାତଧରି ଚାଲିବାକୁ ଆରମ୍ଭ କରି କହିଲି, ବହୁତ କାମ ବାକୀ ଅଛି, ସବୁ କରିବାକୁ ହେବ ।

 

ସେ ହଠାତ୍ ଛିଡ଼ା ହୋଇଯାଇ ମୋତେ କଟମଟ କରି ଚାହିଁଲେ । ତା’ପରେ ଛୋଟପିଲା ଯେପରି ମାଆ ପାଖରେ ଅଳି କରେ, ସେହିପରି ଅଳିକରି କହିଲେ, ପାରିବ, ତୁମେ ସବୁ ପାରିବ । ମନକୁ ଦୃଢ଼ କର, ମଥାକୁ ଟିକେ ନୁଆଇଁ ଦିଅ, ଦୃଷ୍ଟିକୁ ନରମ କର । ସବୁ ପାରିବ ।

 

ତାପରେ ନଇଁପଡ଼ି ଦୂବଘାସ କେରାଏ ଛିଡ଼ାଇ ଆଣି କହିଲେ, ଏଇ ଦୂବଘାସପରି ହୋଇ ପାରିବ ? କେତେ ଲୋକ, କେତେ ଗାଡ଼ିଘୋଡ଼ାର ଓଜନ ମଥା ଉପରେ ବୋହି ସେ ବଞ୍ଚିଛି ଦେଖୁଛ ? ଜୀବନରେ ଦୂବଘାସ ପରି ନୁଆଣିଆ ଏବଂ ସହିଷ୍ଣୁ ହୋଇ ନପାରିଲେ ପୃଥିବୀର ଦୁଃଖ ଘୁଞ୍ଚିବ ନାହିଁ ।

 

ଦାଶରଥି ବାବୁ ରାଜଧାନୀରେ ରହନ୍ତିନାହିଁ । ଯେତେବେଳେ ଆସନ୍ତି ଦିନେ ଦୁଇଦିନ ରହି ଫେରି ଯାଆନ୍ତି । କାହିଁକି ଟିକେ ବେଶି ରହୁନାହାନ୍ତି ବୋଲି ପଚାରିଲେ, ସେ କୁହନ୍ତି ରାଜଧାନୀରେ ରହିବାପାଇଁ ଏତେ ସୌଭାଗ୍ୟ କାହିଁ ? ବଡ଼ ବଡ଼ିଆମାନଙ୍କର ଏ ଚାରଣଭୂମି । ସେମାନଙ୍କର ବାରମାସ ରଥଯାତ୍ରା । ଏଠାରେ ଗରିବ, ଅଚିହ୍ନା ଲୋକଙ୍କ ପାଇଁ ଜାଗା କାହିଁ ?

 

ସତରେ ଜାଗା ହୁଏ ନାହିଁ ବୋଲି ଦାଶରଥିବାବୁ ସଚିବାଳୟ ପଛରେ ଥିବା ବରଗଛ ମୂଳେ ସିମେଣ୍ଟ ଚଟାଣ ଉପରେ ଶୋଇପଡ଼ନ୍ତି । ବଡ଼ିଭୋରରୁ ଉଠି ନିତ୍ୟକର୍ମ ଶେଷ କରି ନିଅନ୍ତି । କାମ ଶେଷକରି ଫେରିଯାଆନ୍ତି ଗାଆଁକୁ ।

 

ଏବେ କେତେଦିନ ହେଲା ସେ ନୂଆ କାମରେ ହାତ ଦେଇଛନ୍ତି ଯେ ସମୟ ମିଳୁନାହିଁ । ଏଣେତେଣେ ଦଉଡ଼ିବାକୁ ହଉଚି । ଦୁନିଆଯାକର ପୁରୁଣା ପୋଥିପତ୍ର, କାଗଜ, ବହି ସଂଗ୍ରହ କରୁଚନ୍ତି ପୁସ୍ତକାଳୟରେ ରଖିବା ପାଇଁ । ଏଇ ସଂଗ୍ରହର ଅଭିଯାନ ଅବିରାମ ରାତିରେ ଚାଲିଚି । ଏତେ ପୋଥି କିଏ ପଢ଼ିବ ? ଏତେ ଲେଖା କିଏ କାହା ପାଇଁ ଲେଖିଚି ? ଏଇ ପ୍ରଶ୍ନଗୁଡ଼ା ମନକୁ ଆସି ପୁଣି ମିଳେଇଯାଇଚି । କେହି ପଢ଼ୁ ବା ନପଢ଼ୁ, ଲେଖୁ ବା ନଲେଖୁ ଯାହା ସବୁ ଲେଖାହୋଇଚି, ସେହିସବୁକୁ ସଂଗ୍ରହକରି ଉତ୍ତରାଧିକାରୀମାନଙ୍କ ପାଇଁ ରଖିଗଲେ ସେମାନେ ପଢ଼ିବେ, ଜାଣିବେ । ଜାତିଟାକୁ ପାଠକ କରିପାରିଲେ ଯେପରି ସବୁ ସମସ୍ୟାର ସମାଧାନ ହୋଇଯିବ ! ଦାଶରଥିବାବୁ ରାତି ବିଦ୍ୟାଳୟଟିଏ ବି ଖୋଲିଚନ୍ତି । ବୟସ୍କମାନେ ପଢ଼ନ୍ତି ସେଠାରେ-। ରାମାୟଣ, ମହାଭାରତ, ଭାଗବତ ପଢ଼ା ହୁଏ ବିଦ୍ୟାଳୟରେ ।

 

ସେହି ପୁସ୍ତକାଳୟ ଏବଂ ବିଦ୍ୟାଳୟ ପାଇଁ ଭିକ ମାଗନ୍ତି ସେ । ଦୁଆର ଦୁଆର ବୁଲି ବହିଟିଏ, ପୋଥିଟିଏ ପାଇଁ ଅଳି କରନ୍ତି । ରାସ୍ତାରେ ପଡ଼ିଥିବା ଛିଡ଼ାକାଗଜ ଭିତରୁ ଅପଢ଼ା ରହିଯାଇଥିବା ଉପାଦେୟ ବିଷୟକୁ ସଂଗ୍ରହକରି ନିଅନ୍ତି । ସବୁଥିରେ ଯତ୍ନ, ସବୁଥିରେ ନିଷ୍ଠା ।

 

ହଠାତ୍ ସେଦିନ ଛିଡ଼ାକାଗଜ ପଢ଼ୁ ପଢ଼ୁ ସେ ଚମକିପଡ଼ିଲେ କୋଡ଼ିଏ ବର୍ଷ ହେବ କି କଅଣ ? ସାଲଟା ବାରି ହଉନଥାଏ । କିଏ ଜଣେ ଦୁଇ ନମ୍ୱର ଶହୀଦ ନଗରରୁ ଲେଖିଚି ସରକାରଙ୍କ ପାଖକୁ ଗୋଟିଏ ନିବେଦନ । ଜମିବାଡ଼ି ସବୁ ବନ୍ୟାରେ ଭାସିଗଲା ପରେ ସେ ନିଃସ୍ୱ ହୋଇ ପଡ଼ିରହିଛି ଦୁଇ ନମ୍ୱର ପ୍ଳଟ୍‌ର ଗଛ ତଳେ । ସେଇ ଗଛ ତଳୁ ତାର ସ୍ତ୍ରୀକୁ ଗୁଣ୍ଡାମାନେ ଅପହରଣ କରି ନେଇ ଧର୍ଷଣ କରି ମାରିପକାଇଲେ । ସେଇ ଗଛତଳେ ବର୍ଷାପାଣିରେ ତିନ୍ତି ନିମୋନିଆ ହୋଇ ଛୋଟପୁଅଟା ଇହଜଗତ ଛାଡ଼ି ଚାଲିଗଲା । ତଥାପି ସବୁ ଦେଖି ସହି ବଞ୍ଚିବା ପାଇଁ ପଡ଼ିରହିଚି ସେ । ସେଇ ବଞ୍ଚିବା ବି ସହଜ ହଉନି । ଦୁଇ ନମ୍ୱର ପ୍ଳଟ୍‌ରେ ବଡ଼ ବଡ଼ ଲୋକଙ୍କ ରହିବା ପାଇଁ ଗୋଟେ ହୋଟେଲ ତିଆରି ହବ । ଟିକିଏ ସ୍ଥାନ ମିଳିଗଲେ ସେ ଚାଲିଯାଆନ୍ତା । ମୁଣ୍ଡ ଉପରେ ଛପର ଦେଖି ସେ ଆନନ୍ଦରେ ମରିଯାଆନ୍ତା; କିନ୍ତୁ ଏଇ ଛପର ଘରଟିଏ କିଏ ତୋଳିବ ? କେଉଁଠାରୁ ଆସିବ ଟଙ୍କା ? କିଏ ହବ ସହାୟ ?

 

ଠିକଣାଟି ଆଉ ଦିଶୁନାହିଁ । ଅକ୍ଷରଗୁଡ଼ା ନିଭିଗଲାଣି; କିନ୍ତୁ ନୀରବ ହୋଇ ସେ ବସିରହିଲେ ନାହିଁ । ଚାଲିଲେ ଦୁଇ ନମ୍ୱର ଶହୀଦନଗରକୁ । ସେଠାରେ ଯାଇ ଥକ୍‌କା ହୋଇ ଛିଡ଼ାହେଲେ ଘଡ଼ିଏ । ପାଖ ଲୋକଙ୍କୁ ଯାଇ ପଚାରିଲେ ଠିକଣାଟା ଭୁଲ୍ କି ଠିକ୍ । ବରଗଛଟାକୁ ଦେଖିପକେଇ କହିଲେ, ଏଇ ତ ! ବରଗଛଟା ଠିକ୍ ସେଇଠି ଅଛି । ସେ ଲୋକଟା ତା’ହେଲେ ଗଲା କୁଆଡ଼େ ?

 

ସମସ୍ତେ ଆଚମ୍ୱିତ ହୋଇ ତାଙ୍କ ମୁହଁକୁ ଚାହିଁଲେ । କିଏ ସେହି ଲୋକ, କଅଣ ତାର ଠିକଣା, କିବା ପରିଚୟ ? ଦାଶରଥିବାବୁ ସେହି ବଡ଼ କୋଠାଟିକୁ ଅନେଇ ପଚାରିଲେ, ‘ଏଇଟି ହୋଟେଲ ? ଏଇ ଭିତରେ ରହନ୍ତି ବଡ଼ ବଡ଼ ଲୋକ ?’ କେହି ଉତ୍ତର ଦେଲେନାହିଁ । ମୁହଁ ଚାହାଁଚୁହିଁ ହୋଇ ହସିଲେ କେବଳ ! ପାଗଳଟିଏ । କିଏ କାହା କଥା ଶୁଣୁଛି । ଦାଶରଥିବାବୁ କିନ୍ତୁ ସେହି ଲୋକଟିକୁ ଖୋଜିବା ପାଇଁ ଏପାଖ ସେପାଖ ହେଲେ, ପଛପଟେ, ଆଗପଟେ ବୁଲିଲେ । ଗଳିକନ୍ଦିକୁ କାଳେ ଉଠିଯାଇଥିବ ବୋଲି ବୁଲି ବୁଲି ଖୋଜିଲେ; କିନ୍ତୁ ସେପରି କାହାକୁ ପାଇଲେ ନାହିଁ । ଛପର ଖଣ୍ଡେ ତୋଳିବା ପାଇଁ କୁଟାକାଠି ପାଇଁ ଅପେକ୍ଷା କରିଥିବା ସେପରି ଲୋକଟିକୁ ଦେଖିଲେ ନାହିଁ । ତା’ହେଲେ ସେ ଗଲା କୁଆଡ଼େ ? ମରିଯାଇନାହିଁ ତ ?

 

ମରିଯିବା କଥାଟା ମନକୁ ଆସିବାକ୍ଷଣି ଯିମିତି ଦାଶରଥିବାବୁ ପୁତ୍ରଶୋକରେ ଅଭିଭୂତ ହୋଇପଡ଼ିଲେ । ଆଖିରୁ ଶ୍ରାବଣର ଧାର ଛୁଟିଲା, କୋହରେ ଫାଟି ପଡ଼ିଲେ ସେ । ଶୋକାତୁର ପିତା ପରି ସାରା ଶହୀଦନଗର ବୁଲିଲେ, ସତ୍ୟ ନଗର, ବାଣୀ ବିହାର, ବାପୁଜୀ ନଗର, ଖାରବେଳ ନଗର ଏବଂ ପୁରୁଣା ଭୁବନେଶ୍ୱର ଯେତେ ଯେଉଁଠାରେ ରୁଗ୍‌ଣ, ଅସହାୟ ଓ ଦୁର୍ବଳ ଲୋକ ବାସକରିନ୍ତି, ସେହି ସ୍ଥାନ ସବୁକୁ ତନ୍ନ ତନ୍ନ କରି ଖୋଜିଲେ । ହାୟ ! କେଉଁଠାରେ ହେଲେ ମୃତ୍ୟୁକୁ ଅପେକ୍ଷା କରୁଥିବା ସେହି ଲୋକଟିର ସଂଧାନ କେହି ତାଙ୍କୁ ଦେଇପାରିଲେ ନାହିଁ ।

 

ମୁଁ ତାଙ୍କୁ ବହୁତ ବୁଝେଇଲି । ମୋ ଘରେ ରଖି ତାଙ୍କୁ ଆହୁରି ଖୋଜିବାର ବ୍ୟବସ୍ଥା କରିଦେଲି । ମୁଁ ବି ଖୋଜିଲି । ସେହି ଲୋକଟିର କଥା ବାରମ୍ୱାର ମନେପଡ଼ିଲା । ଲୋକଟିର ଗୋଟିଏ ଘର ଭିତରେ ମରିବାର କି ଦୁର୍ବାର ଅଭିଳାଷ ! କିଛି ନୁହେଁ, ପ୍ରାସାଦ ବା ଆଉ କିଛି ପ୍ରଲୋଭନ ନୁହେଁ, କେବଳ ଗୋଟିଏ କୁଡ଼ିଆ ଭିତରେ ମରିବାର ପ୍ରବଳ ବାସନା ! ଏତକ ପୂର୍ଣ୍ଣ ହୋଇପାରିଲା ନାହିଁ । ଆହା !

 

ଦାଶରଥିବାବୁ ପୁସ୍ତକାଳୟ ପାଇଁ ପୋଥି ସଂଗ୍ରହ କରୁ କରୁ ଦୁର୍ବଳ, ଅସହାୟ ଓ ରୁଗ୍‌ଣମାନଙ୍କ ପାଇଁ ବାସସ୍ଥାନ ଖୋଜିବାକୁ ଲାଗିଗଲେ । ଦୁଆର ଦୁଆର ବୁଲିଲେ ଅର୍ଥ ଏବଂ ସମ୍ୱଳ ସଂଗ୍ରହ କରିବା ପାଇଁ । ଗୋଟିଏ ଘର କରିବା ଆବଶ୍ୟକ । ଏଯାଏ ନିଜ ପାଇଁ ଏହାର ପ୍ରୟୋଜନ ନଥିଲା । ସେ ଧର୍ମଶାଳାରେ, ଗଛମୂଳେ, ଜ୍ଞାତିକୁଟୁମ୍ୱଙ୍କ ପିଣ୍ଡା ଉପରେ, ବିଦ୍ୟାଳୟ ବା ମନ୍ଦିର ହତାରେ ରହିଯାଉଥିଲେ; କିନ୍ତୁ ଏବେ ଗୋଟିଏ ଘରର ପ୍ରୟୋଜନ । ତାଙ୍କ ପାଇଁ ନୁହେଁ, ସେହି ଅଜଣା ଲୋକଟି ପରି ମରଣକୁ ଅପେକ୍ଷା କରିଥିବା ଅନେକ ଅଚ୍ଛବ ଓ ଅସହାୟ ଲୋକଙ୍କ ପାଇଁ ଗୋଟିଏ ଘରର ଆବଶ୍ୟକ । ଚାନ୍ଦା ସଂଗ୍ରହ ହେଲା । ଯିଏ ଯାହା ପାରିଲା ଦେଲା । ଅନେକେ ବି କିଛି ଦେଲେ ନାହିଁ । କିଏ କିଏ ତାଚ୍ଛଲ୍ୟ ବି କଲେ; କିନ୍ତୁ ଏଥିରେ ପଛେଇଯିବାର ଲୋକ ନୁହଁନ୍ତି ଦାଶରଥିବାବୁ । ସେ ଖିଆପିଆ ଭୁଲିଗଲେ, ଶୋଇବା ବସିବା କମେଇଦେଲେ । ଖଣ୍ଡଗିରି ପାଖରେ ଗୋଟିଏ ଅରମା, ଅସନା ଜାଗା ସଫା କରି ଘରତୋଳା ଲାଗିଲା । କାଠ, ବାଉଁଶ ସଂଗ୍ରହ ହେଲା । ଲୋକ ଲାଗିଲେ କାମରେ । ସତୁରି ବରଷର ଦାଶରଥିବାବୁ ସତେଇଶ ବର୍ଷର ଯୁବକ ପରି ଖଟିବାକୁ ଲାଗିଲେ । ମାଟିକାନ୍ଥ । ଚାଳ ଛପର । ଘରତୋଳା ଶେଷହେଲା । ରହିବା ପାଇଁ ଜାଗାଟିଏ ହେଲା । ପିଣ୍ଡାରେ ବସିଲେ ଖଣ୍ଡଗିରିର ଶୋଭା ଦିଶେ । ଝରକାରୁ ଚାହିଁଲେ ଦିଶେ ନୂଆ ଭୁବନେଶ୍ୱର । ଦାଶରଥିବାବୁ ଚୁଡ଼ା ଚାଉଳ, ଡାଲି, ଲୁଣ ସଂଗ୍ରହ କଲେ । କେବଳ ଘର ନୁହେଁ, ଖାଇବାପିଇବାର କିଛି ବ୍ୟବସ୍ଥା ନଥିଲେ ଯେଉଁମାନେ ରହିବେ ସେମାନେ କୁଆଡ଼େ ଯିବେ ? ଦାଶରଥିବାବୁ ସବୁ ସଂଗ୍ରହ କଲେ । ସାହାଯ୍ୟ କରିବା ପାଇଁ ଜଣେ ଲୋକକୁ ବି ରଖିଲେ; କିନ୍ତୁ ସବୁ ବ୍ୟସ୍ତତା ସତ୍ତ୍ୱେ ସେ ଭୁଲିପାରିଲେ ନାହିଁ ସେହି ଅଜଣା ଲୋକଟିକୁ । ତାକୁ କିନ୍ତୁ ମନେ ମନେ ଖୋଜିବାକୁ ଲାଗିଲେ ।

 

ଦାଶରଥିବାବୁ ଖର୍ଚ୍ଚ କମାଇବାକୁ ଯାଇ ରାତି ଖାଇବାରୁ ତରକାରିଟି ବାଦ୍‌ ଦେଲେ । ଏଥିରୁ ଯାହା ଉଦ୍‌ବୃତ୍ତ ହେବ, ତାହା ଯେ ତାଙ୍କ ସ୍ୱାସ୍ଥ୍ୟ ପକ୍ଷରେ ନିହାତି ପ୍ରୟୋଜନ, ଏହା କହିବା ସତ୍ତ୍ୱେ ସେ କିଛି ଶୁଣିଲେ ନାହିଁ । ଦାଶରଥିବାବୁ ଖୁବ୍‌ ଜିଦ୍‌ଖୋର । ବେଳେବେଳେ ଏପରି ଜିଦ୍ ଧରନ୍ତି ଯେ ତାହା ଅସ୍ୱାଭାବିକ ମନେହୁଏ । ମାଛିଟିକୁ ମ କହୁନଥିବା ଲୋକଟି ନିଜକୁ ପୁଣି ଏତେ ଭାବରେ ନିର୍ଯ୍ୟାତନା ଦେଇପାରେ, ତାହା ନଦେଖିଲେ ଆଖିକୁ ବିଶ୍ୱାସ କରି ହୁଏନାହିଁ । ସମସ୍ତଙ୍କ ଘରେ ସବୁ ଦିନ ଚୁଲି ଜଳେନାହିଁ ବା ଜଳିଲେ ବି ଭାତହାଣ୍ଡି ଚୁଲି ଉପରେ ବସେ ନାହିଁ । ଏହା ସମ୍ଭବ ହେଉଥିଲେ ପୃଥିବୀଟା ସ୍ୱର୍ଗଭୂମିରେ ପରିଣତ ହୋଇଥାଆନ୍ତା; କିନ୍ତୁ କାଳେ କିଏ ଆହାର ପାଉ ନାହିଁ ବୋଲି ଦାଶରଥିବାବୁ ପେଟପୂରା ଖାଆନ୍ତି ନାହିଁ । ଅନ୍ୟମାନଙ୍କ ଦେହରେ ଲୁଗା ନଥିବ ବୋଲ ତାଙ୍କ ଲୁଗାରେ ଆଣ୍ଠୁ ବି ଲୁଚେ ନାହିଁ । ସେ ନିଜକୁ ନିଗୃହୀତ କରି ଅନ୍ୟ ପାଇଁ ମୁଠେ ସଞ୍ଚନ୍ତି । ସେତକ କାହାକୁ ଦେଇଦେଲେ ମୁହଁରେ ହସ ଫୁଟାଇ ଫୁଟୁକିମାରି କହନ୍ତି, ଶାସ୍ତ୍ରୀଜୀ ସୋମବାର ଦିନ ଉପବାସ ରହିବା ପାଇଁ ମିଛଟାରେ ଉପଦେଶ ଦେଇଥିଲେ ? ଗୋଟିଏ ଲୋକ ଉପବାସରେ ରହୁଥିବାଯାଏ ପେଟପୂରେଇ ଖାଇବା ମହାପାପ ।

ଦାଶରଥିବାବୁଙ୍କ ଦୁନିଆରେ ସଦାବର୍ତ୍ତ ସବୁବେଳେ । ଅନେକ ଦୁଃଖୀରଙ୍କୀ ମୁମୂର୍ଷୁ ବ୍ୟକ୍ତିଙ୍କୁ ଆଣି ପହଞ୍ଚାନ୍ତି ‘ରୂପାନ୍ତର’ରେ । ସେହି ଘରଟି ଆଶ୍ରମ ଭଳି ଦିଶୁଛି । ତାର ନାମ ରଖିଚନ୍ତି ରୂପାନ୍ତର । ନିର୍ଯ୍ୟାତିତ, ନିଷ୍ପେଷିତ, ନିଃସହାୟ ମଣିଷ ଘରର ଛପର ତଳେ ନିର୍ଭୟରେ ଶୋଇ ଯଦି ଶେଷନିଃଶ୍ୱାସ ତ୍ୟାଗ କରେ, ରାସ୍ତାକଡ଼ର ଅବହେଳା, ଅଯତ୍ନ ଏବଂ ରିକ୍ତତା ଆଉ ମନେପଡ଼ିବ ନାହିଁ । ମଣିଷ ହାତର ସେବା, ହୃଦୟର ସରାଗ ପାଇ ସେ ଶାନ୍ତିରେ ମରିବ । ଏଥିପାଇଁ ‘ରୂପାନ୍ତର’ରେ କେହି ଆଶ୍ରୟ ନବାପାଇଁ ଆସିଲେ ମନାକରନ୍ତି ନାହିଁ ଦାଶରଥିବାବୁ; ବରଂ ବାହୁମେଲାଇ ଆଲିଙ୍ଗନ କରି ସ୍ୱାଗତ କରନ୍ତି ଆଗନ୍ତୁକକୁ ।

ସେଦିନ ଦାଶରଥିବାବୁଙ୍କ ଆଶ୍ରମରେ ପହଞ୍ଚି ତାଙ୍କୁ ନପାଇ ହତାଶ ହୋଇ ଫେରିଯାଉଥିବାବେଳେ ଗୋଟେ ଶଗଡ଼ରୁ ତାଙ୍କୁ ଓହ୍ଲାଉଥିବାର ଦେଖି ଛିଡ଼ାହୋଇଗଲି । ସେ ମୋତେ ଦେଖି ଖୁସିହୋଇ କହିଲେ, ଏ ମନ ଭାବୁଥାଇ ଯାହା, କାଳେ ପ୍ରାପତ ହୁଏ ତାହା । —ଏଇ ଭାଗବତବାଣୀ । ଇଏ କଅଣ ମିଛ ହୋଇଯିବ ସନାତନ ! ତୁମକୁ ମନେପକାଉଥିଲି । ଏଇ ଅସହାୟ ଲୋକଟିକୁ ଆଣିବା ପାଇଁ ଶଗଡ଼ିଆ ରାଜି ହୋଇନଥିଲେ, ମୁଁ ଏକା ପାରନ୍ତି ? ଟିକେ ଧର, ଓହ୍ଲେଇନବା ଶଗଡ଼ରୁ ।

ଜଣେ ପଙ୍ଗୁ ଲୋକକୁ ଶଗଡ଼ରୁ ଓହ୍ଲେଇନବାରେ ସାହାଯ୍ୟ କଲି । ମୁଁ ପ୍ରଥମେ ଲୋକଟି ଜୀବିତ କି ମୃତ ତାହା ଜାଣିପାରିଲି ନାହିଁ । ମୋ ମନର ସନ୍ଦେହ ବୋଧହୁଏ ବୁଝିଲେ ସେ । ତା’ପରେ କହିଲେ, ଆଉ ସମୟ ବେଶି ନାହିଁ—କାନ ପାଖରେ ଟିକେ ହରିନାମ ଶୁଣାନ୍ତନି ।

 

ଲୋକଟିକୁ ଆଶ୍ରମ ଭିତରକୁ ନେଇ ମସିଣା ଉପରେ ଶୁଖାଇଦବା ପରେ ସେ ଆଖି ବଡ଼ ବଡ଼ କରି ଅନେଇଲା । ସେହି ଆଖିର ଦୃଷ୍ଟିରେ ପ୍ରଥମେ ବିସ୍ମୟ ଏବଂ ପରେ ବିହ୍ୱଳତା ଲକ୍ଷ୍ୟ କରି, ତାକୁ ଶୁଣାଇବା ଭଳି କଣ୍ଠରେ ଭାଗବତ ପଢ଼ିବାକୁ ଲାଗିଲି । ସେ ଲୋକଟି ପରମ ଆଗ୍ରହରେ ଶୁଣିଲା ଟିକେ । ତା’ପରେ ଇଙ୍ଗିତ କଲା । ମୁଁ ବୁଝିପାରିଲି ନାହିଁ । ଦାଶରଥିବାବୁ ପାଖରେ ବସିପଡ଼ି କହିଲେ—କିଛି କହିବ ?

 

ସେ ଟିକେ ରହିଗଲା । ତା’ପରେ ଆଖି ତାର ଓଦା ହୋଇ ଆସିଲା । ଭଙ୍ଗାଭଙ୍ଗା କଣ୍ଠରେ କହିଲା ସେ—ମୋ ଚିଠି ପାଇଲ ଏତେଦିନ ପରେ ?

 

କଅଣ ଚିଠି । କାହାକୁ ଲେଖିଥିଲ ? ବ୍ୟାକୁଳ ହୋଇ ପଚାରିଲେ ଦାଶରଥିବାବୁ ।

 

ସେ ପୁଣି ଦମ୍‌ ନେଇ କହିଲା, କୋଡ଼ିଏ ବର୍ଷ ତଳେ ଲେଖିଥିଲି । ଟିକେ ଜାଗା, ଗୋଟିଏ ଛୋଟ କୁଡ଼ିଆ କରିବା ପାଇଁ । ସେ ଆଶା ପୂର୍ଣ୍ଣ ହେଲାନାହିଁ । ଖରା, ବର୍ଷା, ଶୀତ ସହି ସହି କୋଡ଼ିଏ ବର୍ଷ କଟିଗଲା । ଆଜି ମୁଁ ଶାନ୍ତ । ମୋ ମନ ଶାନ୍ତିରେ ଭରିଯାଉଚି । ମୁଁ ଏଇ ଘର ଭିତରେ ସ୍ନେହଯତ୍ନ ପାଇ ନିଶ୍ଚିନ୍ତ ହୋଇ ମରିପାରିବି । ମୋର ଆଶା ଆଉ ଅପୂର୍ଣ୍ଣ ହୋଇ ରହିବନାହିଁ । ମୁଁ ପ୍ରେତ ହୋଇ ଆଉ ବୁଲିବି ନାହିଁ..... ।

 

ଦାଶରଥିବାବୁ କଅଣ ଦରାଣ୍ଡୁଥିଲେ ଯେପରି । ତାଙ୍କର ହାତ ଥରୁଥିଲା । ସେ ଖୁବ୍‌ ଚଞ୍ଚଳ ଜଣାପଡ଼ୁଥିଲେ । କିଛି ସମୟ ପରେ ବହି, ଖାତା, ପୋଥିଗଦା ଭିତରୁ ଗୋଟିଏ ଛିଣ୍ଡା କାଗଜ ବାହାରକରି ସେଇ ମୁମୂର୍ଷୁ ଲୋକଟିର ଆଖିଆଗରେ ରଖି କହିଲେ—ଏଇ ଦେଖ, ତୁମ ହାତଲେଖା ଚିଠି । ମୁଁ ଠିକ୍ ପାଇଛି..... ହେଲେ ଅନେକ ବିଳମ୍ୱ ହୋଇଗଲା..... । ମୁଁ ବଡ଼ ହତଭାଗା..... ନୋହିଲେ.....

 

ସେହି ଚିଠିଟିକୁ ସେ ଦେଖିଲା କି ନାହିଁ କେଜାଣି । ତାର ଡୋଳାଯୋଡ଼ିକ ପରମ ଶାନ୍ତିରେ ସ୍ଥିର ହୋଇଗଲା । ଭୋ ଭୋ କରି କାନ୍ଦି ଉଠିଲେ ଦାଶରଥିବାବୁ ।

 

ସାନ୍ତ୍ୱନା ଦବାର ଭାଷା ନପାଇ ମୁଁ କେବଳ ତାଙ୍କର ପିଠି ଆଉଁସି ଦବାକୁ ଲାଗିଲି ।

☆☆☆

 

ନିଃସଙ୍ଗ ପୃଥିବୀ

 

ସମସ୍ତେ ତାଙ୍କୁ ଛାଡ଼ି ଚାଲିଗଲେ । ଧନସମ୍ପଦ ସହିତ ଅନେକ ଲୋକଙ୍କର ପ୍ରମାଣ, ଶ୍ରଦ୍ଧା ଏବଂ ପ୍ରୀତି ସବୁ ଶେଷ ହୋଇଗଲା । ଯେଉଁମାନେ ତାଙ୍କୁ ମାଇଲିଏ ଦୂରରୁ ଚିହ୍ନିପାରୁଥିଲେ, ସେମାନେ ତାଙ୍କୁ ସାମ୍ନାରେ ଦେଖି ମଧ୍ୟ ଚିହ୍ନିପାରିଲେ ନାହିଁ । ଯେଉଁ ପରିବାର ତାଙ୍କରି ଇଚ୍ଛାରେ ଆତଯାତ ହେଉଥିଲା, ଯେଉଁଠାରେ ତାଙ୍କରି ସୁଖ ଓ ଶାନ୍ତି ପାଇଁ ସମସ୍ତେ ସବୁ କରିବାପାଇଁ ତାଙ୍କରି ଆଦେଶକୁ ଅପେକ୍ଷା କରୁଥିଲେ, ସେଠାରେ ଆଜି ସେ ଗୋଟିଏ କୋଣରେ ଅପାଙ୍‌କ୍ତେୟ ଭାବରେ ପଡ଼ି ରହିଲେ । ତାଙ୍କର ଇଚ୍ଛା ବା ଆଜ୍ଞାକୁ ପାଳନକରିବା ପାଇଁ କେହି ରହିଲେନାହିଁ; ବରଂ ଅନ୍ୟର ଇଚ୍ଛା ଏବଂ ସୁବିଧା ଜଗି ତାଙ୍କୁ ଚଳିବାପାଇଁ ହେଲା ।

 

ନିଜ ଉପରେ ପ୍ରଥମ ଥର ପାଇଁ ସନ୍ଦେହ ହେଲା ତାଙ୍କର । ଏଯାଏ ଯେଉଁ ଆତ୍ମବିଶ୍ୱାସ ବଳରେ ସେ ମଣିଷ ଭିତରେ ଅସୀମ ସମ୍ଭାବନାର ସମ୍ପଦ ଦେଖି ପାରୁଥିଲେ, ବର୍ତ୍ତମାନ ତାଙ୍କର ସଂଶୟ ଜନ୍ମିଲା ସେଥିରେ ଏବଂ ସେ ପ୍ରଥମ କରି ନିକାଞ୍ଚନ ପରିବେଶକୁ ଭୟ କରିବାକୁ ଲାଗିଲେ-

 

କୋଣାର୍କର ନିକାଞ୍ଚନ ବେଳାଭୂମି ଉପରେ ବସି ବା ଶୋଇ ଶୋଇ ସେ କେବଳ ଶୁଣିଲେ ଏହି ପାର୍ଥିବ ଜଗତର ଅପାର୍ଥିବ ସଙ୍ଗୀତ । ସେ ସ୍ୱର ସେ ହୃଦୟଙ୍ଗମ କରିପାରିଲେ ନାହିଁ, ତାହା ତାଙ୍କୁ ଉଚ୍ଛ୍ୱାସ ବା ଉଲ୍ଲାସ ଦେଲା ନାହିଁ; ବରଂ ତାଙ୍କୁ ବାରମ୍ୱାର ସ୍ମରଣ କରାଇଦେଲା, ସେ କେତେ ଏକାକୀ, କେତେ ଏକୁଟିଆ..... ।

 

ଏକାକୀ ଜୀବନକୁ ସେ ସର୍ବଦା ଭୟ କରୁଥିଲେ । ନିଛାଟିଆ ପରିବେଶକୁ ସେ ଆଜୀବନ ଏଡ଼ାଇ ଆସିଥିଲେ । ଏତେ ବଡ଼ ସଂସାରରେ ମଣିଷକୁ ଦିନେ ଏକା ରହିବାକୁ ପଡ଼ିପାରେ ଏହି ଭୟରେ ସେ ସଂଗ୍ରାମ କରି ସମ୍ପଦଶାଳୀ ହୋଇଥିଲେ । ନିଜର ପରିବେଶ ଓ ଜୀବନକୁ କେବଳ କର୍ମମୁଖର ନୁହେଁ କୋଳାହଳମୟ ମଧ୍ୟ କରିଥିଲେ ।

 

ସେସବୁ ଆଉ ରହିଲାନାହିଁ । ସେ ଏକୁଟିଆ, ଏକାନ୍ତ ଏକୁଟିଆ ହୋଇଗଲେ ।

 

ବେଳାଭୂମିର ନିର୍ଜ୍ଜନ ପରିବେଶ ଭଲ ଲାଗୁ ନଥିଲା; ବରଂ ଭୀତ ହେଉଥିଲେ ସେ; କିନ୍ତୁ କାହିଁ ପଳାଇଯାଇ କୋଳାହଳ ମଧ୍ୟରେ ଆତ୍ମବିସର୍ଜନ କରିବାର ମଧ୍ୟ ଉପାୟ ପାଇ ନଥିଲେ । ନିଜ ପାଖରୁ ପଳାଇଯାଇ ପାରେନା ମଣିଷ । ତାକୁ ଭଲ ଲାଗୁ ବା ନଲାଗୁ ନିଜକଥା ଶୁଣିବାକୁ ହୁଏ ତାକୁ ।

 

ନିଜ କଥା ଶୁଣିବାପାଇଁ ଚାହୁଁ ନଥିଲେ ସେ ।

 

ନିଜର ମୁହଁ ନିଜେ ଦେଖିଲେ ଚମକି ଉଠୁଥିଲେ ଭୟରେ ।

 

ଆଗରେ ଅଶାନ୍ତ ସମୁଦ୍ର । ତରଙ୍ଗ ପରେ ତରଙ୍ଗ ମଥାପିଟୁଥିଲେ ବେଳାଭୂମିର ପାଦତଳେ ।

 

ସବୁ ବନ୍ଦହୋଇ ନୀରବ ହୋଇଯାଆନ୍ତା କି ମୁହୂର୍ତ୍ତକ ପାଇଁ । ସେ ଆତ୍ମଗତ ହୋଇ ସେହି ମୁହୂର୍ତ୍ତକରେ ଦେଖିନିଅନ୍ତେ ନିଜର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତକୁ । ଅତୀତର ଲମ୍ୱା ଛାଇ ଆଉ ଦିଶୁ ନଥିଲା, ରାତ୍ରିର ବହଳତାରେ ଭବିଷ୍ୟତ ହଜିଯାଇଥିଲା ସାମ୍ନାର ଏକ କଳାଗାରରେ ଏବଂ କେବଳ ବର୍ତ୍ତମାନ ସ୍ଥିର ହୋଇ ରହିଯାଇଥିଲା ଗୋଟିଏ ବିନ୍ଦୁରେ ।

 

ଚମକି ପଡ଼ିଲେ ଚିନ୍ମୟ । ସେ ସ୍ଥିରହୋଇ ରହିଯିବାକୁ କେବେ ଚାହୁ ନଥିଲେ । ଚଳମାନ ମଣିଷର ଯାତ୍ରାଭିତରେ ସେ ପ୍ରତ୍ୟକ୍ଷ କରୁଥିଲେ ଚଳନ୍ତି ପୃଥିବୀର ଶିହରଣ । ଗୋଟିଏ ସ୍ଥାନରେ ସ୍ଥିର ଭାବରେ ବନ୍ଧୁବାନ୍ଧବଶୂନ୍ୟ ହୋଇ ବସିରହିବା ଅର୍ଥ ପୃଥିବୀର ନିଶ୍ଚିତ ସତ୍ୟକୁ ଅସ୍ୱୀକାର କରିବା ।

 

ଜୀବନକୁ ସେ ଅସ୍ୱୀକାର କରି ନଥିଲେ ବି ମୃତ୍ୟୁ ତାଙ୍କୁ କେଡ଼େ ନିର୍ଜ୍ଜନ ନିଛାଟିଆ ଆଜି ସ୍ପଷ୍ଟଭାବରେ ପ୍ରତିଭାତ ହେଲା ।

 

ଚିନ୍ମୟ ଉଠିପଡ଼ି ମନ୍ଦିର ଆଡ଼କୁ ଚାଲିଲେ ବ୍ୟସ୍ତପାଦରେ । ସେଇଠି ବି ସେ ସ୍ୱସ୍ତିରେ ନିଃଶ୍ୱାସ ମାରିପାରିଲେ । ଅନେକ ଅନାନ୍ୟସୌନ୍ଦର୍ଯ୍ୟ ଏବଂ ସମ୍ପଦ ଶିଳାଦେହରେ ଗୋଟିଏ ଗୋଟିଏ ବିନ୍ଦୁରେ ସ୍ଥିର ହୋଇ ରହିଯାଇଥିଲା । କୋଳାହଳମୟ ଜନାକୀର୍ଣ୍ଣ ପୃଥିବୀର ଚଳମାନ ମଣିଷର ସବୁ ଐଶ୍ୱର୍ଯ୍ୟ, ଶ୍ରୀ ଓ ଲାବଣ୍ୟ ଏକ ସ୍ଥାନରେ ସ୍ଥାବର ପରି ରହିଯାଇଥିଲା ।

 

ବେଦନାରେ ଶିହରି ଉଠିଲେ ଚିନ୍ମୟ । ପୃଥିବୀର ଏତେ କୋଳାହଳ ଏତେ ଅପୂର୍ବ ସୌନ୍ଦର୍ଯ୍ୟ ଏବଂ ଏହି ଅନୁପମ ଐଶ୍ୱର୍ଯ୍ୟ ଗୋଟିଏ ସ୍ଥାନରେ ସ୍ଥାଣୁ ପାଲଟି ଯାଇପାରିଲା । ସବୁ ଥିବାବେଳେ ବଡ଼ଦାଣ୍ଡରେ ଯାଉଥିବା ଶୋଭାଯାତ୍ରାକୁ ସେ କେବଳ ସ୍ୱାଗତ କରୁ ନଥିଲେ, ସେଥିରେ ସାମିଲ ହୋଇ ସବୁଠାରୁ ଆଗରେ ରହୁଥିଲେ ।

 

ଶୋଭାଯାତ୍ରାର ଆଗରେ ପତାକା ଧରିବାର ଆନନ୍ଦ ଓ ଧ୍ୱନି ଦେବାର ଆବେଗ କଅଣ କମ୍ ! ! ପଛରେ ଥିଲେ ବି ଏହା ଅନୁମାନ, ଅନୁଭବ କରିହୁଏ; କିନ୍ତୁ ଦର୍ଶକ ହୋଇ ରହିଲେ ଏହାର ଉଲ୍ଲାସ ଲାଗେ ନାହିଁ । ଉଚ୍ଛ୍ୱାସ ଜାଗେନାହିଁ ।

 

ଚିନ୍ମୟ କୋଣାର୍କର ସେଇ ପରିଚିତ ଅଶ୍ୱ ଏବଂ ଅଶ୍ୱାରୋହୀ ପାଖରେ ଛିଡ଼ାହୋଇ ରହିଲେ । ଶକ୍ତି ଏବଂ ଗତିର ପ୍ରତୀକ ଏହି ଶିଳାମୂର୍ତ୍ତି; କିନ୍ତୁ ସଙ୍ଗହୀନ ନିର୍ଜ୍ଜନ ଏହି ବେଳାଭୂମିରେ ଏପରି ଏକ ସଙ୍କେତ ସ୍ଥିରହୋଇ ଶିଳାଦେହରେ ଲାଗିଗଲା କାହିଁକି ! !

 

ଯେଉଁମାନେ ଏହି ଆଶ୍ଚର୍ଯ୍ୟ ସୃଷ୍ଟିର ସ୍ରଷ୍ଟାଭାବରେ ରହିଗଲେ ପର୍ଦାର ଅନ୍ତରାଳରେ, ସେମାନଙ୍କର ଜୀବନ ଜନାଜୀର୍ଣ୍ଣ ନା ନିର୍ଜନ ଥିଲା ?

 

ନିର୍ଜନ ଜୀବନ କେବଳ ବିଳାପ କରିପାରେ; ବିଦଗ୍‌ଧ ହୋଇପାରେ ନାହିଁ ।

 

ନିବିଡ଼ ରାତ୍ରିର ସେହି ଅନ୍ଧକାରରେ ଅବାକ୍ ହୋଇ ଦେଖିଲେ ଚିନ୍ମୟ ଜଣେ କିଏ ପ୍ରେତାତ୍ମାପରି ଅଶ୍ୱାରୋହୀକୁ ଜାବୁଡ଼ିଧରି କ’ଣ କହୁଥିଲା ଯେପରି । ଭୂତପ୍ରେତରେ ତାଙ୍କର ବିଶ୍ୱାସ ନଥିଲେ ମଧ୍ୟ ଏତେ ରାତ୍ରିରେ ଏପରି ଅବସ୍ଥାରେ କେହି ବ୍ୟକ୍ତିକୁ ଦେଖିବେ ଏହି କଳ୍ପନା କରି ନଥିଲେ ସେ । ଆହୁରି ଟିକିଏ ନଇଁପଡ଼ି ନିରୀକ୍ଷଣ କଲେ ଚିନ୍ମୟ ।

 

ଲୋକଟିର ମୁହଁ ଉପରେ ଚମକି ଉଠିଲା ନିଆଁ । ନିଆଁର ସେହି ଆଲୋକରେ ଦେଖିଲେ ସେ ପ୍ରେତାତ୍ମା ଦୁହେଁ, ପ୍ରେତିନୀ ନୁହେଁ; ମଣିଷ ଶରୀରଟିଏ । ହିପ୍‌ପିଣୀ ଗଞ୍ଜେଇ ଭର୍ତ୍ତିକରି କଲିକାରେ ନିଆଁ ଲଗାଇ ଜୋର୍‌ରେ ଟାଣୁଥିଲା ଦେହ ଓ ମନକୁ ଟିକେ ତାଜା କରିନବାପାଇଁ ।

 

ତାଙ୍କୁ ଦେଖିପାରିଲା ହିପ୍‌ପଣୀ; କିନ୍ତୁ କିଛି କହିଲା ନାହିଁ । କୌଣସି ଭାବ ଅଭିବ୍ୟକ୍ତ କଲା ନାହିଁ । ତାଙ୍କ ଉପସ୍ଥିତି ତା ପାଇଁ ଯେପରି କିଛି ନୁହେଁ । ସେ ନିର୍ବିକାର, ନିର୍ଲିପ୍ତ ଭାବରେ ଅଶ୍ୱାରୋହୀ ଉପରେ ଦେହ ରଖି ଗଞ୍ଜେଇ ସେବନ କରିବାରେ ଲାଗିଲା ।

 

ନିଶାର୍ଦ୍ଧର ସେହି ନିର୍ଜ୍ଜନ ପରିବେଶରେ ସେ ଜୀବନ୍ତ ମଣିଷଟିଏ ଦେଖି ଆଶ୍ୱସ୍ତ ହୋଇଗଲେ । ଅଚିହ୍ନା ହେଲେ କିଛି ଯାଏଆସେ ନାହିଁ, ଏହିପରି ଅଚିହ୍ନା ହୋଇ ଆସିଲେ ବି ଦୁନିଆରେ କେତେ ଚିହ୍ନା ପରିଚୟ ହୁଏ । ଜଣେ ମଣିଷର ଅନ୍ୟମାନଙ୍କ ସାଙ୍ଗରେ ଚିହ୍ନା ପରିଚୟ ଦ୍ୱାରା ମଣିଷ ମଣିଷ ମଧ୍ୟରେ ସ୍ଥାପିତ ହୁଏ ବନ୍ଧୁତ୍ୱର ସେତୁବନ୍ଧ; ଆଉ ସେହି ସେତୁବନ୍ଧ ଉପର ଦେଇ ସହଜରେ ଯିବାଆସିବା କରେ ସଂସାରର ସୁଖୀ ମଣିଷ ।

 

ସେଇ ସେତୁବନ୍ଧ ଭାଙ୍ଗି ଯାଇଥିଲା ତାଙ୍କର ।

 

ତଥାପି ସେହି ହିପ୍‌ପଣୀକୁ ଦେଖି ମନରେ ଟିକେ ସମ୍ୱଳ ପାଇଲା ପରି ମନେକଲା ଚିନ୍ମୟ ।

 

କିନ୍ତୁ ସେ କିଛି କହିବା ପୂର୍ବରୁ ଏକ ବିକଟ ହସଦ୍ୱାରା ନିର୍ଜନତା ଭଙ୍ଗକରି କହିଲା ସେ–ଧେତ୍‌ତେରୀ ! ଶଳା ବେରସିକ, ବଦ୍‌ତମିଜ୍ ! ଶଳାର ଜୀବନ ନାହିଁ, ଜୀବନ ନଥିଲେ ସଙ୍ଗସୁଖ ବୁଝିବ କେଉଁଠୁ ।

 

ତାଙ୍କ ବ୍ୟତୀତ ଆଉ କେହି ଲୋକ ନଥିଲେ ସେଠାରେ । ଆଉ କାହାକୁ କହିଲା ତା’ହେଲେ ? ନିଜ ଆଡ଼ୁ କିଛି କୈଫିୟତ ଖୋଜି ବାହାରକରିବା ପୂର୍ବରୁ ସେ ମେଞ୍ଚାଏ ଛେପ ଅଶ୍ୱାରୋହୀ ଉପରେ ପକାଇ କହିଲା—ଗୋ ଟୁ ହେଲ୍..... ଗୋ ଟୁ ହେଲ ।

 

କହୁଁ କହୁଁ ସେ ସେହି ଅନ୍ଧାର ଭିତରେ ଅଦୃଶ୍ୟ ହୋଇଗଲା ମୁହୂର୍ତ୍ତକ ମଧ୍ୟରେ ।

 

ନର୍କକୁ ଯିବାପାଇଁ ତାଙ୍କୁ ତା’ହେଲେ କହିଗଲା ସେ । ନର୍କ କେଉଁଠି, କେତେ ଦୂରରେ ? ସେଠାକୁ ଯିବାର ରାସ୍ତା କାହିଁ ?

 

ଚିନ୍ମୟ ଆହୁରି ବିମର୍ଷ ହୋଇପଡ଼ିଲେ । ସେ ଯେଉଁ ନର୍କକୁ ଯିବାପାଇଁ କେବେହେଲେ କଳ୍ପନା ମଧ୍ୟ କରି ନଥିଲେ, ସେଇଠିକୁ ଶେଷରେ ଯିବାପାଇଁ କହିଲା ହିପ୍‌ପିଣୀ । କାହିଁକି; ସେ ତ କୌଣସି ଦୋଷ କରି ନଥିଲେ ତା’ ପାଖରେ ? ସେ ବଞ୍ଚିବାର ବାସନା ନେଇ ଘୂରି ବୁଲୁଥିଲେ ଟିକିଏ ସଙ୍ଗ, ଟିକିଏ ସ୍ନେହ ଏବଂ ଟିକିଏ ଆଶ୍ରୟ ପାଇବା ପାଇଁ; କିନ୍ତୁ.....

 

ଏହିପରି ଭାବରେ ସ୍ୱର୍ଗରେ ରାସ୍ତା କେତେଦିନ ଆଗରୁ ଠିକ୍ କେତେବେଳେ ତାଙ୍କ ପାଇଁ ବନ୍ଦ ହୋଇଗଲା, ତାହା ସ୍ମରଣ କରିପାରିଲେ ନାହିଁ ଚିନ୍ମୟ ।

 

ସ୍ୱର୍ଗର ରାସ୍ତା ବଡ଼ଦାଣ୍ଡର ରାସ୍ତା ପରି ପ୍ରଶସ୍ତ ଏବଂ ମସୃଣ । ସେଠାରେ ରଥଯାତ୍ରା ହୁଏ । —ଯାତ୍ରା ଦେଖିବାପାଇଁ କେବଳ ଲୋକ ଆସନ୍ତିନି, ରଥର ଦଉଡ଼ି ଟାଣିବାପାଇଁ ବି ଅନେକ ଲୋକ ଆସନ୍ତି । ଆଉ ସେହି ରଥଦଉଡ଼ି ଟାଣୁ ଟାଣୁ ତ ତାହା ଛିଣ୍ଡିଯାଇଥିଲା ବୋଲି ତଳେ ମୁହଁ ମାଡ଼ି ପଡ଼ିଯାଇଥିଲେ ସେ ।

 

ଧୂଳିଝାଡ଼ି ମୁହଁ ଉପରକୁ କରି ଉଠିଲାବେଳକୁ ସେ ସେତେବେଳେ ଦେଖିଲେ ଯେ, ସେ ଏକା, ନିହାତି ଏକୁଟିଆ । ତାଙ୍କର ଚାରିପାଖରେ ସ୍ତବ୍‌ଧ ନୀରବତା, କେହି ସାଙ୍ଗ ନାହାନ୍ତି ସେଠାରେ ଆହା କରି ତାଙ୍କୁ ସଙ୍ଖୋଳିନବାପାଇଁ । ସେତେବେଳେ ସେ ବୁଝିପାରି ନଥିଲେ ସାଙ୍ଗ ନଥିଲେ, ସମ୍ପଦମାନେ ମଧ୍ୟ ଏତେ ଶୀଘ୍ର ଅନ୍ତର୍ହିତ ହୋଇଯାଆନ୍ତି ବୋଲି ।

 

ଆଜି ବି ପୁଣି ଥରେ ଯେପରି ସ୍ୱର୍ଗର ରାସ୍ତା ନପାଇ ନର୍କ ଆଡ଼କୁ ଯିବାପାଇଁ ଆଉ ଥରେ ମୁହଁମାଡ଼ି ପଡ଼ିଗଲେ ଚିନ୍ମୟ ।

 

ନର୍କ..... ହଁ, ନର୍କକୁ ଯିବାପାଇଁ ହେବ ତା’ହେଲେ । ମଧ୍ୟରାତ୍ରିର ସେହି ଅଭିଶାପ ମସ୍ତକ ଉପରେ ବହନକରି ଦୁଇପାହୁଣ୍ଡ ଆଗକୁ ଯାଇ ପୁଣି ପଛକୁ ଫେରିଆସି ମନ୍ଦିର ଆଡ଼କୁ ଅନାଇଲେ ସେ । ଏତେ ଅନ୍ଧକାର ମଧ୍ୟରେ ତାଙ୍କୁ ସ୍ପଷ୍ଟ କିଛି ଦେଖାଗଲା ନାହିଁ । କେବଳ ସେ ଦେଖିଲେ ରାଶି ରାଶି ସ୍ତୂପୀକୃତ ଅନ୍ଧକାର ଭିତରେ ନିଃସଙ୍ଗ ଏକ ଜୀବନର ନିର୍ଯ୍ୟାତିତ ଅଭିମାନ ଗୁମୁରି ଗୁମୁରି ପ୍ରତିବାଦ କରୁଥିଲା ।

 

ଆଉ ସେ ମୁହୂର୍ତ୍ତେମାତ୍ର ରହିଲେ ନାହିଁ ସେଠାରେ ।

 

ଦିଲ୍ଲୀର ଦରବାର ଛାଡ଼ି ଆଉ ଏକ ନୂତନ ଦରବାରରେ ନିଜକୁ ଅଧିଷ୍ଠିତ କରି ନିଜର ସ୍ୱରୂପକୁ ଆହୁରି ଉଜ୍ଜ୍ୱଳତର କରି ଦେଖିବାପାଇଁ ସିଦ୍ଧାନ୍ତ ନେଇ ଦିନେ ତୋଗଲକ ବାଦଶାହୀ ଆଜ୍ଞା ଜାହିର କରିଥିଲେ; କିନ୍ତୁ ନିଜକୁ ନିଜ ଦରବାରରେ ପ୍ରତିଷ୍ଠିତ କରି ଦରବାରୀ–କାନାଡ଼ାର ସଙ୍ଗୀତ ଓ ସମ୍ମୋହନ ମଧ୍ୟରେ ହଜାଇଦବାକୁ ଯାଇ ନିଜେ କେଉଁଆଡ଼େ ହଜିଗଲେ ସେ । ସେହିଦିନୁ ଦିଗ ଖୋଜି ଖୋଜି ବହୁତ ଘୂରିବୁଲୁଥିଲେ ଚିନ୍ମୟ, ଆଜିଯାଏଁ ସେ କେବଳ ଜାଣି ଆସୁଥିଲେ ଯେ ପୃଥିବୀରେ କେବଳ ଚାରୋଟି ଦିଗ; ତେଣୁ ଦିଗନିର୍ଣ୍ଣୟ କରି ଅଗ୍ରଗତି କରିବା ଆଦୌ ଆୟାସସାଧ୍ୟ ନୁହେଁ । କିନ୍ତୁ ଏବେ ସେ ଜାଣୁଛନ୍ତି କେବଳ ଚାରୋଟି ଦିଗ ଥିଲେ କ’ଣ ହେବ; ଏତେ ଅସରନ୍ତି ପଥ ଅଛି ବୋଲି ସେ ଯଦି ଆଗରୁ ଜାଣିଥାଆନ୍ତେ, ପ୍ରଥମରୁ ପତିତପାବନକୁ ଯିବା ପାଇଁ ବଡ଼ଦାଣ୍ଡ ଉପରେ ପାଦ ନପକାଇ ଛୋଟ ଗଳିକନ୍ଦି ଦେଇ ସହଜ ପଥରେ କମ୍ ସମୟ ମଧ୍ୟରେ ହୁଏତ ଆସିପାରିଥାଆନ୍ତେ ।

ଚିନ୍ମୟ ଅଣନିଃଶ୍ୱାସୀ ହୋଇ ପ୍ରଥମେ ଚାଲୁ ଚାଲୁ ପଥ ଦୀର୍ଘ ହେବ ମନେ କରି ଦୌଡ଼ିବାକୁ ଲାଗିଲେ ।

ଦିନେ ଏମିତି ଦୌଡ଼ୁ ଦୌଡ଼ୁ ନିହାରିକା ତାଙ୍କ ହାତରୁ ଖସିଯାଇଥିଲା ।

ପୃଥିବୀର କେତେ ମେଳା, ମନ୍ଦିର, ମସଜିଦ୍ ଖୋଜିନାହାନ୍ତି ସେ !

ଦେଶ ଦେଶ ବୁଲିଛନ୍ତି, ଗଳିଗଳିରେ ଅନୁସନ୍ଧାନ କରିଛନ୍ତି, କୋଣେ କୋଣେ ଗୋଟିଏ ହୃଦୟ ଦୁଇଟି ଆଖି ଏବଂ ଦୁଇଟି ହାତର ବ୍ୟାକୁଳତା ନେଇ ଖୋଜିଛନ୍ତି ତାଙ୍କୁ, କିନ୍ତୁ କେହି ଫେରାଇ ଦେଲେନାହିଁ ।

ନିହାରିକା ସବୁଦିନ ପାଇଁ ଅଦୃଶ୍ୟ ହୋଇ ରହିଲେ ତାଙ୍କ ଜୀବନ-ମଞ୍ଚ ଉପରୁ ।

ସେ ଏକାକୀ ରହିଗଲେ ଅଭିନୟ କରିବା ପାଇଁ, ଯାହାକୁ ଦେଖିବାପାଇଁ ଏତେ ଭିଡ଼ ଲାଗୁଥିଲା ତାଙ୍କ ଅଙ୍ଗନରେ ତାକୁ ନପାଇ ପାତ୍ରମନ୍ତ୍ରୀ ମଧ୍ୟ ଅଦୃଶ୍ୟ ହୋଇଗଲେ ଅନ୍ତରାଳରେ । ଶୁଖିଲା ଗଛ ପରି ସେ କେବଳ ନିର୍ଜୀବ, ନିସ୍ତେଜ ହୋଇ ପଡ଼ିରହିଲେ ଏକାକୀ ।

ତାଙ୍କର ଦୟା ଅନୁକମ୍ପା ଉପରେ ଯେଉଁମାନେ ଆଜିଯାଏ ନିର୍ଭର କରି ଆସୁଥିଲେ ସେମାନଙ୍କ ହାତଟେକାକୁ ଶେଷକୁ ଅପେକ୍ଷା କରିବାକୁ ହେବ ଦେଖି ସେ ଛିଟିକି ଆସିଲେ ସଂସାରପଥରୁ । ଏତେ ବଡ଼ ସରସ, ସରଳ ପୃଥିବୀଟା ସହସା ଏତେ ସଂକୀର୍ଣ୍ଣ, ନୀରସ ଏବଂ ଜଟିଳ ମନେହେଲା ତାଙ୍କର ।

ଝାଉଁବଣର ସେଇ ସିଁ; ସିଁ ଶବ୍ଦ ଯେପରି ତାଙ୍କୁ ତୁହାଇ ତୁହାଇ କହୁଥିଲା–‘‘ଗୋ ଟୁ ହେଲ୍.....’’ ନର୍କକୁ ଯାଅ, ସେଇ ନର୍କ ଆଡ଼କୁ ଦୌଡ଼ୁଥିଲେ ଚିନ୍ମୟ ।

ସେ କେତେବେଳେ ଆସି ପୁଣି ସେହି ଶବ୍ଦର ତରଙ୍ଗ ପାଖରେ ପହଞ୍ଚିଗଲେ, ପ୍ରଥମେ ଜାଣି ବି ପାରିଲେ ନାହିଁ । ପାଦରେ ପାଣି ଲାଗିବାରୁ ସଚେତନ ହୋଇ ସେ ଦେଖିଲେ ପୁଣି ସେହି ଅଶାନ୍ତ ସମୁଦ୍ରର ଶବ୍ଦର ତରଙ୍ଗର ଶେଷ ପାବଚ୍ଛ ଉପରେ ସେ ଛିଡ଼ା ହୋଇଛନ୍ତି ।

ଜୀବନ ଇମିତି ମୁଖରିତ ହେଲେ ମଣିଷ ମରିପାରେ ନାହିଁ ।

ସେ କେବେହେଲେ ମରିବାପାଇଁ ଚାହିଁ ନଥିଲେ । ଜୀବନରେ ସବୁ ପାଇବାର ନିଶା ମହୁଲଫୁଲର ମହୁଆ ବାସ୍ନା ପରି । ସେଇ ବାସ୍ନା ଶୁଙ୍ଘି ଶୁଙ୍ଘି ସେ ଦଉଡ଼ୁଥିଲେ...ଯେପରି ଦଉଡ଼େ କସ୍ତୁରୀ ମୃଗ ।

 

ସେଇ ଶବ୍ଦକୁ ନିଜ ଭିତରେ ଅନୁଭବ କରିବାପାଇଁ ଚେଷ୍ଟାକଲେ ଚିନ୍ମୟ । ସେଇ କୋଳାହଳକୁ ନିସ୍ତବ୍‌ଧ ଅନ୍ତର ମଧ୍ୟରେ ଉପଲବ୍‌ଧ କରିବାପାଇଁ ଆଶାକଲେ ସେ ।

 

ସୁ ସୁ ହୋଇ ବୋହିଆସିଲା ଗୋଟିଏ ବଡ଼ ଲହରୀ—ସାଙ୍ଗରେ ସମ୍ପୂର୍ଣ୍ଣତାର ସମ୍ଭାର । ଗତି ଓ ଶକ୍ତି ଉଭୟର ପ୍ରତୀକ । କୋଣାର୍କର ଅଶ୍ୱ ପରି ସେ ବି ଦଉଡ଼ି ଆସୁଥିଲା । ସେଇ ଲହରୀ କିନ୍ତୁ ଅଖଣ୍ଡିତ ଶକ୍ତିର ଉତ୍ସ ହୋଇ ରହିପାରିଲାନାହିଁ; ଭାଙ୍ଗିଗଲା କୂଳ ଲଙ୍ଘନ କରିବା ପୂର୍ବରୁ ।

 

ହସିଉଠିଲେ ଚିନ୍ମୟ । ସେଇ ହସ ଉତୁରି ପଡ଼ୁଥିବା ତରଙ୍ଗର କଳୋଚ୍ଛ୍ୱାସ ପରି ମୁଖରିତ କଲା ବେଳାଭୂମିକୁ । ସମୁଦ୍ରର ନିଃସଙ୍ଗ ଜୀବନର ହସ ଦେଖି, ଆଉ ସମ୍ଭାଳି ନପାରି ହସିଦେଇଥିଲେ ଚିନ୍ମୟ ।

 

ନିଃସଙ୍ଗ ବୋଲି ଏତେ ଅଶାନ୍ତ, ଅସ୍ଥିର ଏଇ ସାଗର । ସଙ୍ଗ ଅଛି ବୋଲି ଏତେ ଶାନ୍ତ, ସ୍ଥିର ଏ ଧରଣୀ ।

 

ଆକାଶରେ ତାରାମାନଙ୍କର ଅନାଦି ଅନନ୍ତ କାଳରୁ ଚାଲିଆସୁଥିବା ମହାସଭାର ସଂପୂର୍ଣ୍ଣ ଅଧିବେଶନ । ଏତେ ପରିଚୟ ଏତେ ଆତ୍ମୀୟତା ଅଛି ବୋଲି ସିନା ସେମାନଙ୍କର ପ୍ରକାଶ ଏଡ଼ିକି ପ୍ରଦୀପ୍ତ ଏବଂ ପ୍ରୀତିପୂର୍ଣ୍ଣ ।

 

ବକ୍ଷପଞ୍ଜର ଭିତରେ ଏକ ବିକ୍ଷୋଭିତ ବେଦନା କ୍ରମଶଃ ପ୍ରବଳ ହେଉଥିଲା ।

 

ମଣିଷମାନଙ୍କ ମେଳରେ ସେ ଚାହିଁଥିଲେ ପ୍ରତିଷ୍ଠା, ପ୍ରୀତି ଏବଂ ପରିଚୟ । ସବୁ ପାଇଥିଲେ; କିନ୍ତୁ କିଛି ରକ୍ଷାକରି ପାରିଲେନାହିଁ ।

 

ସାଗରବକ୍ଷକୁ ଚାହିଁ ଚାହିଁ ଭାଙ୍ଗିପଡ଼ୁଥିବା ତରଙ୍ଗମାନଙ୍କର କଳୋଚ୍ଛ୍ୱାସମାନଙ୍କୁ ଦେଖୁଥିଲେ ଚିନ୍ମୟ ।

 

ଦ୍ୱାଦଶୀର ଚନ୍ଦ୍ର ଚେନାଏ ହସ ପରି ଝୁଲିପଡ଼ୁଥିଲା ଆକାଶରୁ । ସେଇ ସ୍ତିମିତ ଚନ୍ଦ୍ରାଲୋକରେ ପୁଣି ଥରେ ଚାରିଆଡ଼କୁ ଅନାଇଲା ସେ । ଅନ୍ଧକାର କ୍ରମଶଃ ଅପସରି ଯାଇ, ଯେପରି ଠୁଳ ହୋଇଥିଲା ଝାଉଁବଣ ଭିତରେ ।

 

କିଛି ସମୟ ପୂର୍ବରୁ ଅନ୍ଧକାର ଆଉ ନଥିଲେ ବି ଯେଉଁ ଆଲୋକ ଆସୁଥିଲା ଆକାଶରୁ, ତାହା ଯେପରି ମ୍ଳାନ ଏବଂ ସଂକୁଚିତ ।

 

ମହୋଦଧି ତାଙ୍କୁ କିଛି ଅଭୟବାଣୀ ଦେଇପାରିଲା ନାହିଁ । ସେ ଅସ୍ଥିର ଭାବରେ ବେଳାଭୂମି ଉପରେ ଚାଲିବାକୁ ଲାଗିଲା । କିଛି ଦୂରରେ ବାଲିଶେଯକୁ ଆଶ୍ରୟ କରି ନଗ୍ନପ୍ରାୟ ଏକ ହିପ୍‌ପୀକୁ ଶୋଇଥିବାର ଦେଖିଲେ । ସେ ଶୋଇଥିଲା କି ଚାହିଁଥିଲା ଜାଣିପାରିଲେ ନାହିଁ । ତା’ ପାଖରେ ଛିଡ଼ାହୋଇ ତାକୁ ବାରମ୍ୱାର ଦେଖିଲେ ଚିନ୍ମୟ ।

 

ହିପ୍‌ପୀ କିଛି ସମୟ ପରେ ଆଖି ନଖୋଲି କହିଲା—ତୁ ଫେରି ଆସିବୁ ଜାଣିଥିଲି ମାର୍ଗାରେଟ୍ !

 

ତା’ର ଅନୁମାନ ଯେ ମିଥ୍ୟା, ଏହା କହିଦବାପାଇଁ ଇଚ୍ଛା ହେଉଥିଲା ଚିନ୍ମୟଙ୍କର; କିନ୍ତୁ ସେ କିଛି କହିପାରିଲେ ନାହିଁ ।

 

ଶୋଇ ଶୋଇ ଜନ୍ କହିଲା—ନିଃସଙ୍ଗ ହୋଇ ମୁଁ ରହିବାକୁ ଡରେନାହିଁ ମାର୍ଗାରେଟ୍ ! ଏଇ ଚିଲମରେ ଗଞ୍ଜେଇ ଥିଲେ ମୁଁ ଯେଉଁ ଉତ୍ତପ୍ତ ଏବଂ ଐକାନ୍ତିକ ସଙ୍ଗ ପାଏ, ତାହା ତୋ ଓଠର ପରଶଠାରୁ ଢେର୍ ଲୋଭନୀୟ ।

 

ଆଖି ନଖୋଲି ଦିଆସିଲି ଲଗାଇ ଚିଲମରେ ନିଆଁ ଧରାଇ ତିନି ଚାରିଥର ଜୋର୍ କରି ଟାଣିଲା ଜନ୍ ।

 

ଅଳ୍ପ ସମୟ ଭିତରେ ପୁଣି ସେ ଅଚେତ୍ ପ୍ରାୟ ହୋଇ ଶୋଇପଡ଼ିଲା ।

 

ଗୋଟିଏ ବଡ଼ ଢେଉର ପାଣି ଛିଟିକିଆସି ଗୋଡ଼ର ଅଧେ ଧୋଇଗଲା ତାର । କିନ୍ତୁ ସେ ଯେପରି ନିର୍ବିକାର, ନିଶ୍ଚଳ ।

 

ତା’ପାଖରେ ବସିପଡ଼ିଲେ ଚିନ୍ମୟ । କୋଣାର୍କର ପଥରମୂର୍ତ୍ତିଠାରୁ ସ୍ଥିରହୋଇ ବେଳାଭୂମିରେ ଗୋଟିଏ ବିନ୍ଦୁରେ ଶୋଇରହିଲା ଜନ୍ । ମଣିଷର ସଙ୍ଗ ନଥାଇ ନିଃସଙ୍ଗ ହେବା ଏଇ ପ୍ରଥମ ଦେଖିଲେ ସେ । ଏକାକୀ ଶୋଇ ଶୋଇ ନିଜେ ନିଜର ସଙ୍ଗର ଉତ୍ତାପ ଅନୁଭବ କରୁଥିଲା ଜନ୍ ।

 

କିନ୍ତୁ ସେ ଏହା ପାରିଲେ ନାହିଁ । ମାର୍ଗାରେଟ୍ ହୁଏତ ସେଇ ଅଶ୍ୱାରୋହୀ ପାଖରୁ ପଳାଇଯାଇ ଆଉ କେଉଁଠି ବସିଥିବ ବା ଝାଉଁବଣ ଭିତରକୁ ଯାଇ ଝାଉଁଗଛକୁ ଆଲିଙ୍ଗନ କରି ନିଜର ନିବେଦନ ଜଣାଉଥିବ ।

 

ଦୁହେଁ ଏକସ୍ଥାନରେ ରହି ବି ପୁଣି ପରସ୍ପରଠାରୁ କେତେ ଦୂରରେ ।

 

କିଛି ସମୟ ପରେ ପୁଣି ମନକୁ ମନ ବିଳିବିଳେଇଲା ପରି କହିଚାଲିଲା ଜନ୍—ତୁ ମୋତେ ଛାଡ଼ି ସେହି ଅଶ୍ୱାରୋହୀ ପାଖକୁ ଯାଇଥିଲୁ ନା ? ତା’ ପାଖରେ ନରହି ଚାଲିଆସିଲୁ ଯେ-! ସେ ଗୋଟେ ହାରାମଜାଦା, ସଇତାନ୍ ହୋଇଥିବ । ନହେଲେ ତୋପରି ମର୍କଟୀକୁ ସେ ପାଖ ପୂରାଇଦିଅନ୍ତା ! ମାର୍ ଗୁଲି ସେ ଶଳାକୁ ! ଯା, ତୁ ସେହି ନର୍କକୁ ଯାଆ..... ଗୋ ଟୁ ହେଲ୍-

 

ସେ ବି ନର୍କକୁ ଯିବା ପାଇଁ ତାଙ୍କୁ କହିଥିଲା...... ।

 

ଆଉ ଚୁପ୍‌ ହୋଇ ବସି ନରହି ତାକୁ ହଲାଇଦେଇ କହିଲେ ଚିନ୍ମୟ—ମୁଁ ମାର୍ଗାରେଟ ନୁହେଁ, ତୁ ଉଠି ବସ—ଗପକରିବା ।

 

ଜନ୍‌ ଆଖି ନଖୋଲି କହିଲା—ତୁ ଶଳା ଯିଏ ହୁଅ ପଛେ ମୋର ସେଥିରେ କିଛି ଯାଏଆସେ ନାହିଁ । ମୁଁ କିନ୍ତୁ ସେ କୁତୀର ଫାଶରେ ଆଉ ପଡ଼ୁନି । ତାକୁ ଦେଖିଲେ କହିଦବ ଯେ, ମୁଁ ବେଶ୍‌ ଶାନ୍ତିରେ ଅଛି । ଏହି ଚିଲମ ମୋର ସଙ୍ଗ ଏବଂ ଶାନ୍ତି । ଏହି ଗଞ୍ଜେଇଧୂଆଁରେ ମୁଁ ପାଏ ପରମାନନ୍ଦ ପ୍ରଶାନ୍ତି...... ।

 

କଥା କହିଲାବେଳେ ତା’ ମୁହଁ ଖୋଲିଯିବାରୁ ମୁହଁର ଦୁର୍ଗନ୍ଧ ବେଶ୍‌ ବାରିପାରିଲେ ଚିନ୍ମୟ । ସେ ବେଶ୍‌ ଜାଣିପାରିଲେ, ଅଭିମାନ କରି ବେଶି ନିଶାପାନ କରିଛି ଜନ୍‌ । ମାର୍ଗାରେଟ୍‌ଟା ନିହାତି ନିର୍ମମ ନହୋଇଥିଲେ ସେଇ ପଥରଟା ପାଖରେ ବସି ବସି ରାତି କଟାନ୍ତା !

 

ସେ ଯଦି ଏଇ ହିପ୍‌ପୀ ପରି ଚିନ୍ତାଶୂନ୍ୟ ହୋଇ ସ୍ଥିର ରହିପାରୁଥାନ୍ତେ, ତା’ହେଲେ ଏତେ କଷ୍ଟ ପାଆନ୍ତେନାହିଁ । ନିଃସଙ୍ଗ ଜୀବନର ଯନ୍ତ୍ରଣା କେବଳ ତାଙ୍କରି । ଏକାନ୍ତ ତାଙ୍କରି; ସେଥିରୁ କେହି କେବେହେଲେ ଭାଗ ନେବେନାହିଁ ।

 

ସଙ୍ଗ ନାହିଁ । ସମ୍ପଦ ମଧ୍ୟ ନାହିଁ । ସବୁ ଯେପରି ଭଙ୍ଗା ତରଙ୍ଗର ଉଚ୍ଛ୍ୱାସ ପରି କେଉଁଆଡ଼େ ଅନ୍ତର୍ହିତ ହୋଇଗଲା । ତରଙ୍ଗ ଭାଙ୍ଗିବାର ଶବ୍ଦ ପରି ସେ କେବଳ ଏକ ଦୀର୍ଘଶ୍ୱାସ ନେଇ ପ୍ରେତପରି ଘୂରି ବୁଲୁଛନ୍ତି ରାତ୍ରିର ଏହି ଶେଷ ଯାମରେ ।

 

ଉଠିପଡ଼ିଲେ ଚିନ୍ମୟ । ଚିଲମରୁ ଗଞ୍ଜେଇଧୂଆଁ ଟାଣିବାପାଇଁ ଥରେ ମନହେଲା । କାଳେ ଯଦି ଏହି ଅର୍ଦ୍ଧନଗ୍ନ ଯୁବକ ପରି ସେ ବି ବେପରୁଆ ହୋଇ ବେପଥୁ ଜୀବନର ବ୍ୟଥା ଭୁଲି ଯାଇପାରନ୍ତେ ।

 

କିନ୍ତୁ ହେଲା ନାହିଁ । ସେ ଉଠିପଡ଼ି ଆଗକୁ ଅଗ୍ରସର ହେଲେ । ଚାରୋଟି ଦିଗ ଚାରିଆଡ଼କୁ ଘେରି ରହିଥିଲେ ବି ଏତେ ଅସରନ୍ତି ଅନନ୍ତ ପଥ ଦେଖି ସ୍ତବ୍‌ଧ ହୋଇ ଛିଡ଼ା ହୋଇଗଲେ ଚିନ୍ମୟ । ଆଉ ଚାଲିବାପାଇଁ ଇଚ୍ଛା ବା ସାହସ ନାହିଁ । ସେ ହାରିଗଲା ସୈନିକର ହାହାକାର ନେଇ ଶେଷ ହୋଇଯିବାପାଇଁ ଚାହୁଁଥିଲେ ।

 

ସହସା ଏକ ତୀବ୍ର ତାଡ଼ନାର ବଶବର୍ତ୍ତୀ ହୋଇ ଦ୍ରୁତଗତିରେ ଦଉଡ଼ିଯାଇ ସାଗରବକ୍ଷରେ ଲମ୍ଫଦେଲେ ଚିନ୍ମୟ ।

 

ଗୋଟିଏ ବଡ଼ ଢେଉ ଭାଙ୍ଗି ଧାଇଁଆସିଲା ସମୁଦ୍ରର ପାଣି ।

 

ତାଙ୍କ ହାତ ଧରି କୂଳକୁ ଟାଣିଆଣି କହିଲା ମାର୍ଗାରେଟ–ଏତେ ଶୀଘ୍ର ମରିବା ପାଇଁ ପଣ କଳ କେଉଁ ଦୁଃଖରେ । ଫରଗେଟ୍‌ ଦି ପାଷ୍ଟ୍‌.... ଲିଭ୍‌ ଫର୍‌ ଦି ପ୍ରେଜେଣ୍ଟ୍‌ ।

 

ଅତୀତକୁ ଭୁଲିଯାଇ ବର୍ତ୍ତମାନକୁ ନେଇ ବଞ୍ଚିପାରିଲେ ନାହିଁ ବୋଲି ସିନା ଆତ୍ମବିସର୍ଜନ ଦେଉଥିଲେ ସେ ।

 

ଲୁଣପାଣିରେ ଧୋଇହୋଇଯାଇଥିଲା ତାଙ୍କର ସର୍ବାଙ୍ଗ । ତାଙ୍କ ଆଡ଼କୁ ହାତ ବଢ଼ାଇ କହିଲା ମାର୍ଗାରେଟ୍‌..... ଉଠ୍‌, ଉଠିପଡ଼ । ଟେକ୍‌ ମାଇଁ ହ୍ୟାଣ୍ଡ, ଲେଟ୍‌ ଆସ୍‌ ବି ଫ୍ରେଣ୍ଡ.....

 

ଆହୁରି ସଙ୍କୁଚିତ ହୋଇଗଲେ ଚିନ୍ମୟ । ଏଇ ସେଇ ହିପ୍‌ପିଣୀ ଯିଏ ଦୁଇତିନି ଘଣ୍ଟା ପୂର୍ବରୁ ସେଇ ଅଶ୍ୱାରୋହୀ ଉପରକୁ ଛେପ ପକାଇ କହୁଥିଲା—ଗୋ ଟୁ ହେଲ୍‌..... ।

 

ନର୍କ ପାଖରେ ରହିପାରିବେ ସେ ? ଏକ ସିଧାସଳଖ ପ୍ରଶ୍ନ ଆସି ଛିଡ଼ାହେଲା ତାଙ୍କ ପାଖରେ । ସମ୍ପଦ ଆଉ ଫେରିବାର ଆଶା ନଥିଲେ ବି ନୀହାରିକାର ସ୍ଥାନ ପୂରଣ କରି ତାଙ୍କୁ ସଙ୍ଗ ଏବଂ ସୁଖ ଦେଇପାରିବ ମାର୍ଗାରେଟ୍‌ ?

 

ସେତେବେଳକୁ ମାର୍ଗାରେଟ୍‌ର ଦେହ ଉପରେ ସଞ୍ଚରିତ ହେଉଥିବା ତାଙ୍କ ହାତଟିକୁ ନିଜ ହାତମୁଠା ଭିତରେ ଜାକିରଖି କହିଲା ସେ—ଡୋଣ୍ଟ୍‌ ବି ସିଲି । ତୁମେ ଭାରତୀୟଗୁଡ଼ା ନିହାତି ସେଣ୍ଟିମେଣ୍ଟାଲ । ଭାବପ୍ରବଣତା ଭାବ ଆଣେନା ବନ୍ଧୁ..... କେବଳ ଅଭାବ ହିଁ ସୃଷ୍ଟି କରେ.... ଜୀବନର ସମ୍ପର୍କ । କେବଳ ନାରୀ ଏବଂ ପୁରୁଷର ନୁହେଁ..... ବନ୍ଧୁ ପରି ହୁଅ, ବନ୍ଧୁ ପରି ଦେଖି ଶିଖ-

 

କାତରଭାବରେ ତା’ ଆଡ଼କୁ ଚାହିଁ କହିଲେ ଚିନ୍ମୟ—ଅଥଚ ଏଇ ଗଳ୍ପ ସମୟ ଆଗରୁ ସେଇ ପଥର ମୂର୍ତ୍ତି ପାଖରୁ ତୁମେ ସଙ୍ଗଭିକ୍ଷା କରୁଥିଲ ନା ?

 

ସେ ନିଃସଂକୋଚ ଚିତ୍ତରେ କହିଲା—ହଁ, ମୁଁ ବି ଜନ୍‌ ଉପରେ ଅଭିମାନ କରି ପଳେଇଯାଇଥିଲି । ଆଉ ଏଇ ସମୁଦ୍ର ଭିତରେ ମୁଁ ବି ଆତ୍ମହତ୍ୟା କରିବା ପାଇଁ ଯାଉଥିଲି; କିନ୍ତୁ ଭଗବାନ ମହାନ୍‌, ପାରିଲି ନାହିଁ । ଜନ୍‌ର ଅର୍ଥଶୂନ୍ୟ ଚାହାଣିର କରୁଣତା ମୋତେ ଟାଣିଆଣିଲା ମରଣ ମୁହଁରୁ ।

 

ଯେଉଁ ଜନ୍‌ ତାକୁ ଏଡ଼ିକି ଖରାପ ଭାଷାରେ ତିରସ୍କାର କରୁଥିଲା ଏଇ ଘଣ୍ଟାକ ଆଗରୁ, ତା’ ପାଇଁ ପୁଣି ତା’ର ଦରଦ ଦେଖି ଅବାକ୍‌ ହୋଇଗଲେ ଚିନ୍ମୟ ।

 

ସେଇ ଦରଦ ଯଦି ସେ ଦେଖାଇ ପାରିଥାଆନ୍ତେ ନିହାରିକାକୁ !

 

ମାର୍ଗାରେଟ୍‌ର ହାତ ତାଙ୍କ ଆଖିରେ ଚାପିଧରି ଅବୋଧ ଶିଶୁପରି କେବଳ କାନ୍ଦିବାକୁ ଲାଗିଲେ ଚିନ୍ମୟ ।

 

ଗୋଟିଏ ପରେ ଗୋଟିଏ ତରଙ୍ଗ ମଥା ପିଟୁଥିଲେ ବେଳାଭୂମିର ପାଦ ତଳେ ଅନନ୍ତ ଆକୁଳତା ନିବେଦନ କରି କରି ।

☆☆☆

 

ମରୀଚିକା

 

ସନିଆର ସାତପୁରୁଷ ଯେଉଁ ଗାଁ-ମାଟିକୁ ଜାବୁଡ଼ିଧରି ଯୁଗ ଯୁଗ ପଡ଼ିରହିଥିଲେ, ସେ ଆଉ ସେଠାରେ ରହିପାରିଲାନାହିଁ । କାମଧନ୍ଦା ନଥିଲେ ଶୂନ୍ୟକୁ ଚାହିଁ କର୍ମକୁ ଆଦରି କେତେଦିନ ଆଉ ପଡ଼ିରହନ୍ତା ? ଘରେ ଯାହାକିଛି ଥିଲା, ଗୋଟେ ଅଖା ଭିତରେ ଭର୍ତ୍ତିକରି ଗାଆଁରୁ ପଳାଇଆସିଲା ସହରକୁ ।

 

ଗାଆଁରୁ ସହରକୁ ବାଟ ସିଧା ନୁହେଁ । କୋଡ଼ିଏ କି ପଚିଶ କୋଶ ହବ । ପାହାଡ଼ ପର୍ବତ, ନଦୀ ନାଳ ଡେଇଁ ସେ ଯେଉଁଦିନ ସହରକୁ ପ୍ରଥମେ ଆସିଲା, ଚାରିଆଡ଼କୁ ଚାହିଁଦେଇ ତା’ ହଲକ ଶୁଖିଗଲା । ଗାଡ଼ି, ଘୋଡ଼ା, ଲୋକଙ୍କର ସୁଅ ଛୁଟିଥିଲା ରାସ୍ତାରେ । ସେ ରାସ୍ତାଧାରରେ ଛିଡ଼ାହୋଇ ଭେଳେକାପରି ଅନେଇଲା ଅନେକ ସମୟ । କେହି ଚିହ୍ନା ମନେହେଲେ ନାହିଁ । କାହାକୁ ଆପଣାର ବୋଲି ଭାବି ପାରିଲାନାହିଁ । ତୁଣ୍ଡ ତାର ଅଠା ଅଠା ଲାଗିଲା । ସେ ପଥ-ହୁଡ଼ି ଆଉ କେଉଁଠାକୁ ଆସିଗଲା ବୋଲି ମନରେ ସଂଶୟ ହେଲା । ହଠାତ୍‌ ସେ ମନେକଲା ଯେ ଶୋଷରେ ତା କଣ୍ଠ ଶୁଖିଯାଉଛି । ପେଟ ଭୋକରେ ହାଉଯାଉ ଖାଉଥିଲା । ଅଖାବନ୍ଧା ଗଣ୍ଠିଲିଟିକୁ ଗଛମୂଳେ ରଖିଦେଇ ସେ ଗଛକୁ ଆଉଜି ବସିପଡ଼ିଲା ।

 

ଅନେକ ଲୋକ ସେହି ରାସ୍ତାରେ ଯିବା-ଆସିବା କଲେ; କିନ୍ତୁ କେହି ତା’ ଆଡ଼କୁ ଚାହିଁଲେନାହିଁ କି ତାକୁ କିଛି କହିଲେନାହିଁ । ସେମାନଙ୍କ ଆଖିରେ ବା ମୁହଁରେ ତା’ ପ୍ରତି ଟିକେ ଦରଦ ଦେଖିଥିଲେ କେଡ଼େ ଖୁସି ହୋଇଥାଆନ୍ତା ସତରେ । ମଣିଷ ତ ମଣିଷ ପାଇଁ; ବାଘ ବକୁରୀ ପାଇଁ ନୁହେଁ । ମଣିଷ ମେଳରେ ମଣିଷ ନିଜର ସ୍ଥିତିକୁ ବୁଝିପାରେ; ମଣିଷ ପାଦର ଶବ୍ଦ, ତା’ ତୁଣ୍ଡର କଥା ଶୁଣି ସେ ଆଶ୍ୱସ୍ତ ହୁଏ; କିନ୍ତୁ ଏତେ ଲୋକଙ୍କର ଗହଣରେ ଥାଇ ମଧ୍ୟ ସେ ନିଜକୁ ବଡ଼ ଏକୁଟିଆ ମନେକଲା । କ୍ରମଶଃ ଏକ ଅସ୍ୱସ୍ତିକର ଅସହାୟତାବୋଧ ତା’ର ମନକୁ ଆଚ୍ଛନ୍ନ କରି ପକାଇଲା । ଗଛଉପରେ ଭରାଦେଇ ଦେହର ଝାଳ ଶୁଖାଇବା ପାଇଁ ବସିପଡ଼ିଲା ସନିଆ ।

 

ବଣ ଓ ପାହାଡ଼ ଘେରାଛୋଟ ଗାଆଁଟିର ରୂପ ତା’ ଆଖିଆଗରେ ଭାସିଉଠିଲା । ସେହି ଛୋଟ ଗାଆଁଟିର କାନ୍ତକୋମଳ ରୂପ ତା’ ଆଖିରେ ନିଶା ଲଗାଇଦେଲା । ସେ ବହୁ ସମୟ ଆଖିବୁଜି ସେଇ ଗାଆଁ, ତାର ପଶୁ, ପକ୍ଷୀ, ମଣିଷ, ଗଛଲତା ନଦୀକୂଳ ଏବଂ ଆମ୍ବତୋଟାକୁ ଦେଖିଲା । କେଡ଼େ ଆପଣାର ମନେହେଲେ ସମସ୍ତେ । ସେଇ ଅସନା, ନୁଖୁରା, ନଙ୍ଗଳା ପିଲାଗୁଡ଼ାଙ୍କର ବାଗୁଡ଼ିଖେଳ ତା’ ଦେହର ଶିରାପ୍ରଶିରାରେ ବାଲ୍ୟକାଳର ଅଲିଭା ସ୍ମୃତିକୁ ଆଉଥରେ ଉଜ୍ଜ୍ୱଳ କରିଦେଲା ।

 

ସନିଆ ଆହୁରି କେତେ ସମୟ ବସିଥାଆନ୍ତା । ସେହିପରି । କାହାର ହୁଇସିଲ ଶବ୍ଦ ଶୁଣି ଚମକିପଡ଼ିଲା । ତା’ ପିଠିରେ ବାଡ଼ିଟାକୁ ଗେଞ୍ଜିଦେଇ କହିଲା ପଗଡ଼ିବାଲା ଲୋକଟା–ଶଳା-! ରାତିରେ ଚୋରି, ଆଉ ଦିନବେଳେ ନିଦ । କିଛି ନଜାଣିଲା ପରି ଶଳା ପେଖନା କାଢ଼ିଲା ମୋ ଆଗରେ । ମୋ ଆଖିକୁ ତୋ ବାପ ଚଉଦପୁରୁଷ ବି ଫାଙ୍କିଦେଇ ପାରିବେନି ଆରେ....-

 

ସନିଆ ସଂଭ୍ରମରେ ଉଠିବସିଲା । ଆପେ ଆପେ ହାତ ଦୁଇଟା ଯୋଡ଼ି ହୋଇଗଲା । କନେଷ୍ଟବଳ ତା’ ପିଚାରେ ବେତଟି ବସାଇଦେଇ କହିଲା—ଆଉ ଜାଗା ପାଇଲୁନାହିଁ, ଥାନା ପାଖର ଗଛମୂଳେ ଆରାମ କରିବାପାଇଁ ବସିଗଲୁ । ଶଳା, ରାତିରେ ଚୋରି.... ଆଉ ଦିନରେ ନିଦ..... ।

 

ସନିଆର ମୁହଁରୁ ଆପେ ଆପେ ଖନେଇ ଖନେଇ ବାହାରିଗଲା—ମୁଁ ଗାଆଁରୁ ଆସିଛି, ଚୋର ନୁହେଁ, ତସ୍କର ନୁହେଁ.... ।

 

ଗଣ୍ଠିଲି ଧରି ତା’ ସହିତ ଥାନାକୁ ଯିବାପାଇଁ ସନିଆକୁ ଆଦେଶ ଦେଲା ସେ । ଗଣ୍ଠିଲିଟିକୁ ଉଠାଇ କନେଷ୍ଟବଳ ସହିତ ଚାଲିବାକୁ ଆରମ୍ଭକଲା ସନିଆ ।

 

ମନକୁ ମନ ସେ କହିଲା—ମୁଁ ଚୋର ନୁହେଁ, ମୁଁ ଚୋର ନୁହେଁ; କିନ୍ତୁ କନେଷ୍ଟବଳକୁ ଏତକ କହିବା ପାଇଁ ସାହସ କଲାନାହିଁ । ତା’ ଦେହଯାକ ଝାଳେଇଗଲା, ପାଦ ଅବଶ ହୋଇଆସିଲା । ଏତେ ବଡ଼ ହାକିମ ସହିତ ଆଉ କେବେ କଥା ହୋଇନଥିଲା, ଥାନା ବା କୋର୍ଟ କଚେରି ଦେଖିନଥିଲା । ଗାଆଁ ଚୌକିଦାର ପାଖରୁ ଅଦାଲତ, ହାକିମ-ହୁକୁମାଙ୍କ କଥା କାହାଣୀ ପରି ଶୁଣିଥିଲା । ଚୌକିଦାରକୁ ସମୀହା କରି କହୁଥିଲା, ତୁମେ ଭାଗ୍ୟବନ୍ତ ପୁରୁଷ, ସମସ୍ତଙ୍କୁ ଦେଖୁଛ, ସେମାନଙ୍କ ଅଳିଅର୍ଦ୍ଦଳି ଖାଟୁଛ । ଚୌକିଦାର ତାକୁ ଦିନେ ପୋଲିସର ପ୍ରତାପ ବିଷୟରେ କହିଥିଲା । କନେଷ୍ଟବଳକୁ ଦେଖିଲେ ସେ କିପରି ବାଉଁଶ ଦଣ୍ଡଟାକୁ ମାଟିରେ ଠୁଂକି ସଲାମ କରୁଥିଲା, ତାହା ଦେଖାଇ ଦେଇଥିଲା । ଇଏ ସେହି କନେଷ୍ଟବଳ, ଗାଆଁ ଚୌକିଆର ମାଆ ବାପ, ୟାକୁ ସଲାମ କରେ ସେ, ୟାକୁ ସମୀହା କରି କୁହେ ।

 

ଥାନା ଆଗରେ ପୂରା ପୋଷାକ ପିନ୍ଧି କାନ୍ଧରେ ବନ୍ଧୁକ ରଖି ପଇଁତରା ମାରୁଥିଲେ ଦୁଇଜଣ । ସନିଆ ଛାନିଆ ହୋଇଗଲା । ତା’ ପାଟି ଅଠା-ଅଠା ହୋଇଗଲା । ସେ ବହୁ କଷ୍ଟରେ ଅସ୍ପଷ୍ଟ ସ୍ୱରରେ କହିଲା—ମୁଁ ଚୋର ନୁହେଁ, ମୁଁ ଚୋର ନୁହେଁ ହଜୁର.... !

 

କନେଷ୍ଟବଳ ତାକୁ ଥାନା ଆଗରେ ଛିଡ଼ାକରାଇ ଭିତରକୁ ପଶିଗଲା । ଟିକିଏ ପରେ ଦାରୋଗାବାବୁଙ୍କ ସହିତ ବାହାରିଆସିଲା । ପଇଁତରା ମାରୁଥିବା ଦୁଇଟା ଲୋକ ସଲାମ କରି ଠିକ୍‌ ଶାଳଗଛ ପରି ଛିଡ଼ା ହୋଇଗଲେ । ଦାରୋଗା ତା’ ମୁହଁକୁ ଦେଖିଲେ, ତା’ ଗଣ୍ଠିଲି ଉପରେ ନଜର ପକାଇଲେ ଏବଂ କନେଷ୍ଟବଳକୁ ଧମକ ଦେଲା ଭଙ୍ଗୀରେ କହିଲେ—ଦଶବରଷ ଚାକିରି କଲ, କିଏ ଚୋର କିଏ ଭଲ ଏଯାଏ ଚିହ୍ନିପାରିଲ ନାହିଁ । ଇଏ ଚୋରିକରି ପାରୁଥିଲେ ଇମିତି ଗଣ୍ଠିଲି ଧରି ଉଦାସିଆ ହୋଇ ବୁଲନ୍ତାନାହିଁ ।

 

ଦାରୋଗାବାବୁ ଫେରିଗଲେ । କନେଷ୍ଟବଳ ବି ଫେରିଗଲା । ସହଜ ହୋଇ ପୁଣି ପଇଁତରା ମାରିଲେ ରକ୍ଷୀ ଦୁଇଜଣ । ଛାତିରେ ଛେପ ଥୁକି ନିଜକୁ ସାହସ ଦେଇ ପଛେଇଲା ସନିଆ । କେତେ ପାଦ ପଛେଇଲା ପରେ ମୁହଁ ବୁଲାଇ ଦୌଡ଼ିବାକୁ ଆରମ୍ଭ କରିଦେଲା ସେ ।

 

ଅଣନିଃଶ୍ୱାସୀ ହୋଇ ହୁଏତ ଆହୁରି କିଛି ସମୟ ଦଉଡ଼ିଥାଆନ୍ତା । ହଠାତ୍ କାହା ସହିତ ଧକ୍‌କାଖାଇ ପଡ଼ି ଯାଉଁ ଯାଉଁ ସମ୍ଭାଳିନେଲା ନିଜକୁ । ସାଇକଲଟା ତଳେ ପଡ଼ିଗଲା, ଆରୋହୀ ମୁହଁ ମାଡ଼ି ପଡ଼ିଯାଇ ଧୂଳିଝାଡ଼ି ଉଠିବସି କଟମଟ କରି ତାକୁ ଅନାଇ ଅକଥ୍ୟ ଭାଷାରେ ଗାଳି ଆରମ୍ଭ କରିଦେଲା । ସନିଆର ଦୋଷ ପାଇଁ ତ ମନଟା ମାଫି ମାଗିବାପାଇଁ ଚାହିଁଲା, ତୁଣ୍ଡ ଫିଟାଇ ସାହସ କରି ସେ କିନ୍ତୁ କିଛି କହିପାରିଲା ନାହିଁ । ସାଇକଲ ଉଠାଇ ନିଜ ବାଟରେ ସେ ଲୋକଟି ଚାଲିଗଲା ପରେ ନିଜକୁ ନିଜେ ଧିକ୍‌କାରିଲା ସନିଆ ।

 

ସେଇ ଗାଆଁଟି କେଡ଼େ ଭଲ, କେଡ଼େ ସୁନ୍ଦର ବୋଲି ସେ ମନକୁ ମନ କେତେଥର କହିଲା । ସେଠାରେ ସେ ସମସ୍ତଙ୍କର ଜଣାଶୁଣା, ଭାଇ ବନ୍ଧୁ । ସେଇ ଗାଆଁର ଧୂଳି, ବଣର ଗଛଲତା ସବୁ ତାର ପରିଚିତ । ଜଙ୍ଗଲର ପଶୁପକ୍ଷୀମାନଙ୍କର ଶବ୍ଦ ସହିତ ତାର ପରିଚୟ ନିବିଡ଼ । ମଣିଷର କଥାଭାଷା ଏବଂ ବାସ୍ନା ସହିତ ସେମାନଙ୍କର ପରିଚୟ ନିବିଡ଼ । କଜଳପାତି, ହଳଦିବସନ୍ତ, ଘରଚଟିଆ, ଡାମରାକୁଆ ଏବଂ ମୟୂର ତାକୁ ଦେଖି ସନ୍ଦେହ କରନ୍ତିନାହିଁ । ବରଂ ତା’ ମୁହଁକୁ ଚାହିଁ ଡାକି ଦିଅନ୍ତି । ଆମ୍ବଗଛର ବଉଳ ଚାରି ପାଖରେ ବୁଲିଆସି ତା କାନକୁ ମଧୁର ରସରେ ଭରିଦେଇ ନିଜ ଗୀତ ଗାଇଦିଏ କୋଇଲି ।

ସନିଆ ସେଇ ଗାଆଁ ଛାଡ଼ି ଚାଲିଆସି ଭୁଲ୍‌ କଲା କି ଠିକ୍‌ କଲା, କିଛି ବୁଝିପାରିଲାନାହିଁ-। ଜଣାଶୁଣା ଆପଣାର ଦୁନିଆ ପାହାଡ଼ ସେପାଖରେ ପଡ଼ିରହିଲା । ଆଉ ସେ ମିତ ବସିବାକୁ ଆସିଲା ସହରର ମଣିଷ ସହିତ । ସେ ରାସ୍ତାରେ ଯାଉଥିବା ଲୋକମାନଙ୍କ ମୁହଁକୁ ବଡ଼ ଆଶାକରି ଅନାଇଁଲା; କିନ୍ତୁ କାହାରି ଦୃଷ୍ଟିରେ ତାକୁ ସଙ୍ଖୋଳିବାର ସଙ୍କେତ ଖୋଜି ପାଇଲାନାହିଁ । ସମସ୍ତଙ୍କ ଦୃଷ୍ଟିରେ କନେଷ୍ଟବଳର ସନ୍ଦେହ, ଭଙ୍ଗୀରେ ଅନାଦର ।

ସନିଆର ମନଟା ଫିକା ପଡ଼ିଗଲା । ସେ ହଠାତ୍ ଅଲୋଡ଼ା, ଅଖୋଜା ହୋଇଗଲା ବୋଲି ତାର ମନେହେଲା । ସେ କାହାକୁ ଚିହ୍ନେନାହିଁ, ତାକୁ କେହି ଚିହ୍ନନ୍ତିନାହିଁ । ସେ ଖୋଜିଲେ ବି ତାକୁ କେହି ଖୋଜନ୍ତି ନାହିଁ, ଲୋଡ଼ନ୍ତି ନାହିଁ । ସେ ମନକୁ ମନ ପଚାରିଲା, ତା’ହେଲେ କଅଣ ବଣର ଗଦା ଗଦା ପଥର ପରି ସେ ବି ଏତେ ମଣିଷଙ୍କ ମେଳରେ କେବଳ ଅନାବଶ୍ୟକ ହୋଇ ବଞ୍ଚି ରହିବ ।

ତା’ ବାପ ଗୋସେଇଁବାପ କେହି ସହରକୁ ଆସିନଥିଲେ । ସହରର ସପନ ଦେଖି ଯେଉଁ ଦୁଇ ଚାରିଜଣଙ୍କୁ ପଧାନ ନେଇ ଆସାମର ଚା’ ବଗିଚାରେ ବିକିଦେଇ ଆସିଥିଲା, ସେମାନେ ଆଉ ଫେରିଲେନାହିଁ । ଭାବ-ଅଭାବକୁ ନେଇ ଯେଉଁମାନେ ଭାଗ୍ୟ ଆଦରି ପଡ଼ିରହିଲେ, ସେମାନଙ୍କ କଥା ବୁଝିବା ପାଇଁ କେହି ଆସିଲେନାହିଁ । ହଠାତ୍‌ ସେମାନେ ବୁଝିଗଲେ ଯେ ବଣର ପଶୁପକ୍ଷୀର ଆଦରଠାରୁ ସେମାନଙ୍କର ଆଦର କମିଯାଇଛି । ସେମାନେ ବଳକା ହୋଇଯାଇଛନ୍ତି । ସେମାନଙ୍କ ପାଇଁ କାମଧନ୍ଦା ନାହିଁ, ଚାଷ କରିବାପାଇଁ ଜମି ନାହିଁ, ପାଠପଢ଼ିବା ପାଇଁ ପାଠଶାଳା ନାହିଁ ।

ଜଙ୍ଗଲର ଜୀବନ ସହିତ ଯୁଝି ଆସିଥିବା ଲଢ଼ୁଆ ମଣିଷଗୁଡ଼ା ହଠାତ୍‌ ନିଜକୁ ଅସହାୟ, ଅରକ୍ଷିତ ମନେକଲେ । ସେମାନଙ୍କ ମନରେ ଚମକ ଖେଳାଇ, ସେମାନଙ୍କ ଗାଆଁ ମୁଣ୍ଡରେ ଅନାଦିକାଳରୁ ଥିବା ଠାକୁରାଣୀଙ୍କ ଉପରକୁ ଧୂଳି ଫିଙ୍ଗି ମୋଟରଗାଡ଼ି ଯେଉଁଦିନ ଦୁମ୍‌ ଦୁମ୍ କରି ଚାଲିଗଲା, ସେହିଦିନ ସନିଆ ଛୋଟ ଶିଶୁଟି ପରି କାନ୍ଦି ପକାଇଥିଲା ।

କେତେ ବାବୁ, ହାକିମ-ହୁକୁମା ଆସିଲେ । ସେମାନଙ୍କୁ ଚିଡ଼ିଆଖାନାର ପଶୁପକ୍ଷୀଙ୍କୁ ଦେଖିବା ପରି ଦେଖିଲେ ଏବଂ କାଳେ ସେମାନଙ୍କର ଦେହର ବାସ୍ନା, ରାସ୍ତାର ଧୂଳି ଦେହରେ ଲାଗିଯିବ ବୋଲି ଦୂରରୁ କହିଲେ—ତୁମପରି ମଳିମୁଣ୍ଡିଆ, ପଛୁଆ ଲୋକମାନଙ୍କୁ ଆଗୁଆ କରିବାପାଇଁ ଆମେ ଆସିଛୁ । ପାଠଶାଳାରେ ପାଠପଢ଼ି, ସୁସ୍ଥ ରହିବାପାଇଁ ଔଷଧ ଖାଅ, ନିଜ ଗୋଡ଼ରେ ଛିଡ଼ାହୋଇ ଦେଶକୁ ସମୃଦ୍ଧ କର ।

ଭଲ କଥାଗୁଡ଼ା ଶୁଣିବାପାଇଁ ସେ କେବଳ ଏକା ନୁହେଁ, ଶହ ଶହ ଧାଡ଼ି ବାନ୍ଧିଲେ । ଏତେଦିନେ ବଣର ଅନ୍ଧାର ଭିତରେ ଜୀବନ ସହିତ ଲଢ଼ୁଥିବା ଲୋକଗୁଡ଼ାକୁ ଆଲୁଅ ଦେଖାଇବାପାଇଁ ଇସ୍ତାହାର ବାହାରିଥିବାରୁ ସେମାନେ ପରସ୍ପରକୁ ଚାହିଁ ବିଶ୍ୱାସ କରିବାପାଇଁ ସାହସ ଖୋଜିଲେ ।

ନୂଆଲୋକ ଆସିଲେ ଏବଂ ଗଲେ । ରାସ୍ତା ତିଆରି ହେଲା । ମୋଟରଗାଡ଼ି ଚାଲିଲା । ଡାକ୍ତର ଆସିଲେ । ହାକିମ-ହୁକୁମା ବୁଲିଗଲେ । ସେମାନଙ୍କର ଛବି ଉଠାଇ ଖବରକାଗଜରେ ବାହାର କରାଗଲା । ପାଠ ପଢ଼ି ନଥିଲେ ବି ସେମାନଙ୍କର ଛବି ଦେଖି ଅବାକ୍‌ ହୋଇ ମଣିଷର କରାମତିପଣିଆକୁ ପ୍ରଂଶସାକଲା ସେ । ଦିନ ଦିନ ବିତିଗଲା । ମାସ, ବର୍ଷ ବି ଅତିବାହିତ ହୋଇଗଲା । ସନିଆ ଘର ଛାଡ଼ିବା ଆଗରୁ ଅନେକ ଦିନ ହିସାବ-ନିକାଶ କଲା କଅଣ ପାଇଲା ବୋଲି । ବରଂ ସେ ଦିନେ ଆଶ୍ଚର୍ଯ୍ୟ ହୋଇ ଦେଖିଲା ଯେ ସେମାନେ ସମସ୍ତେ ଦେବାଳିଆ ହୋଇଯାଇଛନ୍ତି ।

ଜଙ୍ଗଲ ଶେଷ ହୋଇଗଲା । ଶାଳବଣରୁ ଝୁଣା, ମହୁ ଆଉ ମିଳିଲା ନାହିଁ, ମହୁଲ ଖାଇବା ସପନ ହୋଇଗଲା । ଗଛ ନଥିବା ନଣ୍ଡା ପାହାଡ଼ଗୁଡ଼ାକର ଶିରୀ ଆଉ ନାହିଁ । ମଲା ମଣିଷର ମାଉଁସ ରକତ ସଢ଼ିଗଲା ପରେ ଯେପରି କଙ୍କାଳଟା ପଦାକୁ ଚାହିଁ ଖତେଇହୁଏ, ସେହିପରି ନଣ୍ଡା ପାହାଡ଼ଟା ଖତେଇହେଲା ସଭିଙ୍କ ସହିତ । ଶିକାର ଆଉ ମିଳିଲା ନାହିଁ । କାଠ ବାଉଁଶ ସ୍ୱପ୍ନ ହେଲା । ଯାହାକୁ ନେଇ ବଂଚିଥିଲେ ସେମାନେ, ସେମାନେ ଆଉ ରହିଲେ ନାହିଁ । ଖାଇବା ପିନ୍ଧିବା ଆଗରୁ କଷ୍ଟକର ହଉଥିଲା । ଏବେ ଖାଲି ଓପାସ, ଆଉ ଓପାସ । ପାଣି ପିଇ ବଂଚି ହୁଏନାହିଁ ବୋଲି ଭାତ ମୁଠାଏ ପାଇଁ ସେ ଜନ୍ମଭୂଇଁ ଛାଡ଼ିଲା । ଆଉ କେତେ ବି କାହିଁ କେଉଁଆଡ଼େ ପରଦେଶୀ ହୋଇଗଲେ ।

ସନିଆକୁ ଭୋକ ଲାଗୁଥିଲା । ଗୋଟେ ଦୋକାନ ଆଗକୁ ଯାଇ ସେ ଛିଡ଼ାହୋଇ ଚାହିଁଲା । ଜଣେ ଲୋକ ତା’ ଖାଇବା ବାସନରୁ ଗୋଟେ ବରା ଫୋପାଡ଼ି ଦେଇ କହିଲା—ନେ, ନେ..... । ମୁହଁରେ ତାଚ୍ଛଲ୍ୟ, ଦବାଲୋକର ବାହାଦୁରୀ ।

ବରାଟା ଭୂଇଁ ଉପରେ ପଡ଼ିଗଲା । ସେ ହାତଲମ୍ବାଇ ଧରିନେଇ ପାରିଲା ନାହିଁ । ନଇଁପଡ଼ି ଗୋଟାଇନବାକୁ ହାତ ଉଠିଲାନାହିଁ । ତାକୁ ଖତେଇ ହୋଇ କହିଲା ଦୋକାନୀ—ଶଳାର ସାହସ ଦେଖ, ଦଉଥିବା ଆହାର ଉଠାଇଲା ନାହିଁ ।

ସନିଆର ବି ପଇସା ଦେଇ ଖାଇବା ପାଇଁ ଇଚ୍ଛା ହେଲା । ପାଖରେ ପଇସା କାହିଁ ଯେ ଦୋକାନୀ ହାତକୁ ବଢ଼ାଇଦେଇ କହିବ, ମୋତେ ବି ଦୁଇଟା ବରା, ଡବାଏ ମୁଢ଼ି ଦେ, ମୋ ହାତରେ ବି ପଇସା ଅଛି, ମୁଁ ମୂଲ୍ୟ ଦେଇ କିଣେ, କାହାରି ଅଇଁଠା ଖାଏନାହିଁ, ହାତପତେଇ କାହାର ଦାନ ନିଏନାହିଁ ।

ଗାଆଁରେ ଏତେକଥା କହୁଥିଲା ସନିଆ, କେତେ ଗୀତ ଗାଉଥିଲା । ନ୍ୟାୟନିଶାପ ହେଲେ ସେ ଯୁକ୍ତି କରୁଥିଲା । ନିୟମ ଭାଙ୍ଗିବା ଲୋକକୁ ଦଣ୍ଡ ଦବାପାଇଁ ଜିଗର କରୁଥିଲା ଯେପରି, ଦଣ୍ଡିତଲୋକ ପାଖକୁ ଯାଇ ତାକୁ ସାନ୍ତ୍ୱନା ବି ସେପରି ଦଉଥିଲା । ଭୁଲ୍‌ କଲେ ଦଣ୍ଡ ଭୋଗିବାକୁ ହୁଏ, ନହେଲେ ସମାଜ ରହିବନାହିଁ । ସମସ୍ତେ ମନଇଛା କାମ କଲେ ସଂସାର ରହିବ-? ଅନ୍ୟାୟ କଲ ବୋଲି ଦଣ୍ଡ ହେଲା । ଭୋଗିନିଅ । ପରେ ପୁଣି ଭଲମଣିଷ ହୋଇ ମୁଣ୍ଡ ଉଞ୍ଚକରି ଦାଣ୍ଡରେ ଚାଲିବ । କୋଉ ଶଳାର ଜିଭରେ ହାଡ଼ ବାହାରିବ ତୁମକୁ ପଦେ କହିବା ପାଇଁ-?

 

ବଣଜଙ୍ଗଲ ସିନା ଅନ୍ଧାରିଆ, ଅସନା; କିନ୍ତୁ ସେଠାରେ ଜୀବନ ସହିତ ଯୁଝ୍‌ଥିବା ଲୋକଗୁଡ଼ାକ ପଥରଦିହରେ ପଥର ଘଷି ଆଲୁଅ ବାହାର କରନ୍ତି; ବଣର ଫୁଲ ମଥାରେ ଲଗାଇ ବା ଦେହରେ ଲଗାଇ ମହକିଉଠନ୍ତି । ବଣର ଅନ୍ଧାର ଘୁଞ୍ଚିଯାଏ, ଅସନା ସବୁ ଠୁଳକରି ନିଆଁ ଲମ୍ବାଇଦେଲେ ବଣରେ ନିଆଁ ଲାଗେ; ଠେକୁଆ, ମିରିଗ, କୁଟୁରା ହୁରୁଡ଼ି ଯାଆନ୍ତି । ଦୂରରୁ ଆଲୁଅର ମାଳ ଦେଖି ଥମକି ଦଣ୍ଡେ ଛିଡ଼ା ହୋଇଯାଏ ସହରୀ ମଣିଷ ।

 

ସନିଆ ହାତପତାଇ ମାଗିପାରିଲା ନାହିଁ, ଭିକମୁଠେ ଦିଅ ବୋଲି ଜିଭ ଲେଉଟାଇ କହିପାରିଲା ନାହିଁ ।

 

ମୁହଁସଞ୍ଜ ହବାକୁ ଆଉ ଡେରି ନାହିଁ । ଛନକା ପଶିଲା ଛାତିରେ । ରାତିଟା ସିନା ବଣରେ ସୁନ୍ଦର, ସହରରେ ନୁହେଁ । ମାଳ ମାଳ ଆଲୁଅ ଜଳିଉଠିବା ଦେଖି ଡରିଗଲା ସେ । ସେ ତୋଫା ଆଲୁଅରେ ଆହୁରି ସୁନ୍ଦର ଦିଶିଲେ ଲୋକମାନେ, ଦୋକାନ ବଜାର । ଏହି ରାତି ପାଇଁ ଯେପରି ଅନନ୍ତକାଳରୁ ଅପେକ୍ଷା କରୁଥିଲେ ସଭିଏଁ । ସମସ୍ତଙ୍କ ମଧ୍ୟରେ ଏକ ଅଦ୍ଭୁତ ପ୍ରବାହ ଦେଖି ସେ ଅବାକ୍‌ ହୋଇଗଲା । ରଙ୍ଗ-ବେରଙ୍ଗର ପୋଷାକ ତଳେ ହଠାତ୍‌ ମଣିଷ ଯେପରି ହସିଉଠିଲା ବେସରମୀ ଲତାପରି । ସରମ ନାହିଁ, ସୀମା ନାହିଁ । ପେଟର ଭୋକ ସହିତ ଦେହର ଭୋକ; ଆଖିର ଭୋକ ହାଁକରି ଅପେକ୍ଷା କରେ ଖାଦ୍ୟପାଇଁ । ସନିଆ ଚାହିଁ ରହିଲା ଛାନିଆହୋଇ-। ଏତେ ପୋଷାକ ପିନ୍ଧିଥିଲେ ବି ଲୋକଗୁଡ଼ା ବଣର ମଣିଷମାନଙ୍କଠାରୁ ଆହୁରି ଅରଣା, ନଙ୍ଗଳା ଦିଶୁଥିଲେ ।

 

ସନିଆ ଦେହରେ କିଏ ଗୋଟେ ଘଷିହୋଇ ଚାଲିଗଲା । ସେ ଟିକେ ଆଡ଼ହୋଇ ଛିଡ଼ାହୋଇ ରହିଲା ।

 

ତା’ ପାଖରେ ଛିଡ଼ାହୋଇଯାଇ ଜଣେ କହିଲା, ଚାକିରି କରିବୁ ?

 

ସନିଆ ହଁ କି ନାଁ କିଛି କହିପାରିଲା ନାହିଁ । ସେ ଲୋକଟି ତାକୁ ସାଙ୍ଗରେ ନେଇ ଗୋଟେ ଘରଭିତରକୁ ପଶିଗଲା ।

ଘରଟା ଛୋଟ ନୁହେଁ, ବଡ଼ ପକ୍‌କା ଘର । ବିଜୁଳି ଆଲୁଅରେ ତୋଫା ଦିଶୁଥିଲା ଜହ୍ନିଫୁଲ ପରି । ତାକୁ ଦେଖିବାପାଇଁ ଦଳେ ଲୋକ ଦଉଡ଼ିଆସିଲେ । ଲାଜେଇଗଲା ସନିଆ । ଲୋଚାକୋଚା ହୋଇ ମଇଳା ଲୁଗାପରି ଗୋଟିଏ କୋଣରେ ଛିଡ଼ାହୋଇ ରହିଲା ।

ସେହି ପରିଚିତ ଲୋକଟି ଆସି କହିଲା—ଯା ଲୁଗାପଟା ରଖିଦେ । ଏଇ ଘରେ ରହିବୁ-। ରାତିପହରା ଦବୁ । ଚୋର ତସ୍କର ଯେପରି କେହି ନ ଆସେ । କଥା ମାନି ଚଳିବୁ ।

ସନିଆର ଛାତିଭିତରଟା ଆନନ୍ଦରେ କୁରୁଳିଉଠିଲା । ତାକୁ ବାବୁ ଚିହ୍ନିପାରିଥିବାରୁ ସେ କୃତକୃତ୍ୟ ହୋଇ ମନକୁ ମନ କହିଲା, ମୁଁ ତା’ହେଲେ ଚୋର ନୁହେଁ, ମୁଁ ଚୋର ନୁହେଁ..... ।

ଗଣ୍ଠିଲି ରଖି ହାତ ମୁହଁ ବାହାରେ ଧୋଇ ଖାଇସାରିବାବେଳକୁ ରାତି ଅନେକ । ନିସ୍ତବ୍‌ଧ ହୋଇଯାଇଥିଲା ଏବେ ବଡ଼ ଘରଟି । ଆଲୁଅ ଲିଭାଇଦେଇ ଶୋଇଗଲେ ବୋଧହୁଏ ସମସ୍ତେ ।

ସେ ବାହାରେ ଚୋର-ତସ୍କରଙ୍କୁ ଜଗିବାପାଇଁ ପହରା ଦବାକୁ ଲାଗିଲା ।

ଗାଆଁ ଚୌକିଆ ଯିମିତି ଭଙ୍ଗୀରେ ଚାଲେ, ସିମିତି ଭଙ୍ଗୀକରି ଚାଲିବାକୁ ଚେଷ୍ଟାକଲା ସନିଆ । ଅନ୍ଧାର ଭିତରେ କାଇଦା କରି ସଲାମ ଠୁକି ମନକୁ ମନ ହସିଦେଇ କହିଲା, ମୁଁ ଚୋର ନୁହେଁ, ଚୌକିଦାର.... ।

 

ରାତି ଅଧ ହବ ବୋଧହୁଏ । ଚାରିଆଡ଼ ନିଶୂନ । ବୁଲାକୁକୁରର ଆବାଜ ଛଡ଼ା ଆଉ କିଛି ଶୁଭୁନଥିଲା । ଜଙ୍ଗଲ ଭିତରେ ରାତିଟା ଖୁବ୍ ବହଳ ହେଲେ ବି ସେ ରାତି ସହିତ ତାର ପରିଚୟ ନିବିଡ଼ ଥିଲା ବୋଲି ଏକୁଟିଆ ଲାଗୁନଥିଲା । ଆଉ ନିଦ ନହଲେ କଲିଏ ଗାତ ଧରିଦେଲେ, ସେପାଖରୁ ଆଉ ଗୋଟେ କଣ୍ଠରୁ ଆଉ କଲିଏ କିଏ ବୋଲିଦଉଥିଲା । ଏଠାରେ କିନ୍ତୁ ଲୋକଗୁଡ଼ା କେବଳ ଶୋଇବା ପାଇଁ ଭଲପାଆନ୍ତି । ଜୀବନର ଯନ୍ତ୍ରଣା ଶୋଇପଡ଼ିଲେ ସରିଯାଏ ନାହିଁ; ଆରମ୍ଭ ହୁଏ ମାତ୍ର । ବଣୁଆଲୋକ ସେଥିପାଇଁ ଶୁଏ ନାହିଁ, ଚେଇଁ ରହେ । ବାଘ ଭାଲୁଙ୍କ କୁହାଟ ଶୁଣିଲେ ଧନୁଶର ଧରି ମଶାଲ ଲଗାଏ ଜୀବନଟା ଯୁଝିବାପାଇଁ, ଶୋଇବାପାଇଁ ନୁହେଁ ।

 

ସନିଆ ଚମକିପଡ଼ିଆ ଟିକିଏ ଦୂରରେ ଆଉ ଗୋଟିଏ ଛାୟାମୂର୍ତ୍ତି ଦେଖି । ଗଛର ଛାଇ ଯୋଗୁ ସ୍ପଷ୍ଟ ବାରିପାରିଲା ନାହିଁ ସିନା; କିନ୍ତୁ ତାର ପ୍ରତ୍ୟୟ ଦୃଢ଼ ହବାକୁ ଲାଗିଲା ଯେ ସେ ଛାୟାମୂର୍ତ୍ତି ଭୂତ ବା ପ୍ରେତ ନୁହେଁ, କେହି ଜୀଅନ୍ତା ମଣିଷର ।

 

ସେ ଚୌକିଆ ପରି ସାବଧାନ କରିଦବା ପାଇଁ ହୁରି ଛାଡ଼ିବା ପୂର୍ବରୁ ତା’ ମୁହଁଉପରେ ହାତ ଜାକି ପଛରୁ କିଏ କହିଲା, ଚୁ....ଉ....ପ୍‌ ।

 

ପାଖଦେଇ ଦୁହେଁ ଭିତରେ ଅନ୍ତର୍ଦ୍ଧାନ ହୋଇଯିବାବେଳେ ସନିଆ ସେମାନଙ୍କୁ ଚିହ୍ନିପାରି ଭୟ ଓ ଘୃଣାରେ ସ୍ଥାଣୁପରି ଛିଡ଼ା ହୋଇରହିଲା ।

 

ସେ ବିଶ୍ୱାସ କରିପାରୁନଥିଲେ ବି କ୍ରମଶଃ ତା’ ଆଗରେ ସେଇ ଚିତ୍ରଟି ଆହୁରି ସୁବୋଧ୍ୟ ଏବଂ ସ୍ପଷ୍ଟ ହୋଇ ଉଠିଲା ।

 

କିଛିକ୍ଷଣ ପରେ ତାକୁ ହଲାଇଦେଇ କହିଲେ ମାଲିକ, ତୋ ଚାକିରି ଏଇଥିପାଇଁ । ତୁ ପ୍ରତିଦିନ ପହରାଦକୁ ସେ ଫେରିବାଯାଏ । ଫେରିଆସିଲେ ତୋ କାମ ଶେଷ । ତୋ ବ୍ୟତୀତ ଆଉ କେହି ଯେପରି ନଜାଣେ ।

 

ସନିଆ ସ୍ତବ୍‌ଧ ହୋଇଯାଇଥିଲା । ମାଲିକ କହିବା କଥାଗୁଡ଼ା ତା’ କାନରେ ବାଜିଲେ ବି ସେ କିଛି ବୁଝି ପାରୁନଥିଲା । ସେ କେବଳ ମନକୁ ମନ ଯୁକ୍ତି କରୁଥିଲା, ମାଲିକାଣୀ ରାତିଅଧରେ ଫେରିଆସନ୍ତି ଯେ ଯାଆନ୍ତି କେତେବେଳେ ? ମାଲିକ ଜାଣି ଜାଣି...

 

ସହରରେ ଜୀଇଁବାପାଇଁ ଯୁଦ୍ଧକରେ ମଣିଷ; କିନ୍ତୁ ସେ ଯୁଦ୍ଧ ଛାଇଯୁଦ୍ଧ । ସେଥିରେ ପ୍ରତ୍ୟକ୍ଷ ସଂଗ୍ରାମର ସ୍ୱାଦ ନାହିଁ, ସ୍ୱାଦ ନାହିଁ, ସ୍ୱେଦ ବି ନାହିଁ । ସେ ସଂଗ୍ରାମର ଶୋଣିତର ରଙ୍ଗ ଲାଲ ନୁହେଁ, ନୀଳବର୍ଣ୍ଣ । ଅଥଚ ବଣରେ ଯେଉଁ ଯୁଦ୍ଧହୁଏ ସେଠାରେ ଯିଏ ଜିତେ ତାହାର ରକ୍ତ ପରି ଯିଏ ହାରିଯାଏ ତାର ରକ୍ତ ବି ଲାଲ...ମନ୍ଦାର ଫୁଲପରି ଟହଟହ ଲାଲ... ।

 

ସନିଆ ସାତଦିନ ପରେ କେଉଁଆଡ଼େ ଚାଲିଗଲା କେହି ଜାଣି ପାରିଲେନାହିଁ ।

 

ସେ ବୋଧହୁଏ ସତଯୁଦ୍ଧରେ ଭଲକରି ଯୁଝିବା ପାଇଁ ଆହୁରି ଅଗମ୍ୟ ଅରଣ୍ୟ ଭିତରକୁ ଚାଲିଗଲା । କିଛିଦିନ ପରେ ମଣିଷ ଓ ମହାବଳ ମଧ୍ୟରେ ଯୁଦ୍ଧ ହୋଇ ମରି ପଡ଼ିଥିବା ମହାବଳର ଲାସ ସହିତ କ୍ଷତବିକ୍ଷତ ମଣିଷଟିକୁ ଦାରୋଗାବାବୁ ଯେତେବେଳେ ଆଣି ଡାକ୍ତରଖାନା ଆଗରେ ଜିପ୍‌ ଛିଡ଼ାକଲେ, ଖୁବ୍‌ ଭିଡ଼ ଜମିଲା ସେହି ଦୁଃସାହସିକ ମଣିଷଟିକୁ ଦେଖିବାପାଇଁ । ଆଉ ଯେତେବେଳେ ମଲାବାଘ ଉପରେ ପାଦ ରଖି ଡାହାଣ ହାତରେ ବନ୍ଧୁକ ଏବଂ ବାମ ହାତରେ ଚୁରୁଟ ଟାଣିବାବେଳେ ଫଟୋ ନବାପାଇଁ ସଙ୍କେତ ଦେଲେ ସେ, ତାଙ୍କ ବାମ ପାଖରେ ଛିଡ଼ାହୋଇଥିଲେ ବି ହଠାତ୍‌ ସେଠାରୁ ପଳାଇଆସି ଚିତ୍କାରକଲା ସନିଆ-ମୋତେ ମାଫ୍‌ କରିବ ବାଘମାମୁ, ମୁଁ ତୋତେ ଏମାନଙ୍କ ପାଇଁ ମାରିନାହିଁ, ମୋ ପାଇଁ ମାରିଥିଲି । ଅସଲ ଯୁଦ୍ଧରେ ତୁ ହାରିଗଲେ ବି ତୋତେ ମୋର ସଲାମ..... ଆଉ ଜିତିକରି ବି ହାରିଗଲି ବାଘମାମୁ । ନକଲି ମଣିଷଗୁଡ଼ାକୁ ଦେଖିବା ପାଇଁ ତୋ ସହିତ ପ୍ରାଣପଣ କରି ଲଢ଼ି ନଥିଲି । ତୋ ଦେହର ରକ୍ତ ପରି ମୋ ରକ୍ତ ବି ଲାଲ, ଶିମିଳିଫୁଲପରି ଲାଲ; କିନ୍ତ ଏମାନଙ୍କ ରକ୍ତ ଲାଲ ନୁହେଁ, ନିଳିଆ..... ନିଳିଆ ।

 

ତା କଥାକୁ ଖାତିର ନକରି ଫଟୋ ଉଠିଲା କ୍ଳିକ୍‌.... କ୍ଳିକ୍‌.... ।

 

ତିନିଦିନ ପରେ ଡାକ୍ତରଖାନାରେ ବ୍ୟାଣ୍ଡେଜବନ୍ଧା ଦେହରେ ଶୋଇଥିବାବେଳେ ଡାକ୍ତରବାବୁଙ୍କ ହାତରେ ଥିବା କାଗଜଟାରେ ସେଇ ମଲାବାଘ ସହିତ ଯାହାର ଛବି ବାହାରିଥିଲା, ସେଥିରେ ଦାରୋଗାବାବୁଙ୍କ ସହିତ ତାର ପୂର୍ବତନ ମାଲିକର ଛବି ଦେଖି ସେ ଯନ୍ତ୍ରଣାରେ ଶିହରି ଉଠିଲା ।

☆☆☆

 

Unknown

ମଧୁଲଗ୍ନ

 

କାର୍ଯ୍ୟକ୍ରମ ଅନୁସାରେ ଦିନଟା କଟିଯାଏ । ଯାହାର କାମ ଯେତେ ବେଶି ତାର ବ୍ୟସ୍ତତା ସେତେ ଅଧିକ ଏବଂ ସମୟ ସେତିକି ଅଳ୍ପ । କାମ, ଖାଲି କାମ । ଜୀବନର ସବୁ ଉତ୍କର୍ଷତା ଏବଂ ବୈଚିତ୍ର୍ୟ ଯେପରି କାମ ଭିତରେ ଲୁଚି ରହିଥାଏ । ସ୍ୱାମୀଙ୍କ ସଂସାରକୁ ଆସିବାପରେ ସେ ବି ସେଇ କାର୍ଯ୍ୟ-ନିର୍ଘଣ୍ଟକୁ ମୂଳକରି କଟେଇ ଦିଅନ୍ତି ସମୟ । ବଳଦ ଯେପରି ଖୁଣ୍ଟ ଚାରିପାଖରେ ବୁଲେ, ସେହିପରି କାମ ଚାରିପାଖରେ ବୁଲନ୍ତି ଶୁଭଦତ୍ତ । ସମୟ ତାଙ୍କୁ ଜଗେ ଏବଂ ସେ ସମୟକୁ ଜଗନ୍ତି । ଛକାପଞ୍ଝା ଖେଳ ଚାଲେ । କାହାକୁ କିଏ ହାତମୁଠାରେ ରଖିପାରିବ ସେଇ କଥାଟା ଯେପରି ବଡ଼ । ଜୀବନ ଗୌଣ ଆହୁରି ଅର୍ବାଚୀନ ନିଜର ବ୍ୟକ୍ତିଗତ ପ୍ରୟୋଜନ ।

 

ପ୍ରତୀତି ଅଥୟ ହୁଅନ୍ତି । ସମୟ ଜଗି ଚଳୁଥିବା ସ୍ୱାମୀଙ୍କୁ ସେ ଜଗନ୍ତି, ତାଙ୍କ ମନ ଓ ମର୍ଜି ଜଗି ଚଳିବା ବ୍ୟତୀତ ତାଙ୍କୁ ମଧ୍ୟ କାମରେ ସହାୟତା କରନ୍ତି, ତାଙ୍କ କାର୍ଯ୍ୟ-ନିର୍ଘଣ୍ଟ ପ୍ରସ୍ତୁତ କରିବାରେ ସଂଗ ଦିଅନ୍ତି ଏବଂ ସମୟ ଓ ନିର୍ଘଣ୍ଟ ଜଗି କେତେବେଳେ ଦିନ ରାତି ହୁଏ ଏବଂ ରାତି ପୁଣି ଶେଷ ହୁଏ ତାହା ଜାଣିବା ଆଗରୁ ପରବର୍ତ୍ତୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଏ ।

 

ବଳଦ ପରି ଏଯାଏ ମେରୁଖୁଣ୍ଟ ଚାରିପାଖରେ ଯେପରି ବୁଲୁଥିଲେ ପ୍ରତୀତି । ହଠାତ୍‌ ତାଙ୍କର ମନେହେଲା ଯେ ଏଇ କାର୍ଯ୍ୟ-ନିର୍ଘଣ୍ଟଗୁଡ଼ାକ ସବୁ ଅବାନ୍ତର, ଏହାର ମହତ୍ତ୍ୱ କିଛି ନାହିଁ । ବରଂ କାର୍ଯ୍ୟ-ନିର୍ଘଣ୍ଟ ସବୁ ଗୋଡ଼ର ବେଡ଼ି ହୋଇ ତାଙ୍କୁ ନିର୍ଯାତିତ କରୁଛନ୍ତି । ପ୍ରତୀତି ସ୍ୱାମୀଙ୍କୁ ଏଇ କଥାଟା କହିବାପାଇଁ କିଛି ଦିନ ଅପେକ୍ଷା କଲେ; କିନ୍ତୁ କହିବାପାଇଁ ଟିକେ ନିରୋଳା ସ୍ଥାନ ଏବଂ ଟିକେ ସଂରକ୍ଷିତ ସମୟ ଏଥିପାଇଁ ତାଙ୍କୁ ଆଉ ମିଳିଲା ନାହିଁ । ଅନେକ ଥର କହିବାକୁ ଯାଇ କହି ନପାରି ରହିଗଲେ । ମନ ଭିତରଟା ମନ୍ଥି ହୋଇଗଲା । କହିବା କଥାଟା କହି ନପାରି ମନଟା କିପରି ବିଷଣ୍ଣ ହୋଇଗଲା; କିନ୍ତୁ ଆଶ୍ଚର୍ଯ୍ୟ, ଶୁଭଦତ୍ତ ଏହା ଲକ୍ଷ୍ୟ କରିପାରିଲେନାହିଁ । ପାର୍ଟିରୁ ଫେରିବାବେଳେ ସ୍ପୃହାନଥାଏ ଏସବୁ କଥା କହିବା ପାଇଁ । ନଚେତ୍‌ ସେଇ ସମୟଟା ଦୁହେଁ ବେଶ୍‌ ନିଜର ଏକାନ୍ତ ବ୍ୟକ୍ତିଗତ କଥା ପାଇଁ ସଂରକ୍ଷିତ ରଖିପାରନ୍ତେ; କିନ୍ତୁ ତାହା ବି ହୁଏ ନାହିଁ । କାଳେ ଅନ୍ୟମନସ୍କ ହୋଇ ଗାଡ଼ି ଚଳାଇଲେ ଦୁର୍ଘଟଣା ଘଟିପାରେ ବୋଲି ଡାକ୍ତର ତାଙ୍କୁ ଗାଡ଼ି ଚଳାଇବା ପାଇଁ ମନା କରିଦେଇଥିଲେ । ପ୍ରତୀତି ନିଜେ ବି ଗାଡ଼ି ଚଳେଇଜାଣନ୍ତି । ବେଳେବେଳେ ଚଳାନ୍ତି ମଧ୍ୟ; କିନ୍ତୁ ସ୍ୱାମୀଙ୍କ ସହିତ ବସିଥିବାବେଳେ ଗାଡ଼ି ଚଳେଇବାରେ ମଧୁରତା ବା ଶିହରଣ ସେ କେବେହେଲେ ଅନୁଭବ କରନ୍ତିନାହିଁ ବୋଲି ନିଜେ ଚଳେଇ ଡ୍ରାଇଭରକୁ ଛୁଟି ଦେଇ ପାରନ୍ତି ନାହିଁ-। ଫଳରେ ସେଇ ଏକାନ୍ତ ନିରୋଳା ସମୟଟିକକ ଆଉ ମିଳେ ନାହିଁ । କ୍ଳବରୁ ବା ସିନେମାରୁ ଫେରିବାବେଳକୁ ଗାଡ଼ିର ଦରଜା ଖୋଲି ଛିଡ଼ା ହୋଇଥାଏ ଡ୍ରାଇଭର । ଓହ୍ଳାଇବାବେଳକୁ ମଧ୍ୟ ସେଇ ଏକ କଥା । ଘରେ ପହଞ୍ଚିବାବେଳକୁ ଚାକର ଆସି ଜୋତା କାଢ଼ିଦିଏ, ସ୍ଳିପର ଯୋଡ଼ାକ ପାଦ ତଳକୁ ଦେଇ ସାରିବାବେଳକୁ ପୂଝାରୀ ଆସି ଖାଇବା ବଢ଼ା ହୋଇଯାଇଥିବା ଘୋଷଣା କରିଦିଏ । ଖାଇସାରିଲେ ଆଉ ଉତ୍ତର ଦେବାକୁ ହୁଏନା, ସିଧା ଯାଇ ଶୋଇପଡ଼ନ୍ତି ସେମାନେ-। ସକାଳ ଛଅରୁ ରାତି ଦଶଟାଯାଏ ଏତେ ବ୍ୟସ୍ତତା ଭିତରେ ସମୟଟା ସରିଯାଏ ଯେ କେବଳ କ୍ଳାନ୍ତି ବ୍ୟତୀତ ଆଉ କିଛି ନଥାଏ ଶୋଇବାବେଳକୁ । ତାଙ୍କ ବେକ ଚାରିପାଖରେ ହାତଟା ବୁଲାଇ ଆଣିବା ଆଗରୁ ଶୁଭଦତ୍ତଙ୍କର ନାକରୁ ଶବ୍ଦ ଭାସିଆସେ, ସେ ଶୋଇପଡ଼ନ୍ତି । ସମୟଟା ନିସ୍ତାର ପାଇ ତାଙ୍କରି ସହିତ ଶୋଇବା ପାଇଁ ଯାଇ ଚିହିଁକିଉଠେ ଚିମୁଟା ଖାଇ । ପ୍ରତୀତି ଶୋଇନପାରି ସମୟଟାକୁ ଛାତିର ସ୍ପନ୍ଦନ ସହିତ ଗଣନ୍ତି ଏବଂ ନିଜର ମନକୁ ଗାଳି ଦେଇ କହନ୍ତି, ଏତେ ତରତର କାହିଁକି, ଟିକେ ନିଜ ପାଖରେ ନିଜକୁ ସଜାଇ ଦେଖିବା ପାଇଁ ସମୟ ଦେ । ସେ ସମୟ ଦିଅନ୍ତି, ଶୋଇଥିବା ସ୍ୱାମୀଙ୍କ ଉପସ୍ଥିତି ଭୁଲିଯାଇ କେବଳ ନିଜର ନିଃଶ୍ୱାସ ପ୍ରଶ୍ୱାସ ଏବଂ ଛାତି ତଳର ସ୍ପନ୍ଦନର ଶବ୍ଦ ଶୁଣନ୍ତି ।

 

ସେ ନିଶ୍ଚୟ ତା’ହେଲେ ବଞ୍ଚିଛନ୍ତି । ବଞ୍ଚିବା ମଣିଷର ନିଃଶ୍ୱାସ ପ୍ରଶ୍ୱାସ ଏବଂ ଛାତିର ସ୍ପନ୍ଦନ ଥାଏ; ମୃତର ନୁହେଁ । ପ୍ରତୀତିଙ୍କୁ ନିଜ ଭିତରୁ କିଏ ଉସୁକାଇଦେଇ କହେ, କେବଳ ତିଳ ତିଳ କରି ସମୟ ସହିତ ନିଜକୁ ହତ୍ୟା କରୁଛ କେଉଁ ଦୁଃଖରେ; ସମୟ ତୁମର ନା ତୁମେ ସମୟର-? ନିଜକୁ ଟିକେ ଦେଖ । ନିଜର ରୂପଶିରୀ କିପରି ଶୁଖିଗଲାଣି ଦେଖିଛ ? ସମୟ ହୁଏତ ସରେନାହିଁ; କିନ୍ତୁ ତୁମର ବର୍ତ୍ତମାନଟା ଆଉ ତ ଫେରି ଆସିବନାହିଁ ? ତୁମର ଜୀବକୋଷରେ ଯେଉଁ ଯାଚନା, ଯେତେ ଅଭାବ ବା ପୂର୍ଣ୍ଣତାବୋଧ ତାହା ତ ଆଉ ପରେ ଏପରି ଅବସ୍ଥାରେ ନଥିବ-

 

ସତରେ ତ ! ପ୍ରତୀତି ଚମକିପଡ଼ି ଚାହାଁନ୍ତି । ସ୍ୱାମୀ ଶୋଇ ଶୋଇ ଘୁଙ୍ଗୁଡ଼ି ମାରନ୍ତି ବୋଲି ବଡ଼ ଅସ୍ୱସ୍ତିକର ମନେ ହୁଏ । ଯିମିତି ଗୋଟିଏ ଚଳନ୍ତି ଯନ୍ତ୍ର । ଯନ୍ତ୍ରର ଶବ୍ଦ ତା’ ଆୟତ୍ତାଧୀନ ନୁହେଁ । ତାକୁ ସେ କମେଇ ବଢ଼େଇ ପାରେ ନାହିଁ । କଳକୁ ଚଳେଇଦେଲେ ସେ ଚାଲେ, ସେଇଥିରୁ ଶବ୍ଦ ହୁଏ । ଶୁଭଦତ୍ତ ଠିକ୍‌ ଯେପରି କାରଖାନାର ଗୋଟେ କଳ । ତାଙ୍କର ନିଜସ୍ୱ ଇଛା ବୋଲି କିଛି ନାହିଁ । ତାଙ୍କର ସବୁ କାମ ଅନ୍ୟ କିଛିର ପୂର୍ଣ୍ଣତା ଓ ସନ୍ତୋଷ ପାଇଁ, ନିଜ ପାଇଁ କିଛି ନାହିଁ । ନିଜେ ପ୍ରୟୋଜନର ଊର୍ଦ୍ଧ୍ୱରେ ! ନିଜର ପ୍ରୟୋଜନ ଜାଣିନପାରି ମନଟା ଅନ୍ୟର ପ୍ରୟୋଜନକୁ କେବଳ ଲାଳନ କରେ ।

 

ପ୍ରତୀତି ଆଶ୍ଚର୍ଯ୍ୟ ହୁଅନ୍ତି । ଯେଉଁ ସ୍ୱାମୀଙ୍କର ସଂସାରକୁ ଆସି ସମୟଟାକୁ ଚିଲିକାର ନାଉରୀର ସଙ୍ଗୀତ-ମୂର୍ଚ୍ଛନା ପରି ରହି ରହି ମନଖୁସିରେ ଉପଭୋଗ କରିବେ ବୋଲି ସ୍ଥିର କରିଥିଲେ, ସେଇ ସମୟଟା ଚଳନ୍ତା ରେଳଗାଡ଼ିର ବିଗୁଲ ପରି ହଜିଗଲା ବହୁଦୂରେ । ସେଇ ବିଗୁଲ ଶୁଣିଲେ ପ୍ରତୀତି; କିନ୍ତୁ ସେଥିରେ ଶିହରଣ ନଥିଲା, ନିଜ ସମୟ ସହିତ ସନ୍ଧି କରିବାର ସଫଳତା ନଥିଲା ।

 

ଏବେ ଅସହ୍ୟ ମନେହୁଏ ତାଙ୍କର । ଶିରା-ପ୍ରଶିରାଗୁଡ଼ା ଉତ୍ତେଜିତ ହୋଇ ଆପେ ଆପେ ନିଜର ଉତ୍ତାପକୁ ନିଜ ଭିତରେ ଶୋଷି ନେଇ ଛଟପଟ ହେବା ପାଇଁ ଯେଉଁ ଅବସାଦ ଓ ଅବଶୋଷକୁ ଛାଡ଼ି ଦେଇ ଯାଆନ୍ତି, ସେଥିରେ ନିଜକୁ ବଡ଼ ଅସହାୟ ମନେକରନ୍ତି ସେ । ସବୁ ଥାଇ ବି କିଛି ନ ପାଇବାର ବ୍ୟଥାରେ ଦଗ୍‌ଧ ହୋଇ ନିଜକୁ ନିଜେ କହନ୍ତି, ଜୀବନଟା କଅଣ କେବଳ ବ୍ୟସ୍ତ ରହିବା, ସମ୍ପଦ ଓ ସମାଜ ପାଇଁ କାମ କରି ନିଜକୁ ଭୁଲିଯିବା ?

 

ନିଜକୁ ଭୁଲିଯିବା ପାଇଁ ସେ ତିଳେ ହେଲେ ଚାହାଁନ୍ତିନାହିଁ । ଭୁଲିଯିବାର ବେଦନା ଟିକକ ଅସୀମ । ଶୁଭଦତ୍ତ ତାଙ୍କୁ କଅଣ ଭୁଲିଯିବା ପାଇଁ ସମୟନିର୍ଘଣ୍ଟକୁ ମନେପକାନ୍ତି ? ହଠାତ୍‌ ଉତ୍ତେଜିତ ହୋଇପଡ଼ନ୍ତି ପ୍ରତୀତି । ନିଦ୍ରିତ ଶୁଭଦତ୍ତଙ୍କର ଛାତି ଉପରେ ମଥା ରଖନ୍ତି ମୁହୂର୍ତ୍ତକ ପାଇଁ; କିନ୍ତୁ ପ୍ରତ୍ୟୁତ୍ତର ନଥାଏ; ସବୁ ନୀରବ ।

 

ସେଦିନ ଡାକ୍ତରଖାନା ଯାଇଥିବା ସମୟରେ ସ୍ୱାମୀର ଶବକୁ ଧରି ଜଣେ ସ୍ତ୍ରୀକୁ କାନ୍ଦିବାର ଦେଖିଥିଲେ ସେ । ଶୁଭଦତ୍ତ ହଠାତ୍‌ କାହିଁକି ଶବ ପରି ପଡ଼ି ରହିଲେ, ସେ କିଛି ବୁଝିପାରିଲେ ନାହିଁ । ମନଟା ବିକଳ ହୋଇ ଉଠିଲା । ପେଟ ଭିତରୁ କୋହ ଉଠିଲା ପ୍ରଚଣ୍ଡ ବେଗରେ । ହଠାତ୍‌ କଇଁକଇଁ ହୋଇ କାନ୍ଦିଉଠିଲେ ପ୍ରତୀତି । ଶୁଭଦତ୍ତ ଅକସ୍ମାତ ନୁହେଁ ବହୁଦିନରୁ ମରିଯାଇଥିଲେ ବୋଲି ମନେହେଲା । ସେ କେବଳ କାନ୍ଦିଚାଲିଲେ ।

 

ହୁଏତ ଆହୁରି କେତେ ସମୟ କାନ୍ଦିଥାଆନ୍ତେ; କିନ୍ତୁ ତାଙ୍କର ମନେହେଲା ଯେ ସେ କାନ୍ଦିବା ଦ୍ୱାରା ଦୁର୍ବଳ ହୋଇପଡ଼ୁଚନ୍ତି । ଶୁଭଦତ୍ତଙ୍କ ପ୍ରତି ଅତ୍ୟଧିକ ମମତା ଦେଖେଇ ସେ ଯେତେ କାନ୍ଦିଲେ ବି ସେ ତ ନିର୍ବିକାର, ନିର୍ଲିପ୍ତ । ତା’ହେଲେ ସେ କାହିଁକି ଏତେ ବ୍ୟସ୍ତ ହେବେ ? ଶୁଭଦତ୍ତ ଶୁଅନ୍ତୁ ବା ମରିଯାଆନ୍ତୁ ସେଥିରେ ତାଙ୍କର କିଛି ଯାଏ ଆସେ ନାହିଁ । ଶୁଭଦତ୍ତଙ୍କର ସମୟଟା ତାଙ୍କର ନୁହେଁ, ତାଙ୍କ ସମୟ ସ୍ୱତନ୍ତ୍ର ଏବଂ ଏକାନ୍ତ ଆପଣାର । ନିଜ ବିଷୟରେ ଏଇ ସଚେତନତା ତାଙ୍କୁ ବିହ୍ୱଳ କରିଦେଇଗଲା ।

 

ପ୍ରତୀତି ମନେକଲେ ଯେ ଏଯାଏ ତାଙ୍କର ସବୁ ସମୟ ନଷ୍ଟ ହୋଇଯାଇଛି । ସମୟ ତାଙ୍କୁ ଶୋଷିନେଇଛି; କିନ୍ତୁ ସେ ସମୟକୁ ଶୋଷି ନେଇ ପାରିନାହାଁନ୍ତି । ଶୁଭଦତ୍ତ ସବୁବେଳେ କହନ୍ତି ଯେ ବ୍ୟସ୍ତ ମଣିଷ ହିଁ ସଫଳ ମଣିଷ ଏବଂ ସଫଳତା ହିଁ ସମୃଦ୍ଧି । ନିଦ୍ରିତ ଶୁଭଦତ୍ତଙ୍କୁ ଚାହିଁ ବି ତାଙ୍କ ସର୍ବାଙ୍ଗରେ ସମୃଦ୍ଧିର କୌଣସି ସଙ୍କେତ ଦେଖିପାରିଲେ ନାହିଁ ପ୍ରତୀତି । ତାଙ୍କୁ ଅତି ସାଧାରଣ ପରି ମନେହେଲା । ଏଯାଏ ତାଙ୍କର ପୋଷାକପିନ୍ଧା ସ୍ୱରୂପକୁ ଦେଖୁଥିଲେ, ରୁଚିପୂର୍ଣ୍ଣ ବ୍ୟବହାର ପାଉଥିଲେ । ବ୍ୟାବହାରିକ ଜୀବନକୁ ନିର୍ଦୋଷ କରିବାକୁ ଯାଇ ସମ୍ଭ୍ରାନ୍ତପଣିଆ ଦେଖେଇ ହଉଥିଲେ; କିନ୍ତୁ ନିଚ୍ଛକ ଖୋଲା ଜୀବନକୁ ଉପଭୋଗ କରିବାପାଇଁ ଏସବୁର ପ୍ରୟୋଜନ ନଥିଲା ବୋଲି ଏବେ ଅନୁଭବ କରନ୍ତି ପ୍ରତୀତି । ଫର୍ମାଲିଟି ଦେଖାଇ ନିଜର ସ୍ୱତଃସ୍ଫୂର୍ତ୍ତ ପ୍ରକାଶକୁ ନିରୋଧ କରି ଜୀବନର ସରସତାକୁ ବ୍ୟର୍ଥ କରିଦେଇଛନ୍ତି କେବଳ । ପରିବେଶ ଶ୍ୱାସରୁଦ୍ଧ ହୋଇଆସୁଥିବା ପରି ମନେହେଉଥିଲା । ସେ ଖୁବ୍‌ ଶିଥିଳତା ଏବଂ ଅବସାଦ ଅନୁଭବ କଲେ ।

 

ପ୍ରତୀତି ଉଚ୍ଛଳ ଝରଣା ପରି ସବୁ ବାଧା-ପ୍ରତିବନ୍ଧକ ଅତିକ୍ରମ କରି କଳକଳ ନାଦରେ ବହିଯିବାକୁ ଚାହିଁଥିଲେ । କଲେଜରେ ପଢ଼ିବାବେଳେ ତାଙ୍କର ପରିସର ଥିଲା ଖୁବ୍‌ ବେଶି । କଲେଜର ଡ୍ରାମାଠାରୁ ଆରମ୍ଭ କରି ଖେଳ ପଡ଼ିଆଯାଏ ସବୁ ସ୍ଥାନରେ ଥିଲା ତାଙ୍କର ଅବାଧ ପ୍ରବେଶ । ତାଙ୍କୁ କେନ୍ଦ୍ରକରି ଅନେକ ଗୁଜବ ଉଠିଥିଲା, ତାଙ୍କର ସାନ୍ନିଧ୍ୟ ପାଇବାପାଇଁ ଅନେକେ ନିଜ ନିଜର ସବୁ ସମୟ ନଷ୍ଟ କରି ତାଙ୍କ ଚାରିପାଖରେ ଘୂରି ବୁଲୁଥିଲେ । ସେମାନେ ସମସ୍ତେ ତାଙ୍କର ଏତେ ନିକଟରେ ଥିଲେ ସୁଦ୍ଧା ସେ ଖୁବ୍ ଦୂରରେ ଥିବାପରି ମନେ ହେଉଥିଲେ । ଛୁଇଁଦେଲେ ଦେହଟା ସରିଯାଏ ନାହିଁ । କାହାରି ଛୁଆଁ ଦେହରେ ଲାଗିଲେ ସେ ନିର୍ଲିପ୍ତ ଭାବରେ ଆଉ ଗୋଟେ ଦିଗକୁ ଆଗେଇ ଯାଉଥିଲେ । ଦେହଟା ତ ସବୁ ନୁହେଁ, ମନରେ ଛୁଆଁ ନ ଲାଗିଲେ ସେ ଘୂରି ଚାହୁଁନଥିଲା । ଏଇ ଦେହ ଓ ମନର ସଂଯୋଗ ରକ୍ଷାକରି କେହି କେବେ ତାଙ୍କ ପାଖକୁ ଆସିନାହିଁ । ଶୁଭଦତ୍ତଙ୍କୁ ସେ ନିଜେ ନିର୍ବାଚିତ କରିନଥିଲେ । ବାପ ମା’ ଭାଇ ବନ୍ଧୁ ତାଙ୍କୁ ପସନ୍ଦ କରିଥିଲେ ବୋଲି ପ୍ରତୀତି ପ୍ରତିବାଦ ନକରି ସ୍ୱଇଚ୍ଛାରେ ଗ୍ରହଣ କରି ନେଇଥିଲେ । ଶୁଭଦତ୍ତଙ୍କୁ ସ୍ୱାମୀ ଭାବରେ ପାଇ ତାଙ୍କର ଯେ ପରିବର୍ତ୍ତନ ନହେଲା ଏପରି ନୁହେଁ; କିନ୍ତୁ ସେ ନିଜକୁ କ୍ରମଶଃ ହଜାଇଦବା ଉପଲବ୍‌ଧି କଲେ । ଶୁଭଦତ୍ତଙ୍କର ଇଚ୍ଛା ଓ ଅନିଚ୍ଛା ସତ୍ତ୍ୱେ ପସନ୍ଦ ଓ ଅପସନ୍ଦ ତାଙ୍କର ଇଚ୍ଛା ଏବଂ ପସନ୍ଦ ହୋଇଗଲା । ସେ ନିଜକୁ ବିଲୀନ କରି ଶୁଭଦତ୍ତଙ୍କ ଭିତରେ ନିଜର ଭାବମୂର୍ତ୍ତିକୁ ଦେଖିବା ପାଇଁ ବରଂ ବଡ଼ ବେଶି ଆକୁଳ ହୋଇଥିଲେ ।

 

ଶୁଭଦତ୍ତ ବି ତାଙ୍କ ଆବୋରି ବସିଥିଲେ । କର୍ମବ୍ୟସ୍ତ ଜୀବନର କାର୍ଯ୍ୟନିର୍ଘଣ୍ଟରେ ପ୍ରତୀତିଙ୍କୁ ସ୍ଥାନ ଦେଇ ସେ ତାଙ୍କୁ ସହଧର୍ମିଣୀ କରିବାପାଇଁ କୁଣ୍ଠା କରିନଥିଲେ । ସେଥିପାଇଁ ବ୍ୟବସାୟର ସବୁକାର୍ଯ୍ୟରେ ତାଙ୍କର ସହଯୋଗ ନେବା ବ୍ୟତୀତ ସାମାଜିକ ଜୀବନର ସବୁ କ୍ଷେତ୍ରରେ ତାଙ୍କୁ ସାଥୀ କରିଥିଲେ । ଜଣକୁ ଛାଡ଼ି ଆଉ ଜଣକୁ ଦେଖିବା ବିରଳ ହଉଥିଲା । ସେଥିପାଇଁ ସାଙ୍ଗମାନେ ପରିହାସ କରି କହୁଥିଲେ—କପୋତ କପୋତୀ । ପ୍ରତୀତିକୁ ସୁଖ ଲାଗୁଥିଲା ଏଇ ମନ୍ତବ୍ୟ ଶୁଣିବା ପାଇଁ ।

 

ସମୟର ଦାବୀ ବୋଧହୁଏ ଅନେକ । ସେଥିରୁ ସବୁ ପୂରଣ ନହେଲେ ସମୟ ଭୁଲିଯାଏ ନାହିଁ, ପ୍ରତିଶୋଧ ନେବାକୁ ଚେଷ୍ଟାକରେ । ଏତେ ଜଞ୍ଜାଳ ଓ କର୍ମବ୍ୟସ୍ତତା ମଧ୍ୟରେ ସମୟ ସହିତ ଖର୍ଚ୍ଚ ହେବାକୁ ଚେଷ୍ଟା କରି ନିଜେ ନିଜ ପାଖରେ ଏକାନ୍ତରେ ଛିଡ଼ା ହେବାବେଳେ ପ୍ରତୀତି ନିଜକୁ ଖୁବ୍‌ ନିଃସହାୟ ଏବଂ ଏକାକିନୀ ମନେକରିବାକୁ ଲାଗିଲେ । ଶୁଭଦତ୍ତଙ୍କ ସହିତ ଗୋଟିଏ ବିଛଣାରେ ଶୋଇ ମଧ୍ୟ ସେ ବହୁ ଦୂରର ଗୋଟିଏ ନିକାଞ୍ଚନ ସ୍ଥାନରେ ଏକୁଟିଆ ଥିବାର ଏକାକୀତ୍ୱ ଅନୁଭବ କରିବାକୁ ଲାଗିଲେ । ସେଇ ନିକାଞ୍ଚନ ସ୍ଥିତି ତାଙ୍କୁ ଦଗ୍‌ଧ କରିବାକୁ ଲାଗିଲା । ତାଙ୍କ ଛାତିତଳର ସ୍ପନ୍ଦନ ଦୃଢ଼ ହେବାକୁ ଲାଗିଲା । ସେ ସମୟ ଖୋଜିଲେ ଏକାନ୍ତରେ ଶୁଭଦତ୍ତଙ୍କୁ ଏଇ କଥା କହିବା ପାଇଁ; କିନ୍ତୁ ସେତିକି ସୁଯୋଗ ବି ଏଯାଏ ମିଳିଲା ନାହିଁ ତାଙ୍କୁ ।

 

ପ୍ରତୀତିଙ୍କୁ ବେଳେବେଳେ ଅନ୍ୟମନସ୍କ ରହୁଥିବାର ଦେଖି ଶୁଭଦତ୍ତ ତାଙ୍କୁ ଆହୁରି କାମ ଦେଲେ । କାମ ହିଁ ଏଇ ରୋଗର ନିଦାନ । କାମ ନଥିବା ମଣିଷର ମନ ଅନ୍ୟମନସ୍କ ହୁଏ, ଅନ୍ୟ କଥା ଭାବିବାକୁ ଯାଇ ନିଜ କଥା ବି ଭୁଲିଯାଏ । କାମିକା ମଣିଷର ସଫଳତା ତାକୁ ସୁନ୍ଦର କରେ । ତାର ସ୍ୱରୂପ ହୁଏ ଆକର୍ଷଣୀୟ । ପ୍ରତୀତି ବେଶି କାମ ପାଇ ଆହୁରି ବ୍ୟସ୍ତ ରହିଲେ । ସ୍ୱାମୀଙ୍କ ସହିତ ଯେଉଁ ସମୟ କଟେଇଦେଉଥିଲେ ତାହା ଆହୁରି କମ୍‌ ହୋଇଗଲା ଏବଂ ତାଙ୍କ ମନର ଅବରୁଦ୍ଧ ବାସନାମାନେ ଜାଲ ଭିତରୁ ବାହାରିବା ପାଇଁ ଛଟପଟ କରୁଥିବା ମାଛମାନଙ୍କ ପରି ଚଞ୍ଚଳ ହେଉଥିଲେ; କିନ୍ତୁ ଯେତେ ଇଛା କଲେ ବି ନିଜ ପାଇଁ ନିଜେ ଟିକେ ସମୟ ଓ ସୁଯୋଗ ସୃଷ୍ଟି କରି ନପାରି ଆହୁରି ବିମର୍ଷ ହୋଇପଡ଼ିଲେ ପ୍ରତୀତି ।

 

ଏତେ ସମୟ ଓ ସୁଯୋଗ ସେ ଅନ୍ୟମାନଙ୍କୁ ଦିଅନ୍ତି; ଅଥଚ ନିଜକୁ ନିଜେ କିଛି ଦେଇ ନପାରି ବଡ଼ ଅସହାୟ ବୋଧ କରନ୍ତି ସେ । ସେଦିନ ସକାଳେ ଚାହା ପିଇବାବେଳେ ଆଉ ଉପକ୍ରମଣିକା ନକରି ସେ କହି ପକେଇଲେ ମୋ ପାଖରେ ଆଉ ଟିକେ ବସନ୍ତ ନି । ମୋତେ ଆଉ ଟିକେ ଗେଲ...ଆଉ ଟିକେ..... । ବେଶ୍‌ ଏତିକି, ଆଉ କିଛି କହିପାରିଲେନାହିଁ । ତାଙ୍କ ମୁହଁ ସେ ନଦେଖିପାରିଲେ ବି ସେ ଅନୁଭବ କଲେ ସେ ଗୋଟିଏ ଉତ୍ତପ୍ତ ଅନୁଚ୍ଚାରିତ ବାସନା ତାଙ୍କ ଆପାଦମସ୍ତକକୁ ଉଲୁସାଇ ଦେଇଗଲା । ଶୁଭଦତ୍ତ ସେତେବେଳେ ତାଙ୍କ ରୂପର ଲାବଣ୍ୟ ଦେଖିଥିଲେ ଜାଣିଥାଆନ୍ତେ କିପରି ପ୍ରସ୍ଫୁଟିତ ଫୁଲଟିଏ ସରାଗରେ ଅଳି କରେ ଟିକେ ସୋହାଗ ପାଇଁ—ସେ କିନ୍ତୁ କିଛି ବୁଝି ନପାରି ନିର୍ବୋଧ ପରି କହିଲେ, ଏତେ ପାଖରେ ଥାଇ ବି ଦୂରତ୍ୱ ଅନୁଭବ କର ପ୍ରତୀତି ! ଦୂରକୁ ନିକଟ କରିବା ପାଇଁ ମନଟାକୁ ଟିକେ ବଦଲାଇ ଦିଅ । କେନାଲର ପାଣିକୁ ସିଆର କାଟି ଜମି ଭିତରକୁ ଯେପରି ନିଆଯାଏ, ନିଜର ମନଟାକୁ ସେହିପରି କଢ଼େଇନିଅ ଠିକଣା ରାସ୍ତାରେ ।

 

ପ୍ରତୀତି ଆହୁରି କଅଣ କହିଥାଆନ୍ତେ; କିନ୍ତୁ ତାଙ୍କ ଦୁଇ ଆଖି ଭର୍ତ୍ତିହୋଇ ଜମୁଥିବା ଲୁହକୁ ଏକାନ୍ତରେ ପୋଛିଦେବା ପାଇଁ ସେ ଟିକେ ଚାଲିଗଲେ ଘର ଭିତରକୁ ।

 

ଫେରିଆସିବାବେଳକୁ ଶୁଭଦତ୍ତ ନଥିଲେ ସେଠାରେ; ସ୍ନାନ ପ୍ରସାଧନ ଶେଷ କରିବା ପାଇଁ ବାଥ୍‌ରୁମ୍‌ ଭିତରକୁ ଚାଲି ଯାଇଥିଲେ । ପ୍ରତୀତିଙ୍କୁ ଖୁବ୍‌ ବିରକ୍ତ ଲାଗିଲା । ଏଇ ପ୍ରଥମ ସୀମା ଅତିକ୍ରମ କରି ସେ ଚିତ୍କାର କରି ଚାକରକୁ ଡାକ ଛାଡ଼ିଲେ । ଚାକର ଟୋକା ଆସି ଟ୍ରେ’ଟା ଉଠାଇ ନେବାବେଳକୁ ସେ ତାକୁ ଦୁଇପଦ ଶୁଣାଇଦେଲେ । ତାଙ୍କ ମୁହଁରୁ ଅପ୍ରତ୍ୟାଶିତ ଏପରି ରୁକ୍ଷ କଥା ଶୁଣି ଅବେକ୍‌ ହୋଇ ମୁହଁ ପୋତି ଚାଲିଗଲା ସେ । କିଛିକ୍ଷଣ ନିର୍ବାକ୍‌ ହୋଇ ବସି ରହିଲେ ପ୍ରତୀତି; ଚାକରକୁ ଏପରିଭାବରେ କହିବା ଅଭଦ୍ରୋଚିତ ହୋଇଛି ବୋଲି ମନରେ ଗ୍ଳାନି ଅନୁଭବ କଲେ । କ୍ରୋଧ ବ୍ୟକ୍ତିତ୍ୱର ଶୋଭାକୁ ବଢ଼ାଏ ନାହିଁ; ବରଂ ଖର୍ବ କରେ । ବ୍ୟକ୍ତିତ୍ୱ-ସଚେତନ ପ୍ରତୀତିଙ୍କୁ ଖରାପ ଲାଗିଲା ।

 

ବାଥ୍‌ରୁମ୍ ଭିତରୁ ବାହାରିବାବେଳକୁ ପ୍ରତୀତିଙ୍କୁ ଅନ୍ୟମନସ୍କ ଭାବରେ ବସିଥିବାର ଦେଖି କହିଲେ ଶୁଭଦତ୍ତ—ତୁମେ ଇମିତି ବସିଛ ଯେ ? ଆଜି ପରା ତୁମର ବୋର୍ଡ଼ ମିଟିଂରେ ଯୋଗଦେବାର କଥା । ତୁମେ ନଗଲେ ଚଳିବ ?

 

ପ୍ରତୀତି ବିରକ୍ତ ହେବାପରି କହିଲେ, ମୁଁ ନଗଲେ ନିଶ୍ଚୟ ଚଳିବ । ମୋର ପ୍ରୟୋଜନ ନାହିଁ ସେଠାରେ । ମୋର ଭୂମିକା ଅବାନ୍ତର.... ।

 

ଶୁଭଦତ୍ତ ସଜ ହେବାବେଳେ କହିଲେ, ବାହାରିପଡ଼ । ତୁମେ ନ ଚାହିଁଲେ ମଧ୍ୟ ଅନ୍ୟମାନେ ତୁମକୁ ଚାହାଁନ୍ତି । ଥରେ ସାମାଜିକ ହୋଇଗଲେ ବା ସଙ୍ଗଠନ ଭିତରକୁ ଆସିଗଲେ ମଣିଷ ଆଉ ସମ୍ପୂର୍ଣ୍ଣ ନିଜର ହୋଇ ରହେନାହିଁ । ତାର ସମୟ ଓ ସମ୍ପଦ ଉପରେ ଅନ୍ୟମାନେ ମଧ୍ୟ ଭାଗ ବସାନ୍ତି ।

 

ପ୍ରତୀତିଙ୍କର ଯୁକ୍ତି କରିବା ପାଇଁ ଇଛା ହେଲାନାହିଁ । ସେ ଉଠିପଡ଼ି ଧୀରେ ଧୀରେ ପ୍ରକୋଷ୍ଠ ଭିତରେ ପଶିଗଲେ ।

 

ସ୍ନାନ ପ୍ରସାଧନ ଶେଷ କରି ଜଳଯୋଗ ପରେ ବାହାରିବାବେଳକୁ ଘଣ୍ଟାର କଣ୍ଟାଟା ନଅ ଉପରେ ରହିଥିଲା । ତରତର ହୋଇ ବାହାରିଗଲେ ଦୁହେଁ, ସାଢ଼େ ନଅରେ ମିଟିଂ ।

 

ଲେଭେଲ କ୍ରସିଂ ପାଖରେ ଗାଡ଼ି ଛିଡ଼ାହେଲା । ରେଳଗାଡ଼ି ଗୋଟେ ଆସୁଥିଲା ।

 

ଟିକେ ଅବସର ପାଇଲେ ପ୍ରତୀତି ।

 

ଜଣେ ପଙ୍ଗୁ ବସିଥିଲେ ସଡ଼କ କଡ଼ରେ । ଭିକ ମାଗୁଥିଲା । ଗୋଟେ ଟ୍ରକ୍‌ ଏପରି ଜୋର୍‌ରେ ବାଟ ଭାଙ୍ଗି ମାଡ଼ିଆସିଲା ଯେ ଆଉ ଟିକିଏ କଡ଼କୁ ମାଡ଼ିଯାଇଥିଲେ ସେ ବିଚରା ନିଶ୍ଚୟ ମୃତ୍ୟୁମୁଖରେ ପଡ଼ିଥାଆନ୍ତା । ବର୍ତ୍ତିଗଲା । ଆଖି ପିଛଳାକେ ଚିତ୍କାର କରି କରି ଦଉଡ଼ିଆସିଲା ସ୍ତ୍ରୀଲୋକଟିଏ । କାନ୍ଦୁଥାଏ ଏବଂ ଗାଳିଦେଉଥାଏ ଟ୍ରକ୍‌ବାଲାକୁ । ପଙ୍ଗୁ ହେଲେ ବି ମଣିଷଟିଏ । ତା ଶଙ୍ଖା ସିନ୍ଦୂରର ପ୍ରତୀକ । ତାକୁ ଛାଡ଼ି ଏ ସଂସାର ତା’ ପକ୍ଷରେ ନିରର୍ଥକ ।

 

ଅବାକ୍ ହୋଇଗଲା ପ୍ରତୀତି ।

 

ସ୍ୱାମୀ ପଙ୍ଗୁ, ଚଳ-ପ୍ରଚଳ ହେବାର ଶକ୍ତି ନାହିଁ । ଯେଉଁଠି ବସେଇଦେଲେ ସେଇଠି ବସିରହେ । ଭିକ ମାଗେ ସ୍ତ୍ରୀ । ଏଇ ପଙ୍ଗୁ ପାଇଁ ଜୀବନର ସବୁ ସୁଖସୁବିଧାକୁ ଜଳାଞ୍ଜଳି ଦେଇ ସେ ପଡ଼ିରହିଚି ପଙ୍ଗୁର ସେବା କରିବାପାଇ । ତାହାରି ପାଇଁ ଶଙ୍ଖା ଓ ସିନ୍ଦୂର ଘିନିବା କଥା । ସେ ମରିଗଲେ ବହୁ ଜଞ୍ଜାଳରୁ ମୁକ୍ତି ପାଆନ୍ତା ସ୍ତ୍ରୀଲୋକଟି; କିନ୍ତୁ ସେପରି ମୁକ୍ତି ସେ ଚାହେଁ ନାହିଁ । ସେ ଚାହେ ବଞ୍ଚିବା ପାଇଁ—ଏକା ନୁହେଁ, ସ୍ୱାମୀ ସହିତ । ଜୀବନକୁ ସତରେ ଭଲପାଇନପାରିଲେ ଏପରି ଜୀଇଁବାର କୌଣସି ଅର୍ଥ ନାହିଁ । ଖାଲି ଜୀବନକୁ ଭଲ ପାଇଲେ ହୁଏ ନାହିଁ, ଆଉ ଜଣକୁ ମଧ୍ୟ ଭଲ ପାଇବାକୁ ହୁଏ, ଯିଏ ହୁଏ ଜୀବନ-ସାଥୀ, ଯିଏ ଭଲରେ ମନ୍ଦରେ ହୁଏ ଆଶ୍ରୟ, ସାନ୍ତ୍ୱନା ଓ ଶକ୍ତିର ପ୍ରାଣକେନ୍ଦ୍ର । ସ୍ତ୍ରୀଲୋକଟି ପଙ୍ଗୁର ମଥାଠାରୁ ଆଣ୍ଠୁ ପର୍ଯ୍ୟନ୍ତ ଆଉଁସିଦେଇଥିବାର ଲକ୍ଷ୍ୟ କଲା ପ୍ରତୀତି । ପଙ୍ଗୁର ଆଖିର ଦୃଷ୍ଟିରୁ କେବଳ କୃତଜ୍ଞତା ନୁହେଁ, ଝରିପଡ଼ୁଥିଲା ଶୀତଦିନର ସକାଳିଆ ନରମ ଖରା ପରି ଭଲପାଇବାର ମଧୁରତା । ସ୍ତବ୍‌ଧ ହୋଇ ଅନାଇ ରହିଲା ପ୍ରତୀତି ।

 

ମଣିଷ ଭଲପାଇବାଦ୍ୱାରା ନିଜକୁ କରେ ସରସ ସୁନ୍ଦର । ଯାହା ଭାଗ୍ୟରେ ଭଲପାଇବାର ବା ତାକୁ ଅନ୍ୟ କେହି ଭଲପାଇବାର ସୁଯୋଗ ଆସିନାହିଁ, ତାର ଜୀବନ ବ୍ୟର୍ଥ ମରୁଭୂମି ପରି ଶୁଷ୍କ ।

 

ପ୍ରତୀତିର ଛାତି ତଳର ସ୍ପନ୍ଦନ ଦ୍ରୁତତର ହେଲା ।

 

ରେଳଗାଡ଼ିଟା ଚାଲିଯିବା ପରେ ଅର୍ଗଳ ଉଠିଲା ଏବଂ ହର୍ଣ୍ଣ ଦେଇ ଗାଡ଼ି ଷ୍ଟାର୍ଟ କଲା ଡ୍ରାଇଭର ।

 

ମୌନାବତୀ ପରି ବସି ରହିଥିବା ପ୍ରତୀତିକୁ କହିଲେ ଶୁଭଦତ୍ତ—ବଡ଼ ଚୁପ୍‌ଚାପ୍‌ ଯେ..... । ଦେହ ଭଲ ଲାଗୁନି ?

 

ଏସବୁ ଫର୍ମାଲିଟି, ସାଧାରଣ ଭଦ୍ରତା ବୋଲି ମନେକଲେ ପ୍ରତୀତି । ସ୍ୱାମୀଙ୍କ ସ୍ୱରରେ ସେଇ ପଙ୍ଗୁର ସ୍ତ୍ରୀର ବ୍ୟାକୁଳ ତା’ ବା ଉଷ୍ମତା ନଥିଲା । ଶୁଭଦତ୍ତ ତାଙ୍କୁ ସତରେ କଣ ଭଲପାଆନ୍ତି-? ଏୟା ମନକୁ ଆସିବାକ୍ଷଣି ଆପାଦମସ୍ତକ ଆତଙ୍କରେ ଶିହରି ଉଠିଲା ତାଙ୍କର-। ଛାତି ତଳେ ହାତୁଡ଼ି ପିଟି କିଏ ଯେପରି କହିଲା—ଏୟା ଆଜିଯାଏ ଜାଣିନାହୁଁ, ଭଲପାଇବାର ସ୍ୱର କଅଣ ଏହିପରି ?

 

ଶୁଭଦତ୍ତ ଆଉ କାହାକୁ ଭଲପାଆନ୍ତି ? ଆଉ କିଏ ତାଙ୍କର ଜୀବନ ଓ ଯୌବନର ଅଂଶୀଦାର ? ଏହି ପ୍ରଶ୍ନ ମନ ଭିତରେ ଉଦୟ ହେବା ମାତ୍ରେ ଅନ୍ତଃସ୍ଥଳର ଆକୁଳତାରେ ମୁହ୍ୟମାନ ହୋଇପଡ଼ିଲେ ପ୍ରତୀତି । ଏଡ଼େ ସୁନ୍ଦର ଝଲମଲ ସକାଳଟା ଅତି ଶୁଷ୍କ ଏବଂ ନୀରସ ମନେହେଲା-

 

ଏଇ ଖବରଟା ଆଜିଯାଏ ସେ କିପରି ଜାଣି ପାରି ନଥିଲେ ବୋଲି ମନକୁ ଧିକ୍‌କାର କଲେ । ଏହି ଦୃଷ୍ଟିରୁ ସ୍ୱାମୀଙ୍କର ସବୁ ଆଚରଣକୁ ବିଚାର କରି ତାହା ତ୍ରୁଟିଶୂନ୍ୟ ଥିଲେ ମଧ୍ୟ ସେଥିରେ ଜୀବନର ଭାଷା ଏବଂ ଭଲପାଇବାର ଉତ୍ତାପ ଯେ ନଥିଲା, ଏହି ସିଦ୍ଧାନ୍ତର ପହଞ୍ଚିଲେ ପ୍ରତୀତି ଏବଂ ସେହି କ୍ଷଣରେ ତାଙ୍କର ମନେହେଲା ଯେ ସବୁ ପ୍ରାଚୁର୍ଯ୍ୟ ଓ ଐଶ୍ୱର୍ଯ୍ୟ ସତ୍ତ୍ୱେ ତାଙ୍କର ଅଭାବ ଅନେକ ।

 

ମର୍ଣ୍ଣିଂ ଟି, ଖବରକାଗଜ, ସ୍ନାନ, ପ୍ରସାଧନ, ବ୍ରେକ୍‌ଫାଷ୍ଟ, ମିଟିଂ, ଲଞ୍ଚ, ଡିନର ଏବଂ ଥିଏଟର, ସିନେମା ଭିତରେ ସମୟକୁ ଖର୍ଚ୍ଚ କରିହୁଏ; କିନ୍ତୁ ଜୀବନକୁ ପୂର୍ଣ୍ଣାଙ୍ଗ କରିହୁଏ ନାହିଁ । ପ୍ରତୀତିଙ୍କର ସମୟ ଖର୍ଚ୍ଚ ହୋଇଯାଇଛି । ତାଙ୍କର ମନେହେଲା ଯେ ଭୁଲ ବାଟରେ ସେ ଚାଲିଆସିଛନ୍ତି, ସମ୍ପୂର୍ଣ୍ଣ ହେବାକୁ ଯାଇ ଅପୂର୍ଣ୍ଣ ରହିଯାଇଛନ୍ତି ।

 

ଦିନସାରା କାୟା ସହିତ ଛାୟା ରହିବା ପରି ସ୍ୱାମୀ ସାଙ୍ଗରେ ରହନ୍ତି ପ୍ରତୀତ । ରାତିଟା ତ କେବଳ ଦୁଇ ଜଣଙ୍କର । କିନ୍ତୁ ଏ ସବୁରୁ ସେ ପାଇଲେ କଅଣ ? ଶୁଭଦତ୍ତଙ୍କୁ ଦେଲେ କଅଣ ? ସେ କଅଣ ସକାଳୁ ରାତିଯାଏ କେବଳ କାର୍ଯ୍ୟନିର୍ଘଣ୍ଟ ବଜାୟ ରଖି ସ୍ୱାମୀଙ୍କ ସାଙ୍ଗରେ ବୁଲିବା ପାଇଁ କୌଣସି ଚୁକ୍ତି କରିଥିଲେ ? ଶୁଭଦତ୍ତଙ୍କର ତାଙ୍କଠାରୁ ଆଉ କଅଣ କିଛି ପାଇବାର ନାହିଁ ।

 

ରାସ୍ତାକଡ଼ର ସେଇ ଅଥର୍ବ ଲୋକଟି କଥା ମନେପଡ଼େ । ମନେପଡ଼େ, ତାର ସ୍ତ୍ରୀ କଥା-। ସେମାନଙ୍କ ମଧ୍ୟରେ ଯେଉଁ ଅନ୍ତରଙ୍ଗ ସମ୍ପର୍କଟି ଉଦ୍ଭାସିତ, ଲୋକଲୋଚନର ଅନ୍ତରାଳରେ ସେମାନଙ୍କର ପରସ୍ପର ପ୍ରତି ଯେଉଁ ମମତା ଏବଂ ସେମାନଙ୍କ ମଧ୍ୟରେ ପ୍ରେମର ଯେଉଁ ଫଲ୍‌ଗୁ ପ୍ରବାହିତ, ତାହା ଅଙ୍ଗେ ନିଭାଇବା ପାଇଁ ଆକୁଳ ହୁଏ ଅନ୍ତର । ଆଉ ଡାକ୍ତରଖାନାରେ ନିଜର ଅସୁସ୍ଥ ସନ୍ତାନର ଜୀବନରକ୍ଷା କରିବା ପାଇଁ ମାଆର ଆପ୍ରାଣ ଚେଷ୍ଟା ତାଙ୍କୁ ଚକିତ କରିଥିଲା-। ପାଞ୍ଚଦିନ ଖିଆପିଆ ଭୁଲି ନଶୋଇ ପୁଅ ପାଖରେ ବସି ପାଞ୍ଚଟି ଘଣ୍ଟା ପରି କଟେଇଦେଲା ଯେଉଁ ନାରୀ, ସେ ନିଶ୍ଚୟ ତାଙ୍କଠାରୁ ଊର୍ଦ୍ଧ୍ୱରେ; ତାର ଅନ୍ତର ନିଶ୍ଚୟ ଏକ ଅନିନ୍ଦ୍ୟ ଅମୃତାଲୋକରେ ଉଦ୍ଭାସିତ । ପ୍ରେମ ହିଁ ବୋଧହୁଏ ଶକ୍ତିର ଉତ୍ସ । ନୋହିଲେ ଅଥର୍ବକୁ ବୋହିବାର ମାନସିକ ଶକ୍ତି ଏବଂ ପୀଡ଼ିତ ପୁତ୍ରର ଜୀବନକୁ ମୃତ୍ୟୁହାତରୁ ଉତାରି ଆଣିବାର ସଂଗ୍ରାମ ପାଇଁ ଏତେ ଶକ୍ତି ସେମାନେ ପାଇଲେ କୋଉଠୁ ।

 

ତାଙ୍କୁ କେହି ଟିକେ ଭଲପାଆନ୍ତା କି ? ସେ ନିଜ ହୃଦୟରେ ଟିକେ ଆଲୋଡ଼ନ ଅନୁଭବ କରନ୍ତେ କି ! କେବଳ ସବୁ ଥିବାର ସମତଳ ସଂସାରର ସହଜ ଯାତ୍ରା ବ୍ୟତୀତ ପରସ୍ପରର ପ୍ରୀତି ବିନିମୟ ଓ ଦୁଃଖ-ସୁଖର ସଂସାରରେ ସେ ଟିକେ ଚାଲନ୍ତେ କି ।

 

ସେ ଶୁଭଦତ୍ତଙ୍କୁ ଖୁବ୍‌ ଭଲପାଆନ୍ତି ବୋଲି ତାଙ୍କ ଆଗରେ ଆଉ କୌଣସି ପୁରୁଷ ନାୟକର ରୂପ ନେଇ ତିଷ୍ଠି ପାରିନାହିଁ । ସେହି ଭଲପାଇବାଟା କେବଳ ଗୋଟିଏ ପାଖର ସୁଅପରି ତାଙ୍କର ମନେହେଲା । ଶୁଭଦତ୍ତ ସମୟ ଓ କାର୍ଯ୍ୟନିର୍ଘଣ୍ଟ ଜଗି ଚଳୁ ଚଳୁ ତାଙ୍କୁ ଭୁଲିଗଲେଣି । ପ୍ରତୀତିଙ୍କର ଅନ୍ତର ଭିତରଟା ହୁ-ହୁ କରି ଜଳିଉଠିଲା । ସେ ଶୀତଦିନର ସନ୍ଧ୍ୟାରେ ବି ନିଜର ଜ୍ୱାଳାରେ ଝାଳେଇଗଲେ । ଏତେ ବଡ଼ ପରାଜୟ ଆଉ କେବେ ବରଣ କରିନଥିଲେ ସେ । ଏତେ ଗ୍ଳାନି ଆଉ କେବେ ଅନୁଭବ କରିନଥିଲେ ।

 

ଶୁଭଦତ୍ତଙ୍କ ସାଙ୍ଗରେ ଆଉ ସେଦିନ ଡିନରକୁ ଗଲେ ନାହିଁ ! ମିଷ୍ଟର ସାରଥି ତାଙ୍କ ଜନ୍ମଦିନ ପାଳନ କରିବାପାଇଁ ଅଶୋକ-କଳିଙ୍ଗକୁ ରାତ୍ରିଭୋଜନର ଆୟୋଜନ କରିଥିଲେ । ସେଠାକୁ ଆଉ ଗଲେ ନାହିଁ ପ୍ରତୀତି । ଏଇ ପ୍ରଥମ ବ୍ୟତିକ୍ରମ ହେଲା । ଏକା ଗଲେ ଶୁଭଦତ୍ତ ।

 

ମିଷ୍ଟର ସାରଥିଙ୍କର ଆଖିଯୋଡ଼ିକ ଶାର୍ଦ୍ଦୂଳର ଆଖିପରି; ବଡ଼ ଲୋଭିଲା ଚାହାଣି । ତାଙ୍କ ଆଗରେ ସହଜ ଭାବରେ ଛିଡ଼ା ହୋଇପାରନ୍ତିନି ପ୍ରତୀତି । ପାର୍ଟିରେ ପାଖରେ ଛିଡ଼ାହେବାର ସୁଯୋଗ ପାଇଲେ ଦେହ ଛୁଇଁ ଛିଡ଼ାହୁଅନ୍ତି ସାରଥି । ନିହାତି ଅଭଦ୍ର । ଅଭଦ୍ରାମି ନକଲେ ବୋଧହୁଏ ସୁଖ ଲାଗେନି ତାଙ୍କୁ । ସିଏ ପୁଣି ସ୍ତ୍ରୀଙ୍କର ଜନ୍ମତିଥି ପାଳନ କରନ୍ତି ! ତାଙ୍କ ସ୍ତ୍ରୀ ବି କିପରି ଯେ, ସ୍ୱାମୀ ଅନ୍ୟ ମହିଳାମାନଙ୍କୁ ନେଇ ମାତିଲେ ବି ନିଜେ କିଛି କହନ୍ତି ନାହିଁ; ବରଂ ସେଥିରେ ତାଙ୍କର ସମ୍ମତି ଥିବାପରି ମନେକରନ୍ତି ପ୍ରତୀତି । ଆଶ୍ଚର୍ଯ୍ୟ ! ସାରଥିଙ୍କର ଭୋଜିରେ ଯୋଗଦାନ କରି ବନ୍ଧୁମାନଙ୍କ ମେଳରେ ଆଉ ସବୁ ଭୁଲି ଯାଇଥିଲେ ଶୁଭଦତ୍ତ । ମିସେସ୍‌ ସାରଥି ଥରେ-ଦୁଇଥର ତାଙ୍କର ନିକଟତର ହେବାପାଇଁ ଚେଷ୍ଟା ଯେ ନ କରିଚନ୍ତି ନୁହେଁ; କିନ୍ତୁ ଶୁଭଦତ୍ତ କୌଣସି ପ୍ରତ୍ୟୁତ୍ତର ଦେଇନାହାନ୍ତି । ଆଜି ସେ ତାଙ୍କୁ ଏକା ପାଇ ମିସେସ୍‌ ସାରଥି ହୁଏତ ପୁଣି ଚେଷ୍ଟା କରିବେ । କରନ୍ତୁ, କିଛି ଯାଏ-ଆସେ ନାହିଁ । ସେ ଅବିଶ୍ୱାସ କରନ୍ତିନି ଶୁଭଦତ୍ତଙ୍କୁ । ଶୁଭଦତ୍ତ ତାଙ୍କର ସ୍ୱାମୀ, କଣ୍ଢେଇ ନୁହଁନ୍ତି ଯେ ପେଡ଼ିଭିତରେ ରଖିଦେବେ ।

 

ଅନେକ ରାତି ହେଲା ଫେରିବାପାଇଁ । ଶୁଭଦତ୍ତ ଆଶା କରିନଥିଲେ ଏତେ ରାତିରେ ପ୍ରତୀତି ତାଙ୍କୁ ଅପେକ୍ଷା କରିଥିବେ ବୋଲି । ବାରନ୍ଦାରେ ଇଜି ଚେଆରରେ ବସିଥିଲେ ସେ । ଶୁଭଦତ୍ତଙ୍କର ଯୋତାର ଶବ୍ଦ ଶୁଣି ଉଠିପଡ଼ିଲେ । ଶୁଭଦତ୍ତ ଆଶ୍ଚର୍ଯ୍ୟ ହୋଇ କହିଲେ, ରାତି ବାରଟା, ଏ ଯାଏ ଅପେକ୍ଷା କରୁଛ ?

 

ପ୍ରତୀତି କହିଲେ, ଟିକେ ବସ; କଥା ଅଛି । ବାରନ୍ଦାରେ ବସିଲେ ଦୁଇଜଣ । ତଳମହଲାରେ ଆଲୁଅ ଲିଭାଇ ଶୋଇବାକୁ ଗଲେ ଚାକରମାନେ । ଉପରର ଆଲୋକ ବି ଲିଭାଇଦେଲେ ପ୍ରତୀତି ।

 

—ଅନ୍ଧାରରେ ବସିବ ? କହିଲେ ଶୁଭଦତ୍ତ ।

 

—ହଁ, ଆଲୋକ ନ ହବାଯାଏ ଅନ୍ଧାରରେ ବସିଲେ କ୍ଷତି ନାହିଁ । କହିଲେ ପ୍ରତୀତ ।

 

—କୁହ ।

 

—ଗୋଟିଏ କଥା ପଚାରିବି, ଉତ୍ତର ଦେବ ? ବଡ଼ ଆବେଗପୂର୍ଣ୍ଣ କଣ୍ଠରେ କହିଲେ ପ୍ରତୀତି ।

 

—ସବୁ ପ୍ରଶ୍ନର ଉତ୍ତର ପାଇଚ ପ୍ରତୀ; ଏ ପ୍ରଶ୍ନର ଉତ୍ତର ବି ପାଇବ । କହି ଯାଅ..... । ସହଜ ହୋଇ କହିଲେ ଶୁଭଦତ୍ତ ।

 

—ତୁମେ ସୁଖୀ ହୋଇଚ ?

 

ଏହି ପ୍ରଶ୍ନ ଶୁଣି ଅବାକ୍‌ ହୋଇଗଲେ ଶୁଭଦତ୍ତ । ସେ କହିଲେ, ଏଇ ପ୍ରଶ୍ନର ଉତ୍ତର ଆଜି କାହିଁକି ପଚାରୁଛ ପ୍ରତୀ ? ଅନେକ ବିଳମ୍ବ ହୋଇଯାଇନାହିଁ ?

 

—ବିଳମ୍ବ ହେଲେ ବି ଶୁଣିବାକୁ ଇଚ୍ଛା ହଉଚି ।

 

—ଅସୁଖୀ ପରି ଦେଖୁଛ ମୋତେ !

 

—ନା, ତଥାପି ଜାଣିବାରେ କ୍ଷତି କଅଣ ?

 

–ମୁଁ ସୁଖୀ, ଖୁବ୍‌ ସୁଖୀ ।

 

ଉତ୍ତର ଶୁଣି ଚୁପ୍‌ ହୋଇଗଲେ ପ୍ରତୀତି । ତା’ପରେ ଟିକେ ରହିଯାଇ କହିଲେ—କାମ ଏବଂ ସମୟକୁ ଜଗି ଚଳିବା କଅଣ ସୁଖୀ ମଣିଷର ଏକମାତ୍ର ଅବଲମ୍ବନ ?

 

—ଏକମାତ୍ର ନୁହେଁ, ଗୋଟେ ପ୍ରଧାନ ଗୁଣ । ସମୟକୁ ନ ଜଗିଲେ ସମୟ ଅପେକ୍ଷା କରିବ ନାହିଁ । କାମକୁ ଠିକ୍‌ ସମୟରେ ନ କଲେ କାମର ମହତ୍ତ୍ୱ ରହେନାହିଁ ।

 

—ସମୟ ଓ କାମର ମହତ୍ତ୍ୱ ବିଷୟରେ ଏତେ କଥା କହିପାରୁଛ; କିନ୍ତୁ ଏହାର ବାହାରେ ସୁଖର ଆଉ କିଛି ଆଧାର ଥାଇପାରେ, ସେ ବିଷୟରେ ମୁଣ୍ଡ ଖେଳେଇଛ କେବେ ?

 

ଶୁଭଦତ୍ତ ସହସା ଏହାର ଉତ୍ତର ଦେଇପାରିଲେ ନାହିଁ । ପ୍ରତୀତିଙ୍କୁ କଳନା କରିବାକୁ ଚେଷ୍ଟାକଲେ । ଆଲୁଅ ନଥିଲେ ବି ସେ ଯେ ଅତି ନିକଟରେ ଥିଲେ, ଏୟା ଅନୁଭବ କଲେ ଶୁଭଦତ୍ତ । ହାତ ବଢ଼େଇଲେ ପ୍ରତୀତିଙ୍କର ହାତଟିକୁ ନିଜ ହାତ ଉପରକୁ ଟାଣି ଆଣିବାପାଇଁ । ସେ ଟିକେ ଘୁଞ୍ଚିଗଲେ ବୋଧହୁଏ । ହାତ ଘୁଞ୍ଚାଇଆଣି କହିଲେ ଶୁଭଦତ୍ତ—ତୁମେ ଅଭିମାନ କରୁଛ ପ୍ରତୀ ?

 

ପ୍ରତୀତି କିଛି କହିଲେ ନାହିଁ ।

 

ଆଉଥରେ ସେଇ ପ୍ରଶ୍ନ ପଚାରିଲେ ଶୁଭଦତ୍ତ । କୌଣସି ଉତ୍ତର ନପାଇ କହିଲେ ସେ–ଅଭିମାନ ଅନୁରାଗର ସଙ୍କେତ । କିନ୍ତୁ ଛାଡ଼ ସେ କଥା, ଏବେ ତୁମ ପ୍ରଶ୍ନର ଉତ୍ତରଟା ଟିକେ ଶୁଣିନିଅ । ସମୟ ହିଁ ସୁଯୋଗ । ସେଇ ସୁଯୋଗର ସଫଳ ରୂପାୟନ ହିଁ ସଫଳ ମଣିଷର ନିୟାମକ । କାମ ନକରି ନିଷ୍କର୍ମା ହୋଇ ବସି ରହିବାକୁ କହୁଛ ?

 

ରାଗିଯାଇ ଉତ୍ତପ୍ତ କଣ୍ଠରେ କହିଲେ ପ୍ରତୀତି—କାମ, କାମ, ଖାଲି କାମ ! କାମର ବାହାରେ ଆଉ ଗୋଟିଏ ଜଗତ ଅଛି, ତାର ଖବର ତୁମେ ଜାଣନାହିଁ । ସେଠାରେ ଜୀବନର ପରମ ମଧୁଲଗ୍ନ ଅପେକ୍ଷା କରେ, ତାହା ହିଁ ସଫଳ ମଣିଷର ଶକ୍ତିର ଉତ୍ସ ।

 

—ତୁମେ ସେଇ ଶକ୍ତି ମୋତେ ଦେଇଛ ପ୍ରତୀତି ! ଉଦାରକଣ୍ଠରେ କହିଲେ ଶୁଭଦତ୍ତ ।

 

କିନ୍ତୁ କୋହକୁ ଚାପି ରଖି ନପାରି କ୍ରନ୍ଦନରେ ଭାଙ୍ଗିପଡ଼ୁଥିବା ସ୍ୱରରେ କହିଲେ ପ୍ରତୀତି–ମୋତେ ଟିକେ ଭଲପାଇପାରିବ ନାହିଁ ଶୁଭ... ?

 

ଶୁଭଦତ୍ତ ସ୍ତବ୍‌ଧ ହୋଇ ଅନାଇରହିଲେ । କୌଣସି ଭାଷା ସ୍ଫୁରିଲା ନାହିଁ ତାଙ୍କ କଣ୍ଠରୁ । ତା’ପରେ ଉଠିପଡ଼ି ପ୍ରତୀତିଙ୍କୁ ନିଜ କୋଳରେ ଆଉଜାଇ ନେଇ କହିଲେ—କାମର ଭିଡ଼ରେ ସେହି କଥାଟା ଭୁଲିଯାଇଥିଲି ପ୍ରତୀ ! ତୁମେ ସ୍ମରଣ କରାଇଦେଇଛ... ଆଉ ପୁନରୁକ୍ତି କରିବାକୁ ପଡ଼ିବ ନାହିଁ ।

 

ତାଙ୍କ ଛାତି ଉପରେ ମୁହଁ ଥାପି ବାରମ୍ବାର କହୁଥିଲେ ପ୍ରତୀତି—ମୁଁ ଆଉ କିଛି ଚାହେଁ ନାହିଁ, ମୋତେ ଟିକିଏ ଭଲପାଅ.... ମୋ ପାଇଁ ଟିକେ ସମୟ ଦିଅ.... ମୋତେ ବି ସୁଯୋଗ ଦିଅ....-

 

ସେହି ମଧୁଲଗ୍ନରେ ଭଲପାଇବାର ବାର୍ତ୍ତା ବହନ କରି ଆକାଶର ପୂର୍ବ ଦିଗରେ ଉଦୟ ହେଲା ଗୋଟିଏ ନୂତନ ନକ୍ଷତ୍ର ।

☆☆☆

 

ହଜିଲା ଦିଗନ୍ତ

 

ବଣଭୋଜି ପାଇଁ ଯେଉଁ ତାଲିକାଟା ତିଆରି ହେଲା, ସେଥିରେ ତାର ନାମ ରହିଲା ନାହିଁ । ସେ ନିଜର କୋଠରିରେ ବସି ବସି ସବୁ ଶୁଣିଲା; କିନ୍ତୁ କିଛି କହିଲା ନାହିଁ, ନ ଶୁଣିଲାପରି ରହିଗଲା । ତା’ ନାମଟା ତାଲିକାରେ ରହିବ ନାହିଁ ବୋଲି ସେ ଭାବି ନଥିଲା । ମୁହଁଖୋଲି ନ କହିଲେ ବି ମାଆ ଯେ ତାକୁ ଏକା ଛାଡ଼ି ଚାଲିଯିବେ ନାହିଁ, ଏହା ସେ ଅନୁମାନ କରିଥିଲା । କିନ୍ତୁ କାଲି ରାତିରେ ସେ ଶୋଇଥିବାବେଳେ ଡ୍ରଇଂରୁମରେ ବାପା ତାଙ୍କ ସାଙ୍ଗମାନଙ୍କ ସହିତ ଯେତେବେଳେ ବଣଭୋଜି ବିଷୟରେ ଆଲୋଚନା କରୁଥିଲେ, ସେତେବେଳେ ସେ କାନଡ଼େରି ସବୁ ଶୁଣୁଥିଲା । ପ୍ରତ୍ୟେକ ପରିବାରରୁ କେତେ ଜଣ ଯିବେ, ସେମାନଙ୍କର ସଂଖ୍ୟା ହିସାବକୁ ନବାବେଳେ ତା’ ନାମଟା ଯେ ବାପା-ମାଆଙ୍କ ସହିତ ଯୋଡ଼ି ହୋଇରହିବ, ଏଥିରେ ତାର ତିଳେ ମାତ୍ର ସଂଶୟ ନଥିଲା । ତାଙ୍କ ଘରର ସଭ୍ୟସଂଖ୍ୟା କହିବାବେଳେ ବାପା ତାକୁ ବାଦ୍‌ ଦେଇ କେବଳ ତାଙ୍କର ଏବଂ ମାଆଙ୍କର ନାମ ଦବାର ଶୁଣି ସେ ବିସ୍ମିତ ହେଲା । ବାପା-ମାଆ ଯେ ତାକୁ ଏକାକୀ ଘରେ ଛାଡ଼ି ବଣଭୋଜିକୁ ଯାଇପାରିବେ, ଏହା ସେ କଳ୍ପନା କରି ପାରୁନଥିଲା । କାହିଁକି ଯେ ସେମାନେ ତାକୁ ସେଥିରୁ ବାଦ୍‌ ଦେଲେ, ତାହା ସେ ଆଦୌ ବୁଝିପାରିଲା ନାହିଁ ।

 

ମିନୁର ମନଟା ହଠାତ୍‌ ବିଷଣ୍ଣ ହୋଇଗଲା । ସେ ଝରକାର ଫାଙ୍କ ଦେଇ ଭିତରକୁ ଚାହିଁଲା । ଖରା ଚିକ୍‌ଚିକ୍‌ କରୁଥିଲା ରାସ୍ତା ସେ ପାଖର ପାର୍କ ଭିତରେ । ଦୂରରୁ ହେଲେ ବି ତାହାରି କୋଠରି ଆଡ଼କୁ ମୁହଁକରି ମୁରୁକି ହସୁଥିବା ଡାଲିଆ ଏବଂ ନାନାଜାତିର ଫୁଲମାନଙ୍କୁ ସେ ଦେଖିଲା-। ସଙ୍ଗେ ସଙ୍ଗେ ଖରାର ଚକଚକିଆ ରୂପଟା ଆଗରୁ ମଳିନ ଦିଶୁଥିଲେ ବି ହଠାତ୍‌ ତା’ ଆଖିକୁ ସୁନ୍ଦର ଏବଂ କୋମଳ ଦିଶିଲା ।

 

ଏଇ ପାର୍କରେ ବସିବାପାଇଁ ତାକୁ ଖୁବ୍‌ ଭଲଲାଗେ । ସେ ଖେଳି ସିନା, ପାରେ ନାହିଁ, ଖେଳ ଦେଖିବାକୁ ଭଲପାଏ । ଖେଳୁଥିବା ଶିଶୁମାନଙ୍କର ହସ, ଉତ୍ସାହ ଏବଂ ଚଳପତା ତାକୁ ମୁଗ୍‌ଧ କରେ । ପାରାମ୍ବୁଲେଟର ଭିତରୁ ଓହ୍ଲେଇପଡ଼ି ସେମାନଙ୍କ ସହିତ ସାଙ୍ଗହୋଇ ଦୌଡ଼ାଦୌଡ଼ି କରିବାପାଇଁ ମନଟା ଛଟପଟ ହୁଏ । ଉଠି ପଡ଼ିବାକୁ ଯାଇ ନିଜର ଅକ୍ଷମତାଦ୍ୱାରା ଆହତ ହୁଏ ଗଭୀର ଭାବରେ । ମନଟା ପୁଣି ବିଷଣ୍ଣତାରେ ଭରିଉଠେ ।

 

ଅନେକଦିନ ତଳେ ତାକୁ ଦିନେ ଖୁବ୍‌ ଜ୍ୱର ହେଲା ଯେ ଚାରିପାଞ୍ଚ ଦିନ ଧରି ଦେହରୁ ତାତି କମିଲାନାହିଁ, କପାଳଟା ଫାଟିଗଲାପରି ଲାଗିଲା । ସେ ନିସ୍ତେଜ ହୋଇ ପଡ଼ିରହିଥିଲା କେତେଦିନ । ସବୁକଥା ଏଯାଏ ତାର ମନେ ନଥିଲେ ବି ଏତକ ବେଶ୍‌ ସ୍ପଷ୍ଟ ମନେଅଛି ଯେ ଜ୍ୱର ଟିକେ ଉପଶମ ହବାପରେ ଗୋଡ଼ ଦୁଇଟିରେ ଆଉ ପୂର୍ବପରି ଚାଲିବାପାଇଁ ସକ୍ଷମ ହେଲାନାହିଁ; ବିଛଣାରୁ ଉଠିବାକୁ ଯାଇ ସେ ତଳେ ପଡ଼ିଯାଇଥିଲା । ମିନୁ ସେତେବେଳେ ଏହାର କାରଣ ଆଦୌ ବୁଝିପାରିନଥିଲା; କିନ୍ତୁ ଡାକ୍ତର ଠିକ୍‌ ବୁଝିଥିଲେ । ଅନେକ ଚିକିତ୍ସା କରି ମଧ୍ୟ ଆଉ ସେ ଚାଲିପାରିଲା ନାହିଁ, ପାଦରେ ଶକ୍ତି ବା ଗତି ରହିଲାନାହିଁ । ସେ ବସି ବସି ନିଜକୁ ଦେଖିଲା, ଆଉ ହସିଖେଳି ଆଗପରି ନିଜକୁ ଅନୁଭବ କରିପାରିଲା ନାହିଁ । ବାପ-ମା’ ଦୁଃଖରେ ମ୍ରିୟମାଣ ହୋଇପଡ଼ିଲେ ଗୋଟିଏ ମାତ୍ର ସନ୍ତାନର ଦୁର୍ଦ୍ଦଶା ଦେଖି । ସେ ଯେ ପୋଲିଓଦ୍ୱାରା ଆକ୍ରାନ୍ତ ହୋଇ ପଙ୍ଗୁ ହୋଇଗଲା, ଏଇ କଥା ବିଭିନ୍ନ ମୁହଁରୁ କେବଳ ଶୁଣିବାକୁ ଲାଗିଲା । ଯେତେ ଚୁପ୍‌ ଚୁପ୍‌ କହିଲେ ବି ସେହି କଥାଗୁଡ଼ା ତାକୁ ସ୍ପଷ୍ଟ ଶୁଣାଯାଉଥିଲା । ପ୍ରଥମେ ସେ ଏତେ ବେଶି ଭାବିପାରି ନଥିଲା ଏବଂ ଭଲହୋଇଯିବ ବୋଲି ଆଶା ବି ରଖିଥିଲା । ସମୟ ଅତିବାହିତ ହବା ସଙ୍ଗେ ସଙ୍ଗେ ତା’ ମନରୁ ସେହି ଭାବନାଟି ନିର୍ମୂଳ ହୋଇଗଲା ଏବଂ ସେ ନିଶ୍ଚିତ ହୋଇଗଲା ଯେ ସେ ସ୍ୱାଭାବିକ ଭାବରେ ଆଉ ଫୂର୍ତ୍ତିକରି ଖେଳାଖେଳି କରିପାରିବ ନାହିଁ । କୁଣ୍ଡର ଫୁଲଗଛ ପରି ସେ କେବଳ ଘର ବାରନ୍ଦାର ଶୋଭାବର୍ଦ୍ଧନ କରିବ, ଆଲୋକ ଓ ଆନନ୍ଦ ପରି ସେ ଆଉ ସଞ୍ଚରି ଯାଇପାରିବ ନାହିଁ ।

 

ପ୍ରଥମେ ଭାଙ୍ଗି ପଡ଼ିଲା ମିନୁ; କିନ୍ତୁ ଧୀରେ ଧୀରେ ଏଇ ଅବସ୍ଥାଟା ଦେହସୁହା ହୋଇଗଲା । ସେ ନିଶ୍ଚଳ ବୃକ୍ଷଟିଏ ପରି ଗୋଟିଏ ଜାଗାରେ ବସି ରହିଲା । କଙ୍କି ପଛରେ ଗୋଡ଼େଇବାପାଇଁ ବା ପ୍ରଜାପତିଟିଏ ଧରିବାପାଇଁ ଦେହରେ ଆଉ ବଳ ନଥିଲା । ଫୁଟବଲ୍‌ଟାକୁ ପାଦରେ ଗଡ଼େଇ ଦେବାପାଇଁ ଅକ୍ଷମ ହେଉଥିଲା । ବାପା ଜନ୍ମଦିନର ଉପହାର ସ୍ୱରୂପ ଯେଉଁ ସାଇକେଲଟା ଆଣି ଦେଇଥିଲେ, ବ୍ୟବହାର ହୋଇ ନପାରି ସେଇଟା ପଡ଼ିଥିଲା ଗୋଟିଏ କୋଣରେ । ପାର୍କର ଝୁଲା ବା କାଠଘୋଡ଼ା ଉପରେ ବସି ଆଉ ନିଜକୁ ଉପଭୋଗ କରିପାରୁ ନାହିଁ; କିନ୍ତୁ ଏଥିରେ ସେ ଦବିଯାଇ ନଥିଲା । ଅକ୍ଷମତା କାଟି ଯେତିକି ଅଛି ସେତକକୁ ନେଇ ଖୁସି ହବାପାଇଁ ଚେଷ୍ଟା କରୁଥିଲା; କିନ୍ତୁ ବାପା-ମାଆଙ୍କଠାରୁ ଦୂରକୁ ଚାଲିଯାଉଥିବାର ଅଭାବବୋଧଟିକୁ ସେ ଆଉ ମନରୁ ଅନ୍ତର କରିପାରିଲା ନାହିଁ । ମା’ର କୋଳକୁ ଲାଗି ଶୋଇବାର ସୁଯୋଗ କମିଯାଇଛି । ଗୋଟେ ସ୍ୱତନ୍ତ୍ର କୋଠରିରେ ତା’ ପାଇଁ ବ୍ୟବସ୍ଥା ହୋଇଥିଲା ଶୁଆବସା କରିବାପାଇଁ-। ବାପାମାଆଙ୍କ କୋଠରି ଏବଂ ତା’ ନିଜ ମଧ୍ୟରେ କେବଳ ପରଦାଟିଏ ଝୁଲୁଥିଲେ ବି ସେଇ ପରଦା ଏକ ଦୁର୍ଲଂଘ୍ୟ ପର୍ବତ ପରି ସେ ମନେକରୁଥିଲା ।

 

ଦିନଟା ବେଚିତ୍ୟହୀନ ଭାବରେ ସରିଯାଏ ସିନା, ରାତିରେ ସେ ସ୍ଥିର ହୋଇ ରହିପାରେ ନାହିଁ । କଳା କଳା ଛାଇ ପରି କିଏ ସବୁ ତା’ କୋଠରି ଭିତରେ ବୁଲାବୁଲି କରନ୍ତି । ଡରିଯାଇ ଚିର୍‌ଚିରେଇ ଉଠେ ମିନୁ । ମାଆ ସେ ଘରୁ କଡ଼ ଲେଉଟାଇ କହନ୍ତି—କଅଣ ହେଲା, ବାଥ୍‌ରୁମ୍‌କୁ ଯିବୁ ? ସେ ତକିଆ ଉପରେ ମୁହଁ ଗୁଞ୍ଜି କାନ୍ଦେ, ଉତ୍ତର ଦିଏ ନାହିଁ । ମା’ କୋଳର ଉଷୁମ ନପାଇ ଦେହଟା ବରଫ ପରି ଶୀତଳ ହୋଇଯାଏ ।

 

ଅଲଗା କୋଠରି ଭିତରେ ବସି ବସି ସମସ୍ତଙ୍କ ପାଖରୁ ଅଲଗା ହୋଇଗଲା ବୋଲି ମନରେ ବ୍ୟଥା ପାଏ ମିନୁ । ସେ ଅଲଗା, ଅସହାୟ । ତା’ ପାଖକୁ ଖେଳିବାପାଇଁ ଆଉ କେହି ଆସନ୍ତିନାହିଁ । ଯେଉଁମାନେ ଆସନ୍ତି, ସେମାନେ ଆସନ୍ତି କେବଳ ଦୟା ଦେଖାଇ ଆହା କରିବାପାଇଁ । ଭୁଲି ଯାଇଥିବା ଦୁର୍ବଳତା ପୁଣି ମନେପଡ଼େ । ସେ ବେଦନାରେ ଗୁମୁରିଉଠେ ନିଜର ନିଃସହାୟ ଅବସ୍ଥା ଦେଖି । ଠିକ୍‌ ତା କୋଠରିର ବାହାରେ କେତେ ଫୁଲ, କେତେ ଆଲୋକ ଏବଂ କେତେ ହସଖୁସି । ମଣିଷମାନଙ୍କର କୋଳାହଳ, ପିଲାମାନଙ୍କର କଳରୋଳ, ପକ୍ଷୀମାନଙ୍କର ଧ୍ୱନି ଭାସିଆସେ ତା’ ପାଖକୁ । ସେ ସେମାନଙ୍କ ସହିତ ହସଖୁସିରେ ଅଂଶ ଗ୍ରହଣ କରିବାପାଇଁ ଦଉଡ଼ିଯାଇ ପାରେନାହିଁ ।

 

ତଥାପି ବାପା-ମା’ ତାକୁ ଆଦର କରନ୍ତି ବୋଲି ସେ ସବୁ ଭୁଲିଯାଏ । ମା’ ସହିତ ଗେଲ ହେବାପାଇଁ ଅପେକ୍ଷା କରେ; କିନ୍ତୁ ବଣଭୋଜି ତାଲିକାରୁ ତା’ ନାମଟା କଟିଯିବା ପରେ ସେ ଲକ୍ଷ୍ୟକଲା ଯେ ବାପା-ମା’ ତାକୁ ଆଗ ପରି ଆଉ ସୁଖ ପାଉନାହାନ୍ତି । ସେ ଅନ୍ୟ ପିଲାମାନଙ୍କ ପରି ସ୍ୱାଭାବିକ ଅବସ୍ଥାରେ ଥିଲେ ଏହାର ପ୍ରତିବାଦ କରିଥାଆନ୍ତା, ଅଭିମାନକରି ମା’ ସହିତ କଥାଭାଷା କରି ନଥାନ୍ତା, କିନ୍ତୁ ନିଜର ଅକ୍ଷମତା ତାକୁ ସେଥିରୁ ନିବୃତ୍ତ କଲା । ଛାତି ତଳର ଅବୁଝା କୋହଟା ବାରମ୍ବାର ଦୋହଲାଇ ଦେଇଗଲା ତାକୁ; କିନ୍ତୁ ମୁହଁ ଫିଟାଇ ପ୍ରତିବାଦ କଲାନାହିଁ ବା ଗଳାଫଟାଇ କାନ୍ଦିଲାନାହିଁ ମିନୁ ।

 

ବଣଭୋଜିକୁ ସେ ତିନିବର୍ଷ ତଳେ ଯାଇଥିଲା । ତା’ପରେ ଆଉଥରେ ଯିବାର ସୁଯୋଗ ଏଯାଏ ଆସିନଥିଲା । ପୋଲିଓଦ୍ୱାରା ଆକ୍ରାନ୍ତ ହେବାପରେ ବାପା-ମା’ ମଧ୍ୟ ଆଉ ଯାଇନଥିଲେ । ସେମାନଙ୍କର ତାକୁ ଛାଡ଼ି ଏଇ ପ୍ରଥମ ଯାତ୍ରା । ସେଥିପାଇଁ ମିନୁର ମନଟା ଚଞ୍ଚଳ ହୋଇଉଠିଥିଲା । ସେ ମା’କୁ ପାଖରେ ପାଇ ବଣଭୋଜି ପ୍ରସଙ୍ଗଟା ଉଠେଇଲା; କିନ୍ତୁ ସେ ଶୁଣି ନ ଶୁଣିଲା ପରି ରହିଗଲେ । ଭରସି କରି ଦ୍ୱିତୀୟ ଥର ସେଇ ଏକା କଥାଟା କହିପାରିଲାନାହିଁ ମିନୁ ।

 

ନିଜର ଅକ୍ଷମତା ସତ୍ତ୍ୱେ ସେ ଯେ ବାପା-ମା’ଙ୍କର ସବୁ ସ୍ନେହ-ମମତାର ଅଧିକାରୀ, ଏହି କଥାଟା ତାକୁ ଅନେକ ସାନ୍ତ୍ୱନା ଦେଉଥିଲା; କିନ୍ତୁ ସେମାନଙ୍କୁ କ୍ରମଶଃ ଦୂରେଇଯିବାର ଅନୁଭବ କରି ଦେହର ରୋଗ ପରି ସେହି ଅଭାବବୋଧଟିକୁ ମଧ୍ୟ ଦେହସୁହା କରିନେଲା । ସେ ନିଶ୍ଚଳ ପଥରଟି ପରି ପଡ଼ିରହେ ବୋଲି ବାପା ମା’ ତାକୁ ଜଗି ବସିରହନ୍ତେ ନାହିଁ ନିଶ୍ଚୟ । ସେମାନଙ୍କର ସମୟ ଏବଂ ସୁଯୋଗ ଅଛି । ମା’ ବେଳେବେଳେ ଆସି ତା’ କଥା ବୁଝିଯାଆନ୍ତି, ଖାଇବା ପିନ୍ଧିବାରେ ଯତ୍ନ କରନ୍ତି, ମଥା କୁଣ୍ଡାଇ ପାଉଡ଼ର ମଖାଇ ଲୁଗା ବଦଳାଇ ପାରାମ୍ୱୁଲେଟରରେ ବସେଇ ପଠେଇଦିଅନ୍ତି ପାର୍କକୁ ବୁଲି ଆସିବା ପାଇଁ । ବାପାଙ୍କୁ ସମୟ ହୁଏନି ଏସବୁ କରିବାପାଇଁ । ସକାଳୁ ଯାଆନ୍ତି ଯେ ଫେରିଲାବେଳକୁ ସନ୍ଧ୍ୟା ହୁଏ । ସବୁ କାମ ଶେଷକରି ଆମ ପାଖରେ ତାକୁ ଛାଡ଼ି ଦେଇ ମା’ ଯାଆନ୍ତି ସ୍କୁଲରେ ପଢ଼େଇବାପାଇଁ । ଫେରନ୍ତି ଚାରିଟାବେଳକୁ । ମା’-ବାପା ନଥିବା ଘରଟାରେ ସେ ଏକା ଶୋଇରହେ ଅଦ୍ଭୁତ ଏକ ଯନ୍ତ୍ରଣାରେ ।

 

ମା’ ଆଗରୁ ଚାକିରି କରୁନଥିଲେ । ସେଥିପାଇଁ ତାଙ୍କୁ ପୂରା ସମୟ ପାଉଥିଲା ମିନୁ । ତାଙ୍କର ଚାକିରି ଦିନଟା ତା’ ପାଖରେ ଅଭୁଲା ହୋଇ ରହିଯାଇଛି । ବାପା ଭଲ ଚାକିରିଟିଏ କରନ୍ତି; ଅନେକ ଟଙ୍କା ରୋଜଗାର କରନ୍ତି । ତଥାପି ଆହୁରି ଟଙ୍କା ନହେଲେ ଗାଡ଼ିଟିଏ ହେବନାହିଁ ବୋଲି ମା’ବି ଚାକିରି କଲେ । ନୂଆ ଗାଡ଼ିଟା ଆଣିବାପାଇଁ ସେମାନେ ସବୁ କରିବାକୁ ପ୍ରସ୍ତୁତ । ମିନୁକୁ କିନ୍ତୁ ଏସବୁ ସୁଖ ଲାଗୁନଥିଲା । ନୂଆ ଗାଡ଼ିରେ ବସିବାର ସ୍ୱପ୍ନ ଯଦିବା ତାକୁ କରୁଥିଲା, ଆୟା ପାଖରେ ରହିବାର ଦୁଃଖ ତାକୁ ଆହୁରି ମ୍ରିୟମାଣ କରିଦେଲା । ମୋଟର ସାଇକଲଟି ବୋଧହୁଏ ଭଲ ଥିଲା-। ବାପା ଓ ମା’ଙ୍କ ମଝିରେ ବାପାଙ୍କ ଅଣ୍ଟାକୁ ଜାବୁଡ଼ି ଧରି ସେ ବସୁଥିଲା ନିର୍ଭୟରେ । ତାକୁ ବେଢ଼ି ରହୁଥିଲା ମାଆଙ୍କ ହାତ । ସଡ଼କ ଉପରେ ଚାଲିଯିବାବେଳେ ସେ ଫାଟିପଡ଼ୁଥିଲା ଆନନ୍ଦରେ-। ଗାଡ଼ି ଆସିଲେ ଏସବୁ ଆଉ ହବନାହିଁ । ମା’ ବାପା ଆଗରେ ବସି ତାକୁ ହୁଏତ ଆୟାସାଙ୍ଗରେ ପଛ ସିଟ୍‌ରେ ବସେଇଦେବେ । ସେ ଆଉ ବାପାଙ୍କୁ ଜାବୁଡ଼ି ଧରିବାର ଶିହରଣ ବା ତା’ ଚାରିପାଖରେ ମା’ ହାତରେ ଅଭୟ ବନ୍ଧନ ଆଉ ଅନୁଭବ କରିବନାହିଁ । ଗାଡ଼ି ଭିତରେ ବସି ଆକାଶର ଶୋଭା, ରାସ୍ତାକଡ଼ର ସବୁ ମୁହଁର ଅନୁଭବ ଆଉ ଜାଣିପାରିବ ନାହିଁ । କାର୍‌ଟା ଯେପରି ଗୋଟିଏ ରୁଦ୍ଧ ପ୍ରକୋଷ୍ଠ ! ତାହା ଯେପରି ତାର ସ୍ୱତନ୍ତ୍ର କୋଠରି ପରି ନିରୁତ୍ତାପ ଏବଂ ଅଲଗା-

 

ମା’ ଚାକିରି କରିନଥିଲେ ଚଳିଥାଆନ୍ତା । ଗାଡ଼ିଟା ପାଇଁ ଚାକିରି କଲେ; କିନ୍ତୁ ତା’ ପାଖରେ ରହିବାର ଆବଶ୍ୟକତାଟି କେହି ଅନୁଭବ କଲେ ନାହିଁ । ସେହି ତାରିଖ ପାଖରୁ ଆୟା ତା’ ପାଖରେ ରହେ; ତାର ସୁଖଦୁଃଖର ସାଥୀ ହୁଏ । ତା’ ମୁହଁରୁ ଅଜଣା ଦେଶର ଅଜବ କାହାଣୀ ଶୁଣି କେତେବେଳେ ବିସ୍ମୟରେ ତ କେତେବେଳେ ଆନନ୍ଦରେ ବିହ୍ୱଳ ହୋଇଯାଏ । ମା’ ପରି ଆୟା କିନ୍ତୁ ଗୁଣୁଗୁଣୁ ହୋଇ ଗୀତ ବୋଲିପାରେନାହିଁ । ତା’ ହାତର ପରଶ ମା’ ହାତର ପରଶ ପରି ଏତେ କୋମଳ ନୁହେଁ । ତଥାପି ତାହାରି ମୁହଁକୁ ସଙ୍ଗ ପାଇଁ ଅନାଏ ମିନୁ, ତାକୁ ପାଖରେ ପାଇ ନିଃସଙ୍ଗ ଓ ପରିତ୍ୟକ୍ତ ଭାବଟିକୁ ମନରୁ ଅନ୍ତର କରିବାପାଇଁ ସଂଗ୍ରାମ କରେ ।

 

ଏସବୁ ସତ୍ତ୍ୱେ ସେ ଦିନ ଓ ରାତି, ଖରା ଓ ବର୍ଷାକୁ ଭଲପାଏ । ଫୁଲମାନଙ୍କ ଗହଣରେ ଖେଳିବାପାଇଁ ଅସ୍ଥିର ହୁଏ ।

 

ତା’ ନାମଟା ବଣଭୋଜିର ତାଲିକାରୁ ବାଦ୍‌ଯିବା ପରେ ଏକ ଗଭୀର ଅବସାଦ ତାକୁ ଗ୍ରାସ କରିବାକୁ ଲାଗିଲା । ଆଖି ଦୁଇଟି ବାଷ୍ପାକୁଳ ହେଲା ଅନେକ ବେଶି । ରୋଗରେ ଯନ୍ତ୍ରଣା ଓ ନିଜ ଅକ୍ଷମତାର କଥାଟି ସ୍ମରଣ କରି ସେ ବଡ଼ କଷ୍ଟ ଅନୁଭବ କଲା; କିନ୍ତୁ ଏସବୁ ସତ୍ତ୍ୱେ ତା’ର ସହ୍ୟଶକ୍ତି ଅନେକ ବଢ଼ି ଯାଇଥିଲା ପରି ମନେକଲା ମିନୁ ।

 

ସେ ବସି ବସି ବର୍ଣ୍ଣବୋଧର ସେହି ପଦ୍ୟଟିକୁ ଆବୃତ୍ତି କରେ । ‘ଆକାଶ ଦିଶେ କି ସୁନ୍ଦର, ତାହାକୁ ରଚିଲେ ଈଶ୍ୱର ।’ ଆବୃତ୍ତି କରିସାରିବା ପରେ ହାତଯୋଡ଼ି ତାଙ୍କୁ ପ୍ରଣାମ କରେ । ଶ୍ରଦ୍ଧାରେ ତାର ଅନ୍ତରଟି ପରିପୂର୍ଣ୍ଣ ହୋଇଯାଏ ।

 

କେତେବେଳୁ ପୁସି ବିଲେଇଟି ଆସି ତା’ କୋଳରେ ଘଷି ହୋଇ ଗୁମୁରୁଥିଲା, ସେ ଜାଣିପାରି ନଥିଲା । ତା’ ଦେହରୁ ଉଷୁମ ଟାଣି ଗେହ୍ଲେଇ ହବା ପାଇଁ ତା’ ଛାତି ଉପରେ ଲାଞ୍ଜଟାକୁ ଚାଳିଦେଲାବେଳେ ତୃପ୍ତିରେ ତା’ ଉପରେ ହାତ ବୁଲେଇଆଣିଲା ମିନୁ । ତାକୁ କୋଳଉପରେ ଜାକି ରଖି ତା’ ନାକଟିକୁ ଚିମୁଟିଦେଲା । ପୁସି ଆନନ୍ଦରେ ଗୁରଗୁରେଇ ଉଠିଲା ।

 

ମିନୁ ବି ଇମିତି ମାଆ କୋଳରେ ପିଲାଦିନେ ଗେଲ ହବାପାଇଁ ଗୁରଗୁରେଇ ଉଠୁଥିଲା-। ସେଦିନ ଗୁଡ଼ାକ ସକାଳର ତାଜା ପରଶ ପରି ସ୍ମରଣୀୟ ଏବଂ ମନୋରମ । ସେତେବେଳେ ସେ ଅନ୍ୟ ଦଶଜଣ ପିଲାଙ୍କ ପରି ନିରୋଗ ଥିଲା ଏବଂ ଖେଳାବୁଲା କରିପାରୁଥିଲା-। ଘରଭର୍ତ୍ତି ଆନନ୍ଦରେ ସେ ଥିଲା ପ୍ରଧାନ ଅଂଶୀଦାର ।

 

ଆଉ ସେପରି ହୁଏନାହିଁ । ସେ ପରିବାରର ହସ ଏବଂ ଉଲ୍ଲାସର ମଧ୍ୟବିନ୍ଦୁ ନହୋଇ ପାର୍ଶ୍ୱବର୍ତ୍ତୀ ଦର୍ଶକ ହୋଇଯାଇଛି । ସେଥିପାଇଁ ବନ୍ଧୁମାନଙ୍କ ଘରକୁ ନିମନ୍ତ୍ରଣ ଖାଇବାକୁ ଗଲେ କିମ୍ବା ସିନେମା ଦେଖିବାକୁ ଗଲେ ତାକୁ ସାଙ୍ଗରେ ନ ନେଇ ତା’ ହାତରେ କେତୋଟି ଦଶପଇସି ଗୁଞ୍ଜିଦେଇ ମା’ କହନ୍ତି, ବେଲୁନ ବା ଟଫି କିଣିବୁ, ମନଇଚ୍ଛା ଯାହା କରିବୁ । ମିନୁ ସବୁ ବୁଝେ । ମା’ ଦେଇଥିବା ପଇସାଗୁଡ଼ାକୁ ଅନାଏ, ମା’ର ମୁହଁକୁ ଚାହିଁବାପାଇଁ ସାହସ ହୁଏ ନାହିଁ । କୋଡ଼ିଏ-ପଚିଶି ମିଶି ମିଶି ଅନେକ ପଇସା ଜମା ହୋଇଥିଲା ତା’ ପାଖରେ । ଗୋଟେ ଛୋଟ ଟିଣ ବାକ୍‌ସରେ ସେ ସାଇତି ରଖୁଥିଲା ସବୁ । ବେଶି ହେଲେ ପାର୍କରେ ଥିବା କାଠଘୋଡ଼ା ପରି ଗୋଟେ ଘୋଡ଼ା କିଣିବାପାଇଁ ବଡ଼ ଆଶା ଥିଲା ମନରେ । ପଇସାଗୁଡ଼ାକୁ ଏପାଖ ସେପାଖ କରି ସେ ମାଆକୁ କହେ ବୁଲି ଆସିବାପାଇଁ ।

 

ପାଖରେ କେହି ନଥିଲେ ମିନୁ ପାଦ ଦୁଇଟିକୁ ସଳଖ କରିବାକୁ ଚେଷ୍ଟା କରେ । ପାଦକୁ ସିଧାକରିବାପାଇଁ ହାତର ସାହାଯ୍ୟ ନିଏ । ଯନ୍ତ୍ରଣା ସତ୍ତ୍ୱେ ସେ ବ୍ୟାୟାମ କରିବାକୁ ଚେଷ୍ଟାକରେ । ଡାକ୍ତର ତାକୁ ଭରସା ଦେଇଥିଲେ ଭଲ ହୋଇଯିବ ବୋଲି । ସେଇ କଥା ସ୍ମରଣ କରି ସେ ଦେହକୁ ଆହୁରି ଚଞ୍ଚଳ କରିବାପାଇଁ ହାତ ପାଦ ଛାଟେ ।

 

ଡାକ୍ତର ବାବୁଙ୍କ କଥା ଯଦି ସତ ହୁଏ, ସେ ଚାଲି ଚାଲି ରାସ୍ତାଟା ପାରିହୋଇ ପାର୍କ ଭିତରକୁ ଚାଲିଯିବ । ଆୟାକୁ ଗୋଟେ ସ୍ଥାନରେ ବସେଇଦେଇ ଫୁଲବୁଦା ଭିତରେ ଲୁଚିଯାଇ ଧୀରେ ଧୀରେ ପଛରୁ ଆସି ତା’ ଆଖି ମୁଦି ଦେଇ ଚମକାଇଦେବ ।

 

ଯାହା ଆଶା କରୁଥିଲା, ସେହିପରି ହେଲା । ପିକ୍‌ନିକ୍‌ ପାର୍ଟିରେ ବାହାରିଯିବା ଆଗରୁ ମା’ ଆସି ତାକୁ ଦେଖିଗଲେ, ତା’ ଗାଲ ଉପରେ ଗେଲର ଟିପ ଦେଇଗଲେ ଏବଂ ତା’ ହାତରେ ଗୋଟିଏ ଟଙ୍କା ଗୁଞ୍ଜିଦେଇ କହିଲେ, ଆଜି ସବୁଠୁ ବେଶି ଦେଇଛି ମିନୁ ! ଆୟା ରହିଲା ତୋ ପାଖରେ । ଫେରିବାବେଳେ ତୋ ପାଇଁ ଗୁଛେ ବେଲୁନ ନେଇ ଆସିବି ।

 

ମିନୁ ଟଙ୍କାଟିକୁ ହାତମୁଠା ଭିତରେ ଏପାଖ ସେପାଖ କଲା । ମାଆକୁ କଅଣ କହିବ ବୋଲି ଚେଷ୍ଟାକଲା; କିନ୍ତୁ କିଛି କହିପାରିଲା ନାହିଁ, ତଣ୍ଟି ଶୁଖିଗଲା । ମା’ ଚାଲିଯିବା ପରେ ବହୁଦିନର ସଞ୍ଚିତ ବେଦନା-ବନ୍ଧ ଭାଙ୍ଗି ଉଛୁଳି ପଡ଼ିଲା ଏବଂ ମିନୁ ଆକୁଳ ଆବେଗରେ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା ।

 

ଆପେ ଆପେ ତୁନି ହେଲା ମିନୁ । ଲୁହ ଶୁଖିଗଲା ଆଖିରୁ । ସେ ପୁଣି ଝରକାର ଫାଙ୍କ ଦେଇ ବାହାରକୁ ଚାହିଁଲା ।

 

ତା’ ଆଗରେ ପାର୍କଟା ଅଦୃଶ୍ୟ ହୋଇଯାଇ ସେଇ ସ୍ଥାନରେ ଦେଖାଦେଲା ଗୋଟିଏ ସବୁଜ, ସଘନ ଉପତ୍ୟକା । ସେଇ ଉପତ୍ୟକାକୁ ଯିବା ପଥର ଦୁଇ ପାଖରେ କେତେ ବନସ୍ପତି ! ବନସ୍ପତିମାନଙ୍କରେ ସବୁଜପତ୍ର ଏବଂ ରଙ୍ଗବେରଙ୍ଗର ଫୁଲ ଓ ଫଳ । ଉପତ୍ୟକାର ପାଦଦେଶରେ ଗୋଟିଏ ସୁନ୍ଦର ସ୍ୱଚ୍ଛ ଝରଣା । ଚାରିଆଡ଼େ ପର୍ବତ । ଝରଣାର ଦୁଇ କୂଳରେ ଫୁଲଗଛମାନଙ୍କର ଭିଡ଼ ! ଝରଣାର କୁଳୁକୁଳୁ ଧ୍ୱନି ସହିତ ତାଳ ଦେଇ ଡାକେ ଡାହୁକ, ଉଡ଼େ ହଳଦୀବସନ୍ତ, ପୁଚ୍ଛ ମେଲାଇ ନାଚେ ମୟୂର । ପାଣି ଭିତରେ ପହଁରନ୍ତି ନାଲି, ନେଳି, ହଳଦିଆ, ଧଳା କେତେ ରଙ୍ଗର ମାଛ ।

 

ବାପା, ମା’ ଏବଂ ସେମାନଙ୍କର ବନ୍ଧୁମାନେ ସେହି ଉପତ୍ୟକାରେ ବଣଭୋଜି କରୁଥିବେ ।

 

ହଠାତ୍‌ ତାକୁ ଯେପରି କେହି ହାତଠାରି ଡାକିଲା—ଆ ମିନୁ ! ପିକ୍‌ନିକ୍‌ କରିବା, ଉପତ୍ୟକା ଉପରକୁ ଉଠି ରାଜାରାଣୀ ଖେଳ ଖେଳିବା, ଗଛଉପରକୁ ଚଢ଼ି କୋଳି ତୋଳିବା, ଆଉ ପ୍ରଜାପତିକୁ ଧରିବାପାଇଁ ଧାଇଁବା ଉପତ୍ୟକାର ନରମ ଘାସ ଉପରେ । ଆ, ଆ....

 

ମିନୁ ହଜିଯାଇଥିଲା ସେହି ସବୁଜ ଉପତ୍ୟକାର ପ୍ରସାରିତ ଛାତି ଉପରେ ।

 

ତାକୁ ହଲାଇଦେଇ କହିଲା ସିଧୁ—ତୋ ପାଖରେ ଏତେ ସମୟ ହେଲା ବସିଛି, ତୁ କିଛି ଜାଣିପାରୁନାହୁଁ । ମୋ ଆଡ଼କୁ ଚାହୁଁନାହୁଁ ? ତୋର ହୋଇଛି କଅଣ ମିନୁ, କହ....

 

ମିନୁ ହଜିଯାଇଥିଲା ସବୁଜ ଉପତ୍ୟକାରେ । ନିଜକୁ ହଜାଇ ଦେଇ ସୁଖ ଲାଗୁଥିଲା ତାକୁ ।

 

ସିଧୁ ଆୟାର ପୁଅ । ଗୋଟିଏ ଆଖି ପିଲାଦିନେ ବସନ୍ତରୋଗ ଯୋଗୁଁ ନଷ୍ଟ ହୋଇଯାଇଥିଲା । ସେ ସମୟ ପାଇଲେ ଆସେ ମିନୁ ସହିତ ସାଙ୍ଗ ହବାପାଇଁ । ତା’ ପାଖରେ ବସେ, ଗଳ୍ପ କରେ । ଘୋଡ଼ା ହୋଇ ତା’ ପିଠିରେ ମିନୁକୁ ବସେଇ କୋଠରି ଚାରିପାଖରେ ବୁଲିଆସେ ।

 

ସିଧୁର ମିଠାସ୍ୱର ଶୁଣିପାରି ଖୁସି ହୋଇ ମିନୁ କହିଲା, ଆଜି ବୁଲିଯାଇନୁ ? ପାର୍କରେ କେତେ ପିଲା ଖେଳୁଚନ୍ତି । ସିଧୁ କହିଲା, ମୋ ସାଙ୍ଗରେ କେହି ଖେଳନ୍ତି ନାହିଁ; ସେମାନେ ବଡ଼ଘରର ପିଲା । ମୁଁ ସେମାନଙ୍କ ସାଙ୍ଗରେ ମିଶିପାରେ ନାହିଁ ।

 

ସିଧୁର ଗୋଟିଏ ଆଖି ନଷ୍ଟ ହୋଇଯାଇଥିବାରୁ ମିନୁର ମନରେ କଷ୍ଟ ହୁଏ । ଦୁଇଟି ଆଖିଦ୍ୱାରା ସିନା ସୌନ୍ଦର୍ଯ୍ୟକୁ ପରିପୂର୍ଣ୍ଣ ଭାବରେ ଦେଖିହୁଏ । ଗୋଟିଏ ଆଖିରେ ଅଧା ଅଦେଖା ରହିଯାଏ.... ।

 

ବାପା-ମା’ ରାତି ଦଶଟା ଆଗରୁ ଫେରିବେନାହିଁ । ହୁଏତ ଏହି ସମୟରେ ଉପତ୍ୟକା ପାରିହୋଇ ପର୍ବତ ଉପରକୁ ଚଢ଼ୁଥିବେ । ରାସ୍ତାକଡ଼ର ଗଛମାନଙ୍କରୁ ଫୁଲ ଓ ଫଳ ତୋଳୁଥିବେ । ଝରଣାକୂଳରେ ପଡ଼ିଥିବା ପଥରଟି ଉପରେ ବସି ଝରଣାର ପାଣି ଭିତରକୁ ବଢ଼େଇ ଦେଇଥିବେ ପାଦ । ମାଛ ଗୋଟେ ଧରିବାପାଇଁ ମା’ ହାତ ବଢ଼େଇଥିବେ ପାଣିକୁ ।

 

ସେ ସାଙ୍ଗରେ ଯାଇଥିଲେ ସେମାନଙ୍କର ସୁଖରେ ବାଧାଦେଇ ନଥାନ୍ତା । ବାପା-ମାଆଙ୍କୁ ସେ ଏତେ ଭଲପାଏ ଯେ ସେମାନଙ୍କୁ ବିରକ୍ତ କରିବାପାଇଁ ସେ କେବେ କଳ୍ପନା ବି କରିପାରେ ନାହିଁ । ହଁ, ସେମାନଙ୍କ ସହିତ ପାଦ ମିଳେଇ ଚାଲିପାରନ୍ତା ନାହିଁ । ସେ ସେମାନଙ୍କର ବୋଝ ହୋଇରହନ୍ତା; କିନ୍ତୁ ତାକୁ ଝରଣାକୂଳରେ ବସେଇଦେଇ ସେମାନେ ବେଶ୍‌ ବୁଲିପାରନ୍ତେ । ସେ ଗୋଟିଏ ଜାଗାରେ ବସି ମାଛମାନଙ୍କର ଖେଳ ଦେଖନ୍ତା, ପକ୍ଷୀମାନଙ୍କର ସ୍ୱର ଶୁଣନ୍ତା ଏବଂ ଫୁଲମାନଙ୍କର ଶୋଭାକୁ ଉପଭୋଗ କରନ୍ତା ।

 

ବୋଧହୁଏ ତା’ ମନକଥା ବୁଝିପାରି ସିଧୁ କହିଲା, ଆଜି ତୋ ବାପା ମା’ ପିକ୍‌ନିକ୍‌କୁ ଗଲେ ପରା ! ତୋତେ ନେଲେ ନାହିଁ ? ସିଧୁ କାଳେ ଏଇ ପ୍ରଶ୍ନଟା ପଚାରିଦବ ବୋଲି ମନରେ ଭୟ ହଉଥିଲା ମିନୁର । ସେଇ ପ୍ରଶ୍ନଟା ତା’ ମୁହଁରୁ ଶୁଣି ଖୁବ୍‌ ଛୋଟ ହୋଇଗଲା ସେ । ଉତ୍ତର ଖୋଜି ପାଇଲାନାହିଁ । ଭୁଲିଯାଇଥିବା ନିଃସଙ୍ଗ, ନିଃସହାୟ ଭାବଟି ତାକୁ ଆଉ ଥରେ ଆଚ୍ଛନ୍ନ କରିପକେଇଲା ।

 

ତାକୁ ଖୁସି କରିବାପାଇଁ ସିଧୁ କହିଲା, ମୋ ପିଠି ଉପରେ ବସ ମିନୁ, ତୋତେ ପାର୍କ ଭିତରକୁ ନେଇଯିବି । ସେଇଠି ବସିବା, ଖେଳିବା...... ।

 

ପ୍ରଥମେ ମିନୁ ବିଶ୍ୱାସ କରିପାରିଲା ନାହିଁ । ସିଧୁ ପୁଣି ସେଇ କଥାକୁ ଦୋହରାଇଲା ଏବଂ କହିଲା ଯେ ମିନୁକୁ ବୋହିନବାପାଇଁ ତା ଦିହରେ ଯଥେଷ୍ଟ ବଳ ଅଛି । ବାହାଦୁରି ଦେଖାଇ କହିଲା ଯେ, ସେ କୁଆଡ଼େ ବଡ଼ ବାଲତିରେ ବାଲିତିଏ ପାଣି ଏହା ବୋହି ଆଣିପାରେ, ପନ୍ଦର-କୋଡ଼ିଏ କିଲୋ ଓଜନର ଚାଉଳ ବଜାରରୁ କାନ୍ଧ ଉପରେ ନେଇଆସେ । ମିନୁର ଆଖିରେ ଅବିଶ୍ୱାସର ଦୃଷ୍ଟି ଦେଖି ସେ କହିଲା, କାମ ନ କଲେ ମା’ ସମସ୍ତଙ୍କୁ ଏକା ପୋଷିପାରିବ ? ପ୍ରଥମେ ପ୍ରଥମେ କଷ୍ଟ ହଉଥିଲା, ଏବେ ଆଉ ହଉନାହିଁ ।

 

ମିନୁର ଆଖି ଆଗରେ ପୁଣି ସେଇ ସବୁଜ ଉପତ୍ୟକାର ସୁଷମା ଭାସିଉଠିଲା ଚାରିଦିଗରେ ପାହାଡ଼ । ମଝିରେ ଟିକେ ସମତଳ ଅଞ୍ଚଳ । ପାଖରେ ଝରଣା ସେଇଠାରେ ପିକ୍‌ନିକ ପାର୍ଟିର ପ୍ରଥମ ତମ୍ବୁ ପଡ଼ିଥିବ । ପାହାଡ଼ ଚଢ଼ିବାର ପ୍ରୋଗ୍ରାମ୍‌ ବି ଅଛି । ପାହାଡ଼ ଉପରେ ଆଉ ଗୋଟେ ତମ୍ବୁ । ଯିଏ ଆଗ ଉଠିବ ପାହାଡ଼ ଉପରକୁ ସେ ପାଇବ ପିକ୍‌ନିକ ପାର୍ଟିର ଶ୍ରେଷ୍ଠ ପୁରସ୍କାର ।

 

ସିଧୁ ହାତତାଳି ଦେଇ କହିଲା, ନିଶ୍ଚୟ ପାରିବି ।

 

ମିନୁ କହିଲା, ମୋର ଅନେକ ପଇସା ଅଛି । ମା’ ଯାହା ଦିଅନ୍ତି ଖର୍ଚ୍ଚ ନକରି ସବୁ ସାଇତି ରଖେ । ଆଜି ସବୁ ବାହାର କରିବି । ପାର୍କରେ ବସି ବେଲୁନ ଉଡ଼େଇବା, ଆଇସ୍‍କ୍ରିମ ଖାଇବା....... ।

 

ସିଧୁ ଆହୁରି ଉତ୍ସାହିତ ହୋଇ କହିଲା, ମା’ ଶୋଇପଡ଼ିଛି, ଏଇ ହଉଛି ପ୍ରକୃତ ସମୟ । ଯିବା ?

 

ମିନୁ ଚାରିଆଡ଼ୁ ଆଖି ବୁଲେଇଆଣି କହିଲା, ହୁଁ ।

 

ସିଧୁଟା ପତଳା, ରୋଗା ଦିଶିଲେ କଅଣ ହବ, ଦେହରେ ବଳ ଅଛି । ସେ ଆଣ୍ଠେଇପଡ଼ି କିମିତି ଚାଲିବ ଦେଖାଇଦେଲା । ଖଟ ପାଖରେ ଆଣ୍ଠେଇପଡ଼ି ମିନୁକୁ ପିଠି ଉପରକୁ ନେଇ ଗୋଡ଼ ଓ ହାତ ଉପରେ ଭରାଦେଇ ଚତୁଷ୍ପଦ ପ୍ରାଣୀ ପରି ସେ ଘର ପାରିହୋଇ ପାର୍କ ଆଡ଼କୁ ଚାଲିଲା । ରାସ୍ତା ଉପରେ ଭିଡ଼ ନଥିଲା । ଚାରିଦିଗକୁ ସତର୍କ ଦୃଷ୍ଟି ରଖି ରାସ୍ତାଟା ପାରିହୋଇ ପାର୍କ ଭିତରକୁ ପଶିଗଲା ସିଧୁ । ମିନୁ କୁରଳିଉଠି କହିଲା, ସାବାସ୍‌ରେ ସିଧୁ ! ତୋର ଏଡ଼େ ସାହସ ବୋଲି ମୁଁ ଜାଣିନଥିଲି ।

 

ତାକୁ ଘାସ ଉପରେ ବସେଇ ଝାଡ଼ିଝୁଡ଼ି ହୋଇ କହିଲା ସିଧୁ, ଏଇ ଗୋଟେ ଇମିତି କଅଣ ବଡ଼ କାମ ଯେ....

 

ମିନୁ ତା ଆଣ୍ଠୁରୁ ରକ୍ତ ଝରୁଥିବାର ଦେଖି ଚମକିପଡ଼ି କହିଲା, ଇଏ କଅଣ କଲୁ ତୁ ! ନ ଆସିଥିଲେ ଚଳିଥାଆନ୍ତା । ମୋ ପାଇଁ ତୋର ଏତେ କଷ୍ଟ !

 

ସିଧୁ ବୀର ପରି ଛାତି ଦେଖାଇ ବାହୁ ଫୁଲେଇ କହିଲା, ଇଏ କିଛି ନୁହେଁ । ମୋତେ ଟିକେ ବି କଷ୍ଟ ଲାଗିନି । ମା’ ଯେଉଁଦିନ ଖାଇବାକୁ ଦେଇ ନପାରି ରାଗିଯାଇ ମାରେ, ଏହାଠୁ ବେଶି ରକ୍ତ ବାହାରେ ଦେହରୁ ।

 

ଛଳଛଳ ଆଖିରେ କହିଲା, ମିନୁ, ତୋର ବଡ଼ କଷ୍ଟ ହେଉଥିବ ନା ?

 

ସିଧୁ କହିଲା, ହଁ କଷ୍ଟ ହୁଏ; କିନ୍ତୁ ମୋ ମା’ ମୋତେ ଖୁବ୍‌ ଭଲପାଏ, ସ୍ନେହ କରେ । ମୋତେ ଘରେ ଛାଡ଼ି ଏକୁଟିଆ କୁଆଡ଼େ ବୁଲିଯାଏ ନାହିଁ, ମୁଁ ନ ଖାଇବାଯାଏ କିଛି ଖାଏନାହିଁ । ମାରେ ସିନା, ଗେଲ ବି କରେ ! ଦେହ ଖରାପ ହେଲେ କାମକୁ ନ ଯାଇ ବିଛଣା ପାଖରେ ଜଗିରହେ । ପାଖରେ ଶୁଆଏ..... ।

 

ମା’ କଥା ମିନୁର ମନେପଡ଼ିଲା । ସେ ତାକୁ ମାରନ୍ତିନାହିଁ । ତାକୁ ଆଉ ପାଖରେ ଶୁଆନ୍ତିନାହିଁ କି ବୁଲିଗଲାବେଳେ ତାକୁ ସାଙ୍ଗରେ ନିଅନ୍ତିନାହିଁ । ଆଗେ ତାକୁ ଛାଡ଼ି କୁଆଡ଼େ ଯାଉନଥିଲେ; ବାପାଙ୍କ ସାଙ୍ଗରେ ବି ନୁହେଁ । ଏବେ କିନ୍ତୁ ପରିବର୍ତ୍ତନ ହୋଇଚି । ସିନେମା, ଥିଏଟର ବା ଭୋଜିଭାତକୁ ଯାଆନ୍ତି ତାକୁ ଏକା ଘରେ ରଖି ।

 

ମିନୁର ମନଟା ଆକୁଳ ହେଲା । ସେ ଯଦି ସିଧୁପରି ମା’କୋଳକୁ ଲାଗି ଶୋଇପାରନ୍ତା, ତାକୁ ଯଦି ଜଗି ବସିରହନ୍ତେ ମା’..... ।

 

ସିଧୁକୁ କହିଲା ମିନୁ, ତୋ ମା’ ଖୁବ୍‌ ଭଲରେ ସିଧୁ.... !

 

ସିଧୁ କହିଲା, ‘‘ଆଇସକ୍ରିମ୍‌ ଖାଇବୁ ?’’ ଆଇସକ୍ରିମବାଲା ଆସି ପାଖରେ ଛିଡ଼ାହେବାରୁ ତାକୁ ଦୁଇଟା ଆଇସକ୍ରିମ୍‌ ଦବାକୁ କହିଲା ମିନୁ । ତା’ପରେ ଗଣି ଦୁଇଟଙ୍କା ବଢ଼ାଇଦେଲା ଆଇସକ୍ରିମବାଲା ହାତକୁ । ଆଇସକ୍ରିମ କପ୍‌ ନେଇ କାଠ ଚାମୁଚରେ ଟିକେ ଆଇସକ୍ରିମ ପାଟିରେ ଭର୍ତ୍ତିକରି କହିଲା ମିନୁ, ବେଶ୍‌ ସୁଆଦ ନା !

 

ସିଧୁ ଜଲ୍‌ଦି ଜଲ୍‌ଦି ଖାଇବାକୁ ଲାଗିଲା ।

 

କେଉଁଠାରେ ଥିଲା କେଜାଣି ହଠାତ୍‌ ଗୋଟେ ଅନ୍ନଛତ୍ରିଆ ରୋଗା ବୁଢ଼ା ଆସି ଛିଡ଼ାହେଲା ପାଖରେ ।

 

ସିଧୁ ଚିହିଁକିଯାଇ କହିଲା, ଯା, ଯା,...... ଏଠି କାହିଁକି ? ଏତେ ଜାଗା ପଡ଼ିଛି, ଦିଶୁନାହିଁ-?

 

ସେ ବୁଢ଼ାଟା ଟଳୁଥିଲା । ଅଣ୍ଟାରେ ହାତେ ହବ ଛିଣ୍ଡାଲୁଗା, ଦେହରେ ଗୋଟେ ଛିଣ୍ଡା ଗେଞ୍ଜି । ଖୁବ୍‌ ମଇଳା । ମୁହଁ ଦାଢ଼ିରେ ଭର୍ତ୍ତି । ଜୀବନ୍ତ କଙ୍କାଳ ।

 

ସେ ଖନେଇ ଖନେଇ କହିଲା, ପାଞ୍ଚଦିନ ହେଲା ପେଟରେ କିଛି ପଡ଼ିନାହିଁ । ଘରେ ଝିଅଟା ଶୋଇଚି ଯେ, ଉଠିବାକୁ ବଳ ନାହିଁ । ମଲା କି ଗଲା, କିଏ କହିବ ?

 

ତାର ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ମିନୁକୁ କରୁଣ କରିଦେଲା । ସେ କିଛି କହି ନପାରି କେବଳ ତାକୁ ଚାହିଁରହିଲା । ସେହି ଲୋକଟି ପୁଣି କହିଲା, ମୋ ଝିଅ ମରିଗଲେ ମୋର ବଞ୍ଚିବାର କିଛି ଅର୍ଥ ନାହିଁ । ତା’ ଆଗରୁ ମୁଁ ବରଂ ମରିଯିବା ଭଲ । ତାର ଅବର୍ତ୍ତମାନରେ ମୁଁ ଶୂନ୍ୟ । ତାକୁ ଦେଖି ଶୂନ୍ୟରେ ଥାଇ ମଧ୍ୟ ମୁଁ ନିଜର ସ୍ଥିତି ବୁଝିପାରେ ।

 

ମିନୁ କଅଣ ଭାବୁଥିଲା କେଜାଣି, ବାରମ୍ବାର ତାର ଓଠଟି ଚହଲିଯାଉଥିଲା ।

 

ସିଧୁ ବୟସ୍କବ୍ୟକ୍ତି ପରି କହିଲା, ଆମର ରୋଜଗାର ଅଛି ଯେ, ତୋତେ ଦେବୁ ? ବରଂ ତୁ ଯାଇ ଅନ୍ୟମାନଙ୍କ ଆଗରେ ହାତ ପତା ।

 

ସେହି ଲୋକଟି ବୋଧହୁଏ ଏୟା ପ୍ରତ୍ୟାଶା କରୁଥିଲା । ଆଶାଶୂନ୍ୟ ହତାଶର ଶେଷ ପବନ ଦେହରେ ବାଜିଲା ଆସି । ସେ ଯେପରି ଟଳିଟଳି ଆସିଥିଲା, ସେହିପରି ଟଳିଟଳି ଫେରିଯିବାକୁ ଲାଗିଲା ।

 

ମିନୁର ଦୁଇ ଆଖିରେ ଲୁହ ଦେଖି ତଟସ୍ଥ ହୋଇ କହିଲା ସିଧୁ, ତୁ କାନ୍ଦୁଛୁ ?

 

ମିନୁ କହିଲା, ତୁ ସେଇ ଲୋକଟାକୁ ଡାକିଆଣ ।

 

ଇଚ୍ଛା ନଥିଲେ ବି ସିଧୁ ଗଲା ତାକୁ ଡାକିବା ପାଇଁ । ପାଖକୁ ଆସି ପୁଣି ଶୂନ୍ୟଦୃଷ୍ଟିରେ ଛିଡ଼ାହେଲା ବୁଢ଼ା ।

 

ତା’ ଦେହରେ ଠୁଳ ହୋଇଥିବା ମଇଳା ଦେଖି ଶିହରି ଉଠିଲା ମିନୁ । ସେ ଆଉ ଅପେକ୍ଷା ନକରି ନିଜର ପଇସା ଡିବାଟା ତା’ ଆଡ଼କୁ ବଢ଼ାଇ ଦେଇ କହିଲା, ନେଇ ଯା, ଦରକାରରେ ଆସିବ.... ।

 

ବୁଢ଼ା କଥା କହିପାରିଲା ନାହିଁ ! ଆଖି ପୋଛି ପୋଛି ଅଦୃଶ୍ୟ ହୋଇଗଲା ।

 

ସିଧୁ ଅବାକ୍‌ ହୋଇଯାଇ କହିଲା, ତାହାରି କଥାରେ ଏତେଗୁଡ଼ା ପଇସା ଦେଇଦେଲୁ-?

 

ମିନୁ କିଛି କହିଲାନାହିଁ । ତା’ ପରେ ସିଧୁକୁ କହିଲା, ବେଳ ପଡ଼ିଆସିଲାରେ ସିଧୁ, ଯିବା ନି ?

 

ସିଧୁ ପୁଣି ଆଣ୍ଠୁଆ ଗୋପାଳ ହୋଇ ମିନୁକୁ ପିଠି ଉପରେ ବସେଇ ପାର୍କ ଭିତରୁ ବାହାରିଆସିଲା ।

 

ପଛରେ ପଡ଼ିରହିଥିବା ପାର୍କର ଶୋଭାକୁ ମିନୁ ଆଖି ପୂରେଇ ଦେଖିନେଲା । ପାର୍କ ଭିତରୁ ବାହାରି ଆସୁଥିବାବେଳେ ପୁଣି ତାର ମନେପଡ଼ିଲା ସେଇ ସବୁଜ ଉପତ୍ୟକା, ପ୍ରବାହିତ ଝରଣା ଏବଂ ଚତୁର୍ଦ୍ଦିଗରେ ଘେରି ରହିଥିବା ପର୍ବତର ଦୃଶ୍ୟ । ପିକ୍‌ନିକ୍‌ ପାର୍ଟିରେ ସେ ଯାଇଥିଲେ ଖୁବ୍‌ ମଜା ହୋଇଥାଆନ୍ତା । ସେ ଅଜଣା ପକ୍ଷୀର ଗାନ, ବଣର ଫୁଲମାନଙ୍କର ସୁବାସ ଏବଂ ନିର୍ମଳ ପବନରେ ବନସ୍ପତିମାନଙ୍କର ଶିହରଣ ଦେଖି ଖୁସିରେ ପୁଲକି ଉଠିଥାଆନ୍ତା ।

 

ସେ ପଙ୍ଗୁ ଅଥର୍ବ ବୋଲି କାହାରି ଆଖିରେ ପଡ଼ିଲାନାହିଁ । ଅକର୍ମଣ୍ୟ ନ ହୋଇଥିଲେ ହୁଏତ ମା’ ତାକୁ ନିଶ୍ଚୟ ନେଇଯାଇଥାଆନ୍ତେ ସାଙ୍ଗରେ ।

 

ମୋଟର ଗାଡ଼ିର ହର୍ଣ୍ଣ ଶୁଭିଲା ।

 

ଅନ୍ୟମନସ୍କ ଥିଲା ବୋଲି ବୋଧହୁଏ ଶୁଣିପାରି ନଥିଲା ସିଧୁ । ଶଙ୍କାରେ ଥରିଉଠି ସିଧୁକୁ ସାବଧାନ କରିଦେଇ କହିଲା ମିନୁ, ଗାଡ଼ିଟା ମାଡ଼ିଆସୁଚି ରେ ସିଧୁ, ପାଖ ହୋଇ ଯା.... ।

 

ରାସ୍ତାଟାକୁ ଅତିକ୍ରମ କରି ଯିବାପାଇଁ ପ୍ରାଣପଣେ ଚେଷ୍ଟାକଲା ସିଧୁ । ତା’ ଆଣ୍ଠୁରେ ଗୋଟେ ମୁନିଆ ପଥର ଗେଞ୍ଜି ହୋଇଗଲା । ବିକଳ ହୋଇ କହିଲା ସିଧୁ, ମା ଆ ଗୋ..... ।

 

ତା’ ଆଖି ପ୍ରଚଣ୍ଡ ଶବ୍ଦ ଏବଂ ହର୍ଣ୍ଣ ସହିତ ତାଳ ଦେଇ ଚିତ୍କାର କଲା ମିନୁ–ମା.......ଆ........ଗୋ....... ।

 

ତା’ ଆଖି ଆଗରେ ସବୁଜ ଉପତ୍ୟକାର ଆଲୋକିତ ଦିଗନ୍ତଟି ହଠାତ୍‌ ହଜିଗଲା । ସବୁ ଅନ୍ଧକାର ହୋଇଗଲା ।

☆☆☆

 

ପତାକାବାହକ

 

ଅନାମ ଦାସ ପତାକା ବୋହି ଏବେ ବି ଚାଲେ ଦାଣ୍ଡରେ । ସେହି ଚାଲିବାର ଅନ୍ତ ନାହିଁ-। ଚାଲିବା ପଥଟା ଅସରନ୍ତି ବୋଲି ସେ ଜାଣି ନଥିଲା, ସେଥିପାଇଁ ଯେଉଁଦିନ ତାକୁ ପତାକା ବୋହି ଚାଲିବାପାଇଁ କୁହାଗଲା, ସେହି ଦିନଟିକୁ ସେ ଏକ ପରମ ଶୁଭ ମୁହୂର୍ତ୍ତ ଭାବରେ ଗ୍ରହଣ କରି ଅନୁରାଗର ସହିତ ପତାକା ହାତକୁ ନେଇ ଆଗେ ଆଗେ ଚାଲିବାର ଗୌରବଟିକୁ ଗ୍ରହଣ କରିଥିଲା ।

 

ସେ ସେହିଦିନୁ ଚାଲିଚି । ପଥ ସରୁନାହିଁ । ପଥର ଶେଷ ପ୍ରାନ୍ତ ଏବେ ବି ଆଖିଆଗରେ ଭାସି ଉଠୁନାହିଁ ।

 

ଯେଉଁମାନେ ତା’ ସାଙ୍ଗରେ ଚାଲୁଥିଲେ ସେମାନେ କିଏ କେଉଁ ଆଡ଼କୁ ଚାଲିଗଲେଣି । ଅନେକେ ତାକୁ ପଛରେ ପକେଇ ଆଗକୁ ଚାଲିଯାଇଛନ୍ତି । ସେ ପତାକା ଧରିଚି; ଧାଡ଼ିଭାଙ୍ଗି ଆଗକୁ ବା ପଛକୁ ଯିବାର ଉପାୟ ନାହିଁ । ଧାଡ଼ିକୁ ଠିକ୍‌ ରଖିବାର ଦାୟିକୁ ତାହାରି । ସେ ଯଦି ଧାଡ଼ି ଭାଙ୍ଗି ଚାଲିଯାଏ ଶୃଙ୍ଖଳା ରହିବ ନାହିଁ, ପତାକାର ସମ୍ମାନ କ୍ଷୂଣ୍ଣ ହେବ । ପାଦ ଥକିଗଲାଣି, ଚାଲି ଚାଲି ଠାଏ ଠାଏ ପାଦରେ ଘା’ ହୋଇଗଲାଣି । ମଲମଟିକେ ଘଷିଦବା ପାଇଁ ଟିକିଏ ସମୟ ମିଳୁନାହିଁ । ହାତଯୋଡ଼ିକ କ୍ଳାନ୍ତ । ଘୋଳୁଚି ଏକାପରି ପତାକା ବୋହିବା ଦ୍ୱାରା । ଆଉ କାହା ହାତକୁ ପତାକାଟା ଟିକେ ବଢ଼େଇଦେଲେ ବିଶ୍ରାମ ମିଳନ୍ତା ଟିକେ, ଦେହଟା ସାଷ୍ଟମ ହୁଅନ୍ତା; ମନଟା ସତେଜ ହୁଅନ୍ତା । କିନ୍ତୁ ସେଥିପାଇଁ ସୁଯୋଗ ମିଳୁନାହିଁ । ଚାଲିଚି ତ ଚାଲିଚି । ମୁଣ୍ଡର ଝାଳ ତୁଣ୍ଡକୁ ବୋହିଯାଉଚି । ଝାଳଟା କି ବିଚିକିଟିଆ ଲୁଣିଆ । ଝାଳ ବୋହି ବୋହି ଦେହରେ ମହଳଣ ପଡ଼ିଗଲାଣି । ଦେହର ଗନ୍ଧ ନାକକୁ ବାଜୁଚି । ହାତରେ ବିଣ୍ଡି ବସିଗଲାଣି ।

 

ସମାଜ ଓ ଶ୍ରେଣୀ ଆରମ୍ଭ ହବା ଦିନୁ ଏଇ ଯାତ୍ରା ଆରମ୍ଭ ହୋଇଚି ଯେ ଯୁଗାନ୍ତର ମଧ୍ୟରେ ଆହୁରି କ୍ଷିପ୍ର ହୋଇଚି ସିନା, ଶିଥିଳ ହୋଇନାହିଁ ।

 

ଦଳେ ଲୋକଙ୍କର ସୁରକ୍ଷା ପାଇଁ ଗୋଷ୍ଠୀ ସଙ୍ଗଠିତ ହେଲା । ତା’ପରେ ଆସିଲା ଶ୍ରେଣୀ ଏବଂ ସମାଜ ଏବଂ ଆହୁରି ତା’ପରେ ଶାସନ । ସଭ୍ୟତାର ଅଗ୍ରଗତି ସହିତ ଦଳର ସଂଜ୍ଞା ଅନେକ ଥର ବଦଳିଲା; କିନ୍ତୁ ସର୍ତ୍ତ ବଦଳିଲା ନାହିଁ । ସ୍ୱାର୍ଥର ସଂରକ୍ଷଣ ପାଇଁ ଦଳର ଆବଶ୍ୟକତାଟି ରହିଗଲା । ସୁରକ୍ଷା ଶାସନର ଦାୟିତ୍ୱ ହୋଇଯିବା ପରେ ଏହାର ସଂରକ୍ଷଣ ପାଇଁ ଆଇନ ପ୍ରଣୀତ ହେଲା, ନ୍ୟାୟାଳୟ ପ୍ରତିଷ୍ଠା ହେଲା । ଦଳର ସ୍ୱାର୍ଥକୁ ରକ୍ଷାକରିବା ପାଇଁ ପ୍ରସାରିତ ହେଲା ଲକ୍ଷ ଲକ୍ଷ ଅନୁଗାମୀଙ୍କ ସଂଖ୍ୟା । ଦଳେ ମଣିଷଙ୍କୁ ଗାଈଗୋରୁ ପରି ଅଡ଼େଇଦେଉଥିବା ଲୋକଟି ନେତା ବା ସର୍ଦ୍ଦାର । ସେ ଦଳର ନାୟକ । ସେହି ଦଳକୁ ଚିହ୍ନିବା ପାଇଁ ତିଆରି ହୁଏ ପତାକା ।

 

ନେତାଙ୍କ ଆଗେ ଆଗେ ପତାକା ।

 

ତାଙ୍କ ପଛରେ ବି ପତାକା ।

 

ପତାକାକୁ ସାକ୍ଷୀ ରଖି ସେ ଅଗ୍ରସର ହୁଅନ୍ତି । ପତାକା ତାଙ୍କ ଯଶବାନାକୁ ଉଡ଼ାଏ ।

 

ଜଗନ୍ନାଥଙ୍କ ଶ୍ରୀମନ୍ଦିର ଉପରକୁ ଅନାଇଲା ଅନାମ ଦାସ । ନୀଳଚକ୍ରରୁ ପତାକା ଉଡ଼ୁଛି ଫର୍‌ଫର୍‌ ହୋଇ । ଜଗନ୍ନାଥଙ୍କର ଅସୀମ ପ୍ରତିପତ୍ତି ଏବଂ ଅନନ୍ତ କରୁଣାର ଯଶୋଗୀତି ଗାଇ ଗାଇ ଉଡ଼େ ସେହି ପତାକା ।

 

ସେହି ପତାକାର ରୂପାନ୍ତର ମଣିଷ ହାତରେ ରହିଯାଇଚି । ଦଳର ପତାକା ଧରି ଚାଲିଚି ଅନାମ ଦାସ....

 

ସେ ନେତାଙ୍କୁ ଅନେଇଲା । ନେତା ତାକୁ ଅନେଇଲେ । ଅନାମ ଦାସ ଭାବିଲା, ଏଥର ବୋଧେ ତାଙ୍କରି କରୁଣା ହବ । ସେ ଥକିଯାଇଥିବାର ଦେଖି ସେ ହୁଏତ ବ୍ୟଥିତ ହୋଇ କହିବେ–ମୋ ହାତକୁ ଟିକେ ବଢ଼େଇ ଦେ, ତୁ ଟିକେ ଆରାମ କର । ଏକାପରି ପତାକା ଉଡ଼େଇଚାଲିଚୁ ଯେ ହାତ ବଢ଼େଇଲେ ନାହିଁ । ଇଏ ତାଙ୍କ ପାଖଲୋକ, ଆପଣାର । ସେ ବି ହାତ ବଢ଼ାଇଲା ନାହିଁ-

 

ଏ କାମ ସମସ୍ତଙ୍କର ନୁହେଁ । ପଛରେ ପତାକା ବୋହି ସମସ୍ତେ ଚାଲନ୍ତିନି ।

 

ସେମାନେ ଶୋଭାଯାତ୍ରାରେ ଚାଲିଚନ୍ତି । ଏଇ ଶୋଭାଯାତ୍ରା କେବେ ଓ କେଉଁଠାରୁ ଆରମ୍ଭ ହେଲା ଇତିହାସର ସେହି ତାରିଖଟି ଲେଖାହୋଇନାହିଁ । କେବଳ ମନେ ମନେ କଳନା କରେ ଅନାମ ଦାସ—ତା’ର ହେତୁଥିବା ଦିନୁ ସେ ଦେଖୁଚି ଏଇ ପତାକା, ତା’ର ଶକ୍ତି ହବା ଦିନୁ ସେ ବୋହୁଚି ଏଇ ପତାକା । ଏଇ ପତାକା ସହିତ ସେ ଏକାତ୍ମ ହୋଇଯାଇଚି । ଅଭିନ୍ନ ହୋଇଯାଇଚି ପତାକା ସହିତ ତା’ର ଜୀବନ । ପତାକା ପରି ସେ ବି କାଳବକ୍ଷରେ ଫରଫର ହୋଇ ଉଡ଼େ, ସେ ବିଜୟର ସୂଚନା ଦିଏ, ସେ ବି ଅଗ୍ରସର ହୁଏ..... ଆଗକୁ..... ଆଗକୁ ।

 

ସେହି ଲକ୍ଷ୍ୟସ୍ଥଳ କେଉଁଠାରେ ? ସେଇ ଘିଅ ଓ ମହୁର ଦେଶଟି କେଉଁଠାରେ ? ଆଉ କେତେ ଦୂର ପଥ ସେହି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ । କେତେ ସମୟ ଲାଗିବ ଆହୁରି ?

 

କେହି ତାକୁ ସେହି କଥା କହୁନାହିଁ । ସେ ପଚାରିପାରିନାହିଁ କାହାକୁ । ତଣ୍ଟି ପାଖରେ ପ୍ରଶ୍ନଟା ଅଟକିଯାଏ । ଭୟ ହୁଏ ପଚାରିବା ପାଇଁ କାଳେ ଦଳପତି ବିରକ୍ତ ହେବେ, କାଳେ ତାକୁ ଶାସ୍ତି ଦେବେ । ନିର୍ବାକ ସେ । କଳପରି ଚାଲେ ଅନାମ । ତା’ର ଅନୁଭବ ଏବଂ ଯନ୍ତ୍ରଣା, ଆଶା ଓ ହତାଶା ସବୁ ମିଳେଇଯାଏ ଦେହର ଝାଳ ସହିତ । ଝାଳ ଶୁଖି ଦେହଟା କେବଳ ଗନ୍ଧାଏ । ସେ ଯେ ମରି ନ ଯାଇ ଏବେ ବି ବଞ୍ଚିଛି, ଏଇ ଚରମ ସତ୍ୟଟି ବାରିପାରେ ।

 

ସମ୍ରାଟ୍‌ଙ୍କର ଜୟ ହେଉ ।

 

ଚାରିଆଡ଼େ କୋଳାହଳ । ସବୁଠାରେ ଜୟଧ୍ୱନି ।

 

ସମ୍ରାଟ୍‌ଙ୍କର ଜୟ ହେଉ ।

 

ଜୟଧ୍ୱନି ସହିତ ବାଜିଉଠିଲା ବାଜା, ଭେରୀ, ତୂରୀ, କାହାଳୀ । ବାଜିଉଠିଲା ଶଙ୍ଖ । ଚତୁର୍ଦ୍ଦିଗରେ କେବଳ ସମ୍ରାଟ୍‌ଙ୍କର ଜୟଧ୍ୱନି, ତାଙ୍କରି ପ୍ରକୋପ ଓ ପ୍ରତିପତ୍ତି ।

 

ତାଙ୍କରି ପତାକାକୁ ବୋହିଚି ବୋଲି ଗର୍ବ କଲା ଅନାମ ଦାସ ।

 

ଏଡ଼େ ସୌଭାଗ୍ୟ ଆଉ କାହାର ହୁଏ ? ଏଇ ସୁଯୋଗ କେତେଜଣଙ୍କୁ ମିଳେ ?

 

ଅନାମ ଦାସ ସବୁ କଷ୍ଟ ସବୁ ଯନ୍ତ୍ରଣା ଭୁଲିଯାଏ । ଦିନେ ହୁଏତ ତା’ର ବି ସମୟ ହବ, ସେ ବି ଟିକେ ସୁବିଧା ପାଇବ; ତା’ ହାତରୁ ପତାକାଟି ନେଇ ଆଉ କେହି ତାକୁ ଟିକେ ସ୍ୱସ୍ତିରେ ନିଶ୍ୱାସ ମାରିବାପାଇଁ ସୁଯୋଗ ଦବ ।

 

ହାତୀ ଉପରେ ହାଉଦା । ତା’ ଉପରେ ସୁନାର ସିଂହାସନ । ସେହି ସିଂହାସନ ଉପରେ ବସିଲେ ସମ୍ରାଟ୍‌ । ଜରିଲଗା ଛତା ଧରି ପଛରେ ଛିଡ଼ାହେଲା ପାଖଲୋକ ।

 

ଜୟଧ୍ୱନି କଲେ ତମାମ ଜନତା ।

 

ବାଜି ଉଠିଲା ଭେରୀ, ତୂରୀ, କାହାଳୀ ଓ ସାହାନାଇ ।

 

ଶଙ୍ଖନାଦରେ କମ୍ପିଉଠିଲା ଆକାଶ ।

 

ଅନାମ ଦାସ କଣ୍ଠ ଫଟାଇ ଚିତ୍କାର କଲା—ସମ୍ରାଟ୍‌ଙ୍କର ଜୟ ହେଉ.... ।

 

ଅନାମ ଦାସ ସ୍ତ୍ରୀକୁ ଛାଡ଼ିଆସିଚି ଘରେ । ହାତରେ ଦୁଇ ମାସର ପିଲା । ବେନାମୀ ହୋଇ ତାହାରି ମାରଫତ୍‌ ସେ ରହିଯାଇ ଭୋଗୁଚି ଗାଆଁରେ । ତା’ର ସ୍ୱତନ୍ତ୍ର ଇଚ୍ଛା ବା ଶକ୍ତି ନାହିଁ, ସୁଯୋଗ ବା ସମ୍ପଦ ନାହିଁ । ଅନାମ ସହିତ ଯୋଡ଼ି ହୋଇଯାଇଚି ବୋଲି ଭୋଗୁଚି ଏତେ । ଅନାମର ମନଟା କୁହୁଳେ । ଅନ୍ତର ଭିତରଟା ମନ୍ଥି ହୋଇଯାଏ । ପାଟିକରି ଡାକିବା ପାଇଁ ଇଚ୍ଛା ହୁଏ..... ଆ, ଆ..... ମୋ ପାଖକୁ ଆଲୋ ଦୁଃଖିନୀ ।

 

ସାମ୍ରାଜ୍ଞୀ ବିଜେ କରନ୍ତି ପଛ ହାତୀର ହାଉଦା ଉପରେ ଥିବା ରୁପାର ଚୌକିରେ । ଚାରିଆଡ଼େ ସୂଷ୍ମ ପରଦା । ମଝିରେ ଛୋଟ ଛୋଟ ଛିଦ୍ରପଥ । ସେ ସମସ୍ତଙ୍କ ଦେଖିପାରନ୍ତି, ଅଥଚ ତାଙ୍କୁ କେହି ଦେଖିପାରନ୍ତି ନାହିଁ । ତାଙ୍କୁ ସମସ୍ତେ ଦେଖିବା ନିଷେଧ । କାହା ମନରେ କଅଣ ଅଛି, କିଏ ଜାଣେ ? ପାପଟା ତ ମନର—ପୃଥିବୀର ନୁହେଁ ।

 

ଅନାମ ଦାସ ଆଖି ଫେରାଏ । ଦୁଃଖିନୀ କଥା ମନକୁ ମନ୍ଥିପକାଏ । ପୁଅର କଥା ମନେପଡ଼େ । ଜନ୍ମଦିନର ତାରିଖଟା ମନେ ନାହିଁ ସିନା, ସବୁଦିନ ଯେପରି ଜନ୍ମଦିନର ମହୋତ୍ସବ ତା’ ମନଭିତରେ । ବର୍ଷା ହଉଥିଲା ଜନ୍ମିବାବେଳେ । ଘରେ ଖୁଦମୁଠେ ବି ନଥିଲା ପୁଆତି ମୁହଁରେ ଗରମ ଭାତ ମୁଠେ ଟେକିଦବା ପାଇଁ । ଅନ୍ତୁଡ଼ିଘରେ ନବଜାତକର କୁଆଁ କୁଆଁ ଏକ ଅନିଶ୍ଚିତ ଏବଂ ଅର୍ଥହୀନ ବର୍ତ୍ତମାନ ଅନାମକୁ ଅସ୍ଥିର କରିପକାଏ ।

 

ସେଦିନ ଖୁବ୍‌ ଉତ୍ତେଜିତ ହୋଇପଡ଼ିଥିଲା ଅନାମ ଦାସ । ପ୍ରଥମ ସନ୍ତାନକୁ କୋଳରେ ଧରି ତା’ର ସ୍ତ୍ରୀର ମୁହଁ ଉପରେ ଏପରି ଏକ ଅନିର୍ବଚନୀୟ ତୃପ୍ତିର ରେଖା ଫୁଟିଉଠୁଥିଲା ଯେ ତାହା ଅପାଶୋରା ହୋଇ ରହିଯାଇଥିଲା ମନରେ । ଅନାହାର ଏବଂ ଅର୍ଦ୍ଧାହାର ସତ୍ତ୍ୱେ ଦୁଃଖିନୀ ଜନ୍ମଦେଇଥିଲା ଗୋଟିଏ ପୁତ୍ର-ସନ୍ତାନ । ବନ୍ଧ୍ୟାତ୍ୱ କାଟି ଜନନୀ ହୋଇଥିଲା ସେ । ପୃଥିବୀର ସମସ୍ତ ପାର୍ଥିବ ସମ୍ପଦ ସେହି ସହିତ ତୁଳନୀୟ ନଥିଲା । କିନ୍ତୁ ପୁଆତିକୁ ଆହାର ଦବାର ସମୟ ହେବାରୁ ଅସହାୟବୋଧ ତାକୁ ଚୁର୍ଣ୍ଣ-ବିଚୂର୍ଣ୍ଣ କରିଦେଲା ।

 

ତା’ ଦୃଷ୍ଟିପଥରୁ ଏକ ପରିପୂର୍ଣ୍ଣ ଜଗତରେ ଝଲମଲ ରୂପ ଅନ୍ତର୍ହିତ ହୋଇଯାଇ ଉତ୍ତାପଗ୍‌ଧ ଏକ ବିବର୍ଣ୍ଣ ଏବଂ ବିଧ୍ୱସ୍ତ ପୃଥିବୀର ନିଃସହାୟ ରୂପ ଉଦ୍ଭାସିତ ହବାକୁ ଲାଗିଲା । ସବୁ ଆନନ୍ଦ, ଉତ୍ତେଜନା ନିମିଷକରେ ଉଭେଇଗଲା ମନରୁ । ଅନାମ ଶୂନ୍ୟରେ ଦୃଷ୍ଟି ହଜାଇ ଦେଇ ଏକ ଅନ୍ଧକାର ଗହ୍ୱର ଭିତରୁ ଆଲୋକକୁ ଯିବା ପାଇଁ ପଥ ଅଣ୍ଡାଳିବାବୁ ଲାଗିଲା ।

 

ବାଟ ବଣା ହୋଇଗଲା ଅନାମ ଦାସ । ନବଜାତକକୁ ମୃତ୍ତିକା ଖାଇ ବଞ୍ଚିବାକୁ ଛାଡ଼ିଦେଇ ସେପାରିର ସମ୍ଭାବନା ସହିତ ମୁକାବିଲା କରିବା ପାଇଁ ଚାଲିଗଲା ଦୁଃଖିନୀ । ଅଦ୍ଭୁତ ଏକ ଯନ୍ତ୍ରଣା ତାକୁ ମୂକ କରିଦେଇଗଲା । ସେ ଗୋଟିଏ ବିନ୍ଦୁରେ ଛିଡ଼ାହୋଇଯାଇ କେବଳ ସେହି ଯନ୍ତ୍ରଣାରେ ଦଗ୍‌ଧ ହବାକୁ ଲାଗିଲା ।

 

ତା’ପରେ ଆଉ ଆଗକୁ ବା ପଛକୁ ନ ଯାଇ କେବଳ ଆଦେଶ ତାମିଲି କରିଚି ଅନାମ ଦାସ । ନେତାଙ୍କ ମୁହଁକୁ ଅନେଇ ନିଜ ସଂସାର ଓ ସନ୍ତାନର ମୁହଁ ପାସୋରି ଦେଇଚି । ବଞ୍ଚିବା ପାଇଁ ସେ ସାମିଲ ହୋଇଯାଇଚି ଶୋଭାଯାତ୍ରାରେ । ସବାଶେଷ ଲୋକ ସେ । ତା’ହାତରେ କ୍ଷମତାର ଜୟଧ୍ୱଜା । ପତାକା ଧରି ଚାଲେ ଅନାମ ଦାସ । ସେଇଥିରୁ ଯାହା ଉପାର୍ଜନ କରେ ସେଇଥିରେ ଚଳିଯାଏ କଷ୍ଟେମଷ୍ଟେ ।

 

ସେ ପତାକା ବୋହି ଚାଲେ ।

 

ଆଗରେ ଚାଲନ୍ତି ବ୍ୟାଣ୍ଡ୍‌-ବାଜାର ଦଳ ।

 

ବ୍ୟାଣ୍ଡ୍‌ର ସ୍ୱରରେ ବୈଜୟନ୍ତୀ । ଜନତାର ପଦଧ୍ୱନିରେ ଆଗାମୀର ସ୍ୱାଗତ । ବିପ୍ଲବର ଜୟଧ୍ୱନିରେ ମଣିଷର ଅସ୍ପଷ୍ଟ ସ୍ୱପ୍ନର ସାକାର ହବାର ପ୍ରୟାସ ।

 

ବିପ୍ଳବର ଜୟ ହେଉ ।

 

ମଣିଷର ଜୟ ହେଉ ।

 

ଜୟ ହେଉ ଜୀବନର ।

 

ସମ୍ରାଟଙ୍କର ଜୟଧ୍ୱନି ଆକାଶରେ ହଜିଗଲା କେଉଁଠାରେ ।

 

ଆଜି କେବଳ ପ୍ରଜାର ଜୟଧ୍ୱନି ଶୁଣେ ଅନାମ ଦାସ ।

 

ସେହି ଜୀବନରେ ଜୟଧ୍ୱନି ଶୁଣି କେବେ ସ୍ୱପ୍ନ ଦେଖି ନଥିବା ଅନାମ ଦାସ ହଠାତ୍ ଗୋଟେ ସ୍ୱପ୍ନ ଦେଖିଲା । ସେଇ ସ୍ୱପ୍ନଟା ଯେପରି ତା’ର ଏକାନ୍ତ ପରିଚିତ; ଏକାନ୍ତ ଆପଣାର । ଆହୁରି ଆଗରୁ ସେଇ ସ୍ୱପ୍ନ ବି ଦେଖିଥିବାର ସେ ଅନୁଭବ କଲା; କିନ୍ତୁ ସ୍ମରଣ ହେଲା ନାହିଁ । ଜନ୍ମ–ଜନ୍ମାନ୍ତର ମଧ୍ୟରେ ମଣିଷର ସେହି ସୁଖସ୍ୱପ୍ନକୁ ସେ ବି ଦେଖିଥିଲା । ସେଇ ସ୍ୱପ୍ନକୁ ସ୍ମରଣ କରି ଏକ ଅନୁପମ ପୁଲକରେ ଫୁଲିଉଠେ ଚିତ୍‌କାର କଲା ଅନାମ ଦାସ—ଜୀବନର ଜୟ ହେଉ, ମଣିଷର ଜୟ ହେଉ ।

 

ତାକୁ ସାବଧାନ କରିଦେଇ ପାଖରୁ ଜଣେ କହିଲା—ପତାକା ଧରି ଚାଲିବା, ଧ୍ୱନି ଦୋହରାଇବା ତୋର କାମ; ଧ୍ୱନି ଦବା ନୁହେଁ । ତୁ ସବାଶେଷ ଲୋକ, ପଛଧାଡ଼ିର କର୍ମୀ ।

 

ସ୍ୱପ୍ନ ପରି ଅତୀତ ଭାସିଉଠେ ତା’ ଆଖିଆଗରେ । ସୁଦୂର ଅତୀତର ଯେଉଁ ଛବିଗୁଡ଼ା ଇତିହାସର ପୃଷ୍ଠାରେ ଲିପିବଦ୍ଧ ହୋଇଯାଇଚି ସେହି ଛବିରେ ନିଜକୁ ଆବିଷ୍କାର କରେ ସେ । ଇତିହାସର ପୃଷ୍ଠାରେ ସିନା ତା’ର ନାମ କେହି ଲେଖିବ ନାହିଁ; କିନ୍ତୁ ସେହି ପୃଷ୍ଠାମାନଙ୍କରେ ଚିରସ୍ମରଣୀୟ ହୋଇଯାଇଥିବା ଅନେକ ଚରିତ୍ର ସହିତ ତା’ର ପରିଚୟ ଦୀର୍ଘଦିନର । ସେମାନଙ୍କର ପତାକା ଧରି ଚାଲୁଥିଲା ସେ, ଏବେ ବି ଚାଲୁଚି.... ।

 

ଅତୀତର କେତେ ସାମ୍ରାଜ୍ୟ ଏବଂ କେତେ ସମ୍ରାଟଙ୍କର କଥା ମନେପଡ଼ିଲା ଅନାମର ।

 

ସମ୍ରାଟଙ୍କର ଜୟ ହୋଇ ସାମ୍ରାଜ୍ୟ ସ୍ଥାପିତ ହେଲା । ଅନେକ ଧନରତ୍ନ ଲୁଟିଲେ ତାଙ୍କର ଲୋକମାନେ । ଯୁଦ୍ଧରେ ମୃତାହତ ହେଲେ ଅସଂଖ୍ୟ ମଣିଷ । ସେମାନଙ୍କର ରକ୍ତରେ ଲାଲ ହୋଇଗଲା ନଦୀ, ହ୍ରଦ, ସମୁଦ୍ରର ଜଳ ସେମାନଙ୍କର ଦୀର୍ଘଶ୍ୱାସ ଆକାଶ ଓ ବତାସକୁ କରୁଣ କରିଦେଲା । ସେମାନେ କାହାପାଇଁ ନିଜକୁ ଆହୁତି ଦେଲେ ତାହା କେହି ବୁଝିଲେ ନାହିଁ, ଜାଣିଲେ ନାହିଁ । ସେମାନଙ୍କର କବର ଉପରେ କିନ୍ତୁ ଗଢ଼ାଗଲା ସମୃଦ୍ଧିଶାଳୀ ରାଷ୍ଟ୍ର; ପତାକା ଉଡ଼ିଲା ପ୍ରତିପତ୍ତିର ଜୟଗାନ କରି ।

 

ଧର୍ମ ଓ ବାଣିଜ୍ୟ ନାମରେ ରାଷ୍ଟ୍ର ଉଠିଲା ଏବଂ ପଡ଼ିଲା । ପତନ-ଅଭ୍ୟୁତ୍‌ଥାନର ଇତିହାସକୁ ସାକ୍ଷୀ ରଖି ରଚିତ ହେଲା ଭୂଗୋଳ ।

 

ଗୋଟିଏ ପତାକା ବଦଳରେ ଆକାଶରେ ଫରଫର ହୋଇ ଉଡ଼ିଲେ ଅନେକ ଦେଶର ରାଷ୍ଟ୍ରୀୟ ପତାକା ।

 

ସେଦିନ ବି ପତାକା ବୋହି ଚାଲିଥିଲା ଅନାମ ଦାସ । ଝାପ୍‌ସା ସ୍ମୃତି ଭିତରୁ ମନେପଡ଼ୁଥିଲା କିଛି କିଛି । ତା ଦେହର ଶୋଣିତରେ ଅତୀତର ସ୍ୱାକ୍ଷର ବହନ୍ କରି ସେ ଚାଲିଚି । ହାତ ଘୋଳୁଚି । ପାଦ ବିନ୍ଧୁଚି..... ତଣ୍ଟି ଶୁଖି ଗଲାଣି । ଝାଳ ବହି ଜିଭରେ ଲାଗୁଚି । ଇସ୍, କେଡ଼େ ଲୁଣିଆ । ପାଦରୁ ରକ୍ତ ଝରୁଚି, ହାତରେ ବିଣ୍ଡି ବସିଯାଇଚି ।

 

ନିଜ ଦେହକୁ ଅନେଇଲା ଅନାମ ଦାସ । ଟିକେ ସହାନୁଭୂତି ପାଇଁ ମନଟା ବିକଳ ହେଲା, ଆଉ କେହି ତା’ ହାତରୁ ପତାକାଟିକୁ ନେଇ ତାକୁ ଟିକେ ବିଶ୍ରାମ ଦିଅନ୍ତା କି । ଭୂଇଁ ଉପରେ ଶୋଇ ମାଟିରେ ଗନ୍ଧ ଶୁଙ୍ଘିବା ପାଇଁ ସୁବିଧା କରି ଦିଅନ୍ତା କି । ସେପରି ଦରଦିଆ ମୁହଁଟିଏ ଆଖିରେ ପଡ଼ିଲା ନାହିଁ । ଆଖପାଖର ଏତେ ଲୋକ । କାହାରି ଆଖିରେ ପଡ଼ିଲା ନାହିଁ । ଆଖପାଖର ଏତେ ଲୋକ । କାହାରି ଆଖିରେ ସମବେଦନାର ଭାଷା ଦିଶୁନାହିଁ । ସମସ୍ତେ ନିର୍ଦ୍ଦୟ, ନିଷ୍ଠୁର । ସେମାନଙ୍କ ମୁହଁ ଉପରେ ଏକ ଅଦ୍ଭୁତ ହସ ।

 

ଆର୍ତ୍ତନାଦ କରିବା ପାଇଁ ଇଚ୍ଛା କଲା ଅନାମ । ପେଟ ଭିତରେ ଚାପି ହୋଇଯାଇଥିବା କୋହକୁ ଶେଷ କରିଦେବା ଲାଗି କାନ୍ଦିବା ପାଇଁ ଇଚ୍ଛା ହେଲା । କାନ୍ଧରେ ଜୁଆଳି ବୋହି ଚାଲି ପାରୁନଥିବା ବଳଦ ଯେପରି କେବଳ ଅବୋଧ୍ୟ ଶବ୍ଦ କରେ, ସେହିଭଳି ଏକ ଅବୋଧ୍ୟ ଶବ୍ଦ ତା ମୁହଁରୁ ବାହାରି ଆସିଲା । କିନ୍ତୁ ପ୍ରତିବାଦ କରି ପାରିଲା ନାହିଁ; ପ୍ରତିରୋଧ କରି ପାରିଲା ନାହିଁ ।

 

ତା’ ପରେ ସେହି ଅବୋଧ୍ୟ ଶବ୍ଦ ସହିତ ଶିଥିଳ ଦେହଟାକୁ ଚମକାଇ ଦେଇ ପିଠିରେ ଚାବୁକ ମାରିଲା କିଏ ।

 

ଆର୍ତ୍ତନାଦ କରିଉଠିଲା । ଜୟଧ୍ୱନିଟା ଅଟକିଗଲା କଣ୍ଠ ଭିତରେ ।

 

ଅନାମ ଦାସର ଆଖି ଆଗରେ ହଠାତ୍ ପୃଥିବୀଟା ଦୁଇଭାଗ ହୋଇଗଲା । ଗୋଟିଏ ପାଖରେ ସମ୍ରାଟ୍ ଏବଂ ସଂପଦ, ଅନ୍ୟ ପାଖରେ ସର୍ବହରା ଏବଂ ମହାଶୂନ୍ୟ । ସେ ଅନେକ ସମୟ ପର୍ଯ୍ୟନ୍ତ ନିର୍ବାକ୍ ହୋଇ ଏକଲୟରେ ଅନାଇ ରହିଲା ।

 

ସଂପଦ ଏବଂ ସମ୍ରାଟଙ୍କର ଭାର ବୋହିବା ପାଇଁ ସେମାନଙ୍କର ଜନ୍ମ ।

 

ପାଲିଙ୍କିରେ ବସି ଜମିଦାର ଯାଉଥିଲେ । ସେ ସର୍ବେସର୍ବା । ସେ ସମ୍ରାଟ୍‍ଙ୍କର ପ୍ରତିଭୂ । ତାଙ୍କରି ହୁକୁମ ତାଲିମ କରିବା ପାଇଁ ଅନେଇରହିଲେ ସମସ୍ତେ ।

 

ପାଲିଙ୍କି ବୋହି ବି ଚାଲିଚି ଅନାମ ଦାସ । ସେଇ ସମୟଟା ସେହିପରି । ସବୁ ଆଦେଶ ତାମିଲ କରିବା ଥିଲା ତା’ର ଧର୍ମ । କାରଣ ଜାଣିବାପାଇଁ ଅଧିକାର ନ ଥିଲା ତା’ର ।

 

ଆଜି ଅନାମ ଦାସର ମନଟା ଅନେକ ବଡ଼ ହୋଇଚି । ସେ ନିଜ କଥା ଭାବେ, ଭାବେ ଦୁଃଖିନୀ ଏବଂ ଆହୁରି ଅନେକଙ୍କ କଥା ।

 

ଦୁଃଖିନୀ ଯଦି ମୁଠେ ଗରମ ପେଜୁଆଭାତ ପାଇଥାଆନ୍ତା । ତା’ହେଲେ ସେ ମରି ନ ଯାଇ ବଞ୍ଚିଥାଆନ୍ତା ତାହାରି ପରି । ହୀନ ନଗଣ୍ୟ ଲୋକ ନିଜପାଇଁ ତ ବଞ୍ଚେ ନାହିଁ, ବଞ୍ଚେ ଅନ୍ୟମାନଙ୍କ ପାଇଁ । ସେ ଆଜି ଏକା ନ ଚାଲି ତା ସାଙ୍ଗରେ ଦୁଃଖିନୀ ବି ଚାଲୁଥାଆନ୍ତା । ପୁଅକୁ କୋଳେଇ କାଖେଇ ମଣିଷ କରିବାପାଇଁ ସେ ଯେତେ ଚେଷ୍ଟା କଲେ ବି ସବୁ ଫସର ଫାଟିଯାଏ । ମୁଠାଏ ଆହାର ତା’ ତୁଣ୍ଡରେ ଯତ୍ନରେ ଟେକିଦବା ପାଇଁ ସମୟ ହୁଏ ନାହିଁ । ଅନାଥ ସିନା ବୋଲ ମାନି ମେହେନତ କରି ଜୀବନଟା ଶେଷ କରିଦେଲା, ତା’ ପୁଅ କଅଣ ସେହିପରି ଖାଲି ମେହନତ କରିଯିବ ? ଆଦେଶ ପାଳନ କରିବ ? ଆଦେଶ ଦବାର କାରଣ ପଚାରିବ ନାହିଁ, ମେହେନତ କରିବାର ମୂଲ ପାଇବ ନାହିଁ ? ତାକୁ ମଣିଷ ପରି ମଣିଷଟିଏ କରିବାପାଇଁ ଅଣ୍ଟା ଭିଡ଼ିଲା ଅନାମ । ତାକୁ ଇସ୍କୁଲକୁ ପଠାଇଲା । କିନ୍ତୁ ସେଠାରେ ବେଶିଦିନ ରହି ପାଠ ପଢ଼ିପାରିଲା ନାହିଁ ତା’ ପୁଅ । ବେମାରୀ ଭୋଗୁଚି ହତଭାଗା । ହାଡ଼ମାଳ ଗଣି ହେଉଚି । ବୟସ ବଢ଼ିଲେ ବି ଶରୀର ବଢ଼ୁନାହିଁ । ବାହାରିପଡ଼ିଛି ପେଟ, ସରୁ ହୋଇ ଆସିଚି ଛାତି । ପାଦ ଓ ହାତ ଶେତା ଦିଶୁଚି । ଆଖିରେ ଜ୍ୟୋତି ନାହିଁ । ତାକୁ ଔଷଧ ଦବା ପାଇଁ ବଳ ନାହିଁ । ପଥି ପାଇଁ ହାତରେ ଧନ ନାହିଁ । ତା’ ଦିହରୁ ଧୂଳିମଳି ଝାଡ଼ିଦବା ପାଇଁ ମନ ହୁଏ ଅନାମର; କିନ୍ତୁ ସମୟ ପାଏ ନାହିଁ । ପତାକାଧାରୀ ସେ । ସମୟ ସବୁ ବିକି ଦେଇଛି ।

 

ଏଇ ପତାକାଟା ବୋହି ନଥିଲେ ବି ଚଳିଥାଆନ୍ତା ବୋଧହୁଏ । କିନ୍ତୁ ପେଟ ପୋଷ, ନାହିଁ ଦୋଷ । ପେଟ ପାଇଁ ପତାକା ବୋହିବାକୁ ରାଜି ହୋଇଥିଲା ।

 

ସେମାନେ ଆଗେ ଆଗେ ଚାଲନ୍ତି, ସ୍ଳୋଗାନ ଦିଅନ୍ତି । ସେ ଚାଲେ ପଛେ ପଛେ । ପତାକାଟା ତା’ ହାତର ବାଉଁଶଦଣ୍ଡରୁ ଫରଫର ହୋଇ ଉଡ଼ୁଥାଏ ।

 

ଲକ୍ଷ୍ୟସ୍ଥଳର କଥା ଏଯାଏ କେବଳ କାହାଣୀ ହୋଇ ରହିଚି । ତା’ର ସ୍ୱରୂପଟି ଦିଶୁନାହିଁ-। ଦଳପତି ସେଦିନ କହୁଥିଲେ ଯେ ସେହି ଦେଶରେ ପହଞ୍ଚିଗଲେ ସବୁ ସମସ୍ୟାର ସମାଧାନ ହୋଇଯିବ । ଭୋକରେ କେହି ମରିବେ ନାହିଁ, ଖାଲିଦେହରେ କେହି ରହିବେ ନାହିଁ । ଚିକିତ୍ସା ଦ୍ୱାରା ସବୁ ରୋଗ ବିରୁଦ୍ଧରେ ସଂଗ୍ରାମ କରାଯିବ । ଗଛମୂଳେ ନ ଶୋଇ ଛାତିତଳେ ଶୋଇଲେ ସମସ୍ତେ-। ଏଇ କଥାଗୁଡ଼ା ମନକୁ ଉଲୁସେଇ ଦେଇଥିଲା । ପୁଅର ଭଲ ଚିକିତ୍ସା କରିବା ପାଇଁ ସୁବିଧା ମିଳିଯିବ ବୋଲି ସେ ଭରସା ଦେଇଥିଲା ମନକୁ । ସ୍ୱପ୍ନ ଦେଖିଥିଲା ଗୋଟିଏ ଛୋଟ ସୁଖୀ ସଂସାରର; ଯେଉଁଠି ସାକାର ହବ ଦୁଃଖିନୀର ସ୍ୱପ୍ନ ଓ ମଣିଷ ହବ ଏକୋଇରବଳା ବିଶିକେଶନ । ଦୁଃଖିନୀର ଆତ୍ମା ଏତକ ଦେଖି ସଦ୍‌ଗତି ଲାଭ କରନ୍ତା, ପ୍ରେତ ହୋଇ ଆଉ ବୁଲନ୍ତା ନାହିଁ, ରାତିରେ ଗଛରୁ ପତ୍ର ଝଡ଼େଇ ଉଡ଼ନ୍ତା ନାହିଁ ।

 

କିନ୍ତୁ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଚି । ଲକ୍ଷ୍ୟସ୍ଥଳଟି ଆହୁରି ଅନେକ ଦୂରରେ । ବହୁ ଶ୍ରମ, ଅନେକ ସାଧନା ଦରକାର ସେଠାରେ ପହଞ୍ଚିବା ପାଇଁ । ଅନେକ ତ୍ୟାଗ, ଅନେକ ତିତିକ୍ଷାର ପ୍ରୟୋଜନ ସେଥିପାଇଁ । ଅଧିକ ତ୍ୟାଗ ପାଇଁ ଡାକରା ଆସିବା ଆଗରୁ ସେ ନିଜର ଖାଇବା କମେଇଦେଇଛି, ପିନ୍ଧିବା ଲୁଗା ଚିରିଗଲେ ମଧ୍ୟ ବଦଳାଇ ନାହିଁ, ବାରିବଗିଚାର ଫଳମୂଳ ନିଜେ ନ ଖାଇ, ପୁଅ ତୁଣ୍ଡରେ ନ ଦେଇ ବଡ଼ଲୋକଙ୍କ ହାତକୁ ବଢ଼େଇ ଦେଇଚି । ସେମାନେ ଦଣ୍ଡ-ମୁଣ୍ଡରେ ବିଧାତା । ସେମାନଙ୍କର ଅଭାବ ହେଲେ ସେମାନେ ଏତେ କଥା ଭାବିବା ପାଇଁ ଶକ୍ତି ପାଇବେ କୋଉଠୁ ? ସମସ୍ତଙ୍କ ପାଇଁ ଲଢ଼ିବେ କିପରି ?

 

ଅନାମ ଦାସ ସବୁ ସଞ୍ଚୟକୁ ଚାନ୍ଦା ଆକାରରେ ଉଠେଇଦେଇଚି ଦଳପତିଙ୍କ ହାତକୁ । ମୂଲ ନ ନେଇ ଖାଟିଛି ତାଙ୍କ ଘରେ । ତାଙ୍କ ପାଦ ଥକିଯିବ ବୋଲି ତାଙ୍କ ପାଇଁ ଗୋଟେ ଛୋଟ ମୋଟରଗାଡ଼ି କିଣା ହୋଇଚି । ଧ୍ୱନିଗୁଡ଼ାକୁ ଆହୁରି ତୀବ୍ର କରିବାପାଇଁ ଏବଂ ତାଙ୍କ ଭାଷଣକୁ କୋଶ କୋଶ ବୋହି ନବା ପାଇଁ ଡାକବାଜି ଯନ୍ତ୍ର ଆସିଚି । ମଞ୍ଚ ସେମାନେ ପ୍ରସ୍ତୁତ କରିଛନ୍ତି ରାତିରେ ନ ଶୋଇ, ଫୁଲମାଳ ଗୁନ୍ଥିଛନ୍ତି ନିଜର ସମୟ ଭୁଲି ।

 

ତାଙ୍କ ପାଇଁ ଏତେ କାମ ହୋଇଚି, ଅଥଚ ତା’ର ସାମାନ୍ୟ କାମଟି ଏଯାଏ ହୋଇନାହିଁ-। ତା ପୁଅ ଔଷଧ ପାଉନି, ପଥି ବଜାରରେ ମିଳୁନାହିଁ । ପୁଷ୍ଟିକର ଖାଦ୍ୟ ଅଭାବରେ ପିଲାଟା ଆଉ ନ ବଢ଼ି ବାମନ ହୋଇଯାଇଚି ।

 

ତଥାପି କ୍ଷୋଭ ନାହିଁ ଅନାମର, ଦିନେ ନା ଦିନେ ଏ ସବୁ ସଙ୍କଟ ଘୁଞ୍ଚିବ; ସେ ପୁଅ ପାଇଁ ଆଉ ବ୍ୟସ୍ତ ନହୋଇ ସମାଜ ତା’ କଥା ବୁଝିବ । ଏତକ ଦମ୍ଭ ତା’ ମନକୁ ଦେଇଛନ୍ତି ନେତା, ଏସବୁ ତ ଆଉ ମିଛ ହୋଇଯିବ ନାହିଁ ।

 

ସେଥିପାଇଁ ତାଙ୍କରି କଥା ମାନି ସେ ସ୍ଳୋଗାନ ଦିଏ, ପତାକା ବୋହି ଚାଲେ ।

 

ନୂତନ ଆସିବ ସକାଳର ସୂର୍ଯ୍ୟପରି ।

 

ବିପ୍ଳବ ଆସିବ ସୂର୍ଯ୍ୟର ଆଲୋକପରି । ସେଇ ଆଲୋକର ଉତ୍ତାପରେ ସବୁ କୁସଂସ୍କାର, ବୈଷମ୍ୟ, ଆବର୍ଜନା ଏବଂ ନ୍ୟସ୍ତସ୍ୱାର୍ଥ ଜଳିପୋଡ଼ି ପାଉଁଶ ହୋଇଯିବ । ଅନାମର ପୁଅ ପରି ଖାଦ୍ୟ ଅଖାଦ୍ୟ ଖାଇ, ଚିକିତ୍ସା ଓ ଶିକ୍ଷା ନ ପାଇ ଖୋଲା ଆକାଶତଳେ ସଢ଼ୁଥିବା କୋଟି କୋଟି ଶିଶୁମାନଙ୍କୁ ଆହାର ଓ ଚିକିତ୍ସା ମିଳିବ ଏବଂ ସେମାନଙ୍କ ପାଇଁ ନୂତନ ଭବନ ନିର୍ମାଣ କରାହେବ । ସେମାନେ ଦଳ ଦଳ ହୋଇ ଜୀବନର ଜୟଗାନ କରିବେ ।

 

ଏହି ପ୍ରତିଶ୍ରୁତି ସେ ଭୁଲିନାହିଁ । କେବେ ସେଇ ଦିନଟା ଆସିବ ସେ ଜାଣି ନଥିଲେ ବି ଦିନେ ଯେ ତାହା ନିଶ୍ଚୟ ଆସିବ, ଏଇ ଭାବନାଟା ବଳବତ୍ତର ହୋଇଯାଇଛି ।

 

କପାଳର ଝାଳ ପୋଛି ପାଦ ଚଞ୍ଚଳ କରେ ଅନାମ ।

 

ତ୍ୟାଗ ପାଇଁ କେବେ ଡରିନାହିଁ ସେ । ଭୋଗ ପାଇଁ ସେ ତ ଜନମ ହୋଇନାହିଁ ।

 

ବଡ଼ନେତା, ସାନନେତା ସମସ୍ତଙ୍କର ପାଲିଙ୍କି ବୋହି କର୍ମୀଦଳ ଚାଲିଛନ୍ତି । ସେମାନଙ୍କ ମୁହଁରେ ଅନାଗତର ସ୍ୱାଗତ, ପଦଶବ୍ଦରେ ଭବିଷ୍ୟତର ଅଭିନନ୍ଦନ । କିନ୍ତୁ ସେହି ପଥ ଏତେ ଲମ୍ବା ଯେ ଯାତ୍ରା ସରୁନାହିଁ । କିଏ ତୁହାଇ ତୁହାଇ କହୁଚି—

 

ଆହୁରି ଚାଲ, ଆହୁରି ଆଗକୁ ଚାଲ ।

 

ଶିଥିଳ ହୋଇଆସୁଥିବା ପାଦ ଯୋଡ଼ିକୁ ଆହୁରି ଜୋର୍‌ରେ ପକେଇଲା ଅନାମ ଦାସ ।

 

ସମ୍ରାଟ୍‌ ଅଦୃଶ୍ୟ ହୋଇଗଲେଣି । ରାଜା ମହାରାଜାମାନେ ମଧ୍ୟ ଆଉ ଦିଶୁନାହାନ୍ତି ।

 

ସେମାନଙ୍କର ପାଲିଙ୍କିରେ ଅନ୍ୟ ସବାର ।

 

ସମ୍ରାଟ୍‌ଙ୍କର ସିଂହାସନ ଶୂନ୍ୟ ହୋଇ ରହିନାହିଁ । ଶାସନ ରହିଲେ ଶାସକ ରହିବେ ।

 

ବହୁ ମତର ଶାସନ ଚାଲୁଚି । ସେହି ଶାସନର ଅଂଶୀଦାର ଅନାମ ଦାସ ।

 

ସେଦିନ ଡାକ୍ତରଖାନାକୁ ନେଇଯାଇଥିଲା ପୁଅକୁ କାନ୍ଧରେ ବସେଇ । ଚାଲିପାରେନି ସେ । ଗୋଡ଼ରେ ଶକ୍ତି ନାହିଁ ଚାଲିବାପାଇଁ । କିଛିଦିନ ଆଗୁ ଖୁବ୍‌ ଜ୍ୱର ଭୋଗିଥିଲା । ଡାକ୍ତରଙ୍କ ପାଖରେ ପୁଅକୁ ଧରି କହିଲା ସବୁ କଥା । ମୁହୂର୍ତ୍ତେ ଚାହିଁଦେଇ ଡାକ୍ତର କହିଲେ—ପୋଲିଓ ଚିକିତ୍ସା ସମୟ ଓ ବ୍ୟୟସାପେକ୍ଷ....ତଥାପି ସଂପୂର୍ଣ୍ଣ ଭଲହେବାର ଆଶା ଖୁବ୍‌ କମ୍‌ । ଚେଷ୍ଟାକର ।

 

ବହୁ କଷ୍ଟରେ ସଞ୍ଚିଥିବା ପାଞ୍ଚଟି ଟଙ୍କା ତାଙ୍କ ହାତକୁ ବଢ଼େଇ ଦେଇ କହିଲା ଅନାମ ଦାସ—ଭଲ ହୋଇଯିବ ତ ହଜୁର ?

 

ଡାକ୍ତର ସିଧାସଳଖ ଉତ୍ତର ନଦେଇ ଆଉ ଜଣେ ରୋଗୀକୁ ଡାକିଲେ । ଆଖିର ରୋଗ-। ଅନ୍ଧାର ହେଲେ ଦିଶେ ନାହିଁ ଆଖିକୁ । ପେଟର ଖାଦ୍ୟ ହଜମ ହଉ ନାହିଁ । ଆଶଙ୍କା ଛାଡ଼ିବା ପାଇଁ ଆଶ୍ୱାସନା ଟିକେ ଦରକାର ।

 

ଡାକ୍ତର କହିଲେ, ଏତେ ରୋଗ ଆସୁଚି କୁଆଡ଼ୁ ? ଏତେ ଦୁର୍ବଳ ମଣିଷ ହେଲା କିପରି-? ଯତ୍ନକର, ଭଲ ଖାଦ୍ୟ ଖାଅ, ମାଂସ, ମାଛ, ଅଣ୍ଡା ଜାତୀୟ ପ୍ରୋଟିନ ଦରକାର । ପୁଷ୍ଟିକର ଖାଦ୍ୟର ଅଭାବ । ଫଳମୂଳ ବି କିଛି କିଛି ଖାଅ । ଖାଲି ଔଷଧରେ ଭଲ ହବ ନାହିଁ ।

 

ଚରଣ ଦାସ କିଛି ନକହି ନିଜ ପୁଅକୁ କାଖେଇ ଡାକ୍ତରଙ୍କ ଚିଟାଉ ଖଣ୍ଡକ ଅଣ୍ଟାରେ ଗୁଂଜି ଅନାମ ଦାସର ପଛେ ପଛେ ଚାଲିଲେ ।

 

ଏତେ ତାରିଖ ଗଲାଣି, ପ୍ରତିଶ୍ରୁତିର ସେହି ତାରିଖଟା କେବେ ଆସିବ; କ୍ୟାଲେଣ୍ଡରର କେଉଁ ପୃଷ୍ଠାରେ ସେହି ତାରିଖଟା ?

 

ଅନାମ ଦାସ ନିଜ ପୁଅକୁ କାନ୍ଧରେ ବସେଇ ଫେରୁଥିଲା ।

 

ବଡ଼ଡାକ୍ତରଙ୍କ ଘର ପଛପଟେ ଯିବାବେଳେ ରନ୍ଧାମାଂସ ବାସ୍ନା ପାଇ କହିଲା ପୁଅ—ଇଏ କି ବାସ୍ନା ବାପା, ବଡ଼ ସୁଆଦିଆ, ଟିକେ ଚାଖନ୍ତି ନି ?

 

ତା’ ମୁହଁ ଉପରେ ହାତଜାକି କହିଲା ଅନାମ—ଏସବୁ ଆମ ପାଇଁ ନୁହେଁରେ ପୁଅ । ଆମେ ଖାଲି ଚଷିବା, ଆମେ କୁଟିବା । ତୁ ଭଲ ହୋଇ ଯା; ମୋ ହାତରୁ ପତାକା ପତାକା ନେଇ ଯୋଉଦିନ ମୋତେ ଟିକେ ସମୟ ଦବୁ ସେହିଦିନ ତୋ ପାଇଁ ମୁଁ ଇମିତି ରାନ୍ଧଣା ରାନ୍ଧିବି.... ।

 

ପୁଅର ପାଟିରୁ ଲାଳ ବୋହି କାନ୍ଧରେ ଲାଗିଲା ଅନାମର । ତରତର ହୋଇ ସେଇ ରାସ୍ତାଟା ପାରିହୋଇଗଲା ଅନାମ ଦାସ ।

 

ରାତି ବହୁତ ହେଲେ ସଭା ଶେଷ ହୁଏ । ସମାବେଶ ସରିଯାଏ । ଶୋଭାଯାତ୍ରା ଶେଷ କରି ଘରକୁ ବାହୁଡ଼ିଆସେ ଅନାମ ଦାସ । ସେଦିନ ସଭା ଶେଷ ହବା ବେଳକୁ ଅନେକ ରାତି ହୋଇଗଲା । ନେତାମାନଙ୍କୁ ନେଇ ଟ୍ରକ୍‌ଟା ଚାଲିଗଲା । ବଡ଼ ନେତା ଜିପ୍‌ରେ ଚାଲିଗଲେ ।

 

ପତାକାଟିକୁ ଦଣ୍ଡରେ ଗୁଡ଼େଇ ଦେଇ କାନ୍ଧରେ ପକେଇ ଫେରୁଥିଲା ଅନାମ ।

 

ଝୁଣ୍ଟିପଡ଼ିଲା ରାସ୍ତାରେ ।

 

ଛେଚି ହୋଇଗଲା ମୁହଁ କଙ୍କରିତ ରାସ୍ତାରେ । ରକତ କି ପାଣି କଅଣ ଲାଗିଲା ମୁହଁରେ ଜାଣିପାରିଲା ନାହିଁ ଅନାମ । ଟିକେ ପରେ ଖୁବ୍‌ ପୋଡ଼ିଲା ମୁହଁ ଉପରଟା । ଜେଲଖାନା ଫାଟକ ପାଖରେ ଆମ୍ବଗଛକୁ ଘେରି ଯେଉଁ ସିମେଣ୍ଟ ବେଦି ତିଆରି ହୋଇଥିଲା ଜେଲ ସୁପରିଟେଣ୍ଡେଣ୍ଟଙ୍କ ଝିଅର ବିଭାବେଳେ, ସେଇ ବେଦି ଉପରେ ଶୋଇପଡ଼ିଲା ସେ । ତା’ ସାଙ୍ଗରେ ସବୁ ଆଶା, ସ୍ୱପ୍ନର ପ୍ରତୀକ ବାଉଁଶ ଦଣ୍ଡରେ ଗୁଡ଼ାହୋଇଥିବା ପତାକାଟି ବି ଶୋଇପଡ଼ିଲା ।

 

ଅନାଦି କାଳରୁ ଅନାମ ଦାସମାନେ ଯେଉଁ ଶୋଭାଯାତ୍ରା ବାହାର କରିଥିଲେ ତାହା ଏଯାଏ ସରିନାହିଁ । ଲକ୍ଷ୍ୟସ୍ଥଳରେ ପହୁଞ୍ଚିବା ପାଇଁ ଏବେ ବି ଅନେକ ଡେରି ।

 

କ୍ଲାନ୍ତିରେ ଭାଙ୍ଗିପଡ଼ୁଥିଲା ଅନାମ ଦାସ । କିନ୍ତୁ ସେ ନ ଉଠିଲେ ପତାକା ଧରି ଚାଲିବ କିଏ, ଏତେ ବୋଝ ବୋହିବ କିଏ ? ତା’ ହାତ ଧରି ଉଠେଇଦେଲା କିଏ । ନିଦ ମଳମଳ ଆଖିରେ ପତାକା ଧରି ପୁଣି ମାର୍ଚ୍ଚିଂ-କଲା ଭଙ୍ଗୀରେ ପାଦ ପକେଇଲା ସେ ।

 

ପଛରୁ ଧ୍ୱନି ଭାସିଆସୁଥିଲା—ବିପ୍ଳବର ଜୟ ହେଉ, ସଂଗ୍ରାମର ଜୟ ହେଉ, ଜୀବନର ଜୟ ହେଉ.... ।

 

ସେଇ ଜୟଧ୍ୱନି ତା’ ଦେହରେ ଭରିଦେଲା ଶକ୍ତି, ଶୋଣିତକୁ ଶାଣିତ କରି ବହିଗଲା ଏକ ଅପୂର୍ବ ଉଷ୍ମ ଉନ୍ମାଦନା, ମନରେ ଜାଗିଲା ନବଜାଗରଣର ଅସୀମ ପ୍ରେରଣା । ସେ ଆହୁରି ଶୀଘ୍ର ଶୀଘ୍ର ଚାଲିଲା ।

 

ପାଦରୁ ମାଂସ ଛିଣ୍ଡିଯାଇ ରକ୍ତ ଝରିଲା, ତଥାପି ଚାଲିବାକୁ ହବ, ହାତ ଠାରି କିଏ ଡାକିଲା ଯେପରି ।

 

ଏକା ଏକା ଏତେ ବାଟ ଯିବ କିପରି ? ଆଉ କିଏ ଯିବ ସାଙ୍ଗରେ ? ପୁଅ ଶୋଇଚି ନିଶୂନ ନିଝୁମ ରାତିରେ, ହୁଏତ ସ୍ୱପ୍ନ ଦେଖୁଥିବ ଆଗାମୀର ।

 

ଗୋଟିଏ ମୁର୍ଦ୍ଦାରକୁ ବୋହି କେତେ ଜଣ ଯାଉଥିଲେ ଶ୍ମଶାନ ଆଡ଼କୁ ।

 

ରାମ ନାମ ସତ୍ୟ ହେ....

 

ହରି ନାମ ସତ୍ୟ ହେ.... ।

 

କଅଣ ସତ୍ୟ, ଆଉ କଅଣ ମିଥ୍ୟା ବୁଝିବାର ଉପାୟ ନାହିଁ । ସବୁ ମିଥ୍ୟା ସତ୍ୟ ହୋଇଯିବାପରେ ସତ୍ୟ କେଉଁଠାରେ ଲୁଚିଚି, କିଏ କହିବ ?

 

ଅନାମ ଦାସ ଆଉ ପାରୁନଥିଲା । ପାଦ ଆଉ ବୋଲ ମାନୁନଥିଲା ।

 

ପୁଣି ସେଇ ଧ୍ୱନି ଶୁଣିଲା କାନରେ । ଆଗକୁ ଆସ..... ଦୁର୍ଗମ ଗିରି-କାନ୍ତାର ପାରହୋଇ ଅନ୍ଧାର ଭିତରୁ ଆଲୋକକୁ ଆସ... । ଉଠ, ଜାଗ, ବରଲାଭ ନ କଲା ପର୍ଯ୍ୟନ୍ତ ଚାଲିବା ବନ୍ଦ କର ନାହିଁ ।

 

ଜୀବନର ଜୟଗାନ କିଏ କରୁଚି ?

 

ମୃତ୍ୟୁ ହଜିଯାଉଥିଲା ଶ୍ମଶାନରେ । ଶୁଣାଯାଉନଥିଲା ମାଲଭାଇମାନଙ୍କର ଧ୍ୱନି ।

 

ସମୃଦ୍ଧ ଜୀବନର ଚିତା ଶ୍ମଶାନର ଚିତାପରି ଉଷ୍ମ ଏବଂ ଉଜ୍ଜଳ ? ମନକୁମନ ପଚାରିଲା ଅନାମ ।

 

ରାତି ପାହି ଆସୁଥିଲା । ଶୀତଳ ପବନରେ ଫୁଲର ପ୍ରଥମ ସୁରଭି ଭାସିଆସି ଶିହରାଇଦେଲା ତାକୁ । ସେ ଆଉ ଥରେ ଚାହିଁଲା ଚାରିଆଡ଼େ ।

 

ଝଟକିଉଠିଲା କୁଆଁତାରା ।

 

କୁଆଁତାରା ସେପାଖରେ ଜନ୍ମ ନଉଥିଲା ନୂତନ ପୃଥିବୀ । ସମସ୍ତଙ୍କର ପୃଥିବୀ ସେହିଠାରେ ରଚନା କରୁଥିଲା ସମୃଦ୍ଧ ଜୀବନର ସିଂହାସନ ।

 

ହାତରେ ପତାକା ଧରି ପାଗଳ ପରି ସେଇ ଆଡ଼କୁ ଦଉଡ଼ିଲା ଅନାମ ଦାସ । ଭୁଲିଗଲା କ୍ଳାନ୍ତି ଏବଂ ଅବସାଦ । ଭୁଲିଗଲା ଦୀର୍ଘଶ୍ୱାସ ଓ ଦୀର୍ଘପଥର ପ୍ରତାରଣା । ମନେପଡ଼ିଲା ଅସହାୟ ପୁଅର ଶେଷ କ୍ରନ୍ଦନ.... ।

 

ଶବ୍ଦରେ ସ୍ୱପ୍ନଟା ଭାଙ୍ଗିଗଲା । ତାକୁ ହଲାଇ ଦେଇ କହିଲେ ସାହିର ଲୋକମାନେ–ରାତି ପାହିବା ଆଗରୁ ଶବ ଉଠେଇବା ଦରକାର । ବାସି-ମଡ଼ା କେତେବେଳେ ଆଉ ଘରେ ରହିବ-?

 

ପୁଅକୁ କାନ୍ଧରେ ପକେଇ ଶ୍ମଶାନ ମଡ଼କୁ ଚାଲିଲା ଅନାମ ଦାସ ।

 

ଶ୍ମଶାନର ଚିତାଗ୍ନି ଦେଖି ମନେପଡ଼ିଲା ଅତୀତର କଥା ।

 

ଅଗ୍ନିକୁ ଆବିଷ୍କାର କରି ଆବାହନ କରିଥିଲେ ଉଦ୍‌ଗାତା—ହେ ଅଗ୍ନି, ତୁମେ ସତ୍ୟ ଓ ଜାତବେଦ, ତୁମେ ନିତ୍ୟ ଏବଂ ନିଷ୍କଳଙ୍କ । ତୁମେ ସବୁ ପାପ, ସବୁ ସ୍ଖଳନକୁ ପୋଡ଼ି ଧ୍ୱଂସ କର । ସବୁ ନିପୀଡ଼ନ, ସବୁ ନିର୍ଯ୍ୟାତନାର ଶେଷ ହେଉ । ତୁମର ରାଶି ରାଶି ଊର୍ଦ୍ଧ୍ୱମୁଖୀ ଜ୍ୱଳନ୍ତ ଶିଖା ପରି ଊର୍ଦ୍ଧ୍ୱଗତି କରୁ ପରିପୂର୍ଣ୍ଣ ନୂତନ ମଣିଷ । ତୁମରି ଭିତରୁ ଜନ୍ମଲାଭ କରୁ ସୃଷ୍ଟି । ମଧୁପର୍କ ପାନକରି ଅଭିଷିକ୍ତ ହେଉ ଅମୃତର ପୁତ୍ର ।

 

ପୁଅକୁ ମୁଖାଗ୍ନି ଦେଲା ଅନାମ ଦାସ ।

 

ଅନାମ ଦାସ ଚିତାଗ୍ନି ଆଡ଼କୁ ଚାହିଁ କହିଲା—ଆହୁରି, ଆହୁରି ଉପରକୁ ଯା ।

 

ଚିତାଗ୍ନିରୁ ପୁଳାଏ ନିଆଁ ଧରି ଗୋଟିଏ ପେଣ୍ଡୁ ତିଆର କରି ପୂର୍ବଦିଗରୁ ଗଡ଼େଇଦେଲା କିଏ ଆକାଶରେ ।

 

ଆଉ ଅପେକ୍ଷା ନକରି ଅନାମ ଦାସ ହାତରେ ପତାକା ଧରି ପୁଣି ଶୁଭଯାତ୍ରା ଆରମ୍ଭ କଲା ।

☆☆☆

 

ଭୋଜି

 

ସୂର୍ଯ୍ୟକାନ୍ତ ବାବୁଙ୍କ ଦୋମହଲା କୋଠାକୁ ଲାଗି ରୁକ୍ମିଣୀର ଘର । ଠିକ୍‌ କହିଲେ ତାଙ୍କରି ପାଚେରିକୁ ଲାଗି ନିମଗଛ ପାଖରେ ଯେଉଁ ଝାଟିମାଟିର ଛୋଟ କୁଡ଼ିଆଟିଏ ଅଛି ତାହାହିଁ ତା’ର ଉଆସ । ରୁକ୍ମିଣୀର ଦଶବର୍ଷ ପୁଅ ସେଇ ଗଛମୂଳେ ଖେଳେ, ଗଛ ଉପରକୁ ଉଠି ପାତିମାଙ୍କଡ଼ ପରି ଝୁଲେ ଏବଂ ଖରାବେଳେ ଖାଇସାରିବାପରେ ଗଛର ଛାଇରେ ଶୋଇପଡ଼େ । ରୁକ୍ମିଣୀ ସାଆନ୍ତଙ୍କର ପାଚେରି କାନ୍ଥକୁ ଆଶ୍ରା କରି କୁଡ଼ିଆଟିଏ ତିଆରି କରିଥିଲା ବୋଲି କେହି ଆପତ୍ତି କରିନଥିଲେ । ନିଆଶ୍ରୀ ମାଇକିନିଆଟା, ରହିଯାଉ, କ୍ଷତି ତ କିଛି କରୁନାହିଁ । ସୂର୍ଯ୍ୟକାନ୍ତ ବାବୁଙ୍କ ସ୍ତ୍ରୀ ବେଳେବେଳେ ଦୋମହଲାର ଶୋଇବା ଘରୁ ଝରକା ବାଟେ ଦେଖନ୍ତି ରୁକ୍ମିଣୀର ସଂସାର; ରାତିରେ ବି କେତେଥର ସେଇ ଝରକା ପାଖରେ ଛିଡ଼ାହବାର ଦେଖିଛି ତାଙ୍କୁ ରୁକ୍ମିଣୀ । ବେଳେବେଳେ ଟର୍ଚ୍ଚ ପକାଇ ଦେଖନ୍ତି । ରୁକ୍ମିଣୀର କୁଡ଼ିଆର ଦୁଆରମୁହଁରେ ଟର୍ଚ୍ଚର ଆଲୁଅ ଅଟକିଯାଏ । ନିଦ ଭାଜିଯାଏ ରୁକ୍ମିଣୀର; କବାଟ ଖୋଲି ବାହାରକୁ ଚାହିଁଦେଲେ ଆଲୁଅ ଲିଭିଯାଏ, ଝରକା ପାଖରୁ ସାଆନ୍ତାଣୀଙ୍କ ମୂର୍ତ୍ତିଟି ଅପସରିଯାଏ । ଏତେ ରାତିରେ ମା’ କାହିଁକି ଝରକା ପାଖରେ ଠିଆହୋଇ ତା’ କୁଡ଼ିଆ ଆଡ଼କୁ ଆଲୁଅ ପକାନ୍ତି ତାହା ବୁଝିନପାରି ଦିନ ମଳମଳ ଆଖିରେ ଦରଜା ବନ୍ଦ କରି ଫେର୍‌ ଶୋଇପଡ଼େ ରୁକ୍ମିଣୀ । ସେମାନଙ୍କ ପାଖରେ ସେ କୃତଜ୍ଞ । ତାଙ୍କରି ପାଚେରି କାନ୍ଥକୁ ଆଶ୍ରା କରି କୁଡ଼ିଆଟିଏ ତୋଳିଛି ସେ । କେହି ଆପତ୍ତି କରିନାହିଁ । ବାବୁଙ୍କ ବଗିଚା ଭିତରକୁ ଗୋରୁଗାଈ ଅନେଇଲେ, ଫାଟକ ଦେଇ ପଶିବା ଆଗରୁ ହୁରୁଡ଼େଇଦିଏ ରୁକ୍ମିଣୀ । ସେ ନଥିଲେ ତା’ ପୁଅ ବିଶି ଗୋରୁ ଖେଦାଏ । ପାଚେରି କାନ୍ଥ ଉପରେ ଲାଉଡ଼ଙ୍କ ମଡ଼େଇ ଦେଇଛି ରୁକ୍ମିଣୀ । ଏ ପାଖରୁ ଫଳ, ପତ୍ର ତାର; ସେ ପାଖର ଫଳ ପତ୍ର ଉପରେ ସେ ଆଶା ରଖେ ନାହିଁ । ତାହା ବାବୁଙ୍କର । ଯେତେହେଲେ ତାଙ୍କରି ପାଚେରିକୁ ଆଶ୍ରା କରି କେବଳ ସେ ପଡ଼ିରହିନି, ଲାଉଡ଼ଙ୍କ ବି ମାଡ଼ିଛି । ସେ ପାଖର ଫଳଗୁଡ଼ାକୁ ନିମଗଛ ଉପରୁ ଉଁକିମାରି ଦେଖିନେଇ ମାଆକୁ କୁହେ ବିଶି—ସାତ ଆଠଟା ବଡ଼ ବଡ଼ ଲାଉ ଝୁଲୁଛି ମା’ ସେ ପାଖରେ, ଆଣିବି ? ପୁଅକୁ ବାରଣ କରି କୁହେ ରୁକ୍ମିଣୀ—ସେ ପାଖରେ ଫୁଲ ଫଳ ବାବୁଙ୍କର, ଏପାଖରେ ଆମର । ବିଶିର ମନ ମାନେନାହିଁ । ଗଛଟା ମା’ ଲଗେଇଥିଲା । ପାଣି ଢାଳେ ସେ ପ୍ରତିଦିନ । ତାଙ୍କରି କୁଡ଼ିଆ ଉପରଦେଇ ପାଚେରି ଉପରେ ମାଡ଼ିଛି । ତଥାପି କିପରି ସେ ପାଖର ଫୁଲ ଫଳ ତାଙ୍କର ଏବଂ ଖାଲି ଏ ପାଖର ତାହାର, ବୁଝିପାରେନା ବିଶି । ରୁକ୍ମିଣୀ ପୁଅକୁ ହୁସିଆର କରିଦେଇ କୁହେ—ଗଛ ଆମର ହେଲେ କଅଣ ହବ, ଡଙ୍କ ତାଙ୍କର ସେ ପାଖରେ । ସେ ଅଧେ ଫଳ ପାଇବା ନିୟମ । ଲୋଭ କରନା; ସେ ଆଡ଼କୁ ନଜର ଦେଏନା ।

 

ବିଶି ଗଛ ଉପରୁ ଓହ୍ଲାଇ ମା’କୁ କୁହେ—ତାଙ୍କ ଘର ଆଗରେ କାମ ଚାଲିଛି ମା’ । ଚାନ୍ଦୁଆ ଟଣା ହଉଛି । ଜାଗା ସଫା ହଉଛି । ରୁକ୍ମିଣୀ କୁହେ—ହବ ନାଇଁ, କେତେ ମେଳା ମଉଛବ, ସେମାନେ ବଡ଼ଲୋକ, ଭଗବାନ ସବୁ ଦେଇଛନ୍ତି ସେମାନଙ୍କୁ, ଆନନ୍ଦର ଦିନଗୁଡ଼ା ଅକାରଣ ହୋଇଯିବ ? ବିଶି କୁରୁଳି ଉଠି କୁହେ—ତା’ହେଲେ ନାଲି ନେଳି ଆଲୁଅର ମାଳ ଲାଗିବ, ବାଣ ରୋଶଣି ଫୁଟିବ, ରଂଗିନ କାଗଜର ମାଳ ଝୁଲିବ, ଦେବଦାରୁ ଗଛର ଡାଳରେ ତୋରଣ ତିଆରି ହେବ.... । ରୁକ୍ମିଣୀ କୁହେ—ହବ ନାହିଁ ? କେତେ ମେଳା-ମଉଛବ । ପାଞ୍ଜିରେ ସବୁ ଅଛି । ପାଞ୍ଜତ ଦେଖି ଚଳନ୍ତି ସେମାନେ । ଶୁଭ ଅଶୁଭ ବେଳ ଦେଖି ଯିବା-ଆସିବା କରନ୍ତି । ମୁହୂର୍ତ୍ତ ଜଗି କାମ କରନ୍ତି ।

 

ବିଶୁ ଅବାକ୍‌ ହୋଇଯାଏ । ସେ ମନର ସନ୍ଦେହ ମୋଚନ ପାଇଁ ପଚାରେପାଞ୍ଜି ଗୋଟେ ରଖିଲେ ହୁଅନ୍ତା ନାହିଁ ମା’ ! ବେଳ-ଅବେଳ ଦେଖି ଘରୁ ବାହାରିଲେ ତୋତେ କାମ ବେଶି ମିଳନ୍ତା, ବକସିସ୍ ବି ପାଆନ୍ତୁ । ହସି ଦେଇ ରୁକ୍ମିଣୀ କୁହେ—ପାଗଳା ନହୋଇଥିଲେ ଏଇ କଥା କୁହନ୍ତୁ । ଗରୀବ ଲୋକର ବେଳ-ଅବେଳ ବାଛ-ବିଚାର ନାହିଁରେ ପୁଅ, ସବୁବେଳେ ଶୁଭ, ସବୁ ମୁହୂର୍ତ୍ତ ଅମୃତବେଳା । ବଡ଼ଲୋକଙ୍କର ଚଳଣି ପାଇଁ ସମୟ ଗଣାହୁଏ, ନିର୍ଘଣ୍ଟ ତିଆରି ହୁଏ, ମୁହୂର୍ତ୍ତ ଦେଖାହୁଏ । ସର୍ବମଙ୍ଗଳ ଜଗନ୍ନାଥ କହି ଗରିବ ସକାଳୁ ଉଠେ ଯେ ଦିନ ସରି ରାତି କେତେବେଳେ ହୁଏ ଜାଣି ବି ପାରେନାହିଁ । ପରିଶ୍ରମର ଆଦର ଦେଖି ସେ ଅମୃତବେଳାରେ ବାହାରିଥିବାର ମନେକରେ, ଠିକ୍‌ ମୂଲ ପାଇଲେ ମାହେନ୍ଦ୍ର ବେଳାର ସୁଖ ଅନୁଭବ କରେ । ପାଞ୍ଜି ଆମ ପାଇଁ ନୁହେଁ ରେ ପୁଅ, ଥିଲାବାଲାଙ୍କ ପାଇଁ, ସବୁ ସମୟ ପରା ଆମର; କେବଳ ଶୁଭ ସମୟଗୁଡ଼ା ସେମାନଙ୍କର ।

 

ବିଶି ଫାଟକ ଆଡ଼କୁ ଚାଲିଯାଏ । ଡକରା ପାଇ ଘରର ଦୁଆର ଆଉଜାଇ ଦେଇ ବାରିପଟକୁ ଚାଲିଯାଏ ରୁକ୍ମିଣୀ । ସାଆନ୍ତାଣୀ ବେଶି ଡାକନ୍ତି ନାହିଁ । ବୋଲ-ହାକ ବି ବେଶି କରାନ୍ତି ନାହିଁ । ଭଲ ମଣିଷ । ହଠାତ୍ ଚାକର ଆସି ମା’ ଡାକିଛନ୍ତି ବୋଲି କହିବାରୁ ବସିବା ସ୍ଥାନରୁ ଉଠି ପଡ଼ି ଚାଲିଗଲା ରୁକ୍ମିଣୀ । ବେଳ କେତେ ହେଲାଣି, ଦାନ୍ତ ଏଯାଏଁ ଘଷିନାହିଁ ।

 

ରୁକ୍ମିଣୀକୁ ବୋଧହୁଏ ସୂର୍ଯ୍ୟକାନ୍ତ ବାବୁଙ୍କ ସ୍ତ୍ରୀ ଅପେକ୍ଷା କରୁଥିଲେ । ତାଙ୍କ ପାଦତଳେ ମୁଣ୍ଡିଆ ମାରି କହିଲା ରୁକ୍ମିଣୀ—ଏତେ ଦିନେ ମନେପଡ଼ିଲା ମା’ ! ଆଜ୍ଞା ଦିଅନ୍ତୁ, ଯାହା କହିବେ ସେୟା କରିବି । ସୂର୍ଯ୍ୟକାନ୍ତ ବାବୁଙ୍କ ସ୍ତ୍ରୀ ସୁଭଦ୍ରା ହସିଦେଇ କହିଲେ–ଆଲୋ ! ଦେଖୁଛ କି ଭୁଲା ମନ, ତୋତେ ଏଯାଏ ଶୁଭ ଖବରଟା ଦେଇପାରିନି । ବଡ଼ପୁଅର ବାହାଘର । ଆଉ ଦୁଇ ଦିନ ରହିଲା ।

 

ହସିଦେଇ କହିଲା ରୁକ୍ମିଣୀ–ଏଡ଼େବଡ଼ ଶୁଭ ଖବରଟା ଏଯାଏ ଲୁଚାଇ ରଖିଥିଲ ମା’ ! ଶୁଣିବାବେଳୁ ମୋ ପାଦ ଆଉ ଭୂଇଁରେ ଲାଗୁନାହିଁ । କିଛି ବୋଲ-ହାକ ମୋ ପାଇଁ ନାଇଁ ମା’ ? ବଡ଼ବାବୁଙ୍କ ବାହାଘର, ମୋ ହାତ ଲାଗିବ ନାହିଁ କୋଉ କାମରେ ?

 

ସେଇଥିପାଇଁ ତ ଡାକିଲି ତୋତେ—କହିଲେ ସୁଭଦ୍ରା । ତା’ପରେ କହିଲେ, ରାଜ୍ୟର କାମ ବାକୀ ପଡ଼ିଛି । ଘର ଭିତରେ ରଙ୍ଗ ଦିଆଯିବ; ଜିନିଷପତ୍ର ଉଠେଇବା ରଖିବା କାମକୁ ଲୋକ ନାହିଁ । ବିରି ଦଶ କିଲୋ ଭିଜେଇଥିଲି, ବାଟିଦେବୁ ।

 

କୃତକୃତ୍ୟ ହୋଇ କହିଲା ରୁକ୍ମିଣୀ—ଏଇତକ କାମ କରିପାରିବ ନାହିଁ ?

 

ସୁଭଦ୍ରା କହିଲେ, ନିମନ୍ତ୍ରଣ ବଣ୍ଟାସରିଲାଣି । ହଜାରେ ଲୋକ ଚତୁର୍ଥୀ ଭୋଜିକୁ ଆସିବେ । ଦୁଇଶହ ଯିବେ ବରଯାତ୍ରୀ । ଝିଅ ଜ୍ୱାଇଁ ନାତି ନାତୁଣୀ ନଣନ୍ଦ ନଣନ୍ଦେଇ ସବୁ ଆସି ପହଞ୍ଚିଗଲେଣି । ମରିବାକୁ ବେଳ ନାହିଁ । ଟିକେ ହାତ ଲଗେଇ ଦେ ରୁକ୍ମିଣୀ ।

 

ରୁକ୍ମିଣୀ କହିଲା–ପୁଅକୁ ଖାଇବାକୁ ଦେଇ ଏଇ ଆସୁଛି । ମୋତେ କାମ ବଳିଯିବନି ମା’ । ଏହିପରି ଦୟା ଟିକେ ରଖିଯାଅ, ଭଲମନ୍ଦରେ ଡାକୁଥାଅ । ରୁକ୍ମିଣୀ ସିନା ଗରିବ; କିନ୍ତୁ ତୁମ ପରି ବଡ଼ଲୋକଙ୍କ ଘରେ ଖଟିବା ପାଇଁ ଭାଗ୍ୟ କେତେ ଜଣଙ୍କର ହୁଏ ।

 

ରୁକ୍ମିଣୀ ଘରକୁ ଫେରିଆସି ମୁହଁହାତ ଧୋଇ ବିଶି ପାଇଁ ପଖାଳଗଣ୍ଡେ ବାଢ଼ିଦେଇ ପୁଅକୁ କହିଲା ଖାଇ ପିଇ ଘର ଜଗିବା ପାଇଁ । ନିମଫୁଲ ଥିବା ଯାଏ ତରକାରି ଅଭାବ ହୁଏନାହିଁ । ନିମଫୁଲକୁ ଟୋପାଏ ତେଲରେ ଭାଜିଦେଇଛି । ପରିବା କିଣିବାକୁ ସାହସ ହୁଏନାହିଁ । ଲାଉଡ଼ଙ୍କ ସାଙ୍ଗରେ ନିମଫୁଲ ମିଶାଇ ସନ୍ତୁଳା କରିଦେଲେ ରାତି ବକତ ଉଠିଯିବ । ପାଦ ଭୂଇଁରେ ପଡ଼ୁନଥାଏ ଏତେବଡ଼ ଲୋକଙ୍କ ଘରେ ବାହାଘର, ନିମନ୍ତ୍ରଣ କରିଛନ୍ତି । ଏହାଠାରୁ ବଳି ବଡ଼ ଭାଗ୍ୟ କାହା ଭାଗ୍ୟରେ ଜୁଟେ ?

 

ବିଶି ସବୁ ଶୁଣିସାରି କୁଦାମାରି ନାଚିଉଠିଲା ଘର ସାମ୍ନାରେ । ମହା ଖୁସି ସେ । ବହୁ ଦିନ ହବ ବାହାଘର ଭୋଜି ଖାଇନାହିଁ । କେତେ ବର୍ଷ ତଳେ ଭଉଣୀର ବିଭାଘର ହୋଇଥିଲା ଯେ ଅଇଁଠା ପତର ଉଠେଇବାର ସୁଯୋଗ ପାଇ ଧନ୍ୟ ହୋଇଯାଇଥିଲା । ତାକୁ ସେତେବେଳେ ସାତ ବରଷ ହବ । ଯେତେ ଖାଇଥିଲେ ସେତକ ଛାଡ଼ିଥିଲେ ପତରରେ । ବଡ଼ବଡ଼ିଆମାନଙ୍କ ଅଇଁଠା ଖାଇବା ପାଇଁ ତା ସହିତ ମଉ ଯେଉଁ ଦୁଇଟା କୁକୁର ଜଗି ବସିଥିଲେ ସେମାନଙ୍କୁ ଭାଗ ନଦେଇ ସବୁ ସଂଗ୍ରହ କରିଥିଲା ବିଶି । ମା’ପୁଅ ଦୁହେଁ ତିନିଦିନ ଖାଇଥିଲେ । ପଲଉ, ମାଉଁସ ତରକାରି, ମାଛଭଜାର ବଳକା ଅଂଶ ତୁଣ୍ଡରେ ଦେଇ ମା’ ପୁଅ ଦୁହେଁ ମହାପ୍ରସାଦ ଖାଇବାର ସୁଆଦ ପାଇଥିଲେ । ଆଉ ଥରେ ଆଉ ଗୋଟିଏ ସୁଯୋଗ ଉପସ୍ଥିତ । ଏଥର ଆଉ ଅଇଁଠା ପତର ଗୋଟେଇବାକୁ ପଡ଼ିବ ନାହିଁ । ଖୋଦ୍‌ ସାଆଁତାଣୀ ରୁକ୍ମିଣୀକୁ ଡାକିଛନ୍ତି ।

 

ବିଶିଥୟ ଧରି ନପାରି କହିଦେଲା—ଆମକୁ ନିମନ୍ତ୍ରଣ କରିବେ ନାହିଁ ମା’ ?

 

ରୁକ୍ମିଣୀ କହିଲା, ମୋତେ ମା’ ନିଜେ ଡାକିଥିଲେ । ବାହାଘର କଥା କହିଲେ । ଏହାଠାରୁ ବଳି ଆଉ କଅଣ କରନ୍ତେ ପୁଅ ? ଏଥର ବଡ଼ବାବୁଙ୍କ ବାହାଘର । ଅଇଁଠା ପତର ନ ଗୋଟେଇ ଚାକରବାକରଙ୍କ ସାଙ୍ଗରେ ପଂକ୍ତି-ଭୋଜନରେ ବସିବୁ, ମନ ପୁରେଇ ଖାଇବୁ ।

 

ବିଶିର ମନ ହୁଏ ନିମନ୍ତ୍ରଣ ଖାଇଯିବା ପାଇଁ । ଘନ କକେଇ ଶିବମନ୍ଦିରରେ ପାଣି ବୁହେ, ଭୋଗ ତିଆରି କାମ କରେ । ସେ କୁହେ ଯେ ନିମନ୍ତ୍ରଣ ନପାଇ ସେ କାହିଁ ଖାଇବାକୁ ଯାଏ ନାହିଁ । ନିମନ୍ତ୍ରଣ ବିନା ଗଲେ ଅଇଁଠାପତ୍ର ହିଁ ମିଳେ । ସେ ପାଇଥିବା ଗୋଟିଏ ଗୋଲାପୀ ରଙ୍ଗର ନିମନ୍ତ୍ରଣପତ୍ରକୁ ଦେଖାଇ ଘନ କକେଇ କୁହେ ଯେ ଏଇ ନିମନ୍ତ୍ରଣପତ୍ର ଠିକଣା ଥିବା ଲୋକର ଚିଠି ପରି । ଯାହାର ଠିକଣା ନଥାଏ, ତା ପାଖକୁ ଚିଠି ଆସେ ନାହିଁ ବା କାହା ମାରଫତ୍‌ରେ ଆସେ । କିନ୍ତୁ ଠିକଣା ଯିବା ଲୋକକୁ ସଲାମ କରି ଚିଠି ଦେଇଯାଏ ଡାକବାଲା । ନିମନ୍ତ୍ରଣପତ୍ର ହାତରେ ଧରି ବାହା ବା ବ୍ରତ ଭୋଜିକୁ ଗଲେ ଟିକେଟ ହାତରେ ଧରି ସିନେମା ଘର ଭିତରକୁ ପଶିବା ପରି ଭିତରକୁ ପଶିବାଟା ସହଜ ହୁଏ, ପଂକ୍ତିରେ ବସିଲେ କେହି ଉଠେଇଦିଏ ନାହିଁ ବା ପଛକୁ ଆସ ବୋଲି କୁହେ ନାହିଁ । ଘନ କକେଇ ସମୟ ପାଇଲେ ବିଶିକୁ ପାଖରେ ବସେଇ ଗପକରେ । ସେଇ କଥାଗୁଡ଼ା ମନେ ପଡ଼େ ବିଶିର । ସେଥିପାଇଁ ସେ ବି ଖୋଜେ ନିମନ୍ତ୍ରଣ । କେହି ଜଣେ ତାକୁ ନିମନ୍ତ୍ରଣ ଦିଅନ୍ତା କି ? ସେ ମାଆ ସହିତ ଯାମନ୍ତା, ପଂକ୍ତିରେ ବସନ୍ତା.... । ଖାଇବାପାଇଁ ମନ ଯେତେ ଉଚ୍ଚାଟ ନହୁଏ, ପଂକ୍ତିରେ ବସିବା ପାଇଁ ମନ ସେତିକି ଆକୁଳ ହୁଏ ।

 

ମାଆକୁ କୁହେ ବିଶି । ରୁକ୍ମିଣୀ ତାକୁ ବୁଝାଏ । ତାକୁ କୁହେ—ବଡ଼ ହୁଅ, ଭଲ ମଣିଷ ହୁଅରେ ପୁଅ । ତୋତେ ବି ନିମନ୍ତ୍ରଣ ମିଳିବ । ଆମେ ଆଉ ଗଛ ତଳେ ପାଚେରିକୁ ଆଶ୍ରା କରି ପଡ଼ିନରହି ନିଜର ଘର କରି ରହିବୁ । ଆମର ବି ଠିକଣା ରହିବ । ତୋର ବି ବାହାଘର ହବ; ବାଣ-ରୋଶଣି ଫୁଟିବ, ଆମ ଦୁଆରକୁ ବନ୍ଧୁବାନ୍ଧବ ଆସିବେ ।

 

ବିଶି ନିଜେ ବାହାଘର କଥା ଶୁଣି ଲାଜରେ ଦଉଡ଼ି ପଳେଇଯାଏ ସେଠାରୁ ।

 

ରୁକ୍ମିଣୀ ବି ଅନେକ ଭାବେ । ସ୍ୱାମୀ ସିନା ସେମାନଙ୍କୁ ଅନାଥ କରି ଚାଲିଗଲେ, ସେ ତ ପୁଅଟାକୁ ନଦୀରେ ଭସେଇ ଦେଇ ଆତ୍ମହତ୍ୟା କରିପାରନ୍ତା ନାହିଁ । ଆତ୍ମାହୁତି ଦେଇ ବି ଅନେକ ଚଳନ୍ତି । ଦେହକୁ ସଜେଇ ମନ ରଞ୍ଜାନ୍ତି ଅନ୍ୟମାନଙ୍କର । ଛି ଛି । ସେଭଳି ନିଲର୍ଜ୍ଜ ହୋଇପାରିନି ରୁକ୍ମିଣୀ । ନିଜର ସୁଆଙ୍ଗ ଖର୍ଚ୍ଚ କରି, ସବୁ ପ୍ରଲୋଭନରୁ ନିଜକୁ ଏଡ଼ାଇ ସେ ବଞ୍ଚିରହିଛି ଦୁର୍ଦ୍ଦିନରେ-। କୋଡ଼ପୋଛା ଗୋଟିଏ ପିଲା । ତାକୁ ଶାଗ ପଖାଳ ଖୁଆଇ ବଞ୍ଚେଇ ରଖିଛି । ଗତର ଖଟେଇ ଲୋକଙ୍କ ଘରେ କାମ କରେ, ଯିଏ ଯାହା ଦିଏ ସେତକରେ ଚଳିଥାଆନ୍ତି ମା’ ପୁଅ । ଅଭାବର ସଂସାରଟା ସୁନ୍ଦର, ଲଢ଼ିବା ପାଇଁ ବଳ ଜାଗେ ମନରେ । ସବୁ ଥିବାର ସଂସାରଟା ଅଳସୁଆ, ନିଷ୍ପ୍ରାଣ ।

 

ରୁକ୍ମିଣୀ ଜଲଦି ଯାଇ ପହଞ୍ଚିଗଲା ସୂର୍ଯ୍ୟକାନ୍ତ ବାବୁଙ୍କ ଘରେ । ପାଞ୍ଚଘଣ୍ଟା କାଳ ବିରି ବାଟିଲା, ଆଉ କେତେ ସମୟ ଘର ସଫା କଲା । ପେଟରେ ପଡ଼ିନଥିଲା ଆହାର । ପାଣି ଢାଳେ ପିଇ ଆସିଥିଲା । ଜଳୁଥିଲା ପେଟ । ସନ୍ଧ୍ୟାବେଳକୁ କାମ ଶେଷ କରି ସାଆନ୍ତାଣୀଙ୍କ ପାଖରୁ ବିଦାୟ ନବାକୁ ଗଲା । ତାକୁ ପାଖରେ ଛିଡ଼ାହେବାର ଦେଖି ସୁଭଦ୍ରା କହିଲେ, କାଲି ସକାଳୁ ଟିକେ ସହଳ ସହଳ ଆସିବୁ । ମୁଣ୍ଡ ହଲାଇ ଘରକୁ ଫେରିଲା ରୁକ୍ମିଣୀ । ହାତ ଦୁଇଟା ଅବଶ ଲାଗୁଥିଲା । କ୍ଳାନ୍ତ ଲାଗୁଥିଲା ଦେହକୁ । ଗାଧୋଇପଡ଼ି ଲୁଗା ବଦଳେଇ ପୁଅ ସାଙ୍ଗରେ ପଖାଳ, ଲାଉଡ଼ଙ୍କ ସହିତ ନିମଫୁଲର ସଂତୁଳା ଖାଇ ଶୋଇପଡ଼ିଲା ସେ ।

 

ସ୍ୱାମୀ ଥିବାବେଳେ ଏଡ଼େ ନିଆଶ୍ରୀ ନଥିଲା ସେ । ତା’ର ବି ସଂସାର ଥିଲା, ଘର ଥିଲା-। ସ୍ୱାମୀ ଚାଲିଯିବା ପରେ ସବୁ ସରିଗଲା । ସଂସାର ଉଜୁଡ଼ିଗଲା ଗାଆଁ ଛାଡ଼ି ସହରକୁ ଚାଲିଆସିଲା ପୁଅକୁ କାଖରେ ଧରି । ସାତ ବରଷ ହୋଇଗଲା । କେତେ ଟାହୁଲି ଟାପରା, କେତେ ଲୋଭିଲା ଚାହାଁଣି ଏବଂ ସଙ୍କଟରୁ ନିଜକୁ ରକ୍ଷା କରି ସୂର୍ଯ୍ୟକାନ୍ତ ବାବୁଙ୍କ ପାଚେରି ତଳେ ପଡ଼ିରହିଛି । ପୁଅଟା ବାପ ପରି ହୋଇଛି ଠିକ୍‌ । ଅଦ୍ଭୁତ ରକମର କଷ୍ଟସହିଷ୍ଣୁ । ଦୁଇ ଦିନ ନଖାଇ ବି ଖାଇବାକୁ ମାଗେ ନାହିଁ, ପାଞ୍ଚ ବାଡ଼ି ପିଠିରେ ବସିଲେ ବି କାନ୍ଦେ ନାହିଁ । ମାଆର କୋଳ ଘଷି ଶୋଇପଡ଼ି ସେ କେବଳ ନିଶ୍ଚିନ୍ତ ହୁଏ ନାହିଁ, ରୁକ୍ମିଣୀ ବି ନିଶ୍ଚିନ୍ତ ହୁଏ, ତା’ର ଛାତି ତଳେ ମାତୃତ୍ୱର ଗର୍ବ; ନାରୀର ତୃପ୍ତି ଫୁଲିଉଠେ ।

 

ବାହାଘର ଦିନ ଆସିଗଲା । ବରଯାତ୍ରୀମାନେ ବର ସାଙ୍ଗରେ ଯାଇ ବାହାକରାଇ ଫେରିଆସିଲେ ବାଜା ବଜାଇ । ବିଶି ସାହିର ଆଗରୁ ଶୋଭାଯାତ୍ରା ସାଙ୍ଗରେ ଆସିଥିଲେ । ବାଣୁଆ ସାଙ୍ଗରେ ଚାଲିଥିଲା । ଫୁଲଝରି ହାତରେ ଧରି ନାଚିଥିଲା । ରୁକ୍ମିଣୀ ସବୁ ଶୁଣି ପିଠି ଆଉଁସି ପୁଅକୁ ଶୁଆଇଦେବାବେଳେ ଆଖିରୁ ଲୁହ ପୋଛିଲା ।

 

ଆଜି ଚତୁର୍ଥୀ ଭୋଜି । ସକାଳୁ ବାହାରିଯାଇଛି ରୁକ୍ମିଣୀ । ରାତି ବାଆର ହେଲାଣି । ମୁହୂର୍ତ୍ତେ ଫୁରୁସତ୍ ନାହିଁ । ହାତ ଗୋଡ଼ ଘୋଳୁଛି । ମଥା ବିନ୍ଧୁଛି । ତଥାପି ଦଉଡ଼ିଛି ସେ । ଲମ୍ବେଇ ଲମ୍ବେଇ ପାଦ ପକଉଚି । ହାତ ଲମ୍ବେଇ କାମ କରୁଚି । ଅତିଥି ଅଭ୍ୟାଗତ ବନ୍ଧୁ କୁଟୁମ୍ବ ଖାଇସାରି ବିଦାହେଲେଣି । ବର୍ତ୍ତମାନ ଘରର ଚାକରବାକରଙ୍କ ପାଳି । ସମସ୍ତଙ୍କୁ ଗୋଟିଏ ଧାଡ଼ିରେ ବସିଯିବା ପାଇଁ କହିଲେ ସୁଭଦ୍ରା । ଖାଲି ଆଦେଶକୁ ସମସ୍ତେ ଅପେକ୍ଷା କରୁଥିଲେ ଯେପରି ! ଆସନ ନଥିବା ଖାଲି ଭିଜା ଭୂଇଁ ଉପରେ ବସିଗଲେ ଚାକର, ଚାକରାଣୀ । ରହିଗଲା ରୁକ୍ମିଣୀ । ସୁଭଦ୍ରାଙ୍କ ମୁହଁକୁ ଚାହିଁ ଅନୁନୟ କରି କହିଲା—ସେମାନେ ବସନ୍ତୁ, ମୁଁ ନେଇଯିବି, ଘରେ ପିଲାଟା ଅଛି ପରା !

 

ସୁଭଦ୍ରା ଶାସନ କଲେ । ଏଡ଼େ ପୁଅ-ସୁହାଗୀ କାହିଁକି ହୋଇଛୁ ରୁକ୍ମିଣୀ ? କିଏ କାହାର ? ପୁଅ କଅଣ ଖାଇ ନଥିବ ? ହଜାରେ ଲୋକଙ୍କ ପାଇଁ ହୋଇଥିଲା । ବାଆରଶହ ଖାଇଲେଣି । ଭିକାରୀ, ବୈଷ୍ଣବ ତା’ ଉପରେ । ସେ ବସିଯାଇଥିବ ପଂକ୍ତିରେ । ଚୌଧୁରୀ ପରିବାରରୁ କେହି ଅଭୁକ୍ତ ହୋଇ ଫେରେ ନାହିଁ । ବସିପଡ଼, ଭଲ ମନ୍ଦ ଯାହା ହୋଇଛି ତୁଣ୍ଡରେ ଦେ ।

 

ରୁକ୍ମିଣୀ ତଥାପି କହିଲା—ମୋ ପତର ଉପରେ ଯାହା ଦବାର ପରଷି ଦିଅ ମା, ମୁଁ ନେଇଯିବି । ଦୁଃଖୀ-ରଙ୍କିର ସଂସାର । ତିନିଦିନ ଧରି ମା’ ପୁଅ ଖାଇବା.... ।

 

କିଛି ନଶୁଣି ଜବରଦସ୍ତ ବସାଇଦେଲେ ସୁଭଦ୍ରା । ହଣ୍ଡା ଖାଲି ହୋଇ ଆସିଲାଣି । ଯାହା ବାକୀ ଥିଲା ଚାକରବାକରଙ୍କ ପତରରେ ଉଜାଡ଼ି ଦେଲେ । ମାଛ ବେସର ଆଉ ନାହିଁ । ମାଉଁସ ତ ଆଗରୁ ଶେଷ ହୋଇଯାଇଛି । ତଥାପି ଝୋଳ ଟିକେ ଟିକେ ବାଣ୍ଟିଦେଲେ । ବାସନାଟା ହବ ତ ! ହଣ୍ଡାର ଶେଷ ଭାଗର ଟିକେ ଲାଗିଯାଇଥିବା ପଲଉ ତଥାପି ହାଉଁ ହାଉଁ କରି ଖାଇଲେ ସମସ୍ତେ । ମୁହଁରେ କେତେ ଗୁଣ୍ଡା ଭର୍ତ୍ତିକରି ପତର ଗୋଟେଇ ପାଛିଆ ଭିତରେ ରଖିଲା ରୁକ୍ମିଣୀ ।

 

ସାଆନ୍ତାଙ୍କ ଘରୁ ବିଦା ହବାବେଳକୁ ରାତି ଅନେକ । ବାହାରକୁ ଆସି ଚାରିଆଡ଼କୁ ଚାହିଁନେଲା ରୁକ୍ମିଣୀ । ବାହାଘର ଆଲୁଅର ତରାସ ପଡ଼ିଥାଏ ଚାରିଆଡ଼େ । ଏତେ ଆଲୋକ ଭିତରେ ଗୋଟିଏ ଅନ୍ଧାରିଆ ଜାଗାରେ ନିମଗଛକୁ ଲାଗି ପାଚେରିକୁ ଆଶ୍ରା କରି ରୁକ୍ମିଣୀର କୁଡ଼ିଆଟି କେଡ଼େ ଏକାକୀ ପଡ଼ିଥାଏ ସତରେ ! ପରିତ୍ୟକ୍ତ ଅଇଁଠାପତ୍ର ଠୁଳହୋଇଥାଏ ବାରିପଟେ-। କେତୋଟି କୁକୁର ହାଉଁ ହାଉଁ ହେଉଥାଆନ୍ତି ଭାଗ ପାଇଁ । ପାଖ ଦେଇ ଚାଲିଆସିବାବେଳେ ଚମକି ପଡ଼ି ଛିଡ଼ା ହୋଇଗଲା ରୁକ୍ମିଣୀ । ବିଶ୍ୱାସ ହେଉନଥାଏ ଆଖିକୁ । ଦୁଇ ଚାରିଟା ମଣିଷ କୁକୁରମାନଙ୍କ ସହିତ ପ୍ରତିଯୋଗିତା କରୁଥାଆନ୍ତି ଅଇଁଠା ଖାଇବାରେ । ଶୀତେଇ ଉଠିଲା ସର୍ବାଙ୍ଗ-। ଏତେ ଲୋକ ଖାଇଲେ; ଏତେ ଆହାର ରନ୍ଧାହେଲା, ଏମାନେ ଅଭୁକ୍ତ ରହିଗଲେ ?

 

ବିଶିଟା ହୁଏତ ଖାଇସାରି ଘର ବାହାରେ ଗଛମୂଳେ ଭଙ୍ଗା ଖଟ ଉପରେ ଶୋଇପଡ଼ିଥିବ । ଯାହା ହେଉ, ଏତେ ଦିନରେ ଥରେ ବାହାଘର ଭୋଜି ଖାଇ ଅରମାନ ମେଣ୍ଟାଇଥିବ ସେ । ଆହା । ବାପଛେଉଣ୍ଡ ପିଲାଯା କେତେ ଭୋଗୁଛି । ଭଲମନ୍ଦ ପଛକଥା, ବଞ୍ଚିବା ପାଇଁ ଯଥେଷ୍ଟ ଆହାର ମିଳୁନାହିଁ । ଦେହଟା ବଢ଼ୁନି ଖାଦ୍ୟ ଓ ପୁଷ୍ଟି ନପାଇ । ଆଜି ଆଖି ବୁଜି ଖାଇଥିବ । ହାକୁଟି ମାରି ଉଡ଼େଇଦେଉଥିବ ଅଭାବ, ଦୁଃଖ ଓ ଦୁର୍ଭୋଗମାନଙ୍କୁ ।

 

ଘର ଆଗରେ ପହଞ୍ଚି କିନ୍ତୁ ଭାଙ୍ଗିଲା ରୁକ୍ମିଣୀର । ତାଲାଟା ସେହିପରି ଝୁଲୁଥାଏ ଦରଜାରେ; ଖାଲି ପଡ଼ିଥାଏ ଭଙ୍ଗାଖଟ । ଗଛମୂଳେ ବି ନଥାଏ କେହି । ସବୁ ଶୂନ୍‌ସାନ୍‌ । ଛାତି ଭିତରଟା ମୋଡ଼ି ହୋଇଗଲା । ଦଉଡ଼ିଲା ସେ ସାମ୍ନାକୁ ଭୋଜି ଜାଗାକୁ, ବସିବା ଜାଗାକୁ ? କେଉଁଠାରେ ନଥିଲା ବିଶି । ଏତେ ବଡ଼ ବାହାଘରର କୋଳାହଳ ବନ୍ଦ ହୋଇଯାଇଥିଲା । ନିସ୍ତବ୍‌ଧ ଅଞ୍ଚଳରେ କେବଳ ବୁଲା କୁକୁରର ଶବ୍ଦ । ଯିଏ ଯେଉଁଠି ପାରିଛନ୍ତି ଲୋଟେଇ ଦେଇଛନ୍ତି ସାରା ଦିନର ପରିଶ୍ରମ-କ୍ଳାନ୍ତ ଦେହକୁ । ଚୌକି, ବେଞ୍ଚ ଓ ଆସବାବପତ୍ର ପରି ନିସ୍ତବ୍‌ଧ, ନିଃଶବ୍ଦ ହୋଇ ଯେପରି ସମସ୍ତେ ଶୋଇପଡ଼ିଥାଆନ୍ତି । ବିଶିକୁ ନପାଇ ବଡ଼ ବ୍ୟସ୍ତ ହୋଇପଡ଼ିଲା ରୁକ୍ମିଣୀ ।

 

ଅବଶ ପାଦକୁ ଘୋଷାରି ଘୋଷାରି ଫେରିଆସିଲା କୁଡ଼ିଆ ସାମ୍ନାକୁ ।

 

ହଠାତ୍‌ ଅଇଁଠାପତ୍ର ଠୁଳ ହୋଇଥିବା ସେହି ଅନ୍ଧାରୁଆ ଜାଗାଆଡ଼ୁ କାହାକୁ ଖେଦି ଆଣିଲେ ଦୁଇଟା ଭୋକିଲା ଡାହାଳ କୁକୁର । ଠିକ୍‌ ଘର ଆଗରେ ହାବୁଡ଼ି ପଡ଼ି ଅଟକିଗଲା ସେ । ମାଡ଼ିଆସୁଥିବା କୁକୁର ଦୁଇଟା ଆଡ଼କୁ ପଥର ଦୁଇଟା ଫିଙ୍ଗି ଦେଲା ରୁକ୍ମିଣୀ । ପ୍ରତିଯୋଗୀ ପଳେଇଗଲା ଭାବି ସେମାନେ ଫେରିଗଲେ ଉଚ୍ଛିଷ୍ଟ ଖାଇବା ପାଇଁ ।

 

ଏତେବେଳେ ଯାହା ଦେଖିଲା ଆଖିକୁ ବିଶ୍ୱାସ କରିପାରୁନଥିଲା ରୁକ୍ମିଣୀ । ସେଇ ହାବୁଡ଼ି ପଡ଼ିଥିବା ପିଲାଟା ଆଉ କେହି ନୁହେଁ—ବିଶି । କବାଟ ଖୋଲି ବିଶିକୁ ଘର ଭିତରକୁ ଭିଡ଼ି ନେଇ ଝାଡ଼ିଝୁଡ଼ିଦେଇ କହିଲା ରୁକ୍ମିଣୀ—ଅନ୍ଧାରରେ ଏତେବେଳେ ବୁଲନ୍ତି ? ମୁଁ କଅଣ ଆସି ନଥାନ୍ତି ଯେ ବାରିପଟକୁ ଯାଇଥିଲୁ ?

 

ବିଶି ମାଆର ପଣତ ତଳେ ମୁହଁଗୁଂଜି କାନ୍ଦିଉଠି କହିଲା—ତୁ ମୋତେ ମିଛ କହିଥିଲୁ । ସେମାନେ ଆମକୁ ନିମନ୍ତ୍ରଣ କରିନଥିଲେ ।

 

ଅବାକ୍‌ ହୋଇଗଲା ରୁକ୍ମିଣୀ । ପୁଅ ମଥାରେ ହାତ ରଖି ପଚାରିଲା—ଖାଇ ନାହୁଁ, ପଂକ୍ତିରେ ବସିନୁ ?

 

ଆହୁରି ଜୋର୍‌ରେ କାନ୍ଦିଉଠି କହିଲା ବିଶି—କେହି ଡାକିଲେନି ମୋତେ । ବହୁତ ଆଶା କରି ବସିଥିଲି ଶେଷଯାଏ.... । ଶେଷରେ ଅଇଁଠାପତ୍ରଗୁଡ଼ା ନବା ପାଇଁ ବି କୁକୁର ସାଙ୍ଗରେ କଳି କରିବାକୁ ପଡ଼ିଲା । ଏତେ ଖଟିଥିଲି, ଚୌକି ଟେବୁଲ ବୋହିଥିଲି, ଆସନ ସଫା କରିଥିଲି; କେହି ଡାକିଲେ ନାହିଁ, ପତରରେ ଖାଇବାକୁ ଦେଲେ ନାହିଁ ।

 

ଭିଜା ଆଖିକୁ ପୋଛିଦେଇ କହିଲା ରୁକ୍ମିଣୀ—ବସ୍‌ ବାପା ବସ୍‌, ତୋତେ ମୁଁ ବାଢ଼ିଦେବି, ଅନେକ ଆଣିଛି ଖିରି, ପୁରି, ମାଛଝୋଳ, ମିଠେଇ.... ।

 

ବିଶି ମାଆର ହାତ ଧରି କହିଲା, ସେଗୁଡ଼ାଇ ଖାଇବା ପାଇଁ ଆଉ ଥରେ ଜନମନେବି ମା’ ! ଦେ,ଦେ.... ତୋ ହାଣ୍ଡି ଉଜାଡ଼ି କରି ପଖାଳ ବାଢ଼ିଦେ....ନିମ ଫୁଲର ଭଜା, ଆଉ ଟିକେ ଲୁଣ... । ଦବୁନି ?

 

ସବୁ ଜିନିଷକୁ ପଛରେ ପକେଇ ପୁଅର ତୁଣ୍ଡକୁ ପଖାଳଗୁଣ୍ଡାଏ ଟେକିଦବା ବେଳେ ସମ୍ଭାଳି ନପାରି ଥରିଲା କଣ୍ଠରେ କହିଲା ରୁକ୍ମିଣୀ—ସବୁଦିନେ ଭୋଜିରେ ପୁଅ, ସବୁ ସମୟ ଶୁଭ, ସବୁ ମୁହୂର୍ତ୍ତ ଅମୃତବେଳା । ତୁ ବଡ଼ ହୋ, ମଣିଷ ହୋ, ତୋ ବାହାଘର ଦିନ ସାଆନ୍ତ ସାଆନ୍ତାଣୀଙ୍କୁ ନିଶ୍ଚୟ ଡାକିବି, ନେହୁରା ହୋଇପଡ଼ିବି, ସଙ୍ଖୋଳି ଆଣି ଭଲ ମନ୍ଦ ଖୁଆଇବି । ପାଞ୍ଜିରେ ସେହି ତାରିଖଟା ନଥାଉ, ସମୟ ହୁଏତ ସାଇତି ରଖିଛି ସେଇ ମୁହୂର୍ତ୍ତକୁ ।

 

ଆଗାମୀ ତାରିଖର ଆରମ୍ଭ ହୋଇସାରିଥିବା ଘୋଷଣା କରି କଚେରି ଘଣ୍ଟାରେ ଠନ୍‌ ବାଜିଲା ଗୋଟାଏ ।

Image